Unknown

 

 

 

 

 

 

 

 

 

 

 

ଜଙ୍ଗଲ ଚିଠି

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

 

ଉତ୍ସର୍ଗ

 

ଶ୍ରୀଯୁକ୍ତ ଶତ୍ରୁଘ୍ନ ନାଥ

ଅଗ୍ରଜବରେଷୁ

 

ପ୍ରଥମ ସଂସ୍କରଣର

ଭୂମିକା

 

ଅନେକ ବିଘ୍ନ ଅତିକ୍ରମ କରି ‘ଜଙ୍ଗଲ ଚିଠି’ ଆଜି ପ୍ରକାଶିତ ହେବାକୁ ଯାଉଛି । ଏହାର ପ୍ରଥମ ଭାଗ ‘ଜଙ୍ଗଲ ଚିଠି’ ଆକାରରେ ସାପ୍ତାହିକ ‘ଗ୍ରାମସେବକ’ରେ ପ୍ରକାଶିତ ହୋଇଥିଲା । ସମ୍ପାଦକଙ୍କର ବଦାନ୍ୟତା ଲାଗି ମୁଁ କୃତଜ୍ଞତା ଜଣାଉଚି ।

 

ପ୍ରାୟ ଛଅ ସାତ ବର୍ଷ ତଳେ ‘ଜଙ୍ଗଲ ଚିଠି’ ଛାପିବେ ବୋଲି ଓଡ଼ିଶାର ଜଣେ ବହିଦୋକାନୀ ତଥା ପ୍ରକାଶକ ମୋ’ଠାରୁ ପାଣ୍ଡୁଲିପିଟି ନେଇଯାଇଥିଲେ । ବର୍ଷ ବର୍ଷ ବିତିଗଲା, ତଥାପି ଛାପିବାର କୌଣସି ଉପକ୍ରମ ହେଲା ନାହିଁ । ତା’ପରେ ଶୁଣିଲି ବହି ଛାପିବା ଓ ବିକିବାର ବେପାର ଛାଡ଼ି ସେ ସରପଞ୍ଚ ହୋଇସାରିଲେଣି । ମୋର ପାଣ୍ଡୁଲିପିଟି ତାଙ୍କରିଠାରେ ରହିଗଲା ।

 

‘ସାଥୀ ନିକେତନ’ ଜଙ୍ଗଲଚିଠିଟିକୁ ଛାପିବା ଲାଗି ଆଗ୍ରହ ଦେଖାଇବାରୁ ମୁଁ ପୁଣି ପୁରୁଣା ଚିଠିଗୁଡ଼ିକୁ ଏକାଠି କରିବାର ଚେଷ୍ଟା ଆରମ୍ଭ କଲି । ଏଥିରେ ଅନେକ ବନ୍ଧୁ ମୋତେ ସାହାଯ୍ୟ କରିଛନ୍ତି । ସେମାନଙ୍କୁ ଓ ସାଥୀ ନିକେତନ ପ୍ରକାଶନ ସଂସ୍ଥାଙ୍କୁ ଅନ୍ତରର କୃତଜ୍ଞତା ଜ୍ଞାପନ କରୁଛି । ତାଙ୍କରି ଆଗ୍ରହରେ ଉତ୍ସାହିତ ହୋଇ ମୁଁ ପୁସ୍ତକଟିର ଦ୍ଵିତୀୟାର୍ଦ୍ଧ ପ୍ରସ୍ତୁତ କରିବାକୁ ପ୍ରୟାସୀ ହୋଇଚି ।

 

। ଇତି ।

ଚିତ୍ତରଞ୍ଜନ ଦାସ

 

ଦ୍ଵିତୀୟ ସଂସ୍କରଣ ନିମନ୍ତେ

 

‘ଜଙ୍ଗଲ ଚିଠି’ର ଦ୍ଵିତୀୟ ସଂସ୍କରଣ ଛାପାହେବାକୁ ଗଲାବେଳେ ସବାଆଗ ଚମ୍ପତିମୁଣ୍ଡାର ସେହି ବିଦ୍ୟାଳୟଟିର କଥା ମନେ ପଡ଼ିଯାଉଛି । ସେଠାରେ ଏକଦା ଶିକ୍ଷାରେ ଯେଉଁ ପ୍ରୟୋଗ ହେଉଥିଲା, ତାହାକୁ ମାଧ୍ୟମ କରି ମୁଁ ସତେଅବା ନିଜ ଭିତରର ଶିକ୍ଷକଟିକୁ ନେଇ ଏକ ପ୍ରୟୋଗ କରିବାରେ ଲାଗିଥିଲି । ସେହି ପ୍ରୟୋଗଟିର ଏବେ ମଧ୍ୟ ଏକ ପ୍ରାସଙ୍ଗିକତା ରହିଛି ବୋଲି ଯେଉଁ ବନ୍ଧୁମାନେ ଅନୁଭବ କରୁଛନ୍ତି ଓ ସେଥିଲାଗି ବହିଟିର ଦ୍ଵିତୀୟ ସଂସ୍କରଣ ହେଉ ବୋଲି ଉଦ୍ୟମ କରିଛନ୍ତି, ସେମାନନଙ୍କୁ ମୁଁ ଅନ୍ତରର କୃତଜ୍ଞତା ଜ୍ଞାପନ କରୁଛି ।

 

ସେତେବେଳେ ଦେଶର ଶିକ୍ଷାକ୍ଷେତ୍ରରେ ଯେତିକି ଆହ୍ଵାନ ରହିଥିଲା, ବର୍ତ୍ତମାନ ସେଗୁଡ଼ିକ ଆହୁରି ଅନେକ ଗୁଣ ଜରୁରୀ ହୋଇ ପଡ଼ିଛନ୍ତି । ଶିକ୍ଷାକୁ ଏକ ସରକାରୀ ବିଭାଗରେ ପରିଣତ କରି ତାହାକୁ ଚଳାଉଥିବା କର୍ତ୍ତାମାନେ ଏବେ ବେଳେବେଳେ ଅଧିକ ଅମଙ୍ଗ ଏବଂ ଅଧିକ ବଧିର ହୋଇ ପଡ଼ିଥିବା ପରି ମନେ ହେଉଛି । ସେତେବେଳ ଅପେକ୍ଷା ଏବେ ଶିକ୍ଷା ଲାଗି ସରକାରୀ ସାଧୁତା ମଧ୍ୟ ଅତ୍ୟନ୍ତ ଆଖିଦୃଶିଆ ଭାବରେ ହ୍ରାସ ପାଇଛି । ରାଜନୀତିକ ଇଚ୍ଛାଟା ବି ଅତ୍ୟନ୍ତ ଗୋଦରିଆ ହୋଇ ପଡ଼ିଛି ।

 

ତଥାପି, ଦେଶରେ ସଚେତନତା ବଢ଼ିଛି, ବଢ଼ୁଛି । ସେହି ସଚେତନତା ସତେଅବା ଯାବତୀୟ ଅସାଧୁତା ଓ ଅରାଜୀର ଗମ୍ଭିରି ଘରେ ପଶି ଅଟକି ଯାଇଥିବା ଚକଗୁଡ଼ିକୁ ଆଗକୁ ଯିବାଲାଗି ବାଧ୍ୟ କରିବା ସକାଶେ ସଚଳ ହେଲାଣି । ଯେଉଁମାନେ ଶୋଇ ରହିଥିଲେ, କ୍ରମେ ସେମାନଙ୍କର ନିଦ ଭାଙ୍ଗୁଛି । ନିଦ ଭାଙ୍ଗିଥିବା ଯେକୌଣସି ଶିକ୍ଷକକୁ ‘ଜଙ୍ଗଲ ଚିଠି’ ବହୁତ ଖାଦ୍ୟ ଓ ବହୁତ ସଖ୍ୟ ଯୋଗାଇଦେବ ।

 

୧ । ୧ । ୧୯୯୭

ଚିତ୍ତରଞ୍ଜନ ଦାସ

☆☆☆

 

–ଏକ–

 

ଗତ ଅଗଷ୍ଟ ମାସରୁ ଅନୁଗୁଳଠାରୁ ପ୍ରାୟ ଆଠମାଇଲ ପଶ୍ଚିମକୁ ଚମ୍ପତିମୁଣ୍ଡା ଗାଆଁରେ ଆମର ଉତ୍ତର ବୁନିୟାଦୀ ଶିକ୍ଷାନୁଷ୍ଠାନଟି ଆରମ୍ଭ କରାଯାଇଛି । ଅନୁଗୁଳ ବାଜିରାଉତ ଛାତ୍ରାବାସ, ରାମଚନ୍ଦ୍ରପୁର, ତୁଡ଼ିଗଡ଼ିଆ, ରାଜସୁନାଖଳା ଓ ଭଞ୍ଜନଗର ମୌଳିକ ବିଦ୍ୟାଳୟମାନଙ୍କରୁ ଆଠ ବର୍ଷର ମୌଳିକ ଶିକ୍ଷା ସମାପ୍ତ କରିଥିବା ଛାତ୍ରମାନେ ଏଥିରେ ଯୋଗ ଦେଇଛନ୍ତି । ବିଭିନ୍ନ ହାଇସ୍କୁଲର ନବମ ଶ୍ରେଣୀରେ ପଢ଼ୁଥିବା ଚାରିଜଣଙ୍କୁ ମଧ୍ୟ ଆମେ ବିଦ୍ୟାର୍ଥୀ ହିସାବରେ ଗ୍ରହଣ କରିଚୁ । ବର୍ତ୍ତମାନ ପ୍ରଥମ ବର୍ଷରେ ମୋଟ ଛାତ୍ରସଂଖ୍ୟା ଛବିଶ, ଏହା ଭିତରେ ଦୁଇଜଣ ବାଳିକା ମଧ୍ୟ ଅଛନ୍ତି ।

 

ଚମ୍ପତ୍ତିମୁଣ୍ଡା ଗାଁ ବୋଇଲେ ସତର ଅଠରଟି ପରିବାର । ଗତ ମହାଯୁଦ୍ଧ ପରେ ସରକାରଠାରୁ ଜମି ଓ ଅନ୍ୟାନ୍ୟ ସାହାଯ୍ୟ ପାଇ ସେମାନେ ଏଠି ରହିଛନ୍ତି । ସମସ୍ତଙ୍କୁ ନେଇ ଗୋଟିଏ ସମବାୟ-ଗ୍ରାମ ବସାଇବାର କଳ୍ପନା ସରକାରଙ୍କର ଥିଲା । କିନ୍ତୁ ବର୍ତ୍ତମାନ ସେ ଯୋଜନା ଆଉ ନାହିଁ । ପ୍ରତ୍ୟେକ ପରିବାର ଆପଣା ଆପଣାର ବ୍ୟକ୍ତିଗତ ଜମି ଚାଷ କରୁଛନ୍ତି । ବ୍ୟକ୍ତିଗତ ନିର୍ବାହ କରୁଛନ୍ତି । ଗାଆଁରୁ ଖଣ୍ଡେ ଦୂରରେ ଜଙ୍ଗଲ । ଉତ୍ତର ବୁନିୟାଦ ଅନୁଷ୍ଠାନ ଲାଗି ସେଇ ଜଙ୍ଗଲରେ ଆମେ ୨୦୦ ଏକର ଜମି ଓଡ଼ିଶା ସରକାରଙ୍କଠାରୁ ପାଇଛୁ । ଏଥିରୁ ପ୍ରାୟ ୩୦ ଏକର ବୁଲଡଜର ସାହାଯ୍ୟରେ ସଫା କରାଯାଇଛି । ବର୍ତ୍ତମାନ ଇଟା ତିଆରି ଚାଲିଛି । ମୂଲିଆଙ୍କ ସହିତ ପିଲାମାନେ ମିଶି ତିଆରି କରୁଛନ୍ତି ।

 

ଅସ୍ଥାୟୀ ଭାବରେ ତିନିବଖରା ଘର ଓ ଗୋଟିଏ ତମ୍ବୁ ଭିତରେ ଆମ ବିଦ୍ୟାଳୟର ସଂସାର ଗଢ଼ିଉଠିଛି । ସକାଳେ ଆମେ ଇଟା ତିଆରି କରୁଚୁ, ଜଙ୍ଗଲରୁ ଇଟାଭାଟି ଲାଗି କାଠ ଯୋଗାଡ଼ କରିବାକୁ ଯାଉଚୁ । ଉପରଓଳି ଘର ପାଖରେ ଥିବା ମହୁଲଗଛ ଛାଇରେ ପାଠପଢ଼ା ହେଉଛି । ଏଠି ରାତିରେ ଭାରି ଶୀତ, ଅନୁଗୁଳଠାରୁ ମଧ୍ୟ ବେଶୀ । ପିଲାଙ୍କପାଖରେ ଯଥେଷ୍ଟ ଶୀତଲୁଗା ନାହିଁ । ପ୍ରତିଦିନ ଜଙ୍ଗଲରୁ ଫେରିଲାବେଳେ ଆମେ ଶୁଖିଲା ଗଛର ମୂଳି ଓ ଥୁଣ୍ଟାମାନ ନେଇଆସୁଚୁ । ରାତିରେ ଦୁଆର ମଝିରେ ନିଆଁ ଜଳା ହେଉଚି । ଶେଷ ରାତିକୁ ଯେତେବେଳେ ଶୀତର ପ୍ରକୋପରେ ଆଉ ଶୋଇ ହେଉ ନାହିଁ, ସେତେବେଳେ ପିଲାଏ ଆସି ଦୁଆରେ ନିଆଁ ପୁଉଁଛନ୍ତି ।

 

ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆମର କଠିନ ଜୀବନରେ ସରସତା ଭରି ରଖିଛି । ଚାରିଆଡ଼େ ପର୍ବତମାଳା ନୀଳ କାନ୍ଥପରି ଠିଆ ହୋଇ ରହିଛି । ଖୋଲା ଆକାଶ ଓ ଖୋଲା ପବନରେ ବିଚରଣ କରୁ କରୁ ମନଲାଗି ଅନେକ ଖାଦ୍ୟ ମିଳୁଛି । ବର୍ତ୍ତମାନ ଥୁଣ୍ଟା ଗଛ ଓ ଅନାବନା ବୁଦାରେ ଅବିନ୍ୟସ୍ତ ହୋଇ ପଡ଼ିଛି ଆମ ଜଙ୍ଗଲଟି । ଦିନେ ଏଇଠି ଘର ତିଆରି ହେବ, ପାଠାଗାର ରହିବ, ବିଜ୍ଞାନ ଓ କୃଷିର ପ୍ରୟୋଗଶାଳା ରହିବ, ଗୁରୁ ଓ ଗୁରୁପତ୍ନୀମାନଙ୍କ ଚାରିପାଖରେ ସ୍ନେହ ଶ୍ରଦ୍ଧାର ସ୍ଵାଭାବିକ ବେଷ୍ଟନୀ ମଧ୍ୟରେ ଏଇଠି ଦିନେ ଏକ ବିଦ୍ୟାର୍ଥୀ ପରିବାର ଗଢ଼ିଉଠିବ, ଏଇ ସ୍ଵପ୍ନ ଆଜି ସମସ୍ତଙ୍କୁ ବିହ୍ଵଳ ଓ ତତ୍ପର କରିରଖିଛି । ଏଇ ସ୍ଵପ୍ନଭରା ଆଖିରେ ଆମକୁ ସବୁ ଭଲ ଲାଗୁଛି, ଏଇ ଜଙ୍ଗଲ, ପାହାଡ଼, ଏହି କର୍ମମୟ ଜୀବନ ସବୁ ଯେପରି ରସମୟ ଓ ଶିକ୍ଷଣୀୟ ହୋଇ ଉଠିଛି, ଆମ ପରିବାରକୁ ଅଧିକରୁ ଅଧିକ ନିବିଡ଼ ସମ୍ପର୍କରେ ବାନ୍ଧିରଖିଛି ।

 

–ଦୁଇ–

 

ଆରଥର ଯେଉଁ ଚିଠି ଦେଇଥିଲି, ତାହା ଆଜିକୁ ପନ୍ଦର ଦିନରୁ ଅଧିକ ହୋଇଗଲାଣି । ଏହାରି ଭିତରେ ଆମ ଜଙ୍ଗଲ-ସଂସାରରେ ଅନେକ ଘଟଣା ଘଟିଯାଇଚି । ସବୁଠାରୁ ବଡ଼ ଘଟଣା ହେଉଚି ଯେ ଆମେ ମହାସମାରୋହରେ ବଡ଼ଦିନ ଉତ୍ସବଟି ପାଳନ କରିଚୁ । ଅବଶ୍ୟ ଏହି ଉତ୍ସବପାଳନରେ ବାଣ-ରୋଷନି ହୋଇନାହିଁ, ଭୋଜୀଭାତ ହୋଇନାହିଁ କି ଶହେ-ପଚାଶ ଖର୍ଚ୍ଚ ହୋଇନାହିଁ । ଅନ୍ତରରେ ଭକ୍ତି ଆଉ ଶ୍ରଦ୍ଧା ରହିଥିଲେ ଯେକୌଣସି ଉତ୍ସବର ପାଳନ ଯଥାର୍ଥ ହୋଇପାରିବ । ଅନ୍ତରର ସମାରୋହ ହେଉଚି ଧର୍ମର ଦୃଷ୍ଟିରେ ସବୁଠାରୁ ବଡ଼ ସମାରୋହ । ଯେଉଁଠି ଅନ୍ତର ଭିତରେ ଭକ୍ତର ଶ୍ରଦ୍ଧା ଓ ଭଗବାନଙ୍କର କରୁଣାର ଭେଟ ହୁଏ, ସେଇଠି ସବୁ ପୂଜା ସାର୍ଥକ ଓ ସୁନ୍ଦର ହୁଏ । ବାହାର ଜଗତର କୌଣସି କୃତ୍ରିମ ସମାରୋହ ହେଉଚି ଧର୍ମର ଦୃଷ୍ଟିରେ ସବୁଠାରୁ ବଡ଼ ସମାରୋହ । ଯେଉଁଠି ଅନ୍ତର ଭିତରେ ଭକ୍ତର ଶ୍ରଦ୍ଧା ଓ ଭଗବାନଙ୍କର କରୁଣାର ଭେଟ ହୁଏ, ସେଇଠି ସବୁ ପୂଜା ସାର୍ଥକ ଓ ସୁନ୍ଦର ହୁଏ । ବାହାର ଜଗତର କୌଣସି କୃତ୍ରିମ ସମାରୋହ ସହିତ ତାହାର ତୁଳନା ହୋଇନପାରେ ।

 

ପୃଥିବୀରେ କେଉଁ ଧର୍ମଟା ଠିକ୍ ଓ କେଉଁ ଧର୍ମଟା ଭୁଲ ଏହି କଥାର ବିଚାର କରି କେତେ ବହି ଲେଖା ହୋଇଚି । କେତେ ପାଣ୍ଡିତ୍ୟର ପ୍ରଚାର ହୋଇଚି । ତଥାପି କଥାର ଜବାବ କେହି ପାଇନାହିଁ । ଓଲଟି ଏସବୁ ବିଚାର ଫଳରେ ପୃଥିବୀରେ ଘୃଣା ବଢ଼ିଚି । ଭେଦଭାବ ବଢ଼ିଚି । କେତେ ଯୁଦ୍ଧ ଓ ଯାତନାର ଦୁର୍ବିପାକ ଭୋଗିବାକୁ ପଡ଼ିଚି । ଆମେ ସେହିସବୁ ବିଚାର ଭିତରେ ପଶି ମନକୁ ମଇଳା କରିବୁ ନାହିଁ ବୋଲି ଠିକ୍ କରିଚୁ । ଆମେ ପ୍ରତ୍ୟେକ ମଣିଷକୁ ଉଚିତ ସମ୍ମାନ ଦେଖାଇବୁ । ତେଣୁ ତାର ଧର୍ମକୁ ମଧ୍ୟ ଆମେ ସମ୍ମାନ ଦେଖାଇବୁ, ଶ୍ରଦ୍ଧା କରିବୁ । ଯେଉଁଠି ଯେତେ ପ୍ରକାରର ଆସ୍ଥାନ ଓ ଉପଚାରରେ ମଣିଷ ଭଗବାନଙ୍କର ସ୍ତୁତି ଗାଉଚି, ଭଗବାନଙ୍କର କାମ କରି ଆନନ୍ଦ ପାଉଚି, ସେହି ସବୁଠାରେ ଆମେ ମୁଣ୍ଡ ନୁଆଁଇବୁ । ସବୁ ମଣିଷ ସାଥିରେ ଏକମେଳ ହୋଇ ବସି ସବୁ ଉପଲକ୍ଷ୍ୟରେ ଆମେ ଭଗବାନଙ୍କର ପୂଜା ଓ ପ୍ରାର୍ଥନାରେ ଭାଗ ନେବୁ । ଆମ ପୃଥିବୀର ତିନିଭାଗରୁ ଭାଗେ ଲୋକ ଯୀଶୁଖ୍ରୀଷ୍ଟଙ୍କୁ ଭଗବାନଙ୍କର ପୁତ୍ର ବୋଲି ମାନନ୍ତି, ସତ୍ୟ ଓ ଧର୍ମର ସଂସ୍ଥାପକ ବୋଲି ମାନନ୍ତି । ଆମ ଲାଗି ସେଇ ଯଥେଷ୍ଟ । ଡିସେମ୍ବର ଚବିଶ ତାରିଖ ଦିନ ପୃଥିବୀର କୋଟି କୋଟି ଘରେ ଯେଉଁ ଯୁଗଦୂତଙ୍କର ଉତ୍ସବ ଏତେ ଆନନ୍ଦ ଦିଏ, ତାହା ଆମ ଲାଗି ମଧ୍ୟ ଏକ ପବିତ୍ର ଦିନ, ଏକ ପବିତ୍ର ଉତ୍ସବ । ଖ୍ରୀଷ୍ଟିୟାନ୍ ନହେଲେ ମଧ୍ୟ ଖ୍ରୀଷ୍ଟଙ୍କର ଜନ୍ମୋତ୍ସବ ପାଳନ କରିବାର ଅଧିକାର ଆମର ଅଛି । ଜଗତରେ ପାଞ୍ଚଜଣଙ୍କର ଆନନ୍ଦରେ ଭାଗ ନେବାଲାଗି କୌଣସି ବିଶେଷ ଗୋଷ୍ଠୀ ବା ପନ୍ଥାର ଅନ୍ତର୍ଭୁକ୍ତ ହେବାକୁ ପଡ଼େ ନାହିଁ । ଏଥିଲାଗି କୌଣସି ବିଶେଷ ବାନା ବା ଭେକ ନେବାକୁ ପଡ଼େ ନାହିଁ । ଆପଣା ଅନ୍ତରର ଦ୍ଵାର ଉନ୍ମୁକ୍ତ ରଖିଥିଲେ ମଣିଷ ଅତି ସହଜରେ ଓ ସ୍ଵାଭାବିକ ଭାବରେ ଅନେକଙ୍କ ସହିତ ସମ୍ମିଳିତ ହୋଇପାରେ ।

 

ଆମ ଶିକ୍ଷାର୍ଥୀ ପରିବାରରେ ଏବେ ଜଣେ ଖ୍ରୀଷ୍ଟିୟାନ୍ ଭଉଣୀ ଯୋଗ ଦେଲେ । ସେଥିଲାଗି ଏବର୍ଷ ବଡ଼ଦିନ ଉତ୍ସବଟି ପୂର୍ଣ୍ଣ ସନ୍ତର୍ପଣରେ ପାଳନ କରିବାର ଉତ୍ସାହ ଆହୁରି ବଢ଼ିଗଲା । ଇଉରୋପରେ ସାଧାରଣତଃ ଯେଉଁ ରୀତିରେ ଯୀଶୁଜନ୍ମ ପାଳନ କରନ୍ତି, ଆମେ ସେହିପରି କରିବାର ଚେଷ୍ଟା କରିଥିଲୁ । ଡିସେମ୍ବର ମାସର ପ୍ରତ୍ୟେକ ରବିବାର ସନ୍ଧ୍ୟାରେ ଆମେ ଖ୍ରୀଷ୍ଟଧର୍ମର ପ୍ରାର୍ଥନାମାନ ଗାଇଥିଲୁ । ବାଇବେଲ୍ ପଢ଼ିଥିଲୁ । ପ୍ରଥମ ରବିବାରରେ ଗୋଟିଏ, ଦ୍ଵିତୀୟ ରବିବାରରେ ଦୁଇଟି, ତୃତୀୟରେ ତିନୋଟି, ଶେଷରେ ବଡ଼ଦିନ ରାତିରେ ଚାରୋଟି ମାଟିଦୀପ ଜାଳିଥିଲୁ । ଚବିଶ ତାରିଖ ଦିନ ଚୂଡ଼ା ଓ ଚିନାବାଦାମ ମୁଆଁ କରି ଆମେ ସ୍ଥାନୀୟ ମୌଳିକ ସ୍କୁଲ ଓ ଗାଆଁର ଛୋଟ ପିଲାଙ୍କୁ ବାଣ୍ଟି ଦେଇଥିଲୁ । ସେ କି ଆନନ୍ଦ ! ସେଦିନ ସମସ୍ତଙ୍କୁ ଭାରି ଆପଣାର ମନେ ହେଉଥାଏ । ସଞ୍ଜ ବୁଡ଼ିଆସିଲା । ଆମ ଦୁଆରେ ଗୋଟିଏ କରବୀ ଗଛ ଅଛି । ସେଥିରେ ନାଲି ଥୋପା ଥୋପା ଫୁଲ ଫୁଟିଥାଏ । ଆହୁରି ନାନାଦି ଫୁଲ ଓ ପତରରେ ଗଛଟିକୁ ମଣ୍ଡିତ କରି ଦିଆଗଲା । ଫୁଲ-ପାଖୁଡ଼ାରେ ମୁରୁଜ ପକାଇ ଆମେ ଗଛ ମୂଳରେ କ୍ରଶ୍-ଚିହ୍ନ ଆଙ୍କିଲୁ । ଚାରିପାଖରେ ଚାରୋଟି ଦୀପ ଜଳୁଥାଏ । ଆମେ ସମସ୍ତେ ଗଛକୁ ବେଢ଼ି ବସିଥାଉ-। ଛୋଟ ଛୋଟ ମହମବତୀ ଜଳାଇ ଆମେ ଗଛର ଡାଳମାନଙ୍କରେ ଖଞ୍ଜିଦେଲୁ-। ତା’ପରେ ପ୍ରାର୍ଥନା । ତା’ପରେ ବାଇବେଲରୁ ଯୀଶୁଙ୍କର ଜନ୍ମକାହାଣୀ ପଢ଼ାଗଲା । ଓଡ଼ିଆ ଓ ହିନ୍ଦୀଭାଷାରେ ଅନେକ ପ୍ରାର୍ଥନାଗୀତ ବୋଲାଗଲା । ସବାଶେଷରେ ବାଇବେଲରୁ ପ୍ରସିଦ୍ଧ ଗିରି-ଶିଖର ଉପଦେଶଟି (Sermon on the Mount) ଶୁଣି ଆମେ ଉତ୍ସବର ଉଦ୍‍ଯାପନ କଲୁ-

 

ଯେଉଁଦିନ ପ୍ରଥମେ ମୁଁ ବଡ଼ଦିନ ଉତ୍ସବ ପାଳନ କରିବା କଥା ପିଲାଙ୍କୁ କହିଲି, ସେଦିନ କେତେଜଣ ବୁଝିଲେ, କେତେଜଣ ହଁ କଲେ । ତଥାପି ମନଭିତରେ ଗୋଳମାଳ ରହିଯାଇଥିଲା । ଆମେ ତ ଖ୍ରୀଷ୍ଟିଆନ୍ ନୋହୁ, ଆମେ କାହିଁକି ତାଙ୍କର ପର୍ବ ପାଳିବା ?–କେତେକ ଡାଏରିରୁ ଏପରି ଏକ ଅଭିଯୋଗର ଗନ୍ଧ ବି ମିଳିଥିଲା । କିନ୍ତୁ ଉତ୍ସବଟି ପାଳନ କରିସାରିବା ପରେ ସେହି ମନୋଭାବ ଆଉ ନାହିଁ । ସବୁ ଧର୍ମ ସମାନ, ଆମେ ସବୁ ଧର୍ମକୁ ଶ୍ରଦ୍ଧା ଦେଖାଇବା, ପୃଥିବୀର ସବୁ ମହାପୁରୁଷଙ୍କର ବାଣୀ ନଶୁଣିଲେ ଆମର ଧର୍ମଜୀବନ ଅପୂର୍ଣ୍ଣ ରହିଯିବ,–ପିଲାଙ୍କର ଡାଏରିରୁ ଏହିପରି କଥାମାନ ପଢ଼ି କୋଉ ଶିକ୍ଷକ ଗୌରବ ଅନୁଭବ ନ କରିବ ?

 

–ତିନି–

 

ଆଜି ଅନେକ ଦିନ ପରେ ଜଙ୍ଗଲରୁ ତୃତୀୟ ଚିଠି ଲେଖିବାକୁ ମନ କରିଛି । ଗତ କେଇମାସ ଆମେ ଜଙ୍ଗଲରେ ନଥିଲୁ । ସର୍ବୋଦୟ ସମ୍ମିଳନୀର ଆୟୋଜନ କାମରେ ସ୍ଵେଚ୍ଛାସେବକ ହୋଇ ଆମର ଦୁଇଟି ମାସ ପୁରୀରେ କଟିଗଲା । ସେଠି ସର୍ବୋଦୟ ବାଲି ପଡ଼ିଆରେ ଆମେ ପ୍ରଥମ ଉପନିବେଶ ସ୍ଥାପନ କଲୁ । ସମ୍ମିଳନୀର ଆୟୋଜନ ଲାଗି ହେଉଥିବା ପ୍ରତ୍ୟେକ ବିଭାଗୀୟ କାମରେ ଆମେ ଭାଗ ନେଇଚୁ । ଘର ତିଆରି କରିବାଠାରୁ ଆରମ୍ଭକରି ଅତିଥିମାନଙ୍କୁ ଖାଇବାକୁ ଦେବା, ସମସ୍ତ କାମରେ ଆମେ ସାହାଯ୍ୟ କରିଚୁ । ପ୍ରଥମ ମାସଟି ଆମେ ସକାଳଓଳି କାମ କରୁଥିଲୁ, ଉପରଓଳି ପାଠ ପଢ଼ୁଥିଲୁ । ଆମେ ସମସ୍ତେ ଗୋଟିଏ ଘରେ ଥିଲୁ । ସେବାଗ୍ରାମର ଉତ୍ତମ ଓ ଉତ୍ତର ବୁନିଆଦୀର ଓଡ଼ିଆ ଭାଇମାନେ ଆମର ପଡ଼ିଶା ହୋଇଥିଲେ । ଆମେ ଏକାଠି କାମ କରୁଥିଲୁ, ଏକାଠି ଖାଉଥିଲୁ, ଏକାଠି ଖେଳୁଥିଲୁ । ସମୁଦ୍ରକୁ ଏକାଠି ଗାଧୋଇ ଯାଉଥିଲୁ, ରାତିରେ ନିର୍ମଳ ଆକାଶର ନକ୍ଷତ୍ର-ସାମିଆନା ତଳେ ବସି ଏକାଠି ଗୀତ ଗାଉଥିଲୁ । ଭାରି ମଜା ହେଉଥିଲା, ଭାରି ଭଲ ଲାଗୁଥିଲା । କିନ୍ତୁ ମାର୍ଚ୍ଚ ମାସରୁ କାମ ବଢ଼ିଲା, ସମ୍ମିଳନୀ ଜାଗାରେ ଗହଳି ବି ବଢ଼ିଗଲା । ଆମକୁ ବିଭିନ୍ନ ବିଭାଗରେ ବାଣ୍ଟି ହୋଇ ଦାୟିତ୍ଵ ନେବାକୁ ପଡ଼ିଲା । ରହିବା ଜାଗା ମଧ୍ୟ ବାଣ୍ଟି ହୋଇଗଲା । ସେଠି ପ୍ରାୟ ପ୍ରତିଦିନ ବଢ଼ୁଥିବା ପରିବାର ଭିତରେ ଆମେ ପୁରାପୁରି ମିଶିଗଲୁ । ପରସ୍ପର ସହିତ ପ୍ରତିଦିନିଆ ସଂଯୋଗସୁତ୍ର ଆଉ ରହିଲା ନାହିଁ । ସମ୍ମିଳନୀ ସରିବା ପରେ ଯେଉଁଦିନ ଆମେ ପୁରୀ ଛାଡ଼ି ରେଳରେ ବସିଲୁ, ସେଇଦିନ ଆମେ ପୁଣି ଏକାଠି ହେଲୁ ।

 

ଆମ ବିଦ୍ୟାଳୟର ବିଦ୍ୟା ଶିକ୍ଷକଙ୍କ ଭିତରେ କି ଶିକ୍ଷାୟତନ ଭିତରେ ସୀମାବଦ୍ଧ ହୋଇ ନାହିଁ । ସମସ୍ତ ଜୀବନ ଓ ସମସ୍ତ ସମାଜକୁ ମୌଳିକ ଶିକ୍ଷା ତାର ଭୂମିପରି ବ୍ୟବହାର କରି ପାରିବ । ଏହା ମୌଳିକ ଶିକ୍ଷାର ଗୌରବ, ପୁଣି ଏଇଥିରେ ତାର ବଡ଼ ପ୍ରମାଦ । ଯୋଉଠି ସ୍ଵାତନ୍ତ୍ର୍ୟ ଯେତେ ବେଶୀ, ସେଠି ଦାୟିତ୍ଵ ମଧ୍ୟ ସେତିକି ବେଶୀ । ସ୍ଵତନ୍ତ୍ର ଶିକ୍ଷାର୍ଥୀ ସବୁଠି ସବୁ କ୍ଷେତ୍ରରେ ଯୋଗ୍ୟ ଭାବରେ ସଂଯତ ରହିବା ଦରକାର, ଯେପରି ସେ ସବୁ କ୍ଷେତ୍ରରେ ବାହାରି ଆସି ପାରିବ । ଏଠାକୁ ଆସିବାପରେ ପିଲାଙ୍କର ମାସିକ ଅନୁଭୂତି ପଢ଼ୁଥିଲି । କେତୋଟି ଭାରି ଭଲ ଲାଗିଲା । ଜଣେ ଭାଇ ଲେଖିଛନ୍ତି, “କାମ କରିବା ସଙ୍ଗେ ସଙ୍ଗେ ସେଥିରୁ କିଛି ଶିକ୍ଷାଲାଭ କରିବା ଦରକାର ଡେନମାର୍କ ଆଡ଼େ ପିଲାମାନେ ପାଠ ପଢ଼ି ଆସିବାପରେ ବାପା ମାଆଙ୍କ ସଙ୍ଗରେ ମିଶି ଘରେ କିଛି ନା କିଛି କାମ କରନ୍ତି । ଆମ ଦେଶରେ ପିଲାଏ ପାଠ ପଢ଼ି ଆସି ଘରେ ବସ୍ତାନି ଫୋପାଡ଼ି ଦେଇ ବୁଲି ଚାଲି ଯାଆନ୍ତି । ଘରେ କାମ କରିବାକୁ ସେମାନଙ୍କୁ ଅଡ଼ୁଆ ଲାଗେ । ମନ ଭିତରେ ଭୟ ଥାଏ, ସାଙ୍ଗ ପିଲା ଦେଖିଲେ ମୋତେ କଣ କହିବ ? ଏହିପରି ଗୋଟିଏ ମନୋବିକାର ତାଙ୍କର ଥାଏ । ...ମୁଁ ମଧ୍ୟ ଅନ୍ୟମାନଙ୍କ ପରି ଥିଲି । ଗାଁ’କୁ ଗଲେ କାମ କରିବାକୁ ଇଚ୍ଛା ହୁଏ ନାହିଁ । ବାଧ୍ୟ ହୋଇ କାମ କରେ । କାମ କଲାବେଳେ ମୋର ମଧ୍ୟ ସେହି ଧାରଣା ଥିଲା, ଯଦି ସାଙ୍ଗ ଭାଇ ଦେଖେ କ’ଣ ଭାବିବ ? ସେତେବେଳେ ମୁଁ କାମର ମୂଲ୍ୟ ଜାଣି ନଥିଲି । ବର୍ତ୍ତମାନ ମନରୁ ବିକାର ଚାଲିଗଲାଣି । ପୁରୀରେ କେତେବାର ଆମେ କାଠ, ବାଉଁଶ ବୋହିଛୁ । ଏଥିରେ ମୋତେ ଖୁବ୍ କଷ୍ଟ ହୋଇଥିଲା । ଅନ୍ୟମାନଙ୍କର ମଧ୍ୟ ହୋଇଥିବ । କଷ୍ଟ ହେବାରୁ ସମସ୍ତେ କହନ୍ତି ଆମେ ଏଥିରୁ କଣ ଶିଖୁଚୁ ? ମୁଁ ମଧ୍ୟ ସେମାନଙ୍କର କଥାରେ ଭାସି ଯାଇଥିଲି । କିନ୍ତୁ ବର୍ତ୍ତମାନ ହୃଦୟଙ୍ଗମ କରୁଚି ଯେ ପ୍ରକୃତରେ ତଦ୍ଦ୍ଵାରା ମନରୁ ଅନେକ ବିକାର ଚାଲି ଯାଇଚି । ୟାଠୁଁ ବଳି ବଡ଼ ଶିକ୍ଷା ଆଉ କଣ ହୋଇପାରିଥାନ୍ତା ?”

 

ଆଉ ଜଣେ ଭାଇ ପୁରୀରେ କଟିଥିବା ମାସକୁ ‘ବିକାଶ ମାସ’ ବୋଲି ନାଆଁ ଦେଇଛନ୍ତି-। ସେ ଲେଖିଛନ୍ତି, “ଏ ମାସରେ ମୁଁ ସମୟବନ୍ଧୁ ସହିତ ହାତ ମିଳାଇ ଚାଲିଛି । ଆପଣାର ମନକୁ ଅନେକ ବିସ୍ତୃତ କରି ନେଇ ପାରିଚି । ଏପରି ମନୋବିସ୍ତାର କାହା ଯୋଗୁଁ ହୋଇଚି ?” ପ୍ରତ୍ୟେକ ଶିକ୍ଷକ ଏଥିରେ ଅନେକ ଉତ୍ସାହ ପାଇବେ । ଚମ୍ପତିମୁଣ୍ଡାରେ ବର୍ତ୍ତମାନ ସବୁ ଶୁଖି ଜଳି ଯାଇଚି-। ବସନ୍ତ ଋତୁର ଝାଟିକି ଫୁଲ ଶୁଖିଯାଇଚି । କୂଅ ପୋଖରୀରୁ ପାଣି ଶୁଖି ଯାଉଚି-। ତଥାପି ପିଲାଙ୍କର ହୃଦୟାନୁଭୂତିରେ ଏଇ ଦୁଇପଦ କଥା ଯେପରି ସବୁ ସରସ କରି ଦେଇ ଯାଉଚି-। ସେମାନଙ୍କର ହୃଦୟର ଖିଅରେ ଯୋଡ଼ିହୋଇ ମୋର ସ୍ଵପ୍ନର ସୂତାଖିଅ ଯେପରି ଅନେକ ଦୂର ଲମ୍ବି ଯାଇଚି, ଅନେକ ମୁକ୍ତାକୁ ହାର କରି ଗୁନ୍ଥି ପାରିବାର ଦମ୍ଭ କରି ପାରୁଚି ।

 

–ଚାରି–

 

ଫିନଲାଣ୍ଡରେ ତୁନ୍ଦ୍ରା-ପ୍ରଦେଶରେ ଗୋଟିଏ ଗାଁଆର କଥା ଏ ପର୍ଯ୍ୟନ୍ତ ମନେ ଅଛି । ସେ ଦିନ ରବିବାର ହୋଇଥାଏ । ଶୀତଦିନର ସକାଳ, ବଲଗା ହରିଣର ଗାଡ଼ି ଚଢ଼ି ଆମେ ସେଇ ଛୋଟିଆ ଗାଆଁକୁ ଯାଇଥାଉ । ଗାଁଆରେ ଗୋଟିଏ ଛୋଟିଆ ସ୍କୁଲ । ଦୁଇ ବଖରା ଘର । ଗୋଟିଏ ବଖରାରେ ସ୍କୁଲ ହୁଏ, ଆଉ ଗୋଟିକରେ ଶିକ୍ଷୟିତ୍ରୀ ବସା କରି ଥାଆନ୍ତି । ଜଣେ ଶିକ୍ଷୟିତ୍ରୀଙ୍କୁ ଗୋଟିଏ ବଖରାରେ ଛଅଟି ସୋପାନ ସମ୍ଭାଳିବାକୁ ହୁଏ । ସେଦିନ ଆମେ ସେଠି ପହଞ୍ଚିଲାବେଳକୁ ଗୀତରେ ସ୍କୁଲ ଉଛୁଳି ପଡ଼ୁଥାଏ । ରବିବାର ଦିନ ସକାଳେ ସେ ଦେଶରେ ସମସ୍ତେ ସାମୂହିକ ପ୍ରାର୍ଥନା ଲାଗି ଗୀର୍ଜାକୁ ଯାଆନ୍ତି । ଗୀର୍ଜା ପ୍ରାର୍ଥନା ପରେ ସବୁ ବାପ-ମାଆ ଆପଣା ଆପଣା ପିଲାଙ୍କୁ ଧରି ସ୍କୁଲକୁ ଆସିବେ । ସେଠି ଏକାଠି ବସି ପ୍ରାର୍ଥନା ସଙ୍ଗୀତ ଗାଇବେ । ଶିକ୍ଷୟିତ୍ରୀ ଏହିପରି ଏକ ବ୍ୟବସ୍ଥା କରିଥାନ୍ତି । ସେ ଦିନର ଅନୁଷ୍ଠାନଟି ଭାରି ଭଲ ଲାଗିଲା । ସଙ୍ଗୀତ ପରେ ଶିକ୍ଷୟିତ୍ରୀ ସ୍ୱଳ୍ପ ଉପହାରର ବ୍ୟବସ୍ଥା ମଧ୍ୟ କରିଥିଲେ । ସବୁ ରବିବାର ଦିନ ସେଠି ଏହିପରି ହେଉଥିବ; ଶିକ୍ଷୟିତ୍ରୀ ବାପ-ମାଆ ଆଉ ପିଲାଏ ସମସ୍ତେ ସେଦିନ ଭାରି ଖୁସି ହେଉଥିବେ ।

 

ଅଭିଭାବକ ଆଉ ଶିକ୍ଷକର ସପ୍ରାଣ ସହଯୋଗରେ ହିଁ ପିଲାଙ୍କର ମଙ୍ଗଳ ହେବ । ସ୍କୁଲ ଘରର ପରିପୂରକ ହେବ, ଘର ସ୍କୁଲର ପରିପୂରକ ହେବ । ମୌଳିକ ଶିକ୍ଷାରେ ତ ଏହା ଆହୁରି ବେଶି ଜରୁରୀ । ଚମ୍ପତିମୁଣ୍ଡାରେ ଆମର ଏ ପର୍ଯ୍ୟନ୍ତ ରହିବା ଘର ଖଣ୍ଡେ ହୋଇପାରି ନାହିଁ । ଦୁଇଦୁଇଟା କୂଅ ଖୋଳିଲୁଣି ଯେ ସେଥିରେ ମୁଗୁନି ପଥର ପଡ଼ିଲା । ଆମେ ଅଭିଭାବକମାନଙ୍କୁ କୋଉଠିକି ଡାକିବା ? ଗୋଟାଏ ବୁଦ୍ଧି ଦିଶିଲା । ମେ’ ଏଗାର ତାରିଖ ଦିନ ବାଜିରାଉତ ଛାତ୍ରାବାସର ଜନ୍ମ ଦିନ । ଆମେ ଠିକ୍ କଲୁ, ସେଇଦିନକୁ ଆମେ ବି ଅଭିବାବକ ଦିନ ହିସାବରେ ପାଳନ କରିବା । ଆଗରୁ ଆମର ପଚିଶଜଣ ଅଭିଭାବକଙ୍କ ପାଖକୁ ଚିଠି ଯାଇଥିଲା । ସେଦିନ ଛଅ ଜଣ ଆସିଥିଲେ । ଛୋଟିଆ ସାଂସ୍କୃତିକ କାର୍ଯ୍ୟକ୍ରମ ରଖିଥିଲୁ । ଟିକିଏ ବିଶେଷ ଖିଆପିଆ ମଧ୍ୟ ହୋଇଥିଲା । ପିଲାଙ୍କର ଆନନ୍ଦ, ପିଲାଙ୍କର ତତ୍ପର ଉତ୍ସାହ ଦେଖି ଅଭିଭାବକମାନେ ଘରକୁ ଫେରିଲେ । ପିଲା ଠିକ୍ ପାଠ ପଢ଼ୁଛି କି ନାହିଁ, ତାହା ଜାଣିବା ଲାଗି ଆଗେ ବାପ ପୁଅକୁ ବସାଇ ତା’ଠାରୁ ପଣକିଆ ମୁଖସ୍ଥ ମାଗୁଥିଲା, ପାହିଅଣା କଡ଼ାକଣ୍ଡା କରାଉଥିଲା । ଏବେ ଅନେକେ ବହିରୁ ପାଠ ପଚାରୁଛନ୍ତି । କିନ୍ତୁ ମୁଖସ୍ଥ ଦେବାରେ ବିଦ୍ୟାର ହଜମ ହେବାଟା ଠିକ୍ ଠିକ୍ ଜଣାପଡ଼େ ନାହିଁ । ବିଦ୍ୟା ଯେଉଁଠି ପ୍ରକୃତରେ ପେଟ ଭିତରକୁ ଯାଏ, ସେଠି ସେ ଭିତରେ ନିଆଁ ଲଗାଏ; ବିଚାର ବଦଳାଇ ଦିଏ, ବ୍ୟବହାର ବଦଳାଇ ଦିଏ, ମୁଖମଣ୍ଡଳର ଚେହେରା ବଦଳାଇ ଦିଏ । ହଜମ ହେବାପରେ ପ୍ରଧାନତଃ ଖୁସି ରୂପରେ ବିଦ୍ୟା ବାହାରକୁ ପ୍ରକାଶ ପାଏ । ବଞ୍ଚିବାର ଖୁସି, କାମ କରିବାର ଖୁସି, ଅପର ପାଞ୍ଚଜଣଙ୍କ ସହିତ ନିର୍ମଳ ଭାବରେ ମିଶିପାରିବାର ଖୁସି । ପିଲାଙ୍କ ମୁହଁ ଉପରେ, କଥାରେ ଆଉ କାମରେ ସେଇ ଖୁସିର ପରିଚୟ ମିଳିଲେ ଅଭିଭାବକ ଆଉ ଶିକ୍ଷକଙ୍କୁ ସବୁଠାରୁ ଅଧିକ ତୃପ୍ତି ମିଳେ ।

 

ଏଇଥର ଆମର ପ୍ରଥମ ବର୍ଷ ସରିଲା । ପିଲାଙ୍କର ପରୀକ୍ଷା ହେଉଥିଲା । ପିଲାଏ ବର୍ଷକ ଭିତରେ ସାହିତ୍ୟ, ଗଣିତ, ସମାଜ ବିଜ୍ଞାନ, ଭୂଗୋଳ ଓ ଆହୁରି କେତେକ ବିଷୟ ପଢ଼ିଥିଲେ । କିନ୍ତୁ ପରୀକ୍ଷାରେ ସେ କିଛି କାମରେ ଆସିଲା ନାହିଁ । ଶିକ୍ଷାଳୟରେ ଯାହା ପଢ଼ାହୁଏ, ଶିକ୍ଷକର ମୁହଁରୁ ଓ ଶିକ୍ଷାଳୟର ଜୀବନରୁ ଶିକ୍ଷାର୍ଥୀ ଯାହା ଗ୍ରହଣ କରେ, ସେ ସମସ୍ତ ଏକରସ ହୋଇ ଶିକ୍ଷାର୍ଥୀର ବ୍ୟକ୍ତିତ୍ଵକୁ ଗଠନ କରେ, ତା’ର ମନୋଦୃଷ୍ଟିର ଦୂରତା ଓ ଗଭୀରତା ବଢ଼ାଏ । ଏଥର ଆମର ମାସେ କାଳ ପରୀକ୍ଷା ହେଲା । ପ୍ରାର୍ଥନା, ଦିନଲିପି (Diary), ସୂତାକଟା, ସମାଜିକତା, ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରଭୃତି ବିଭିନ୍ନ ବିଷୟରେ ପ୍ରଶ୍ନମାଳା ଦିଆଯାଇଥିଲା । ପିଲାଏ ଯେତେବେଳେ ଇଚ୍ଛା ଉତ୍ତର ଲେଖିଲେ, ଦରକାର ମନେକଲେ ବିଭିନ୍ନ ବହିରୁ ମଧ୍ୟ ସାହାଯ୍ୟ ଗ୍ରହଣ କଲେ । ବର୍ଷକର ବ୍ୟାପକ ପାଠପଢ଼ା ଓ ସାମାଜିକ ଜୀବନ ପରେ ପିଲାଙ୍କର ମନ କେତେଦୂର ଗ୍ରହଣଶୀଳ ହୋଇପାରିଛି, ଦୃଷ୍ଟି କେତେଦୂର ବ୍ୟାପକ ଓ ଗଭୀର ହୋଇପାରିଛି, ସେଇକଥା ଦେଖିବା ଏ ପରୀକ୍ଷାର ଉଦ୍ଦେଶ୍ୟ । ପିଲାଙ୍କର ଏ ଉତ୍ତରଖାତା ସଂଗୃହୀତ ହୋଇ ରହିବ, ଆସନ୍ତା ବର୍ଷର ପରୀକ୍ଷା–ଖାତାର ପାଖରେ ପଡ଼ି ପୁଣି ଦେଖା ହେବ ।

 

ଶିକ୍ଷା-କ୍ଷେତ୍ରରେ ପଣ୍ଡିତ, ଶାସକ ଓ ପଣ୍ଡିତ-ଶାସକମାନେ ଏହାକୁ କେତେଦୂର ପରୀକ୍ଷା ବୋଲି କହିବେ, ତାହା ମୁଁ ଜାଣେନାହିଁ । ତାରିଖ, ବିଷୟ ଓ ଘଣ୍ଟା ଧରାହୋଇ ମୌଳିକ ସ୍କୁଲରେ ଆଜି ମଧ୍ୟ ଦୁଇଘଣ୍ଟିଆ ପରୀକ୍ଷା ଚାଲିଛି । ପିଲାର ବ୍ୟକ୍ତିତ୍ଵ ଓ ମନୋଦୃଷ୍ଟିର ବିଚାରକୁ ଏଥିରେ କୌଣସି ସ୍ଥାନ ଦିଆଯାଉ ନାହିଁ । ନୂଆ ବୋତଲରେ ପୁରୁଣା ମଦ ପରଷିବାର ପ୍ରମାଦ ଆଜି ମଧ୍ୟ ଆମକୁ ଘାରିଚି । ତା’ର କାରଣ ହେଉଛି, ବାହାରେ ନୂଆ ପରିଚ୍ଛଦ ପିନ୍ଧିଥିଲେ ମଧ୍ୟ, ନୂଆ ବ୍ୟବସ୍ଥାପନାକୁ ଅବଲମ୍ବନ କରି ଧରିଥିଲେ ମଧ୍ୟ ଆମର ମନ ସେହିପରି ପୁରୁଣା ହୋଇ ରହିଛି । ଆମେ ପିଲାକୁ ସମ୍ପୂର୍ଣ୍ଣ ମଣିଷର ସ୍ଵଚ୍ଛ ଦୃଷ୍ଟିରେ ଏପର୍ଯ୍ୟନ୍ତ ଦେଖି ଶିଖିନାହୁଁ । ଜୀବନର ପୂର୍ଣ୍ଣାଙ୍ଗ ବିଚାର ଏପର୍ଯ୍ୟନ୍ତ କରିନାହୁଁ । ଆମେ ପିଲାର Headକୁ ଜାଣିଗଲୁଣି । Handsକୁ ନେଇ ଅଧାଖଣ୍ଡିଆ ପ୍ରୟୋଗମାନ କରିବାର ସାହସ ମଧ୍ୟ ଏବେ କଲୁଣି, କିନ୍ତୁ Heart ବିଷୟରେ ଆମେ ସମ୍ପୂର୍ଣ୍ଣ ଅନବରତ ରହିଛୁ । କିନ୍ତୁ ଯେଉଁ ଶିକ୍ଷକ Heartକୁ ଚିହ୍ନିଛି, ଯିଏ ହୃଦୟର ସୂକ୍ଷ୍ମତମ ତନ୍ତୁରେ ଆଘାତ କରି ଶିଖିଚି, ସେହି ପିଲାର ଜୀବନ ପ୍ରତି ସବୁଠାରୁ ଅଧିକ ନ୍ୟାୟବିଚାର କରୁଚି ।

 

–ପାଞ୍ଚ–

 

ନୂଆ ବର୍ଷ ଆରମ୍ଭ ହେଉଛି । ପୁରୁଣା ବର୍ଷ ସରି ଯାଉଛି । ଆଉ ଦୁଇ ମାସ ଗଲେ ଜଙ୍ଗଲ ସ୍କୁଲକୁ ବର୍ଷେ ପୂରିଯିବ । ଗଲାବର୍ଷ ଅଗଷ୍ଟ ମାସରେ ଏହାର ଉଦ୍‍ଘାଟନ ହୋଇଥିଲା ଏଇ ବର୍ଷକ ଭିତରେ ଆମେ ଛବିଶଜଣ ଛାତ୍ରଙ୍କୁ ଆମର ପରିବାରଭୁକ୍ତ କରିଛୁ । ସେମାନଙ୍କୁ ଆମେ କେତେକ’ଣ ଦେଇ ପାରିଛୁ, ସେ କଥା ହିସାବ କରିବାର ତୁଳାଦଣ୍ଡ ଆମ ପାଖରେ ନାହିଁ । ତଥାପି ଓଡ଼ିଶାର ବିଭିନ୍ନ ସ୍ଥାନରୁ ଆସି ଏହି ଜଙ୍ଗଲ ଭିତରେ ଏକତ୍ର ହୋଇ ସେମାନେ ଏହାକୁ ଆମର ଅନୁଷ୍ଠାନ ବୋଲି କହି ପାରୁଛନ୍ତି । ଏହାହିଁ ସବୁଠାରୁ ବଡ଼ ଆଶାର କଥା । ଏ ବର୍ଷ ପୁଣି ୨୫ ଜଣ ନୂଆ ଛାତ୍ର ଛାତ୍ରୀ ଆସିବେ । ଆମର ପରିବାର ବଢ଼ିବ, ଜଞ୍ଜାଳ ବଢ଼ିବ, ଆନନ୍ଦ ମଧ୍ୟ ବଢ଼ିବ । ଜଙ୍ଗଲ ଭିତରେ ଆପଣାର ମନୋମତ ଗୋଟିଏ ପାଠଶାଳା-ପରିବାର ଗଢ଼ି ପାରିବା ଲାଗି ଆମର ଶକ୍ତି ମଧ୍ୟ ବଢ଼ିବ ।

 

ଛାତ୍ରଗ୍ରହଣ ସମୟରେ ଆମେ ଗୋଟିଏ କଥା ଉପରେ ବିଶେଷ ନଜର ଦେଉଛୁ । ପ୍ରତ୍ୟେକ ସୋପାନରେ ଆମେ ୨୦ଟି ସ୍ଥାନ ମୌଳିକ ଶିକ୍ଷାର ଆଠ ବର୍ଷ ସମାପ୍ତ କରି ଆସିଥିବା ଛାତ୍ରଛାତ୍ରୀଙ୍କ ଲାଗି ରଖିବୁ । ଆଉ ପାଞ୍ଚୋଟି ରହିବ ହାଇସ୍କୁଲର ଭାଇ ଭଉଣୀମାନଙ୍କ ପାଇଁ । ଏହିପରି ଭାଇ ଭଉଣୀ ଅନ୍ତତଃ ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଚାହି । ପ୍ରଚଳିତ ହାଇସ୍କୁଲ ପାଠ ଏବଂ ନଈତାଲୀମ ଭିତରେ ଯେଉଁମାନେ ଏକ ଅପ୍ରିୟ ସପତ୍ନୀସମ୍ବନ୍ଧ ଯୋଡ଼ି ବସନ୍ତି, ସେମାନେ ହୁଏତ ଆମର ଏପରି ଏକ ବ୍ୟତିକ୍ରମକୁ ହଠାତ୍ ପସନ୍ଦ କରିବେ ନାହିଁ । ପ୍ରଚଳିତ ଶିକ୍ଷାଠାରୁ କୌଣସି ଛାତ୍ର ହଠାତ୍ ଆସି ମଝିରେ ମୌଳିକ ଶିକ୍ଷାଧାରାରେ ପ୍ରବେଶ କରି ପାରିବନାହିଁ, ସରକାର–ଶାସିତ ମୌଳିକ ଶିକ୍ଷା ବ୍ୟବସ୍ଥାରେ ଏପରି ଏକ ବୈଧାନିକ କଟକଣା ମଧ୍ୟ ରହିଚି । ଏସବୁ ଜାଣି ମଧ୍ୟ ଆମେ ଆମ ବାଟରେ ବ୍ୟତିକ୍ରମ ଘଟାଇଛୁ । ଆମେ, ଅର୍ଥାତ୍ ମୌଳିକ ଶିକ୍ଷାର ଛାତ୍ରକୁ ଠିକ୍ ଛାତ୍ର ବୋଲି ମାନୁଥିବା ଲୋକେ, ପ୍ରଚଳିତ ଶିକ୍ଷାକୁ ଖରାପ ବୋଲି କହୁଛୁ । ତେଣେ ପ୍ରଚଳିତ ଶିକ୍ଷା–ରଥର ଦଉଡ଼ିକୁ ପାକଳ କରି ସେଥିରେ ଛନ୍ଦି ହୋଇ ପଡ଼ିଥିବା ଶିକ୍ଷକମାନେ ମୌଳିକ ଶିକ୍ଷାରେ କିଛି ହୋଇ ନାହିଁ ବୋଲି କହି ନାକ ଛିଞ୍ଚାଡ଼ି ଦେଉଛନ୍ତି । କିନ୍ତୁ ସେଥିଲାଗି ଦେଶର ପିଲାଏ କି ଦୋଷ କଲେ ? ଯେଉଁଠି ଅଭିଭାବକ ଓ ପିଲା ଉଭୟେ ପ୍ରଚଳିତ ଶିକ୍ଷା ଛାଡ଼ି ମୌଳିକ ଧାରାକୁ ଗ୍ରହଣ କରିବାକୁ ଉତ୍ସାହ ପ୍ରକାଶ କରୁଛନ୍ତି, ସେଠାରେ ସେମାନଙ୍କୁ ଅତି ନମ୍ରତାର ସହିତ ସେହି ସୁଯୋଗ ଦିଆଯିବା ଉଚିତ । ତା’ପରେ ଆଉଗୋଟିଏ କଥା । ମୌଳିକ ହେଉ ଅମୌଳିକ ହେଉ କୌଣସି ପ୍ରକାର ଶିକ୍ଷାରେ ଆପଣାକୁ ଆବଦ୍ଧ କରି ରଖିବା ଉଚିତ ନୁହେଁ । ସ୍ପର୍ଶକାତରତାର ବୈନ୍ୟରେ ଆପଣାକୁ ଜର୍ଜର କରି ରଖିବା ଉଚିତ ନୁହେଁ । ସେଥିଲାଗି ଆମେ ଚାହୁ ଦୁଇ ପକ୍ଷ ମଧ୍ୟରେ ଟିକିଏ ଚଳାଚଳ ହେଉ, ଦୁହେଁ ଏକ ଗ୍ରହଣଶୀଳ ମନୋଦୃଷ୍ଟି ରଖି ପରସ୍ପର ଲାଗି ଆପଣାର ଦ୍ଵାର ଖୋଲା ରଖନ୍ତୁ । ଆମ ନିଜ ଉପରେ ବିଶ୍ଵାସ ଓ ଆର୍ଦଶର ନିଷ୍ଠା ଥିବା ପର୍ଯ୍ୟନ୍ତ, ପିଲାଙ୍କର ପୂର୍ଣ୍ଣାଙ୍ଗ ବିକାଶ ଆମ ଅନୁଷ୍ଠାନର ପ୍ରଥମ ଓ ଶେଷ ଧ୍ୟେୟ ହୋଇ ରହିଥିବା ପର୍ଯ୍ୟନ୍ତ କାହିଁକି ଆମେ କୌଣସି ପ୍ରକାର ସଂକ୍ରମଣର ଅହେତୁକ ଭୟରେ ଆପଣାକୁ ଅପରଠାରୁ ବାସନ୍ଦ କରି ରଖିବା ?

 

ଜଙ୍ଗଲ ସ୍କୁଲର ସବୁଠାରୁ ବଡ଼ ଦୁଃଖ ଯେ ପିଲାଙ୍କ ଲାଗି ଯଥେଷ୍ଟ ଶିକ୍ଷକ ଆମେ ଏପର୍ଯ୍ୟନ୍ତ ପାଇଲୁ ନାହିଁ । ମଝିରେ ଜଣେ ଆସିଥିଲେ, ଉଚ୍ଚରେ ଚାକିରିର ପ୍ରଲୋଭନ ତାଙ୍କୁ ଆମର ମାୟାରୁ ଛଡ଼ାଇ ନେଲା । ତେଣୁ ଗତବର୍ଷ ସମସ୍ତ ବିଦ୍ୟାଳୟର ପାଠ୍ୟକ୍ରମ କେବଳ ଜଣେ ଶିକ୍ଷକଙ୍କର ଅସ୍ଵାଦୁ ଉଦ୍‍ଗାର ହୋଇ ଆସିଚି କହିଲେ ମୋଟେ ଭୁଲ ହେବ ନାହିଁ । ପିଲାଏ ବିରକ୍ତ ହୋଇଛନ୍ତି । ସେମାନଙ୍କର ଉତ୍ସାହ ବେଳେବେଳେ ଭାଙ୍ଗିଯାଇଛି । ଶିକ୍ଷକଙ୍କର ଉତ୍ସାହ ଓ ଏକାଗ୍ରତା ମଧ୍ୟ କିପରି ରହିପାରନ୍ତା ? ତଥାପି ଗୋଟାଏ ବଳଦରେ ଆମେ ସମସ୍ତ ବିଦ୍ୟାଳୟର ଗାଡ଼ି ଟାଣିବୁ ପଛକେ, ଅନୁଷ୍ଠାନକୁ କେବଳ ଗୋଟାଏ ମଧ୍ୟମ ସୋପାନ ରୂପେ ବ୍ୟବହାର କରିବାକୁ ଆସିଥିବା ଚତୁର ବଳଦକୁ ଆଣି ଯୋଚିଦେବାର ଭୁଲ ଆମେ କରିବୁ ନାହିଁ, ସେଥିଲାଗି ଗଲା ବର୍ଷଯାକ ଆମେ ଜଣକରେ କାମ ଚଳାଇ ଆସିଛୁ । କିନ୍ତୁ ଆସନ୍ତା ବର୍ଷ ତାହା ସମ୍ଭବ ହୋଇ ପାରିବ ନାହିଁ । ବିଜ୍ଞାନ, କୃଷି, ଚିତ୍ରକଳା ଓ ସଙ୍ଗୀତ ଏହି ଚାରୋଟି ବିଷୟରେ ଚାରିଜଣ ଶିକ୍ଷକ ନିହାତି ଦରକାର । ଆମେ ସାଧାରଣ ହାରରୁ କମ୍ ପାରିଶ୍ରମିକ ଦେବୁ ନାହିଁ । ଏହି ଦେଶର ଜଣେ ଯୁବକ ହିସାବରେ ମୁଁ ମୋର ଯୁବକ ଭାଇ ଓ ଭଉଣୀମାନଙ୍କୁ ନିବେଦନ କରୁଛି,–ଆସନ୍ତୁ, ଆମେ ଏକ ଜଙ୍ଗଲରେ ଅଧ୍ୟୟନ ଏବଂ ଅଧ୍ୟାପନାର ଗୋଟିଏ ଆନନ୍ଦ–ନିକେତନ ତିଆରି କରିବା । ଏଠି ଆମେ ସ୍ଵତନ୍ତ୍ର ଭାବରେ ସମସ୍ତ ପ୍ରକାର ପକ୍ଷ ଓ ଆର୍ଦଶଗତ ପକ୍ଷାଘାତରୁ ବାହାରେ ରହି ଗୋଟିଏ ଅନୁଷ୍ଠାନକୁ ଆମର ମନୋମତ ସୁନ୍ଦର କରି ଗଢ଼ିବା । ଆମେ ସଭିଏଁ ସହକର୍ମୀ ହୋଇ ରହିବା । ପରସ୍ପରକୁ ଦେବା ଓ ପରସ୍ପରଠାରୁ ଗ୍ରହଣ କରିବା । ଏଠି ଆମେ ଆପଣାର ମଧ୍ୟ ବିକାଶ ସାଧନ କରିବା । ଗୋଟିଏ ଅନୁଷ୍ଠାନକୁ ପିଲାଏ ଆପଣାର ଘର ବୋଲି ଭାବି ପାରୁଛନ୍ତି, ସେଠାରେ ନିର୍ଭୟ ହୋଇ ନିଜର ଜୀବନ ଗଢ଼ି ପାରୁଛନ୍ତି, ଆପେ ଆନନ୍ଦ ନେଇ ଅପରକୁ ସୁସ୍ଥ ଆନନ୍ଦ ଦେଇ ପାରୁଚନ୍ତି,–ଏପରି ଅନୁଷ୍ଠାନ ଆମ ଦେଶରେ କେତୋଟି ଅଛି ? ଆସନ୍ତୁ, ଆମେ ସେହିପରି ଏକ ସ୍ନେହମୟ ଶ୍ରମଶୁଦ୍ଧ ଘର ତିଆରି କରିବା, ଏଠିକି ଆସିବା ପାଇଁ ବିଶ୍ଵବିଦ୍ୟାଳୟର ଅର୍ଜିତ ଯୋଗ୍ୟତା ସବୁଠାରୁ ବଡ଼ ଆବଶ୍ୟକତା ନୁହେଁ । ସେହି ଏଠିକି ଆସିବାର ସୁଯୋଗ୍ୟ ଅଧିକାରୀ, ଯିଏ ଏପର୍ଯ୍ୟନ୍ତ ମଧ୍ୟ ନୂତନ ଜୀବନର ସ୍ଵପ୍ନ ଦେଖୁଚି, ଆପଣାର ଓ ସମାଜର ନୂତନତର ସମ୍ଭାବନା ଉପରେ ଯିଏ ଶ୍ରଦ୍ଧା ଏବଂ ବିଶ୍ଵାସ ରଖିଚି ।

 

ଯେ ଦେଶର ସବୁ ପିଲାଙ୍କ ଲାଗି ସମୁଚିତ ଶିକ୍ଷାର ବ୍ୟବସ୍ଥା ହୋଇ ନପାରିବା ପର୍ଯ୍ୟନ୍ତ ଆମ ଦେଶର ମଣିଷ ମଣିଷ ହୋଇ ଠିଆ ହୋଇ ପାରିବ ନାହିଁ ବୋଲି ହୃଦୟଙ୍ଗମ କରୁଚି, ଶସ୍ତା ସୁବିଧାଭୋଗର ବଜାରରେ ଆପଣାକୁ ନାନା ବାହାନାରେ ବିକାର ନ ନେଇ ଯିଏ ଆପଣା ପୁରୁଷାର୍ଥ ଲାଗି କ୍ଷେତ୍ର ଖୋଜି ବୁଲୁଚି, ସେଇ ଆମର ଏଠାକୁ ଆସୁ ।

 

–ଛଅ–

 

ନୂଆ ବରଷ ହେଲା, ପୁଣି କେତେ ନୂଆ ଭାଇଭଉଣୀ ଆସି ଆମ ପରିବାରରେ ମିଶିଲେ । ପଚିଶି ଥିଲେ, ପଚାଶ ହେଲେ । କିନ୍ତୁ ଜଙ୍ଗଲ ସ୍କୁଲ କୋଉଠି କଣ ନାହିଁ ? ନା ଅଛି ଘର, ନା ଅଛି ପାଠ, ନା ଅଛି ସୁସ୍ଥ ପରିବେଶର ବ୍ୟବସ୍ଥା ! ଘରକେ ଛ’ ଛ’ ଜଣ ରହି ଘର ଏମିତି ପୂରି ଯାଇଛି ଯେ ରାତିରେ ମଶାରୀ ଟାଙ୍ଗି ଦେବା ପରେ ଘରେ ପବନ ଯିବାକୁ ହାତେ ଖାଲି ଯାଗା ରହୁନାହିଁ । ଆଉ ପାଣି କଥା ଛାଡ଼ନ୍ତୁ । ପନ୍ଦର ଦିନ ତଳେ ବର୍ଷା ହୋଇଥିଲା । ସେତେବେଳେ ଆମ ବାଡ଼ିକଡ଼ରେ ଝରଣା ପୂରିଗଲା । ଆମେ ତ ତାକୁ ଆମ ଆବଶ୍ୟକତାର ସୁରଧୁନୀ ବୋଲି ଭାବି ଆମର ଯାବତୀୟ ଧୁଆଧୋଇ କାମ ସେଇଥିରୁ ଚଳାଇଲୁ । କିଛିଦିନ ପରେ ଝରଣାର ପାଣି କମିଲା, ପତର ସଢ଼ି ପାଣି ଗନ୍ଧେଇଲା । ସାତଦିନ ହେଲା ଏଠି ବରଷା ନାହିଁ । ଏଣେ କୂଅଟିଏ ଯେ, ଆଜିର ପାଣି ଆଜି ସଞ୍ଜକୁ ଛେଦି ହୋଇ ଯାଉଛି, ପୁଣି ରାତିରେ ପାଣି ଝରି କାଲିଲାଗି ଆମକୁ ପିଇବା ଆଉ ରାନ୍ଧିବା ପାଣି ଯୋଗାଉଛି । ସେ ପୁଣି ମଝିରେ ଦୁଇ ତିନି ଦିନ ପୋକ ହୋଇଗଲା, ଆମେ ସିଝେଇ କରି ପିଇଲୁ । ତଥାପି ଆମର ଜଙ୍ଗଲ ଜୀବନ ବେଶ୍ ଚାଲିଛି । ଏଠିକି ଖବରକାଗଜ ପ୍ରାୟ ଦଶଦିନ ହେବ ଆସିନାହିଁ । ତଥାପି ପଚାଶ ଜଣଙ୍କର ଆଗ୍ରହ ଓ ଉତ୍ସାହ ଆଉ କୋଳାହନ ଆମର ସମସ୍ତ ଜୀବନକୁ ବେଶ୍ ଚଞ୍ଚଳ ଓ ରସମୟ କରି ରଖୁଛି ।

 

ଆମେ ଏ ପିଲାଙ୍କୁ କଣ ଦେବୁ ? ଏମାନେ କି ରତ୍ନର ତଲାସରେ ଏ ଜଙ୍ଗଲରେ ଆସି ପହଞ୍ଚିଲେ ? ବିଦ୍ୟାକୁ ଆମର ଶାସ୍ତ୍ରରେ ବିନୟ ବୋଲି କୁହାଯାଇଚି । କି ପ୍ରକାର ବିନୟ, କି ପ୍ରକାର ନମ୍ରତା ଆମେ ଏଇ ବିଦ୍ୟାଜିଜ୍ଞାସୁ ପରିବାରକୁ ଶିଖାଇବା ? ଆମ ପିଲାଦିନେ ସ୍କୁଲମାନଙ୍କରେ ବେତମାଡ଼ ଦେଇ ଆମକୁ ନମ୍ରତା ଶିକ୍ଷା ଦିଆଯାଉଥିଲା । ବେତମାଡ଼ ଦେଇ ଆମକୁ ବାପ ପାଖରେ ସୁନାପୁଅ, ଆଉ ଅବଧାନ ପାଖରେ ସୁନା ଚାଟ ହେବାର ଧମକ ଦିଆ ଯାଉଥିଲା । ଆଜି ମଧ୍ୟ ଓଡ଼ିଶାର ଅନେକ ବିଦ୍ୟାଳୟରେ ଫାଇଲ୍ ଓ ହାକିମଙ୍କର ଅନ୍ତରାଳରେ ଅଥଚ ସମସ୍ତଙ୍କର ଜ୍ଞାତସାରରେ ବେତମାଡ଼ ଚାଲି ଭଲ ଓ ବାଧ୍ୟ ପିଲା ତିଆରି କରିବାର ଅତ୍ୟାଚାର ଚାଲିଛି । ଏସବୁ କହିବାବେଳେ ମୁଁ ତଥାକଥିତ ମୌଳିକ ସ୍କୁଲକୁ ବାଦ ଦେଉ ନାହିଁ । ଯେଉଁଠି ସିଧା ବେତମାଡ଼ ଦିଆ ନ ଯାଉଛି, ସେଠି କଥାର ମାଡ଼ ଦିଆଯାଉଚି । କୋଉଠି ପୁଣି ଅନୁଗ୍ରହ ବା ଦୟାର ଧମକ ଦେଖାଯାଉଛି ତ ଆଉ କୋଉଠି ସ୍ନେହାତିଶଯ୍ୟର ଅତ୍ୟାଚାରରେ ପିଲାର ସ୍ଵାଭାବିକ ସାବଲୀଳ ଉଦୟାରୀତିକୁ ରୋକି ଦିଆଯାଉଚି । ଏକଥା ଆମ ଦେଶରେ ପ୍ରତ୍ୟହ ହେଉଚି, ପ୍ରତ୍ୟେକ ବୟସ୍କ ଶିକ୍ଷକ ବା ଶିକ୍ଷାବଧାରକ ଦ୍ଵାରା ହେଉଚି । ତଥାପି ଯଦି ପିଲା ବୟସ୍କର ଆଖିଗଢ଼ା ଚାଞ୍ଚରେ ଆପଣାକୁ ପକାଇ ନ ପାରିଲା, ତେବେ ସେ ପିଲାକୁ ବୟସ୍କ ଉଦ୍ଧତ ବୋଲି କହୁଚି । ସେ ପିଲାର ସବୁ ତା’ ଆଖିକୁ ଖରାପ ଦେଖା ଯାଉଚି । ବୟସ୍କ ବୁଢ଼ାବୁଦ୍ଧି ଶିକ୍ଷକର ଇଚ୍ଛା, ପିଲାଟି କେମିତି ଥିରି ଥିରି କଥା କହନ୍ତା, ଶିକ୍ଷକ ଆଗରେ ତୁନି ତୁନି ଚାଲିଯାନ୍ତା, ମୁଣ୍ଡକୁ ତଳକୁ ପୋତି କଥା କହନ୍ତା, କୌଣସି କଥାରେ ତେଢ଼ା ଜବାବ ଦେବାର ଦୁଃସାହସ ନ କରନ୍ତା, ତେବେଯାଇ ସେ ଭଲ ପିଲାଟିଏ ହୁଅନ୍ତା ।

 

ଗାଆଁଗୁଡ଼ିକୁ ଉଚ୍ଚ ଶିକ୍ଷା ଯୋଗାଇବାକୁ କିପରି ଅନୁଷ୍ଠାନଟିଏ ଦରକାର, ତାହାର ସମ୍ଭାବନା ତନଖିବାକୁ ଭାରତ ସରକାର ଆରବର୍ଷ ଗୋଟିଏ କମିଶନ ବସାଇଥିଲେ । ସେହି କମିଶନର ରିପୋର୍ଟ ଏବେ ପ୍ରକାଶ ପାଇଚି । ଶିକ୍ଷାନୁଷ୍ଠାନରେ ଖାଲି ପିଲାଙ୍କର ପରୀକ୍ଷା ନ ହୋଇ ପିଲା ଏବଂ ଶିକ୍ଷକ ଉଭୟଙ୍କର ଯୋଗ୍ୟତାର ବାର୍ଷିକ ପରୀକ୍ଷା ହେଉ । ଆମେରିକାର ଦଳେ ଶିକ୍ଷାବିତ୍ ଶିକ୍ଷକର ଯୋଗ୍ୟତା ଓ ବିକାଶ ଉପରେ ସ୍କୁଲର ଶିକ୍ଷା ଓ ସ୍କୁଲ ପିଲାଙ୍କର ଚରିତ୍ର ନିର୍ଭର କରେ ବୋଲି ଏବେ ଭାରି ଜୋରସୋର ଆନ୍ଦୋଳନ ଚଳାଇଛନ୍ତି । How is your personality, teacher ?–ସେମାନଙ୍କ ମତରେ ଏହାହିଁ ହେଉଚି ଶିକ୍ଷାର ମୂଳାଧାର ପ୍ରଶ୍ନ । ଶିକ୍ଷକ ପିଲା ସହିତ କେବଳ ପାଠଗତ ସମ୍ପର୍କ ରଖିବେ, ସେ ପୁଣି କର୍ତ୍ତବ୍ୟ–ଅନୁରୋଧରୁ ଯେତିକି ଦରକାର ସେତିକି । ପିଲାଏ ଭୋରରୁ ପ୍ରାର୍ଥନା କଲାବେଳେ ବା ସୂତା କାଟିଲାବେଳେ ଶିକ୍ଷକଙ୍କର ନିଦ ଭାଙ୍ଗି ନ ଥିବ । ପିଲାଙ୍କ ଉପରେ ଲାଗୁ ହେଉଥିବା ନୈତିକ ନିୟମ ଶିକ୍ଷକକୁ କାଟୁ କରୁନଥିବ, ପିଲାଏ ଖେଳ ଖେଳିଲାବେଳେ ଶିକ୍ଷକ ତାଙ୍କ ସହିତ ଘଡ଼ିଏ ପିଲା ହୋଇ ଖେଳି ପାରିବେ ନାହିଁ । ଅଥଚ ପିଲାଠାରୁ ଦାବୀ କରୁଥିବେ ଯେ ମୋ’ ଆଗରେ ପିଲାଏ ନମ୍ର ହୁଅନ୍ତୁ, ମୋର କୁହା ମାନନ୍ତୁ, ଇତ୍ୟାଦି ଇତ୍ୟାଦି । ଅଯୋଗ୍ୟ ଶିକ୍ଷକର ବି ଅଧିକାର ଅଛି ଶିକ୍ଷାର୍ଥୀଠାରୁ ଯୋଗ୍ୟ ସମ୍ମାନ ଓ ଯୋଗ୍ୟ ନମ୍ରତାର ଦାବୀ କରିବାକୁ ? ଆମ ଶାସ୍ତ୍ରରେ ଗୁରୁର ଯୋଗ୍ୟତା ବିଷୟରେ ଶହ ଶହ ଅନୁଶାସନ ରହିଚି, ଗୁରୁକୁ ସବୁ ଅଧିକାର ଦେବା ସଙ୍ଗେ ସଙ୍ଗେ ସବୁ ଦାୟିତ୍ଵର ବୋଝକୁ ତା’ମୁଣ୍ଡ ଉପରେ ରଖି ଦିଆଯାଉଚି । ତିବ୍ୱତର ବୌଦ୍ଧଧର୍ମରେ ଠିକ୍ ଗୁରୁ ଆଉ ଠକ ଗୁରୁଙ୍କୁ କିପରି ଅଲଗା କରି ଚିହ୍ନି ପାରିବ ସେବିଷୟରେ ଦଶଟି ସୂଚନା ଦିଆଯାଇଚି । କିନ୍ତୁ ଆଜି ଆମର ବୟସ୍କ ସମାଜ ତ ଆପଣା ପ୍ରମତ୍ତତାର ମଦ ପିତ୍ତ ରହିଚି । ବୟସ୍କ ଶିକ୍ଷକକୁ ପରୀକ୍ଷା କରିବ ଆଜି କିଏ ? କିନ୍ତୁ କୌଣସି ପରୀକ୍ଷଣ ନହେଲା ନାହିଁ ପଛକେ, ଅନ୍ତତଃ ଇଚ୍ଛା ଥିଲେ ଆତ୍ମନିରୀକ୍ଷଣ ତ ହୋଇ ପାରନ୍ତା !

 

ସେଦିନ ଗୋଟିଏ ଛୋଟ ପିଲାର ଦିନଲିପି ଦେଖୁଥିଲି । ପିଲାଟି ଲେଖିଚି, “ଗୁରୁଜୀମାନେ ଖାଲି ଆମ ପାଠବେଳେ ଆଉ କାମବେଳେ ଆମ ସହିତ ରହୁଚନ୍ତି କାହିଁକି ? ଆମର ଭଲିଖେଳଠାରୁ ଆରମ୍ଭ କରି ପ୍ରାର୍ଥନାଯାଏ ସବୁଥିରେ ସେମାନେ ଆମର ସଙ୍ଗେ ସଙ୍ଗେ ରହିବା ଉଚିତ ।” ଏକାଦଶ ସ୍କନ୍ଧରେ ଅଜଗର ଅବଧୂତ ମୁନିଙ୍କର ଗୁରୁ ହୋଇ ରହିବା ପରି ଏହି ବାକ୍ୟଟି ପ୍ରତ୍ୟେକ ଜିଜ୍ଞାସୁ ଓ ବର୍ଦ୍ଧିଷ୍ଣୁ ଶିକ୍ଷକଙ୍କର ଗୁରୁବାକ୍ୟ ହୋଇ ରହିବା ଉଚିତ । ଅନ୍ତୁଡ଼ିଶାଳରୁ ମରିବାଯାଏ ଗାନ୍ଧିଜୀ ‘ନଈ ତାଲୀମ’ର କଳ୍ପନା କରିଥିଲେ । ଆମର ତାଲୀମ ସେହିପରି ଛଅ ଘଣ୍ଟିଆ ନ ହୋଇ ଚବିଶି ଘଣ୍ଟିଆ ହେବା ଚାହି । ଆମେ ପ୍ରଧାନତଃ ଶିଖିବା, ତା’ପରେ ଅଜାଡ଼ି ଦେବାର ଆଡ଼ମ୍ବର ଦେଖାଇବା । ପିଲା କେବଳ ବାପ ଆଗରେ ସୁନାପୁଅ ବା ଅବଧାନ ଆଗରେ ସୁନାଚାଟ ହେଲେ ଆମ କାମ ସରିଯିବ ନାହିଁ । ପିଲାକୁ ସମାଜଲାଗି ଜଣେ ସୁସ୍ଥ, ସାଧୁ ଓ ସହଯୋଗୀ ନାଗରିକ ତଥା ଈଶ୍ଵରଙ୍କ ଆଖିରେ ଜଣେ ସଚ୍ଚା ମଣିଷ କରିବାକୁ ହେବ ! ଏହି ଶେଷଟିରେ ହିଁ ସବୁପ୍ରକାର ଜୀବନବିକାଶର ପରିପୂର୍ତ୍ତି, ସବୁପ୍ରକାର ଶିକ୍ଷାର ଉତ୍କର୍ଷ ନିହିତ । ଏହି ଶେଷ କଷଟିରେ ପରଖ ନହେବା ପର୍ଯ୍ୟନ୍ତ ଆମେ ପିଲାକୁ ଧନ୍ଦାରେ, ଫନ୍ଦାରେ ବା ଶାସ୍ତ୍ରରେ ଯେତେ ନିପୁଣ କରିଦେଲେ ବି ତା’ର ଭିତରଟା ଶୂନ୍ୟ ହୋଇ ପଡ଼ି ରହିଥିବ । ଯିଏ ପିଲାର ଶରୀରକୁ ଡରାଇ ଧମକାଇ ପିଲାଠାରୁ ନମ୍ରତା ଆଦାୟ କରୁଚି କରୁଥାଉ ପଛକେ, ଆମେ ପିଲାକୁ ସ୍ନେହ ଦେବାରେ ଓ ପିଲାଠାରୁ ସ୍ନେହ ପାଇବାରେ ଆମର ସବୁ ଶିକ୍ଷାର ସାର୍ଥକତା ମିଳିଲା ବୋଲି ବିଚାରିବା ।

 

–ସାତ–

 

ଗତ ବର୍ଷ ଅଗଷ୍ଟ ମାସ ଛବିଶି ତାରିଖ ଦିନ ଶ୍ରୀ ଧୀରେନ ମଜୁମଦାରଙ୍କ ସଭାପତିତ୍ଵରେ ଆମର ବିଦ୍ୟାଳୟଟିର ଉଦଘାଟନ ହୋଇଥିଲା । ଓଡ଼ିଶାର ଚାରିଆଡ଼ୁ ନାନା ଅତିଥି ସେଦିନ ଅନୁଗୁଳ ବାଜିରାଉତ ଛାତ୍ରାବାସରେ ହେଉଥିବା ଏହି ଉତ୍ସବଟିରେ ହରଷ ଭରାଇ ଦେଇଥିଲେ । ମନ୍ତ୍ରୀ ଆସିଥିଲେ, ସରକାରୀ କର୍ମଚାରୀ ଆସିଥିଲେ, କଲେଜରୁ ଅଧ୍ୟାପକ ଆସିଥିଲେ, କବି, ଲେଖକ, ଅନେକ ଆସିଥିଲେ । ତା’ଛଡ଼ା ଶତାଧିକ ଶିକ୍ଷକକର୍ମୀ ସେଦିନ ଆମ ପାଖରେ ରହି ଆମ ଆନନ୍ଦରେ ଭାଗ ନେଇ ଆମକୁ କେତେ ଉତ୍ସାହ ଦେଇ ଯାଇଥିଲେ । ସରକାରୀ, ବେସରକାରୀ ନାନାଦି ସ୍ଥାନରୁ ଶୁଭକାମନା ଜଣାଇ ବର୍ତ୍ତମାନ ଆସିଥିଲା । ଉପନିଷଦର ‘ତମୀଶ୍ଵରାଣାଂ ପରମଂ ମହେଶ୍ଵରଂ’ ମନ୍ତ୍ରଚୟ ଉଚ୍ଚାରଣ କରି ସେଦିନର ସମାରୋହ ଆରମ୍ଭ କରାଗଲା । ତା’ପରେ ବକ୍ତୃତା ଦିଆଗଲା, ବକ୍ତୃତା ଶୁଣାଗଲା । ଅତିଥିଚର୍ଚ୍ଚା ଓ ରାତିରେ ବିନୋଦନ-କାର୍ଯ୍ୟକ୍ରମ ଦ୍ଵାରା ଉତ୍ସବର ଉଦ୍‍ଯାପନ ହେଲା ।

 

ତା’ର ଠିକ୍ ଏକ ବର୍ଷ ପରେ ଆଜି ଆମେ ବିଦ୍ୟାଳୟଟିର ପ୍ରଥମ ଜନ୍ମଦିନ ପାଳନ କରୁଛୁ । ଆରବର୍ଷ ଅନୁଷ୍ଠାନର ଉଦଘାଟନ ହୋଇଗଲା ସତ, କିନ୍ତୁ କୋଉଠି ଆମେ ବିରାଟ କୁଟୁମ୍ବର ସ୍ନେହ ଓ ସରସତାକୁ ସ୍ଥାନ ଦେବା ଲାଗି, ଘଷି ମାଜି ତା’ର ପରିପୋଷଣ କରିବା ଲାଗି ଯୋଗ୍ୟ କ୍ଷେତ୍ରଟିଏ ପାଇବୁ, ସେତେବେଳେ ସେ କଥା ଆମେ କେହି ଜାଣି ନଥିଲୁ । ନାନାପ୍ରକାର କଳ୍ପନା ଚାଲିଲା, ଜାଗା ଠିକ୍ କରିବା ଲାଗି ଏଠିକି ଦଉଡ଼, ସେଠିକି ଦଉଡ଼ ମଧ୍ୟ ହେଲା, କେତେ ପ୍ରକାର ବାଛ ପଡ଼ି କେତେ ଜାଗା ମନକୁ ଆସିଲା ନାହିଁ । ଶେଷରେ ଗୋଟାଏ ଜଙ୍ଗଲକୁ ଆମର ଘର କରି ଗଢ଼ିବା ପାଇଁ ଆମେ ସମସ୍ତେ ଠିକ୍ କଲୁ । ଗାଆଁ ପାଖ ହୋଇଥିବ, ଅଥଚ ଗାଆଁ ଭିତରେ ହୋଇ ନଥିବ–ରାସ୍ତାଘାଟ ଥିବ, ଅଥଚ ସଭ୍ୟତା ଓ ସଭ୍ୟ ସୌଖୀନ ଆଦର୍ଶବାଦୀର ଅହରହ ଅତ୍ୟାଚାର ସହିବାକୁ ପଡ଼ିବ ନାହିଁ, ସଂସାରଠାରୁ ବିଚ୍ଛିନ୍ନ ହୋଇ ବୈରାଗ୍ୟର ସାଧନା ଦ୍ଵାରା ମୁକ୍ତି ପାଇବାର ପଣ୍ଡଶ୍ରମ ଆମେ କରିବା ନାହିଁ, ଅଥଚ ନିରପେକ୍ଷ ନିର୍ଲିପ୍ତ ଭାବରେ ସଂସାରକୁ ଦେଖିବା ଲାଗି ଆମେ ସଂସାରଠାରୁ ଟିକିଏ ବ୍ୟବଧାନରେ ରହିବାର ସୁଯୋଗ ପାଇବା-। ଏହିସବୁ ବିଚାରର ତରାଜୁ ଓଜନ କରି ଆମେ ଜାଗା ଠିକ୍ କଲୁ । ତା’ପରେ ଅସ୍ଥାୟୀ ଘର ନେଇ, ତମ୍ବୁ ଖଟାଇ କେତେଦିନ ରହିବାକୁ ପଡ଼ିଲା । ଏଣେ ଜଙ୍ଗଲ ସଫା ହେଉଥାଏ, କୂଅ ଖୋଳା ଆଉ ଇଟା ତିଆରି ଚାଲିଥାଏ । ତା’ପରେ ଅରାଏ ଜଙ୍ଗଲକୁ କାଟିକୁଟି ସମତୁଲ କରି ସେଇଠି ଏଗାର ବଖରା ଝାଟି ଘର ତିଆରି ହେଲା । ସେଇଠି ଆମ ନୂଆ ବିଦ୍ୟାଳୟର ସ୍ଥାୟୀ ସଂସାର ଆରମ୍ଭ ହେଲା । ପ୍ରଥମେ ପ୍ରଥମେ ତ ବାଘ ଭୟରେ ଅନ୍ଧାର ନ ହେଉଣୁ ଆମେ ଖାଇପିଇ ଆପଣା ଆପଣା କୋଠରୀରେ କବାଟ ଦେଇ ପଶୁଥିଲୁ । ଅନେକ ଥର ରାତିରେ ବାଘର ଗର୍ଜନ ବି ଶୁଭୁଥିଲା । ସକାଳୁ ଉଠି ଆମଠାରୁ ଶହେ ହାତ ଦୂରରେ ବାଘର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳୁଥିଲା । କିନ୍ତୁ କ୍ରମେ ଭୟ କଟିଗଲା । ଜାଗାଟି ସହିତ ଅଧିକରୁ ଅଧିକ ପରିଚୟ ହୋଇଗଲା, ଜାଗାଟି ଆପଣାର ବୋଲି ଲାଗିଲା । ଜହ୍ନରାତିରେ ପଡ଼ିଆରେ ବାଗୁଡ଼ି ଖେଳ ହେଲା-। ଗୋଟାଏ କୋଉଠି ଦଳ ହୋଇ ବସି ଗୀତ ବୋଲା ହେଲା, ବଇଁଶୀ ବାଜିଲା । ମୂଷଳ ଧାରାରେ ମେଘ ବରଷିଲେ ମଧ୍ୟ ପିଲାଏ ଆମ ନୂଆ କ୍ଷେତରେ ମଞ୍ଚାରେ ଶୋଇବାକୁ ଗଲେ, ରାତିଯାକ ଟିଣ ଢାଉଁ ଢାଉଁ ଶବ୍ଦରେ ଗଗନ କମ୍ପିଲା । ଆମ ସମସ୍ତଙ୍କର ଆନନ୍ଦ ବାଘର ଯାତାୟାତପଥକୁ ଅନେକ ଦୂରକୁ ହଟାଇ ନେଲା ।

 

ପାଠପଢ଼ା ମଧ୍ୟ ସେମିତି ଅତି ଦରିଦ୍ର ଭାବରେ ଆରମ୍ଭ କରିବାକୁ ପଡ଼ିଲା । ପିଲାଙ୍କର ରହିବାଲାଗି ଯଥେଷ୍ଟ ଘର ନାହିଁ, ସୋପାନ ଘର କଥା ପଚାରେ କିଏ । ଖରା ନଇଁ ଆସିଲେ ଆମର ବାହାରେ ପଡ଼ିଆ ଉପରେ ସୋପାନ ହେଲା । ଖରା କାଟିଲେ ବା ବର୍ଷା ହେଲେ ଅଣଓସାରିଆ ପିଣ୍ଡା ଉପରେ ଯେ କୌଣସି ପ୍ରକାରେ କାମ ଚାଲିଲା । ଦିନେ ଦିନେ ବାହାରେ ବସିଥାଉ, ଗ୍ରୀସ୍ ଦେଶର ସକ୍ରେଟିସ୍ ବା ଋଷିଆର କ୍ରୋପଟକିନଙ୍କୁ କଳ୍ପନାର ସିଂହାସନ ଉପରେ ବସାଇ ବିଚାରକଠାଉ ଉପରେ ଆମେ ଇତିହାସ ଭିତରେ ଉଠୁଥାଉ । ଏତିକିବେଳେ ହୁଏତ କୁଆଡୁ ଉଡ଼ା ମେଘ ଖଣ୍ଡେ ଆସି ଆମକୁ ପୁଣି ପିଣ୍ଡା ଉପରକୁ ଦଉଡ଼ାଇ ଆଣେ । ସବୁଜ ପଡ଼ିଆ ଭିତରେ କଳମୁଗୁନି ପଥର ଅରାଏ ମାଟିତଳୁ ଉଠିଚି, ଠିକ୍ ଜଳହସ୍ତୀର ପିଠି ପରି । ସମ୍ବଲପୁରରୁ ନୂଆ ଆସିଥିବା ଭାଇମାନେ ତାକୁ ‘ବୁଢ଼ାରଜା’ ବୋଲି କହନ୍ତି । ତା’ରି ଉପରେ ଶିକ୍ଷକ ବସନ୍ତି, ତାଙ୍କୁ ବେଢ଼ି ଅତି ଅବିନ୍ୟସ୍ତ ଅଥଚ ଅତି ସ୍ଵାଭାବିକ ଭାବରେ ପିଲାଏ ବସନ୍ତି । ସେଇଠି ସୋପାନ ହୁଏ । ପରିବେଶକୁ ଏତେ ରୋମାଣ୍ଟିକ୍ ବୋଲି ଭାବିଲେ ମଧ୍ୟ ଆମର ଦାରିଦ୍ର୍ୟ ଘୁଞ୍ଚେ ନାହିଁ । ଦୁଇଟା ସୋପାନର ପିଲାଙ୍କୁ ଜଣେ ଶିକ୍ଷକ, ଗୋଟାଏ ବୋଲି କଳାପଟା । ଅସୁବିଧା ହୁଏ, ଅନେକ ଅଭାବ ମଧ୍ୟ ରହିଯାଏ । ତଥାପି ଆମ ପରିବାରର ସଂସାର ଚାଲେ । ଆବଶ୍ୟକ ସାଜସରଞ୍ଜାମ ନଥିଲେ ମଧ୍ୟ ଆମେ ସମସ୍ତେ ବିଦ୍ୟା ଅବିଦ୍ୟାର ଜନଗହନରେ ବୁଡ଼ି ଅତି ଉତ୍ସାହର ସହିତ ରତ୍ନ ସଂଗ୍ରହ କରି ବୁଲୁଥାଉଁ । ଏହି ସଂଗ୍ରହର ପ୍ରବୃତ୍ତିକୁ ଆମେ ବଞ୍ଚାଇ ରଖିଛୁଁ, ଏହାହିଁ ଆମର ସବୁଠାରୁ ବଡ଼ ଗୌରବ । ଏହି ପ୍ରବୃତ୍ତିକୁ ବଞ୍ଚାଇ ରଖିବାରେ ଆମର ଗ୍ରନ୍ଥାଳୟ ଆମକୁ ଅନେକ ସାହଚର୍ଯ୍ୟ ଦେଉଚି । ସାଢ଼େ ତିନିହଜାର ଟଙ୍କା ଖରଚ ହୋଇ ହିନ୍ଦୀ, ଓଡ଼ିଆ ଓ ବଙ୍ଗଳା ବହି ଆମର ଆସିଛି, ଶିକ୍ଷକର ସହାୟ ହେବାଲାଗି ଇଂରାଜୀ ବିଶ୍ଵକୋଷ ମଧ୍ୟ ଆସିଛି । ଜ୍ଞାନସାଗରର ଜଳକୁ ଅଧିକ ସହଜଲଭ୍ୟ କରିବା ଲାଗି ଆମର ଗ୍ରନ୍ଥାଳୟ ଶଙ୍ଖପରି ସେହି ଜଳକୁ ସମ୍ଭାରି ଧରିଚି । କେତେଦିନ ହେଲା ପିଲାଏ ବେଶ୍ ମାତିଯାଇଛନ୍ତି । କାହାର ହିନ୍ଦୀ କଞ୍ଚା ଥିଲା, କାହାର ବଙ୍ଗଳାରେ ଅକ୍ଷରଜ୍ଞାନ ବି ହୋଇ ନଥିଲା, ଚାଟଶାଳୀର ଚାଟ ପରି ସମସ୍ତେ ସେସବୁର ପୂରଣ କରିଦେବା ପାଇଁ ଲାଗି ପଡ଼ିଛନ୍ତି । ଶିକ୍ଷକର ଅଭାବ ଆଉ ନିରାଶ କରି ଦେଉନାହିଁ ।

 

ଆଜି ବରଷକର ସବୁକଥା ମନେ ପଡ଼ୁଛି । ପରିବାରଟିର ସମସ୍ତ ସୁଖ ଦୁଃଖ, ସ୍ନେହ ଶ୍ରଦ୍ଧା ଶିଶିରବିନ୍ଦୁଟିଏ ହୋଇ ଆଜିର ମେଘମୁକ୍ତ ଆକାଶ ତଳେ ଢଳଢଳ ହେଉଚି । ବାଟ ଚାଲିବାର ସବୁ ଶ୍ରାନ୍ତି ଦୂରକରି ଦେଉଛି, ଅନବରତ ଏହିପରି ଚାଲିଯିବାକୁ ଅନେକ ବଳ ଦେଇ ଯାଉଛି । ନିତ୍ୟଜୀବନରୁ ଯିଏ ଦେହ, ମନ ଓ ହୃଦୟର ନିତ୍ୟତାଲୀମ ପାଇବାର ଆଗ୍ରହ ନେଇ ବାହାରିଛି, ସେ କଦାପି କୌଣସି ପ୍ରକାର ସୀମାୟତନ ମଧ୍ୟରେ ଅଟକି ରହିଯିବ ନାହିଁ । ତା’ର ବଡ଼ ପ୍ରଭୁ ପରି ତା’ର ଜିଜ୍ଞାସା ମଧ୍ୟ ବଡ଼ ହେବ, ତା’ର ପ୍ରେମ ମଧ୍ୟ ବଡ଼ ହେବ । ଆମର ଅଜସ୍ର ଜିଜ୍ଞାସାରେ ସକଳ ପ୍ରକାରର ସଂକୀର୍ଣ୍ଣ ବୁଦ୍ଧି ଜ୍ଞାନମୂଢ଼ତା ଲୀନ ହୋଇଯିବ, ଆମର ଅଜସ୍ର ପ୍ରେମରେ ସକଳ ପ୍ରକାର ମୁଁକାରର ଅତ୍ୟାଚାର ଓ ଅହଙ୍କାର ଲୀନ ହୋଇଯିବ । ଆଜି ପିଲାଏ ଆପଣା ହାତକଟା ଓ ଆପଣା ହାତବୁଣା ଯୋଡ଼ଟିଏ ନେଇ ଶିକ୍ଷକଙ୍କୁ ପିନ୍ଧାଇଲେ, କାନ୍ଧରେ ବ୍ରାହ୍ମଣର ପଇତା ଗଳାଇ ଦେଲେ, ସମସ୍ତଙ୍କର ଖୁସିରେ ଅତି ଆଡ଼ମ୍ବରହୀନ ଆଜିର ଦିନଟି ଅତି ମହାନ ଓ ମଧୁର ହୋଇ ଉଠିଲା ।

 

ଆମେ ଆମର ପ୍ରସାରିତ ଘରେ ମହାନ୍ ଶିଶୁ ହୋଇ ରହିବାର ଖେଳରେ ମାତିଥିଲାବେଳେ ତେଣେ ସରକାରୀ ଶିକ୍ଷାବିଭାଗର ହାକିମ–ପ୍ରହରୀମାନେ ଆମକୁ ବାର ବାର ସତର୍କ କରି ଦେଉଛନ୍ତି । ଆମର ଅମୁକ ଖାତା ନାହିଁ, ଅମୁକ ହାଜିରା ନାହିଁ, ଠିକ୍ ସମୟରେ ଅମୁକ ରିପୋର୍ଟ ଆସି ପହଞ୍ଚିଲା ନାହିଁ,–ଏହିପରି ନାନା ତାଗିଦାମାନ ସେଆଡ଼ୁ ଆସୁଚି । ଏବର୍ଷ ପରୀକ୍ଷା କିପରି ହେଲା, କେତେ ପିଲା ଉଠିଲେ, କେତେ ରହିଲେ, ନିୟମ-କାନୁନ ଓ ଫାଇଲପତ୍ରର ଥୁଣ୍ଟା ଗଛ ଉପରୁ ସେହି ଭିକ୍ଟୋରିଆ ଅମଳର ଜରଦ୍‍ଗବ ହାକିମ-ମନ ବାର ବାର ଇଂରାଜୀ ଚିଠିମାନ ପଠାଉଛି । ଏଣେ ଆମ୍ଭର ଖାତାପତ୍ର, କିରାନି କାଇଦା କିଛି ନାହିଁ । ସେମାନଙ୍କର ଦାବୀକୁ ଆମେ ପୂରଣ କରିପାରିବୁ କିପରି ? ସାରା ଆକାଶରେ ଖାଦ୍ୟ ସଂଗ୍ରହ କରି ବାହାରିଥିବା ବଣୁଆ ଚଢ଼େଇକୁ ସେମାନେ ମୁଦି ପିନ୍ଧାଇ ନମ୍ବର ଦେଇ ପୋଷା ମନାଇବାକୁ ବସିଛନ୍ତି, ବହିଯିବାକୁ ଆପଣାର ଧର୍ମ ବୋଲି ଧରି ନେଇଥିବା ସ୍ରୋତଧାରାକୁ ସେମାନେ ବାଡ଼ ବନ୍ଧଦେଇ ପାହାଚଦିଆ ଗାଡ଼ିଆ ଭିତରେ ବାନ୍ଧି ରଖିବେ ବୋଲି ବାହାରିଛନ୍ତି । ବିକଶିତ ହେବାର ବିରାଟ ଅଥଚ ସ୍ଵାଭାବିକ ବାସନା ନେଇ ଆଲୁଅ ଓ ପବନରୁ ସାର ସଂଗ୍ରହ କରୁଥିବା ସ୍ତବକକୁ କାଚ ଘରର ବାସନାହୀନ ଫୁଲ କରି ଫୁଟାଇବାର ପ୍ରୟାସ ସେମାନେ କରୁଛନ୍ତି । ପୁରୁଣା ଯେତେବେଳେ ନୂଆକୁ ସହିପାରେ ନାହିଁ, ବୁଝିବାକୁ ଚେଷ୍ଟା କରେନାହିଁ, କେବଳ ସେତିକିବେଳେ ଏପରି ଉତ୍ପାଡ଼ନ ଆରମ୍ଭ ହୁଏ । ମୁଁ ଆଜି ସେମାନଙ୍କୁ କହିବି, ଆମର ଖାତାପତ୍ର ବା କାଇଦା କଦରରୁ ଆମକୁ ପରୀକ୍ଷା କରିବାକୁ ତୁମେ ଆସନାହିଁ । ଆମର ଦୈନନ୍ଦିନ ଜୀବନରୁ ତୁମେ ଆମକୁ ଚିହ୍ନ, ଆମର ପ୍ରାତ୍ୟହିକ ସମ୍ପର୍କସମ୍ବନ୍ଧରୁ ତୁମେ ଆମର କଳନା କର, ଆମର ଆନନ୍ଦରେ ତୁମେ ମଧ୍ୟ ଭାଗୀ ହୁଅ, ଆମରି ଭିତରେ ରହି ତୁମେ ଆମର ପରୀକ୍ଷା କର । ଏ ପୁରୁଣା ଜିଦ୍ ଛାଡ଼, ନୂଆର ବୈଚିତ୍ରକୁ ବୁଝିବାଲାଗି ଶ୍ରଦ୍ଧା ଅର୍ଜନ କର । କୋର୍ଟ କଚେରୀର ପିଆଦା ନ ହୋଇ ତୁମେ ଫୁଲ ବଗିଚାର ମାଳୀ ହେବାକୁ ଚେଷ୍ଟାକର ।

 

–ଆଠ–

 

ଯେଉଁ ଜଙ୍ଗଲରେ ବସି ଆକାଶ ଓ ଅରଣ୍ୟର ଶୋଭା ଦେଖୁ ଦେଖୁ ସବୁଥର ଜଙ୍ଗଲ ଚିଠି ଲେଖେ, ଆଜି ସେଠି ବସି ଲେଖୁନାହିଁ । ଏରସମାର ଜନଜଙ୍ଗଲରୁ ଏ ଚିଠିଟି ଲେଖୁଛି । ସେପ୍ଟେମ୍ବର ୩ ତାରିଖରେ ଓଡ଼ିଶାସାରା ଯେଉଁ ଘୋର ବର୍ଷା ହେଲା, ତାହାରି ଫଳରେ ସମତଳ ଭୂଇଁର ସବୁ ନଈ ଏକାବେଳକେ ଫୁଲି ଉଠିଲେ, ଗାଆଁଗଣ୍ଡା ବୁଡ଼ିଗଲା, ଜମିର ଫସଲ ଉଜୁଡ଼ିଗଲା, ଗୃହଶୂନ୍ୟ ହୋଇ କେତେ ମଣିଷ ଉଚ୍ଚ ଡିହ ଆଉ ନାଳବନ୍ଧରେ ଆଶ୍ରୟ ନେଲେ । ଏରସମା ଥାନାର ଅଧେ ଅଞ୍ଚଳ ଆଜି ଏହିପରି ଏକ ଭୟଙ୍କର ଜଳ-ଜଙ୍ଗଲରେ ପରିଣତ ହୋଇଛି । କୋଉଠି ଧାନବିଲ ଥିଲା, କୋଉଠି ଗୋଚର ଥିଲା, କୋଉଠି ରାସ୍ତାଘାଟ ଥିଲା, କୋଉଠି ଗାଆଁଦାଣ୍ଡ ଥିଲା, ସବୁ ଏକ ଜଳ-ଜଙ୍ଗଲରେ ଏକାକାର ହୋଇଯାଇଛି ।

 

ଚମ୍ପତିମୁଣ୍ଡାର ଜଙ୍ଗଲ ସ୍କୁଲ ଛାଡ଼ି ଆମେ ୧୫ ଜଣ ପ୍ରାୟ ତିନି ସପ୍ତାହ ହେଲା ଏରସମା ଥାନାକୁ ଆସିଛୁ । ଆହୁରି ପନ୍ଦର ଜଣ ଭାଇ ତେଣେ ପଟ୍ଟାମୁଣ୍ଡାର ଯାଇଛନ୍ତି । ପ୍ରଥମେ ସେଇଠି ଗାଆଁ ଗାଆଁ ବୁଲି ବନ୍ୟା ସାହାଯ୍ୟ ପାଇଁ ଅର୍ଥ ସଂଗ୍ରହ କଲୁ । ପଇସାଏ ଦୁଇପଇସାଠାରୁ ଆରମ୍ଭ କରି ସୁଆଁଚାଉଳ ପର୍ଯ୍ୟନ୍ତ ଯିଏ ଯାହା ଦେଲା ଆମେ ସଂଗ୍ରହ କରି ଆଣିଲୁ । ଆମ ଭିତରୁ କେତେଜଣ ପୁଣି ଓଳିଏ ଉପାସ ରହି କିଛି ପଇସା ସଞ୍ଚିଲେ । ସବୁ ମିଶାଇ ପ୍ରାୟ ୧୭୦ ଟଙ୍କା ଆମେ ବନ୍ୟା-ସାହାଯ୍ୟ କମିଟି ହାତରେ ଦେଲୁ । ତା’ପରେ ବିପନ୍ନ ମଣିଷର ପାଖେ ପାଖେ ରହି ତାର କିଛି ସେବା କରିପାରିବାକୁ ଆମେ ଦୁଇଦଳ ହୋଇ ଏରସମା ଓ ପଟ୍ଟାମୁଣ୍ଡାଇକୁ ବାଣ୍ଟି ହୋଇ ଗଲୁ । ଜଙ୍ଗଲ ସ୍କୁଲରୁ ବର୍ତ୍ତମାନ ଆମେ ଅନେକ ଦୂରରେ, ତଥାପି ଏଠିକାର କ୍ଷେତ୍ର ଜଙ୍ଗଲ ସ୍କୁଲର ଏକ ସଂପ୍ରସାରିତ ଅଙ୍ଗମାତ୍ର । ଆମର ସଂସାର ଯେତିକି ବଡ଼, ଆମର ଶିକ୍ଷାକ୍ଷେତ୍ର ସେତିକି ବଡ଼ । ଏଠି ସବୁଦିନେ ସମୟ ଅନୁସାରେ ଘଣ୍ଟା ବାଜୁ ନାହିଁ, ସକାଳେ ସନ୍ଧ୍ୟାରେ ନିୟମ ରକ୍ଷା କରାଯାଇ ଆନୁଷ୍ଠାନିକ ପ୍ରାର୍ଥନା ହେଉନାହିଁ, ଭୂଗୋଳ, ଇତିହାସ, ଅଙ୍କ, ଜ୍ୟାମିତି ହୁଏତ ମନରୁ ପାସୋରି ଗଲାଣି । ତଥାପି ଆମର ମନ ଏପର୍ଯ୍ୟନ୍ତ ଉଚିତ ଶିକ୍ଷାର୍ଥୀର ମନପରି ସରସ ଓ ଗ୍ରହଣଶୀଳ ହୋଇ ରହିଚି । ଏଠିକାର ଶିକ୍ଷାକ୍ଷେତ୍ରର ବିସ୍ତୃତତର ଓ ବିପୁଳତର ପରିସର ଆମ ସମସ୍ତଙ୍କର ଅନ୍ତରକୁ ଆହୁରି ପ୍ରସାରିତ କରି ଦେଇଛି, ମଣିଷର ଦୁଃଖକୁ ଗଭୀରତର ଭାବରେ ଅନୁଭବ କରି ପାରିବାର ଶକ୍ତି ଆମେ ପାଇଛୁ । ପ୍ରତି ମୁହୂର୍ତ୍ତରେ ଆମର ବିଚାର, ବିବେକ ଓ ବୁଦ୍ଧିର ପରୀକ୍ଷା ଚାଲିଛି, ଆମ ହୃଦୟର ପରୀକ୍ଷା ଚାଲିଛି । ନାନା ଦାୟିତ୍ଵକୁ ସୁଚାରୁରୂପେ ସମ୍ପନ୍ନ କରିବାରେ, ନାନାପ୍ରକାର ଲୋକଙ୍କ ସହିତ ନିରପେକ୍ଷ ଭାବରେ ବ୍ୟବହାର କରିବାରେ ଆମ ଅର୍ଜିତ ଜ୍ଞାନର ପରୀକ୍ଷା ଚାଲିଛି । ଯେକୌଣସି ବ୍ୟବସ୍ଥିତ ଜୀବନଠାରୁ ଏଠିକାର ଜୀବନରେ ଶିକ୍ଷାର୍ଥୀ ଲାଗି ଅଧିକ ସମ୍ପଦ ନିହିତ ହୋଇ ରହିଛି । ଆସିବା ଦିନଠାରୁ ଆମେ ଥାନାର ପ୍ରାୟ ବାରପଣ ଗାଆଁ ବୁଲି ସାରିଲୁଣି । ଯୋଉଦିନ ଯୋଉଠି ସଞ୍ଜ ହେଉଛି, ସେଇଠି କାହା ଦାଣ୍ଡରେ କି ଭାଗବତଘରେ ଆମର ରହଣି ହେଉଛି । ଥାନାର ଅଧିକାଂଶ ଗାଆଁରେ ସ୍କୁଲଘର ଭାଙ୍ଗି ଶୋଇଛି । ଯୋଉଠି ଘରଖଣ୍ଡିକ ଅଛି, ସେଠି ପିଲାଏ ଆସୁ ନାହାନ୍ତି । ପେଟରେ ତ ଭୋକ ଜଳୁଛି । କୋଉ ପିଲା ଭଲପିଲା ହୋଇ ବହିଧରି ବସି ପାରିବ ?

 

ବର୍ତ୍ତମାନର ବନ୍ୟାବିପଦ ସାରା ଦେଶର ବିପଦ । ତଥାପି ଏଡ଼େ ବଡ଼ ବିପଦ ପଡ଼ିଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଆମେ ଏକତ୍ର ଓ ଏକରସ ହୋଇ ଆମର ଦାୟିତ୍ଵ ତୁଲାଇ ଶିଖି ନାହୁଁ । ଆମ ଦେଶର ହାକିମ ତ ଆମ ଦେଶର ଲୋକଙ୍କ ଉପରେ ଗୋଟାଏ ବୋଝ । ପିଲା ଥିଲାବେଳେ, ସ୍କୁଲ କଲେଜରେ ପାଠ ପଢ଼ିଲାବେଳେ ସେମାନେ କଣ କରୁଥିଲେ କେଜାଣି, ବର୍ତ୍ତମାନ ଏ ଦେଶରେ ହାକିମ ଏ ଦେଶର ମଣିଷ ଉପରେ ପ୍ରଧାନତଃ ଏକ ବୋଝ ହୋଇ ରହିଚନ୍ତି । ଏଣେ ସାରା ଥାନାଟା ଭାସି ଗଲାଣି, ଗାଆଁଗଣ୍ଡା ପାଣି କାଦୁଅରେ ନର୍ଦ୍ଦମା ହୋଇ ରହିଛି । ତଥାପି ହାକିମ ଗୋଡ଼ରୁ ଜୋତା ଖୋଲିବାକୁ ରାଜି ନୁହନ୍ତି । ଗାଆଁ ଗାଆଁରେ ମଣିଷ ବର୍ତ୍ତମାନ କଣ ଖାଉଛନ୍ତି, ଝଡ଼ି ବର୍ଷା ହେଲେ କିପରି କାଳ କାଟୁଛନ୍ତି, ଛୋଟ ପିଲାମାନଙ୍କର ପେଟରେ ପ୍ରତିଦିନ ଦାନା ପଡ଼ୁଛି କି ନାହିଁ, ସେସବୁ ଆମ ଦେଶର ହାକିମ ଦେଖିବାକୁ ଅସମର୍ଥ । ଏଇଠି ଘର ଭିତରେ, ଚୌକୀ ଟେବୁଲ ଉପରେ କଲମ ଧରି କଳ୍ପନାଦ୍ଵାରା ଯେତିକି ଦୁଃଖ ବୁଝିହେବ, ସେମାନେ ସେତିକି ବୁଝିବେ, ତଳିଆ କର୍ମଚାରୀଙ୍କ ଦ୍ଵାରା ଯେତିକି କରିହେବ, ସେତିକି କରିବେ । ହାକିମଙ୍କ ପଛେ ପଛେ ଏଦେଶରେ ମଝିମଝିଆ ଲୋକ ଦଳେ ଅଛନ୍ତି, ଯେଉଁମାନେ ଅଧା ବାଟଯାଏ ପଢ଼ିଛନ୍ତି, ହାକିମଙ୍କ ତୁଣ୍ଡରୁ ଦରଓଡ଼ିଆ, ଦର ଇଂରାଜୀ କଥା ବୁଝି ପାରୁଛନ୍ତି, ସାରା ଥାନାର ଦୁଃସ୍ଥ ଦରିଦ୍ରଙ୍କର ଦୁଃଖ ଦୂର କରିବାର କରୁଣାମୟ ଅବତାର ପରି ନିଜକୁ ଦେଖାଇ ବୁଲୁଚନ୍ତି, ସେମାନେ ତ ଏ ବିପଦକୁ ପୁଞ୍ଜିକରି ବ୍ୟବସାୟ ଆରମ୍ଭ କରି ଦେଇଛନ୍ତି । ଏ ଦୁରବସ୍ଥାବେଳେ ପ୍ରଧାନତଃ ସେହିମାନଙ୍କର ପାଳକ ପଡ଼ିଛି । ବର୍ତ୍ତମାନ ବିପଦକୁ ସମ୍ଭାଳିବାକୁ ଆମ ଦେଶରେ ସାମଗ୍ରୀ ସମ୍ବଳ ସବୁ ଅଛି, କର୍ମଚାରୀ ମଧ୍ୟ ଅଛନ୍ତି; କିନ୍ତୁ ନିଷ୍ଠାପର ମନର ଅଭାବ ରହିଛି, ସହଯୋଗର ଅଭାବ ରହିଛି । କାମ କରାଇବାର ଆଡ଼ମ୍ବର ଅତିରିକ୍ତ ହୋଇ ପଡ଼ିଛି । ଅଥଚ କାମ କରିବାର ଶ୍ରଦ୍ଧା ନାହିଁ । ଚାକିରି କରି ଦରମା ପାଇବା ଦୃଷ୍ଟିରୁ ଯେତିକି କଲେ ବା ଯେତିକି ଖାତାପତ୍ର ସଜାଡ଼ି ନ ରଖିଲେ ନ ଚଳେ, କେବଳ ସେତିକି କରି ଆମ ଦେଶର କର୍ମଚାରୀ ସନ୍ତୁଷ୍ଟ ହୋଇ ଯାଉଛି । ଆପଣାର ଆୟତନ ଭିତରୁ ବାହାରି ମଣିଷର ହୃଦୟ ନେଇ ବିପନ୍ନ ମଣିଷର କିଛି କରି ପାରିବାର ଏକାଗ୍ରତା ଓ ସହଜ ସେବାଭାବ ତା’ର ନାହିଁ । ତେଣୁ ଏ ଦେଶରେ ଉପରକୁ ଦେଖିବାକୁ ହୁଏତ ସବୁ ଠିକ୍ ଚାଲିଛି । କିନ୍ତୁ ପ୍ରକୃତରେ ବଡ଼ ଖାମଖିଆଲି ଭାବରେ ଚାଲିଛି । ମୁଁ ତ କହିବି ଆମ ଦେଶରେ ଜୋତା, ଛତା ଓ ବକ୍ତୃତା-ଭାଷଣର ପ୍ରବଳ ସମାରୋହରେ ଚାଲିଥିବା ପାଠପଢ଼ା ବା କୁଶିକ୍ଷାର ଏହା ହେଉଛି ଫଳ । ଏ ଦେଶର ଶିକ୍ଷାରେ ପାଠପଢ଼ା ବା କୁଶିକ୍ଷାର ଏହା ହେଉଛି ଫଳ । ଏ ଦେଶର ଶିକ୍ଷାରେ ଚମତ୍କାର ସାଧନମାନ ରହିଛି, ଚମତ୍କାର ଶିକ୍ଷଣୀୟ ବିଷୟ ବସ୍ତୁମାନ ରହିଚି, ଗଦା ଗଦା ପାଠ ପଢ଼ିବାର କାର୍ଯ୍ୟକ୍ରମ ରହିଚି, କିନ୍ତୁ ଏ ଶିକ୍ଷାର ହୃଦୟ ନାହିଁ । ଅତି ନିଷ୍ଠାପର ଭାବରେ ପାଠ ପଢ଼ି ପରୀକ୍ଷା ଦେଇ ଏ ଦେଶର ପିଲା କୃତିତ୍ତ୍ଵର ସହିତ ପାସକରି ଯାଉଛି; କିନ୍ତୁ ହୃଦୟର ଶିକ୍ଷାକୁ ଅତି ଅସିଦ୍ଧ ଭାବରେ ଅବହେଳା କରି ଆସୁଥିବାର ତା’ର ଜୀବନଦୃଷ୍ଟି ଅତି କ୍ଷୀଣ, ଅତି ସଂକୀର୍ଣ୍ଣ ହୋଇ ଯାଉଛି । ଆଧୁନିକ ସଭ୍ୟତାର ଗଣନାଯନ୍ତ୍ରପରି ସେ ମଧ୍ୟ ଅତି ପ୍ରାଣହୀନ ହୋଇ ପଡ଼ୁଚି । ତା’ର ଅନୁଭବ କରିବାର ଶକ୍ତି ମରି ଯାଉଚି । ସମଦୁଃଖୀ ହେବାର ଶାଳୀନତା ନଷ୍ଟ ହୋଇ ଯାଉଛି । ନିର୍ଭୀକ ହୋଇ ଆପଣା ହୃଦୟ ଓ ବିବେକର ବୋଲ ମାନିବାକୁ ସେ ଆଉ ସାହସ କରି ପାରୁନାହିଁ । ଯିଏ ଆଜି ଏ ଦେଶର ଶିକ୍ଷା କଥା ଚିନ୍ତା କରୁଛି, ଏ ଦେଶର ପିଲାଙ୍କର ସୁଶିକ୍ଷା ଲାଗି ପ୍ରକୃତରେ ମୁଣ୍ଡ ଖେଳାଉଛି, ବର୍ତ୍ତମାନ ଯେତେ ଫାଙ୍କି ଦେଉଥିଲେ ମଧ୍ୟ ଦିନେ ନା ଦିନେ ତାକୁ ଏସବୁ ସମସ୍ୟାର ସମାଧାନ କରିବାକୁ ହେବ । କୋଠାଘରର ପାଠୁଆ ଅଧ୍ୟାପକଙ୍କୁ ଦିନେ ନା ଦିନେ ସେ ପଢ଼ାଉଥିବା ସବୁ ପାଠର ଶୂନ୍ୟତା ଓ ହୃଦୟହୀନତା ବିଷୟରେ ସଚେତ ହେବାକୁ ହିଁ ପଡ଼ିବ ନଚେତ୍ ଆପଣା ପାଣ୍ଡିତ୍ୟର ଅପଚୟରେ ସେ ଦେବାଳିଆ ହୋଇଯିବ ।

 

ସେଦିନ ଏରଡ଼ଙ୍ଗାରୁ ଜୟପୁର ଚାଲିଆସିବା ବାଟରେ ଗୋଟାଏ କଥା ଶୁଣିବାକୁ ମିଳିଲା । କାହାର ଗୋରୁ କାହାର ଧାନବିଲରେ ଫସଲ ଖାଇଲେ, ସେଥିଲାଗି ଦୁଇଜଣଙ୍କ ଭିତରେ କଜିଆ ଲାଗିଥାଏ । ରାସ୍ତା ଉପରେ ଠିଆ ହୋଇ ସେ ଦୁହିଁଙ୍କ ମଧ୍ୟରୁ ଜଣେ କହୁଥାଏ, ‘ବଢ଼ି ପାଣି ଆସି ସଂସାର ଉଚ୍ଛନ୍ନ କରିଦେଲା ଯେ ତୁ ବାଟିକିଆ ହୋଇ ସରକାର ଘରୁ ଚାଉଳ ମାଗି ଆଣି ଖାଇଲୁ, ମୁଁ ଗୁଣ୍ଠିକିଆ ହୋଇ ମାଗି ଆଣି ଖାଇଲି । ତଥାପି ତୋ ମୁହଁଟା କାହିଁକି ବାଟିକିଆ ମୁହଁ ହୋଇ ରହିଥିବ ?’ କାହାର ବାଟିଏ ଜମି ଥିଲା ତ କାହାର ଗୁଣ୍ଠେ ଜମି ଥିଲା, କାହାର ପୁଣି ମୋଟେ ନଥିଲା । ବଢ଼ି ପାଣି କିଛି ମାନିଲା ନାହିଁ, ଜଳଜଙ୍ଗଲର ଗ୍ରାସରେ ସମସ୍ତେ ଏକାକାର ହୋଇଗଲେ । ସଂସାରର ଦୁଃଖ ମଣିଷକୁ ଏକାଠି ହେବାକୁ ଶିଖାଏ, କୌଣସି ଅହଙ୍କାର ନ ରଖି ଏକାଠି ଜୀବନ ବହିବାକୁ ଶିଖାଏ, କୁଡ଼ିଆ ସହିତ କୋଠାକୁ ଏକ ସହାନୁଭବର ସେତୁ ଦେଇ ଗଅଁଠାଇ ଦିଏ । ଏଥରର ବଢ଼ି ହୁଏତ ଆମକୁ ଏହି ଅନୁଭବ ଦେଇ ଯାଇଥିବ । ଭଙ୍ଗାଘର ଯାଇ ପୁଣି ଯେତେବେଳେ ନୂଆ ଘରର ସଂସାର ହସି ଉଠିବ, ହୁଏତ ସେଦିନ ଆମର ହୃଦୟ ଅଧିକ ନିର୍ମଳ ହୋଇଥିବ, ଆମର ଶିକ୍ଷାରେ ଅଧିକ ବିବେକ ଲାଗି ସ୍ଥାନ ରହିଥିବ ।

 

–ନଅ–

 

ସେଦିନ ସକାଳୁ ସକାଳୁ ଏରସମା ଥାନାର ଗୋଟିଏ ଗାଆଁ ସ୍କୁଲରେ ଆମେ ପହଞ୍ଚିଲୁ । ସେଇ ସ୍କୁଲରେ ଦିନେ ଦୁଇଦିନ ରହି ଆଖପାଖ ଗାଁରେ ରିଲିଫକାମ କରିବାର କଥା ହୋଇଥାଏ । ସ୍କୁଲ ଘର ତିନି ବଖରାକୁ ଗୋଟିଏ ବଖରାରେ ଆମକୁ ରହିବାକୁ କହିଲେ । ବଖରାଟିରେ ପହଞ୍ଚି ଦେଖିଲୁ, ବଖରାଟି ବଡ଼ ଅସନା ହୋଇ ପଡ଼ିଛି । କେଉଁ ଦିନରୁ ସେ ଘରେ ଝାଡ଼ୁ ବାଜି ନାହିଁ । ଲିପାପୋଛା ଅଭାବରୁ ଧୂଳି ଉଠିଗଲାଣି । ପ୍ରଥମେ ପ୍ରଥମେ ବଡ଼ ଅଶ୍ଵସ୍ତି ଲାଗିଲା । ତଥାପି ଯଥାସମ୍ଭବ ଧୂଳି ପରିଷ୍କାର କରି ପାଣି ଛିଞ୍ଚାଇ ଆମେ ସେଇଠି ରହିଲୁ । ଦିନଟାଏ ବେଶ୍ କଟିଗଲା-। ସେ ଅଞ୍ଚଳ କାମ ବି ଦିନକ ଭିତରେ ଶେଷ ହୋଇଗଲା । ତା ଆରଦିନ ଖରାବେଳକୁ ସେଠୁ ଡଙ୍ଗା ଚଢ଼ି ଆମେ ଏରସମା ବାହାରି ଆସିବାର କଥା । ଆମେସବୁ ରୋଷାଇବାସ ବଢ଼ାଇ ଖାଇବା ଲାଗି ତିଆରି ହେଉଚୁ । ଏତିକିବେଳେ ଗୋଟାଏ ଘଣ୍ଟା ଟିନ୍ ଟିନ୍ ହୋଇ ବାଜିଲା । ସାଢ଼େ ଦଶଟା ହେବ, ବରଷାଦିନିଆ ଖରା ବେଶ ଟାଣହୋଇ ଆସିଲାଣି । ଏ ପାଖରେ ଗାଆଁ ମାଷ୍ଟର ଓ ଗାଆଁ ମାମଲତକାର ମିଶି ସରକାରୀ ପଡ଼ି ଚାଉଳ ବାଣ୍ଟୁଛନ୍ତି । ନାନାପ୍ରକାର ଅଭିଯୋଗ ତୋଡ଼–ଗୋଳରେ ଘର କମ୍ପୁଛି । ଏ ପାଖରୁ ଶିକ୍ଷକଙ୍କର ଘର ଭିତରୁ ହାଣ୍ଡି ଖଡ଼ଖଡ଼ ଶୁଭୁଚି । ହଠାତ୍ ଘଣ୍ଟାଟା ବିଷୟରେ କିଛି ଅନୁମାନ କରି ପାରିଲି ନାହିଁ । ବାହାରକୁ ଚାହିଁ ଦେଖିଲି ପିଲାଏ ଧାଡ଼ିକରି ଠିଆ ହେଉଚନ୍ତି । ଘୁଷୁରିପଲ ପରି ଠେଲାଠେଲି ହୋଇ ଯେକୌଣସି ମତେ ଧାଡ଼ିରେ ସାମିଲ ହୋଇ ପାରିବାର ଗୋଟାଏ ଛନଛନ ମନ ସମସ୍ତଙ୍କୁ ବ୍ୟସ୍ତ ବିଚଳିତ କରି ରଖିଛି । ଗୋଟାଏ ଗୋଟାଏ ପିଲା ଯେଉଁମାନେ ଘରୁ ଡେରି କରି ବାହାରିଛନ୍ତି, କାଖରେ ବସ୍ତାନି ଜାକି ବଡ଼ ଅତର୍ଚ୍ଛାରେ ଦଉଡ଼ିଚନ୍ତି ଘଣ୍ଟା ଶବ୍ଦ ଶୁଣି । ଘାସ ଉପରେ ବସ୍ତାନି ପକାଇ ଦେଇ ଗୋଠଖଣ୍ଡିଆ ମଣିଷର ଅପରାଧୀ ମନରେ ସେମାନେ ମଧ୍ୟ ଯାଇ ଧାଡ଼ିରେ ମିଶୁଛନ୍ତି । ସେ ଗୋଟାଏ ଅଦ୍ଭୁତ ଦୃଶ୍ୟ, ଦେଖିଲେ ବିକଳ ଯେତିକି ଲାଗିବ, ହସ ବି ଲାଗିବ ସେତିକି । ଯାହା ହେଉ, ପିଲାଏ ଯେକୌଣସି ପ୍ରକାରେ ଧାଡ଼ି କରି ଠିଆ ହୋଇଗଲେ । ଆଗରେ ଗାଧୁଆବେଳର ଖରା ମୁହଁ ଉପରକୁ ତୀର ମାରୁଥାଏ । ଆଖି ଖୋଲି ଅନାଇ ହେଉ ନଥାଏ । ଏହି ସମୟରେ ଗୋଟାଏ ବଡ଼ ପିଲା “ଶାନ୍ତି” ବୋଲି ପାଟି କଲା । ସମସ୍ତେ ଶାନ୍ତ ହୋଇଗଲେ, ଆଖିମାନ ବୁଜି ହୋଇଗଲା-। ସେଇଠୁ ପ୍ରାର୍ଥନା ଆରମ୍ଭ ହେଲା । “ରଘୁପତି ରାଘବ ରାଜା ରାମ” ଦୋହାକୁ ପିଲାଏ ପ୍ରାୟ ୩/୪ ମିନିଟ ଯାଏ ବଡ଼ ପାଟିକରି ବୋଲିଲେ । ସଙ୍ଗୀତ ଦୃଷ୍ଟିରେ ଶୁଣିବା ମଣିଷକୁ ଏ ସମ୍ମିଳିତ ହୋ’ହା’ କିପରି ଶୁଭିଲା ସେ କଥା ସହଜରେ ଅନୁମାନ କରାଯାଇ ପାରିବ । ସେଠି ତ ରାଗ, ରସ, ତାଳ, ଲୟର ପ୍ରଶ୍ନ ନଥିଲା । କେବଳ ରୁଟିନ୍ ହିଁ ଥିଲା ।

 

ଖାଲି ରୁଟିନଟା ମାନି କାମ ଚଳିବାର ଅଭ୍ୟାସଗତ ଭୟରେ ପିଲାମାନେ ପ୍ରାର୍ଥନାରେ ଖରାକୁ ଅନାଇ ଠିଆ ହୋଇ ଗୋଟାଏ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ପାଟିତୁଣ୍ଡ କରିବାର ପରିଶ୍ରମ କରିଗଲେ । କାଲି ଯେମିତି କରିଥିଲେ, ଆଜି ମଧ୍ୟ ଠିକ୍ ସେମିତି କଲେ । ସେଠି କୌଣସି ଅନୁଭୂତି, କୌଣସି ବୈଚିତ୍ର୍ୟ ବା କୌଣସି ବିସ୍ମୟ ନଥିଲା । ଆଉ ପିଲାଙ୍କର ଏହି ସମ୍ମିଳିତ ଶ୍ରମ-କଷଣରେ ବିଦ୍ୟାଳୟର ଶିକ୍ଷକ ଯୋଗ ଦେଇ ନଥିଲେ । ଜାତିବିଭାଗ ନ୍ୟାୟର କର୍ମ-ବିଭାଗ ଭଳି ଆମ ଦେଶର ପରମ୍ପରାଗତ ଶିକ୍ଷାନୁଷ୍ଠାନମାନଙ୍କରେ ସେହିପରି କର୍ମବିଭାଗ ହୋଇ ଗଲାଣି । ମାଷ୍ଟ୍ର ଯାହା କରିବେ ପିଲାଏ ତାହା କରିବେ ନାହିଁ । ପୁଣି ପିଲାଏ ଯାହା କରିବେ ମାଷ୍ଟ୍ର ତାହା କରିବେ ନାହିଁ । ଏ କଥା କହିଲା ବେଳକୁ ଯମକଟା ଠିକ୍ ବାବୁଚାକରର ନ୍ୟାୟ ପରି ଶୁଭୁଚି । ରବିବାର ଦିନ ଖରାବେଳେ ପିଲାଏ ଚୁପ୍ ହୋଇ ଅଙ୍କ କଷିବେ, ସାହିତ୍ୟ ବହି ନୋଟର ଭାବାର୍ଥମାନ ମୁଖସ୍ଥ କରିବେ, କି ଇଂରାଜୀ ଶବ୍ଦର ଅର୍ଥ ଘୋଷିବେ । କିନ୍ତୁ ମାଷ୍ଟ୍ରମାନେ ଖାଇ ପିଇ ପାନଡ଼ିବା ଧରି ପଶାଖେଳ ଖେଳିବେ । ସନ୍ଧ୍ୟା ହୋଇ ଆସିଲେ ପିଲାଏ ଲଣ୍ଠନ ପୋଛିବେ ଅଥଚ ମାଷ୍ଟ୍ର ଗୁଡ଼ାଖୁ ଘଷି ଘଷି ବା ଝାଡ଼ା ଫେରିଯିବାର ଅନ୍ୟ କୌଣସି ଆନୁଷଙ୍ଗିକ ଧରି ନଈ ଆଡ଼କୁ ବାହାରି ଯିବେ । ଦିନର ଚବିଶ ଘଣ୍ଟାକୁ ଛତିଶଘଣ୍ଟା କରି ବହିଧରି ବସିବାର ଉପଦେଶ ପିଲାଙ୍କୁ ଦିଆଯିବ, ଅଥଚ ନିଜେ ମାଷ୍ଟ୍ରେ କୌଣସିଦିନ ଅଧ୍ୟୟନ କରିବେ ନାହିଁ । ସେ ଖାଲି ପଢ଼ାଇବେ । ପିଲାଏ ନ ପଢ଼ିଲେ ବା ଚଗଲା ହେଲେ ବେତ ମାରିବେ, କାନ ମୋଡ଼ିବେ । କିନ୍ତୁ ବର୍ଷ ବର୍ଷ ଧରି କୌଣସି ବହି ନ ପଢ଼ିଲେ ମଧ୍ୟ କୌଣସି ବିବେକ-ବୁଦ୍ଧି ସେମାନଙ୍କୁ ମାଡ଼ ଦେବାକୁ ଆସିବ ନାହିଁ । ପିଲାଙ୍କ ପାଇଁ ସ୍କୁଲ ଘଣ୍ଟା ବାଜିବ । ଘରୁ ଧାଇଁ ଧାଇଁ ଆସିଥିବା ପଖାଳଖିଆ, ଦରଖିଆ ବା ଅଖିଆ ପିଲାମାନେ ଟାଣଖରାରେ ସିଝି ସିଝି ଆଦେଶମତେ ହାତଯୋଡ଼ି ପ୍ରାଥର୍ନା କରିବେ, ଅଥଚ ସ୍କୁଲ ବେଳ ହୋଇଗଲାଣି ବୋଲି ପିଲାଙ୍କର ମାଷ୍ଟ୍ରେ ସେତେବେଳକୁ ଆପଣା ଟୁଙ୍ଗିଟିରେ ତର ତର ହୋଇ ପତର ପକାଇ ଗଣ୍ଡିଏ ଖାଇ ଦେବାକୁ ବାହାରୁଥିବେ । ଏପରି ବାଧ୍ୟ କରାଯାଇ ପିଲାଙ୍କ ଉପରେ ପ୍ରାର୍ଥନାର ରୁଟିନ୍ ମଡ଼ାଇ ନେବାରେ କେତେଦୂର ସାର୍ଥକତା ଯେ ମିଳୁଥିବ, ଉପରୁ ରହି ମଣିଷର ବୁଦ୍ଧି ଓ ଦୁର୍ବୁଦ୍ଧିର ବିଚାର କରୁଥିବା ଭଗବାନଙ୍କୁ ଅବା ତାହା ଜଣାଥିବ । ପୁଣି ଏପରି ରୁଟିନ୍ ଚଳାଇ ଧର୍ମ ଓ ଭଗବାନଙ୍କ ଲାଗି ପିଲାଙ୍କର ମନକୁ କେତେଦୂର ପ୍ରସ୍ତୁତ କରାଯାଉଛି, ପାଠପଢ଼ାର କୋଡ଼୍ ଧରି ବସିରହିଥିବା ହାକିମ ଏବଂ କୋବିଦମାନେ ସେକଥାର ବିବେଚନା କରିପାରିବେ ।

Unknown

 

ଆଉଗୋଟାଏ ଦୃଷ୍ଟିରୁ ମୁଁ ଏ ଘଟଣାର ବିଚାର କରୁଛି । ଖ୍ରୀଷ୍ଟିୟାନମାନେ ସପ୍ତାହରେ ଦିନେ ଗୀର୍ଜାରେ ବସି ପ୍ରାର୍ଥନା କରିବାକୁ ଯାଆନ୍ତି । ଆଉ ଛଅଦିନ ସଂସାର ଭିତରେ ଆରାମରେ ବ୍ୟସ୍ତ, ନିମଗ୍ନ ହୋଇ ଥାଆନ୍ତି ବୋଲି ଆମର ହିନ୍ଦୁ ପଣ୍ଡିତମାନେ ବେଳେବେଳେ ସେମାନଙ୍କୁ ପରିହାସ କରନ୍ତି । କିନ୍ତୁ ଆମର ହିନ୍ଦୁ ଧର୍ମ-ବ୍ୟବହାରରେ ଧର୍ମର କି ଅବଶେଷ ଆମେ ଆଜି ରଖିଛୁ-? ଆମର ଜୀବନରେ ଧର୍ମାନୁଭୂତି ଆଜି କେତେଦୂର ଗଭୀର ହୋଇ ରହି ପାରିଚି-? ଏକ ଆଧ୍ୟାତ୍ମିକ ଦୃଷ୍ଟି ଲାଭ କରି, ଏକ ଆଧ୍ୟାତ୍ମିକ ଜୀବନ ଏଇଠି ଏଇ ସଂସାରରେ ବଞ୍ଚି ପାରିବାର, ନାନା ସମ୍ଭାବନା ଓ ସମ୍ଭାବନା-ପଥର ନାନା ସୂଚନା ଆମ ଧର୍ମଶାସ୍ତ୍ରରେ ଦିଆଯାଇଛି । ଆମେ କେତେଜଣ ଏସବୁର ଅନୁଶୀଳନ କରୁଚୁ ? ଜଣେ ଶିକ୍ଷକ ହିସାବରେ ଆମ ଶିକ୍ଷାକ୍ଷେତ୍ରର କଥା ମୁଁ ଭାବୁଚି । ମୁଁ ତ କହିବି ବର୍ତ୍ତମାନର ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ, ତିନିହେଁ ତିନୋଟି ଝିଙ୍କା ହୋଇ, ଆମେ ଧର୍ମର ଆନ୍ତରିକତାକୁ ପୋଡ଼ି ପାଉଁଶ କରି ଦେବାର ବିନାଶବୁଦ୍ଧି ଧରିଚୁ । ଆମର ଦୃଷ୍ଟିରେ ସମଗ୍ରତା ନାହିଁ । ଜୀବନର ଆଚରଣରେ କୌଣସି ପ୍ରକାର ସୌନ୍ଦର୍ଯ୍ୟ ନାହିଁ । ଯେଉଁ ଗଭୀର ଅନୁଭୂତିର ସୂତ୍ର ଦେଇ ଆମେ ଆମର ଧର୍ମ, ଆମର ସଂସ୍କୃତି, ଆମର ସମାଜକୁ ଆପଣା ଜୀବନ ସହିତ ଗଅଁଠେଇ ରଖିପାରନ୍ତୁ, ସେ ଅନୁଭୂତି ଲାଭ କରିବାର ସମସ୍ତ ପ୍ରବଣତାକୁ ଆମର ପୁରୁଣା ପାଠ-ଖାତାରେ ମାରି ଦିଆଯାଇଚି । ଆମର ଧର୍ମାଚାରରେ କୌଣସି ଶାଳୀନତା ନାହିଁ । ଆମର ଧର୍ମଜୀବନରେ କେବଳ କେତେଟା ଅନ୍ଧ ଅମିତବ୍ୟୟିତାର ଆଡ଼ମ୍ବର ଅବଶିଷ୍ଟ ରହିଚି । କେତେଟା ରୂଢ଼ି ଓ କେତେଟା ଅଲରା ବିଶ୍ଵାସକୁ ଧର୍ମ-ପେଡ଼ିର ଏକମାତ୍ର ସଞ୍ଚୟ କରି ରଖି, ଆମେ ସମସ୍ତେ ଆଜି ନାନା ସଂଶୟ ଓ ଅବିଶ୍ଵାସରେ ଦେବାଳିଆ ହେବାକୁ ବସିଲୁଣି । ଭଗବାନଙ୍କୁ ପ୍ରାର୍ଥନା କରିବାର ମହାନ କର୍ତ୍ତବ୍ୟକୁ କେବଳ ଗୋଟାଏ ରୁଟିନ୍ କରି ଦେଇ ଆମେ ପିଲାର ସ୍ଵାଭାବିକ ଧର୍ମବିଶ୍ଵାସର ବିକାଶଦ୍ଵାରକୁ ବଡ଼ ଅବିବେକୀ ଭାବରେ ବନ୍ଦ କରି ରଖିଚୁ ।

 

ପିଲାଦିନେ ସେ ଆମରି ପ୍ରମତ୍ତତାପ୍ରସୂତ ରୁଟିନ୍ ମାନି ପ୍ରାର୍ଥନା କରୁଚି, ବଡ଼ ହୋଇ ସେ ଆପେ ପ୍ରମତ୍ତ ହୋଇ ଯାଉଚି । ଠିକ୍ ବାଟଧରି ସେ ଭଗବାନଙ୍କର ଓ ଆତ୍ମପରିଚୟର ଦ୍ଵାରସ୍ଥ ହୋଇ ପାରୁନାହିଁ । ପିଲାଦିନୁ ସେ ଭଗବାନଙ୍କୁ କେବଳ ଭୟ କରି ଶିଖୁଚି, ଠିକ୍ ମାଷ୍ଟ୍ରକୁ ଭୟ କଲାପରି । ସେଥିଲାଗି ସଂସାରରେ ପ୍ରବେଶ କରି ସେ ଶ୍ରଦ୍ଧା ଓ ଭକ୍ତିର ଭୟଶୂନ୍ୟ ଅନ୍ତର ନେଇ ସହଜ ଅନୁଭବ ଦ୍ଵାରା ଭଗବାନଙ୍କର ନିକଟକୁ ଆସି ପାରୁନାହିଁ । ତାର ଅଳ୍ପ ବୁଦ୍ଧିରେ ସେ ଭଗବାନଙ୍କୁ ଖଟୁଲିରେ ବସାଇ ପୂଜା କରୁଚି । ତାଙ୍କଲାଗି ବାର ବର୍ଷରେ ତେର ପ୍ରକାର ଭୋଗ ବାଢ଼ୁଚି । ନାନା ଆଚାର, ଉପଚାର ଓ ଆଡ଼ମ୍ବର ଦାସ ହୋଇ ସେ ଧର୍ମ ଅର୍ଜିବାର ଅବିଦ୍ୟାଭିତରେ ବୁଡ଼ି ରହୁଚି । କିନ୍ତୁ ଆପଣା ଭିତରେ ଯେ ଭଗବାନ ରହିଚି, ଆପଣାର ବ୍ୟକ୍ତିଗତ ଓ ସାମାଜିକ ସମ୍ପର୍କଗୁଡ଼ିକୁ ଶୁଦ୍ଧ ଓ ଆଧ୍ୟାତ୍ମିକ ସ୍ତରକୁ ଉନ୍ନତ କରି ଜୀବନର ପ୍ରତ୍ୟେକ କାର୍ଯ୍ୟରେ ଧର୍ମାନୁଭୂତି ଲାଭ କରିବାର ଯେ ଏକ ନିବିଡ଼ ଧର୍ମାବଲମ୍ବନର ମାର୍ଗ ରହିଚି, ସେକଥା ସେ ଜାଣି ପାରୁନାହିଁ । ତେଣୁ ଧର୍ମ ଗୋଟାଏ ପୋଷାକ ହୋଇ ଯାଉଚି । ନାନା ପ୍ରକାର ଭୟ ଓ ଅଭିମାନର ସୁସଜ୍ଜିତ ପାତ୍ର ଦ୍ଵାରା ଧର୍ମଜୀବନର ସୁଖ ଢାଙ୍କି ହୋଇ ରହୁଛି । ଧର୍ମ ମଣିଷକୁ ସାହାସୀ ଓ ଶକ୍ତିମାନ୍ କରି ପାରୁନାହିଁ । ମଣିଷ ଆପେ ଆପେ ଆପଣାକୁ ଚିହ୍ନିବାର ସାଧନପଥ ଛାଡ଼ି ଦେଇ ସଂସ୍କାର ଓ ବାହ୍ୟ ଆଚାରପ୍ରମତ୍ତ ଦାସ ହୋଇ ରହିବାର ଶସ୍ତା ବାଟ ଧରିବାକୁ ଆଜି ଏତେ ସୁଖ ପାଉଛି ।

 

–ଦଶ–

 

ଏରସମାରେ ଆସି କାମ କରିବାର ପ୍ରାୟ ମାସେ ହୋଇଗଲା । ମାସେ ହେଲା ଆମର ପାଠ, ବହିପଢ଼ା ଓ ଅଙ୍କକଷା କୁଆଡ଼େ ଯାଇଛି । ମାସକ ତଳେ ଯେଉଁଦିନ ସଞ୍ଜବେଳେ ଗୋଟାସୁଦ୍ଧା କାଦୁଅପାଣି ହୋଇ ରାହାକାରୁ ଚାଲି ଚାଲି ଆସି ଆମେ ଏରସମା ଥାନାରେ ପହଞ୍ଚିଲୁ, ସେଦିନ ଥାନାର ହାଜତଘରେ ଆମର ରହିବା ଲାଗି ସ୍ଥାନ ଠିକ୍ ହୋଇଥିଲା । ପନ୍ଦର ଜଣ ମଣିଷଙ୍କର ବିଛଣାପତ୍ର ଓ ଖାଇବା ସାମଗ୍ରୀ ରଖିଦେଲେ ଘରଟି ବେଶ ପୂର୍ଣ୍ଣ ହୋଇ ଯାଉଥାଏ । ଆମ ଦେଶରେ ଦୋଷୀ ବା ଅପରାଧୀ ପ୍ରତି ଯେପରି ବ୍ୟବହାର କରାଯାଏ, ଏ ଦେଶରେ ହେଉଥିବା ନାନା ନିଷ୍ଠୁରତାର ତାହା ଗୋଟିଏ ନମୁନା । ଦଶ ହାତରେ ତିନି ହାତ ନିବୁଜ ଘରଖଣ୍ଡେ, ଗୋଟିଏ ବୋଲି ଝରକା ନାହିଁ, ବୟାଳିଶି ଆନ୍ଦୋଳନରେ ଏସବୁ ଘରେ ଥାନାର ଅତିଥି ହୋଇ ରହିବାର ଅଭିଜ୍ଞତା ମୋର ଅନେକ ହୋଇଥିଲା । ଏରସମା ଥାନାରେ ଆମେ ସେଇ ଘରେ ରହିଲୁ । ରାତିରେ ଥାନା ପିଣ୍ଡାରେ ଶୋଇପଡ଼ୁ । ବର୍ଷା ହେଲେତ କଥା ସରିଲା । ଏଇ ଘରକୁ କେନ୍ଦ୍ର କରି ଆମର ମାସକର କାର୍ଯ୍ୟକ୍ରମ ଚାଲିଲା । ଏହି ଘର ଆମର ପାଠଶାଳା ହେଲା । ସାଧାରଣତଃ ବାପ ମାଆ ବା ମାଷ୍ଟର ଏ କଥା ଶୁଣିଲେ କହିବେ ପିଲାଙ୍କର ମାସେ ସମୟ ବୃଥା ହେଲା । ପାଣି କାଦୁଅ ଏବଂ ବର୍ଷାରେ ପିଲାଏ ଖାଲି କଷ୍ଟ ପାଇଲେ । ପାଠ ପଢ଼ିବା ଆଉ ଜୀବନ ଗଢ଼ିବା ଯୋଉଠି ସ୍କୁଲଘରର ଚାରି କାନ୍ଥ ଭିତରେ ସୀମାବଦ୍ଧ ରହିଛି, ସେଠିକା କଥା ଅବଶ୍ୟ ମୁଁ କହି ପାରିବି ନାହିଁ । ଶିକ୍ଷାର ବ୍ୟବସ୍ଥା କରୁଥିବା ଦାରୋଗାମାନେ ଆମର ଏଇ ମାସଟାକୁ ହୁଏତ ଖାଲି ସମୟର ଅପଚୟ ବୋଲି ବିଚାରିବେ ।

 

ଆମକୁ ଶାସ୍ତି ଦେବାପାଇଁ ସେମାନେ ହୁଏତ ଆମ ହାଜିରା ବହି ମଗାଇ ପଠାଇବେ । ତଥାପି ଆମେ କହିବା ଆମର ପାଠଶାଳା ଚାରିଟା କାନ୍ଥ ଓ ଗୋଟାଏ ମାଷ୍ଟରରେ ବାଡ଼ ଦିଆ ହୋଇଥିବା ପାଠଶାଳା ନୁହେଁ । ଆମର ଏହି ପାଠଶାଳା ବିଶ୍ଵବ୍ୟାପୀ ପାଠଶାଳା । ଚାରିଜଣ ହାକିମଙ୍କୁ ଧରାଧରି କରି ଗୋଟିଏ ଚାକିରି ପାଇବାରେ ଆମ ପାଠଶାଳାର ସମସ୍ତ ଧ୍ୟାନଧାରଣା ସମାପ୍ତ ହୁଏ ନାହିଁ । ଜାଣିବାର, ଚିହ୍ନିବାର ଓ ସର୍ବୋପରି ଅନୁଭବ କରିବାର କ୍ଷୁଧା ନେଇ ଆମେ ଯେଉଁମାନେ ଆମର ବନ ବିଦ୍ୟାଳୟଟି ଗଢ଼ିଚୁ, ସାରା ପୃଥିବୀର ସବୁ କ୍ଷେତ୍ରରେ ଶିକ୍ଷାର୍ଥୀର ଜିଜ୍ଞାସା ନେଇ ପ୍ରବେଶ କରିବାର ଧୈର୍ଯ୍ୟ ଆମେ ଅର୍ଜନ କରିବା । ଏ ବିଶ୍ଵବ୍ରହ୍ମାଣ୍ଡରେ ସମସ୍ତେ ଆମର ଗୁରୁ । ଏ ଦେଶର ଇତିହାସ ଭୂଗୋଳ ବିଷୟରେ ଆମର ଜ୍ଞାନକୁ ପୂର୍ଣ୍ଣତର କରିବା ଲାଗି ଆମେ ଏ ଦେଶର ମଣିଷକୁ ଚିହ୍ନିବୁ । ତାର ବିଭିନ୍ନ ସମସ୍ୟାର ଉତ୍ତର ଆମେ ଜ୍ଞାନର ସକଳ ସାଧନା ନେଇ ଖୋଜି ବୁଲିବୁ । ଏ ଦେଶର ମଣିଷ ସହିତ ଏକାତ୍ମ ହୋଇପାରିବାର ଯେତେ କ୍ଷେତ୍ର ଆମେ ପାଇବୁ, ସେହି କ୍ଷେତ୍ରରେ ପହଞ୍ଚି ମଣିଷର ସୁଖଦୁଃଖରେ ଭାଗ ନେବାକୁ ଆମେ କଦାପି ପଛାଇବୁ ନାହିଁ । ଏହି ଜଙ୍ଗଲ ସ୍କୁଲର ଯେଉଁ ବିଦ୍ୟାର୍ଥୀ–ଦୀକ୍ଷା ଆମେ ଗ୍ରହଣ କରିବୁ, ଜୀବନସାରା ଆମେ ସେହି ବିଦ୍ୟାର୍ଥୀ ହୋଇ ରହିବୁ ।

 

ଆମ ଦେଶରେ ନାନା ଉପଚାରକେ ନାନା ଗେଲବସର ପାଠ ପଢ଼ି ବର୍ଷକୁ ବର୍ଷ କେତେ ଗେଲବସର ହାକିମ ତିଆରି ହେଉଛନ୍ତି । ଯିଏ ଚାରି ବର୍ଷ କି ଛଅ ବର୍ଷ କଲେଜରେ ପଢ଼ି ଖଣ୍ଡେ ଚାକିରି ପାଉଚି, ତାର ଗେଲବସରର ଆଉ ସୀମା ରହୁନାହିଁ । ତାର ଗୋଡ଼ ପାଣି କାଦୁଅ ହେବାକୁ ଡରୁଚି, ତାର ଦେହ ଉପରେ ଚକଚକିଆ ପୋଷାକ ଗୁଡ଼ାଇ ଦିଆ ନଯିବା ପର୍ଯ୍ୟନ୍ତ ସେ ପାଞ୍ଚଜଣଙ୍କ ସଙ୍ଗେ କଥା କହିବାକୁ ଲାଜ କରୁଚି । ଆମ ଓଡ଼ିଶାର ହାକିମଙ୍କ ସହିତ ଯିଏ ଅଳ୍ପେ ବହୁତ ପରିଚିତ ହୋଇଥିବ, ସେ ଏକଥା ନିଶ୍ଚୟ ଅନୁଭବ କରିଥିବ । ଓଡ଼ିଶାର କେତେଜଣ ହାକିମ କୋରାପୁଟ ଜିଲାକୁ ଖୁସି ହୋଇ ଯାଆନ୍ତି ? କୋରାପୁଟ ଘରଠାରୁ ଦୂର, ନଈ ନାଳ ଆଉ ବନସ୍ତରେ ସେ ଜିଲ୍ଲା ଅତି ଭୀଷଣ । ସେଠି ବାଘଭୟ ରହିଛି, ସେଠି ଜଳବାୟୁ ବଡ଼ ଖରାପ, ସେଠିକାର ମଣିଷଗୁଡ଼ାକ ସଭ୍ୟ ସୌଖୀନ ସମାଜର ଧାର ଧାରନ୍ତି ନାହିଁ, ପ୍ରଭୃତି ନାନା ପ୍ରକାର କାଳ୍ପନିକ ଯୁକ୍ତି ଦେଖାଇ ଆମ ଦେଶର କେତେ ଶିକ୍ଷକ ହାକିମ ଯେ ଧରାଧରି କରି କଟକ ବା ପୁରୀରେ ଜୀବନଯାକ ରହିଯିବାର ଚେଷ୍ଟା କରନ୍ତି, ସେକଥା ହାକିମ ମହଲରେ ପ୍ରତ୍ୟେକେ ଅଙ୍ଗେ ନିଭାଇ ଥିବେ । ଏରସମା ତ ସହଜେ ତଳମାଳ ଅଞ୍ଚଳ, ଏଣୁ ନଈବଢ଼ି ପାଣି ଓ ତେଣୁ ସମୁଦ୍ରର ପାଣି । ଉଭୟ ମିଶି ଏ ପର୍ଯ୍ୟନ୍ତ ଏରସମାକୁ ଜଳାର୍ଣ୍ଣବ କରି ରଖିଛି । ସେଠିକାର ଗୃହଦ୍ଵାରଶୂନ୍ୟ ମଣିଷ ଏ ପର୍ଯ୍ୟନ୍ତ ନାନା ଯନ୍ତ୍ରଣା ଆହବ ଭିତରେ ପଡ଼ି ହତାଶ ହୋଇ ବସିଚି । ସେଠି ମଣିଷ ଲାଗି ଖାଇବାକୁ ନାହିଁ । ଉପବାସରେ ରହି ପିଲାଏ ସ୍କୁଲକୁ ପାଠ ପଢ଼ିବାକୁ ଆସି ନାହାନ୍ତି । କେଉଁଠି ଅବା କାମ ମିଳିବ କି ମୁଢ଼ି ବଣ୍ଟାଯିବ ବୋଲି ମଣିଷ ନଅଙ୍କିଆ ହୋଇ ଏଠୁ ସେଠିକି ଯାଉଛନ୍ତି । ସେଠିକି ପାଠପଢ଼ୁଆ ପିଲା କଣ ପାଇବାକୁ ଯିବେ ?

 

ଆମ ଜଙ୍ଗଲ ସ୍କୁଲରେ ଅଳସୁଆ ପାଠ ପଢ଼ି ଆମେ ଅଳସୁଆ ହାକିମ ହେବାକୁ ଆସିନାହୁଁ । ଏ ଦେଶ ଆମର, ଏ ପୃଥିବୀ ଆମର, ଏ ପୃଥିବୀର ପଚରା ମଣିଷ ସଂସାରକୁ ସୁନ୍ଦର କରି ଗଢ଼ିପାରିବାର ଶକ୍ତି ଆମେ ଅର୍ଜନ କରିବୁ । ଆମ ବାହାରେ ବଳ ଅଛି, ଆମ ଚିତ୍ତରେ ତାରୁଣ୍ୟ ଭରି ରହିଚି । ତେବେ ଆମେ ଏ ଦେହକୁ ଡରିବା କାହିଁକି ? ଏ ଦେଶର ଦୁଃଖକୁ ଆମେ ମୁଣ୍ଡ ପୋତି ସହିଯିବା କାହିଁକି ? ଏ ଦେଶର ଆମରି ବୟସର ହଜାର ହଜାର ଟୋକା ଆଜି ବାଧ୍ୟ ହୋଇ ମୂର୍ଖ ହେଉଚନ୍ତି, ବାଧ୍ୟ ହୋଇ ହୀନ ଦାରିଦ୍ର୍ୟ ଓ ଅସ୍ଵାସ୍ଥ୍ୟ ଭାବରେ ପଚୁଛନ୍ତି । ଏ ଦେଶରେ ଆମେ ସେହିମାନଙ୍କର ପ୍ରତିନିଧି ହୋଇ ପାଠ ପଢ଼ିବାର ସୁଯୋଗ ପାଇଛୁ । ସେମାନଙ୍କ ପାଇଁ ଜୀବନର ପଥ ସହଜ ଓ ସୁନ୍ଦର କରିବା ଆମରି ଦାୟିତ୍ଵ । ଅଳସୁଆ ହୋଇ ଶସ୍ତା ଉପଭୋଗରେ ସମୟ ଅପଚୟ କରିବାର ବେଳ ଆମର କାହିଁ ? ଆପଣାକୁ ଓ ସମାଜକୁ ଠକି ସୌଖୀନ ବାବୁ ହେବାର ଦୁର୍ଭାଗ୍ୟ ଆମର କାହିଁ ? ନା–ଆମେ ଏ ଦେଶର ମାଟିକୁ ଚିହ୍ନିବୁ । ଏ ଦେଶର ମଣିଷକୁ ଚିହ୍ନିବୁ । ଏ ଦେଶର ସଂସ୍କୃତିକୁ ଚିହ୍ନିବୁ । ଏହି ଚିହ୍ନିବା ଭିତର ଦେଇ ଆମେ ଆପଣ ଜୀବନକୁ ଅଧିକ ଶ୍ରୀମନ୍ତ କରିବୁ । ଏ ଦେଶରେ ଦୁଃଖ ଅଛି ବୋଲି ଆମେ ଶଙ୍କି ଯିବୁନାହିଁ । କୋରାପୁଟ ଜିଲାରେ ବାଘ ଅଛନ୍ତି ବୋଲି ଆମେ କଟକ ସହରରେ ଆରାମର ଉଇହୁଙ୍କା ଭିତରେ ପଶିବୁ ନାହିଁ-। ଏ ବର୍ଷର ବଢ଼ି, ଏ ମରୁଡ଼ିକୁ ଦିନେ ଦେଶରୁ ତଡ଼ିବାକୁ ପଡ଼ିବ । ସାଧୁ ଜୀବନ ବଞ୍ଚିବାର କଳା ଅର୍ଜନ କରି ଆମ ସମାଜକୁ ଅଧିକ ସାଧୁ ହେବାରେ ସାହାଯ୍ୟ କରିବାକୁ ହେବ । ଏ ଦେଶରେ ଏକାକୀ ଲକ୍ଷ୍ମୀବନ୍ତ ହୋଇ ରହିବାର ସ୍ଵପ୍ନ ଯେଉଁ ପାଠୁଆ ଦେଖୁଥାଉ ପଛକେ, ଆମେ ଏ ଦେଶରେ ଲକ୍ଷ୍ମୀଛଡ଼ା ଦଳ ହୋଇ ତିଆରି ହେବା । ପଦ୍ମପତ୍ରର ଜଳବିନ୍ଦୁ ପରି ଆମେ ସତତ ସଚଳ ହୋଇ ରହିବା । କୌଣସି ପ୍ରକାର ଆଳସ୍ୟର ପ୍ରଲୋଭନ ଆମର ତାରୁଣ୍ୟକୁ ହ୍ରାସ କରିଦେବ ନାହିଁ-। ଏ ଅଲକ୍ଷଣା ଦେଶକୁ ବଦଳାଇବା ଲାଗି ହୁଏତ ଏହିପରି କେତେକ ଲୋକଙ୍କୁ ଲକ୍ଷ୍ମୀଛଡ଼ା ହୋଇ ରହିବାକୁ ପଡ଼ିବ, ଯେଉଁପରି ଖରା ବର୍ଷା ମାନିବେ ନାହିଁ, ସଂସାରର ଅପବାଦକୁ ମାନିବେ ନାହିଁ । ଯେଉଁମାନେ ବାଘକୁ ଡରିବେ ନାହିଁ, ଜଙ୍ଗଲକୁ ଡରିବେ ନାହିଁ, ପୁରୁଣା ମନ ଓ ପୁରୁଣା ବିଚାରର ଶାସନକୁ ଡରିବେ ନାହିଁ । କେବଳ ଭଗବାନଙ୍କୁ ଡରି ସବୁ ଡରକୁ ପାରହୋଇ ଯିବେ-। ଏହି ଲକ୍ଷ୍ମୀଛଡ଼ା ହେବାର ପାଠ ଆମେ ପଢ଼ିବା ।

 

ଏରସମା ଥାନାକୁ ସିନା ଏଇବର୍ଷ ବଢ଼ି ଆସିଲା । କିନ୍ତୁ ନିତିଦିନ ଆମ ସମାଜରେ ହାଜର ହଜାର ମଣିଷ ପ୍ରାଣୀ ନାନା ଦାରିଦ୍ର୍ୟ ଓ ନାନା ଅଶିକ୍ଷା ଭିତରେ ସଢ଼ି ସଢ଼ି ରହିଚନ୍ତି । ଯେକୌଣସି ପ୍ରାକୃତିକ ବନ୍ୟାର ଦୁର୍ଦ୍ଦଶାଠାରୁ ଏହି ସ୍ଵେଚ୍ଛାକୃତ ସାମାଜିକ ଦୁର୍ଦ୍ଦଶାର ଦଂଶନ ଅନେକ ବେଶୀ । ଆମେ ଦୁର୍ଦ୍ଦଶାଗ୍ରସ୍ତ ମଣିଷ ସହିତ ମାସେ ରହିଲେ, ସେମାନଙ୍କ ଦୁଃଖ କଥା ଶୁଣିଲେ, ସେହିମାନଙ୍କର କିଞ୍ଚିତ୍ ସେବା କରି, ସେମାନଙ୍କୁ କିଞ୍ଚିତ୍ ସାନ୍ତ୍ଵନା ଦେଇ ପାରିଲେ । ଏ ଦେଶର ମଣିଷର ମନ ଓ ସମସ୍ୟାକୁ ବୁଝିବାଲାଗି ଅନେକ ଜିନିଷ ଆମେ ଏହି ମାସଟିରେ ପାଇଲେ । ଏ ଦେଶରେ ଦୁଃଖ ଓ ଦୁଃଖର ନାନା ନିଦାନ ବିଷୟରେ ଏହି ମାସଟି ଆମର ଆଖି ଖୋଲିଦେଲା । ଏହିସବୁ ନିନାଦର ନିରାକରଣ ଲାଗି ଯୋଗ୍ୟ ହେବା ନିମିତ୍ତ ଆମକୁ ଅଧିକ ପ୍ରେରଣା ଦେଇଗଲା । ତେଣୁ ଆମର ଅନୁଷ୍ଠାନର ଇତିହାସରେ ଏ ମାସଟି ଏକ ସ୍ଵତନ୍ତ୍ର ଅଧ୍ୟାୟ ରହିଲା ।

 

ଖାଲି ମୂଲିଆ ହେବାକୁ ବା ଖାଲି ପୋଷାକ ପିନ୍ଧି ପାଠ ପଢ଼ିବାକୁ ଆମେ ଏ ବିଦ୍ୟାଳୟରେ ଏକଜୁଟ ହୋଇନାହୁଁ । ଜୀବନର ସକଳ କ୍ଷେତ୍ରଲାଗି ଆମେ ଆମର ଅନ୍ତରକୁ ଖୋଲି ରଖିବୁ, ସବୁପ୍ରକାର ଜ୍ଞାନର ଆଲୋକ ଲାଗି ଆମେ ଆପଣା ଆପଣାର ଗ୍ରହଣପାତ୍ରଟି ସଜାଡ଼ି ରଖିବୁ । ଏକ ଜିଜ୍ଞାସାର ଖିଅରେ, ଏକ ଶ୍ରଦ୍ଧା ଓ ଆଗ୍ରହର ଡୋରିରେ, ଆମେ ଜୀବନର ଅନ୍ନମୟ କୋଷଠାରୁ ଆନନ୍ଦମୟ କୋଷ ପର୍ଯ୍ୟନ୍ତ ସବୁଟିକୁ ସମନ୍ଵିତ କରି ବାନ୍ଧି ରଖିବୁ । ଶିକ୍ଷାରେ ସବୁ ଦେଶର ନାନା ମତଭେଦ ରହିଚି; ବିଶେଷ କରି ଆମର ଭେଦବିଭେଦର ଦେଶରେ ଏଇ ମତଭେଦଟା ଅତି ଉତ୍କଟ ହୋଇ ଉଠିଚି । ଆମେ ଏସବୁର ବିବାଦରେ ପଶିବୁ ନାହିଁ । କାରଣ ଆମେ କୌଣସି ମତବାଦର ଅନ୍ଧ ଅନୁସରଣ କରିବୁ ନାହିଁ । ଆମର ଶତ୍ରୁ କେହି ନାହାନ୍ତି । ଆମର ଆଳସ୍ୟ ହିଁ ଆମର ସର୍ବପ୍ରଧାନ ଶତ୍ରୁ । ଯେଉଁପରି କ୍ଷେତ୍ର ଆମର ତାରୁଣ୍ୟ ଓ ଆଗ୍ରହକୁ ଜୀବନ୍ତ କରି ରଖିଥିବ, ସବୁ କ୍ଷେତ୍ରରେ ଆମକୁ ସତତ ଆଗକୁ ଯିବାର ଉତ୍ସାହ ଦେଉଥିବ, ଆମକୁ କର୍ମଠ ଓ କର୍ମକୁଶଳ କରି ରଖିଥିବ, ଏଠାରେ ସେହିପରି ଏକ କ୍ଷେତ୍ର ପ୍ରସ୍ତୁତି କରି ରଖିବା ଆମର ଉଦ୍ଦେଶ୍ୟ ହୋଇ ରହିବ । ଏହି କ୍ଷେତ୍ର ଯେତିକି ବଡ଼ ହେଉଥିବ, ଆମର ପରିଧି ସେତିକି ପ୍ରଶସ୍ତ ହୋଇ ଯାଉଥିବ । ଆମର ଜିଜ୍ଞାସା ଓ ଶ୍ରଦ୍ଧା ସେତିକି ପରିବ୍ୟାପ୍ତ ହେଉଥିବ । ଏରସମା ଆମ ଶିକ୍ଷା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାରେ ଅନେକ ସାହାଯ୍ୟ କରିଚି । ଆମ ଅନୁଭୂତିର ପରିଧିକୁ ଅନେକ ବଢ଼ାଇ ଦେଇଚି । ମଣିଷ ସହିତ ଆମ ପରିଚୟକୁ ଅଧିକ ନିବିଡ଼ ଓ ଗଭୀର କରିଚି ।

 

–ଏଗାର–

 

ପଟ୍ଟାମୁଣ୍ଡାଇ ଆଉ ଏରସମାରୁ ଫେରିବା ପରେ ଆମ ବିଦ୍ୟାଳୟର ସଂସାର ପୁଣି ପୂର୍ଣ୍ଣ ହୋଇ ଉଠିଚି । ମାସେ କାଳ ଆମେ ତିନିଖଣ୍ଡ ହୋଇ ତିନିଯାଗାରେ ଥିଲୁ । ଏରସମା ଦଳ ଡଙ୍ଗାରେ ଗାଁ ଗାଁ ବୁଲି କେଉଁ ପରିବାରର ପ୍ରକୃତରେ କେତେ ଖାଦ୍ୟସାହାଯ୍ୟ ପାଇବା କଥା, ତାହାର ନିରୂପଣ କରୁଥିଲୁ । ପଟ୍ଟାମୁଣ୍ଡାଇ ଦଳ ସେହିପରି ଗାଁ ଗାଁ ବୁଲି ସାଧାରଣ କ୍ଷତିର ଅନୁସନ୍ଧାନ କରୁଥିଲେ । ବାକି କୋଡ଼ିଏ ଜଣ, ଯେଉଁମାନଙ୍କୁ ଆମେ ଜଙ୍ଗଲ-ସ୍କୁଲରେ ଛାଡ଼ି ଯାଇଥିଲୁ, ସେମାନେ ଆମ ବିଦ୍ୟାଳୟ ସଂସାରର ସବୁ ଦାୟିତ୍ଵ ବହନ କରୁଥିଲେ । ଯେଉଁଦିନ ଆମେ ସବୁ ଆସି ଚମ୍ପତିମୁଣ୍ଡାରେ ପହଞ୍ଚିଲୁ, ସେଦିନ ଆମ ପାଠଶାଳାରୁ ରୂପ ବଦଳି ଯାଇଥିଲା । ଜଙ୍ଗଲ ଭିତରେ ତିଆରି ହୋଇଥିବା ୧୧ ବଖରାରୁ ଦୁଇଧାଡ଼ି ଘର ବେଳେବେଳେ ପୋଲିସ୍ ବାରାକ୍ ପଡ଼ି ଦେଖାଯାଉଥିଲା । ରାସ୍ତାରେ ଚାଲି ଯାଉଥିବା ବାଟୋଇ ଆମ ପାଠଶାଳା ଘରକୁ କେଉଁ ଜଙ୍ଗଲାତ ବେପାରୀର ଅସ୍ଥାୟୀ ଘର ବୋଲି ଭାବୁଥିଲା । ବର୍ତ୍ତମାନ ସେହି ରୂପ ବଦଳିଯାଇଛି । ପିଣ୍ଡା ତଳକୁ ଦୁଆର ହୋଇଚି, ଦୁଆରେ ମେରୁଖୁଣ୍ଟ ପୋତା ହୋଇଚି, ବାଡ଼କଡ଼ରେ କୁଟାଗଦା ମରା ହୋଇଚି । ପିଣ୍ଡାରେ ଅମଳ ହୋଇଥିବା ସୁନାଧାନ ବସ୍ତାରେ ଭରିହୋଇ ରହିଚି । ଆମେ ଗଲାବେଳେ ଯେଉଁ ସବୁ ଫୁଲଗଛ ଲଗାଇ ଦେଇ ଯାଇଥିଲୁ ସେଥିରେ ଫୁଲ ଫୁଟିଚି । ତୁଳସୀ ଗଛ ବଡ଼ ବଡ଼ ହୋଇ ଯାଉଚି । ଗୋଟିଏ ତୁଳସୀ ଗଛର ଚାରି ପାଖରେ ଜଣେ ଆଗ୍ରହୀ ଭାଇ ଛୋଟିଆ ସୁଦୃଶ୍ୟ ଚଉରାଟିଏ ବାନ୍ଧି ଦେଇଛନ୍ତି । ସବୁ ମିଶି ପାଠଶାଳାଟି ଗୋଟିଏ ଚାଷୀଘର ପରି ଦେଖା ଯାଉଛି । ଆମ ସଂସାରର କଡ଼େ କଡ଼େ ଝରଣା ଦୁଇଟି କୁଳୁ କୁଳୁ ଶବ୍ଦ କରି ବହି ଯାଉଛନ୍ତି । ଭୋର ତିନିଟାବେଳେ ଆମ ସଂସାରର ରାତି ପାହୁଚି-। ସମସ୍ତେ ଉଠି ଶୀତ ପହରରେ ସୂତାକଟା ଆରମ୍ଭ କରି ଦେଉଛୁ । ତାପରେ ମନ୍ଦରଗିରି ପାହାଡ଼ ଉପରକୁ କୁଆଁତାରା ଉଠିଗଲେ ଆମର ପ୍ରାର୍ଥନା ହେଉଚି । ତାପରେ ସଫାଇ, ତଥାପି ରାତି ପାହୁ ନାହିଁ । ସେତିକିବେଳେ ଗୋଟାଏ ଅପୂର୍ବ ସ୍ଫୁର୍ତ୍ତିରେ ଆମ ଭିତରୁ ଅନେକ ଗାଧୋଇବାକୁ ସିଧା ଝରଣାକୁ ଚାଲି ଯାଉଛନ୍ତି । ଏ ଜଙ୍ଗଲ ଭିତରେ ଆମେ ବି କାର୍ତ୍ତିକ ମାସ ପାଳନ କରୁଚୁ । ସଂସାରର ଭରା ନଈ କୂଳରେ ବସି ଆମେ ମଧ୍ୟ ଜୀବନତରୀଟିକୁ ଆମ ଅର୍ଜନ ଓ ସୃଜନର ସୁନାଧାନରେ ଭରାଇବାରେ ଲାଗିଚୁ । ଆମର ଆଗ୍ରହ ଓ ଉତ୍ସାହରେ ସବୁ ଭରି ଯାଉଛି । କୌଣସି ପ୍ରକାର ମୁଁକାର ବା ଅହଂକାର ଲାଗି ସ୍ଥାନ ମିଳୁନାହିଁ । ସବୁ ପ୍ରକାର କାର୍ଯ୍ୟକ୍ରମ ଜରିଆରେ ଆମ ବିଦ୍ୟାଳୟର ବିକାର ଓ ଅହଂକାରକୁ କାଟିବାର ଏହିପରି ପ୍ରୟୋଗ ଆମେ ଆରମ୍ଭ କରିଚୁ ।

 

ମୌଳିକ ଶିକ୍ଷାରେ ସ୍ଵାବଲମ୍ବନ ବା ସମ୍ବନ୍ଧୀକରଣ (correlation) ପ୍ରଭୃତି ବିଷୟରେ କେଉଁଠି କୌଣସି ଚର୍ଚ୍ଚା ଶୁଣିଲାବେଳେ ମୋର ଏହିପରି ଗୋଟିଏ ଘରର ଚିତ୍ର ଆଖି ଆଗରେ ନାଚିଯାଏ । ବୁଦ୍ଧିମାନର ବୁଦ୍ଧିଆ ମନ ନାନାପ୍ରକାର ପାଣ୍ଡିତ୍ୟର ଫିସାଦରେ ଅନେକ ସମୟରେ ଶିକ୍ଷାର ନୂଆ ବ୍ୟବସ୍ଥାମାନ ଚଳାଇବାକୁ ବାହାରେ । କୌଣସି ମହାତ୍ମା ବା ଶିକ୍ଷାବିତ୍‍ଙ୍କର ଗୋଟାଏ ଗୋଟାଏ ଶବ୍ଦକୁ ନେଇ ସେ ବାତୁଳ ହୋଇଯାଏ । ଗୋଟାଏ ଅସ୍ଵାଭାବିକ ଉତ୍ସାହରେ ଆପଣାର ଆସକ୍ତ ବିଚାରରେ ନାନା ଅଳିଆ ଅସନା ପୂରାଇ ସେ ଶବ୍ଦଟିକୁ ଗୋଟାଏ ସ୍ଲୋଗାନରେ ପରିଣତ କରିଦିଏ । ଏହିପରି ଅସ୍ଵାଭାବିକ ଉତ୍ସାହ ନେଇ ଯଦୁ-କୁଳର ଲୋକେ ଥରେ ଶାମ୍ବକୁ ନାରୀବେଶ କରି ବାହାରିଥିଲେ । ସେଇଥିରୁ ଅନର୍ଥର ସୃଷ୍ଟି ହେଲା । ଯଦୁକୂଳ ନଷ୍ଟ ହେଇଗଲା । ହୁଏତ ସେମିତି ଗୋଟାଏ ଉଡ଼ୁମ୍ବର କଳ୍ପନାର ଝୁଙ୍କିରେ ଆମେ ମୌଳିକ ଶିକ୍ଷାର ସ୍ଵତନ୍ତ୍ର-ଧର୍ମ ଶବ୍ଦଗୁଡ଼ିକୁ ଗୋଟିଏ ଗୋଟିଏ ସ୍ଲୋଗାନରେ ପରିଣତ କରି ସାରିଲୁଣି । ଶବ୍ଦଗୁଡ଼ିକର ଅସଲ ବିଚାରଭୂମି ଓ ଅସଲ ମର୍ମ ଆମେ ଭୁଲି ସାରିଲୁଣି । ଖାଲି ଗୋଟାଏ ବଡ଼ କଳର କେତେଟା ବଡ଼ ପେଚପରି ଆମେ ଆମର ଶିକ୍ଷାକଳରେ ସ୍ୱାବଲମ୍ବନ ବା ସମ୍ବନ୍ଧୀକରଣ ପ୍ରଭୃତି ଶବ୍ଦକୁ ବ୍ୟବହାର କରିଦେଉଛୁ । ସବୁ ସୃଜନକୁ ପ୍ରଧାନତଃ ଗୋଟାଏ କଳର କାରମତି ବୋଲି ବୁଝୁଥିବା ଆମର ପୁରୁଣା ମନ ଆମର ଭ୍ରମକୁ ବେଶ୍ ପୋଷାମନାଇ ରଖିଚି । ସେଥିଲାଗି ଆଜି ହୁଏତ ଅନେକ ବିଦ୍ୟାଳୟରେ ପୂର୍ଣ୍ଣ ଉଦ୍ୟମରେ ସୂତା କଟାଯାଉଛି, ସୂତାରୁ ଲୁଗା ବୁଣା ହେଉଚି, ସବୁଟିକୁ ଠିକ୍ ଠିକ୍ ହିସାବ ରହିଛି । ବଡ଼ଆବଡ଼ କାଗଜ ଫର୍ଦ୍ଦରେ ସ୍ୱାବାଲମ୍ବନର ପରିମାଣ ଭଗ୍ନାଂଶର ନିର୍ଭୁଲ ଗଣିତ-ମାର୍ଗରେ ଲେଖା ହୋଇ ରହୁଛି । କାଗଜ କଲମ ହିସାବବୃତ୍ତିର ବିଚାରକୁ ପ୍ରକାଶ କରି ରଖିଥିବା ଶିକ୍ଷକ ହିସାବମାନ ଉପରେ ଥିବା ହାକିମଙ୍କ ପାଖକୁ ପଠାଇ ଦେଇ ତାର କାମ ସାରି ଦେଇଚି । କୃଷକ ବା ଅନ୍ୟାନ୍ୟ ଧନ୍ଦା ଏମିତି ଚାଲିଛି । ଘଣ୍ଟା ବାଜିଲେ ବିଦ୍ୟାର୍ଥୀମାନେ କୋଡ଼ି କୋଦାଳ ଧରି ଯାଉଚନ୍ତି । ଜୋତାମାଡ଼ି ପ୍ରବୀଣ ଶିକ୍ଷକ ପିଲାଙ୍କ ପାଖେ ପାଖେ କ୍ଷେତ ଉପରେ ରହି ହିସାବମାନ ରଖୁଛନ୍ତି । ଆୟବ୍ୟୟ ଓ ଲାଭ କ୍ଷତିର ନିର୍ଭୁଲ ହିସାବମାନ ରହୁଚି । ସେର ମାଣ, ପାହି ପାହୁଳା ଟିକିନିଖି ସବୁ କାଗଜ ଉପରେ ଲେଖା ହୋଇ ରହୁଚି । ସମ୍ବନ୍ଧୀୟକରଣର କଳାକୁ ମଧ୍ୟ ଆମେ ସେମିତି ଗୋଟାଏ ମେସିନ କରିଦେବାରେ ଲାଗିଚୁ । ଗଣିତବେଳେ ବଗିଚା-କାମ, ସୂତାକଟା, ଇତିହାସ ଓ ସମାଜ-ବିଜ୍ଞାନର ଚର୍ଚ୍ଚା ହୋଇଥିଲା କି ନାହି, ପିଲାଏ ତାକୁଡ଼ି ଧରି ସୂତା କାଟି ବସିଥିବାବେଳେ ସେମାନଙ୍କ କାନରେ ଗଣିତ ବଢ଼ାଇ-ବିଜ୍ଞାନର ଦୁରନ୍ତ କଥାଗୁଡ଼ିକ ପୂରାଇ ଦିଆଯାଉଥିଲା କି ନାହିଁ, କୌଣସି ଜାତୀୟ ପର୍ବ ପାଳନ କଲାଦିନ ଉପରର ନିର୍ଦ୍ଦେଶମତେ ଜାତୀୟତା-ଆନ୍ଦୋଳନର ଇତିହାସ ପିଲାମାନଙ୍କୁ କୁହା ଯାଇଥିଲା କି ନାହିଁ, ସମ୍ବନ୍ଧୀକରଣର ନିର୍ଦ୍ଧାରଣ କରିବାକୁ ଯାଇ ଆମେ ଆଗ ଏ ସବୁର ଅନୁସନ୍ଧାନ କରୁଚୁ । ଗୋଟିଏ ଜିନିଷ କହୁ କହୁ ସେଥିରେ ପାଞ୍ଚଟି ଜିନିଷ ମିଶାଇ ଗୋଟାଏ ଅଡ଼ୁଆ ସୃଷ୍ଟି କରିବାକୁ ଯଦି ସମ୍ବନ୍ଧୀକରଣ କୁହାଯାଏ, ତେବେ ହୁଏତ କାହାର ଆପତ୍ତି କରିବାକୁ କିଛି ରହିବ ନାହିଁ । କିନ୍ତୁ କାଗଜପତ୍ରର ହିସାବରୁ ଯେପର୍ଯ୍ୟନ୍ତ ମଣିଷର ସାଧୁତା ମାପିବାର ଓ କାର୍ଯ୍ୟର ସଂହତତା କଳନା କରିବାର ମେସିନ-ବୃଦ୍ଧି ଆମର ରହିଥିବ, ସେପର୍ଯ୍ୟନ୍ତ ଶିକ୍ଷା ମନେ କରି ଏହିପରି କେତେଟା ଶବ୍ଦ ଓ ସ୍ଲୋଗାନର ଭୂତକୁ ଆମେ ଅମୂଲ୍ୟ ସମ୍ପଦ ବୋଲି ସନ୍ତୋଷ ଲାଭ କରୁଥିବା । ମୁଁ ଭାବୁଚି ଗୋଟିଏ ପୂର୍ଣ୍ଣବିକଶିତ ଘରର ଚିତ୍ର ଆଖି ଆଗରେ ରଖି ଆମେ ସମ୍ବନ୍ଧୀକରଣର ବିଚାର କରିବା । ଘରେ ସବୁଟି ଲାଗି ସ୍ଥାନ ଥାଏ । ସବୁ ପ୍ରକାର ସୁବ୍ୟବସ୍ଥା ଓ ଯୋଜନା ଲାଗି ସ୍ଥାନ ଥାଏ । ବିଚାର, ବିବେକ, ସ୍ନେହ, ପ୍ରୀତି ଲାଗି ସ୍ଥାନ ଥାଏ । ମଣିଷ ମଣିଷ ଭିତରେ ଜୀବନ୍ତ ସମ୍ପର୍କ ଥାଏ । ସଂସାରର ଅନେକ ସାମାଜିକ, ନୈତିକ ଓ ଅର୍ଥନୈତିକ ସମସ୍ୟାର ସ୍ଵାଭାବିକ ସମାଧାନ ଏହି ଘରେ ହୁଏ । ପୁରୁଷ ଆଉ ସ୍ତ୍ରୀ ଚଳୁଥାଏ ବ୍ୟାବହାରିକ ସମାଜରେ ଅନେକ ଜଟିଳ ଦ୍ଵନ୍ଦ ଏହି ଘରର ସ୍ଵାଭାବିକ ବାତାବରଣରେ ମେଣ୍ଟିଥାଏ । ଘରେ କୌଣସି ବିଭାଗୀକରଣ ନଥାଏ, ତେଣୁ ସମ୍ବନ୍ଧୀକରଣ ଲାଗି କୌଣସି ବୃଦ୍ଧିର କସରତ ସେଠି କରିବାକୁ ପଡ଼େନାହିଁ । ଆମ ବିଦ୍ୟାଳୟ ଏହିପରି ଏକ ପୂର୍ଣ୍ଣାବୟବ ଘର ହେବାର ଅଭିଳାଷ ରଖୁ । ଘରର ଜୀବନ ସହିତ ଘରର ସବୁ ଧନ୍ଦା ଓ ସବୁ ପାଠ ସମ୍ବନ୍ଧିତ ହୋଇ ରହୁ । ଆମ ସୂତାକଟା, ଆମ ଗଛଲତା ଓ ଆମ ରନ୍ଧାବଢ଼ା ଆମ ଘରର ଜୀବନକୁ ଆହୁରି ସମୃଦ୍ଧ କରୁ, ଆହୁରି ମଧୁମୟ କରୁ । ଆଜି ଘର ଆଉ ପାଠଶାଳ ମଧ୍ୟରେ ପିଲାର ମନ ଭିତରେ ଅନେକ ବ୍ୟବଧାନ ହୋଇ ଗଲାଣି । ପାଠଶାଳାକୁ ଆସିବାକୁ ପିଲା ଆଜି ପ୍ରଧାନତଃ ଘରୁ ନିର୍ବାସିତ ହୋଇ ଆସିବା ବୋଲି ବୁଝୁଚି । ତାହା ଆମର ଦୁର୍ଭାଗ୍ୟ । ସେଥିଲାଗି ପାଠଶାଳାରେ ଥିବାବେଳେ ଆମର ମାଷ୍ଟରିଆ ବୋଲ ମାନି ପିଲା ସବୁ କରୁଚି । ପରୀକ୍ଷାରେ ପାସ୍ କରିବାକୁ ପିଲା ସବୁ କରୁଚି । ସକାଳୁ ଉଠୁଚି । ସଫାଇ କରୁଚି । ପ୍ରାର୍ଥନାରେ ବସୁଚି । ଧନ୍ଦାରେ ଯୋଗ ଦେଉଚି । ମନ୍ତ୍ରୀମଣ୍ଡଳୀ ଗଢ଼ୁଛି । ଡାଏରି ଲେଖୁଚି । ସମ୍ବନ୍ଧୀକରଣ ସମ୍ବନ୍ଧରେ ରଖିଥିବା ବଡ଼ ବଡ଼ ଖାତାର କଲମମାନ ବେଶ୍ ପୂରିଯାଉଚି । ସେହି ପୁରୁଣା ମଣିଷଟା ସଂସାରକୁ ଫେରିଯାଇ ସଂସାରର ପୁରୁଣା ବହିରେ ସାମିଲ ହୋଇ ଯାଉଛି ।

 

ଆମର ବ୍ୟବସ୍ଥା ପିଲାଙ୍କୁ ଅଭୟ ଦେଇ ପାରୁନାହିଁ । ନାନା ଭୟ ତ୍ରାସର ଖଣ୍ଡିତ ଆସକ୍ତି ଓ ଅନୁରକ୍ତି ଧରି ସେ ଜୀବନକୁ ବାନ୍ଧି ରଖିବାକୁ କୌଣସି ସମ୍ବନ୍ଧ ଓ ସମନ୍ଵିତ ଦୃଷ୍ଟିଖିଅ ପାଉନାହିଁ । ଆପଣାର ପାଠୁଆ ବୁଦ୍ଧିରେ ପାଞ୍ଚଟା ଜିନିଷକୁ ଏକାଠି କରିଦେଲେ ତାହା ସମ୍ବନ୍ଧୀକରଣ ହୋଇଯିବ ନାହିଁ । ଜୀବନର ସୃଷ୍ଟିକୁ ଏକ ରଚନାତ୍ମକ ସମନ୍ଵୟରେ ସମ୍ମିଳିତ କରିପାରିବା ହେଉଚି ଅସଲ ଉଦ୍ଦେଶ୍ୟ । ଏହିପରି ଏକ ଦୃଷ୍ଟି ଅର୍ଜନ କରିବାରେ ପିଲାର ମନକୁ ସହାୟତା କରିବା ହେଉଚି ସମ୍ବନ୍ଧୀକରଣର ଅସଲ ଦାୟିତ୍ଵ । ପ୍ରତ୍ୟେକ ପିଲାର ବ୍ୟକ୍ତିତ୍ଵ-ଗଠନରେ ବୃଦ୍ଧି, ହୃଦୟ ଓ କର୍ମପ୍ରବଣତା ଲାଗି ଯଥାର୍ଥ ସ୍ଥାନ ରଖି ପାରିବା ହେଉଚି ସମ୍ବନ୍ଧୀକରଣର ଅସଲ ଦୃଷ୍ଟି । ସେଥିଲାଗି କେବଳ ହିସାବ ଲେଖିବାର ହାକିମୀ ଚଳାଇଲେ ଆମର କାମ ସରି ଯିବନାହିଁ । ଏଥିଲାଗି ଶିକ୍ଷକ ହାକିମକୁ ଆଗ ଏକ ଶିକ୍ଷିତ ଓ ସମନ୍ଵିତ ଦୃଷ୍ଟି ଅର୍ଜନ କରିବାକୁ ପଡ଼ିବ । ମଣିଷ ଆଉ ମଣିଷକୁ ଗୋଟାଏ ସାଧନ (Means) ବୋଲି ନ ଭାବି, ଚରମ ସାଧ୍ୟ (End) ବୋଲି ଭାବିବ । ଆଜି ତ ଆମ ସମାଜରେ ଯାହାର କ୍ଷମତା ଯେତିକି ବଢ଼ୁଚି, ତାର ଖିଆଲ ମଧ୍ୟ ସେତିକି ବଢ଼ୁଚି । କିନ୍ତୁ ଏ କ୍ଷମତା ବଢ଼ିବା ସଙ୍ଗେ ସଙ୍ଗେ ମଣିଷକୁ ଆପଣା କର୍ତ୍ତବ୍ୟଜ୍ଞାନର ବୋଧ ବଢ଼ାଇବାକୁ ହେବ ।

 

ତା’ପରେ ସ୍ୱାବଲମ୍ବନ କଥା । ଆମର ସଙ୍କୁଚିତ ବୁଦ୍ଧି ଦ୍ଵାରା ଆମେ ଶିକ୍ଷାକ୍ଷେତ୍ରରେ ସ୍ଵାବଲମ୍ବନକୁ ମଧ୍ୟ ସ୍ଥାନରେ ସଙ୍କୁଚିତ କରି ପକାଉଚୁ । ଗୋଟାଏ ପିଲା ସୂତାକାଟି ଆପଣା ଲାଗି ଖଣ୍ଡେ ଲୁଗା ବୁଣା ଦେଲା, ପାଠଶାଳାର ପିଲାଏ ମାସକୁ ଛଅଅଣା କି ଚାରିଅଣା ରୋଜଗାର କଲେ, ସେଠି ଆମେ ଅତି ଉତ୍ସାହରେ ଦଶମିକ ଅନୁପାତରେ ସ୍ଵାବଲମ୍ବନର ଗତି ବା ପ୍ରଗତି ନିର୍ଣ୍ଣୟ କରି ବସୁଚୁ । ପ୍ରତ୍ୟେକ ପିଲାର ଏହିପରି ପ୍ରଗତିହାର ବାହାର କରିବା ଲାଗି ଅଙ୍କ କଷି କାଗଜ ପୂରଣ କରିବାର ଦୁର୍ଗତି ଶିକ୍ଷକମାନେ ନିତି ଭୋଗ କରୁଚନ୍ତି । ଅନ୍ନ ବା ବସ୍ତ୍ର ସ୍ଵାବଲମ୍ବନ, ଯେକୌଣସି ଶିକ୍ଷାର ସାଧନ, ମାତ୍ର ତାହା ଧ୍ୟେୟ ନୁହେଁ । ତା ନହେଲେ ଶିକ୍ଷାକୁ ଅର୍ଥକାରୀ ଶିକ୍ଷା ବୋଲି କହିହେବ, ମାତ୍ର ସୁଶିକ୍ଷା କୁହାଯାଇ ପାରିବ ନାହିଁ । ବିକାରମୁକ୍ତ, ବିଚାର-ସ୍ଵତନ୍ତ୍ରତା ଓ ନିର୍ଭୀକତା ଆମ ଶିକ୍ଷାର ଧ୍ୟେୟ ହେବା ଦରକାର । ଆମର ସବୁ ବ୍ୟବସ୍ଥା କେବଳ ଏହି ଧ୍ୟେୟର ପରିପୂରଣ କରିବା ଦରକାର । ବିନୋବାଜୀ ଏବେ ସେଇ କଥା ଉପରେ ଜୋର ଦେଇଛନ୍ତି । ଯେପର୍ଯ୍ୟନ୍ତ ବିକାରକୁ ମୁକ୍ତି ନ ମିଳିଚି, ଜୀବନରେ ସଂଯମ ବ୍ରତ ଓ ସେବା ପ୍ରଭୃତିର ସମାବେଶ ନ ହୋଇଚି, ଜ୍ଞାନପ୍ରାପ୍ତ କରିବାର ଚେଷ୍ଟାରେ ଯେପର୍ଯ୍ୟନ୍ତ ସ୍ଵାବଲମ୍ବନ ନ ଆସିବ, ସେପର୍ଯ୍ୟନ୍ତ ଭୌତିକ ସ୍ୱାବଲମ୍ବନ ଯଥାର୍ଥ ହୋଇ ପାରିବ ନାହିଁ । ଭୌତିକ ସ୍ୱାବଲମ୍ବନ ଲାଗି ମଧ୍ୟ ବିକାରମୁକ୍ତ ଅସଙ୍କୁଚିତ ଓ ସ୍ଵତନ୍ତ୍ର ବିଚାର-ଶକ୍ତିର ଆବଶ୍ୟକତା ରହିଚି । ସମସ୍ତ ପ୍ରକାର ସଂସାରଗତ ମୋହରୁ ମୁକ୍ତ ହୋଇ ସ୍ୱାବଲମ୍ବନର ଏହି ଉଦାର ଭୂମି ଉପରେ ବିଚାର କରିବା ଲାଗି ଆମର ଯଥେଷ୍ଟ ଅବକାଶ ରହିଛି ।

 

ରାଜନୀତି ବା ଅର୍ଥନୀତିରେ, ଯୋଉଠି ମଣିଷକୁ ଆଜି ପ୍ରଧାନତଃ ଗୋଟାଏ ବୋଲ ମାନିବା କଳ ବୋଲି ଧରି ନିଆଯାଉଚି, ସେଠି ହୁଏତ ସ୍ଲୋଗାନ ବା ଶବ୍ଦର କୌଣସି ତତକାଳିକ ମୂଲ୍ୟ ରହିଚି । କେତେଟା ସ୍ଲୋଗାନର ଲାଙ୍ଗୁଡ଼ ନ ଧରିଲେ ଆଜି କୌଣସି ଆନ୍ଦୋଳନ ବା କୌଣସି ହାକିମୀ ଚାଲି ପାରୁନାହିଁ । କିନ୍ତୁ ଶିକ୍ଷାର ନିର୍ମାଣ କ୍ଷେତ୍ରରେ ସବୁ ସ୍ଲୋଗାନର ଅର୍ଥକରୀ ବୃତ୍ତି ମୋଟେ କାମ ଦେବନାହିଁ । ଆମ ଶାସ୍ତ୍ରରେ ଅନ୍ନମୟ-କୋଷର ସ୍ଵୀକାର କରାଯାଇଚି । ତାହାକୁ ବ୍ରହ୍ମତୁଲ୍ୟ ଅକ୍ରିୟ ବର୍ଣ୍ଣନା କରାଯାଇଚି; କିନ୍ତୁ ସେହି ଅନ୍ନାୟତନରେ ଅଟକିଯିବାର କୌଣସି କୁମନ୍ତ୍ରଣା ଆମେ ଶାସ୍ତ୍ରରେ ପାଇବା ନାହିଁ । ଅନ୍ନମୟ–କୋଷ–ଠାରୁ ଆନନ୍ଦମୟ କୋଷ ପର୍ଯ୍ୟନ୍ତ ଆମର ଦୃଷ୍ଟିକୁ ପ୍ରସାରିତ କରି ଧରି ରଖିବାକୁ ହେବ । ଖାଲି ଅବିଦ୍ୟା ବା ଖାଲି ବିଦ୍ୟାର ଅନ୍ଧତମିସ୍ରା ଭିତରେ ଆମେ ପଡ଼ିଯିବା ନାହିଁ । ଅନ୍ନ ଆଉ ଆନନ୍ଦ ଅବିଦ୍ୟା ଆଉ ବିଦ୍ୟା ସବୁଟିରେ ସରସ ସାଧନାର ଖିଅ ଲଗାଇ ଏକ ଜୀବନର ଏକକରେ ଆମେ ସବୁଟିକୁ ସମ୍ବନ୍ଧିତ କରି ଧରିଥିବା-। ଆମରି ଦୃଷ୍ଟି ଭିତରେ ସବୁ ପାଠରେ ସମ୍ବନ୍ଧୀକରଣ ହେବ । ଏହି ଦୃଷ୍ଟିରେ ଅଭୟ ଆମକୁ ସବୁ ପ୍ରକାର ହୀନ ଅବଲମ୍ବନରୁ ମୁକ୍ତ କରି ଧରିଚି ।

 

–ବାର–

 

ଆମର ପରିବାରରେ ଦୁଇଜଣ ଶିକ୍ଷକ-ବନ୍ଧୁ ଆସି ଆମ ସହିତ ଯୋଗ ଦେଇଛନ୍ତି । ଏଥରକ ଏହାହିଁ ହେଉଚି ସବୁଠାରୁ ବଡ଼ ଖବର । ଆମ ସମାଜରେ ଶିକ୍ଷା ଓ ସଫଳତାର ସୁଅ ତ ଆଜି କଟକମୁହାଁ ହୋଇ ଚାଲିଚି । ପାଠ ପଢ଼ିସାରି ବେକାର ହେବାର ପାତକରୁ ମୁକ୍ତ ହେବାଲାଗି ସରକାରୀ ବିଭାଗ ଗୁଡ଼ିକର ମୁକ୍ତି ମଣ୍ଡପରେ ବସିଥିବା କ୍ଷମତାପନ୍ନ ହାକିମଙ୍କ ପାଖରେ ସମସ୍ତେ ଆଜି ଦାନାପାଣିର ଅଳି କରୁଛନ୍ତି । କିଏ ଡାକ ଧରି ଯାଉଚି, କିଏ ବାରଆଡ଼ୁ ବାର ସମ୍ପର୍କ ବା ଉପଲକ୍ଷ୍ୟ ସୃଷ୍ଟି କରି ପତରେ ପତରେ ଯାଇ ପହଞ୍ଚୁଚି, କିଏ ବା ଅଭିଭାବକ-ଜୋର ପାଇ ସିଧା ଯାଇ ଦୁଆର ମୁହଁରେ ହାଜର ହୋଇ ଯାଉଚି । ସେହି କଟକକୁ ବା ସହରକୁ କେନ୍ଦ୍ରକରି ଆଜି ସବୁ ଚାଲିଛି । କଟକରେ କିଣାବିକା ନୀତିକୁ ଆମ ଦେଶର ପାଠୁଆ ଆଜି ବୀଜମନ୍ତ୍ର କରି ଧରିଚି, ସେଇ କିଣାବିକା ଓ ଲାଭକ୍ଷତିର ଅଭ୍ୟସ୍ତ ନୀତିରେ ଆଜି ସାହିତ୍ୟ, ସଂସ୍କୃତି ଓ ସଭ୍ୟତା ସବୁ ଚାଲିଚି । ସେଥିଲାଗି ମଣିଷ ନାନାପ୍ରକାରେ ଆପଣାକୁ ସଜାଉଛି, ନାନାପ୍ରକାରେ ଆପଣାକୁ ସଂସାରରେ ସବୁଠାରୁ ଚାଲାକଚତୁର ଶିକ୍ଷିତ ବୋଲି ଦେଖାଇବାର ପ୍ରହସନପ୍ରଚେଷ୍ଟା କରୁଚି । ଯିଏ ସବୁ କ୍ଷେତ୍ରରେ ହଟିଯାଉଚି, ସେଇ ବିଚାରା ଆମ ଦେଶର ବିଦ୍ୟାଳୟ ଆଡ଼କୁ ମନ ବଳାଉଚି, ସେଇ କେବଳ ମାଷ୍ଟର ହେବାର ଅଭିଶାପ ଧରି ଆମ ପାଠଶାଳାକୁ ଆସୁଚି, ତା’ର ଆତ୍ମଗ୍ଳାନି ତାକୁ ଜୀବନସାରା ଖାଇ ଗୋଡ଼ାଉଚି । ତା’ର ଦୀନତାର ମଳିନ ପରିଚୟ ତଳେ ତା’ର ସବୁ ବିଦ୍ୟା ଲୁଚି ଯାଉଚି । ପ୍ରାୟ ବରଷେ ହେଲା ଆମେ ଶିକ୍ଷକ ଖୋଜି ବୁଲୁଥିଲୁ, କେତେ ଆଶ୍ରା ଧରି କେତେଥର ଜଣେ ଶିକ୍ଷକ ପାଇବୁ ବୋଲି ଆମେ କେତେ ଲୋଭ କରୁଥିଲୁ । କିନ୍ତୁ ପ୍ରତ୍ୟେକ ଥର ସଫଳ ଜୀବନର ହାଟସଉଦା ପାଖରେ ଆମେ ହାର ମାନି ଯାଇଥିଲୁ । ସେତେବେଳେ, ଏଇ ସମାଜର ଦୁଇଜଣ ଯୁବକ ଯେ ଆପଣା ଖୁସିରେ ଆମ ସହିତ ଯୋଗ ଦେଲେ, ତାହା ବିଦ୍ୟାଳୟର ପରମ ଭାଗ୍ୟ । ଆଜି ତ ସହରରାସ୍ତାରେ ଛପାବହିର ଅକ୍ଷରରେ ସଫଳ ମଣିଷର ସଂସ୍କୃତିର ପ୍ରଶସ୍ତିଗାନ ଚାଲିଚି । ସଫଳତାର ବାଟ ଛାଡ଼ି ଯିଏ ସାଧନା ଓ ସାର୍ଥକତାର ବାଟ ଧରିଲା, ସମାଜର ଚତୁର ଗୁରୁଜନ ତାକୁ ବୋକା ବୋଲି କହୁଚି । ସଫଳତାର ରାଜସଭା ଛାଡ଼ି କେଉଁ ଆହ୍ଵାନରେ ଯେ ମଣିଷ ଜଙ୍ଗଲକୁ ଆସେ, ଜଙ୍ଗଲରେ ସୁନ୍ଦର ଜୀବନର ଏକ ବିଦ୍ୟାୟତନ ଗଢ଼ିବା ଲାଗି ସେ ସବୁପ୍ରକାର ସଂସ୍କାରଗତ ଲାଜକୁ ଭୁଲିଯାଏ, ସେ କଥା ଆଜି କିଏ କାହାକୁ ବୁଝାଇବ ? ଆମର ଦୁଇ ଶିକ୍ଷକବନ୍ଧୁଙ୍କୁ ଆମେ ଅଭିନନ୍ଦନ ଜଣାଉଛୁ, ଆମରି ଭିତରେ ଜଣେ କରି ଆମେ ସେମାନଙ୍କୁ ଡାକି ନେଇ ଯାଉଚୁ, ଆମର ସୁଖ ଦୁଃଖ, ଆନନ୍ଦ ନିରାନନ୍ଦରେ ସେମାନଙ୍କ ଲାଗି ଏକ ସୁନିଶ୍ଚିତ ସ୍ଥାନ ଆମେ ସଜାଡ଼ି ରଖିଚୁ, ଏହାହିଁ ଆମର ସବୁଠୁ ବଡ଼ ଅଭ୍ୟର୍ଥନା ।

 

ମୌଳିକ-ଶିକ୍ଷା ବିଷୟରେ ଆଲୋଚନା କଲାବେଳେ ଶିକ୍ଷା ବିଷୟରେ ହୁଏତ କୌଣସି ଆଲୋଚନା କରିବାକୁ କେହି ରାଜି ହୁଅନ୍ତି ନାହିଁ । ଆମ ଦେଶରେ ଗତ କେତେ ବର୍ଷ ଧରି କିପରି ଶିକ୍ଷା ଚଳି ଆସିଚି, ତାହା ଫଳରେ ଆମର ବ୍ୟକ୍ତିଗତ ଓ ସାମାଜିକ ଜୀବନ କେତେଦୂର ଉପକୃତ ବା ବିପନ୍ନ ହୋଇଚି, ସେକଥା ସ୍ଥିର ମନରେ ବିଚାର କରିବାର ଅବକାଶ ଆମକୁ ଖୁବ୍ କମ୍ ମିଳେ-। ଦଳେ ଅଛନ୍ତି, ଯେକୌଣସି ନୂଆ ଜିନିଷକୁ ସେମାନେ ବଡ଼ ସଂଶୟ-ଦୃଷ୍ଟିରେ ଦେଖନ୍ତି-। ଯେତେ କ୍ଷତିକାରକ ହୋଇଥିଲେ ମଧ୍ୟ ସେମାନେ ସେହି ପୁରୁଣାରେ ରହିବାକୁ ଭଲ ପାଆନ୍ତି-। ପୁରୁଷ ପୁରୁଷ ଧରି ଯେଉଁ ବାଟରେ ସେମାନେ ଚାଲି ଆସିଲେଣି, ସେ ବାଟ ଛାଡ଼ି ଆଉ କୋଉ ନୂଆ ବାଟରେ ଯିବାକୁ ସେମାନେ ସନ୍ତ୍ରସ୍ତ ହୋଇ ଉଠନ୍ତି । ମଣିଷର ଜୀବନଦୃଷ୍ଟିରେ ସେ ଗୋଟାଏ ରୋଗ; ସେହି ବିକାର ମଣିଷକୁ ଏ ବିପୁଳ ସଂସାରରେ ଅତି ଦରିଦ୍ର କରି ରଖେ, ନୂଆକୁ ବନ୍ଦ କରି ରଖିବାର ମିଛ ପ୍ରରୋଚନାରେ ପଡ଼ି ସେ ବିଚରା ଆପେ ଆପଣାର ମୋହବେଷ୍ଟନରେ ବାନ୍ଧି ହୋଇ ପଡ଼େ । ତା’ପରେ ଆଉଦଳେ ଅଛନ୍ତି, ଯୋଉମାନେ ସଂଖ୍ୟା ଗଣି ସଂସାରରେ ଠିକ୍ ଭୁଲ ବା ନୀତି ଅନୀତିର ବିଚାର କରନ୍ତି । ଯୋଉ ଦଳରେ ମୁଣ୍ଡସଂଖ୍ୟା ଅଧିକ, ସେଇ ଦଳଟା ଠିକ୍, ସେଇଟା ହିଁ ନୀତି । ବାହାରେ ଯୋଉ ଅଳ୍ପସଂଖ୍ୟା ଦଳ ରହିଲେ ସେମାନେ ଭୁଲ୍, ସେମାନଙ୍କର ସବୁ ଅନୀତି । ମୌଳିକ ଶିକ୍ଷା ବିଷୟରେ ଏହି ଦଳର ସବୁଠାରୁ ବଡ଼ ଆପତ୍ତି ଯେ ମୌଳିକ-ଶିକ୍ଷାରେ ଯଦି ପ୍ରକୃତରେ ଅନେକ ଭଲ ଜିନିଷ ଅଛି, ତେବେ ପୁରୁଣା ପାଠଶାଳାମାନଙ୍କୁ ଏତେ ପିଲା ଯାଉଚନ୍ତି କିପରି ? କେତେଜଣ ମନ୍ତ୍ରୀ ସେମାନଙ୍କର ପୁଅଝିଅଙ୍କୁ ମୌଳିକ ସ୍କୁଲକୁ ପଠାଉଚନ୍ତି ? କେତେଜଣ ବଡ଼ ହାକିମ ସେମାନଙ୍କର ପିଲାଙ୍କୁ ମୌଳିକ ସ୍କୁଲରେ ଛାଡ଼ୁଚନ୍ତି ? ଇତ୍ୟାଦି ଇତ୍ୟାଦି ପ୍ରଶ୍ନ ସେମାନେ ପଚାରନ୍ତି । ଏପରି ପ୍ରଶ୍ନରେ ଗୋଟାଏ ସିଦ୍ଧାନ୍ତର ବ୍ୟଞ୍ଜନା ଥାଏ-। ସେଇଟା ହେଉଚି, ମନ୍ତ୍ରୀମାନେ ବା ହାକିମମାନେ ପିଲାଙ୍କୁ ମୌଳିକ ଶିକ୍ଷାରେ ଦେଉ ନାହାନ୍ତି, ତେଣୁ ମୌଳିକ-ଶିକ୍ଷା ଭଲ ଶିକ୍ଷା ନୁହେଁ; ଦେଶର ଅଧିକ ପିଲା ମୌଳିକ ସ୍କୁଲକୁ ଯାଉ ନାହାନ୍ତି, ତେଣୁ ମୌଳିକ ଶିକ୍ଷାରେ ଯିବାଟା ଠିକ୍ ହେବନାହିଁ । ଏହିପରି ଗୋଟାଏ ଦୁର୍ବଳ ସିଦ୍ଧାନ୍ତ ଏସବୁ କଥା ପଛରେ ରହିଚି । ହଁ, ଏକଥା ସତ ଯେ ବ୍ୟାବହାରିକ ପରିସ୍ଥିତିରେ ପଡ଼ି ଉପର ମୁହଁରେ କେତେକ ଉପର ପାହିଆର ଲୋକ ମୌଳିକ ଶିକ୍ଷାର ପ୍ରଶଂସା କରୁଛନ୍ତି, ଅଥଚ ଭିତରେ ସେମାନଙ୍କର ଏ ଶିକ୍ଷା ଉପରେ ପୂର୍ଣ୍ଣ ପ୍ରତ୍ୟୟ ଆସି ନାହିଁ । ସେମାନେ ଆପଣା ପିଲାଙ୍କୁ ମୌଳିକ ସ୍କୁଲରେ ଦେବାକୁ ଏପର୍ଯ୍ୟନ୍ତ ସେମାନେ ସେହି ପୁରୁଣା ବଜାରରେ ବିକ୍ରୀ କରିବାର ପ୍ରୟୋଜନୀ ବୁଦ୍ଧିର ନିଶାରେ ବିବେକ ହରାଇ ବସିଛନ୍ତି । କିନ୍ତୁ ତା’ ବୋଲି ମୌଳିକ ଶିକ୍ଷାକୁ ଖରାପ ବୋଲି କହିବାରେ କେଉଁ ଯୁକ୍ତି ରହିଚି ସେ କଥା ମୁଁ ବୁଝି ପାରୁନାହିଁ । ଯେଉଁ ପାଖରେ ଯେତେ ବେଶୀ ଠେଙ୍ଗା, ସେପାଖରେ ସେତେ ବେଶୀ ନ୍ୟାୟ, ଏହିପରି ଗୋଟିଏ ବିକୃତ ବିଚାରର ବଶବର୍ତ୍ତୀ ହୋଇ ହିଁ ସେମାନେ ଏପରି କହୁଚନ୍ତି । ଗଣତନ୍ତ୍ର ଯୁଗରେ ସଂଖ୍ୟାଗରିଷ୍ଠ ଦଳର ଅନେକ ମହତ୍ତ୍ଵ ବଢ଼ିଚି ସତ, କିନ୍ତୁ ତଥାପି ଆମେ କେବଳ ସେହି ଗୋଟାଏ ଦୃଷ୍ଟିରୁ ବିଚାର କରି ଶିକ୍ଷାରେ ଭୁଲ ଠିକ୍ ନିର୍ଣ୍ଣୟ କରିପାରିବା ନାହିଁ । ଠିକ୍ କୋଡ଼ିଏ ବର୍ଷ ତଳେ ନାନାପ୍ରକାର କଳ ଓ ବଳ ଖର୍ଚ୍ଚ କରି ଜର୍ମାନୀ ଦେଶରେ ହିଟଲର୍ ସଂଖ୍ୟାଗରିଷ୍ଠ ଲୋକଙ୍କର ସହଯୋଗ ପାଇଥିଲା । ସେଥିପାଇଁ ହିଟଲର-ନୀତିକୁ ଆମେ କଣ ନୀତି ବୋଲି କହିବା ? ଗଣତନ୍ତ୍ର କେବଳ ସଂଖ୍ୟାଗରିଷ୍ଠ ମତର ଅତ୍ୟାଚାର ବୋଲି ଧରିନେଇ ଆମେ ଇତିହାସରେ ଅନେକଥର ଠକିଚୁ, କେତେ ମହାପୁରୁଷଙ୍କୁ ଗୁଳି ମାରିଚୁ, କେତେ ପ୍ରବୀଣ ପଣ୍ଡିତ ଓ ବୈଜ୍ଞାନିକଙ୍କୁ ନିଆଁରେ ପୋଡ଼ି ମାରିଚୁ, କେତେ କେତେ ଧାର୍ମିକ ଲୋକଙ୍କୁ ମାଡ଼ ମାରିଚୁ, ଆମର ଲୋଭ, ମୋହ ଅହଙ୍କାରକୁ କେତେ ପ୍ରଶ୍ରୟ ଆମେ ଦେଇଚୁ । ଏହି ଦୋଷରେ ଦୂଷିତ କେବଳ ସଂସ୍କାରଗତ ହୋଇ ରହିଚି । ବିବେକପୂର୍ଣ୍ଣ ଭାବରେ ପୁରୁଣାକୁ ଛାଡ଼ି ନୂଆକୁ ଗ୍ରହଣ କରିବାର ନିର୍ମଳ ବୃତ୍ତି ଆମେ ଏହି ଦୋଷରୁ ହରାଇ ବସିଚୁ-। ସଂଖ୍ୟାଗରିଷ୍ଠ ଦଳର ରାଜପଥରେ ଯେତେ ଆଡ଼ମ୍ବର ଓ ଯେତେ ବାଣରୋଷନି ଚାଲିଥିଲେ ମଧ୍ୟ ସଂଖ୍ୟାଲଘିଷ୍ଠ ଦଳର ଚିନ୍ତାରେ ଅନେକ ସମୟରେ ଯଥାର୍ଥ ସତ୍ୟ ନିହିତ ହୋଇ ରହିଥାଏ-। ଭୁବନବ୍ୟାପୀ ଅନ୍ଧାରକୁ ଅସ୍ଵୀକାର କରି ଦିନେ ବେଳ ଜାଣି ସଂଖ୍ୟାଲଘିଷ୍ଠର ଆଲୋକକଣା ହଠାତ୍ ଜଳି ଉଠି ଅନ୍ଧାର ଭିତରେ ଶୂନ୍ୟତାକୁ ସ୍ପଷ୍ଟକରି ଦେଖାଇ ଦିଏ । ଜର୍ମାନୀର ରାଜନୈତିକ ଚିନ୍ତାରେ ବିପ୍ଲବ ଆଣି ଏହି ମର୍ମରେ ଏବେ ଏକ ଗ୍ରନ୍ଥ ପ୍ରକାଶ ପାଇଚି । ଲେଖକ ତାଙ୍କ ଗ୍ରନ୍ଥଟିର ନାମ ‘ଅରଣ୍ୟପଥ’ (Der Waldgang) ବୋଲି ଦେଇଛନ୍ତି । ବହୁ ସଂଖ୍ୟାକୁ ଠିକ୍ ବୋଲି କହି ମେଣ୍ଢା ପରି ଡେଇଁ ନ ପଡ଼ି ମଣିଷ ପରି ଚିନ୍ତା କରୁ, ତା’ର ବିବେକବୁଦ୍ଧି ଖରଚ କରୁ, ନୀତି ଅନୀତିର ସ୍ଥାୟୀ ତରାଜୁରେ ପ୍ରତ୍ୟେକ କଥା ବିଚାର କରି ଶିଖୁ, ସଂଖ୍ୟାନ୍ୟୂନ ହୋଇ ରହିବାକୁ ତାକୁ ଆଉ ଲାଜ ନମାଡ଼ୁ, ଇତିହାସ ଓ ଶାସନଶାସ୍ତ୍ରର ନାନାପ୍ରକାର ଆଲୋଚନା କରି ଗ୍ରନ୍ଥକାର ବାର ବାର ଏହାହିଁ କହିଚନ୍ତି ।

 

ଗ୍ରନ୍ଥଟିର ନାମକରଣଟି ଭାରି ଯଥାର୍ଥ ହୋଇଚି । ଆମ ଦେଶର ରାଜା, ମନ୍ତ୍ରୀ, ସାଧବ ଓ କଟୁଆଳପୁଅ ନିତିଦିନ ରାଜପଥରେ ଚାଲି ଆସିଛନ୍ତି, ଅଥଚ ସେମାନଙ୍କର ପାଖେ ପାଖେ ଅରଣ୍ୟପଥରେ ନେଉଳଭାଇ ଆରାମ ଅରଣ୍ୟପଥର ପଦଚାରଣା ଓ ସାଧନାକୁ ଆଦୌ ବ୍ୟାକୁଳ କରି ଦେଇନାହିଁ । ରାଜପଥଚାରୀ ଓଲଟି ଅରଣ୍ୟଚାରୀର କାଳ୍ପନିକ ତ୍ରାସରେ ତ୍ରସ୍ତ ହୋଇ ପଡ଼ିଚି । ଯୋଉଠି ସଂଖ୍ୟାଗରିଷ୍ଠର ଏକମୁହାଁ ଶାସନ ଚାଲିଚି, ଗଣତନ୍ତ୍ର ବୋଇଲେ ଏତେଟା ମଣିଷମୁଣ୍ଡକୁ ନିଜ ପକ୍ଷରେ ସୁମାରି କରିନେବ ଛଡ଼ା ମୁଗ୍‍ଧ କ୍ଷମତାଚ୍ଛନ୍ନ ମଣିଷ ଆଉ କିଛି ବୁଝି ପାରୁନାହିଁ; ସେଠି ସେ ନାନାପ୍ରକାର କୌଶଳ ଓ କରାମତି ଦେଖାଇ ସଂଖ୍ୟାଲଘୁ ଦଳକୁ ଲୋପ କରିଦେବାକୁ ବିଚାରୁଚି । ଜନମତର ଦ୍ଵାହି ଦିଆଯାଇ ସେଠି ସଂଖ୍ୟାଲଘୁ ପକ୍ଷକୁ ଜେଲ ଦିଆଯାଉଚି, ଫାଶୀ ଦିଆଯାଉଚି, ଗୁପ୍ତ ପୋଲିସର ଅଦ୍ଭୁତ ଜାଲ ବିଛାଇ ଗୋଟାଏ ଗୋଟାଏ ମଣିଷକୁ ହରଣଚାଳ କରି ନିଆଯାଉଚି । ଯିଏ ସଂଖ୍ୟାରେ ବିଶ୍ଵାସ କରେ, ତା’ ଭିତରେ ଭୟ ପୂରି ରହିଥାଏ, କୌଣସି ପ୍ରକାର ଆଦର୍ଶରେ ସେ ନିର୍ମଳ ବିଶ୍ଵାସ ରଖିପାରେ ନାହିଁ । ଯିଏ ରାଜପଥରେ ବହୁଲୋକ ଯାଉଚନ୍ତି ଦେଖି ଆପଣା ସଂଶୟଟାକୁ ଘୋଡ଼ାଇ ରଖିବାକୁ ସେଇଠି ଆସି ସାମିଲ ହୋଇଥାଏ, ଅରଣ୍ୟପଥର କ୍ଷୀଣ ସୂଚନା ପାଇଲେ ସେ ବଡ଼ ଶଙ୍କିତ ହୋଇଉଠେ । ଅଧିକ ସଂଖ୍ୟାରେ ଦଳ ଛାଡ଼ି ମଣିଷ ଯେ କାହିଁକି ଅଳ୍ପ ଦଳରେ ରହିବାର ଅସୁବିଧାବାଦୀ ହୋଇ ବାହାରିଚି, ମେଣ୍ଢା-ପଲର ନ୍ୟାୟରେ ବିଶ୍ଵାସ କରୁଥିବା ମଣିଷ ଏ କଥା ମୋଟେ ବୁଝି ପାରେନାହିଁ ।

 

ରାଜପଥରେ କୋଳାହଳରେ ବିଶ୍ଵାସ କରୁଥିଲେ କଦାପି ଆମେ ଅରଣ୍ୟପଥକୁ ଆପଣାର ପଥ ବୋଲି ବାଛି ନେଇ ନଥାନ୍ତୁ । ବହୁ ଦଳ ଯୋଉ ବାଟରେ ଯିବେ, ସେହି ବାଟକୁ ବାଟ ବୋଲି ଗ୍ରହଣ କରୁଥିଲେ ଆମେ ଅରଣ୍ୟବାଟକୁ କଦାପି ଆସି ନଥାନ୍ତୁ । ଅମୁକ ମନ୍ତ୍ରୀ ବା ଅମୁକ ହାକିମ ସେମାନଙ୍କର ପୁଅଝିଅଙ୍କୁ ଅମୁକ ପ୍ରକାର ଶିକ୍ଷା ଦେଉଛନ୍ତି, ତେଣୁ ମୁଁ ମଧ୍ୟ ସେହି ମହାଜନପଥ ଧରିବାର ହୀନଜନ-ବୁଦ୍ଧି ଧରିବି, ଏପରି ଆଗ୍ରହ ଆମର ଥିଲେ ଆମେ ସେଇ କଟକରେ କୋଉଠି ଅଟକି ଯାଇଥାନ୍ତୁ, ଏ ସମାଜର ସ୍ଵୀକୃତ ଶୋଭାଯାତ୍ରାରେ ଆମେ ବେଶ୍ ମୁହଁ ଲୁଚାଇ ଦେଇ ପାରିଥାନ୍ତୁ । ସଂସ୍କୃତିର ସ୍ଵୀକୃତ ପୋଷାକ ଆମରି ସଂସ୍କୃତିକୁ ଶ୍ରେଷ୍ଠ ସଂସ୍କୃତି କହିବାର ଉତ୍ସାହ ଆମର ଥିଲେ କଦାପି ଆମେ ରାସ୍ତାକଡ଼ର ସଭାଘର ଛାଡ଼ି ଅରଣ୍ୟ ଭିତରେ ଘର ଲିପିବା ଓ ଗଛ କାଟିବାର କାମ ଆଦରି ନେଇ ନଥାନ୍ତୁ । ବହୁ ପଥରେ ବହୁସଂଖ୍ୟକ ଲୋକ ଯାଉଛନ୍ତି ବୋଲି କେବଳ ସେଇଥିସକାଶେ ଆମେ ସେ ପଥରେ ଯିବୁନାହିଁ, ଏ ନିଷ୍ପତି କରିବା ପରେ ଆମେ ଅରଣ୍ୟ ପଥକୁ ଆସିଛୁ । ଯକୌଣସି ରଜା ବା ମନ୍ତ୍ରୀ ଆମ ସହିତ ମଟର ଧରି ଆସିବେ ବୋଲି ଆମେ ଅପେକ୍ଷା ରଖିନାହୁଁ । କୌଣସି ଚାରଣ-ସାହିତ୍ୟ ବା ଚାରଣ-ପାଣ୍ଡିତ୍ୟ ଆମର ସ୍ତୁତି ବା ନିନ୍ଦା କରିବା ବୋଲି ଆମେ ପଛକୁ ଅନାଇ ନାହୁଁ । ଆଜି ଯେଉଁ ଶିକ୍ଷା ଏ ସମାଜରେ ଚାଲିଛି, ସେଥିରେ ମଣିଷର କେବଳ ବୁଦ୍ଧିଟାକୁ ସ୍ଵୀକାର କରାଯାଉଛି, ମଣିଷର ସମଗ୍ର ଜୀବନକୁ ସ୍ଵୀକାର କରି ଆମେ ଆମ ଶିକ୍ଷାର ସାହସୀ ପ୍ରୟୋଗ ଆରମ୍ଭ କରିବୁ । ଦେଶର ଅନେକ ପିଲାଙ୍କୁ ମୂର୍ଖ କରି ଏଯୁଗରୁ ଶିକ୍ଷା ଆଉ କେତେଟା ପିଲାଙ୍କୁ ବାବୁ ହେବାର ପାଠ ପଢ଼ାଇବାର ଅଧର୍ମ କରୁଛି । ଏ ଦେଶର ସବୁପିଲାଏ ପାଠ ପଢ଼ିବେ ଓ ଆପଣାର ସୁଯୋଗ୍ୟ ବିକାଶ ଲାଗି ସୁଯୋଗ ପାଇବେ, ଏହିପରି ଗୋଟାଏ ଜିଦକୁ ଆମେ ଆମ ପ୍ରୟୋଗର ପ୍ରଥମ ଧର୍ମ ବୋଲି ମାନି ନେଉଛୁ । ଆଜିର ଶିକ୍ଷା ଜୀବନର ବାହ୍ୟ ଅଙ୍ଗଟାକୁ ସଜାଇ ପାରିବାର ବୌଦ୍ଧିକ ସାଧନା ଯୋଗାଇ ଦେଇ ମଣିଷକୁ ହାଟବଜାରର କିଣାବିକା ଲାଗି ଆଖିଯୋଗ୍ୟ କରି ରଖୁଛି, ମଣିଷର ଭିତରେ ତଥା ବାହାରକୁ ଆଠପହରି ଜୀବନର ବିକାଶକୁ ଆମେ ଶିକ୍ଷାର ଅସଲ କଷଟି କରି ଧରିଛୁ । ଆଜିକାର ଶିକ୍ଷା ସମାଜରେ ମଣିଷ ଭିତରେ ପାହାଚ ସୃଷ୍ଟି କରିଛି, ଘୃଣା ସୃଷ୍ଟି କରୁଛି ଭୌତିକ ଜୀବନର ସୁଖ ଲାଗି ମଣିଷକୁ ସର୍ବସ୍ଵାନ୍ତ ହେବାର ବିପଦରେ ପକାଉଛି, ମଣିଷଠାରୁ ମଣିଷକୁ ଦୂରଛଡ଼ା କରି ରଖିଛି । ଶିକ୍ଷା ଜରିଆରେ ମଣିଷ ସମାଜରୁ ପାହାଚ ଦୂର କରିବାର ପ୍ରୟୋଗ ଆମେ ଚଳାଇବାକୁ ଯାଉଛୁ । ଏହି ପାହାଚ ଦୂର ହେଲେ ସମାଜରୁ ଅନେକ ଘୃଣା ଚାଲିଯିବ, ଭୌତିକ ଜୀବନର ପରଳ ଭେଦ କରି ମଣିଷ ଆପଣାର ସ୍ନେହଶ୍ରଦ୍ଧା ଓ ଭକ୍ତିର ସାଧନାଦ୍ଵାରା ଅନ୍ତର୍ଦର୍ଶନ କରିପାରିବ, ଏ ବିଶ୍ଵାସ ଆମର ଅଛି । ଆମେ ସବୁ ଗୋଟାସୁଦ୍ଧା ଦେବତା ହୋଇଗଲୁଣି ବୋଲି ମୋତେ କହୁନାହିଁ । ଆମେ ମଧ୍ୟ ଏହି ସମାଜର ମଣିଷ । ଆମର ମଧ୍ୟ ଅନେକ ଦୁର୍ବଳତା ଅଛି । ପ୍ରଚଳିତ ସଂସାରର ନାନା ଖଣ୍ଡିତ ନ୍ୟାୟ ଓ ଖଣ୍ଡିତ ଶ୍ରଦ୍ଧା ଆମକୁ ମଧ୍ୟ ଖଣ୍ଡିତ କରି ରଖିଛି । ତଥାପି ଆମେ ଅତି ଉତ୍ସାହରେ ବାହାରିଛୁ, ଏଇ ଧୂଳି ଉପରେ ମଧ୍ୟ ନିର୍ମଳ ସୁନ୍ଦର ଫୁଲଟିଏ ଫୁଟାଇବୁ, ଧୂଳିରେ ଧୂଳି ହୋଇ ରହିବାର ଦୁସ୍ଥତାକୁ ଆମେ ଅସ୍ଵୀକାର କରିବୁ । ଯୁଗର ବିପ୍ଳବ ମଣିଷର ମନ ଭିତରେ ଆରମ୍ଭ ହୁଏ । ବର୍ତ୍ତମାନ ସଂସ୍କୃତି ଓ ସମାଜ-ବ୍ୟବସ୍ଥାକୁ ଆମେ ସ୍ଵୀକାର କରୁନାହୁଁ, ଏକଥା କହିବାରେ ଆମେ ଆଦୌ ଲଜ୍ଜା ଅନୁଭବ କରୁନାହୁଁ । ଆମେ ଏତିକି କହୁଛୁ;–ବର୍ତ୍ତମାନର ବ୍ୟବସ୍ଥାରେ ଅନ୍ୟାୟ ପୂରି ରହିଛି ବୋଲି ଯିଏ ବିଚାରୁଛି, ଆମେ ତାକୁ କହୁଚୁ, ଆସ, ଖାଲି ବହୁଦଳର ପଙ୍କକାଦୁଅରେ ପଡ଼ି ରହନାହିଁ, ଏହି ବ୍ୟବସ୍ଥା କିପରି ବଦଳିବ, ସେଥିଲାଗି ଚିନ୍ତା କର, ଆତ୍ମନିରୀକ୍ଷଣ କର । ଠିକ୍ ଆମର ବାଟରେ ତୁମେ ଆସ, ଏପରି ଦାବୀ କରିବାର ଅହଙ୍କାର ଆମେ କରୁନାହୁଁ । ଆମେ ଖାଲି ନିବେଦନ କରୁଛୁ, ଗୋଟାଏ ବାଟକୁ ଭଲ କହି ତୁମେ ଚୁପ୍ ହୋଇ ବସି ଯାଅନାହିଁ । ରଚନାତ୍ମକ ବୁଦ୍ଧି ଓ ରଚନାତ୍ମକ ବିବେକ ଦ୍ଵାରା ତୁମେ ମଧ୍ୟ ଚିନ୍ତା କର, ଆପଣା ଜୀବନର ସଙ୍ଗତ ସାଧନାଦ୍ଵାରା ଚିନ୍ତା କର । ଯେତେବେଳେ ଯାଏ ଆମ ଭିତରେ ନିଷ୍ଠା ରହିଛି, ସେତେବେଳେ ଯାଏ ଆମର ସାଧନା ତୁମ ସାଧନାର କଦାପି ବାଧକ ହେବନାହିଁ । ଚାଲ, ଆମେ ସମସ୍ତେ ଭଲ ଖୋଜିବା, ନ୍ୟାୟ ଖୋଜିବା, ସମ୍ମାନ ଖୋଜିବା, ବିଶ୍ଵାସ ଖୋଜିବା, ସତ୍ୟ ଖୋଜିବା-। ଯିଏ ଯୋଉଠି ଆଜି ନିର୍ମଳ ନେତ୍ରରେ ଖୋଜୁଛି, ଆମଠାରୁ ଯେତେ ବିଚିତ୍ର ପଥରେ ଗତି କରୁଥିଲେ ହେଁ ଅରଣ୍ୟପଥ ନିଶ୍ଚୟ ତା’ ଉଦ୍ଦେଶ୍ୟରେ ଶ୍ରଦ୍ଧାଭିବାଦନ ଜଣାଉଥିବ ।

 

–ତେର–

 

ଏରସମାରେ ଅନେକବାର ଅନେକ ଲୋକ ପଚାରନ୍ତି, ‘ପିଲାଏ, ତୁମେ କୋଉଠୁ ଆସିଚ ?’ ପିଲାଏ କହନ୍ତି, ‘ଆମେ ଅନୁଗୁଳରୁ ଆସିଚୁ ।’ ଜାଣିବା ଶୁଣିବା ଲୋକ ଆଶ୍ଚର୍ଯ୍ୟ ହେଲାପରି ପୁଣି ପଚାରନ୍ତି, ‘ଅନୁଗୁଳରେ କଣ କଲେଜ ହେଲାଣି ?’ ଶଙ୍କା ସମାଧାନ କରି ରହସ୍ୟରେ ପିଲାଏ ଉତ୍ତର ଦିଅନ୍ତି, ‘ଚମ୍ପତିମୁଣ୍ଡା ଜଙ୍ଗଲ ସ୍କୁଲରୁ ଆମେ ଆସିଚୁ ।’ ଲୋକଙ୍କର ବିସ୍ମୟ ତଥାପି ତୁଟେ ନାହିଁ । ସେଇଠୁ ଆମଭିତରୁ ଲୋକେ ବୁଝିବା ଭାଷାରେ କେହି କହିଦିଏ, ‘ଆମେ ସେଠି ଉତ୍ତର ମୌଳିକ ସ୍କୁଲରେ ପାଠ ପଢ଼ୁଚୁ ।’ ଏତର ସବୁକଥା ବେଶ୍ ବୁଝିଗଲା ପରି ଜବାବ ମିଳେ,’ ହଁ, ମୌଳିକ ସ୍କୁଲ । ତା’ ହେଲେ ତ ତୁମେମାନେ ସବୁ କାମ କରି ଶିଖିଥିବ ।’ ଏହାପରେ ସେମାନେ ଆଉ କିଛି କହନ୍ତି ନାହିଁ । ସେଠି ପିଲାଏ ପାଠ ପଢ଼ନ୍ତି ବୋଲି ଯେ କହିଲେ, ସେକଥା ପଦକ ଆଉ କାହାରି ମନେ ରହେ ନାହିଁ । ମୁଁ ପାଖରେ ଥାଇ ସବୁ ଶୁଣୁଥାଏ । ହସ ମଧ୍ୟ ମାଡ଼ୁଥାଏ । ଏରସମାରେ ଥିବାତକ ଆମେ ଆମର ବେକଚା ନିଜେ ବୋହିଚୁ, ଡଙ୍ଗା ବାହିବାବାଲାଙ୍କର ହାତ ଥକିଗଲେ କାତ ଆମେ ନିଜେ ଧରିଚୁ । ଦରକାର ପଡ଼ିବାମାତ୍ରକେ ଆମ ରୋଷେଇ ଆମେ ନିଜେ କରିଚୁ । ସବୁଠାରେ ସେଇ ଗୋଟାଏ କଥା ଶୁଣିବାକୁ ମିଳିଚି, ‘ମୌଳିକ ପିଲା ପରା ! ସେମାନେ ସବୁ ପାରିବେ ।’ ଦିନେ ସେଠି ଏତେ ବରଷା ହେଲା ଯେ, ଏରସମା ଗାଁଯାକ ପାଣି ଭର୍ତ୍ତି ହୋଇଗଲା । ସକାଳୁ ଯେଝା ଘରେ ଯିଏ । ଚାରି ପାଞ୍ଚ ଜଣଙ୍କର ଘର ଭୁଷୁଡ଼ି ପଡ଼ିଲା । ଯୋଉ କେତେଟା ଦରଭଙ୍ଗା ଘରକୁ ସେଠିକି ଲୋକ ମାଇନର ସ୍କୁଲ ବୋଲି ଆମକୁ ଚିହ୍ନାଇ ଦେଇଥିଲେ, ତାହାର କାନ୍ଥ ମଧ୍ୟ ପଡ଼ିଗଲା । ପୋଖରୀର ପାଣି ସହିତ ଦାଣ୍ଡପାଣି ଏକାଠି ହୋଇଗଲା । ତଥାପି କାହାରି ଦେଖା ନଥାଏ । ପୋଲିସ ବାବୁଙ୍କୁ ନେଇ ଆମେ ଲକ୍ଷ୍ମୀଛଡ଼ା ଦଳଟା ବାହାରି ପଡ଼ିଲୁ । ବର୍ଷା ଢୁଢ଼ୁ ଢାଳୁଥାଏ । କୋଦାଳ ଧରି ବର୍ଷାପାଣି ଖଲାସ ହୋଇ ଯିବାକୁ ନାଳି କାଟିଦେଲୁ । ଏତେବେଳେ କାଁଭାଁ ଲୋକଙ୍କର ଦର୍ଶନ ମିଳିଲା । ହଠାତ୍ ଜଣକ ପାଟିରୁ ଶୁଣିବାକୁ ପାଇଲି,’ ସେମାନେ ମୌଳିକ ସ୍କୁଲ ପିଲା ପରା, ସେମାନେ ସବୁ କାମ କରି ପାରିବେ । ଯୋଉମାନେ କେବେ କୌଣସି କାମ କରନ୍ତି ନାହିଁ, କାମ କରିବାକୁ ଚାହାନ୍ତି ନାହିଁ, ଏରସମାର ପଙ୍କକାଦୁଅ ଓ ମ୍ଳେଚ୍ଛ ମଣିଷଙ୍କ ମେଳରେ ମଧ୍ୟ ଯୋଉମାନଙ୍କର ଗୋଡ଼ରୁ ଜୋତା ବାହାରିବାକୁ ରାଜି ହୁଏନାହିଁ, ଲୋକମାନଙ୍କ ପାଖକୁ ନ ଯାଇ କାଗଜ କଲମର ମଞ୍ଚା ଉପରୁ ଯୋଉମାନେ ଲୋକଙ୍କର ଦୁଃଖ ଦୂର କରିବାର ହାକିମ ଅବତାର ଗ୍ରହଣ କରିଥାନ୍ତି, ସେହିପରି ଶିକ୍ଷିତମାନଙ୍କର ମୁହଁରୁ ମଧ୍ୟ ଠିକ୍ ଏହିକଥା ଶୁଣିବାକୁ ପାଇଛି । ଏ ଦେଶର ଦଳେ ମଣିଷଙ୍କୁ ରୋଗ ଓ ଦାରିଦ୍ର୍ୟରେ ବୁଡ଼ାଇ ଆଉ ଦଳଙ୍କ ଲାଗି ବିଧାତା ଐଶ୍ଵର୍ଯ୍ୟଭୋଗ ଖଞ୍ଜି ଦେଇଚି, ଏ କଥା ଅନେକ ଶିକ୍ଷିତ ଲୋକ ଅତି ନିଷ୍ଠାପର ଭାବରେ ବିଶ୍ଵାସ କରନ୍ତି । ସେହିମାନଙ୍କର ମନ ଶିକ୍ଷାରେ ମଧ୍ୟ ସେମିତି ଦୁଇ ଭାଗ କରି ଦେଇଥାଏ । ଭାଗେ ପାଠ ପଢ଼ିବେ, କଟକରେ ବାବୁ ହେବେ, ଗାଁକୁ ଛୁଟିରେ ଆସିଲେ ଥିଏଟର କରିବେ, ମଉଜମଜଲିସ କରିବେ, ଆଉ ପାଠ ପଢ଼ିସାରି ସେଇ ସହରରେ ଚାକିରି କରିବେ, ଚାକିରିଆଙ୍କର ପୋଷାକ ପିନ୍ଧିବେ, ଏ ଦେଶର ପାଠୁଆ ଯେମିତି ଦୁଇ ଭାଷାରେ ନାବରେ ଗୋଡ଼ ଦେଇ କଥା କହନ୍ତି, ଠିକ୍ ସେମିତି କଥା କହିବାର ଶିକ୍ଷିତ ବିକାର ଦେଖାଇବେ । ଆଉ ଭାଗେ ମୌଳିକ ସ୍କୁଲରେ ନାଁ ଲେଖାଇବେ, ଘର ଓଳାଇବେ, ଗୋବର ଗୋଟାଇ ଯିବେ, ସୂତା କାଟିବେ ଇତ୍ୟାଦି ଇତ୍ୟାଦି । ମୌଳିକ ଶିକ୍ଷା କହିଲେ ସେମାନେ ଘର ଲିପିବା ବା ଜଙ୍ଗଲ କାଟିବା ଛଡ଼ା ଆଉ କିଛି ବୁଝିନ୍ତି ନାହିଁ । ଆଉ, ଶିକ୍ଷା କହିଲେ ସେମାନେ ଭାବନ୍ତି, ପିଲା କୋଠାଘରେ ପାଠ ପଢ଼ୁଥିବ, ଇସ୍କୁଲରେ ଥିବା ସମୟତକ ସଫାସୁତୁରା ଦେଖା ଯାଉଥିବ, ଜୋତା ମୋଜା କୁର୍ତ୍ତାକାମିଜ ପିନ୍ଧି Smart ଦେଖା ଯାଉଥିବ, ବକୃତା ଶୁଣି ଖାତାରେ ଟିପି ନେଇ ପାରୁଥିବ, ଇତ୍ୟାଦି ଇତ୍ୟାଦି-। ସେଇ ଗୋଟାଏ ସରକାରର ଅନ୍ତଃପୁରରେ ଆଜି ଦୁଇଟି ପ୍ରକାରର ଶିକ୍ଷା ଲାଗି ବିଧାନଗତ ବ୍ୟବସ୍ଥା କରାଯାଉଚି, ଦୁଇଟି ଲାଗି ପଇସା ହେଉଚି, ଦୁଇଟି ଲାଗି ହାକିମମାନେ ଭଲମନ୍ଦ ତନଖିବାକୁ ରହିଛନ୍ତି । କିନ୍ତୁ ମୌଳିକ ଶିକ୍ଷା ଓ ପ୍ରଚଳିତ ଶିକ୍ଷା କହିଲେ ଏପରି ଦୁଇଭାଗିଆ ସୁରୁଚି-ସୁନୀତିର କଳ୍ପନା ନ କରୁଥିବା ହାକିମ ବା ବ୍ୟବସ୍ଥାପକ ସରକାର ଘରେ ଯେ କେତେଜଣ ଥିବେ, ଏ ବିଷୟରେ ସନ୍ଦେହ କରିବାର ଯଥେଷ୍ଟ କାରଣ ରହିଚି ।

 

ଆମ ଦେଶରେ କାମ କରିବା ଲୋକର ତ ଅଭାବ ନଥିଲା । ଏ ଦେଶରେ ଏହାହିଁ ସୌଭାଗ୍ୟ ଯେ ଏଠି କାରଖାନାରେ ଲୋଡ଼ା ହେଉଥିବା ଶ୍ରମିକଙ୍କଠାରୁ ଅଧିକ ସଂଖ୍ୟାକ ବେକାର ରହିଛନ୍ତି, ବୋକଚା ସଂଖ୍ୟାଠାରୁ କୁଲି ଅଧିକ ଅଛନ୍ତି । ଜୋତା ଅନୁପାତରେ ଜୋତା ପୋଛିବାର ସଜ ଧରି ବୁଲୁଥିବା ପିଲା ଅଧିକ ଅଛନ୍ତି । ବାବୁଙ୍କର ଅନୁପାତରେ ଚାକର, ଚପରାଶୀ, ବେହେରା ଓ ରୋଷେଇଆଙ୍କ ସଂଖ୍ୟା ଯଥେଷ୍ଟ ବେଶୀ ରହିଚି । ଆଗେ ଯେମିତି ଗୋଟାଏ ରାଜାର ଶିକାର-ଧର୍ମ ଲାଗି ଶହ ଶହ ମଣିଷ କର୍ମ-କଷଣ ସହିବାଲାଗି ମହଜୁଦ ହୋଇ ରହିଥିଲେ, ଆମ ବର୍ତ୍ତମାନର ସମାଜରେ ଗୋଟାଏ ଗୋଟାଏ ବାବୁପିଛା ହୁଏତ ସେମିତି ଶହ ଶହ ସେବାକାରୀ ମହଜୁଦ ହୋଇ ରହିଚନ୍ତି । ହିସାବ କଲେ ସେକଥା ସମସ୍ତେ ଜାଣିପାରିବେ । ତେବେ କାମ ଖଟିଲାବାଲାଙ୍କର ପଲ ଦେଶଯାକ ବୁଲୁଥିଲାବେଳେ ଓ ମୌଳିକ ଶିକ୍ଷା କାହିଁକି କୁଆଡ଼ୁ ଆସିଲା ? ମୁଲିଆ ହେବ ଦୋଷରୁ, କାମ କରିବାକୁ ପଡ଼ିବାର ପାପରୁ ମୁକ୍ତି ପାଇବା ଲାଗି ଦେଶର ଆଜି ଚାରିଆଡ଼େ ତ୍ରାହି ଡାକପଡ଼ିଚି । ନାନାପ୍ରକାର ବିଚିତ୍ର ବ୍ୟବସ୍ଥା ଖୋଲାଯାଇ ଆଜି ଲୋକଙ୍କୁ କାମ କରିବାର ଲାଜରୁ ସୁରକ୍ଷିତ କରି ରଖାଯାଉଚି । ଯୋଉ ବାପ ମାଟି ହାଣି ହଳଧରି ପଚାଶ ବର୍ଷ ଜୀବନକୁ ମାଟି କଲାଣି, ସେ ଭାବୁଚି, ଯେକୌଣସି ଉପାୟରେ ସେ ପୁଅକୁ ତା’ର ବଂଶଗତ କାମ ଖଟିବାରୁ ରକ୍ଷା କରିବ । ଜମି ବିକି ବା ଗହଣା ବନ୍ଧା ପକାଇ ସେ ବିଚାର ନାନା ଫନ୍ଦିରେ ପୁଅକୁ କଟକ ପଠାଉଚି ପାଠ ପଢ଼ିବାକୁ ଯେପରି ଆଉ ତାକୁ କାମ କରିବାକୁ ପଡ଼ିବ ନାହିଁ ତେବେ ଏ ବଳକା ବଜାରରେ ପୁଣି ଗୁଡ଼ାଏ ପିଲାଙ୍କୁ କୁଲି ମଜୁରିଆ କରି ତିଆରି କରିବାର ଦୁର୍ବୁଦ୍ଧି ଏ ମୌଳିକ ଶିକ୍ଷାର ହେଲା କାହିଁକି ? ଗାନ୍ଧୀ କଣ ଦେଶର ଏତିକି କଥା ବୁଝି ପାରିଲେନାହିଁ ?

 

ସେଦିନ କାର୍ଲି ମାର୍‍କସ୍‍ଙ୍କ ବିଷୟରେ ଗୋଟାଏ କଥା ପଢ଼ୁଥିଲି । ପିଲାମାନେ କୌଣସି ପ୍ରକାର କାମ କରିବେ ନାହିଁ, ଏଥିଲାଗି ଆଇନ କରିବାକୁ ଜର୍ମାନୀ ଦେଶର ସାମ୍ୟବାଦୀ ଦଳ ଗୋଟାଏ ପ୍ରସ୍ତାବ କରିଥିଲେ । ମାରକସ୍ ଏପରି ଏକ ପ୍ରସ୍ତାବର ଦୃଢ଼ ବିରୋଧ କଲେ । ସେ କହିଲେ, ଶରୀରଶ୍ରମ ସହିତ ପାଠ ଯୋଡ଼ି ଦିଆଗଲେ ହିଁ ପିଲାଏ ଉଚିତ ଶିକ୍ଷା ପାଇ ପାରିବେ । ଏପରି ଶିକ୍ଷା ପାଇ ପିଲାଏ ଅଧିକ କର୍ମକୁଶଳ ହୋଇ ଉତ୍ପାଦନ ବଢ଼ାଇବାରେ ସାହାଯ୍ୟ କରିବେ, ଏପରି କୌଣସି ମତଲବ ରଖି ମାର୍କସ ଏପରି କଥା କହି ନଥିଲେ । ଯେକୌଣସି ଉତ୍ପାଦନମୂଳକ ଶରୀରଶ୍ରମ କରିବା ସଙ୍ଗେ ସଙ୍ଗେ ପିଲାଏ ସାଧାରଣ ଶିକ୍ଷା ପାଇବେ; ଭୂଗୋଳ, ଇତିହାସ, ସାହିତ୍ୟ ସବୁ ପଢ଼ିବେ, କେବଳ ଏହାରି ଦ୍ଵାରାହିଁ ପିଲାମାନଙ୍କର ପୂର୍ଣ୍ଣ ମାନବିକ ବିକାଶ ହୋଇ ପାରିବ, ଏହା ସେ ଦୃଢ଼ଭାବରେ ଘୋଷଣା କରିଥିଲେ । ଆଜି ଆମ ସମାଜରେ ସମସ୍ତେ କାମ କରିବାକୁ ଘୃଣା କରୁଚନ୍ତି । ଯିଏ କାମ ଖଟି ଜୀବନ ବଞ୍ଚୁଛି, ସିଏ ମଧ୍ୟ କାମକୁ ଘୃଣା କରୁଚି । ଉପାସ ରହିବାର ଭୟରେ ବାଧ୍ୟ ହୋଇ ସେ କାମ କରୁଛି । କିନ୍ତୁ ଆମ ସମାଜର କର୍ମଭୀରୁ ବାବୁ ତା’ର ଆଦର୍ଶ ହୋଇ ରହିଛି । ଆମ ସହରର ରିକ୍ସାବାଲା ହୁଏତ ରାତିରେ ଆପେ କମିଜ ପିନ୍ଧି, ଟୋପି ମଡ଼ାଇ ରିକ୍ସା ଚଢ଼ି ବାବୁ ହୋଇ ଯାଉଥିବାର ସ୍ଵପ୍ନ ଦେଖୁଛି । ଦିନଯାକ ସୌଖୀନ ଜୀବନର ଭସ୍ମ ବୋଳିହୋଇ ସଭ୍ୟତାର ଡମ୍ବରୁ ବଜାଉଥିବା ଭୋଳାନାଥକୁ ପୀଠିରେ ବୋହି ରାତିରେ ସ୍ଵୟଂ ଭୋଳାନାଥ ହେବାର ସ୍ଵପ୍ନ ଦେଖୁଥିବା ବାସୁଆବଳଦ ପରି ତାର ଦଶା ହେଉଚି; କିନ୍ତୁ ଏ ସ୍ଵପ୍ନ ଦେଖିବାରେ ଯଦି ଦଶା ମେଣ୍ଟା ଯାଉଥାନ୍ତା ! ବର୍ତ୍ତମାନ ସମାଜର ବ୍ୟବସ୍ଥା ଯେମିତି, ସେଥିରେ ଶ୍ରମିକ ସମ୍ମାନର ଚକ୍ଷୁରେ ଦେଖିବା ସମ୍ଭବ ହୋଇ ପାରିବ ନାହିଁ । କାରଣ ଏ ବ୍ୟବସ୍ଥାରେ ଶ୍ରମ କରି କେହି ଆନନ୍ଦ ପାଇବ ନାହିଁ । ସେଥିଲାଗି ଦଳେ ବାଧ୍ୟ ମଜୁରି ଲାଗି ଶ୍ରମ କରିବେ, କିନ୍ତୁ ସେମାନଙ୍କର ମନ ଶ୍ରମଠାରୁ ଅନେକ ଦୂରରେ ଆପଣାର ଗ୍ଳାନିକୁ ଲୁଚାଇ ବୁଲୁଥିବ । ଆଉ ଦଳେ ଅନ୍ୟମାନଙ୍କୁ କାମ ଖଟାଇ ଆପେ ଲକ୍ଷ୍ମୀଙ୍କର ବାହନ ହୋଇ ବସି ଆତ୍ମଗୌରବ ପାଉଥିବେ; ସାହିତ୍ୟ, ସଂସ୍କୃତି ଓ ଶିକ୍ଷାକୁ ଆପଣାର ହୀନମନୋଗତ ଦୋଷରେ ଦୂଷିତ କରି ରଖିଥିବେ । ତଥାପି ସେମାନଙ୍କର ଦଶା ଘୁଞ୍ଚିବ ନାହିଁ । ଆଜି ସମାଜରେ ଦୁଇଦଳକୁ ହିଁ ଘୋର ତମିସ୍ରା ଆଚ୍ଛନ୍ନ କରି ରଖିଚି । ଗୋଟାଏ ପାଖ ଭୋକ ହୋଇ ଅଫିମ ଖାଇ ପଡ଼ିଚି, ଆଉ ଗୋଟାଏ ପାଖ ପଶୁଜୀବନର ପାକ ପୁରୀଷପ୍ରକ୍ରିୟାରେ ବାନ୍ଧି ହୋଇ ପଡ଼ିଚି । କାହାରି ରାତି ପାହି ନାହିଁ । ରାତିର ଅର୍ଦ୍ଧସତ୍ୟ ଗୁଡ଼ାକୁ ଆମେ ସମସ୍ତେ ଗଣ୍ଠି କରି ଧରିଚୁ । ଆଉ ସେହି ଦୋଷରେ ଦୁଇ ପାଖର ମଣିଷହୃଦୟରେ ଆଜି ନାନା ଦୀନତା ଓ ନାନା ମଳିନତାର ଗଣ୍ଠି ପଡ଼ିଯାଇଚି । ଅଭ୍ୟାସଗତ ହୋଇ ଏ ଗଣ୍ଠି ଆମକୁ ବି ବେଶ୍ ସୁହାଇ ଗଲାଣି ।

 

ଦେଶରେ ଗୋଟାଏ ନୂଆ ଶିକ୍ଷାର ପ୍ରଚାଳନ କରି ଗାନ୍ଧୀଜୀ ଏ ଦେଶ-ହୃଦୟର ଗଣ୍ଠି ଫିଟାଇବାର ସ୍ଵପ୍ନ ଦେଖିଥିଲେ । ମୌଳିକ-ଶିକ୍ଷାର ନିରୂପଣ କରିବାକୁ ଯାଇ ଯୋଉ ହିସାବୀ ଆଖିରେ ଆଗ ଯାହା ପଡ଼ୁ ପଛକେ, ସମଗ୍ର ଭାବରେ ମଣିଷ ହୃଦୟର ଏହି ଦ୍ଵାର ଉଦ୍‍ଘାଟନ କରିବାକୁ ମୁନହ ମୌଳିକ ଶିକ୍ଷାର ପ୍ରଥମ ଓ ପ୍ରଧାନ କାମ ବୋଲି କହିବି । ଭିକ୍ଟୋରିଆ ଅମଳରେ ଅର୍ଥାତ୍ ଷାଠିଏ ବର୍ଷ ତଳେ ବିଲାତର ସହର ରାସ୍ତାରେ କେହି ଖୋଲା ଦେହରେ ଯାଇ ପାରୁ ନଥିଲେ । ପୋଲିସ ଆସି ଧରପଗଡ଼ କରିବା ପୂର୍ବରୁ ରାସ୍ତାରେ ବୁଲୁଥିବା ଲୋକମାନେ ହିଁ ତାକୁ ଆଗ ଘେରି ଯାଉଥିଲେ । ଶରୀରକୁ ବେଳ ଜାଣି କ୍ଷେତ୍ର ଜାଣି ଗୋଟାଏ ନିର୍ଦ୍ଦିଷ୍ଟ ବିଧିରେ ବସନାବୃତ କରି ରଖିବାକୁ ସେ ଯୁଗରେ ଲୋକେ ସଭ୍ୟତା ବୋଲି କହୁଥିଲେ । ପ୍ରାକୃତିକ ଆବଶ୍ୟକତା ଉପରେ ଲୌକିକ ଆବଶ୍ୟକତା ସର୍ଦ୍ଦାରୀ କରୁଥିଲା । ସେହିପରି ଗୋଟାଏ କୁଶିକ୍ଷାଗତ ସର୍ଦ୍ଦାରୀ ବର୍ତ୍ତମାନ ଆମର ଶ୍ରୀହୀନ ସମାଜରେ ଚାଲିଚି । ଘର ଭିତରେ ରୋଷେଇଶାଳାରେ ଆମର ଯେତେ ଅସନା ଥାଉ ପଛକେ, ବାହାରକୁ ଗଲେ ବେକ ପର୍ଯ୍ୟନ୍ତ ଦେହ ଲୁଚାଇବାକୁ ହେବ । ଏଣେ ଭିତରେ ଗେଞ୍ଜି କମିଜ ଓଦା ହୋଇ ବାମ୍ଫ ବାହାରୁ ପଛକେ, ବୈଶାଖ ମାସର ଖରାଦିନେ ମୋତେ ସୁଟ୍ ମଡ଼ାଇବାକୁ ପଡ଼ିବ, ନହେଲେ ମୋର ପାହିଆର ମର୍ଯ୍ୟାଦା କମିଯିବ । ଯେତେବେଳେ ମଣିଷ ହିସାବରେ ‘ମୋର’ ମର୍ଯ୍ୟାଦା ବିଷୟରେ ସଚେତପଣିଆ କମିଯାଏ, ସେତିକିବେଳେ ମୋର ପାହିଆର ମର୍ଯ୍ୟାଦା ବିଷୟରେ ମୋର ରୋଗୀମନର ବୈଦ୍ୟ ନାନା ପୋଷାକୀ ଜଡ଼ିବୁଟିର ବରାଦ କରିବାରେ ବ୍ୟସ୍ତ ଥାଏ । ଯେଉଁ ଦ୍ଵାର ଦେଇ ଆମ ସମାଜରେ ସୁସ୍ଥମନ ସୁସ୍ଥମନକୁ ଚିହ୍ନୁଥାନ୍ତା, ନିର୍ମଳ ହୃଦୟ ସହିତ ନାନା ସଖ୍ୟ ଓ ଶ୍ରଦ୍ଧାର ବନ୍ଧନଦ୍ଵାରା ଯଥାର୍ଥରେ ମୁକ୍ତ ହୋଇ ପାରୁଥାନ୍ତା, ସେସବୁ ଦ୍ଵାରା ବନ୍ଦ ହୋଇ ରହିଚି । ସେହି ଦ୍ଵାରର ଉନ୍ମୋଚନ ଲାଗି ଆମେସବୁ ଲାଜ ଛାଡ଼ି ବାହାରିବା, ଚାଲ ଆମେ ସମସ୍ତେ ବାହାରିବା । ଚାଲ, ଆମେ କାମକୁ ଡରିବା ନାହିଁ, ପାଠକୁ ଡରିବା ନାହିଁ । ସମଗ୍ର ସୁଷମ ମଣିଷର ବିକାଶ ଲାଗି ଜୀବନରେ ଯାହା ଦରକାର, ସେସବୁକୁ ଜୀବନରେ ଆୟତ୍ତ କରିବାଲାଗି ଆମେ କୌଣସି ଲୌକିକତାକୁ ଡରିବା ନାହିଁ । ସମାଜରେ ମଣିଷ ସହିତ ମଣିଷର ଯୋଗାଯୋଗ ଆଜି ଅନେକ ଅସତ୍ୟ ଓ ଅନେକ ଅଶିକ୍ଷା ଦ୍ଵାରା ଛିନ୍ନ ହୋଇ ଯାଇଚି, ସତ୍ୟ ଓ ଶିକ୍ଷାର ନିର୍ଭୀକତା ଦ୍ଵାରା ଆମେ ପୁଣି ମଣିଷ ସହିତ ମଣିଷର ଖିଅ ଲଗାଇ ଦେବା । ସମାଜକୁ ନୂଆ କରି ଗଢ଼ିବାର କାମ ଆଗ ବିଦ୍ୟାଳୟରୁ ଆରମ୍ଭ ହେବା ଉଚିତ, ଏକଥା ଆଜି ପୃଥିବୀର ସମସ୍ତ, ଶିକ୍ଷାଦର୍ଶନ ସ୍ଵୀକାର କରୁଚି । ଆମେ ଆଉ ସମାଜକୁ ଦୁଇଭାଗ କରି ରଖି ଆମର କାମକୁ ଫାଙ୍କି ଦେବାନାହିଁ । ସମାଜର କର୍ମଭୀରୁ ଓ କର୍ମ ପୀଡ଼ିତ ଏହିପରି ଦୁଇ ପକ୍ଷରେ ବିଭକ୍ତ କରି ଆମେ ଆଉ ଆପଣା ଆପଣା ଦୁଆରକୁ ବନ୍ଦ କରି ରଖିବା ନାହିଁ । ସବୁ ପ୍ରକାର ପୋଷାକ ଲାଜ ଆମର ଦୂର ହୋଇଯାଉ-। କାଲି ଯୋଉମାନେ ଏ ଦେଶ ଚଳାଇବେ, ସେମାନଙ୍କୁ କୋଢ଼ି କରି ରଖିବାର ଦୁର୍ବୁଦ୍ଧି ଯେପରି ଆମକୁ ଗ୍ରାସକରି ନ ରହେ ।

 

–ଚଉଦ–

 

ଏରସମାରେ ଗାଆଁ ଗାଆଁ ବୁଲିଲାବେଳେ ଥରେ ଗୋଟାଏ କରଣବସ୍ତିରେ ପହଞ୍ଚିଲି । ଉଚ୍ଚ ପିଣ୍ଡା, ଲମ୍ବା ଲମ୍ବା ଧାଉଡ଼ି, ପିଣ୍ଡାଉପରୁ ଦାଣ୍ଡଯାଏ ପଥର ପାହାଚ ଲମ୍ବି ଆସିଥାଏ । ବସ୍ତିର ମଝି ଦେଖି ଏମିତି ଗୋଟିଏ ପିଣ୍ଡାରେ ଆମେ ଯାଇ ବସିପଡ଼ିଲୁ । ପିଲା, ଟୋକା, ବୁଢ଼ା କେତେ ଲୋକ ଆସି ଆମକୁ ବେଢ଼ିଗଲେ । ତା’ଭିତରେ ଚାରିପାଞ୍ଚଜଣ ବୁଢ଼ା ଥାଆନ୍ତି । ମୁଁ ଯାହା ପଚାରୁଥାଏ, ପ୍ରତ୍ୟେକ ଆଗ ବାହାରିପଡ଼ି ଉତ୍ତର ଦେବାକୁ ଆସୁଥାନ୍ତି–‘ତୁ ଗୋଟାଏ କି ମାମଲତକାର, ତୁ କି କଥା କହିବୁ ?’ ଏମିତି ପଦେ ପଦେ ବି ପ୍ରତ୍ୟେକେ ପ୍ରତ୍ୟେକକୁ ଶୁଣାଇ ଦେଲେ । ଦୁଃଖ ଭୋଗିବାର ଅନାଟନରେ ପଡ଼ିବାର ଲକ୍ଷଣ ତ ଏ ନୁହେଁ–ମୁଁ ଖାଲି ଏଇକଥା ଭାବୁଥାଏ, ଆଉ ଚୁପ୍ ହୋଇ ସେମାନଙ୍କର କଥା ଶୁଣୁଥାଏ । ହଠାତ୍ ଶୁଣିଲି ଜଣେ ବୁଢ଼ା, ଆଉ ଜଣେ ବୁଢ଼ାକୁ ଇଂରାଜୀରେ କଣ ସବୁ ଶୋଧିଦେଇ ଯାଉଛନ୍ତି, ଆଉ ଶୋଧା ଖାଉଥିବା ବୁଢ଼ା ଜଣକ ଖାଲି ବଲବଲ ଅନାଇଛନ୍ତି । ଗାଳି ସରିଲା, ଗଡ଼ ଜିଣି ଆସିଲାପରି ଗାଳି ଦେଇଥିବା ବୁଢ଼ା ମୋ’ ଆଡ଼କୁ ଅନାଇଲେ । ମୁଁ ସେମିତି ପଥରପରି ବସିଥାଏ । ମତେ ସେ ପଚାରିଲେ, ମୁଁ ଯାହା ସବୁ କହିଲି ଆପଣ କଣ ବୁଝିପାରିଲେ ନାହିଁ କି ? ମୁଁ କହିଲି, ଆପଣ କଣ ମତେ କିଛି କହିଲେ ? ସାଙ୍ଗେ ସାଙ୍ଗେ ଉତ୍ତର ପାଇଲି, ‘ମୁଁ ତାକୁ କହିଲି ଯେ, କିନ୍ତୁ ଆପଣ ବୁଝି ପାରିବେ ବୋଲି ଇଂରାଜୀରେ କହିଲା ନା ? ସେ ମୂର୍ଖଟା କଣ ଇଂରାଜୀ ବୁଝନ୍ତା ? କଲେଜ ପିଲାଏ ଆସି ରିଲିଫ୍ କାମ କରୁଛନ୍ତି ବୋଲି ଖବର କାଗଜରେ ବାହାରିଥିଲା । ସେଇଥିଲାଗି ମୁଁ ଅନୁମାନ କଲି ଆପଣମାନେ ସେଇ କଲେଜରୁ ଆସିଥିବେ, ତେଣୁ ଇଂରାଜୀ ବୁଝୁଥିବେ ।’ ଭାଷା ବିଷୟରେ ଆମର ବିକାର ଆମ ଜାତୀୟ ହୃଦୟର କେତେ ଗଭୀରକୁ ଖାଇଗଲାଣି, ସେଦିନ ସେଇ ଗାଆଁରେ ତାର ସୂଚନା ପାଇଲି ।

 

ମୌଳିକ ସ୍କୁଲରେ ପିଲାଏ ଇଂରାଜୀ ପଢ଼ୁନାହାନ୍ତି, ତେଣୁ ସେଠି କିଛି ପାଠପଢ଼ା ଯାଉନାହିଁ, ଏହିପରି ବିଚାର ଅନେକ ଭଦ୍ରଲୋକଙ୍କର ଅଛି । ମୌଳିକ ସ୍କୁଲର ପିଲାଏ ମଧ୍ୟ ଅନେକ ସମୟରେ ଗୋଟାଏ ପ୍ରକାର ଲଜ୍ଜା ଏଥିଲାଗି ଅନୁଭବ କରନ୍ତି । ମୌଳିକ ପିଲାଏ ସାଧାରଣ ପିଲାଙ୍କର ସମକକ୍ଷ ହୋଇପାରୁ ନାହାନ୍ତି, ଏହିପରି ଗୋଟାଏ ଆତ୍ମଲଘୁ-ଭାବନାରେ ବିଚଳିତ ହୋଇ କେତେକ ଯାଗାରେ ମୌଳିକ ସ୍କୁଲର ଶିକ୍ଷକମାନେ ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଇଂରାଜୀ ଶିଖାଇବା ଆରମ୍ଭ କଲେଣି । ଅନ୍ତତଃ ଏଇ ଗୋଟାଏ ସ୍ଥାନରେ ସେମାନେ ସରକାରଙ୍କ କାଜଗପତ୍ରର ନିୟମକୁ ଅମାନ୍ୟ କରିଛନ୍ତି । ରେଳବାଇ ଟିକେଟଘର ଠାରୁ ଆରମ୍ଭ କରି ଅଦାଲତ କଚେରୀ ମହକିଲଖାନା ପର୍ଯ୍ୟନ୍ତ ସବୁଠି ଯେମିତି ଏ ଦେଶରେ ବାବୁ ଆଉ ମଳିମୁଣ୍ଡିଆର ଦ୍ଵନ୍ଦ୍ୱ ଯୁଦ୍ଧ ଚାଲିଛି । ବିଶେଷ କରି ଇଂରାଜୀ ଏ ଦେଶରୁ ଚାଲିଗଲା ପରେ ଆମର ଏଠି ଇଂରାଜୀ ଆଉ ଓଡ଼ିଆ ଭାଷା ଭିତରେ ଲଢ଼ାଲଢ଼ି ଆରମ୍ଭ ହୋଇଛି । ପୋଷାକ, ଜୋତା, ମୋଜା, ଆଉ ଆଦବକାଇଦା ଦେଇ ଯେମିତି ଏ ଦେଶର ବାବୁ ଓ ହାକିମ ଦେଶର ଦୂରରେ ମୂର୍ଖଠାରୁ ଦୂରରେ ରହିବାର ବ୍ୟୁହ ରଚନା କରିଛି, ସେମିତି ଓଡ଼ିଆ ଛାଡ଼ି ଖଣ୍ଡିଆ ଗୋଡ଼ିମିଶା ଇଂରେଜୀ ଭାଷାର ଚାଉଳ ଚୋବାଇ ଚୋବାଇ ସେ କେବଳ ଓଡ଼ିଆ କଥା କହି ଜାଣୁଥିବା ଅକିଞ୍ଚନଠାରୁ ଦୂରଛଡ଼ା ହୋଇ ରହିଛି । ଆମର ସାମାଜିକ ଜୀବନରେ ଦୁଇଟା ପକ୍ଷକୁ ଅତି ସନ୍ତର୍ପଣରେ ବଞ୍ଚାଇ ରଖିବାକୁ ଇଂରାଜୀ ଭାଷା ବେଶ୍ ସାହାଯ୍ୟ କରୁଛି । ମୂଲିଆ ଆଗରେ କାମଦାର ଇଂରେଜୀରେ ମୂଲର ହିସାବ ଲେଖିରଖୁଛି, ମୁନିସୀବାବୁ ଇଂରେଜୀରେ ଥାନାରେ ଡାଏରି ଲେଖୁଛନ୍ତି, ଡାକବାବୁ ଇଂରେଜୀରେ ଦସ୍ତଖତ କରୁଛନ୍ତି । ଓଡ଼ିଆ କହି ଜାଣୁଥିବା ଓ ଟିପଚିହ୍ନ ଦ୍ଵାରା ଆପଣାର ଅସ୍ତିତ୍ଵ ସୂଚାଇ ପାରୁଥିବା ମଣିଷର ଜୀବନ ପରିଧିଠାରୁ ସେମାନେ ଯୋଜନା ଦୂରରେ ରହି ଯାଉଛନ୍ତି, ସତେଅବା କୋଉ ଶନିଗ୍ରହର ବାବୁମାନେ ଆସି ତା’ର ଛୋଟ ପୃଥିବୀରେ ଦୟାପୂର୍ବକ ସବୁ ବ୍ୟବସ୍ଥା କରି ଯାଉଛନ୍ତି । ସୌର ମଣ୍ଡଳରେ ପୃଥିବୀଠାରୁ ଶନିଗ୍ରହର ଦୂରତା ଯେତିକି, ଏ ଦେଶର ସାଧାରଣ ମଣିଷ ଓ ଇଂରେଜୀପଢ଼ୁଆ ବାବୁଭିତରେ ସେହିପରି ଗୋଟାଏ ମାନସିକ ଦୂରତ୍ଵ ରହି ଯାଇଛି । ଦେଢ଼ଶହ ବର୍ଷ ତଳେ ଡେନମାର୍କରେ ହଲ୍ ବେୟାର୍ଗ ଜଣେ ପ୍ରସିଦ୍ଧ ଲେଖକ ଥିଲେ । ସେତେବେଳେ ଭଦ୍ର ସମାଜରେ ଲୋକ ଫରାସୀ ଭାଷାରେ କାରବାର କରୁଥିଲେ । ଛୋଟିଆ ଡେନମାର୍କ୍‍ ଦେଶରେ ଭାଷା ମଧ୍ୟ ଛୋଟିଆ ହୋଇ ରହିଥିଲା । ନାନା ବ୍ୟଙ୍ଗନାଟକ ଲେଖି ବେୟାର୍ଗ ଡେନମାର୍କ୍‍ର ଭାଷାକୁ ସାହିତ୍ୟର ବାହନ ଓ ସଭ୍ୟତାର ପ୍ରକାଶ-ମାଧ୍ୟମରୂପେ ପ୍ରତିଷ୍ଠା କରିଥିଲେ । ଗୋଟିଏ ଯାଗାରେ ବ୍ୟଙ୍ଗ କରି ସେ ଲେଖିଛନ୍ତି, ଆପଣା ପ୍ରେମିକା ପକ୍ଷରେ କଥା କହିଲାବେଳେ ଆମେ କେବଳ ଫରାସୀ ଭାଷାର ବ୍ୟବହାର କରିବା, ଚାକରକୁ ଜର୍ମାନ ଭାଷାରେ ଆଦେଶ ଦେବା । କେବଳ କୁକୁରକୁ ବୋଲ ବତାଇଲାବେଳେ ଆମ ନିଜ ଭାଷା ଅର୍ଥାତ୍ ଡେନମାର୍କର ଭାଷାରେ କଥା କହିବ । ଇଉରୋପରେ କୁକୁରପ୍ରତି ସାଧାରଣତଃ ଯେଉଁ ଯତ୍ନଦେଖାଯାଏ, ଆମ ଅଭାଗା ଦେଶରେ ମଣିଷ ମଣିଷକୁ ସେତିକି ଯତ୍ନ ମଧ୍ୟ ଦେଖାଏ ନାହିଁ । ଆମ ଦେଶରେ କୁଲି, ରିକ୍ସାବାଲା ଓ ମଜୁରୀଆଙ୍କୁ ଆମେ ଯେମିତି ବା ଯେତିକି ଅଭଦ୍ରତା ଦେଖାଉ, ସେଇଥିରୁ ଏହାର ପ୍ରମାଣ ମିଳିବ । ଆମ ଭାଷା ପ୍ରତି ଆମର ପ୍ରୀତି କେବଳ ଆମର ଚାକିରି ପାଇବାବେଳେ ଜଣାଯାଏ । ଓଡ଼ିଆ ପଡ଼ୋଶୀଙ୍କୁ ଆମେ ଇଂରାଜୀ ଭାଷାରେ ଠେଲାମାରି ଅନେକ ଦୂରକୁ ଠେଲିଦେଉ । ଆପଣା ଆପଣା ଭିତରେ ହଠାତ୍ ଇଂରେଜୀ କଥାର ଅବତାରଣା କରି ଆମରି ସାହାଯ୍ୟ ବା ଆଦେଶଲାଗି ଅପେକ୍ଷା କରି ଠିଆ ହୋଇଥିବା ତୃତୀୟ ବ୍ୟକ୍ତି କେବଳ ଓଡ଼ିଆକୁ ଆମେ ବେଶ୍ ହୁରୁଡ଼ାଇ ଦେଉ । ତଥାପି ଚାକିରିପାଇଁ ମଣିଷ ବଛା ହେଲାବେଳେ ମୁଁ ଓଡ଼ିଆ ବୋଲି ହିଁ ଦମ୍ଭ କରୁ । ଦୈବଦୁର୍ଘଟଣାରୁ ମୁଁ ଓଡ଼ିଶାରେ ଜନ୍ମ ହୋଇଛି, ଏହାଛଡ଼ା ଆମ ଭିତରୁ ଅନେକଙ୍କୁ ଓଡ଼ିଆ କହିବାର ଆଉ କି ଜୀବନ–ସନ୍ତକ ରହିଛି ?

 

ଏ ସମସ୍ୟାର କେବଳ ଦୁଇଟା ଭାଷାର ସମସ୍ୟା ନୁହେଁ । ଏହା ସାମାଜିକ ଓ ମାନସିକ ଦୂରତାର ସମସ୍ୟା । ମଣିଷ ମଣିଷ ଭିତରେ ନାନା ଘୃଣା ଉପଲକ୍ଷ୍ୟର ଆଳ ଦେଖାଇ ଯେତେପ୍ରକାର ବ୍ୟବଧାନର ସୃଷ୍ଟି ସଂସାରରେ ହୋଇଚି, ଇଏ ତା’ ଭିତରୁ ଗୋଟିଏ । ଆରବର୍ଷ ଓଡ଼ିଶାର ଗୋଟାଏ କଲେଜରେ ମତେ କହିବାକୁ ଡାକିଥିଲେ । କଲେଜଯାକରେ ମୋଟେ ଚାରିପାଞ୍ଚ ଜଣ ଅଣଓଡ଼ିଆ ଥିଲେ ମଧ୍ୟ ଅଧ୍ୟକ୍ଷ ସେହି କାରଣ ଦେଖାଇ ମତେ ଇଂରାଜୀରେ କହିବାକୁ ଅନୁରୋଧ କଲେ, ଶେଷକୁ ଯୁକ୍ତି କଲେ । ଶେଷକୁ ଅବଶ୍ୟ ଖୁବ୍ ଜିଦ୍ ଧରି ମୁଁ ଓଡ଼ିଆରେ କହିଲି । ଆମେ ସବୁକଥାରେ ଇଂଲଣ୍ଡ ଫ୍ରାନ୍‍ସର ଉପମା ଦେଇଦେଉ । ଇଂଲଣ୍ଡ ବା ଫ୍ରାନ୍‍ସର କୌଣସି ବିଦ୍ୟାଳୟରେ ଏପରି ଯେ କେବେ ହୋଇପାରିବ, ଏହା ଦେଶରେ କେହି କଳ୍ପନା ମଧ୍ୟ କରିପାରିବ ନାହିଁ । ଆମ ଦେଶରୁ ସେଠି ପଢ଼ୁଥିବା ଆମ ଦେଶର ଛାତ୍ରମାନଙ୍କ ପାଖକୁ ଯେତେବେଳେ ଇଂରାଜୀରେ ଚିଠି ଯାଏ, ସେତେବେଳେ ସେ ଦେଶର ଲୋକେ ବଡ଼ ବିସ୍ମୟ ପ୍ରକାଶ କରି କହନ୍ତି, ଏ ପର୍ଯ୍ୟନ୍ତ କଣ ସବୁ ଭାରତବାସୀଙ୍କ ପାଇଁ ଗୋଟାଏ ଭାରତୀୟ ଭାଷା ଠିକ୍ ହୋଇନାହିଁ । ଇଂଲଣ୍ଡଠାରୁ ଫ୍ରାନ୍‍ସ ମୋଟେ ବାଇଶି ମାଇଲ ଦୂର, ପ୍ରତି ମୁହୂର୍ତ୍ତରେ ଏ ଦେଶରୁ ସେ ଦେଶ ଯାତାୟତ ଚାଲିଚି । ଅଥଚ ଦୁଇ ଦେଶରେ ଦୁଇଟା ଭାଷା ଚାଲିଚି । ଇଂଲଣ୍ଡଠାରୁ ଭାରତ ଆଠ ହଜାର ମାଇଲ ଦୂର, ତଥାପି ଭାରତର ଶିକ୍ଷିତମାନେ ମନଇଚ୍ଛା ଇଂରାଜୀଭାଷା ବ୍ୟବହାର କରିବାର ରାୟତୀସ୍ଵତ୍ଵରେ ସୁନାପଟ୍ଟା ପାଇଚନ୍ତି । ଆଉ ଆପଣା ପୋଷାକ ଓ ଅସ୍ଵାଭାବିକ ଜୀବନର ପାଟବସ୍ତ୍ରରେ ସେହି ପଟ୍ଟାକୁ ସରାଗରେ ବାନ୍ଧି ସାଇତି ରଖିଚନ୍ତି-! ଏ ଦେଶର ଭାଷା ସହିତ ମୋଟେ ସମ୍ପର୍କ ରଖିବାକୁ ପଡ଼ୁ ନଥିଲେ ସେମାନେ ହୁଏତ ଭଗବାନଙ୍କୁ ଧନ୍ୟବାଦ ଦେଇଥାନ୍ତେ । ତିନି ହଜାର ବର୍ଷ ତଳେ ଇଉରୋପରେ ଏମିତି ଗୋଟାଏ ହୀନ ଦଶା ଘଟିଥିଲା । ରୋମର ସମ୍ରାଟ ଓ ସଂସ୍କୃତି ସେତେବେଳେ ସାରା ଇଉରୋପକୁ ମାଡ଼ି ବସିଥିଲା-। ବିଦ୍ୟାଳୟରେ ଲାଟିନ୍ ଭାଷାରେ ସବୁ ଚଳୁଥିଲା, ଯୋଉ ଅଳ୍ପ କେତେଜଣ ପାଠ ପଢ଼ିବାର ସୌଭାଗ୍ୟ ପାଉଥିଲେ, ସେମାନେ ଆପଣା ସଂସ୍କୃତିରୁ ବିଚ୍ଛିନ୍ନ ହୋଇ ଆସୁଥିଲେ । ଲାଟିନ୍ ଭାଷା ସାହିତ୍ୟ ମୁଖସ୍ଥ କରି ସେମାନଙ୍କର ଦିନ ସରୁଥିଲା । ଅଳସ ସମୟରେ ଲାଟିନ୍ ଭାଷାରେ ପରସ୍ପର ପାଖକୁ ପ୍ରେମପତ୍ର ଲେଖି ସେମାନେ ଭାରି ଆନନ୍ଦ ପାଉଥିଲେ, ପାଠପଢ଼ା ସାର୍ଥକ ହେଲା ବୋଲି ବିଚାରୁଥିଲେ । ଆମକୁ ଆଜି ସେହି ଦଶା ପଡ଼ିଚି । ଏରସମାରେ ହାକିମମାନେ ଅନେକ ସମୟରେ ଆମ ପିଲାଙ୍କୁ ଇଂରାଜୀ କହି ପକାଉଥିଲେ । ପିଲାଏ ଇଂରାଜୀ ବୁଝନ୍ତି ନାହିଁ, ଏକଥା ଜାଣି ମଧ୍ୟ ଅନେକ ସମୟରେ ସେମାନଙ୍କର କ୍ଷେତ୍ରଜ୍ଞାନର ବୃଦ୍ଧି ରହୁ ନଥିଲା-। ହାକିମ ହୁଏତ ସମାଜ-ଶାସ୍ତ୍ର ବା ନାଗରିକ-ଶାସ୍ତ୍ରରେ ବଡ଼ ଡିଗ୍ରୀ ଧରି ଆସିଥିଲେ । ନାଗରିକର କର୍ତ୍ତବ୍ୟ ବିଷୟରେ କେତେ ପାଠ ମୁଖସ୍ଥ କରି ହୁଏତ କେତେଥର ତାଙ୍କୁ ପରୀକ୍ଷାରେ ବସୁବାକୁ ପଡ଼ିଥିବ । ତଥାପି ଇଂରାଜୀ ନ ଜାଣିଥିବା ମଣିଷ ପାଖରେ ଇଂରାଜୀରେ କଥା କହିବାର ସହଜ ଦାୟିତ୍ଵ ଆମ ଦେଶର ହାକିମମାନେ ଗେହ୍ଲା ପୁଅ ପରି ଭୁଲି ଯାଆନ୍ତି ।

 

ଖାଲି ଭାଷାର ସମସ୍ୟା ହୋଇଥିଲେ ଏହା ଆମ ଜାତୀୟ ଜୀବନର ଏତେ ଆଘାତ ଦେଉ ନଥାନ୍ତା, ଆଇନ୍ ଓ ଉଦ୍ୟମରେ କେତେଟା ବର୍ଷ ଭିତରେ ଏହା ହଜିଯାଇ ପାରନ୍ତା । ଆଗ ମନୋଭାବ ବଦଳାଇ ପାରିଲେ ଯାଇ ଏକଥା ହେବ । ଦେଶର ସବୁ ମଣିଷଙ୍କୁ ଆଖି ଆଗରେ ରଖ ଏ ଦେଶର ନୀତିନିର୍ଦ୍ଧାରଣ ହେଲେ ଯାଇ ଏକଥା ହେବ । ଶହେ ବର୍ଷ ତଳେ ସୁଇଡେନର ଭାଷା ଫିନଲାଣ୍ଡର ଜାତୀୟ ଜୀବନ ଉପରେ ଆବୁ ହୋଇ ରହିଥିଲା । ଶତକଡ଼ା ଦଶ ଲୋକଙ୍କର ଭାଷା ଶତକଡ଼ା ନବେଙ୍କର ଭାଷାକୁ କାବୁ ରଖିଥିଲା । ଏକ ବିରାଟ ଆନ୍ଦୋଳନ, ପ୍ରଧାନତଃ ଶିକ୍ଷା କ୍ଷେତ୍ରରେ ଏକ ବିରାଟ ବିପ୍ଳବ ଫଳରେ ସେ ସ୍ଥିତି ବର୍ତ୍ତମାନ ଆଉ ନାହିଁ । ପ୍ରତିବର୍ଷ ନୂଆ ନୂଆ ଶବ୍ଦ ଆସି ଫିନିଶ୍ ଭାଷାର ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରୁଚି । ଫିନିଶ୍ ଭାଷାର ସାହିତ୍ୟ ଆଜି ସାରା ସଂସାରରେ ଆଦର ପାଉଚି । ଅଥଚ ପ୍ରାୟ ପଚାଶବର୍ଷ ତଳେ ସେହି ଦେଶର ଲେଖକ ଆଲେକମିସ୍ କିଭି ଯେତେବେଳେ ଦେଶର ସଂସ୍କୃତିମଣ୍ଡପରେ ହୁଲସ୍ତୁଲ ପଡ଼ି ଯାଇଥିଲା । ଆପଣା ଭାଷାକୁ ସୃଷ୍ଟି କରିବାରେ ଛୋଟ ଇସରାଏଲ ଦେଶ ସମସ୍ତଙ୍କୁ ବଳି ଯାଇଚି । ପ୍ରାୟ ଦୁଇ ହଜାର ବର୍ଷ ହେଲା ହିବ୍ରୁ ଭାଷାର କୌଣସି ଅସ୍ତିତ୍ଵ ନଥିଲା କହିଲେ ଚଳେ । ଇହୁଦୀ ଜାତି ପରି ତା'ର ହିବ୍ରୁ ଭାଷାକୁ ମଧ୍ୟ ସବୁଠି ଅତ୍ୟାଚାର ସହିବାକୁ ପଡ଼ୁଥିଲା । ୟୁରୋପର ଇହୁଦୀ-ସମାଜ ଆପଣାର ଶୁଦ୍ଧ ଭାଷା ଭୁଲି ଜର୍ମାନ ମିଶା ଇଡ଼ିଶ୍ (Yiddish) ଭାଷାର ଲଜ୍ଜାକର ଆଶ୍ରୟ ଗ୍ରହଣ କରିଥିଲା । ୧୯୪୭ରେ ଇସ୍‍ରାଏଲ ଦେଶ ତିଆରି ହେଲା, ଇହୁଦୀ ସ୍ଵାଧୀନ ହେଲା । ସେହିଦିନୁ ସେ ତା'ର ଭାଷାକୁ ଉଦ୍ଧାର କରିବାର ସଂକଳ୍ପ ନେଲା । ବର୍ତ୍ତମାନ ସେଠି ସରକାରୀ କାରବାରଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟର ଉଚ୍ଚତମ ଶିକ୍ଷା ପର୍ଯ୍ୟନ୍ତ ସବୁ ଏହି ହିବ୍ରୁ ଭାଷାରେ ଚଳୁଚି । ଆମପରି କୌଣସି ପ୍ରକାର କୌଣସି ସଂସ୍କାରଗତ ବ୍ୟାଧି ଇହୂଦୀକୁ ତା’ ବାଟରେ ଅଟକାଇ ରଖି ପାରିନାହିଁ-। ଗୋଟାଏ ଦରମଲା ଭାଷାକୁ ସେମାନେ ଆପଣା ସଙ୍କଳ୍ପ ବଳରେ ପୁଣି ଜୀବନ ଦେଇ ପାରିଚନ୍ତି, ଆପେ ନବଜୀବନ ଲାଭ କରିଚନ୍ତି ।

 

ଏରସମାରୁ ବିଦାୟ ନେଇ ସେଦିନ କଟକରେ ପହଞ୍ଚିଲାବେଳକୁ ରାତି ପ୍ରାୟ ଦଶଟା ହୋଇ ଯାଇଥାଏ । ବାଟରେ ଅସରାଏ ବର୍ଷା ଖାଇ ଲୁଗାପଟା ଦରଓଦା ହୋଇଥାଏ । ଅନେକଙ୍କ ଦେହରେ କମିଜପତ୍ର ନଥାଏ । ପାର୍କ ପାଖରେ ମଟରରୁ ଓହ୍ଲାଇ ଆପଣା ଆପଣାର ବିଛଣାପୁଡ଼ାଟି ଧରି ଆମର ବିଚିତ୍ର ଶୋଭାଯାତ୍ରା ଆରମ୍ଭ ହେଲା । କୋଉଠି ଖଣ୍ଡିଏ ଖାଇବା, ଏହି କଥା ମନରେ ଥାଏ । ମାସକ ପରେ କଟକ ଆସିଥିବାରୁ ପିଲାଏ କୌତୁହଳ ବଶତଃ ଏପାଖ ସେପାଖ ଅନାଉଥାନ୍ତି । ଜଣେ ଦୋକାନୀ ଭାଇ ଦୋକାନ ବନ୍ଦ କରିବ ବୋଲି ଜିନିଷପତ୍ର ସଜାଡ଼ି ରଖୁଥାଏ-। ଆମର ଏ ଅଭିନବ ଯାତ୍ରା ଦେଖି ସେ କଣ ଠଉରେଇଲା କେଜାଣି, ଭାରି ରସରସିଆ କରି ବଡ଼ ପାଟିରେ ପଚାରିଲା, କେଉଁଠୁ ଆସିଲ ? ଗୋଟାଏ ଦୁଷ୍ଟ ପିଲାର ସମସ୍ତ ବାହାଦୁରି ଦେଖାଇ ସଙ୍ଗେ ସଙ୍ଗେ ମୁଁ ଜବାବ ଦେଲି, ‘ମଫସଲରୁ’ । ଆଜି ଆମ ସମାଜରେ ସେହିପରି ସବୁଠି ସଦର-ମଫସଲର ଭୂତ ମାଡ଼ି ବସିଚି । ଆମ ଭାଷାରେ ମଧ୍ୟ ଠିକ୍ ସେହି ଭୂତ ଆମକୁ କାମୁଡ଼ି ଧରିଚି । ବାହାରେ ଆମେ ସାହିତ୍ୟ ଓ ସଂସ୍କୃତି ନେଇ ଯେତେବେଳେ ଖୁବ୍ ପାଟି କରୁଚୁ, ଆମ ଘରକଣରେ ସଭା ସଜାଡ଼ି ଆମ ଜାତି ଓ ଆମ କବି ସଂସାରରେ ସବୁଠାରୁ ବଡ଼ ବୋଲି ଯେତେବେଳେ ଆମେ ଚିତ୍କାର କରୁଛୁ, ସେତେବେଳେ ଆମର ବାହ୍ୟାଡ଼ମ୍ବର ଦେଖି ଆମେ ବିକାରଗୁଡ଼ିକର ଭୂତ ନିଶ୍ଚୟ ଠୋ’ ଠୋ’ ହୋଇ ହସୁଥିବ ।

 

–ପନ୍ଦର–

 

ଗହନ ଜଙ୍ଗଲ ଭିତରେ ଗୋଟିଏ ଗାଆଁରେ ବସି ଏଥର ଜଙ୍ଗଲଚିଠି ଲେଖୁଚି । ଚମ୍ପତିମୁଣ୍ଡାର ଆମ ଜଙ୍ଗଲ-ସ୍କୁଲ ଏଠିକି ପ୍ରାୟ ପଚିଶି ମାଇଲ ଦୂର ହେବ । ସେଠି ଘର ତିଆରି ହେବାଲାଗି ଏଠାରେ କାଠ କଟା ହେଉଚି । କାଠକଟା ଆରବର୍ଷ ଆରମ୍ଭ ହୋଇଥିଲା । ଆମଭିତରୁ ଜଣେ ଆସି କାଠ କଟାଇ ଯାଇଥିଲା । ବର୍ତ୍ତମାନ ସେସବୁ ଏଠାକୁ ନିଆଯାଉଚି । ନୂଆ ଗଛ ବି କଟାଯାଉଚି । ଜଣେ ଜଣେ ପିଲା ଏଠାରେ ସାତ ସାତ ଦିନ ରହି କାମର ତଦାରଖ କରୁଚନ୍ତି । ବିଦ୍ୟାଳୟର ଜୀବନରେ ଏହି ପରିବର୍ତ୍ତନ ବେଶ୍ ମଜା ଲାଗୁଛି ।

 

ଏଠାରେ ଆମର ମେଜବାନ୍ ହେଉଚନ୍ତି ଆମ ଅନୁଷ୍ଠାନର ଜଣେ ବନ୍ଧୁ । ତେଣୁ ଏହି ଗାଆଁଟି ଆଦୌ ପରଗାଆଁ ବୋଲି ମନେ ହେଉନାହିଁ । ଗାଆଁଟିର ଚାରିପାଖରେ ପର୍ବତ, ସବୁଆଡ଼ୁ ମାଟି ବରଷାପାଣିରେ ଉପରୁ ବହିଆସି ଗାଆଁଟି ତିଆରି ହୋଇଛି । ଗାଆଁରେ ଅଧିକାଂଶ ଚାଷୀ । ଧାନ, ଆଖୁ, ସୋରିଷ ଆଉ ଚିନାବାଦାମ ଫସଲ କରନ୍ତି । ପାଣିର ସୁବିଧା ହେଉଥିଲେ ଏଠି ଅଧିକ ଫସଲ ଫଳି ପାରୁଥାଆନ୍ତା । କିନ୍ତୁ ଫସଲ ପାଇଁ ପାଣି ପାଇବା ତ ଦୂରର କଥା, ଅପଣାର ଗାଧୋଇବା ଓ ପିଇବାପାଇଁ ଆମ ଦେଶର କେତେ ଗାଆଁକୁ ଟୋପାଏ ଭଲ ପାଣି ମିଳୁଚି ? ଦେଶର ପାଠପଢ଼ା ସଜାଡ଼ି ହୋଇଗଲେ, ଦେଶକୁ ସୁନ୍ଦର କରି ଗଢ଼ିବାରେ ସଙ୍କଳ୍ପ ନେଇ ଅଧିକରୁ ଅଧିକ ମଣିଷ ବାହାରିଲେ ନିଶ୍ଚୟ ଦେଶମଣିଷର ଦୁଃଖ ରହିବ ନାହିଁ । ମଣିଷ ହାତରେ ବିଜ୍ଞାନର ସାଧନାମାନ ରହିଚି । ଆକାଶ ତଳେ ସେସବୁଠାରୁ ଆପଣା ଲାଗି ସୁନ୍ଦର ସଂସାର ଗଢ଼ିପାରିବାର ବୁଦ୍ଧି ଉପକରଣ ପଇସାରିଲାଣି । ରସ୍ରାଏଲର ନଣ୍ଡା ପାହାଡ଼ମାନ ନାନା ନୂଆ ଗଛରେ ପୁଣି ସବୁଜ ହୋଇ କଅଁଳି ଉଠିଲାଣି । ସାଇବିରିଆର ତୁଷାର ଭୂମିରେ ପନିପରିବା ଏବଂ ଫଳଫୁଲର ସୁନ୍ଦର କ୍ଷେତ ହସି ଉଠିଲାଣି । ଆମର ଦେଶ ସ୍ଵାଧୀନ ହେବାପରେ ଆମ ହାତକୁ ମଧ୍ୟ ସେହି ଶକ୍ତି ଓ ସମର୍ଥତା ଆସିଛି । ଅଧିକରୁ ଅଧିକ ପରିମାଣରେ ବିଜ୍ଞାନର ସାଧନାମାନ ବ୍ୟବହାର କରିବାର ସମ୍ବଳ ଅମଜୀବନରେ ଜୁଟୁଚି, କ୍ରମେଆହୁରି ଅଧିକ ମଧ୍ୟ ଜୁଟିବ । କିନ୍ତୁ ବୈଜ୍ଞାନିକ ସାଧନା ପହଞ୍ଚିବା ସଙ୍ଗେ ସଙ୍ଗେ ଆମର ବୈଜ୍ଞାନିକ ମାନ ବି ଦରକାର, ବୈଜ୍ଞାନିକ ଦୃଷ୍ଟି ଦରକାର । ଏ ଦେଶର ପାଠ କେବଳ କେତେକ ପିଲା ପଢ଼ିବେ, ଏ ଦେଶର ସମ୍ପତ୍ତିକୁ କେବଳ କେତେକ ମଣିଷ ଭୋଗ କରିବେ, ସବୁରି ବାହୁରେ ବଳ ଆଉ ମୁଣ୍ଡରେ ବୁଦ୍ଧି ଥାଉଥାଉ ଏ ଦେଶର କେବଳ କେତେକଙ୍କର ପେଟ ପୂରିବ, କେବଳ କେତେକ ଲୋକଙ୍କର ସେବା-ଅହଙ୍କାରରେ ଏ ଦେଶର ବିଧାନ ଚଳିବ,–ଏହି ବିଚାର ଅତି ଅବୈଜ୍ଞାନିକ ବିଚାର, ଅତି ଅସାମାଜିକ ଅମଣିଷର ମନରେ ହିଁ ଏହି ବିଚାର ସମ୍ଭବ ହୁଏ । ଏହି ଅବୈଜ୍ଞାନିକ ବିଚାରର ଦୋଷରୁ ଆମର ବୈଜ୍ଞାନିକ ବୁଦ୍ଧିକୌଶଳ ଆମର ଅମଙ୍ଗଳ କରୁଚି, ଆମ ହାତରେ ଥିବା ବୈଜ୍ଞାନିକ ସାଧନାମାନ ଆମର ଖୁବ୍ ବେଶୀ ଉପକାର କରି ପାରୁନାହିଁ । କୋଟିକୋଟି ଟଙ୍କାର ଯୋଜନା ମାଟି ହୋଇଯାଉଛି । ଉପକାରୀ ଆଉ ଉପକୃତ ମଣିଷର ମନ ପରସ୍ପରକୁ ବୁଝି ପାରୁନାହିଁ । ତେଣୁ ହୁଏତ ଏଣେ ଦାଣ୍ଡ ମଝିରେ ଅଜସ୍ର ଟଙ୍କାପଇସା ବିଞ୍ଚା ହେଉଛି, ସମସ୍ୟା ଓ ଯୋଜନାମାନଙ୍କର ଚର୍ଚ୍ଚା କରିବାଲାଗି କେତେ ଶିକ୍ଷାସଭା ବସୁଛି, ତଥାପି ଆମର ଅସାମାଜିକ-ଶିକ୍ଷାଜନିତ ଅସାମାଜିକ ମନର ଦୋଷରୁ ଆମର ବହୁ ଉଦ୍ୟମ ସବୁ ମଣିଷଙ୍କ ପାଖକୁ ପହଞ୍ଚି ପାରୁନାହିଁ ।

 

ଏହି ଗାଆଁଟି ଗୋଟିଏ କନ୍ଧ ଗାଆଁ । କିନ୍ତୁ ଏଠାରେ କେହି କନ୍ଧ ଭାଷା କହନ୍ତି ନାହିଁ କି କନ୍ଧ ଭାଷା ବୁଝନ୍ତି ନାହିଁ । କୋଉ ପୁରୁଷରେ ହୁଏତ ଏମାନେ କନ୍ଧ ଥିଲେ, କନ୍ଧଭାଷା କହୁଥିଲେ, କନ୍ଧର ଜୀବନ-ସଂସ୍କୃତି ସହିତ ଏମାନଙ୍କର ସମ୍ବନ୍ଧ ରହିଥିଲା । ତେଣୁ ଏମାନଙ୍କୁ ଆମେ ‘ଶୁଦ୍ଧ’ କନ୍ଧ ବୋଲି କହିପାରିବା, ଠିକ୍ ଯେମିତି ଗଞ୍ଜାମ ବା କୋରାପୁଟରେ ଅନେକ ଶବର ଆପଣାକୁ ‘ଶୁଦ୍ଧ’ ଶବର ବୋଲି କହନ୍ତି । ସେମାନେ ଶବରଭାଷା ନ କହି ଓଡ଼ିଆ ଭାଷାରେ କଥାବାର୍ତ୍ତା କରନ୍ତି, ଓଡ଼ିଆଙ୍କୁ ଅନୁକରଣ କରି ଲୁଗାପଟା ପିନ୍ଧନ୍ତି, ଘରଦ୍ଵାର ତିଆରି କରନ୍ତି, ଶବରମାନଙ୍କଠାରୁ ଆପଣାକୁ ଉଚ୍ଚତର ବୋଲି କହିବାକୁ ସେମାନେ ‘ଶୁଦ୍ଧ’ ଶବରର ନାଆଁ ବାହାର କରିଚନ୍ତି । ଓଡ଼ିଆଙ୍କର ସାମାଜିକ ଆର୍ଥିକ ନିର୍ଦ୍ଧାରଣରେ ଓଡ଼ିଆର ସମାଜ ଓ ଜୀବନ-କାରବାର ଚାଲୁଚି । ସେହିମାନଙ୍କର ସାମାଜିକ ଓ ସାଂସ୍କୃତିକ ଆଚରଣକୁ ଶୁଦ୍ଧ ଆଚରଣର ମାନ ବୋଲି ଧରାଯାଉଛି । ସେହି ମାନର ଆଦର୍ଶରେ ଯେଉଁମାନେ କ୍ରମେ ଆପଣାକୁ ପରିବର୍ତ୍ତନ କରି ଆସୁଚନ୍ତି, ପ୍ରାଚୀନ ଶବରଙ୍କ ଠାରୁ ଆପଣାକୁ ଦୂରେଇ ରଖୁଚନ୍ତି, ସେହିମାନେ ଆପଣାକୁ ଶୁଦ୍ଧ ଶବର ବୋଲି କହୁଚନ୍ତି-। ଆମ ଓଡ଼ିଆ ସମାଜରେ ମଧ୍ୟ ଏପରି ଆଚରଣର ଦୃଷ୍ଟାନ୍ତ ଦେଖିବାକୁ ମିଳିବ । ଗାଆଁରେ ଦୁଇଶହ ଘରରୁ ପଚାଶ ଘରର ଅଧିକ ଜମି ଅଛି, ସେହିମାନଙ୍କ ଘରୁ ପିଲାଏ ଯାଇ କଟକ ବା କଲିକତାରୁ ବଡ଼ ଇଂରାଜୀ ପାଠ ପଢ଼ି ଆସିଚନ୍ତି । ତାଙ୍କର ଘରେ ଚଉକି ଟେବୁଲ ପଡ଼ିଚି, ଓଡ଼ିଆ ଇଂରାଜୀ ବହିମାନ ଆଲମାରି ଭିତରେ ଖଞ୍ଜାହୋଇ ରହିଛି, ବାହାରୁ କେହି ବନ୍ଧୁ ସଙ୍ଖୋଳି ଆସିଲେ ସେଇଠି ଓଡ଼ିଶାର କବି, ଓଡ଼ିଶାର ସାହିତ୍ୟ ବା ଓଡ଼ିଶାର ଜାତୀୟତା ବିଷୟରେ ଆରାମ ଆଲୋଚନା ଚାଲିଛି । ବାହାରେ ସେମାନଙ୍କୁ ଚିହ୍ନାଇ ଦେବାକୁ କୌଣସି ଭିନ୍ନ ନାମ ନଥିଲେ ମଧ୍ୟ ସେହିମାନଙ୍କୁ ହିଁ ଆମେ ‘ଶୁଦ୍ଧ’ ଓଡ଼ିଆ ବୋଲି କହିବା । ‘ଆମେ ଓଡ଼ିଆ, ଅଥଚ ଆମ ଗାଆଁରେ ଥିବା ଆହୁରି ଦେଢ଼ ଶହ ଘର ଓଡ଼ିଆଙ୍କଠାରୁ ଆମ ଜୀବନର ମାନ ଯଥେଷ୍ଟ ଉଚ୍ଚରେ’,–‘ଶୁଦ୍ଧ’ ଓଡ଼ିଆ କହିଲେ ଏହିପରି ଗୋଟାଏ ମନୋଭାବକୁ ହିଁ ବୁଝାଇବ । ମଣିଷ-ସମାଜ ଓ ମଣିଷ-ସଂସ୍କୃତିର ସୂକ୍ଷ୍ମ ସୂତ୍ରମାନ ବୁଝିପାରୁଥିବା ପଣ୍ଡିତମାନେ ହୁଏତ ଏହି ‘ଶୁଦ୍ଧ’ତାର ପଦବୀ ତଳେ ଅନେକ ଦ୍ଵନ୍ଦ୍ଵ ଓ ଅନେକ ଅଶୁଦ୍ଧତା ଠଉରାଇ ନେଇ ପାରିବେ । ଯେଉଁଠି ଗୋଟାଏ ସମାଜ ଆପଣାର ସଂସ୍କୃତିକୁ ଭାବି ଆଉ ଗୋଟାଏ ସଭ୍ୟତାର ଅନ୍ଧ ଅନୁକରଣ କରୁଚି, ସେଠି ସିଏ ତା’ର ଜୀବନକୁ ଦୁଇକେନା କରି ଚିରିଦେଇଚି । ଧ୍ରୂବକୁ ଛାଡ଼ି ଅଧ୍ରୂବକୁ ହାତ ବଢ଼ାଇବାର ଦୁର୍ଦ୍ଦଶା ସେ ଭୋଗ କରୁଚି । ଏହି ଭାରତରେ ଦିନେ ଆମେ ଇଉରୋପୀୟ ସଭ୍ୟତାର ଅନୁକରଣ କରି ଶୁଦ୍ଧ ଭାରତୀୟ ବନିବାର ଅପଚେଷ୍ଟା କରୁଥିଲେ । ଆମର ଅନେକ ଚେଷ୍ଟାକୁ ସେହିପରି ଗୋଟାଏ ଅଲକ୍ଷଣା ଅପଚେଷ୍ଟା ଏବେ ମଧ୍ୟ ମାଡ଼ି ବସିଚି । ଆମର ଆପଣା ସଂସ୍କୃତିରୁ ଆମେ ଦୂରକୁ ଚାଲିଆସିଚୁ, ଏଣେ ଆମର ଆରାଧ୍ୟ ଇଉରୋପୀୟ ସଂସ୍କୃତି ଆମଠାରୁ ଯେଉଁ ଦୂରରେ ଥିଲା ସେହି ଦୂରରେ ରହିଚି । ମଝିରେ ଆପଣାର ଚେର ଛିଣ୍ଡାଇ ଆସିବାର ନାନା ଦ୍ଵନ୍ଦ୍ଵ-ଦୁର୍ଦ୍ଦଶାରେ ପଡ଼ି ଆମେ ହଇରାଣ ହେଉଚୁ । ସଭ୍ୟତା ଆଉ ସଂସ୍କୃତି ଭିତରେ ଯେଉଁ ମୂଳଗତ ପ୍ରଭେଦ ରହିଚି, ସେହି ପ୍ରଭେଦକୁ ନବୁଝିବାର ପ୍ରମାଦ ଆମେ ଭୋଗ କରୁଚୁ । ମଣିଷ ହୁଏତ ବିନା ଦ୍ଵନ୍ଦ୍ଵରେ ଗୋଟାଏ ପୁରୁଣା ସଭ୍ୟତାକୁ ଛାଡ଼ି ନୂଆ ସଭ୍ୟତାକୁ ଗ୍ରହଣ କରିପାରେ । କିନ୍ତୁ ପୁରୁଣା ସଭ୍ୟତାର ବାଡ଼ବନ୍ଧ ଭିତରେ ଯେଉଁ ଅନ୍ତଃସଲିଳା ସଂସ୍କୃତି ବହି ଚାଲିଆସୁଥାଏ, ସଭ୍ୟତା ସହିତ ତାକୁ ମଧ୍ୟ ଛାଡ଼ିଆସିଲେ ନାନାପ୍ରକାର ଅସୁସ୍ଥତା ମଣିଷର ମନକୁ ଦୁର୍ବଳ ଓ ବିବଶ କରିପକାଏ । ବାହାରେ ଯେତେପ୍ରକାର ଶୁଦ୍ଧତାର ଛପା ମାରି ଯେତେପ୍ରକାର କ୍ଷତିପୂରଣ କରିବାର ପ୍ରୟାସ ଚାଲିଥିଲେ ସୁଦ୍ଧା ମନ ଭିତରେ ନାନା ମଣିଷକୁ ଅଶୁଦ୍ଧ ଓ ଅସହାୟ କରି ରଖିଥାଏ ।

 

ଆମ ଦେଶରେ କୋଉଠି ଜଙ୍ଗଲ ଦେଖିଲେ ଆଗ ଫିନ୍‍ଲାଣ୍ଡ କଥା ମନେ ପଡ଼ିଯାଏ । ସେ ଦେଶ ପରି ଆଉ କୋଉଠି ଜଙ୍ଗଲକୁ ଏତେ ଆଦର ଦେଖାନ୍ତି ଓ ଜଙ୍ଗଲ ଉପରେ ଏତେ ନିର୍ଭର କରନ୍ତି ସେ କଥା ମୁଁ ଜାଣେ ନାହିଁ । ଫିନଲାଣ୍ଡରେ ପ୍ରତ୍ୟେକ ଶ୍ରେଷ୍ଠ ଉପନ୍ୟାସ, କବିତା ଓ କାହାଣୀରେ ଜଙ୍ଗଲର ସୌନ୍ଦର୍ଯ୍ୟମୟ ବର୍ଣ୍ଣନା ଭରି ରହିଛି । ଫିନଲାଣ୍ଡର ଲୋକଗୀତ ଓ ଲୋକଧର୍ମରେ ବନର ନୀରବ ସୌନ୍ଦର୍ଯ୍ୟ ଓ ବନଦେବତା ତାପିଓ (Tapio)ର ଆଖ୍ୟାନ ପୂରିରହିଛି । ସେ ଦେଶର ଲୋକେ ଜଙ୍ଗଲକୁ ସେମାନଙ୍କର ସବୁଜ ସୁନା (Virha Kulta) ବୋଲି କହନ୍ତି । ଆମ ଦେଶର ଜଙ୍ଗଲ ମଧ୍ୟ ଆମ ସବୁଜସୁନା ହୋଇପାରନ୍ତା, ଆଜି ମୁଁ ଜଙ୍ଗଲରେ ବୁଲିଲାବେଳେ ଏହି କଥା ଭାବୁଥିଲି । ଆମ ଜଙ୍ଗଲର ଯତ୍ନ ଆମେ ନେଇ ଜାଣିନାହୁଁ । କାରଣ ତାକୁ ଆମେ ଏ ପର୍ଯ୍ୟନ୍ତ ଚିହ୍ନି ନାହୁଁ । ଜଙ୍ଗଲର ତତ୍ତ୍ୱାବଧାନ କରିବା ପାଇଁ ସରକାର ବଡ଼ ବଡ଼ ହାକିମଙ୍କଠାରୁ ଆରମ୍ଭ କରି ସାନ ସାନ ଜଗୁଆଳି ପର୍ଯ୍ୟନ୍ତ ପଇସା ଦେଇ ରଖିଛନ୍ତି । ଜଙ୍ଗଲରୁ କିଏ କାଠ ଚୋରାଇ ନେଇ ଯାଉଛି, ଏହି ପୋଲିସ-ପହରା କରିବା ସେମାନଙ୍କର ପ୍ରଧାନ କାମ । ହାକିମମାନେ ଅବଶ୍ୟ ଜଙ୍ଗଲର ସଂରକ୍ଷଣ ବିଷୟରେ ବଡ଼ ବଡ଼ ପାଠ ଅର୍ଜନ କରିଛନ୍ତି । କିନ୍ତୁ ସେ ପାଠର ପ୍ରଧାନତଃ ବିକ୍ରୀମୂଲ୍ୟ ରହିଛି । ତେଣୁ ଚାକିରିର ହାଟରେ ସେ ପାଠ ସିନା ମହଙ୍ଗାରେ ବିକ୍ରୀ ହେଉଛି, କିନ୍ତୁ ଜଙ୍ଗଲର ସଂରକ୍ଷଣ ଓ ବିକାଶ ଲାଗି ଯେଉଁ ଦାୟିତ୍ଵପୂର୍ଣ୍ଣ କର୍ତ୍ତବ୍ୟଜ୍ଞାନ ଦରକାର, ତାହା ସେମାନେ ପାଇ ନାହାନ୍ତି । ସେମାନଙ୍କର କର୍ମଗତ ସୂତ୍ର ରାଜଧାନୀ ସହିତ ଲାଗିଛି, ଜଙ୍ଗଲ ସହିତ ନୁହେଁ । ସେମାନଙ୍କର ଆଗ୍ରହ ପଦୋନ୍ନତିର ହିସାବ ଭିତରେ ବୁଢ଼ା ହୋଇ ଗଲାଣି, ବିଜ୍ଞାନୀ ବୁଦ୍ଧି ପେଡ଼ିରେ ରହି ରହି ଖତରା ହୋଇ ଗଲାଣି । ତେଣୁ କାଗଜ, କଲମ ଓ କିରାନିଙ୍କର ଜାଲ ବିଛା ହୋଇ ତନଖିବାର ଆଡ଼ମ୍ବର ବେଶ୍ ଚାଲିଛି । କିନ୍ତୁ ଜଙ୍ଗଲ ଦିନକୁଦିନ ଶ୍ରୀହୀନ ହୋଇ ଯାଉଛି । ଆଉ ଲୋକଙ୍କର ଦୃଷ୍ଟି ମଧ୍ୟ ତଦ୍ରୂପ ହୋଇଗଲାଣି । ଜଙ୍ଗଲ ସେମାନଙ୍କର ଘର ପାଖରେ ରହିଛି ସତ, ମାତ୍ର ସେମାନେ ଜଙ୍ଗଲକୁ ଆପଣାର ସମ୍ପଦ ବୋଲି ମନେ କରୁନାହାନ୍ତି । ଥରେ ଜଙ୍ଗଲ ଭିତରକୁ ଯିବାର ସୁବିଧା ପାଇଲେ ବଣୁଆହାତୀ ପରି ଜଙ୍ଗଲଟାଯାକ ନଷ୍ଟ, ଛାରଖାର କରି ଦେଇ ଆସୁଚନ୍ତି । ଯିଏ ଯେତେ ପାରୁଛି ଜଙ୍ଗଲରୁ ନେଇ ଯାଇ ପାରିଲେ ଆପଣାକୁ ବାରାଦୁରୀ ଦେଉଚି । ଜଙ୍ଗଲ ସମ୍ବନ୍ଧରେ କୌଣସି ଜ୍ଞାନ ସେମାନଙ୍କର ନାହିଁ । ଫଳରେ ଜଙ୍ଗଲର କ୍ଷୟ ହୋଇ ଚାଲିଛି, ସବୁଜସୁନା ଦୁଷ୍ଟ ମୂର୍ଖ ପିଲାର ଭଙ୍ଗା ଖେଳନା ପରି ପଡ଼ି ରହିଛି ।

 

ଫିନ୍‍ଲାଣ୍ଡରେ ପ୍ରାୟ ପ୍ରତ୍ୟେକ ଚାଷୀର କିଛି କିଛି ଜଙ୍ଗଲ ଅଛି । ପ୍ରତ୍ୟେକ ପରିବାରରେ ଜମି ଯେତିକି, ଜଙ୍ଗଲ ମଧ୍ୟ ସେତିକି ରହିଚି । ଏହା ହେଉଛି ସେ ଦେଶର ସାଧାରଣ ନିୟମ । ଆପଣାର ଜଙ୍ଗଲଟିକୁ କିପରି ଆପଣାର ସମ୍ପଦ କରି ରଖିବାକୁ ହେବ, ସେକଥା ପ୍ରତ୍ୟେକ ଚାଷୀ ଜାଣିଚି । ସେ ବିଷୟରେ ଅତ୍ୟାବଶ୍ୟକ ବୈଜ୍ଞାନିକ ଜ୍ଞାନ ସେ ହାସଲ କରିଚି । ଚାଷୀର ଗାଆଁ ପାଖରେ ଜଙ୍ଗଲ-ବିଦ୍ୟାର ସ୍କୁଲମାନ ଅଛି । ସେଠି ତାହାରି ଭାଷାରେ ଅତି ଅଳ୍ପ ଖର୍ଚ୍ଚରେ ଶିକ୍ଷା ଦିଆଯାଉଚି । ଚାରାଗଛ କରିବାଠାରୁ ଆରମ୍ଭ କରି ସମବାୟ ସୂତ୍ରରେ କାଠ ବା କାଗଜର କାରଖାନାମାନ କିପରି ଚଳାଇବାକୁ ହେବ ସବୁ କଥାର ଶିକ୍ଷା, ଚର୍ଚ୍ଚା ଓ ଗବେଷଣା ସେଇଠି ହେଉଚି । ଚାଷୀ ତା’ର ଆବଶ୍ୟକତା ଅନୁସାରେ ଜଙ୍ଗଲ ବିଷୟରେ ଆବଶ୍ୟକ ଜ୍ଞାନ ଏଇଠୁ ହାସଲ କରି ପାରୁଚୁ । ଜଙ୍ଗଲକୁ କିପରି ଭଲ ରଖିବାକୁ ହୁଏ, ସେ ବିଷୟରେ ସାଧାରଣ ଜ୍ଞାନ ସେଠି ପ୍ରତ୍ୟେକଙ୍କର ଅଛି । ଆମ ଦେଶ ବିଷୟରେ ବେଳେ ବେଳେ ମୁଁ ସେଇକଥା ଭାବେ । ଜଙ୍ଗଲ-ବିଦ୍ୟାରେ ଉଚ୍ଚ ଶିକ୍ଷା ପାଇବାକୁ ଆଉ ଡେରାଡୁନ ଯିବାକୁ ପଡ଼ୁ ନଥାନ୍ତା । ଘର ପାଖରେ ଏ ଦେଶର ପିଲାଏ ଆପଣା ଭାଷାରେ ଆପଣା ଜଙ୍ଗଲର ଦାୟିତ୍ଵ ମୁଣ୍ଡାଇବାର ପାଠ ପଢ଼ୁଥାନ୍ତେ । ଆମ ଦେଶର ଯେଉଁଠି ସବୁ ଜଙ୍ଗଲ ରହିଚି, ସେଇଠିକାର ପିଲାଏ ଏ ଶିକ୍ଷା ପାଆନ୍ତେ । ଜଙ୍ଗଲ ହିଁ ସେମାନଙ୍କର ବୃହତ୍ତର ଲାବୋରେଟରୀ ହୁଅନ୍ତା । ମଞ୍ଜିରୁ ଗଛ କରି ବଢ଼ାଇବାଠାରୁ ଆରମ୍ଭ କରି କାଠର ସରଞ୍ଜାମ ତିଆରି କରିବା ପର୍ଯ୍ୟନ୍ତ ପ୍ରଧାନ ଆନୁଷଙ୍ଗିକ ସବୁ ପାଠ ଏଇଠି ମିଳନ୍ତା । ଏଠିକି ପିଲାଏ ବଡ଼ ହୋଇ ଏଇଠିକି ଜଙ୍ଗଲର ତତ୍ତ୍ଵ ନିଅନ୍ତେ । ପାଠଶାଳା ପରି ଜୀବନଗଠନର ବୃହତ୍ତର ଓ ସମଗ୍ରତର ପାଠଶାଳାରେ ଏହି ଜଙ୍ଗଲ ହିଁ ସେମାନଙ୍କର ମୁଖ୍ୟ ଧନ୍ଦା ହୋଇ ରହନ୍ତା । ଜଙ୍ଗଲ–ସମ୍ବନ୍ଧୀୟ ନାନା କର୍ମାନୁଷ୍ଠାନରେ ସେମାନଙ୍କର ଜୀବନ ଓ ସଂସ୍କୃତିର ମିଳନ ହୋଇ ପାରନ୍ତା । ଆଜି ତ ଯିଏ ଡେରାଡ଼ୁନରେ ଜଙ୍ଗଲବିଦ୍ୟାର କଲେଜ ପାଠ ପଢ଼ିବାକୁ ଯାଉଚି, ତା’ର ଡିଗ୍ରୀ ଦେଖି ତାକୁ ସରକାର ବାଛୁଛନ୍ତି । ସେଠାରୁ ଫେରିଲାବେଳେ ସେ ପ୍ରଧାନତଃ ଡିଗ୍ରୀ ନେଇ ଫେରୁଛି । ଜାତୀୟ ଶାସନର ଅରଣ୍ୟ ଭିତରେ ପାଠର ଫାଶ ବସାଇ ଚାକିରି ଓ ପଇସାର ଚଢ଼େଇ ଧରିବାକୁ କେଳାମନ ନେଇ ସେ ଫେରୁଛି, ସିଦ୍ଧବିଦ୍ୟ ହୋଇ ଫେରୁନାହିଁ । ଏ ଅବସ୍ଥା ବଦଳି ଯାଅନ୍ତା । ଜଙ୍ଗଲ ସହିତ ପିଲାଦିନର ସମ୍ପର୍କ ରଖିଥିବା ଲୋକେ ଜଙ୍ଗଲ କଲେଜରେ ଛାତ୍ର ହୁଅନ୍ତେ । ଅଧ୍ୟୟନ ସାରି ସେମାନେ ଜଙ୍ଗଲର ସେବା କରିବାକୁ ଫେରି ଆସନ୍ତେ । ଏହି ଜଙ୍ଗଲରୁ ସମ୍ପଦ-ଭଣ୍ଡାର ନେଇ ସେମାନେ ଆପଣାକୁ ଓ ଜାତିକୁ ସୁଖୀ କରି ପାରନ୍ତେ । ଜ୍ଞାନ ଓ ଜୀବନର ସମନ୍ଵୟ ସମ୍ଭବ ହୋଇ ପାରନ୍ତା । ଜାତୀୟ ଜୀବନରେ ସୁଷମତା (Balance) ରହନ୍ତା ।

 

ଏ ଦେଶର ଅରଣ୍ୟବାସୀ ଲାଗି ସରକାର ବିଶେଷ ଯୋଜନାମାନ କରୁଛନ୍ତି, ଅଧିକ ପଇସା ଖରଚ କରୁଚନ୍ତି । ଆଦିବାସୀ ପିଲାଙ୍କ ଲାଗି ସ୍ଵତନ୍ତ୍ର ପାଠଶାଳାମାନ ବସୁଚି । ଏପରି ଦୟା ଦେଖାଇବା ଦ୍ଵାରା ଆଦିବାସୀମାନେ କେତେଦୂର ଉପକୃତ ହେଉଛନ୍ତି, କେତେଦୂର ଏକ ସୁସ୍ଥସମ୍ପନ୍ନ ଜୀବନସୃଷ୍ଟି ନେଇ ସଂସାରରେ ପ୍ରବେଶ କରୁଛନ୍ତି, ଭବିଷ୍ୟତ ତାର ଉତ୍ତର ଦେବ । ଶହ ଶହ ବର୍ଷ ଧରି ସେମାନେ ତଳେ ପଡ଼ିଥିଲେ, ଆର୍ଯ୍ୟ ଓ ଓଡ଼ିଆର ଅତ୍ୟାଚାର ସହୁଥିଲେ । ଧଳା ମାର୍କିନ କନାର ପ୍ୟାଣ୍ଟକୋଟ ଉପରେ ସେମାନେ ଚାରିପଇସିଆ ପ୍ଲାଷ୍ଟିକ୍ ବୋତାମ ଆଉ ଚାରିଟଙ୍କିଆ କଲମଟିଏ ଲଗାଇ ଦେଲେ ସେମାନଙ୍କର ଭାଗ୍ୟ ଆମେ ଓଲଟାଇ ଦେଲେ ବୋଲି ଭାବିବା ବଡ଼ ଅନ୍ୟାୟ ହେବ । ଅଥଚ ଆମର ଯୋଜନା ଅଧିକ ବିବେକସମ୍ପନ୍ନ ନହେଲେ ସଭ୍ୟତାର ନକଲି ନମୁନାମାନ ଶିଖାଇ ଆମେ ସେମାନଙ୍କୁ ସଭ୍ୟ ହେବାର ଭ୍ରମରେ ପକାଇଦେବା । ସେମାନଙ୍କର ଆଗ୍ରହ ଆଗ ବଢ଼ାଇବାକୁ ହେବ । ସେମାନେ ଏ ଦେଶର ମଣିଷ, ଆପଣାର ଜ୍ଞାନ ବଢ଼ାଇ ସେମାନେ ଦିନେ ସବୁରି ସହିତ ଏ ଦେଶ ଗଢ଼ିବାରେ ଭାଗ ନେବେ । ଏ ଦେଶର ନଈ, ପାହାଡ଼, ମାଟି ଜଙ୍ଗଲରୁ ସୁନା ଫଳାଇବାର ଦାୟିତ୍ଵରେ ସେମାନଙ୍କର ମଧ୍ୟ ଭାଗ ରହିଚି । ସେମାନଙ୍କ ଭିତରେ ଏହିପରି ଏକ ଉଚ୍ଚ ଆଗ୍ରହ ସୃଷ୍ଟି କରିବାକୁ ହେବ । ଏ ଦେଶର ନିର୍ମାଣଫୌଜରେ ସେମାନଙ୍କୁ ବି ସାମିଲ କରିବାକୁ ହେବ ।

 

–ଷୋହଳ–

 

ଅନେକ ଦିନ ପରେ ଆଜି ପୁଣି ଜଙ୍ଗଲଚିଠି ଲେଖିବାର ପରସ୍ତ ଖୋଲୁଚି । ମନେ ପଡ଼ୁଚି, ପ୍ରାୟ ତିନିମାସ ତଳେ ସେହି କନ୍ଧଘରର ଦେହୁଡ଼ୀଘରେ ବସି ମୁଁ ଗଲାଥରର ଜଙ୍ଗଲଚିଠି ଲେଖିଥିଲି । ଏହି ତିନିମାସ ଭିତରେ ଅନେକ ପରିବର୍ତ୍ତନ ହୋଇଯାଇଚି । ସେତେବେଳେ ଭଲ କରି ଶୀତ ଛାଡ଼ି ନଥିଲା । ରାତି ନ ପାହୁଣୁ ସେତେବେଳେବି ଆମେ ଶୀତଥରଥର ହୋଇ ଝରଣାରୁ ଡୁବ ମାରି ଆସୁଥିଲି । କ୍ରମେ ଝରଣାରୁ ପାଣି ଶୁଖିଗଲା । ଶୁଖିଲା ବାଲିଶଯ୍ୟାରେ ଛୋଟିଆ କୂଅଟିମାନ ଖୋଳି ଅତି ସନ୍ତର୍ପଣରେ ଆମେ ସବୁ କାମ ସେଇଥିରେ ଚଳାଇଲୁ । ଗୋଟିକରେ ହାତ ଧୂଆଧୋଇ ହୁଏ, ଆଉ ଗୋଟିକରେ ବାସନ ମଜାହୁଏ, ପୁଣି ଆଉ ଗୋଟିଏ ଅତି-ଯତ୍ନ-ରକ୍ଷିତ କୂଅରୁ ଆମେ ପାଣି ପିଉ । ଏମିତି ଅଳସୁଆମିରେ ବେଶ୍ କେତେଦିନ କଟିଗଲା-। ବାଲିକୂଅରେ ମଧ୍ୟ ଆଉ ପାଣି ଝରିଲା ନାହିଁ । ତା’ପରେ ଆମେ ସମସ୍ତେ ସ୍ଥାୟୀ କୂଅକୁ ଆସିଲୁ-। ଆରବର୍ଷ ଖରାଦିନେ ଏହି କୂଅରେ ମୋଟେ ଫୁଟେ ପାଣି ଥିଲା । ପାଣିତଳେ ଏକ କଳା ମୁଗୁନି ପଥରର ଚଟାଣ ପଡ଼ି ଆମକୁ ଅତି ନିରାଶ କରି ଦେଇଥିଲା । ମୁଣ୍ଡ ଉପରେ ତ ନିଦାରୁଣ ଖରାଦିନ ମାଡ଼ି ଆସୁଚି । ଏହି କୂଅଟି କଣ ଆମର ଆବଶ୍ୟକତା ମେଣ୍ଟାଇ ପାରିବ ? ଏହିପରି ଏକ ଅଧ-ବିଶ୍ଵାସ ଓ ଅଧ-ଅବିଶ୍ଵାସ ନେଇ ଆମେ କୂଅ ପାଖକୁ ଗଲୁ । ବାସନଧୁଆ ଓ ଗାଧୋଇବା ଲାଗି ଛୋଟିଆ କୁଣ୍ଡ ସହିତ ଚଉତରାଟିଏ କରି ଦିଆଗଲା । ଏହି କୂଅ ଆମକୁ ଖରା ଦିନଟାଯାକ ଚଳାଇ ଆସିଲା ।

 

ବର୍ତ୍ତମାନ ପୁଣି ବର୍ଷାଦିନ ଆରମ୍ଭ ହୋଇଗଲାଣି । ଗୋଟାଏ ସପ୍ତାହର ବର୍ଷାରେ ଚାରିଆଡ଼େ ପୁଣି ଘାସରେ ସବୁଜ ଦେଖାଗଲାଣି । ଖରାଦିନର ଥୁଣ୍ଟା ଗଛମାନଙ୍କରେ ନୂଆ ପତ୍ର ଲଦି ହୋଇଗଲାଣି । ଆଉ ପାଣି ଲାଗି ଭୟ ନାହିଁ । ପିଲାଏ ଛୁଟିରେ ଘରକୁ ଯାଇଚନ୍ତି । ଆସିବାକୁ ଆହୁରି ମାସେ ସମୟ ବାକି ଅଛି । ବର୍ତ୍ତମାନ ଏଠାରେ ଆମେ ମୋଟେ ଛଅସାତ ଜଣ ରହିଚୁ । ପିଲାଏ ଆପଣା ଭିତରେ ଏପରି ପାଳି କରି ଦେଇଚନ୍ତି ଯେ ସେମାନଙ୍କ ଭିତରୁ ସମସ୍ତେ ଘରକୁ ଯିବେ, ଅଥଚ ବିଦ୍ୟାଳୟର ଘର କେତେବେଳେ ଖାଲି ପଡ଼ିବନାହିଁ । ତେଣୁ ପିଲାଙ୍କର ଆସିବାଯିବା ଲାଗିଚି । ମାସକ ପରେ ପୁଣି ଦଳେ ନୂଆ ପିଲା ଆସିବେ, ଆମ ସଂସାର ସେମାନଙ୍କର ଉତ୍ସାହ କୋଳାହଳରେ ସମୃଦ୍ଧତର ହୋଇ ଉଠିବ । ଏଠି ଆଉ ଭୟ ଲାଗୁନାହିଁ । ଏଠି ରହିବାକୁ କିଏ କାହିଁକି ଭୟ କରିବ ? ଆର ବର୍ଷ ଆମେ ନୂଆ ହୋଇ ଯେଉଁଦିନ ଏ ଜଙ୍ଗଲଘରକୁ ଆସିଲୁ, ସେଦିନ ଭାରି ଭୟ ଲାଗୁଥାଏ । ଝରକାବାଟେ ବାହାରକୁ ଅନାଇଲା ବେଳକୁ ଖାଲି ବଣଜନ୍ତୁଙ୍କର ମନଃକଳ୍ପିତ ରୂପଗୁଡ଼ାକୁ ଆମକୁ ଖାଇ ଗୋଡ଼ାଉଥାଏ । ସତେ ଯେପରି ଚାରିପାଖଯାକ ପ୍ରତ୍ୟେକଟି ବୁଦାର ଉହାଡ଼ରେ କେତେକେତେ ବାଘଭାଲୁ ଆମକୁ ଆକ୍ରମଣ କରିବାଲାଗି ଛକିକରି ବସିଚନ୍ତି । ପ୍ରଥମଦିନ ଖରା ଥାଉଁଥାଉଁ ଆମେ ଖାଇବା ଓ ପ୍ରାର୍ଥନା ଶେଷ କରିଦେଲୁ । ଅନ୍ଧାର ହେଉ ହେଉ ଯେଝା ଘରେ କବାଟ ଦେଇ ଯିଏ ଶୋଇଲୁ । ସେତେବେଳେ ଏହି ଘରର ମହତ୍ତ୍ଵ ପାନ୍ଥଶାଳା ବା ସରାଇଘରର ମହତ୍ତ୍ଵଠାରୁ ଆଦୌ ଅଧିକ ନଥିଲା । କ୍ରମେ ଏଠାରେ ମାୟା ଆସିଲା, ଆମ ପରସ୍ପର ଭିତରେ ଲାଗିଯାଉଥିବା ସ୍ନେହମମତା, ପରସ୍ପର ସହିତ ସମଭାଗୀ ହୋଇ ଦିନ କଟାଇବାର ଉତ୍ସାହ ଏ ମାଟି ସହିତ ମଧ୍ୟ ଆମର ସୂତ୍ର ଯୋଡ଼ିଦେଲା । ଆଉ ଭୟ ଲାଗିଲା ନାହିଁ । ଏବର୍ଷ ଖରାଦିନେ ଗୋଟାକଯାକ ତ ପିଲାଏ ରୀତିମତ ବାହାରେ ଶୋଇଲେ । ସେଇ ଏକା ମଣିଷମନ, କୌଣସି ଜାଗାକୁ ଆପଣାର କରିନଥିବା ପର୍ଯ୍ୟନ୍ତ ନାନା ତ୍ରାସ ଓ ସଙ୍କୋଚରେ ସେ ବଡ଼ ଦୂରଛଡ଼ା ହୋଇ ରହେ, ପୁଣି କାଳକ୍ରମେ ଆପଣା ଶ୍ରଦ୍ଧାର ନାନା ଖିଅ ଗଅଁଠାଇ ଜାଗାଟିକୁ ସେ ଆପଣା ଜୀବନର ଅଙ୍ଗସ୍ଵରୂପ କରିନିଏ ।

 

ମାସକତଳେ ରାତି ନ ହେଉଣୁ ପର୍ବତରେ ନିଆଁର ଦିହୁଡ଼ୀ ଜଳୁଥିଲା, ପାହାଡ଼ର ଖୋଲକୁ ଖୋଲ ନିଆଁ ଲାଗି ପାହାଡ଼କୁ ଆଲୋକରେ ହାର ପିନ୍ଧାଇ ଦେଉଥିଲା । ଗ୍ରୀଷ୍ମ ରାତିର ସେହି ଦାହ ଉପରେ ବର୍ତ୍ତମାନ ବର୍ଷା ଓ ମେଘର ଉତ୍ସାହ ଚାଲିଚି । ପାଣିଭଣ୍ଡାର ମେଘଖଣ୍ଡମାନ ଖୋଲକୁ ଖୋଲ ବିଶ୍ରାମ ନେଇ ଚାଲିଚନ୍ତି । ଚତୁର୍ଦ୍ଦିଗର ପ୍ରକୃତି ନୀଳାଞ୍ଜନ-ଆଭରଣ ପିନ୍ଧିଚି । ଆଜି ଅନବରତ ବୃଷ୍ଟିରତ ବୃଷ୍ଟିରେ ଏତେଟିକିଏ ବିରାମ ପଡ଼ିନାହିଁ । ଘରପାଖରେ ଝରଣା ପୁଣି ପୂର୍ଣ୍ଣସଲିଳା ହୋଇ ଉଠିଲାଣି । ଏଣିକି ପଥର ଉପରେ ତରଳ ଜଳସ୍ରୋତର ଚଞ୍ଚଳ କୁଳୁଧ୍ଵନି ବାଜି ଉଠିବ । ଆମେ ଏଠି ମାତ୍ର ଅଳ୍ପ କେତେଜଣ ଥିବାରୁ ଏଠାରେ ସାଧାରଣତଃ ଯେଉଁ କୋଳାହଳ ଥାଏ, ତାହା ମୋଟେ ନାହିଁ କହିଲେ ଚଳେ । ଆପଣା ଘରଟି ଏକାନ୍ତ ହୋଇ ଏହି ଜଙ୍ଗଲଚିଠି ଲେଖୁ ଲେଖୁ ଭାବନା ଆସି ପୁଣି ଭାସିଭାସି ଚାଲିଯାଉଚି । ମୋର ମନଟା ବି ଏହି ଭାବନା ସହିତ ଭାସିଭାସି ଚାଲିଚି । କଣା ଚାଳକୁ ବର୍ଷାପାଣି ଶବ୍ଦ ଏହି ଭାସିଯିବାର ମାଦକତା ସୃଷ୍ଟି କରିବାରେ ବେଶ୍ ସାହାଯ୍ୟ କରୁଚି । ଆଉ ଦୁଇଟା ମାସରେ ବିଦ୍ୟାଳୟ ଦୁଇବର୍ଷ ପୂରିଯିବ । ଏହାରି ଭିତରେ ଦୁଇଦଳ ପିଲା ଆମ ଏଠାକୁ ଆସି ଆମ ସଂସାରର ଅନ୍ତର୍ଭୁକ୍ତ ହୋଇ ସାରିଲେଣି । ସେହିମାନଙ୍କର ଉଦ୍ୟମ ଓ ଉତ୍ସାହରେ ଏ ଜଙ୍ଗଲର କାୟାପଲଟ ହୋଇ ଚାଲିଚି । କେତେ ଭୁଲ ବୁଝିବାର ଭ୍ରମ, କେତେ ବାଦବିବାଦ ଓ କେତେ ବୟସସୁଲଭ ମାନଅଭିମାନ ଆମର ଇତିହାସକୁ ବିଚିତ୍ର ଓ ଘଟଣାବହୁଳ କରି ରଖିଚି । ଶିକ୍ଷାକର ପାରଙ୍ଗମତାରେ ସନ୍ଦେହ କରି କେତେଥର ଚପଳ ଛାତ୍ର-ମନ ଅତି ସ୍ଵାଭାବିକ ବିଦ୍ରୋହ କରି ଉଠିଚି, ପୁଣି ଛାତ୍ରର ଅସଦାଚରଣରେ ରୁଷ୍ଟ ହୋଇ ଶିକ୍ଷକ ଭିତରର ଦଣ୍ଡଧାରୀ ଶାସ୍ତି ଦେବାଲାଗି କେତେଥର ଉଗ୍ର ହୋଇ ଉଠିଚି । ମଣିଷ–ମନ ଓ ମଣିଷ–ପକାଇଚି । ଖଟାମିଠା ସବୁ ଘଟଣା ଆଜି ଗୋଟିଗୋଟି କରି ମନଉପରେ ଭାସି ଚାଲିଚି । ଦୀର୍ଘ ଦୁଇ ବରଷର କ୍ରିୟାକଳାପ ଉପରେ ସିଂହାବଲୋକନ କଲାବେଳକୁ ନିଜପ୍ରତି ବେଶ୍ ଗୋଟାଏ ବିତୃଷ୍ଣା ଜାତ ହେଉଚି । ହୁଏତ ଆହୁରି ଧୈର୍ଯ୍ୟ ଅବଲମ୍ବନ କରିବା ଉଚିତ ଥିଲା । ଶାସ୍ତି ଦେବାର ପ୍ରଚଣ୍ଡ ଦୈତ୍ୟକୁ ପ୍ରଶ୍ରୟ ଦେବାଆଗରୁ ହୃଦୟର ପରିବର୍ତ୍ତନ ଲାଗି ଆହୁରି ସମୟ ଓ ସୁଯୋଗ ଦେବା ଉଚିତ ଥିଲା, ଅମଣିଷପଣିଆ ସହିତ ଲଢ଼ିବାଲାଗି କ୍ଷମତାର ନାନା ଅସ୍ତ୍ର ଧରି ‘ଯୁଦ୍ଧଂ ଦେହି’ ବୋଲି ଡାକିବା ଆଗରୁ ହୁଏତ ହୃଦୟର ମଣିଷଟାର ପରିଚୟ ପାଇ ତାହାରି ସହିତ ସମ୍ପର୍କ ସ୍ଥାପନ କରବା ଅଧିକ ପ୍ରଶସ୍ତ ଥିଲା, ଆପଣାକୁ ଆଜି ଯୁଦ୍ଧାହତ ଏକ ସୈନିକ ପରି ମନେ ହେଉଚି । ଯୁଦ୍ଧକ୍ଷେତ୍ରରେ ଯୁଝିବାର ମତ୍ତତା ଆଉ ନାହିଁ । କେବଳ ବିତୃଷ୍ଣାର ସହିତ ଯୁଦ୍ଧକ୍ଷେତ୍ରରେ ସ୍ମୃତିଗୁଡ଼ାକ ମନ ଭିତରେ ଆଘାତ ଦେଇଯାଉଚି । ଶିକ୍ଷାଳୟ ତ ଯୁଦ୍ଧକ୍ଷେତ୍ର ନୁହେଁ, କୋଡ଼ବହି ଧରି ଦୋଷୀକୁ ଦଣ୍ଡ ଓ ନିରପରାଧକୁ ନିସ୍ତାର ଦେବାର ହୃଦୟହୀନ ବିଚାରାଳୟ ମଧ୍ୟ ଏ ନୁହେଁ । କେବଳ ଫୁଲର ବଗିଚା ସହିତ ଶିକ୍ଷାଳୟର ତୁଳନା କରିହେବ, ମାଳି ସହିତ ଶିକ୍ଷାକର ତୁଳନା କରିହେବ । ଏଠି ପ୍ରତ୍ୟେକଟି ଗଛରେ ଫୁଲ ଫୁଟାଇବାଫାଇଁ ସ୍ଵତନ୍ତ୍ର ଯତ୍ନ ଓ ସ୍ଵତନ୍ତ୍ର ଅଧ୍ୟବସାୟ ଦରକାର । ଶିକ୍ଷକ ହେବାଲାଗି ଅନେକ ଶ୍ରଦ୍ଧା ଦରକାର, ଏହି ଶ୍ରଦ୍ଧା ପଛରେ କୌଣସି ପ୍ରକାର ପ୍ରୟୋଜନ ବା ପ୍ରତିଦାନର ଗନ୍ଧ ରହିବା ଉଚିତ ନୁହେଁ । ଏହା ସ୍ଵାଭାବିକ ଓ କର୍ତ୍ତବ୍ୟଗତ ହେବା ଚାହି । ପ୍ରତ୍ୟେକ ମଣିଷର ଭିତରେ ଭଲ ରହିଚି । ପ୍ରତ୍ୟେକ ମଣିଷ ଭିତରେ ସୁବିକଶିତ ହେବାର ଉତ୍ସାହ ରହିଚି, ଏହି ସତ୍ୟ ଉପରେ ଆସ୍ଥା ରଖିଲେ ସ୍ଵଭାବତଃ ଯେଉଁ ଶ୍ରଦ୍ଧାର ଜନ୍ମ ହୁଏ, ଶିକ୍ଷକ ଭିତରେ ସେହି ଶ୍ରଦ୍ଧା ରହିବା ଦରକାର । ପ୍ରତ୍ୟେକ ମଣିଷକୁ ମଣିଷର ସମ୍ମାନ ଦେଲେ ଓ ଅକଳନୀୟ ସମ୍ଭାବନାର ଆଶ୍ରୟ ବୋଲି ଜ୍ଞାନ କଲେ ହୃଦୟରେ ସ୍ଵତଃ ଯେଉଁ ଶ୍ରଦ୍ଧା ଉତ୍ପନ୍ନ ହୁଏ, ଶିକ୍ଷାଳୟର ଯାବତୀୟ କର୍ମାନୁଷ୍ଠାନ ପଛରେ ସେହି ଶ୍ରଦ୍ଧା ହିଁ ରହିବା ଉଚିତ । ଏ ଶ୍ରଦ୍ଧା ଯେତିକି ଊଣା ହେବ, ଶିକ୍ଷାଳୟର କାମ ସେତିକି ଅସମ୍ପୂର୍ଣ୍ଣ ରହିଯିବ, ଶିକ୍ଷକ ସେତିକି ଅସଫଳ ହେବ ।

 

ଶିକ୍ଷକ ଓ ଆଦର୍ଶ ଶିକ୍ଷକ ଭିତରେ ଅନେକ ଫରକ ରହିଚି । ମଣିଷ ଭିତରେ ଯେଉଁସବୁ ଅସମ୍ପୂର୍ଣ୍ଣତା ରହି ମଣିଷକୁ ଅନେକ ସମୟରେ ପଶୁତୁଲ୍ୟ କରି ପକାଉଚି, ଶିକ୍ଷକ ମଧ୍ୟରେ ବି ସେହିସବୁ ରହିଚି । ସଂସାରର ନାନା ଉତ୍ତେଜନା ଆସକ୍ତି ଶିକ୍ଷକକୁ ମଧ୍ୟ ଉତ୍ତେଜିତ ଓ ଆସକ୍ତ କରି ରଖିବା ଅତି ସ୍ଵାଭାବିକ । ତଥାପି ଆପଣା ଭିତରର ଭଲ ଉପରେ ଶିକ୍ଷକର ଅଟଳ ବିଶ୍ଵାସ ରହିଥିବା ଦରକାର । ଆପଣା ଭିତରୁ ଓ ଅପର ଭିତରୁ ଏହି ଭଲର ଆବିଷ୍କାର–ପଥରେ ଅଧିକ ଅଗ୍ରଗାମୀ ହେବାରେ ସାହାଯ୍ୟ କରୁ । ପିଲାଙ୍କ ସହିତ ଶିକ୍ଷକ ମଧ୍ୟ ଶିଖୁ, ପ୍ରତ୍ୟେକ କ୍ଷେତ୍ରରେ ସମୁଚିତ ବିଚାର ଦ୍ଵାରା ଶିକ୍ଷକ ଆପଣାର ସଂଶୋଧନ କରିବାର ଶକ୍ତି ଅର୍ଜନ କରୁ । ଯେଉଁ ଶିକ୍ଷକ ସ୍ଥାଣୁ ହୋଇ ବସିଲାଣି, କେବଳ ଶିଖାଇବାର ଓ ଦେଖାଇବାର ବାର୍ଦ୍ଧକ୍ୟଜନିତ ଆସ୍ପର୍ଦ୍ଧା ନେଇ ଯିଏ ଶିକ୍ଷାଳୟକୁ ଆସିଚି, ସେ ଶିକ୍ଷାଳୟର ସବୁଠାରୁ ଅଧିକ ଅନିଷ୍ଟ କରିବ । ଜୀବନର ସାଧନାଘରେ ତାହାକୁ ହିଁ ଭଣ୍ଡତପସ୍ଵୀ ବୋଲି କହିବାକୁ ହେବ ।

 

ବୈଦିକ ଯୁଗରେ ଋଷିମାନେ ସଂସାରର କଲ୍ୟାଣ ଲାଗି ଦେବତାମାନଙ୍କୁ ପ୍ରାର୍ଥନା କରୁଥିଲେ । ସଂସାରରେ ପ୍ରଚୁର ଅନ୍ନ ଉତ୍ପନ୍ନ ହେଉ, ସଂସାରରେ ଗୋଧନର ବୃଦ୍ଧି ହେଉ, ଭୂମି ଉର୍ବରା ହେଉ, ମନୁଷ୍ୟମାନେ ପରସ୍ପରକୁ ଦ୍ଵେଷ ନ କରନ୍ତୁ, ଏହିପରି ନାନା କଲ୍ୟାଣକାମନାରେ ବେଦର ସ୍ତୁତିମନ୍ତ୍ରମାନ ପୂର୍ଣ୍ଣ ହୋଇ ରହିଚି । ଗୋଟିଏ ବିଦ୍ୟାଳୟ ଲାଗି ସେହିପରି କଣ ପ୍ରାର୍ଥନା କରାଯାଇପାରେ ? ଆଉ ଦଶବର୍ଷ ପରେ ଏଠାରେ ଘରର ଅଭାବ ରହିବ ନାହିଁ, ପାଠ ପଢ଼ାଇବାର ନାନାପ୍ରକାର ସାମଗ୍ରୀ ଓ ସରଞ୍ଜାମ ଅଭାବ ରହିବ ନାହିଁ, ଧନର ଅଭାବ ରହିବ ନାହିଁ, ଗ୍ରନ୍ଥର ମଧ୍ୟ ଅଭାବ ରହିବା ନାହିଁ । କିନ୍ତୁ ଏସବୁ ହୋଇଗଲେ ଯେ ବିଦ୍ୟାଳୟର ସବୁ ଅଭାବ ଦୂର ହୋଇଯିବ, ଏକଥା ମଧ୍ୟ ସତ୍ୟ ନୁହେଁ । ଦୁଇଟି ଅଭାବର ମୋଚନ ହେଲେ ଯାଇ ଯାର ସବୁପ୍ରକାରରର ସମ୍ପନତା ସାର୍ଥକ ହୋଇ ପାରିବ । ଉପଯୁକ୍ତ ଶିକ୍ଷକ ଓ ଉପଯୁକ୍ତ ଶିକ୍ଷାର୍ଥୀ ହିଁ ଯେ କୌଣସି ଶିକ୍ଷାଳୟ ଲାଗି ସବୁଠାରୁ ବଡ଼ ସମ୍ପଦ । ଶିକ୍ଷକଠାରେ ଶ୍ରଦ୍ଧାର ଅନ୍ତ ନଥିବ, ଶିକ୍ଷାର୍ଥୀଠାରେ ଆଗ୍ରହର ଅନ୍ତ ନଥିବ । ଶିକ୍ଷକଠାରେ ସ୍ଵାଧିକାରପ୍ରମତ୍ତତାର ଲେଶ ନଥିବ, ଶିକ୍ଷାର୍ଥୀଠାରେ ଆଳସ୍ୟର ଲେଶ ନଥିବ । ଯେଉଁ ଶିକ୍ଷାଳୟରେ ଏହିପରି ଶିକ୍ଷକ ଓ ଶିକ୍ଷାର୍ଥୀ ଅଛନ୍ତି, ସେହି ଶିକ୍ଷାଳୟ ପ୍ରକୃତରେ ଧନ୍ୟ । ସେହି ଶିକ୍ଷାଳୟ ଯଥାର୍ଥରେ ଶିକ୍ଷାର ଯୋଗ୍ୟ ଗୃହ ହୋଇ ପାରିବ । ନିଦାଘର ପ୍ରାର୍ଥନାରତ ଧରଣୀ ଉପରେ ଆଜି ବର୍ଷାର ଶତଧାରରେ ଦେବତାର ବରଦାନ ଅଜାଡ଼ି ହୋଇ ପଡ଼ୁଛି । ସେହି ବରଦାନର ଉତ୍ସବ ଦେଖୁ ଦେଖୁ ମୁଁ ମଧ୍ୟ ଏହି ସାମାନ୍ୟ ଶିକ୍ଷାଳୟଟି ଲାଗି ଗୋଟିଏମାତ୍ର ଭିକ୍ଷା କରୁଚି : ହେ ଦେବତା, କୌଣସି ଦିନ ଏହି ବିଦ୍ୟାଳୟରେ ଯେପରି ଉପଯୁକ୍ତ ଶିକ୍ଷାର୍ଥୀର ଅଭାବ ନରହୁ ।

 

–ସତର–

 

ଗତ ସପ୍ତାହରେ ଏଠିକି ଅକାଳ ବର୍ଷା ମାଡ଼ି ଆସିଲା । ସାରା ଓଡ଼ିଶାରେ ଏହି ବର୍ଷା ଓ ଝଡ଼ତୋଫାନ ଏକ ଆକସ୍ମିକ ବିପର୍ଯ୍ୟୟ ଘଟାଇ ଦେଲା । କେତେ ଗାଆଁରେ ଘର ଭାଙ୍ଗିଲା, ବଜ୍ର ପଡ଼ି ମଣିଷ ମଲେ, ଜାଳ ବିହୁନେ କେତେ ପରିବାର ଉପାସ ରହିଲେ । ଏଠି ଏ ଜଙ୍ଗଲ ଭିତରେ ମଧ୍ୟ ଆମେ ସେହି ବିପର୍ଯ୍ୟୟର ଆଘାତ କିଛି କିଛି ପାଇଲୁ । କେତେଥର ହଠାତ୍ ଝଡ଼ି ଆସି ଆମ ଘରର ଛପର ଉଡ଼ାଇ ନେବାକୁ ବସିଚି । ଦୁଇମାସ ତଳେ ଦିନେ ରାତିରେ ଏମିତି ଘଟିଥିଲା । ପିଲାଏ ବସି ଆପଣା ଆପଣା ପାଠ ପଢ଼ୁଛନ୍ତି, ହଠାତ୍ ଏକ ପ୍ରଳୟଙ୍କର ଝଡ଼ବୃଷ୍ଟି ଆସିଲା । ଦୁଇ ଧାଉଡ଼ି ଛାତର ଚୂଳି ସବୁ ଉଡ଼ିଗଲା । ଘରର ଠିକ୍ ମଥାନ ଉପରେ ବଡ଼ ବଡ଼ କଣା ହୋଇଗଲା । ବର୍ଷାରେ ତିନ୍ତି ଯିବାର ଭୟରେ ପିଲାଏ ବିଛଣା ଓ ବହିପତ୍ରସବୁ କଣକୁ ଆଉଜାଇ ରଖିବାକୁ ଚେଷ୍ଟାକାଲେ । ଘରେ ଓଳିପାଣି ପରି ମେଘ ବର୍ଷିଲା । ସେଦିନ ବଡ଼ ହନ୍ତସନ୍ତ ଲାଗୁଥାଏ । କିନ୍ତୁ ପିଲାଙ୍କୁ ସାନ୍ତ୍ଵନା ଦେବାକୁ କି କଅଣ, ପ୍ରକୃତି ଠିକ୍ ଏତିକିବେଳେ ତାର ରହସ୍ୟ ଆରମ୍ଭ କରିଦେଲା-। ମୁଣ୍ଡ ଉପରୁ ବଡ଼ ବଡ଼ କୁଆପଥର ଆସି ପଡ଼ିଲା । ପିଲାଏ ସବୁ ଦୁଃଖ ଭୁଲି କୁଆପଥର ଗୋଟାଇ ଖାଇବାର ଖେଳ ଆରମ୍ଭ କରିଦେଲେ । ଆପଣା ଘରଭିତରେ ହାତ ପହନ୍ତାରେ ମନଇଚ୍ଛା ବର୍ଷାଫଳ ଖାଇବାର ଆନନ୍ଦ କେବଳ ସୌଭାଗ୍ୟବନ୍ତ ବ୍ୟତୀତ ଆଉ କିଏ ପାଇ ପାରିବ-?

 

ଏ ସାତଦିନଯାକ ବର୍ଷା ସହିତ ଏକାଠି ଘର କରିବାକୁ ପଡ଼ିଲା । ସବୁ ଘରେ ତ ପାଣି ବରଷୁଚି । ଅନୁଗୁଳରେ ଗତ ଦୁଇବର୍ଷ ହେଲା ଧାନ ଫସଲ ହୋଇନାହିଁ । ତେଣୁ ଘରଛପର କରିବାକୁ ନଡ଼ା ମିଳିବ କୁଆଡ଼ୁ ? ମଇଁଷି ବଳଦଙ୍କୁ ପୂଳାଏ ଚୋବାଇବାକୁ ଦେବାଲାଗି ଯାହା ଚାଷୀମାନେ କିଛି କିଛି ସାଇତି ରଖିଚନ୍ତି । ଏ ବର୍ଷ ଶୀତଦିନରେ ଅନେକ ଲାଗି ଲାଗି ପଥର, ଡାଳ ଓ ମାଟି ପକାଇ ଝରଣା ଉପରେ ଆମେ ବନ୍ଧଟିଏ ବାନ୍ଧିଥିଲୁ । ଗତ ସପ୍ତାହରେ ଝରଣାରେ ନୂଆ ପାଣି ଆସିଲା । ବନ୍ଧ ବୁଡ଼ି ବନ୍ଧ ଉପରେ ଆଣ୍ଠୁଏ ପାଣି ଚାଲିଲା । ପ୍ରଥମ ଥର ପାଇଁ ଏହା ଦେଖିଲାବେଳେ ମନ ଭାରି ଖରାପ ହୋଇଗଲା । କିନ୍ତୁ ତା’ପରେ ଅର୍ଥାତ୍ ଦୁଇ ତିନିଥର ବନ୍ଧ ବୁଡ଼ି ପାଣି ଚାଲିବା ଫଳରେ ମନ ଆପେ ଆପେ ସେବିଷୟରେ ନିଷ୍ପୃହ ହୋଇ ଗଲାପରି ଲାଗିଲା । ବର୍ତ୍ତମାନ ସବୁ କାମ ବନ୍ଦ । ବନ୍ଧ ଏପରି ଭୁଷୁଡ଼ି ଯାଇଛି ଯେ ତା’ ଉପରେ ଆଉ କୌଣସି ଯାନବାହାନ ଆସି ପାରିବ ନାହିଁ । ଅର୍ଥାତ୍ ଇଟାବୁହା, ପଥର ବୁହା ବର୍ତ୍ତମାନ ସବୁ ବନ୍ଦ । ଆଉ ମାସକ ପରେ ଯେତେବେଳେ ପିଲାମାନେ ଘରୁ ଚାଲିଆସିବେ, ସେତେବେଳେ ସେମାନଙ୍କ ଲାଗି ହୁଏତ ଯଥେଷ୍ଟ ରହିବାଜାଗା କରି ହେବନାହିଁ । ତାହାଛଡ଼ା ନୂଆବର୍ଷର ପ୍ରାୟ କୋଡ଼ିଏ କି ପଚିଶି ନୂଆ ପିଲା ତ ପୁଣି ଅଛନ୍ତି ! ବେଳେବେଳେ ମନ ଭାଙ୍ଗି ପଡ଼ୁଚି । ତଥାପି ବଳୁଆ ମନ ଲେଙ୍ଗଡ଼ା ଉଦ୍ୟମକୁ ଅନେକ ଦୂର ବାଟ ଚଲାଇନେବ ବୋଲି ବାହାରିଚି । ସେ କୌଣସି ପ୍ରକାରେ ହାର ମାନିବାକୁ ରାଜି ନୁହେଁ । ଆପଣାର ସ୍ଵପ୍ନ ଓ ଯୋଜନାରେ ସେ ଏପରି ମସ୍ତ ଓ ନିମଗ୍ନ ହୋଇ ରହିଚି ଯେ, ବାଟର ଖାଲଢ଼ିପ ମାନିବାକୁ ବା ଦେଖିବାକୁ ସେ ରାଜି ନୁହେଁ । ଲାଭକ୍ଷତିର ହିସାବ କରିବା, ସମ୍ଭାବ୍ୟ ଓ ଅସମ୍ଭାବ୍ୟର ତୁଳନା ଓ ତଉଲ କରିବା ପ୍ରଭୃତି ଯାବତୀୟ ବ୍ୟବହାର-ବୁଦ୍ଧିକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ପଚାଶଟି କିଶୋର-ମନର ମାଳିରେ ସେ ଗତ ଦୁଇବର୍ଷ ହେଲା ଅନୁଷ୍ଠାନର ସୂତ୍ର ଦେଇ ଏକ ହାର ଗୁନ୍ଥିବାର ପ୍ରୟାସ କରିଆସିଚି । ସବୁ ଫଳର ସମ୍ଭାବନାକୁ ଭଗବାନଙ୍କ ଉପରେ ନ୍ୟସ୍ତ କରିଦେଇ ସେ କର୍ମ କରିଯିବାର ଯଜ୍ଞଶାଳାକୁ ପ୍ରସ୍ତୁତ ଓ ପବିତ୍ର ହୋଇ ଆସିଚି । ହିସାବ କରିବାର ବା ଆଶା ହରାଇ ବସିବାର କି ଅଧିକାର ତା’ର ଅଛି ? ଏଇ ପିଲାଙ୍କୁ ମଣିଷ କରିବାକୁ ହିଁ ହେବ । ସେମାନଙ୍କର ସବୁ ମୋହ ଅଭିମାନ ସତ୍ତ୍ୱେ ସେମାନଙ୍କ ଭିତରେ ଏକ ଉଚ୍ଚତର ଜିଜ୍ଞାସା ଓ ଉଚ୍ଚତର ଜୀବନମୂଲ୍ୟର ଅନୁଭୂତି ଦେବାକୁ ପଡ଼ିବ । ସେମାନଙ୍କର ସମସ୍ତ ଦୋଷ ଓ ଦୁର୍ବଳତା ସତ୍ତ୍ୱେ ସେମାନଙ୍କ ଭିତରେ ସମୁନ୍ନତ ଓ ଶ୍ରଦ୍ଧାସ୍ପଦ ମଣିଷ ହେବାର ସାହସୀ ବାସନା ଭରିଦେବାକୁ ପଡ଼ିବ । ସେମାନେ ଦିନେ ମଣିଷ ହେବେ, ସଂସାରର ଆପଣା ଅର୍ଜନର ସୁନିଶ୍ଚିତ ଭୂମି ଉପରେ ସେମାନେ ବି ଜୀବନର ଦେଣନେଣ ଆରମ୍ଭ କରିଦେବେ-। ତେଣୁ ଏହିଠାରେ ହିଁ ସେମାନଙ୍କ ଭିତରେ ବଞ୍ଚିବାର ଓ ଆଗକୁ ଯିବାର ନିଆଁ ଉଦ୍ଦୀପିତ କରିଦେବାକୁ ପଡ଼ିବ । ସେମାନଙ୍କ ଭିତରୁ ଅନେକେ ଆମ ଦେଶର ଅତି ଦରିଦ୍ର ଘରମାନଙ୍କରୁ ଆସିଚନ୍ତି । ସଭ୍ୟ ମଣିଷର ସଂସାର କହିଲେ ସାଧାରଣତଃ ଯେଉଁସବୁ ସୁଖ-ସୁବିଧାକୁ ବୁଝାଏ, ସେହିସବୁ ସୁଖସୁବିଧା ଏମାନଙ୍କ ଭିତରୁ ଅନେକଙ୍କ ଘରେ ନାହିଁ । ଏହି ଅକାଳବର୍ଷାରେ ଅନେକଙ୍କ ଘରେ ହୁଏତ ଚୁଲି ଜଳି ନଥିବ, ଅନେକଙ୍କର କାନ୍ଥ ଭାଙ୍ଗି ପଡ଼ିଥିବ, ଅନେକଙ୍କ ଘରେ ପାଣି ଗଜିଥିବ । ସେମାନେ କେଡ଼େ ଖୁସିରେ ଆଜି ଆପଣା ଆପଣା ଘରକୁ ଯାଇଚନ୍ତି । ଏଠାରେ ବସି ସେମାନଙ୍କ କଥା ମନେ ପକାଇଲା ବେଳକୁ ମନୋନେତ୍ରରେ ନାନା ଦୁଃଖର ଚିତ୍ର ଭାସିଭାସି ଚାଲିଯାଉଚି । ତଥାପି, କେତୋଟା ଦରିଦ୍ର ଘରକୁ ଦୟା ଦେଖାଇବା ଲାଗି ସେମାନଙ୍କୁ ଏଇ ଜଙ୍ଗଲ ଭିତରକୁ ଅଣାଯାଇ ନାହିଁ ! ଦରିଦ୍ର ହେଲେ ମଧ୍ୟ, ହଳ ଧରିବା ଘରର ପୁଅ ହେଲେ ମଧ୍ୟ ସେମାନଙ୍କ ଭିତରେ ଯୋଗ୍ୟତା ଅଛି, ଉଚ୍ଚତର ଜୀବନଲାଗି ବାସନା ଓ ଭାବନା ରହିଚି, ସବୁ ପ୍ରତିକୂଳତାକୁ ଭସ୍ମ କରି ବୋଳି ହୋଇ ଜୀବନଦାଣ୍ଡରେ ବିଶ୍ଵାସ ଓ ସାମର୍ଥ୍ୟର ପଦବିକ୍ରମଣରେ ବାହାରିଯାଇ ପାରିବାର ସମ୍ଭାବନା ସେମାନଙ୍କର ବି ଅଛି । ‘ସବ୍‍ ଠିକ୍ ହୈ’ର ହାଉଦା ପକାଇ ସମାଜରେ ଲକ୍ଷ୍ମୀଙ୍କର ହାତୀ ହୋଇ ବୁଲୁଥିବା ସ୍ଵୟଂତୃପ୍ତ ମଣିଷକୁ ଏହାର ପ୍ରମାଣ ଦେବାଲାଗି ଏମାନଙ୍କୁ ଏଠି ପ୍ରସ୍ତୁତ କରାଯାଉଚି । ଦରିଦ୍ର ହିଁ ଆମ ସ୍ଵାଧୀନ ଦେଶର ସମାଜରେ ଶୂଦ୍ର ହୋଇ ରହିଚି । ଦୟା ଓ ଅନୁଗ୍ରହର ନାନା ଭେଳିକି ଲଗାଇ ତାହାରି କାନ୍ଧ ଉପରେ ଆଜି ଆମର ଶୋଭନ ସମାଜ ଦମ୍ଭ ଧରି ବସିଚି । ସେହି ଶୂଦ୍ର ଅଚିରେ ଏହାର ପ୍ରତିବାଦ କରିବ । ହଜାର ହଜାର ମଣିଷଙ୍କର ସଂସାରକୁ ବ୍ୟସ୍ତ କରି ସ୍ଵାଧୀନତା ଓ ଜାତୀୟତାର ଯେଉଁ ହାତୀଖେଦା ଆଜି ସାମାଜିକ ଜୀବନର ସବୁ ସ୍ତରରେ ଚାଲିଚି, ତାହାରି ନିଶା ଭାଙ୍ଗି ଦେବାଲାଗି ଏଠାରେ ଶୂଦ୍ର ପ୍ରସ୍ତୁତ ହେଉଚି । ଆପଣା ଯୋଗ୍ୟତା, ଆପଣା ନମ୍ରତା ଓ ଆପଣାର ସମଗ୍ର ଜୀବନ ଦେଇ ସେ ଆପଣାର ଅଧିକାରକୁ ଦିନେ ସାବ୍ୟସ୍ତ କରିବ ହିଁ କରିବ ।

 

ଉପନିଷଦର ଏହି ଶୂଦ୍ରର ଯୋଗ୍ୟତା ବିଷୟରେ ଗୋଟିଏ ବଳିଷ୍ଠ କଥା ରହିଚି । ଇତରା ଦାସୀର ପୁତ୍ର ଜ୍ଞାନାର୍ଜନ ପ୍ରବଳ ବାସନା ନେଇ ଗୁରୁଙ୍କ ପାଖକୁ ଗଲା । ଜ୍ଞାନମୋହରେ ନିଦ୍ରାଗତ ଗୁରୁ ତାକୁ ଫେରାଇଦେଲେ । ସେ ଇତରାର ପୁତ୍ର, ତେଣୁ ଜ୍ଞାନଲାଭର କୂଳଗତ ଅଧିକାର ତା’ର ନାହିଁ । ଏତିକି ହେଲା ତା’ର ଦୋଷ । କିନ୍ତୁ ଦାସୀପୁତ୍ର ଏଇଥିରେ ଦବି ଗଲାନାହିଁ । ତା’ର ମାଆ ତାକୁ ଏହି ପୃଥିବୀକୁ ଗୁରୁ ମାନି ଶିକ୍ଷାର୍ଜନର ଅଭିନବ କଳ୍ପନା ଦେଲା । ଏକନିଷ୍ଠ ଏକଲବ୍ୟ ପରି ଦାସୀପୁତ୍ର ଆପଣାର ବାସନବଳରେ ଋଷି ମହୀଦାସ ବୋଲି ପ୍ରଖ୍ୟାତ ହେଲା । ତଥାପି ମୁଗ୍‍ଧ ଗୁରୁର ଆଘାତ ସେ ଭୁଲି ନଥିଲା । ଆପଣାର ନାମ ସହିତ ସେ ଐତରେୟ ଶବ୍ଦଟିକୁ ଯୋଡ଼ି ଦେଲା ଓ ଆପଣାକୁ ଦାସୀ ଇତରାର ପୁତ୍ର ବୋଲି ନିର୍ଭୀକ ଭାବରେ ଘୋଷଣା କଲା । ତାହାରି ସାଧନାସମ୍ଭୂତ ଐତରେୟ ଉପନିଷଦ ପରେ ସବୁରି ସ୍ଵୀକାର ଓ ଆଦର ପାଇଲା । ବ୍ରାହ୍ମଣ ପାଖରେ ମଧ୍ୟ ତାହା ଏକ ପବିତ୍ର ଧର୍ମଗ୍ରନ୍ଥ ହୋଇ ରହିଲା । ଏ ଅନେକ ଯୁଗର ପୁରୁଣା ବ୍ୟାଧି ଏପର୍ଯ୍ୟନ୍ତ ଆମ ସମାଜରେ ଘୋଟି ରହିଚି । ଏ ସମାଜରେ ଶହେରେ ପଞ୍ଚାଅଶୀ ଜଣ ଆପଣାର ନାଆଁ ଦସ୍ତଖତ କରି ଜାଣନ୍ତି ନାହିଁ, ଶହେରେ ନବେ ଜଣଙ୍କର ପେଟ ପ୍ରତ୍ୟହ ପୂରିପାରେ ନାହିଁ,–ତଥାପି ଏହି ଦେଶରେ ଜାତି ଓ ସଂସ୍କୃତିର ସ୍ତୁତିଗାନ କରାଯାଏ, ତଥାପି କଳା ଓ ସାହିତ୍ୟର ପଇତା ପକାଇ ଏଠି କେତେଜଣ ବ୍ରାହ୍ମଣର ଅଭିମାନ କରି ବାଣୀମନ୍ଦିରରେ ପୂଜା କରି ଯାଆନ୍ତି । ଏ ଦୁର୍ଭାଗ୍ୟ ଦେଶର ବାଣୀମନ୍ଦିରରେ ସରସ୍ଵତୀ ନାହାନ୍ତି; ଯାହାକୁ ଆମେ ସରସ୍ଵତୀ ବୋଲି କହି ହୁରି ପକାଉଚୁ, ସେ ସରସ୍ଵତୀ ନୁହନ୍ତି । ସରସ୍ଵତୀ ତ ସର୍ବଶୁଭ୍ରା, ସାର୍ବଜନୀନ,–ତାଙ୍କୁ ଆମେ ଆମର ପ୍ରମୋଦଭବନରେ କଦାପି ବାନ୍ଧି ରଖି ପାରନ୍ତେ ନାହିଁ । ତଥାପି ସମାଜର ବ୍ୟାଧିଗ୍ରସ୍ତ ମନ ସେହିଠାରେ ହିଁ ସରସ୍ଵତୀଙ୍କର ଭ୍ରମ କରୁଚି । ସାହିତ୍ୟ ଓ ସଂସ୍କୃତି ନାମରେ ଆମେ ଆମର ମନୋବିକାରଗୁଡ଼ାକୁ ହିଁ ଜାହିର କରିବାରେ ଲାଗିଚୁ । ମନଭିତରେ ଲକ୍ଷ୍ମୀଙ୍କର ବାହନ ହେବାର ଦୂରଭିଳାଷୀ ଆଗ୍ରହ ନେଇ ବାହାରେ ଆମେ ବାଣୀପୂଜାର ଆଡ଼ମ୍ବର କରୁଚୁ । ଏଠି ଏହି ଜଙ୍ଗଲ ଭିତରେ ଆମେ ସେହି ବ୍ୟାଧିରୂ ମୁକ୍ତ ହେବାଲାଗି ଉଦ୍ୟମ କରିବୁ । ସମୟରେ ପ୍ରବେଶ କରିବା ପୂର୍ବରୁ ଏଠିକାର ପିଲାଏ ସେସମସ୍ତ ବିକାରକୁ ଛାଡ଼ିଦେଇ ଯିବେ । ତାହାହିଁ ହେଉଚି ଏଠିକା ଶିକ୍ଷାର ସର୍ବପ୍ରଧାନ ଉଦ୍ଦେଶ୍ୟ । ଆଜି ମୌଳିକ ଶିକ୍ଷାକୁ ଅନେକେ ଦରିଦ୍ରଙ୍କ ଲାଗି ଶିକ୍ଷା ବୋଲି ବିଚାର କରୁଚନ୍ତି । ଏହି ଶିକ୍ଷାର ପରିବର୍ତ୍ତିତ କାର୍ଯ୍ୟକ୍ରମକୁ ଗ୍ରହଣ କଲାବେଳେ ଏହିପରି ଏକ ଭୟଭାବନା ସେମାନଙ୍କୁ କ୍ଷୁନ୍ନ ଓ କ୍ଷୁଦ୍ର କରି ରଖୁଚି । କିନ୍ତୁ ଯେଉଁ ସମାଜ ଶତକଡ଼ା ନବେ ଜଣଙ୍କୁ ଇତର କରିଦେଇ ଆପଣା ସଂସ୍କାରର ଆବଦ୍ଧ ଆୟତନ ଭିତରେ ସନ୍ତୁଷ୍ଟ ହୋଇ ରହିଚି, ସେହି ସମାଜରେ ଇତର ବା ଐତରେୟ ହେବାକୁ ଆମେ ଏକ ପ୍ରଶସ୍ତତର ପଥ ବୋଲି ଗ୍ରହଣ କରିଚୁ । ନାନାପ୍ରକାର ଦୁର୍ବୁଦ୍ଧିର ଆଶ୍ରୟ ନେଇ ସମାଜର ଚାରିପାଖରେ ବାଡ଼ ଠିଆ କରାଇବାର ଖଳବୃତ୍ତି ଆଜି ମଧ୍ୟ ଚାଲିଚି । ଇତରକୁ ସେମାନେ କୌଣସି ପ୍ରକାରେ ଭିତରେ ପ୍ରବେଶ କରାଇ ଦେବେନାହିଁ । ଇଂରାଜୀ ଭାଷା ଓ ଉଚ୍ଚ ଦରମାର କଂକ୍ରିଟ ଦେଇ ସେମାନେ ଆଜି ଆପଣା ସହିତ ଇତରର ବ୍ୟବଧାନକୁ ଆହୁରି ଦୃଢ଼ କରି ରଖିବାର ଲୋଭରେ ପଡ଼ିଚନ୍ତି । ଏହିପରି ଏକ ସମାଜରେ ଐତରେୟର ସାଧନା ଆବଶ୍ୟକ । ଐତରେୟ ହିଁ ଏହି ସମାଜର ନିଦ ଭଙ୍ଗାଇବ । ମଣିଷଠାରୁ ମଣିଷକୁ ବ୍ୟାହତ କରି ରଖିଥିବା ବ୍ୟବଧାନକୁ ଘୁଞ୍ଚାଇ ଦେବ । ବ୍ରାହ୍ମଣ ପରି ଶଙ୍କିତ ହୋଇ ବସିଥିବା ଏହି ସମାଜର ବାହାରେ ରହି ଆମେ ଏଠି ଶୂଦ୍ର ବା ଐତରେୟର ସାଧନା କରିବୁ-। ଆମର ଆଗ୍ରହରେ ନିଷ୍ଠା ଥିଲେ ଓ ବିଶ୍ଵାସରେ ବଳ ଥିଲେ ଭଗବାନ ଆମର ବାସନା ଅବଶ୍ୟ ପୂରଣ କରିବେ । ଏଇଠୁ ଐତରେୟ ମହୀଦାସର ସଂକଳ୍ପ ଓ ସାଧନା ନେଇ ଯିଏ ସଂସାର ଭିତରକୁ ଯିବ, ତାହାରି ଜୀବନରୁ ହିଁ ଆମ ସାଧନାର ସଫଳତା ବା ବିଫଳତାର ପ୍ରମାଣ ମିଳିଯିବ । ପ୍ରାୟ ଚାରିଶହ ବର୍ଷ ତଳେ ସନ୍ଥକବି ଅଚ୍ୟୁତାନନ୍ଦ ଚାରିବର୍ଣ୍ଣରେ ଶୂଦ୍ରକୁ ହିଁ ଶ୍ରେଷ୍ଠ ବୋଲି ଘୋଷଣା କରିଥିଲେ ଓ ଆପଣାକୁ ଶୂଦ୍ର ବୋଲି କହିଥିଲେ । ଶୂଦ୍ର ହେଉଚି ଦାସ, ଭଗବାନଙ୍କର ସେବକ, ସମାଜରେ ସେବାର ଅଧିକାରୀ । ତେଣୁ ସମାଜରେ ସେହି ଶୂଦ୍ର ହେଉଚି ସବୁଠାରୁ ଶ୍ରୀମନ୍ତ ଓ ସିଦ୍ଧିମାନ । ଶୂଦ୍ର ଓ ସେବାକୁ ନେଇ ଏତେଦୂର ବଳିଷ୍ଠ କଳ୍ପନା ପୃଥିବୀର ସାହିତ୍ୟରେ ଖୁବ୍ କ୍ଵିଚିତ୍ ହୋଇଚି । ଅଚ୍ୟୁତାନନ୍ଦ ଶାସ୍ତ୍ରଜୀବୀ ବ୍ରାହ୍ମଣର ପ୍ରତିବାଦ କରି ଶୂଦ୍ର ହେବାର ଧର୍ମପଥ ଦେଖାଇଥିଲେ । ଆମ ଏ ଯୁଗରେ ବି ଜ୍ଞାନ ଓ ପୁରୁଷାର୍ଥ ହାଟରେ ବିକାକିଣା ହେଉଚି, ପ୍ରତିଦ୍ଵନ୍ଦିତାର କଂସେଇଖାନାରେ ଏ ଯୁଗରେ ମଧ୍ୟ ପ୍ରତିଭା ଓ ମଣିଷପଣିଆର ନୀତି ବଳିଦାନ ହେଉଚି । ଶ୍ରଦ୍ଧା ଓ ସମଦୃଷ୍ଟିର ସହଜ ଗୁଣମାନ ମଣିଷ କ୍ରମେ ପାଶୋରି ପକାଉଚି । ଯିଏ ଖୁସୀ ହୋଇ ଆନନ୍ଦର ମନ୍ତ୍ରଦୀକ୍ଷା ନେଇ ଏହି ସମାଜରେ ଶୂଦ୍ର ହୋଇପାରିବ, ସେହି ସଂସାରକୁ ବଞ୍ଚାଇବ, ଆପେ ବଞ୍ଚିବ ।

 

ଦୀର୍ଘ କେତେ ଦିନର ବର୍ଷା ପରେ ଆଜି କଅଁଳ ଖରା ପଡ଼ିଚି । ସବୁଜ ଘାସପତରର ସିକ୍ତୋଜ୍ଜ୍ଵଳ ଶୋଭା ମନକୁ କେଉଁ ସ୍ନାତକସଭା ଭିତରକୁ ହାତଧରି ନେଇ ଯାଉଚି । ମତୁଆଲା ହୋଇ ପବନ ବହୁଚି । ଏଠିକାର ପ୍ରକୃତି ଆମକୁ ବଞ୍ଚାଇ ରଖିବାରେ ଅନେକ ସାହାଯ୍ୟ କରୁଚି, ଲାଭକ୍ଷତିର ଉପରକୁ ଉଠି ଜୀବନର ରସ ସଂଗ୍ରହ କରିବାଲାଗି ଅନେକ ପ୍ରେରଣା ଦେଉଚି, ଆମ ଭିତରେ ଉପୁଜୁଥିବା ଅନେକ ସଂଶୟ ଓ ଶଙ୍କାର ସମାଧାନ କରୁଚି । ଚାରିପାଖର ପାହାଡ଼, ଉପରର ନୀଳସମୁଜ୍ଜ୍ଵଳ ଆକାଶ, ଦୂର ଓ ସନ୍ନିକଟର ନୀଳାଭହରିତ ଅରଣ୍ୟଶୋଭା,–ସବୁ ମିଶି ହାଡ଼ଚମ ତଳେ ସଜ ହେଉଥିବା ବାଟୋଇକୁ ଅନେକ ଦୂର ଚଲାଇ ନେବାର ବଳ ଦେଇଯାଉଚି । ଚାରିଆଡ଼ୁ ବର୍ଷା ମାଡ଼ି ଆସିବାର ଦୃଶ୍ୟ ମନର ଆଳସ୍ୟରେ ନୂଆ ଆବିଷ୍କାରର ବିଜୁଳି ଲଗାଇ ଦେଇ ଯାଉଚି । ପାହାଡ଼ର ନୀଳ ଖୋଲରେ ଅନେକ ପଥ ଭ୍ରମଣ କରି ଆସିଥିବା ଶୁଭ୍ର ମେଘର ଅସଂବୃତ ବୋଇତମାନେ ଆଶ୍ରୟ ଗ୍ରହଣ କଲାବେଳେ ହୃଦୟ ଭିତରେ କିଏ ଅଭୟ ବିଶ୍ଵାସ ଓ ଆଶ୍ରୟ ଭରିଦେଇ ଗଲାପରି ଲାଗୁଚି । ଏଠି ନୟନ, ମନ ଓ ଅନ୍ତର ଲାଗି ଖାଦ୍ୟର ଅଭାବ ନାହିଁ, ତେଣୁ ନାନା ଅନିଶ୍ଚୟତାର ଦୁର୍ବିପାକରେ ପଡ଼ି ନାନା ଲାଭକ୍ଷତିର ହରଣ ଓ ଗୁଣନ କରି ଆପଣାକୁ ଆମେ କାହିଁକି ଦୀନଦରିଦ୍ର କରି ରଖିବା ? ପ୍ରତିଦ୍ଵନ୍ଦିତାର ହାଟ ଏଠାରୁ ଅନେକ ଦୂରରେ, ଏଠାରେ ତ୍ରସ୍ତ ହୋଇ ପରସ୍ପରକୁ ବିଦ୍ଵେଷ କରିବାର ଭୟ ନାହିଁ, ନିରାଶ ହୋଇଯିବାର କୌଣସି ପ୍ରମାଦ ନାହିଁ, ନିନ୍ଦା ଅପବାଦର ନାନା ଆଶଙ୍କାକୁ ତାଳ କରି ତପ୍ତ ହୋଇ ବସିବାର ଛୁଟି ଏଠାରେ ନାହିଁ । ଏଠି ପରିପୂର୍ଣ୍ଣ ହେବାର, ପ୍ରାଣ ଭରି ନେବାର ପ୍ରସାଦ ଅଛି, ଆପଣାର ପାତ୍ରଟିକୁ ପସାରି ଦେବାର ଆନନ୍ଦ ଅଛି । ସବଳ ମଣିଷ ରୂପେ ସଂସାରରେ ପ୍ରବେଶ କରିବାର ମହାନ୍ ପ୍ରେରଣା ଏଠି ପ୍ରତ୍ୟେକଟି ଆଲୋକ ଓ ବାୟୁକଣାରେ ସମାବିଷ୍ଟ ହୋଇ ରହିଚି ।

 

–ଅଠର–

 

ଭାରତ ସରକାରଙ୍କର ସହକାରୀ ଶିକ୍ଷାମନ୍ତ୍ରୀ ଏବର୍ଷ ନିଖିଳ ଭାରତ ପ୍ରାଥମିକ ଶିକ୍ଷକ ସମ୍ମିଳନୀର ସଭାପତି ହୋଇ ଆସିଥିଲେ । ତାଙ୍କର ଚମତ୍କାର ଭାଷଣରେ ସେ ଗୋଟିଏ କଥା କହିଛନ୍ତି, ଯାହା ଉପରୁ କି ସହଜରେ ଦୃଷ୍ଟି ଏଡ଼ାଇ ହେବନାହିଁ । ପ୍ରାୟ ଛଅ ସାତ ବର୍ଷ ତଳ ଦେଶକୁ ନୂଆ କରି ଚଳାଇବାକୁ ଯେଉଁ ନୂଆ ସମ୍ବିଧାନ ତିଆରି ହୋଇଥିଲା, ତାହାରି ଅନୁସାରେ ଭାରତରେ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାର ପ୍ରଚଳନକୁ ଆମର ଉଦ୍ଦେଶ୍ୟ ବୋଲି କୁହାଯାଇଚି । ଅନେକ ସଭ୍ୟ ଦେଶରେ, ଯୋଉଠି ଲୋକମାନେ ଆପଣାର କଲ୍ୟାଣ ଲାଗି ଶାସନବ୍ୟବସ୍ଥା ଗଢ଼ିବାରେ ସୁଯୋଗ ପାଇଚନ୍ତି, ସେଠି ବାଧ୍ୟତାମୂଳକ ଶିକ୍ଷାର ପ୍ରଚଳନ ହୋଇଚି । ଇଂଲଣ୍ଡ, ଡେନମାର୍କ ଏବଂ ଗଣତନ୍ତ୍ରକୁ ଶାସନର ଛଞ୍ଚାରୂପେ ଗ୍ରହଣ କରିଥିବା ପ୍ରତ୍ୟେକ ଦେଶ ଆପଣାର ପ୍ରତ୍ୟେକ ପିଲାଙ୍କୁ ଅନ୍ତତଃ ଆଠ ବର୍ଷର ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଦେବାର ବ୍ୟବସ୍ଥା ରଖିଚନ୍ତି-। ସେମାନେ ଏତିକିରେ ମଧ୍ୟ ସନ୍ତୁଷ୍ଟ ହୋଇ ବସିନାହାନ୍ତି ! ଅଠର ବର୍ଷ ବୟସ ହେବା ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ପୁଅ ଓ ଝିଅ ତା’ର ଭବିଷ୍ୟତ ଜୀବନଲାଗି ଜ୍ଞାନଲାଭର ସୁଯୋଗ ପାଉ, ସେତେବେଳେ ପେଟ ପୋଷିବାର କୌଣସି ଦୁଶ୍ଚିନ୍ତା ତାକୁ ବ୍ୟାଧିପରି ଘାରି ନ ରଖୁ, ଆମେରିକା ଯୁକ୍ତରାଜ୍ୟରେ ସରକାର ଏଥିଲାଗି ଖୁବ୍ ପ୍ରଚେଷ୍ଟା ଚଳାଇଚନ୍ତି । କେବଳ ଆମରି ଅଭାଗା ଦେଶରେ ସେହି ଧରଣର କୌଣସି ପ୍ରଚେଷ୍ଟା ଆଜିଯାଏ ହୋଇନାହିଁ । ଆମ ଦେଶରେ ଶାସ୍ତ୍ରଗତ ଧର୍ମ ଓ ଜଠରଗତ ଜୀବନ ପରି ଆମ ଦେଶକୁ ନୂଆ କରି ଗଢ଼ିବାର ସମସ୍ତ ମସୁଧା ପ୍ରଧାନତଃ ସମ୍ବିଧାରଗତ ହୋଇ ରହିଚି । ଲୋକକଲ୍ୟାଣର ଅନେକ ନିୟମକାନୁନ ପ୍ରଧାନତଃ କୋଡ଼ଗତ (code) ହୋଇ ରହିଚି । ସେସବୁକୁ ଜୀବନରେ ପର୍ଯ୍ୟବସିତ କରିବାଲାଗି କୌଣସି ଚେଷ୍ଟା ନାହିଁ, ହୁଏତ କୌଣସି ଇଚ୍ଛୁକତା ମଧ୍ୟ ନାହିଁ । ହାକିମଙ୍କର ଫାଇଲ୍‍ଗଦା ପରି ସେସବୁ ନାନା କଳାମଣ୍ଡନମଣ୍ଡିତ ପୃଷ୍ଠା ଉପରେ ସ୍ଵର୍ଣ୍ଣାକ୍ଷରରେ ଅକ୍ଷରାକାର ହୋଇ ରହିଚି । ଦେଶର ସବୁ ପିଲାଙ୍କୁ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଦେବାର କଥାଟି ମଧ୍ୟ ସେହିପରି ବହି ଭିତରେ ରହି ଆସୁଥିଲା । କୌଣସି ବର୍ଷର ବଜେଟ୍-ଆଲୋଚନାବେଳେ ଏ କଥା କାହାରି ମନେ ପଡ଼ି ନଥିଲା । ସାରା ଭାରତର ପ୍ରାଥମିକ ଶିକ୍ଷକମାନଙ୍କର ଏକ ସତ୍ତା ହେଉଥିବାର ଦେଖି ବୋଧହୁଏ ସରକାରୀ ମନ୍ତ୍ରୀଙ୍କର ସେହି ବିଷୟ ମନେ ପଡ଼ିଗଲା । ସେଥିଲାଗି ସେ ହଠାତ୍ ସେକଥା ଉଠାଇଲେ ଏବଂ ବଡ଼ ଅଦ୍‍ଭୁତ ଭାବରେ ଉଠାଇଲେ । ସାରା ଦେଶରେ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷାର ପ୍ରଚଳନ ସମ୍ବିଧାନରେ ଅଛି, ତାହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ଲାଗି ଶିକ୍ଷକମାନେ ଆନ୍ଦୋଳନ ଚଳାନ୍ତୁ ବୋଲି ସେ ତାଙ୍କର ଭାଷଣରେ କହିଚନ୍ତି । କଟୁତିକ୍ତକଷାୟ ହେଲେ ମଧ୍ୟ ଗୁରୁଜନଙ୍କର ପରାମର୍ଶ ହିସାବରେ ଶିକ୍ଷକସଭା ମୌନ-ସମ୍ମତି ଜଣାଇ ଏହାକୁ ନିଶ୍ଚୟ ଗ୍ରହଣ କରିଥିବ ।

 

ଏ ଦେଶର ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ କଲେ ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ ହୋଇ ପାରିବ କି ନାହିଁ, ସେକଥା ପରେ ବିଚାର କରାଯିବ । କିନ୍ତୁ ପ୍ରାଥମିକ ଶିକ୍ଷକମାନେ କେତେଦୂର ଏପରି ଏକ ଆନ୍ଦୋଳନ ଚଳାଇ ପାରିବେ, ଆଗ ସେକଥା ଭାବିବା ଦରକାର । ଯାହା ଆଗରେ ଅନ୍ୟ କୌଣସି ଜୀବିକା ଦେଖା ନ ଯାଉଚି, ଆମ ଦେଶରେ ପ୍ରଧାନତଃ ସେହି ଗାଆଁସ୍କୁଲରେ ମାଷ୍ଟର ହେଉଚି । ଅର୍ଥାଭାବରୁ ଯିଏ ଅଧିକ ପାଠ ପଢ଼ି ନ ପାରୁଚି, ଧରାଧରି କରି ଅନ୍ୟ କୌଣସି ଚାକିରି ପାଇବାଲାଗି ଯାହାର ମୁରବୀଜୋର ନାହିଁ, ସେହି ଆସି ବାଧ୍ୟ ହୋଇ ଏହି ଦେଶର ପିଲାଙ୍କୁ ପାଠ ପଢ଼ାଇବାରେ ଅଧମ ପନ୍ଥା ଗ୍ରହଣ କରୁଚି । ଶିକ୍ଷକମାନେ ଦେଶର ଭବିଷ୍ୟତ ନାଗରିକ ଗଢ଼ୁଚନ୍ତି, ତେଣୁ ଦେଶର ପ୍ରକୃତ ବିଧାୟକ ସେହିମାନେ,–ସଭ୍ୟ ମଣିଷର ସମାଜଶାସ୍ତ୍ର ଅନେକ ଦିନରୁ ଏହିକଥା କହି ଆସୁଥିଲେ ହେଁ ଆମ ସ୍ଵାଧୀନ ଦେଶରେ ଠିକ୍ ଓଲଟା କଥା ଚାଲୁଚି । ଯାହାର କାମ ତାକୁ ଯେତିକି ବେଶୀ ପଇସା ଦେଇପାରୁଚି, ତା’ର ଆଦର ସେତିକି ବେଶୀ, ତା’ର ଆଖି ସେତିକି ଉପରକୁ । ଆଗେ କୋଉକାଳେ ଏ ଦେଶ ହୁଏତ ମୁନିଋଷିମାନଙ୍କର ଦେଶ ଥିଲା, ଜଙ୍ଗଲରୁ ବିଶ୍ଵାମିତ୍ର ଋଷି ଆସି ରାଜଦ୍ଵାରରେ ପହଞ୍ଚିଗଲେ ଅଯୋଧ୍ୟାର ଅଧିପତିଙ୍କର ଛାତି ଥରୁଥିଲା, ଆଶ୍ରମଗୃହକୁ ଆଘାତ କରିବାଲାଗି ଏ ଦେଶରେ ରାଜାଙ୍କର ଅଧିକାର ନଥିଲା । କିନ୍ତୁ ସେସବୁ ପୁରୁଣା ଯୁଗର ପାଠ, ଭାଷଣ ଓ ବକ୍ତୃତାବେଳ ବ୍ୟତୀତ ବର୍ତ୍ତମାନ ସେସବୁର ଅନ୍ୟ କୌଣସି ପ୍ରକାର ଉପଯୋଗିତା ନାହିଁ,–ଏ ଦେଶର ଶିକ୍ଷିତ ଚାଳକ ସେକଥା ଭାରି ଭଲକରି ଜାଣିଚି । ସେଥିଲାଗି ଆମ ଦେଶରେ ମୂଲ୍ୟାଙ୍କନର ତରାଜୁ ଓଲଟା ହୋଇଗଲାଣି । ଯିଏ ଯୁଗକୁ ବୁଝି ପ୍ରତିଯୋଗିତାର ବଜାରରେ ନାନା କୌଶଳ ଓ କୁଶଳତା ଦେଖାଇ ବଡ଼ ବ୍ୟବସାୟୀ ହୋଇ ପାରୁଚି, ବଡ଼ କୋଠା ତିଆରି କରିଦେଇ ପାରୁଚି, ଆମର ସମାଜ ତାହାରି ଅଙ୍କୁଶକୁ ସ୍ଵୀକାର କରି ନେଉଚି । ସବୁ ପ୍ରକାର ମତବାଦ, ଆଦର୍ଶ ଓ ସଂସ୍କୃତି ତାହାରି ଦୁଆରେ ଅନୁଗ୍ରହାଭିଳାଷୀ ହୋଇ ଠିଆ ହେଉଚି । କିନ୍ତୁ ଯିଏ ବାଧ୍ୟ ହୋଇ ମଫସଲ ଗାଆଁରେ ମାଷ୍ଟରି କରୁଚି, ଏ ଦେଶରେ ତାକୁ କେବଳ ଦୁର୍ଭାଗ୍ୟ ମଣିଷ ବ୍ୟତୀତ ଆଉ କଣ କୁହାଯାଇ ପାରିବ ? ଅଧିକନ୍ତୁ, ଯିଏ ସେବାଦର୍ଶରେ ଅନୁପ୍ରାଣିତ ହୋଇ ଶିକ୍ଷକ ହିସାବରେ ଦେଶର କିଛି କରି ପାରିବ ବୋଲି ଭରସା କରି ବାହାରୁଚି, ଏ ଦେଶର ସଫଳ ସମାଜ ତା’ ଲାଗି କେବଳ ଦୁଃଖପ୍ରକାଶ ହିଁ କରୁଚନ୍ତି । ତାକୁ ସେମାନେ ହୁଏତ ନିର୍ବୋଧ ବା ବ୍ୟବହାରବୁଦ୍ଧିରହିତ ବୋଲି ବିଚାରୁଚନ୍ତି । ଭାରତର କେତେଜଣ ଶିକ୍ଷକ ଆଜି ଆପଣା କ୍ଷେତ୍ରରେ ସନ୍ତୁଷ୍ଟ ଅଛନ୍ତି ? କେତେଜଣ ଆଜି ଶିକ୍ଷକର କାମକୁ ଖୁସି ହୋଇ ଗ୍ରହଣ କରିଚନ୍ତି ? ସାରା ଭାରତରେ ଏହାର ଗୋଟାଏ ହିସାବ ନିଆଗଲେ ଏ କଥା ସ୍ପଷ୍ଟ ଜଣା ପଡ଼ିଯାଆନ୍ତା । ନୂଆ ନୂଆ ଚାକିରି ପାଇଁ ଆମ ଦେଶର ପ୍ରାୟ ଶତକଡ଼ା ନବେଜଣ ଶିକ୍ଷକ ଦରଖାସ୍ତ ପକାଇବାରେ ଲାଗିଚନ୍ତି । ଭାଗ୍ୟକୁ ଗୋଟାଏ କିଛି ଜୁଟିଗଲେ ସେମାନେ ସଙ୍ଗେ ସଙ୍ଗେ ଶିକ୍ଷାଳୟର ଚତୁଃସୀମା ଡେଇଁ ପଳାଉଚନ୍ତି । ଓଡ଼ିଶାରେ ଯେକୌଣସି ବେସରକାରୀ ସ୍କୁଲକୁ ଗଲେ ଆମେ ଏହି ହୀନ ଦଶାର ପ୍ରମାଣ ପାଇବା । ଆମ ଦେଶର ଶିକ୍ଷିତମାନେ ଏହିସବୁ ସ୍କୁଲକୁ ଗୋଟାଏ ପ୍ରକାର ଆଶ୍ରାଖୁଣ୍ଟ ବା ମଧ୍ୟମ ସୋପାନ ବୋଲି ଗ୍ରହଣ କରିଚନ୍ତି । ଆମ ଗାଆଁରେ ଗତ ଏଗାର ବର୍ଷ ହେଲା ଗୋଟିଏ ହାଇସ୍କୁଲ ବସିଲାଣି । କିନ୍ତୁ ସ୍କୁଲ ଆରମ୍ଭ ହେବାବେଳେ ସେଠାରେ ଯେଉଁ ଶିକ୍ଷକମାନେ ଥିଲେ, ବର୍ତ୍ତମାନ ସେମାନଙ୍କ ଭିତରୁ କେବଳ ଜଣେ ସ୍କୁଲରେ ଅଛନ୍ତି । ଆଉସବୁ କିଏ କୁଆଡ଼େ ଗଲେଣି । ଅଧିକାଂଶ ଶିକ୍ଷାର କ୍ଷେତ୍ରକୁ ମଧ୍ୟ ଛାଡ଼ି ପଳାଇଲେଣି । ଅବଶ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ଲାଗି ଏପରି ଘନ ଘନ ଡେଇଁବାରେ ସୁବିଧା ନାହିଁ । ସେମାନଙ୍କର ଅଳପ ପାଠ ସେମାନଙ୍କୁ ସେହି ଏକ ଗାଡ଼ିଆ ଭିତରେ ଆବଦ୍ଧ କରି ରଖିଚି । ଭାଗ୍ୟକୁ ଆଦରି ନାନା ଅତୃପ୍ତିର ଅନେକ ସନ୍ତାପରେ ହନ୍ତସନ୍ତ ହୋଇ ସେମାନେ ପଡ଼ି ରହିଚନ୍ତି ମାତ୍ର । ଏଣେ ପେଟ ପୂରୁନାହିଁ, ପାଠୁଆ ଜୀବନର ଆବଶ୍ୟକତାମାନ ମେଣ୍ଟାଇବା ଲାଗି ଅର୍ଥ ମଧ୍ୟ ଅଣ୍ଟୁନାହିଁ । ଏଥିଲାଗି ଶିକ୍ଷକତା ଉପରେ ପୂର୍ଣ୍ଣ ଆସ୍ଥା ରଖି ନପାରି ସେମାନେ ଅନ୍ୟାନ୍ୟ ଉପଜୀବିକାମାନ ଗ୍ରହଣ କରିଚନ୍ତି । କିଏ ପାଞ୍ଚ, ଦଶ ବା ପଚିଶିଟି ପିଲାଙ୍କୁ ଟିଉସନ କରି ଆପଣାର ଖାଇବାଗଣ୍ଡାକ ଉଠାଉଛି, କିଏ ନ୍ୟାୟନିଶାପ କରି ଦୁଇପଇସା କମାଉଚି, କିଏ ଦରଖାସ୍ତ ବା ହାଣ୍ଡନୋଟ୍ ଲେଖିବାର ନବସିନ୍ଧା ହୋଇ ପେଟ ଭରୁଚି, କିଏ ନାନା ପୂଜାବ୍ରତରେ ଯଜମାନି କରି ବୁଲୁଚି । ଏମାନେ କି ଆନ୍ଦୋଳନ କରିବେ ? ଯିଏ ଆନ୍ଦୋଳନ କରିବ, ତା’ର ସେଥିଲାଗି ଆବଶ୍ୟକ ଶକ୍ତି ଥିବା ଦରକାର, ଆନ୍ଦୋଳନର ଆବଶ୍ୟକତା ବିଷୟରେ ତା’ର ପୂର୍ଣ୍ଣ ବିଚାର ଓ ବୋଧ ରହିଥିବା ଦରକାର । କିନ୍ତୁ ସ୍ଵଗୃହଜଞ୍ଜାଳ ମେଣ୍ଟାଉ ମେଣ୍ଟାଉ ଦାରୁଭୂତ ହୋଇ ବସିଥିବା ଆମ ଦେଶର ପ୍ରାଥମିକ ଶିକ୍ଷକ କି ଆନ୍ଦୋଳନ କରିବ ?

 

ଆମ ଦେଶରେ କଳକାରଖାନାର ମୂଲିଆମାନେ ଆନ୍ଦୋଳନ କରନ୍ତି, ଧର୍ମଘଟ କରନ୍ତି-। ଅଳ୍ପ ବେତନକୁ ବଢ଼ାଇବାର ଦାବୀ କରି ତଳିଆ କର୍ମଚାରୀମାନେ ଧର୍ମଘଟ କରନ୍ତି । ଟ୍ରାମ୍ ଓ ବସ୍‍ର ଡ୍ରାଇଭର୍, ସହରର ମେହେନ୍ତର ଓ ରେଲବାଇ ଲୋକେ ଧର୍ମଘଟ କରନ୍ତି । ଆପଣାର ପେଟ ନଭରିବା ଯାଏ ପ୍ରଧାନତଃ ଅର୍ଥନୈତିକ ଆନ୍ଦୋଳନ ଛଡ଼ା ମଣିଷ କୌଣସି ଆନ୍ଦୋଳନ କରି ପାରେନାହିଁ । ଅନ୍ନମୟ କୋଷର ଦାବୀ ନପୂରିବା ପର୍ଯ୍ୟନ୍ତ ମଣିଷ ସାଧାରଣତଃ ଅନ୍ନମୟ ଜୀବନଦୃଷ୍ଟିର ଆୟତ୍ତରେ ପଡ଼ିରହେ । ଗତବର୍ଷ ବଙ୍ଗଳାର ଶିକ୍ଷକମାନେ ଅଧିକା ଦରମା ଲାଗି ଧର୍ମଘଟ କରିଥିଲେ । ପେଟ ପୂରିଥିବା ଲୋକ ଅବଶ୍ୟ ଦରିଦ୍ରକୁ ବୋଧ ଦେଇ ରଖିବା ମତଲବରେ ଦାରିଦ୍ର୍ୟକୁ ଅନେକ ପ୍ରକାର ଦର୍ଶନ ବାହାର କରେ, କିନ୍ତୁ ପେଟ ନ ପୂରିବାଯାଏ ମଣିଷର ସକଳ ଦର୍ଶନ ପେଟରେ ହିଁ ପର୍ଯ୍ୟାପ୍ତ ହୋଇ ରହେ । କାରଖାନାରେ ମାଲିକ ଓ ମୂଲିଆର ସମ୍ପର୍କଠାରୁ ଆମଦେଶର ଶିକ୍ଷାକ୍ଷେତ୍ରରେ ହାକିମ ଓ ଶିକ୍ଷକର ସମ୍ପର୍କ ଖୁବବେଶୀ ଭିନ୍ନ ନୁହେଁ-। ଦାରିଦ୍ର୍ୟ ଓ ଅନ୍ୟାନ୍ୟ ଅନେକ ଅସନ୍ତୋଷରେ ପୀଡ଼ିତ ପ୍ରାଥମିକ ଶିକ୍ଷକର ଅକିଞ୍ଚନ ବେଶ ଦେଖିବାର ସୁଯୋଗ ଆମ ଦେଶରେ ପ୍ରତ୍ୟେକ ପାଇଥିବେ । ଏ ଦେଶର ଶିକ୍ଷକ କାହାରିଠାରୁ ସମ୍ମାନ ପାଏନାହିଁ ହାକିମ ନାନା ନିୟମ ଓ ହାକିମୀର ଅଜୁରା ଦେଖାଇ ତାକୁ ବୋଝବୁହା ଓ ବୋଲକରା ବଳଦ ପରି ବ୍ୟବହାର କରିବାରେ କେବେହେଲେ କୁଣ୍ଠିତ ହୁଅନ୍ତି ନାହିଁ । ସେ ମଧ୍ୟ ତା’ର ହାକିମଙ୍କୁ ଡରେ । ଆପଣାର ଦାନାପାଣି ଯାହାର ଦୟା ବା ଖିଆଲ ଉପରେ ନିର୍ଭର କରୁଚି, ତାକୁ ଡରି ତାହାର ମନ ଅନୁସାରେ କାମ ବଜାଇ ତାହାକୁ ହିଁ ଖୁସୀ କରି ରଖିବାକୁ ସେ ସବୁଠାରୁ ଅଧିକ ନିରାପଦ ପନ୍ଥା ବୋଲି ଧରିନିଏ । ତଥାପି ଦରମାଲାଗି ତାକୁ ବାର ବାର ହାକିମପାଖେ ଠିଆ ହେବାକୁ ପଡ଼େ । ଶିକ୍ଷାକ୍ଷେତ୍ରକୁ ପ୍ରଧାନତଃ ଶିକ୍ଷକ ହିଁ ନିୟନ୍ତ୍ରିତ କରୁଥାଆନ୍ତା, ଶିକ୍ଷକ ହିଁ ତାର ଆପଣା କ୍ଷେତ୍ରର ନୀତିନିର୍ଦ୍ଧାରଣ କରୁଥାଆନ୍ତା, ସରକାର ଅଫିସର ହାକିମ କେବଳ ସହଯୋଗୀ ହିସାବରେ ରହି ଜାତୀୟ ଶିକ୍ଷାର ନାନା ବିଭାଗକୁ ସଜାଡ଼ି ରଖୁଥାନ୍ତା, ଶିକ୍ଷକର ବିଚାରକୁ କାର୍ଯ୍ୟକାରୀ କରିବାରେ ସାହାଯ୍ୟ କରି ସେ ଆପଣାର କର୍ତ୍ତବ୍ୟ ସମ୍ପାଦନ କରୁଥାନ୍ତା । କିନ୍ତୁ ଆମର ଏଠି ଓଲଟା ନ୍ୟାୟ ଚଳୁଚି । କାରଣ ଆମ ଦେଶରେ ଶିକ୍ଷାର ଅଢ଼ା ସରସ୍ଵତୀଙ୍କ ହାତରେ ନାହିଁ, ଏପର୍ଯ୍ୟନ୍ତ ଲକ୍ଷ୍ମୀଙ୍କର ହାତରେ ରହିଚି । ଲକ୍ଷ୍ମୀଙ୍କର ବାହନମାନେ ହିଁ ଶିକ୍ଷାର କ୍ଷେତ୍ରରେ ପ୍ରମତ୍ତ ଶାସନ ଚଳାଇଚନ୍ତି ।

 

ଆଜି ଦେଶରେ ଜାତୀୟ ଶିକ୍ଷାର ଧୂନ୍ ଦିଆଯାଉଚି । ଜାତୀୟ ଆୟର ଧୂନ୍ ପରି ଏଇଟା ମଧ୍ୟ ଗୋଟାଏ ଲୋକ ଭୁଲାଇବାର ଫିକର । ଏ ଦେଶରେ ଏତେଟା କାରଖାନା ବା ଏତେଟା ବନ୍ଧ ତିଆରି ହୋଇଗଲେ ଜାତୀୟ ଆୟ ଏତେଗୁଣ ହୋଇଯିବ, ଏହାର ପ୍ରଚାର ଭାରି ଚାଲିଚି । କିନ୍ତୁ ଏହି ଅଧିକା ଆୟ କେବଳ କେତେଜଣଙ୍କର ପକେଟକୁ ଯିବ ନା ଦେଶର ଦରିଦ୍ର ଜନସାଧାରଣଙ୍କୁ ଶ୍ରମ ଓ ଦାନା ଯୋଗାଇବାରେ କେତେଦୂର ସାହାଯ୍ୟ କରିବ, ସେକଥା କେହି ବିଚାର କରୁନାହାନ୍ତି । ଠିକ୍ ସେହିପରି ଏ ଦେଶରେ ଏତେଟା କଲେଜ ବା ଏତେଟା ବିଶ୍ଵବିଦ୍ୟାଳୟ ବଢ଼ିଲେ ତାହାକୁ ଜାତୀୟ ଶିକ୍ଷାର ବିକାଶ ହୋଇଗଲା ବୋଲି କହି ହେବନାହିଁ । ଆମ ଦେଶର କଲେଜମାନଙ୍କୁ ଦେଶର ପିଲାସଂଖ୍ୟାର ଶତକଡ଼ା ଦଶଭାଗ ମଧ୍ୟ ଆସି ପାରୁନଥିବେ । ତେଣୁ ଶତକଡ଼ା ନବେଜଣଙ୍କୁ ଅସ୍ଵୀକାର କରି ଶତକଡ଼ା ଦଶଙ୍କ ଲାଗି ଯେଉଁ ଉଚ୍ଚତର ଶିକ୍ଷାର ବ୍ୟବସ୍ଥା ହେଉଚି, ଓ ତଦ୍ୱାରା ଉଚ୍ଚତର ଚାକିରିର ସଂସ୍ଥାନ କରାଯାଉଚି, କେଉଁ ନ୍ୟାୟରେ ଏହାକୁ ଜାତୀୟ ଶିକ୍ଷାର ଯୋଜନା ଭିତରେ ଅନ୍ତର୍ଭୁକ୍ତ କରାଯିବ ? ଦେଶର ପିଲା ବା ଜାତିର ପିଲା କହିଲେ କେବଳ ସ୍କୁଲ କଲେଜରେ ପଢ଼ୁଥିବା ପିଲାଙ୍କୁ ବୁଝାଏ ନାହିଁ । ଏ ଦେଶରେ କେତେ ପିଲା ବାଧ୍ୟ ହୋଇ ଗାଈ ଜଗୁଚନ୍ତି, କେତେ ପିଲା ବାଧ୍ୟ ହୋଇ କୁଲିକାମ କରୁଚନ୍ତି, କେତେ ପିଲା ବାଧ୍ୟ ହୋଇ ଜୋତାପାଲିସ୍ କରି ବୁଲୁଚନ୍ତି, ବଡ଼ଲୋକଙ୍କର ହିସାବବହିରେ ତା’ର ହିସାବ କିଏ ରଖୁଚି ? ସେମାନେ ସମସ୍ତେ ପାଠ ପଢ଼ିବାରେ ସୁଯୋଗ ପାଇବେ, ଆମ ଦେଶର ବିଧାୟକମାନେ ସେମାନଙ୍କର ମଧ୍ୟ ବିଚାର କରିବେ, ତେବେଯାଇ ଦେଶରେ ଚାଲୁଥିବା ଶିକ୍ଷାବ୍ୟବସ୍ଥାକୁ ଯଥାର୍ଥରେ ଏକ ଜାତୀୟ ବ୍ୟବସ୍ଥା ବୋଲି କୁହାଯାଇ ପାରିବ । କିନ୍ତୁ ସେମାନଙ୍କର ଲାଗି ବ୍ୟବସ୍ଥା କରିବାର ଯୋଗ୍ୟ ହେବାପୂର୍ବରୁ ଆମକୁ ଆମର ଅଭ୍ୟାସଗତ ଅନେକ ସଂସ୍କାର ଛାଡ଼ିବାକୁ ହେବ, ଆମର ଅନେକ ପୁରୁଣା ସଜ୍ଞାକୁ ବଦଳାଇବାକୁ ପଡ଼ିବ । ସର୍ବପ୍ରଥମେ ମହାତ୍ମା ଗାନ୍ଧୀ ଏ ଦେଶର ସବୁ ପିଲାଙ୍କର ଶିକ୍ଷା ଲାଗି ଚିନ୍ତା କରିଥିଲେ, ଏକ ଯୋଜନା ମଧ୍ୟ ଦେଇଥିଲେ । ସେହି ଯୋଜନାକୁ ଆମେ ଆମର ଅକୁଶଳ ବୁଦ୍ଧିଦ୍ଵାର ମାଙ୍କଡ଼ କରି ସାରିଲୁଣି । ତାହା ଭିତରେ ରହିଥିବା ବିପ୍ଳବକାରୀ ବ୍ୟଞ୍ଜନାଗୁଡ଼ିକୁ ଆମେ ଭୁଲି ସାରିଲୁଣି । ସେଥିଲାଗି କେବଳ ଶାଠର ଶିକ୍ଷା ଓ କେବଳ ମୂଳିଆ ହେବାର ଶିକ୍ଷା ବୋଲି କହି ଆମେ ଏହାକୁ ଏଡ଼ିଦେଇ ଚାଲିଚୁ । ଅଥଚ ଏହା ଭିତରେ ଯେଉଁ ନୂତନ କଳ୍ପନାମାନ ଥିଲା, ଶ୍ରଦ୍ଧା ଓ ବିଚାରର ସହିତ ସେସବୁର ଅନୁଶୀଳନ ଓ ଆବଶ୍ୟକ ବିକାଶ କରିବାର ମୁକ୍ତହୃଦୟତା ଆମେ ମୋଟେ ଦେଖାଇନାହୁଁ । କିନ୍ତୁ ଦିନେ ନା ଦିନେ ଆମକୁ ଦେଶର ସବୁ ପିଲାଙ୍କୁ ପାଠ ପଢ଼ାଇବାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ । ସବୁଦିନେ ଆମେ ସବୁଲୋକଙ୍କ ଆଖିରେ କଦାପି ଧୂଳି ଦେଇ ପାରିବା ନାହିଁ ।

 

–ଉଣେଇଶ–

 

ପୁଣି ଏଇଠି ବର୍ଷାର ଉତ୍ସବ ଆରମ୍ଭ ହୋଇଚି । କାଲି ରାତିରୁ ଏଯାଏ ଅନବରତ ବାରିପାତ ଚାଲିଚି । ଆକାଶ ଆଉ ଅରଣ୍ୟର ରୂପ କାଲିଠାରୁ ପୁଣି ବଦଳିଗଲାଣି । ଧୂସର ଚଲାମେଘର ଉତ୍ତରୀ ଉଡ଼ାଇ ଚାରିପାଖର ପାହାଡ଼ ଗୁଡ଼ିକ ସନ୍ନ୍ୟାସୀର ସିକ୍ତ ପ୍ରସନ୍ନ ବେଶ ଧାରଣ କରିଚନ୍ତି । ଏଇ ମୁହୂର୍ତ୍ତରେ ଉତ୍ତରୀର ଆଢ଼ୁଆଳରେ ସେମାନଙ୍କର ମୌନମନ୍ଦ୍ର ମୂର୍ତ୍ତି ଦୃଷ୍ଟିଗୋଚର ହେଉଚି, ପୁଣି ପର ମୁହୂର୍ତ୍ତରେ ସବୁ କୁଆଡ଼େ ଲୁଚି ଯାଉଚି, ସବୁ ସେହି ଧୂସର ବ୍ୟାପ୍ତି ଭିତରେ ବିଲୀନ ହୋଇ ଯାଉଚି । ଦେଖଣାହାରୀର ମନଭିତରେ ଏକ ଅଦ୍‍ଭୂତ ଅନୁଭୂତି ଦେଇ ଯାଉଚି । କାଲି ସନ୍ଧ୍ୟା ପୂର୍ବରୁ ଆମେ କେଇଜଣ ମନ୍ଦା ହାଣି ବର୍ଷାଦିନିଆ ପନିପରିବା ଲଗାଇବାରେ ବ୍ୟସ୍ତ ଥିଲୁ । କିଆରୀକୁ ଗଲାବେଳକୁ ଆକାଶସାରା ନିଶା ଖାଇଲା ପରି ନିସ୍ତବ୍‍ଧ ହୋଇ ରହିଥାଏ । ମନ୍ଦିରଗିରିର ଉଚ୍ଚ ଚୂଡ଼ା ସତେଅବା ମତ୍ତ ହାତୀର ମୁଣ୍ଡପରି ଦେଖା ଯାଉଥାଏ । ହଠାତ୍ ପୂର୍ବଦିଗରୁ କଳାମେଘ ଉଠାଇଲା । କ୍ଷଣକେ ଥଣ୍ଡା ପବନର ତୋଫାନ ଛୁଟିଲା । ପ୍ରାୟ କ୍ଷଣକ ଭିତରେ ଆକାଶ ଗୋଟାକ କଳାମେଘରେ ଭରିଗଲା, ସବୁ ଅନ୍ଧାର ହୋଇଗଲା । ତାହାରି ଅବ୍ୟବହିତ ପରଠାରୁ ବର୍ତ୍ତମାନ ଯାଏ ବର୍ଷା ଚାଲିଚି । ଘଡ଼ିଏ ବି ବିରାମ ହୋଇନାହିଁ ।

 

ପ୍ରକୃତି ସହିତ ଏହି ଅବାରିତ ସନ୍ନିଧି ଜଙ୍ଗଲର ସବୁଠାରୁ ବଡ଼ ବିଶିଷ୍ଟତା, ଆମ ଜଙ୍ଗଲ ସ୍କୁଲର ସବୁଠାରୁ ବଡ଼ ଦାନ । ଆମ ଦେଶ କହିଲେ, ଆମେ ଶିକ୍ଷିତଦଳ ସାଧାରଣତଃ ସହରକୁ ବୁଝିଥାଉ । ସରସ ଜୀବନ କହିଲେ ଆମେ ଅନେକ ସମୟରେ ସହରର ରିକସା, ମଟର, ଥିଏଟର, ଖବରକାଗଜ ଏବଂ ଗୁଡ଼ିଆଦୋକାନ ବ୍ୟତୀତ ଆଉ କିଛି ଭାବିପାରୁ ନାହିଁ । ପଇସା ଦେଇ କିଣି ପାରିବାର ସମ୍ଭୋଗ ଛଡ଼ା ଅନ୍ୟ କୌଣସି ପ୍ରକାର ଆନନ୍ଦର କଥା ଆମେ ପୋଥିପାଠରେ ପଢ଼ି ନଥାଉ । ସେଥିଲାଗି ସହରର ପାଠ ପଢ଼ି ଯିଏ ଗାଆଁକୁ ଫେରିଯାଏ, ତାକୁ ଆମେ ମଫସଲି ବା ବେକୁବ ବୋଲି କହୁ । ଯିଏ ସହର ଛାଡ଼ି ଜଙ୍ଗଲକୁ ଯାଏ, ତା’ ପାଇଁ କୋଉଦିନ କୌଣସି ନିସ୍ତାର ଅଛି ବୋଲି ଆମେ କଳ୍ପନା କରି ପାରୁନାହୁଁ । ହିମାଳୟର ଆଶ୍ରମ ବନାଇ ତଥାକଥିତ ଯୋଗ-ସାଧନାର ଜଡ଼ୀବୁଟୀ କର୍ଷଣ କରିବାକୁ ଆମେ ଏଠିକି ଆସିନାହୁଁ । ଏହି ଜଙ୍ଗଲରେ ମଧ୍ୟ ମଣିଷ ଅଛନ୍ତି, ନିତିଦିନର ଧନ୍ଦା ଓ ଜଞ୍ଜାଳରେ ସେମାନଙ୍କର ସୁଖଦୁଃଖର ଜୀବନ ଏଠି ମଧ୍ୟ ମନୋରମ ହୋଇ ପାରିଚି, ଜୀବନଭୋଗର ଆଧୁନିକତମ ସାଧନ ଓ ସାମଗ୍ରୀଠାରୁ ଏତେ ଦୂରରେ ରହି ମଧ୍ୟ ଏଠିକାର ମଣିଷ ବି ବଞ୍ଚିବାର ଅଦମ୍ୟ ଉତ୍ସାହ ନେଇ ତିଷ୍ଠି ରହିଚି । ଏହି ଅଖ୍ୟାତ ଅସ୍ଵୀକୃତ ମଣିଷର ପ୍ରତିବେଶୀ ହୋଇ ଆମେ ଏଠି ରହିବୁ । ଏହି ମଣିଷ ଜରିଆରେ ମାନବ-ଜୀବନର ଅଶେଷ ପ୍ରଶ୍ନକୁ ଆମେ ବୁଝିବାକୁ ଚେଷ୍ଟା କରିବୁ । ଏଇଠି ଆମେ ଆପଣାକୁ ଓ ଆପଣା ଦେଶର ମଣିଷକୁ ଆବିଷ୍କାର କରିବୁ । ପ୍ରକୃତି ସହିତ ଅନ୍ତରଙ୍ଗ ସମ୍ପର୍କରେ ବାନ୍ଧିହେବାକୁ ହେଲେ ମଣିଷଠାରୁ ପଳାଇଯିବାର ଆବଶ୍ୟକତା ନାହିଁ ବା ମଣିଷ ସହିତ ଅନ୍ତରଙ୍ଗ ହେବାକୁ ହେଲେ ପ୍ରକୃତିକୁ ଆଖିବୁଜି ଦେବାର ଆବଶ୍ୟକତା ନାହିଁ । ଏକାତ୍ମ ହେବାର ଧର୍ମ ସବୁ କ୍ଷେତ୍ରରେ ସମାନ । ଯିଏ ଗୋଟିଏ କ୍ଷେତ୍ରରେ ଯଥାର୍ଥ ଭାବରେ ଏକାତ୍ମ ହୋଇପାରିଲା, ଅନ୍ୟ କ୍ଷେତ୍ରରେ ମଧ୍ୟ ଏକାତ୍ମ ହେବାକୁ ତାକୁ କୌଣସି ଆୟାସସାଧନା କରିବାକୁ ପଡ଼ିବ ନାହିଁ । ପ୍ରକୃତି ଓ ମଣିଷର ସାହାଚର୍ଯ୍ୟ ପରସ୍ପରର ହୋଇ ପାରିଲେ ହିଁ ସୁସ୍ଥ ଜୀବନ-ଦୃଷ୍ଟି ଅର୍ଜନ କରିବାରେ ସହାୟକ ହୋଇ ପାରିବ । ଜୀବନ ବଞ୍ଚିବାରେ ସୁସ୍ଥ ଆନନ୍ଦ ଆଣିଦେବ ।

 

ଏହି ଅରଣ୍ୟର ବିଦ୍ୟାପୀଠରେ ଆମେ କେତେଜଣ ଶିକ୍ଷକ ଓ ଶିକ୍ଷାର୍ଥୀ ଏକତ୍ର ଆମ ଜୀବନ ଗଢ଼ିବାରେ ସାଧନା କରିବାର ସୁଯୋଗ ପାଇବୁ । ଏହି ଭରସାରେ ଆମେ ଏଠି ବାସଯୋଗ୍ୟ ଆସ୍ଥାନ ଖଣ୍ଡେ ତିଆରି କରିବାକୁ ଯାଉଚୁ । ସବୁପ୍ରକାର ରାଜନୀତି ଓ ଘୃଣାନୀତିର ବାହାରେ ରହି ଅଥଚ ସମସ୍ତଙ୍କର ଶ୍ରଦ୍ଧା ଓ ସମର୍ଥନ ନେଇ ଆମେ ଏଠି ରହି ଆପଣା ପଥରେ ବାଟ ଚାଲିବାର ସ୍ଵାଧୀନତାଟିକକ ପାଇବୁ, ଏହି ଆଶା ଉପରେ ହିଁ ଆମେ ସବୁଠାରୁ ବଡ଼ ନିର୍ଭର ରଖିଚୁ । ପରାଧୀନ ଦେଶରେ ହୁଏତ ସମସ୍ତେ ଗୋଟାଏ ବାଟରେ ଯିବାକୁ ବାଧ୍ୟ ହୁଅନ୍ତି । ଗୋଟାଏ ପ୍ରକାରର କାଇଦା ଶିଖନ୍ତି, ଗୋଟାଏ ନିର୍ଦ୍ଦିଷ୍ଟ ଛାଞ୍ଚରେ ନ ପଶିଲେ ସେଠି ସର୍ବାଧ୍ୟକ୍ଷ ଶାସକର ମନ ଶଙ୍କିତ ହୋଇ ଉଠେ । ଆମ ଦେଶ ଆଠବର୍ଷ ହେଲା ସ୍ଵାଧୀନ ହେଲାଣି । ଏଠି ଗଣତନ୍ତ୍ରର ରିବାଜରେ ଶାସନ ଓ ଲୋକାଜୀବନ ଚଳିବ ବୋଲି ନୀତି ଧରାଯାଇଚି; ଅଥଚ ଅନେକ କ୍ଷେତ୍ରରେ ଆମର ପରାଧୀନ ମନୋଦୃଷ୍ଟି ଓ ପରାଧୀନ ମନର ସ୍ଵାଭାବିକ କ୍ଷମତାଶକ୍ତି ଆମକୁ ଏପର୍ଯ୍ୟନ୍ତ ସେହି ପୁରୁଣା ଅତ୍ୟାଚାରୀ କରି ରଖିଚି । ଯହୁଁ ଯହୁଁ ଗଣତନ୍ତ୍ରର ଡିଣ୍ଡିମ ଅଧିକରୁ ଅଧିକ ଜୋରରେ ପିଟା ଯାଉଚି, ତହୁଁ ତହୁଁ ଆମର ମନ ଅଧିକ ଗଣତାନ୍ତ୍ରିକ ହୁଅନ୍ତା ସିନା, ମାତ୍ର ଓଲଟି ସ୍ଵେଚ୍ଛାଚାରୀ ହୋଇ ଉଠୁଚି । ସରକାରୀ ହାକିମ, ସରକାରୀ ନିୟମ କାନୁନର ଜୁଲୁମ୍ ଓ ସରକାରୀ ଫାଇଲରେ ପ୍ରମତ୍ତ ବୃତ୍ତି ଦିନୁଁ ଦିନ ଅଧିକ ପ୍ରବଳ ହୋଇ ଉଠୁଚନ୍ତି । ସ୍ଵାଧୀନତା ଓ ସମବିକାଶର ସୁଯୋଗକୁ ଗୋଟି ଗୋଟି କରି ଅପହରଣ କରି ନିଆଯାଉଚି । ଏଣେ ରାତି ପାହିଲାଣି, ସମସ୍ତେ ଆଲୁଅମୁହାଁ ଯିବାକୁ ସଜ ହେଲେଣି, ତଥାପି କାଲିରାତିର ମଦଖଟିରେ ପଙ୍ଗୁ ହୋଇ ବସିଥିବା କ୍ଷମତାଶାଳୀ ନିଶାଚାର ଆଜି ସଭିଙ୍କୁ ପଛକୁ ଟାଣି ଆପଣାର କାବୁରେ ରଖିବାକୁ ଚାହୁଚି, ଚରାଚର ମଙ୍ଗଳ କରିବାର ଏକ ଅସ୍ଵାଭାବିକ ରୋଗରେ ଅତି ଉତ୍ତେଜିତ ହୋଇ ବସି ସବୁରି ମୁରବୀଭାବେ ସବୁରି ହେପାଜତ କରିବାର ବଦଖିଆଲ ଆଜି ତା’ ମୁଣ୍ଡରେ ପଶିଚି ।

 

ଚୀନଦେଶର ଜଣେ ରାଜାଙ୍କ ବିଷୟରେ ଗୋଟିଏ କାହାଣୀ ଅଛି । ରାଜା ଅତି ଆଦରରେ ଗୋଟିଏ କାଚବାକ୍‍ସ ଭିତରେ ସୁନ୍ଦର ମାଛ କେତୋଟି ପୋଷିଥିଲେ । ଦିନେ ଜଣେ ସାଧୁ ରାଜାଙ୍କର ସାକ୍ଷାତ କରିବାକୁ ଆସିଥିଲେ । ଏହି ମାଛଗୁଡ଼ିଙ୍କୁ ଦେଖି ସେ ଅତି ଦୁଃଖିତ ହୋଇ ରାଜାଙ୍କୁ କହିଲେ, “ଆହା, ରାଜା, ଏମାନେ ମୁକ୍ତ ସମୁଦ୍ରରେ ବିହାର କରିବା ଜୀବ । କେବଳ ଆପଣାର ସୁଖଲାଗି କାହିଁକି ତୁମେ ଏମାନଙ୍କୁ ପରାଧୀନ ବନ୍ଦୀକରି ରଖିଚ ! ବଡ଼ ଅନ୍ୟାୟ ହେଉଚି ।” ସାଧୁଙ୍କ କଥା ରାଜା ମାନିଲେ ଓ ମାଛଗୁଡ଼ିଙ୍କୁ ସମୁଦ୍ରରେ ନେଇ ଛାଡ଼ିଦେଇ ଆସିଲେ । ଏହି ଘଟଣାର କେତେକ ବର୍ଷ କଟିଗଲା । ଦୈବାତ୍ ସାଧୁ ଦିନେ ସମୁଦ୍ରକୂଳକୁ ଯାଇ ଦେଖିଲେ, ମାଛଗୁଡ଼ିଙ୍କୁ ଯୋଉଠି ଛାଡ଼ି ଦିଆ ଯାଇଥିଲା ସେମାନେ ଠିକ୍ ସେଇଠି ଅଛନ୍ତି, ଆଗରୁ ଥିବା ବାକସଟିର ସମାୟତନ ଜଳାଂଶରେ ସେମାନେ ଆଗପରି ବୁଲୁଚନ୍ତି । କେହି ବାହାରକୁ ଯାଇ ନାହାନ୍ତି । ପୂର୍ବର ଅଭ୍ୟାସ ବା ପରାଧୀନତା ସେମାନଙ୍କୁ ଏତେଦୂର ବିମୂଢ଼ କରି ପକାଇଚି ଯେ, ସେମାନେ ଅଗାଧ ସମୁଦ୍ରର ପରିଚୟ ପାଇନାହାନ୍ତି । ତେଣୁ ଠିକ୍ ଆଗପରି ଆପଣାର ଅଭ୍ୟସ୍ତ ପରିଧି ଭିତରେ ବନ୍ଦୀହୋଇ ପଡ଼ିଚନ୍ତି ।

 

ଆମ ଦେଶରେ ଆଜି ଯେମିତି ଦୁର୍ଦ୍ଦଶା ଘୋଟିଛି; ଯାହା ହାତରେ କ୍ଷମତା ଅଛି, ସିଏ ଆଜି କ୍ଷମତାର ମୋହ ଭିତରେ ବନ୍ଦୀହୋଇ ପଡ଼ିଚନ୍ତି । କ୍ଷମତାର ଆବରଣଟା ଛଡ଼ା ଆପଣା ଅସ୍ତିତ୍ଵର ସୂଚନା ଦେବାକୁ କୌଣସି ମାନବୀୟ ସନ୍ତକ ଯେପରି ସେମାନଙ୍କ ପାଖରେ ନାହିଁ । କ୍ଷମତାର ଟାପଟାକୁ ସବୁଠାରେ ପ୍ରକଟ କରିବାଲାଗି, ଖିଆଲର ତାର ଦେଇ ଗଢ଼ା ହୋଇଥିବା ଏକ ନିର୍ଜୀବ ଦୟନୀୟ ମେସିନ୍ ଛଡ଼ା ଯେପରି ସେମାନେ ଆଉ କିଛି ନୁହନ୍ତି । ମଣିଷ ବା ଜଗତକୁ ଦେଖିବାକୁ ବା ବିଚାର କରିବାକୁ ମଣିଷର ଦୃଷ୍ଟିତରାଜୁ ସେମାନଙ୍କର ନାହିଁ । ସେମାନଙ୍କର କଳ୍ପନାର ମଣିଷ କେବଳ ଅକିଞ୍ଚନ, କେବଳ ଅଧସ୍ତନ । ଏହି ଅଧସ୍ତନମାନଙ୍କର ଧାରଣା ଲାଗିଥିବ-। ସେମାନେ ନିଜେ ଉଚ୍ଚ ଆସନରେ ବସି ହୁକୁମନାମା ଦେଉଥିବେ, କାଗଜ ଆଉ କଲମର ଆଦେଶରେ ମଣିଷ ଚରାଇବର ହୁଣ୍ଡା କ୍ଷମତାର ମାଲିକ ହୋଇ ବସିଥିବେ, ଆପଣାର ସୁପାରିଶ୍ ପାଇଥିବା ଛାଞ୍ଚରେ ସମସ୍ତଙ୍କୁ ଟାଣିଆଣି ଭର୍ତ୍ତି କରିବାର ଅବାଧ ଅଧିକାର ପାଇଥିବେ, ସେହି ଅଧିକାରର ଠେଙ୍ଗାବାଡ଼ିରୁ ନିସ୍ତାର ପାଇବାକୁ ଆଉ କାହାର ଗତ୍ୟନ୍ତର ନଥିବ, ଆଦର୍ଶ ସମାଜର ପରିକଳ୍ପନା କହିଲେ ସେମାନେ ପ୍ରଧାନତଃ ଏହି କଥା ବୁଝନ୍ତି । ଆମ ଦେଶର ଶିକ୍ଷା ବିଭାଗରେ ମଧ୍ୟ ଏହି ଅଦ୍‍ଭୂତ ଭୂତ ପଶିଚି । ଦେଶର ସବୁ ସ୍କୁଲ ଗୋଟାଏ ପ୍ରକାରର ହେବ । ସବୁ ଶିକ୍ଷକ ଓ ଶିକ୍ଷୋଦ୍ୟୋଗୀ ଗୋଟିଏ ହାକିମର ଅଧୀନକୁ ଆସିବେ । ସାରା ଦେଶରେ ପିଲାଏ ଗୋଟିଏ ଢଙ୍ଗର ପାଠ ପଢ଼ିବେ, ଗୋଟାଏ ଛାଞ୍ଚରେ ପରୀକ୍ଷା ଓ ସମୀକ୍ଷା ହେବ, ଏହିପରି ଗୋଟାଏ ଅହଙ୍କାରୀ ବିକାର ଆମ ଶିକ୍ଷା-ବ୍ୟବସ୍ଥାରେ ପଶି ଚାଲିଚି ଏବଂ ଏହା ସଙ୍ଗେ ସଙ୍ଗେ ସରକାରୀ ଶିକ୍ଷା-ବ୍ୟବସ୍ଥାରେ କଳ ସମସ୍ତଙ୍କୁ ଗିଳିବ ବୋଲି ବାହାରିଚି । ସରକାରୀ କୋଠାବାଡ଼ି ତିଆରି ନକ୍‍ସା କରିଦେବାକୁ ଯେଉଁ ବଡ଼ ବଡ଼ ଇଞ୍ଜିନିୟର ଥାଆନ୍ତି, କାମର ସୁବିଧାଲାଗି ସେମାନେ ଗୃହନିର୍ମାଣରେ କେତେଟା Type ବା ପ୍ରକାର ଠିକ୍ କରି ଦେଇଛନ୍ତି । ସ୍କୁଲ ପିଲାଏ ପଞ୍ଚମ, ଏକାଦଶ, ଷୋଡ଼ଶ କରି ଉପପାଦ୍ୟ ମୁଖସ୍ଥ କରି ରଖିଲାପରି ସେମାନେ ବି A Type, B Type, C Type ପ୍ରଭୃତି କେତେଟା ନିର୍ଦ୍ଦିଷ୍ଟ ଛାଞ୍ଚକୁ ତୁଣ୍ଡରେ ପଇଟି ରଖିଥାନ୍ତି । କୋଉ Typeର ଘର ହେବ ଜାଣିବା ମାତ୍ରକେ କେତେ ଇଟା, କେତେ ସିମେଣ୍ଟ ଓ କେତେଟା ଝରକା କବାଟ ଦରକାର ଫଟ୍‍ଫାଟ୍ କହି ଦିଅନ୍ତି । କେହି ଟିକିଏ ଅଲଗା ପ୍ରକାର ଘର କରିବାକୁ ଚାହିଲେ ଏହି ପଣ୍ଡିତ-କାରିଗରମାନେ ଅଡ଼ୁଆରେ ପଡ଼ିଯାନ୍ତି । ଏସବୁ ‘Old Type’କୁ ହଠାତ୍ ସେମାନଙ୍କର ବଳ ପାଏ ନାହିଁ ।

 

ଆମ ଦେଶର ଶିକ୍ଷାରେ ଯେଉଁସବୁ ଯୋଜନା ଅଛି ବୋଲି କୁହା ହୋଇଥାଏ, ସେସବୁ ହୁଏତ ଏହି Typeର ଯୋଜନା ହୋଇଥିବ । ଗୋଟାଏ ଅଫିସରୁ ସବୁ ଯୋଜନା ହେବ । ଦୁଇଟି ଚଷମାକୁ ଦୁଇଟି ସର୍ବଦର୍ଶୀ ଆଖି ଉପରେ ସବୁ ପର୍ଯ୍ୟବେକ୍ଷଣ ଓ ବିଦ୍ୟାଦାନର ଦାୟିତ୍ଵ ଲଦି ଦିଆଯିବ । ଏହି ଦାୟିତ୍ଵର ମହତ୍ତ୍ଵ ବିଷୟରେ ସାଧାରଣଙ୍କର ହୃଧବୋଧ କରାଇବାଲାଗି ଦଳେ ଲୋକଙ୍କୁ ମୋଟା ଦରମା, ବଡ଼ ଅଫିସଘର, ଗାଡ଼ିଏ ଫାଇଲପତ୍ର ଓ କେତେଟା ହାଉଦା ପିନ୍ଧା ଚପରାସୀଦ୍ଵାରା ବେଶ୍ ଆଡ଼ମ୍ବର ସହକାରେ ମଣ୍ଡାଇ ରଖାଯିବ । ଶିକ୍ଷା କହିଲେ ଆମ ସରକାର ଏହାହିଁ ବୁଝୁଛନ୍ତି ।

 

ଆମ ଦେଶର କେତେ ପିଲା ପାଠ ପଢ଼ି ପାରୁଚନ୍ତି, କେତେ ପିଲା ପାଠ ପଢ଼ି ପାରୁନାହାନ୍ତି । କାହିଁକି ପଢ଼ି ପାରୁନାହାନ୍ତି ? କଲେଜରୁ ପିଇ ଆସିଥିବା ପାଠକୁ ପାଠୁଆ ଶିକ୍ଷକମାନେ କେତେଦୂର ପିଲାଙ୍କର ଉପକାରରେ ଲଗାଇ ପାରିଚନ୍ତି ? ଏହାଦ୍ଵାରା ପିଲାଙ୍କର ବିକାଶ ହେଉଚି କି ବଦହଜମୀ ହେଉଚି, ଏଥିଲାଗି ଶିକ୍ଷା-ଦାନ ସହିତ ସଂଯୁକ୍ତ ଚାରିଜଣଙ୍କୁ ଡାକି ବିଚାର କରିବାର କୌଣସି ଆବଶ୍ୟକତା ନାହିଁ । “ଏଷୋଽୟଂ ଅସ୍ମିନ୍ ଶାସନେ ସୁପଣ୍ଡିତଃ ସୁଶୋଭନଃ ପୁରୁଷଃ ଯଦ୍‍ବିଭାତି”–ସେହି ବୁଝିବ, ସେହି ସବୁ ଠିକ୍‍ କରିଦେବ । ତାହାରି ଖିଆଲ ମାନି ଚାଲ, ତାହାର ଆଇନରେ ଆସି ନିର୍ବିବାଦରେ ଧରାଦିଅ । ତୁମର ଚାକିରି ରହିବ, ସମସ୍ତେ ସନ୍ତୁଷ୍ଟ ହେବେ । ନିୟମିତ ଦରମା ମିଳିବ, ପରିଦର୍ଶନ ବହିରେ କଟୁତିକ୍ତ କିଛି ରହିବ ନାହିଁ । କିନ୍ତୁ ଢଳେଇ ଛାଞ୍ଚର ବାହାରେ ଦୁଃସାହସ ଯୋଉମାନେ କରିବେ, ଆମର ଛାପାଚିଠିର ଚାହିଦା ବା ତାଗିଦା ଅନୁସାରେ ଠିକ୍ ଠିକ୍ କାଗଜ ପୂରଣ କରି ନଦେବାର ଧୃଷ୍ଟତା ଯେଉଁମାନେ ଦେଖାଇବେ, ସେମାନେ ତିଷ୍ଠି ପାରିବେ ନାହିଁ । ଯିଏ ସରକାରରୁ ପଇସାଟାଏ ନେବ, ସିଏ ସରକାରଙ୍କର ଅର୍ଥାତ୍ କେତେଜଣ ହାକିମ-ମହାଜନଙ୍କର ମହତ୍ତ୍ଵକୁ ସ୍ଵୀକାର ତଟସ୍ଥତାର ବଳରେ ଶାସନ ଚାଲେ, ସେଠି ସରକାର କହିଲେ ସମସ୍ତଙ୍କୁ କଦାପି ବୁଝାଏ ନାହିଁ, ମାତ୍ର କେତେଜଣଙ୍କୁ ବୁଝାଏ । ଋଷିଆରେ ମାତ୍ର ଜଣଙ୍କୁ ବୁଝାଏ, ଆମ ଦେଶରେ କେତେଜଣଙ୍କୁ ବୁଝାଏ । ସମସ୍ତପ୍ରକାର ମାନବୀୟ ବୁଦ୍ଧି ଛାଡ଼ି କ୍ଷମତାର ଯନ୍ତ୍ର ସହିତ ଯୋଉମାନେ ଯନ୍ତ୍ର ହୋଇ ଯାଇଚନ୍ତି, ସେହିମାନଙ୍କୁ ବୁଝାଏ । ଆମ ଦେଶର ଶିକ୍ଷା ବ୍ୟବସ୍ଥାରେ ଚାଲୁଥିବା ଏହି ଖିଆଲ ବା କ୍ଷମତାର ଶାସନ ଦେଶର ଶିକ୍ଷା, ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ଗୋଟିଏ ଟାଇପରେ ପର୍ଯ୍ୟବସିତ କରାଇ ଦେଉଚି । ଅଧିକ ଭଲ ଭାଷାର ଅଭାବରେ ଏହି ଟାଇପକୁ ଅଧମ ଟାଇପ ବୋଲି କହିବାକୁ ପଡ଼ିବ ।

 

–କୋଡ଼ିଏ–

 

ପୋଲିସ ଓ ସୈନ୍ୟ-ବିଭାଗ ପରି ଶିକ୍ଷା ବିଭାଗକୁ ମଧ୍ୟ ସରକାର ଏକ ଲୁହାଢ଼ଳେଇ ଛାଞ୍ଚରେ ପକାଇବାର ପାଞ୍ଚ କରିଛନ୍ତି । ଏହାଦ୍ଵାରା ଏ ଦେଶରେ ଶିକ୍ଷାର ମାନ କମିଯାଉଚି । ସବୁ Type ଶେଷକୁ ଅଧମ Type ରେ ଏକାକାର ହୋଇ ଯାଉଚି । ସରକାରଙ୍କ ମନବୋଧ କରିବାକୁ ଗୁଡ଼ାଏ ଫାଇଲପତ୍ର ଚଷା ଯାଉଚି, ଗୁଡ଼ାଏ ହିସାବ ସାଇତା ହୋଇ ରହିଛି । ଭଲ ଶିକ୍ଷାକୁ ଆକାଶ-କଇଁଆର ସମ୍ମାନ ଦେଇ ବଡ଼ ବଡ଼ ବକ୍ତୃତାମାନ ଦିଆଯାଉଛି । କିନ୍ତୁ ସବୁ ସତ୍‍ଶିକ୍ଷାର କେନ୍ଦ୍ରସ୍ଵରୂପ ପିଲାର ଜୀବନ ଅଶିକ୍ଷିତ ହୋଇ ପଡ଼ି ରହିଛି । ପିଲାଙ୍କୁ ଏପର୍ଯ୍ୟନ୍ତ ସବୁ ଶିକ୍ଷାବ୍ୟବସ୍ଥାର କେନ୍ଦ୍ର ବୋଲି ସ୍ଵୀକାର କରାଯାଇ ନାହିଁ । ମୂଲିଆକୁ କାମ ଯୋଗାଇଲା ପରି କେତେଟା ପିଲାଙ୍କୁ ଚାକିରି ପାଇବାର ଖଣ୍ଡେ ଖଣ୍ଡେ Passport ଯୋଗାଇ ଦେଇ ଆମର ସବୁ କାମ ସରିଯାଉଛି । ଏକ ନିର୍ଭରଶୀଳ ଉନ୍ନତ ଜୀବନ-ଦୃଷ୍ଟି ଦେବା, ଚରିତ୍ର ଗଢ଼ିବା, ଜ୍ଞାନଲାଭର ପ୍ରତି ସ୍ଵାଭାବିକ ଆକାଂକ୍ଷା ଓ ଶକ୍ତି ଜନ୍ମାଇବା, ଏଗୁଡ଼ାକ ଏପର୍ଯ୍ୟନ୍ତ ଆମ ଶିକ୍ଷାଦପ୍ତରର ଟେବୁଲ ଉପରକୁ ଆସିନାହିଁ । ନିଦରୁ ଉଠିବାପରି ସରକାର ମଝିରେ ମଝିରେ ଯେଉଁ ଗୋଟାଏ ଗୋଟାଏ ବିଶିଷ୍ଟ ନାମରେ କମିଶନ ବସାଉଛନ୍ତି, ସେହିମାନେ ସେମାନଙ୍କ ରିପୋର୍ଟ ଲେଖିଲାବେଳେ ପ୍ରସଙ୍ଗକ୍ରମେ ଏସବୁ ଉଚ୍ଚତର ଧ୍ୟେୟର ସ୍ମରଣ କରାଇ ଦେଉଛନ୍ତି ମାତ୍ର । ଦୁଆ ବଦଳି ଚାଲିଛି, ନୂଆ ନୂଆ ଯୋଜନା ହୋଇ ଚାଲିଛି । କିନ୍ତୁ ସେସବୁ ଯୋଜନାର ମୋହମୁକ୍ତି ଶୁଦ୍ଧ ପ୍ରୟୋଗ ଲାଗି ସୁବିଧା ଦେଉ ନାହାନ୍ତି । ଶିକ୍ଷା-ବୃକ୍ଷର ଥୁଣ୍ଟା ଡାଳରେ ସେହି ପୁରୁଣା ମନ ଓ ପୁରୁଣା କ୍ଷମତାର ବାଜପକ୍ଷୀ ବସିଚି,–ସବୁ ନୂଆ ଯୋଜନା ଯେତେବେଳେ ନାନା ଡିଣ୍ଡିମ ପିଟାର ସାମାରୋହରେ ତା’ର ଦୁଆରେ ଆସି ପହଞ୍ଚୁଛି, ସେତେବେଳେ ସେ କଂସାରୀ ଘରର ପାରାପରି ଅତି ଅନାସକ୍ତ ଭାବରେ ଉଦରସାତ୍‍ କରିଦେଉଛି, ନୂଆ ନାମରେ ପୁରୁଣା କଥାର ହିଁ ପୁନରାବୃତ୍ତି ହେଉଚି । ନାନା ସଂସ୍କାରର ସୂଚନା ଦିଆଯିବା ସତ୍ତ୍ୱେ ସେହି ପୁରୁଣା ଦୁର୍ଦ୍ଦଶା ଲାଗି ରହିଚି । ସେହି ଏକ ଜିଦ୍, ଆମେ ସରକାରଙ୍କର ମାରଫତଦାର, ଶିକ୍ଷାର ଅଢ଼ା ଆମ ହାତରେ ରହିଛି । ଆମଠାରୁ ଯିଏ ପଇସାଟିଏ ସାହାଯ୍ୟ ନେବ, ସେ ଆମରି ଫରମାସ ପୂରଣ କରିବ, ଆମରି ଘୁଙ୍ଗୁର ଗୋଡ଼ରେ ବାନ୍ଧି ଆମରି ତାଳରେ ନାଚିବାକୁ ବାଧ୍ୟ ହେବ, ଶିକ୍ଷା ଦୃଷ୍ଟିରୁ ସେପରି ନାଚିବା ଯେତେ ହାସ୍ୟାସ୍ପଦ ହେଉ ପଛକେ, ଏହି ଜିଦ୍ ସବୁ ଖାଉଛି, ଏହି ଅସହିଷ୍ଣୁତାର ଅଭିମାନ ଅତି ନିର୍ମମ ପ୍ରହାରରେ ସମସ୍ତ ବିକାଶକୁ ମୂଳରୁ ମାରି ଦେଉଛି ।

 

ପ୍ରାୟ ଶହେବର୍ଷ ତଳେ ଡେନମାର୍କରେ ଘଟିଥିବା ଗୋଟିଏ ଘଟଣା ଆଜି ଭାରି ମନେ ପଡ଼ିଯାଉଛି । ଡେନମାର୍କ ଦେଶର ନୂତନ ଶିକ୍ଷା-ଇତିହାସରେ ଶିକ୍ଷକ ଓ ସାଧକ କ୍ରିଷ୍ଟେନ କଲଲ୍ (Kristen Kold) ନିଶ୍ଚୟ ଅମର ହୋଇ ରହିବେ । ୧୮୪୦-୪୫ ବେଳକୁ ଜଣେ ସାମାନ୍ୟ ଶିକ୍ଷକ ହିସାବରେ ସେ ଆପଣାର ଏଡ଼େବଡ଼ ଶିକ୍ଷାସଂସ୍କାର ସମ୍ଭବ ହେବ ବୋଲି ମଧ୍ୟ ସେତେବେଳେ ବୋଧହୁଏ ସେ କଳ୍ପନାହିଁ କରି ନଥିଲେ । ତଥାପି ତାଙ୍କ ଭିତରେ ନୂତନ ଉଦ୍ୟମର ଜିଦ୍ ଥିଲା, ନୂତନ ଦୃଷ୍ଟି ରହିଥିଲା । ପୁରାତନର ସିଦ୍ଧ ରାସ୍ତାରେ ଯାଇ ପୁରୁଣା ଭୁଲ କରିବାର କୌଣସି ଉତ୍ସାହ ତାଙ୍କର ନଥିଲା । ଡେନମାର୍କର ଧର୍ମଗୁରୁ ବା ପ୍ରଧାନ ବିଶପ ସେତେବେଳେ ଦେଶର ଶିକ୍ଷାପରିଚାଳକ ମଧ୍ୟ ଥିଲେ । ସେ ନିୟମ ଜାରୀ କରି ଦେଇଥିଲେ ଯେ, ଦେଶର ପ୍ରତ୍ୟେକ ପ୍ରାଥମିକ ସ୍କୁଲରେ ଏକ ନିର୍ଦ୍ଦିଷ୍ଟ ବର୍ଣ୍ଣବୋଧ ବହି ପ୍ରଚଳିତ ହେବ । ପ୍ରତ୍ୟେକ ଶିକ୍ଷକ ଏହା ଚଳାଇବାକୁ ବାଧ୍ୟ ହେବେ । ଥରେ ଜଣେ ପରିଦର୍ଶକ କଲଲ୍‍ଙ୍କର ଛୋଟିଆ ମଫସଲର ପାଠଶାଳାଟି ଦେଖି ଯାଇଥିଲେ । ପିଲାଙ୍କୁ ଯାହା ପାଠ ପଚାରିଲେ, ସବୁ ଠିକଠାକ୍ ଉତ୍ତର ମିଳିଲା; ପିଲାଏ ଚମତ୍କାର ଆବୃତ୍ତିମାନ କଲେ । ପରିଦର୍ଶକ ଭାରି ଖୁସି ହୋଇ କହିଲେ ‘ଆଣ ପିଲାଏ, ତୁମର ବର୍ଣ୍ଣବୋଧ ଆଣ, ସେଥିରୁ ପଢ଼ିବା ।’ ପିଲାଏ କହିଲେ–‘ଆମର ତ ଏଠି ବର୍ଣ୍ଣବୋଧ ଚଳେନାହିଁ ।’ ପଛରେ ପିଲାଙ୍କର ଶିକ୍ଷକ ଚୁପ୍ ହୋଇ ଠିଆ ହୋଇଥାନ୍ତି । ପରିଦର୍ଶକ ମୁହଁ ବୁଲାଇ ପଚାରିଲେ–‘କିଓ ମାଷ୍ଟ୍ରେ, ତୁମର ଏଠି ବର୍ଣ୍ଣବୋଧ ଚଳେ ନାହିଁ ?’ କଲଲ୍‍ ସ୍ଥିର ହୋଇ ଉତ୍ତର ଦେଲେ, ନା, ଚଳେ ନାହିଁ । ବର୍ଣ୍ଣବୋଧର ପାଠସବୁ ପିଲାଙ୍କୁ ମୁଁ ଗପଛଳରେ କହେ, ଆବୃତ୍ତି କରାଏ, କିନ୍ତୁ ବହି ପଢ଼ାଏ ନାହିଁ । ଏହାଦ୍ଵାରା ଭଲ ଫଳ ହେଉଛି । ପିଲାମାନେ ଖୁସି ହୋଇ ସବୁ ଶିଖୁଛନ୍ତି । ଆପଣ ତ ପରୀକ୍ଷା କରି ଦେଖିଲେ । ପରୀକ୍ଷକଙ୍କର ମନ ମାନିଲା ନାହିଁ । ଆଇନ୍‍ର ଦାନା ତ ଖାଉଛନ୍ତି । ନିମକହାରାମ ହେବେ କିପରି ? ସେ ଆସି ପ୍ରଧାନ ବିଶପଙ୍କୁ ଏହି କଥା ଅଭିଯୋଗ କଲେ । ତଲବ ପାଇ କଲଲ୍ ଯାଇ ଶିକ୍ଷାବିଭାଗର ସର୍ବାଧ୍ୟକ୍ଷଙ୍କ ଇଜିଲାସରେ ପହଞ୍ଚିଲେ । ହାକିମ ଭଲ ଲୋକ, ଥଣ୍ଡା ଲୋକ । ତେଣୁ କଅଁଳେଇ ପଚାରିଲେ “ଦେଖ ମାଷ୍ଟ୍ରେ, ତୁମେ ଜଣେ ଉତ୍ସାହୀ ଯୁବକ, ତୁମର ପଢ଼ାଇବାରେ ଦକ୍ଷତା ଅଛି, ତୁମର ନିଷ୍ଠାରେ ମୁଁ କୌଣସି ସନ୍ଦେହ କରୁନାହିଁ । ମୁଁ ବେଶ୍ ବୁଝୁଛି, ତୁମେ ବର୍ଣ୍ଣବୋଧ ବହିର ସାହାଯ୍ୟ ନ ନେଇ ପିଲାଙ୍କୁ ପାଠ ପଢ଼ାଇପାରିବ । କିନ୍ତୁ ଆମକୁ ତ ସାରା ଦେଶଦୃଷ୍ଟିରୁ ବିଚାର କରିବାକୁ ହେବ । ଦେଶର ସବୁ ଶିକ୍ଷକ କ’ଣ ଏକଥା କରିପାରିବେ ? ତେଣୁ ଗୋଟାଏ ସର୍ବସାମାନ୍ୟ ନିୟମ ମାନି ଚଳିବାକୁହିଁ ପଡ଼ିବ, ନହେଲେ ଦେଶର ଶିକ୍ଷାରେ ବିଭ୍ରାଟ ହୋଇଯିବ ।” କ୍ଷଣେ ନୀରବ ରହି କଲଲ୍ ଉତ୍ତର ଦେଲେ, “ଆଜ୍ଞା ଗୋଟାଏ ସହରରେ ଶହେଜଣ ମୋଚି ଅଛନ୍ତି । ସେମାନେ ସେତେ ଭଲ ଜୋତା ସିଲେଇ କରି ଜାଣି ନାହାନ୍ତି । ସେହି ସହରକୁ ଜଣେ ନୂଆ ମୋଚି ଆସି ପହଞ୍ଚିଲା, ସେ ସମସ୍ତଙ୍କଠାରୁ ଭଲ ଜୋତା ତିଆରି କଲା । ସହରରେ ଜୋତା ତିଆରି କରିବାର ଗୋଟେ ସର୍ବସାମାନ୍ୟ ମାନ ରଖିବାକୁ ହେବ । ଏଥିଲାଗି ଆମେ କ’ଣ ସେ ନୂଆ ମୋଚିକୁ ଖରାପ ଜୋତା ତିଆରି କରିବାକୁ ବାଧ୍ୟ କରିବା ?” ହାକିମ ନାହିଁ କଲେ । କଲଲ୍ ଅତି ବିନିୟ ସହକାରେ କହିଲେ “ତେବେ ଦେଶର ଜଣେ ଶିକ୍ଷକ ଅଧିକ ଉତ୍ସାହରେ ଓ ଅଧିକ ଦକ୍ଷତାର ସହିତ କାମ କରୁଛି ବୋଲି ଆପଣ ଯଦି ସ୍ଵୀକାର କରୁଛନ୍ତି, ତଥାପି ଗୋଟାଏ ସର୍ବସାମାନ୍ୟ ମାନ ରଖିବେ ବୋଲି କ’ଣ ଆପଣ ତାକୁ ତା’ର ନୂଆ ପଦ୍ଧତି ଛାଡ଼ି ପୁରୁଣା ପଦ୍ଧତିରେ ରହିବାକୁ ବାଧ୍ୟ କରିବେ ?” ହାକିମ ବୁଝିଲେ, ମାତ୍ର ଗ୍ରହଣ କଲେ ନାହିଁ । ସେ ବି ତ ଦାନାପାଣିର ଦାସ, କ୍ଷମତା ଓ ପୁରାତନ ସଂସ୍କାରର ଦାସ ! ତେଣୁ ନିୟମ ସଚ୍ଚା ରହିଲା, କଲଲ୍‍ଙ୍କୁ ବରଖାସ୍ତ କରି ଦିଆଗଲା ।

 

କଲଲ୍ ହାରିଗଲେ । କ୍ଷମତା ଓ ସଂସ୍କାର ଜିତିଲେ । କିନ୍ତୁ ଶହେବର୍ଷ ପରେ ଡେନମାର୍କରେ କଲଲ୍ ହିଁ ଜିତିଛନ୍ତି ବୋଲି କହିବାକୁ ହେବ । କଲଲ୍‍ଙ୍କ ସକାଶେ ସେହି ବିଶପଙ୍କ ପ୍ରସଙ୍ଗ ଲୋକମୁଖରେ ଏବେ ମଧ୍ୟ ରହିଛି । ଯୀଶୁଙ୍କ ଲାଗି କାରାବାସର ପ୍ରସଙ୍ଗ ଜୀଇ ରହିଗଲା ପରି । ଉତ୍ତର ଇଉରୋପର ଚାରୋଟି ଦେଶ–ଡେନମାର୍କ, ନରଓୟେ, ସୁଇଡ଼େନ୍ ଓ ଫିନଲାଣ୍ଡର ଶିକ୍ଷାବିଧାନ ପୃଥିବୀର ଅନ୍ୟାନ୍ୟ ଦେଶ ଅପେକ୍ଷା ଅଧିକ ସ୍ଵତନ୍ତ୍ର ଓ ଅଧିକ ଉଦାର । ଏଥିଲାଗି ଇତିହାସର ଯେଉଁମାନଙ୍କୁ ଗୌରବ ଦିଆଯିବ, ସେଥିରେ କଲଲଙ୍କ ନାମ ନିଶ୍ଚୟ ଆସିବ । ବ୍ୟକ୍ତିଗତ ଶିକ୍ଷା ପ୍ରୟୋଗରେ ଏତେ ଅଧିକ ସ୍ଵତନ୍ତ୍ରତା ତଥା ସରକାରୀ ଶିକ୍ଷାବିଧାନରେ ଏତେ ବେଶୀ ସହିଷ୍ଣୁତା ଓ ଉଦାରତା ବୋଧହୁଏ ପୃଥିବୀର ଆଉ କୌଣସି ଦେଶରେ ନାହିଁ । ସ୍ଵତନ୍ତ୍ର ପ୍ରୟୋଗ ଦ୍ଵାରା ଆପଣାର ନିଷ୍ଠା ଓ ଦକ୍ଷତାର ପରିପୂର୍ଣ୍ଣ ପ୍ରମାଣ ଦେଖାଇବା ଲାଗି ଶିକ୍ଷକ ପାଇଁ ଏପରି ଅନୁକୂଳ ବାତାବରଣ ପୃଥିବୀରେ ଆଉ କୋଉଠି ମିଳିବ କି ନାହିଁ ସନ୍ଦେହ । ସାରା ଇଉରୋଫ ଓ ଆମେରିକା ଆଜି ଭୟ-ପ୍ରପୀଡ଼ିତ ହୋଇ ପଡ଼ିଚି । ଏହି ପୀଡ଼ନର ଜ୍ଵାଳା ବିଭିନ୍ନ ଦେଶର ଶିକ୍ଷାକ୍ଷେତ୍ରରେ ହିଁ ସବୁଠାରୁ ଅଧିକ ଅନୁଭୂତ ହୋଇପାରିବ । ଆମେରିକା ଓ ଋଷିଆର ଶିକ୍ଷାକ୍ରମରେ ଧର୍ମ ଓ ଅଧର୍ମର ବିଚାରବିଡ଼ମ୍ବନା ପ୍ରବେଶ କରି ସାରିଲାଣି । ଗୋଟାଏ ଦେଶରେ ଡିମୋକ୍ରାସୀ ଓ ଆଉ ଗୋଟାଏ ଦେଶରେ କମ୍ୟୁନିଜିମକୁ ଧର୍ମ ବୋଲି ଧରି ନିଆଯାଇଚି । ଧର୍ମର ସ୍ତୁତିବାଦ ଚାଲିଚି, ଧର୍ମଦ୍ରୋହୀମାନଙ୍କର ଉଚ୍ଛେଦ ମଧ୍ୟ ନିଷ୍ଠାର ସହିତ ଚାଲିଚି । ପ୍ରଚାର କରିବାର ଉତ୍ତେଜନା ସମସ୍ତ ପ୍ରକାର ଶିକ୍ଷାକ୍ରମକୁ ଅଶୁଦ୍ଧ କରି ରଖିଚି । କିନ୍ତୁ ଉତ୍ତର ଇଉରୋପର ଉକ୍ତ ଚାରୋଟି ଦେଶରେ ଏ ବିକାର ଏପର୍ଯ୍ୟନ୍ତ ପଶି ନାହିଁ । ସେଠି ଶିକ୍ଷା ପ୍ରଧାନତଃ ବେସରକାରୀ ଭାବରେ ଚାଲୁଚି । ସରକାରଙ୍କର ଶିକ୍ଷାଦପ୍ତର ପ୍ରଧାନତଃ ସହଯୋଗୀ (co–ordinator)ର କାମ କରୁଚି । ସରକାର ତରଫରୁ ପ୍ରତ୍ୟେକଟି ଶିକ୍ଷା-ଅନୁଷ୍ଠାନକୁ ଯଥେଷ୍ଟ ଅର୍ଥସାହାଯ୍ୟ ମିଳୁଚି । ଶିକ୍ଷାବିଭାଗୀୟ କର୍ମଚାରୀମାନଙ୍କର କୌଣସି ପ୍ରକାର ହସ୍ତକ୍ଷେପ ବା ସ୍ଵାଧୀକାର-ପ୍ରମତ୍ତତା ସେସବୁ ଦେଶରେ ଶିକ୍ଷକର କାର୍ଯ୍ୟକୁ ବ୍ୟତିବ୍ୟସ୍ତ କରି ପାରୁନାହିଁ ।

 

ଡେନ୍‍ମାର୍କରେ ପ୍ରାୟ ତିନିଶହରୁ ଅଧିକ ଲୋକ-ବିଦ୍ୟାଳୟ (Folkehoejskole, ଇଂରାଜୀରେ ଯାହାର ଅନୁବାଦ People’s College ବୋଲି କରାଯାଉଛି) ଅଛି । ଏହା ଭିତରୁ କୌଣସିଟି ସରକାରୀ ନୁହେଁ । ଏହି ଗୋଷ୍ଠୀର ଦୁଇ ତିନୋଟି ବିଦ୍ୟାଳୟ ପଛରେ ପ୍ରାୟ ଶହେ ବର୍ଷର ଇତିହାସ ରହିଛି । ଡେନମାର୍କର ସାମାଜିକ ଓ ସାଂସ୍କୃତିକ ଜୀବନକୁ ବିକଶିତ ରୂପ ଦେବାରେ ଏହି ବିଦ୍ୟାଳୟଗୁଡ଼ିକର ଦାନକୁ କେହି ଅସ୍ଵୀକାର କରିପାରିବେ ନାହିଁ । ବର୍ତ୍ତମାନ ଦେଶର ଦୁଇତୃତୀୟାଂଶ ଯୁବକ କୌଣସି ନା କୌଣସି ଲୋକ-ବିଦ୍ୟାଳୟରେ ଶିକ୍ଷା ପାଇଛନ୍ତି । ଅଥଚ ଆରମ୍ଭ କାଳରୁ ହିଁ ପ୍ରତ୍ୟେକଟି ବିଦ୍ୟାଳୟ ସ୍ଵତନ୍ତ୍ର ଭାବରେ ଆପଣାର ମାର୍ଗ ନିୟନ୍ତ୍ରଣ କରିଆସିଛି । ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷାମାନଙ୍କର ଦୃଷ୍ଟିକୋଣ ପ୍ରତ୍ୟେକଟି ବିଦ୍ୟାଳୟକୁ ସ୍ଵତନ୍ତ୍ର ରୂପ ଦେଇଚି । ସେମାନଙ୍କ ଉପରେ କୌଣସି ପ୍ରକାର ଛାଞ୍ଚକୁ ଗ୍ରହଣ କରିବାର ଅତ୍ୟାଚାର କରାଯାଇ ନାହିଁ । ବାହାରେ ନାଆଁ ଏକ ହେଲେ ମଧ୍ୟ ଡେନମାର୍କରେ ଏପରି ଦୁଇଟି ଲୋକ-ବିଦ୍ୟାଳୟ ନାହିଁ, ଯେଉଁମାନେ କି ଶିକ୍ଷାକ୍ରମ, ଦିନଚର୍ଯ୍ୟାପଦ୍ଧତି ଓ ଶିକ୍ଷଣ ପ୍ରଣାଳୀରେ ପରସ୍ପର ସହିତ ଏକାବେଳେକେ ମିଳିଯିବେ । ଗୋଟିଏ ବିଦ୍ୟାଳୟରୁ ଆଉ ଗୋଟିଏ ବିଦ୍ୟାଳୟକୁ ଗଲେ ଦୁଇଟିର ସ୍ଵକୀୟ ସ୍ଵତନ୍ତ୍ରତା ଯେକୌଣସି ବ୍ୟକ୍ତି ପକ୍ଷରେ ସ୍ପଷ୍ଟ ଅନୁଭୂତ ହେବ । ଦେଶର ସରକାର ପ୍ରତ୍ୟେକଟି ବିଦ୍ୟାଳୟକୁ ସାହାଯ୍ୟ ଦେଉଛି । ଏପରି ଗୋଟିଏ ସାଧାରଣ ନିୟମ ହୋଇଯାଇଛି ଯେ, ଯେଉଁ ଅଧ୍ୟକ୍ଷ ଅନ୍ୟୁନ କୋଡ଼ିଏ ଜଣ ବାଳକ-ବାଳିକାଙ୍କୁ ନେଇ ଗୋଟିଏ ଲୋକ-ବିଦ୍ୟାଳୟ ଆରମ୍ଭ କରିପାରିବେ, ତାଙ୍କର ମତବାଦ ବା ଆଦର୍ଶ ଯାହା ହେଉ ପଛକେ, ସରକାର ତାଙ୍କୁ ଆର୍ଥିକ ସାହାଯ୍ୟ ନିଶ୍ଚୟ ଦେବ । ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟବୃତ୍ତି ମଧ୍ୟ ଦେବ । ଏବେ ମଧ୍ୟ ନୂତନ ଆଦର୍ଶ ଓ ନୂତନ ଯୁଗୋପଯୋଗୀ ଦୃଷ୍ଟିକୋଣ ନେଇ ନୂଆ ନୂଆ ଲୋକ-ବିଦ୍ୟାଳୟ ଖୋଲୁଛି ଓ ସେଥିରେ କୋଡ଼ିଏ ଜଣ ଶିକ୍ଷାର୍ଥୀ ଯୋଗଦେଲେ, ତାହା ସରକାରଙ୍କଠାରୁ ସାହାଯ୍ୟ ପାଉଛି । ଏହି ସ୍ଵତନ୍ତ୍ର ଶିକ୍ଷାପ୍ରଣାଳୀ କ୍ରମବିକଶିତ ହୋଇ ଚାଲିଚି, କାରଣ ସ୍ଵତନ୍ତ୍ର ପ୍ରୟୋଗ ଲାଗି ଏଥିରେ ପ୍ରଶସ୍ତ ସୁଯୋଗ ଦିଆଯାଉଚି । କୌଣସି ପାଶ୍ ଫେଲ୍ କରିବା ପରୀକ୍ଷା ନାହିଁ ବା କୌଣସି ଛାଞ୍ଚରେ ପକାଇ ଦେବାର ଅସ୍ଥିରତା ନାହିଁ । ସରକାରୀ ନିୟନ୍ତ୍ରଣ ଭିତରେ ଥିଲେ ଏହାର ଏ ଅଦଭୂତ ବିକାଶ ଓ ବିବର୍ତ୍ତନ ହୋଇପାରିନଥାନ୍ତା ।

 

ଫିନ୍‍ଲାଣ୍ଡ୍ ଦେଶ ଏଥିରେ ସବୁଠାରୁ ଆଗକୁ ବଳିଯାଇଚି । ଏହାର ସୀମା ଋଷିଆକୁ ଲାଗିଚି । ଗତ ମହାଯୁଦ୍ଧରେ ଫିନଲାଣ୍ଡ ରୁଷିଆଠାରୁ ଅନେକ ଯାତନା ସହିଚି । ଆମେରିକା ଋଷିଆଠାରୁ ହଜାର ହଜାର ମାଇଲ ଦୂରରେ ରହି ମଧ୍ୟ ଋଷିଆକୁ ଏତେ ଡରୁଚି । ରୁଷିଆ ମଧ୍ୟ ଆମେରିକାକୁ ଏତେ ଡରୁଚି । ଫିନଲାଣ୍ଡ ସେହି ବାଟ ଧରିଥିଲେ, ତାକୁ କେତେ ଡରିବାକୁ ପଡ଼ିଥାନ୍ତା କେଜାଣି ? ଫିନଲାଣ୍ଡ ଦେଶରେ କମ୍ୟୁନିଷ୍ଟ ପାର୍ଟି ଅଛି ଏବଂ ସେହି ପାର୍ଟି ତରଫରୁ ଗୋଟିଏ ଲୋକ-ବିଦ୍ୟାଳୟ ମଧ୍ୟ ରହିଚି । ପ୍ରତ୍ୟେକ ବର୍ଷ ବାଳକ ବାଳିକାମାନେ ଇଚ୍ଛା କଲେ ସେ ଅନୁଷ୍ଠାନର ଛାତ୍ର ହୋଇ ଆସୁଛନ୍ତି । ନିୟମ ଅନୁସାରେ ଫିନଲାଣ୍ଡର ସରକାର ଏହି କମ୍ୟୁନିଷ୍ଟ ଲୋକ-ବିଦ୍ୟାଳୟକୁ ଆବଶ୍ୟକ ସାହାଯ୍ୟ ଦେଉଚି । ନାନା ସଂଘର୍ଷ ଓ ସବିବାଦରେ ବିପିନ୍ନ ହୋଇଥିବା ଆଜିକାର ପୃଥିବୀରେ ଫିନଲାଣ୍ଡର ଦୃଷ୍ଟାନ୍ତ ଅନନ୍ୟସାଧାରଣ ହୋଇ ରହିବ । ଆମ ଦେଶର ସରକାର ଓ ହାକିମମାନେ, ଯେଉଁମାନଙ୍କ ଭିତରେ ଅପର ପଥ ବା ପ୍ରଣାଳୀର ଭୟ (Xenophobia) ଏତେ ବେଶୀ ରହିଚି, ସେମାନଙ୍କର ଫିନଲାଣ୍ଡର ଶିକ୍ଷା-ବ୍ୟବସ୍ଥାରୁ ଅନେକ ଶିଖିବାର ରହିଚି ।

 

Unknown

–ଏକୋଇଶି–

 

କାଲି ଆମ ଦେଶର ଶିକ୍ଷାବ୍ୟବସ୍ଥା ଓ ସରକାରୀ କାଳ କଥା କହୁ କହୁ ଡେନମାର୍କ, ଫିନଲାଣ୍ଡ ପ୍ରଭୃତି କେତେ ଦେଶର କଥା ପଡ଼ିଗଲା । ସେସବୁ କଥାର ସାର ହେଉଛି, ଶିକ୍ଷାକୁ ଏତେ କେନ୍ଦ୍ରିତ କରି ରଖିବା ଉଚିତ ନୁହେଁ । ଗୋଟାଏ ଦପ୍ତର ବା ଜଣେ ହାକିମଙ୍କର ଖିଆଲ ଉପରେ ଶିକ୍ଷାର ସର୍ବାଧିକାର ସମର୍ପି ଦେଲେ ତାହାଦ୍ୱାରା ଘୋର କ୍ଷତି ହେବ ଓ ବର୍ତ୍ତମାନ ମଧ୍ୟ ହେଉଛି । ଉପରବାଲାଙ୍କର ଖିଆଲ ଏବଂ ଅହଙ୍କାରକୁ କୌଣସି ପ୍ରକାର ନିୟନ୍ତ୍ରଣର ପାଉନାହିଁ । ସେହିମାନଙ୍କ କଲମ ଅଗରେ ସବୁ ରହିଛି । ପିଲାଙ୍କୁ ମଣିଷ କରିବାର ଦାୟିତ୍ଵ ଯାହାର ଅଛି, ସିଏ ସାତ ଚାକରରୁ ଆହୁରି ହୀନ ହୋଇ ପଡ଼ିଚି । ହାକିମମାନଙ୍କର ମଟର ଅଛି, ପୋଷାକ ଅଛି, ବଙ୍ଗଳା ଅଛି, କଥାର ଚଟକଣା ମାରିବାକୁ ଇଂରାଜୀ ଭାଷା ମଧ୍ୟ ରହିଛି । ଶିକ୍ଷକର କ’ଣ ଅଛି ? ସ୍ଵାଧୀନ ଭାରତରେ ଜଣେ ଶିକ୍ଷାସେବକ ହିସାବରେ ଯେତିକି ମୂଲ (ବେତନ) ସେ ପାଏ, ସେଥିରେ ସେ ଆପଣା ପରିବାରର ସାଧାରଣ ଭରଣପୋଷଣ ମଧ୍ୟ କରିପାରେ ନାହିଁ । ଯେଉଁ କେତୋଟି ମୁଦ୍ରା ସେ ସରକାରଙ୍କଠାରୁ ପାଏ, ତାକୁ ସେ ଆପଣା ସେବାର ନ୍ୟାୟସଙ୍ଗତ ପ୍ରାପ୍ୟ ବୋଲି ଯେତେ ମନେ ନ କରେ, ହାକିମ ବା ଭଗବାନଙ୍କର ଅନୁଗ୍ରହ ବୋଲି ତା’ଠାରୁ ବେଶୀ ମନେକରେ । ଦରମାଗଣ୍ଡାକ ଲାଗି ତାକୁ ବାର ବାର ହାକିମଙ୍କ ଅଫିସକୁ ଯିବାକୁ ହୁଏ । ବର୍ଷସାରା ହାକିମଙ୍କଠାରୁ ଯେତେ ହୁକୁମନାମା ତାଁ ନାଆଁରେ ଆସେ, ସବୁଟିକୁ ସେ ହାସଲ କରିବାରେ ଗଜଦଘର୍ମ ହୋଇଯାଏ । ସେଥିରେ ପୁଣି ଆପଣାର ବୁଦ୍ଧି ଖରଚ କଲେ ବା ବିବେକ ଲଗାଇଲେ କାମ ଚଳିବ ନାହିଁ । ସରକାରଙ୍କର ବରାଦ ଅନୁସାରେ ଓ ନିୟମ ଅନୁସାରେ ତାକୁ ସବୁ ବିବରଣୀ ପଠାଇବାକୁ ହେବ, ହିସାବ ଦେବାକୁ ହେବ । ମିଛ ହେଉ, ସତ ହେଉ, ଛାପା କାଗଜର ଖାଲି ଖନ୍ଦାମାନ ଭରିବାକୁ ଫର୍ମାସ୍ ମତେ ଯେତେ ଯାହା ଦରକାର, ସେତକ ତାକୁ ପୂର୍ଣ୍ଣ କରି ଦେବାକୁ ହେବ । ଟିକିଏ ବ୍ୟତିକ୍ରମ ଘଟିଲେ ସବୁ ବିଭ୍ରାଟ ହୋଇଯିବ । ଆମ ଦେଶର ସବୁ ଶିକ୍ଷକ ଏକଥା ଅଙ୍ଗେ ନିଭାଉଛନ୍ତି । ଏହିସବୁ ଫରମାସ ପୂରଣ କରିବା ଆଗକଥା, ତା’ପରେ ପିଲାଙ୍କ କଥା ବିଚାର କରାଯାଇପାରେ । ନିଜର ବିବେକ ଯେତେ ମନାକଲେ ମଧ୍ୟ ବାହାର ସଂସାରରେ ଆପଣାର ଗୋଡ଼ ଲାଗି ଠାବ ଖଣ୍ଡେ ଖଣ୍ଡେ ଟାଣ କରିବାକୁ ଆମ ଦେଶର ପ୍ରତ୍ୟେକ ଶିକ୍ଷକ ଏହାହିଁ କରିବାକୁ ବାଧ୍ୟ ହେଉଚି ।

 

ଆମ ପିଲାଦିନେ ମଝିରେ ମଝିରେ ପାଠଶାଳାକୁ ବାବୁ ଆସୁଥିଲେ । ଅଜା ଆଇଙ୍କଠାରୁ ଭୂତଗପ ଶୁଣିବା ପରେ ଭୂତପ୍ରେତକୁ ପିଲାଏ ଯିମିତି ଡରନ୍ତି, ବାବୁ ଆସିବାର ପନ୍ଦରଦିନ ଆଗରୁ ଗାଆଁ ମାଷ୍ଟ୍ରେ ସେମିତି ଡରନ୍ତି । କାଗଜପତ୍ର ଠିକ୍ ରହୁଥିଲା । ଚାଳର ଅଳନ୍ଧୁଠାରୁ ଆଲମୀରା ତଳର ମୂଷାଗାଡ଼ଯାଏ ସବୁ ପରିଷ୍କାର କରାଯାଉଥିଲା । ଶିକ୍ଷା-ସରଞ୍ଜାମ ସଜା ହୋଇ ରହୁଥିଲା । କାନ୍ଥରେ ନୂଆ ନୂଆ ନୀତିବାକ୍ୟମାନ ନାନା ଛଟାରେ ଲେଖା ହୋଇ ଟଙ୍ଗାଇ ଦିଆଯାଉଥିଲା । ବାବୁ ଆସିବା ଦିନ ଆମେ ସମସ୍ତେ ସଫା ଲୁଗା ପିନ୍ଧି ଆସୁଥିଲେ । କମିଜ ପିନ୍ଧି ବା ଚଦର ଘୋଡ଼ି ହୋଇ ଆସୁଥିଲେ । ବାବୁଙ୍କ ଲାଗି ମାଛପୋଖରୀ ଗୋଳା ହେଉଥିଲା, କଦଳୀ ବା ଆଳୁର ସନ୍ଧାନ ନିଆଯାଉଥିଲା । ବର୍ତ୍ତମାନ ସ୍ଵାଧୀନ ଭାରତର ସ୍କୁଲରେ ଏପରି କରିବା ବାହାରକୁ ସୁନ୍ଦର ଦେଖାଯାଇ ନ ପାରେ । ତଥାପି ବର୍ଷବର୍ଷର ସଂସ୍କାର ଏତେ ଶୀଘ୍ର ଛାଡ଼ି ପାରୁନାହିଁ । ତେଣୁ ଆଜି ମଧ୍ୟ ଉପର ହାକିମ ଓ ଅଳ୍ପ ଦରମା ପାଉଥିବା ମାଷ୍ଟର ଭିତରେ ଦାନାପାଣି ଦିଆ ଓ ଦାନାପାଣି ନିଆର ସମ୍ପର୍କ ରହିଛି । ଆମ ଦେଶର ପାଠଶାଳା ସବୁ ଜେଲଖାନା ପରି ହୋଇଚି । ଆମେ ଜେଲରେ ଥିବାବେଳେ ଆମକୁ ସାଧାରଣତଃ ସାରୁ ଆଉ ଶାଗର ଘାଣ୍ଟ ଦିଆଯାଉଥିଲା । କିନ୍ତୁ ଯେଉଁଦିନ ଉପରର କୌଣସି ହାକିମ ଜେଲ ପରିଦର୍ଶନ ଲାଗି ଆସୁଥିଲେ, ସେଦିନ କୋବି ତରକାରୀରେ ହଣ୍ଡା ପୂରି ଯାଉଥିଲା, ଉଦାର ବି ତୃପ୍ତି ହୋଇଯାଉଥିଲା । ଠିକ୍ ଯେମିତି ଆମ ଦେଶର ପାଠଶାଳା ପାଠ ପଢ଼ୁଥିବା ପିଲାଙ୍କ ଲାଗି ଯେତେ ରହିନାହିଁ, ଉପର ହାକିମଙ୍କର ବରାଦ ଅନୁସାରେ ସାଜିବାକୁ ଓ ଅଭିନୟ କରିବାକୁ ତା’ଠାରୁ ଅଧିକ ରହିଚି । ଏହାହିଁ ସବୁ ହୀନ ଦଶାର ମୂଳମଞ୍ଜି ହୋଇଚି ।

 

ଯିଏ ନିର୍ଭୀକ, କେବଳ ସେଇ ନିର୍ଭୀକ ହେବାର ଶିକ୍ଷା ଦେଇପାରିବ । ମଣିଷ ସୁଲଭ ସ୍ଵାଧୀନ ଚିନ୍ତା ଯାହାର ଅଛି, ସେଇ କେବଳ ଅପରର ସ୍ଵାଧୀନ ଓ ସୁସ୍ଥ ବିକାଶରେ ସହାୟତା କରିପାରିବ । ଯିଏ ଯଥାର୍ଥ ସମ୍ମାନ ପାଉଚି, କେବଳ ସେଇ ଯଥାର୍ଥ ସମ୍ମାନ ଦେଇପାରିବ । ଆମ ଦେଶର ଶିକ୍ଷକ ଆଜି ଆଦୌ ନିର୍ଭୟ ନୁହେଁ । ତା’ର ସ୍ଵାଧୀନ ଚିନ୍ତା ଓ ବିବେକକୁ ନାନାପ୍ରକାର ଅଙ୍କୁଶ ଦ୍ଵାରା ମାରିଦିଆଯାଉଚି ତା’ର ସମ୍ମାନକୁ ନାନାପ୍ରକାର ତାଡ଼ନା ଦ୍ଵାରା କ୍ଷୁର୍ଣ୍ଣ କରିଦିଆଯାଉଚି-। ସେ ଶିକ୍ଷାକଳରେ କେବଳ ଜଣେ ଠିକା ମଜୁରିଆ ହୋଇ ରହିଚି । ଏସବୁ ହେଉଚି, କାରଣ ଶିକ୍ଷାକୁ ଅତି ହୀନ ଓ ନିର୍ମମ ଭାବରେ କେନ୍ଦ୍ରୀକୃତ କରି ରଖାଯାଉଚି । ଜଣେ ବା କେତେଜଣ ବଡ଼ ହାକିମ ଆଜି ସମସ୍ତଙ୍କ ପାଇଁ ଭାବୁଛନ୍ତି, ମୋଟା ଦରମା ଓ ମୋଟା ମିଜାଜର ଚିନ୍ତାହୀନତା ଭିତରେ ଲାଳିତ ହୋଇ ସେମାନଙ୍କର ବୁଦ୍ଧି ମଧ୍ୟ କ୍ରମେ ମୋଟା ହୋଇଯାଉଚି । ହୃଦୟ ବା ବିବେକର ଦାବୀ ପୂରଣ କରିବାକୁ, ଏପରିକି ତେଣିକି କାନ ଦେବାକୁ ସମୟ ହିଁ ପାଉନାହାନ୍ତି । ଶିକ୍ଷା-ଦର୍ଶନ ଓ ଶିକ୍ଷା-ପ୍ରଣାଳୀରେ ପୃଥିବୀର ନାନା ଦେଶରେ ଯେଉଁସବୁ ନୂଆ ପ୍ରଯୋଗମାନ ହେଉଚି, ସେଆଡ଼କୁ ଧ୍ୟାନ ଦେବାଲାଗି ଏମାନଙ୍କର ଫୁରସତ୍ ନାହିଁ । ଆପଣା ସ୍ଥାନ ଓ ବେତନର Prestige ଏମାନଙ୍କ ତାଳୁ କାମୁଡ଼ି ଧରିଚି । ଦେଶର ବା ମଣିଷର ଯୁଗୋପଯୋଗୀ ଆବଶ୍ୟକତାମାନ ବୁଝି ସେହି ଅନୁସାରେ କାର୍ଯ୍ୟତତ୍ପର ହେବାର ବଳ ଏମାନଙ୍କର ନାହିଁ-। ଏକ ନିରଙ୍କୁଶ ଉଦାସୀନତା ଏମାନଙ୍କୁ ଗିଳି ପକାଇଛି । ଶିକ୍ଷାର ପବିତ୍ର କ୍ଷେତ୍ରରେ ହାକିକ ପ୍ରଧାନତଃ ଏକ Boss ହୋଇ ରହିଚି । ଶିକ୍ଷାଦାନର କ୍ଷେତ୍ରରେ ସେ ଜମିଦାରୀ ସିରସ୍ତାର ଗୁମାସ୍ତା-ମନ ଓ ଚୋର ଧରିବାର ହାତକଡ଼ି ନେଇ ବୁଲୁଛି ।

 

କୌଣସି ଗଣତନ୍ତ୍ର-ଶାସନରେ ଏକଥା ହୁଅନ୍ତା ନାହିଁ, କୌଣସି ସୁସ୍ଥ ଓ ବଳିଷ୍ଠ ସମାଜ ଏସବୁ ସହି ରହିଯାଆନ୍ତା ନାହିଁ । ଲୋକକଲ୍ୟାଣକୁ ଆପଣାର ଧ୍ୟେୟ ରଖି କାମ କରୁଥିବା ଆମର ରାଷ୍ଟ୍ରରେ ଏ ମାରାତ୍ମକ ମୋଗଲ-ଶିବିରର ଉପଦ୍ରବ ଦେଖିଲେ ଅନେକ ସମୟରେ ମନ ବିଦ୍ରୋହୀ ହୋଇଉଠେ । ଏସବୁର ପରିବର୍ତ୍ତନ ଅବଶ୍ୟ କରିବାକୁ ହେବ । ଏପରି ବ୍ୟବସ୍ଥା ବେଶୀଦିନ ଚାଲି ପାରିବନାହିଁ । Prestige ଆଉ ଭୟର ଦୌରାତ୍ମ୍ୟରେ ଏ ଦେଶର ପ୍ରାଣଶକ୍ତି ନଷ୍ଟ ଓ ମ୍ୟୂହମାନ ହୋଇଯାଉ, ଭଗବାନ ଏହାକୁ ଘଟାବାକୁ ନ ଦିଅନ୍ତୁ । ଗାଆଁର ଛୋଟିଆ ମାଷ୍ଟର କଲଲ୍ (Kold) ଦିନେ କ୍ଷମତା ପାଖରେ ହାରିଗଲେ ସତ, କିନ୍ତୁ କେତେବର୍ଷ ପରେ ଚକ ଓଲଟି ଗଲା,ସାରା ଦେଶର ଶିକ୍ଷା ବଦଳିଲା, କଲଲଙ୍କର ଜିଦ୍ ରହିଲା । ଛୋଟିଆ ଦେଶ ଡେନମାର୍କ, ଆମ ଓଡ଼ିଶାର ଦୁଇଟା ଜିଲ୍ଲାର ଆୟତନକୁ ମଧ୍ୟ ସରି ହେବନାହିଁ । ତଥାପି ସେଠି ସବୁ ସ୍କୁଲ ଗୋଟିଏ ଛାଞ୍ଚରେ ତିଆରି ହୋଇନାହିଁ, ସବୁ ସ୍କୁଲରେ ଗୋଟିଏ ପ୍ରକାର ପାଠପଢ଼ା ହେଉନାହିଁ । ସ୍ଥାନୀୟ ଓ ସଂସ୍କୃତିଗତ ଆବଶ୍ୟକତା ଅନୁସାରେ ସେଠି ନାନା ପ୍ରକାର ଓ ନାନା ଗଢ଼ଣର ସ୍କୁଲ ଅଛି । ନାନା ଢଙ୍ଗରେ ପାଠପଢ଼ା ଚାଲିଚି । ଶିକ୍ଷକ ଗୋଷ୍ଠୀ ଓ ଅଭିଭାବକ ଗୋଷ୍ଠୀ ଏକାଠି ବସି ଯାହା ଠିକ୍ କରୁଛନ୍ତି, ତାହାହିଁ ସରକାରଙ୍କର ଅନୁମୋଦନ ପାଉଚି ଓ ତାହାହିଁ କାର୍ଯ୍ୟକାରୀ ହେଉଚି । ସ୍ଥାନୀୟ ଆବଶ୍ୟକତା ଓ ପିଲାଙ୍କର ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ସ୍କୁଲଘର ଭିତରେ ବସି ସେମାନେ ଯାହା ନିୟମ ଗଢ଼ୁଛନ୍ତି, ସେହିସବୁ ହିଁ ସ୍କୁଲର ନିୟମ ହୋଇ ରହୁଚି । ଆହୁରି ଅନେକ ବର୍ଷ ଲାଗି ଆମ ଆଖିରେ ଶିକ୍ଷାବ୍ୟବସ୍ଥାର ଏହି ଉଦାର ବିକେନ୍ଦ୍ରୀକରଣ ନୀତି ହୁଏତ ଈର୍ଷାର କଥା ହୋଇ ରହିବ । ସେଠି ଅଭିଭାବକ ଓ ଶିକ୍ଷକମାନେ ଠିକ୍ କଲେ, ପିଲାଏ କେବଳ ଶୀତଦିନରେ ପାଠ ପଢ଼ିବେ, ଖରାଦିନେ ବାପାମାଆଙ୍କ ସହିତ କ୍ଷେତର କାମ କରିବେ, ତାହାହିଁ ବିଦ୍ୟାଳୟର ଆଚରିତ ନିୟମ ହୋଇଯାଉଚି । କୋଉଠି ସପ୍ତାହରେ ତିନିଦିନ ଛୁଟି, ତିନିଦିନ ପାଠ । କୋଉଠି ତିନିଟା ବିଦେଶୀ ଭାଷା ଶିଖିବା ବାଧ୍ୟତାମୂଳକ, କୋଉଠି ବିଦେଶୀ ଭାଷାକୁ ବୋଝ ପରି ମନେ କରି ପାଠ୍ୟକ୍ରମରୁ ବହିଷ୍କୃତ କରି ଦିଆଯାଇଛି । ପଶ୍ଚିମ ଡେନମାର୍କର (Vestjylland) ଚାଷୀମାନଙ୍କର ଜିଦ୍ ଯେ ପିଲାଏ ସାତଦିନ ଯାକ ପାଠ ପଢ଼ିବାକୁ ଗଲେ ଘରେ ଘରେ ଗୋରୁ ଜଗିବ କିଏ, ଚାଷବାସରେ ବାପା ମାଆଙ୍କୁ ସାହାଯ୍ୟ କରିବ କିଏ । ସେଥିଲାଗି ଏପର୍ଯ୍ୟନ୍ତ ମଧ୍ୟ ସେଠି ସପ୍ତାହରେ ଦୁଇ ତିନିଦିନିଆ ପାଠଶାଳା ଚାଲିଛି, ଖରାଦିନେ ମୋଟେ ପାଠପଢ଼ା ନାହିଁ । ମାଷ୍ଟର ମଧ୍ୟ ଅମଳ କରିବାକୁ ତାଙ୍କ ଘରକୁ ଚାଲି ଯାଉଛନ୍ତି । ଆଗୁଆ ଇଉରୋପର ଗୋଟାଏ ଦେଶରେ ଏପରି ବ୍ୟତିକ୍ରମମାନ ଅଛି ବୋଲି ଶୁଣିଲେ ହୁଏତ ଆମର ବିଶ୍ଵାସ ହେଉ ନଥିବ । ଆମ ଦେଶରେ ଦିଲ୍ଲୀ ବା ଭୁବନେଶ୍ୱରରେ ବସି ଯେଉଁମାନେ ସାରା ଦେଶର ପିଲାଙ୍କ ଲାଗି ଓ ପାଠଶାଳା ଲାଗି ପିଲା ତିଆରି କରୁଛନ୍ତି, ସେମାନଙ୍କୁ ଏ ନୂଆ କଥା ବଡ଼ ଅଡ଼ୁଆ ଲାଗୁଥିବ । ଏ ଦେଶର ଆଦିବାସୀ ପିଲାଙ୍କୁ ମଧ୍ୟ ସାତଦିନିଆ ଖୁନ୍ଦାଖୁନ୍ଦି ହୋଇଥିବା ଯୋଜନାର ଅନ୍ଧକୂପ ଭିତରେ ପାଠର ଥୋପ ଦେଖାଇ ପକାଇ ଦିଆଯାଉଛି । ବାପ ମାଆ ସଂସ୍କୃତି ଭିତରୁ ପିଲାଙ୍କୁ ଜୋର କରି ଛଡ଼ାଇ ଆଣିବା ହେଉଚି ଏ ପାଠ-ବ୍ୟବସ୍ଥାର ପ୍ରଧାନ ମତଲବ । ସମସ୍ତଙ୍କୁ ପାଠ ଯୋଗାଇବାର ଘୋଡ଼ା-ଦୌଡ଼ରେ ସଂସ୍କୃତି ଓ ସ୍ଵତନ୍ତ୍ର ଆବଶ୍ୟକତା ଗୁଡ଼ିକର ସ୍ଥିର ବିଚାର କିପରି ହୋଇପାରିବ ?

 

ବରଷାର ପବନ ଭାରି ଜୋର ପିଟୁଛି । ଜଙ୍ଗଲ ଭିତରେ ଏ ନିବୁଜ ଆଶ୍ରୟରେ ରହି ମଧ୍ୟ ଘରର ଛାତ ଉଠୁଛି ପଡ଼ୁଛି । ବହୁ ଦିନରୁ ଜମା ହୋଇଥିବା କେତେ ପାଚିଲା ପତର ପବନ ସାଥିରେ ଉଡ଼ି ଯାଉଚି । କୋଉଠି ନୂତନ ଜୀବନ ଲାଗି ଭୂଇଁ ତିଆରି କରିବାକୁ ସେ କେତେ ଖାଲ ପୂର୍ଣ୍ଣ କରି ଦେଉଥିବ । ଖରାଦିନର କେତେ ମଞ୍ଜି ଏହି ପବନ ସହିତ ବିଶ୍ଵମୁଖ ହୋଇ ଛୁଟିଥିବେ । ବାହାରକୁ ଯାହା ପ୍ରଳୟ ପରି ପ୍ରତୀତ ହେଉଚି, ତାହାରି ଭିତରେ ନୂତନ ସୃଷ୍ଟିର ବୀଜବପନ ଚାଲିଚି-। ଅକ୍ଷୟ ଜୀବନର ଲୀଳା ନାନା ପ୍ରଚ୍ଛନ୍ନ ଅଥଚ ଚିରାଚରିତ ଭାବେ ଲାଗି ରହିଛି । ମନ ଭିତରେ ନାନା ଆଶାର ନାନା ବୀଜରେ ଅଙ୍କୁର ଲାଗିଲା ପରି ମନେ ହେଉଚି । ଆମ ସମାଜର ଶିକ୍ଷାରେ ଆଜି ଯେଉଁ ସର୍ବନାଶର ସୁଅ ଚାଲିଚି, ତାହାରି ତଳେ ହୁଏତ ପୁନରୁଜ୍ଜୀବନର କୁହୁକକାଠି କାମ କରି ଚାଲିଛି । ଦିନେ ଏ ପୁରୁଣା ସବୁ ଭାଙ୍ଗି ପଡ଼ିବ । ଅହଙ୍କାର-ନିର୍ବାସିତ ହାକିମର ମନୋଦାରିଦ୍ର୍ୟ, ଜୀବନର ଜଞ୍ଜାଳଚକରେ ପଡ଼ି ଆପଣାର ପରିଚୟ ହରାଇ ଦେଇଥିବା ଶିକ୍ଷକର ଭୟ, ପାଠଶାଳାର ଦୀନହୀନ ଶରୀର, ପିଲାଙ୍କର ଦୁର୍ଗତି–ଏସବୁ କିଛି ରହିବ ନାହିଁ । ପାଠକ୍ଷେତ୍ରରେ ଗଣତନ୍ତ୍ର ଆସିଲେ ଯେ ଦେଶର ବୃହତ୍ତମ କ୍ଷେତ୍ରରେ ଯଥାର୍ଥ ଗଣତନ୍ତ୍ର ସମ୍ଭବ ହୋଇ ପାରିବ, ମଣିଷ ହେବାର ନିର୍ଭୀକ ଶିକ୍ଷା ଆମ ଦେଶର ପ୍ରତ୍ୟେକ ପିଲା ପାଇ ପାରିଲେ ଯେ ଏ ଦେଶର ଜୀବନରେ ମଣିଷ-ଯୋଗ୍ୟ ପ୍ରଭାସ୍ଵରତା ପୁଣି ଫେରି ଆସିବ, କ୍ରମେ ଆମେ ସମସ୍ତେ ଏ କଥା ନିଶ୍ଚୟ ବୁଝିବା । ସେଥିଲାଗି ଯିଏ ଯେଉଁଠି ଯେତେ କ୍ଷୀଣ ଉଦ୍ୟମ ମଧ୍ୟ କରୁଚି, ସେ ଦିନ ତାହାରି ଉଦ୍ୟମ ସାର୍ଥକ ହେବ । ଏ ଦେଶର ପିଲାଏ ଖୁସି ହୋଇ ଜୀବନ ଗଢ଼ନ୍ତୁ, ନିର୍ଭୀକ ହୁଅନ୍ତି, ଚରିତ୍ରବାନ ହୁଅନ୍ତୁ, ନମ୍ର ହୁଅନ୍ତୁ, ଏହାହିଁ ଆମେ ସମସ୍ତେ ଚାହୁ । ଅନେକ ବର୍ଷର ଅସାମାଜିକତା ଭିତରେ ଆତ୍ମବିସ୍ମୃତ ହୋଇ ଆମେ ଶିକ୍ଷା-କ୍ଷେତ୍ରକୁ କଳୁଷିତ କରି ଦେଇଚୁ, ବିକାକିଣାର ହାଟ କରି ପକାଇଚୁ, ପିଲାଙ୍କ ଜୀବନ ନେଇ ଖେଳିବାରେ ଆମେ ବେଶ ସୁଆଦ ପାଇଚୁ । କିନ୍ତୁ ଆମର ଜିଦ୍ ଅଚିରେ ଭାଙ୍ଗିଯିବ, ମୋହ ଛୁଟିଯିବ । ଆମର ବି ଦିନେ ରାତି ପାହିବ ।

 

–ବାଇଶି–

 

ସରକାର ଆପଣା ହାତରେ ସବୁ ଆବୋରି ବସିଲେ ଆମ ଦେଶର ଶିକ୍ଷାରେ ଆବଶ୍ୟକ ସଂସ୍କାର ହୋଇ ପାରିବ ନାହିଁ । ବର୍ତ୍ତମାନ ଅନେକ ବର୍ଷ ପର୍ଯ୍ୟନ୍ତ ସରକାର ଅର୍ଥ କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳ ବା ନିର୍ଦ୍ଦିଷ୍ଟ ରାଜନୀତିକ ଦର୍ଶନକୁ ବୁଝାଇବ ନାହିଁ । ଏ ଦେଶରେ ସରକାରର ଅର୍ଥ ସରକାରର କଳ ଚଳାଉଥିବା ବଡ଼ ବଡ଼ ହାକିମଙ୍କୁ ବୁଝାଇବ । ଏହି ହାକିମ ମାନେ ଏକ ଅଦ୍ଭୁତ ପରମ୍ପରାରେ ମଣିଷ ହୋଇଛନ୍ତି । ବ୍ରିଟିଶ୍ ଅମଳରୁ ଏମାନେ ପ୍ରଧାନତଃ Career ବା ଜୀବିକାନିର୍ମାଣର ଶ୍ରମକୁ ଜୀବନର ପ୍ରଧାନତମ ସାଧନା ବୋଲି ଗ୍ରହଣ କରିଚନ୍ତି । ବର୍ତ୍ତମାନ ମଧ୍ୟ ସେହି ଜୀବିକାଗତ ଦୃଷ୍ଟି ସେମାନଙ୍କର ଅନ୍ୟ ସକଳ ଦୃଷ୍ଟିକୁ ଅପିହିତ କରି ରଖିଚି । ନଅବର୍ଷ ତଳେ ଏହି ଦେଶରେ ଏତେ ବଡ଼ ଗୋଟାଏ ପରିବର୍ତ୍ତନ ହେଲା, ଦେଶର ଏତେ ଆଶା ଓ ଆକାଂକ୍ଷାକୁ ଚରିତାର୍ଥ କରିବା ଲାଗି ଏଡ଼େବଡ଼ ଏକ ସୁଯୋଗ ଆସିଲା । ଗାନ୍ଧିଜୀଙ୍କର ଅନେକ ଦିନର ସ୍ଵପ୍ନ ସଫଳ ହେଲା ବୋଲି ଆମେ ସମସ୍ତେ କହିଲେ । କିନ୍ତୁ ଆମ ଦେଶର ଅମଲା ଆଉ ହାକିମମାନେ ବୋଧହୁଏ ଏହି ପରିବର୍ତ୍ତନକୁ ଅନୁଭବ ହିଁ କରି ପାରିଲେ ନାହିଁ । ପୁରୁଣା ସରକାର ଓ ପୁରୁଣା ପରମ୍ପରାକୁ ସେମାନେ ଯୋଉ ଅନୁରକ୍ତି ଦେଉଥିଲେ, ତାହାକୁ ନୂଆ ସରକାର, ନୂଆ ଦେଶ ଓ ନୂଆ ପରମ୍ପରାକୁ ଦେବାଭଳି ସେମାନେ ଦେଖାଇହେଲେ । ଗୋଟାଏ ପତାକା ବଦଳରେ ଆଉ ଗୋଟାଏ ପତାକାର ଗୁଣ ଗାଇଲେ । ସରକାର ମନ୍ତ୍ରୀମାନଙ୍କୁ ତୁଷ୍ଟ କରି ରଖିବାର ନୂଆ କାଇଦାମାନ ସେମାନେ ଖୁବ୍ ଚଞ୍ଚଳ ଶିଖିନେଲେ । ଡାର୍‍ଉଇନ୍‍ଙ୍କର ତଥ୍ୟ ଏଠି ପୂରା ପ୍ରମାଣିତ ହୋଇଗଲା । ପରିବର୍ତ୍ତିତ ପରିସ୍ଥିତିର ବାହ୍ୟ ଅଙ୍ଗ ସହିତ ଯିଏ ଯେଡ଼େ ଚଞ୍ଚଳ ନିଜକୁ ଖାପ ଖୁଆଇ ନେଇ ପାରିଲା, ସେଇ ବଳବାନ୍ ରୂପେ ପ୍ରତିଷ୍ଠିତ ରହିଲା । ଆମ ଦେଶର ପୁରୁଣା ଅମଲାତନ୍ତ୍ର ଜିତିଗଲା, ଜୀବନର ସଂଘର୍ଷରେ ସଫଳ ହୋଇ ସିଏ ଜୀବନ କ୍ଷେତ୍ରର ନିୟନ୍ତ୍ରଣ କରି ବାହାରିଲା । ଏଥିଲାଗି ବାହାରକୁ ଦେଖିବାକୁ ଆମ ଦେଶରେ ସବୁ ବଦଳିଥିଲେ ମଧ୍ୟ ଭିତରେ ସେଇ ପୋକଖିଆ ମନଟା ଜାତୀୟ ଜୀବନର ବିକାଶକୁ ପଛକୁ ଟାଣିଧରିଚି । ଲୋକ ଏବଂ ଶାସକ ମଧ୍ୟରେ ସେହି ଅଶୁଭ ବ୍ୟବଧାନଟା ଆଜି ମଧ୍ୟ ରହିଚି, ଉପରବାଲାଙ୍କର ମନରେ ଲକ୍ଷ ଲକ୍ଷ ଜନସାଧାରଣଙ୍କ ପ୍ରତି ସେହି ଚିରାଚରିତ ଅବଜ୍ଞା ରହିଚି, ଦେଶର ଅଜ୍ଞାନ-ବେଳାରେ ଆପଣା Career ଓ ବ୍ୟସନବିଳାସର ତମ୍ବୁ ଖଟାଇ ହାକିମମାନେ ସମୟ-ବିନୋଦନ (Holidaying) କରୁଚନ୍ତି । ସେମାନଙ୍କର ପୋଷାକ, ସେମାନଙ୍କର ଭାଷା ଓ ସେମାନଙ୍କର ମନୋଭଙ୍ଗୀ ଏଦେଶରେ ସେମାନଙ୍କୁ ବେଶ୍ ପ୍ରବାସୀ କରି ରଖିଚି ।

 

ଏ ଦେଶର ଅମଲା ଆଉ ହାକିମଙ୍କର କଥା କହୁ କହୁ ଛୋଟିଆ ଦେଶ ଇସ୍ରାଏଲ୍ କଥା ମନେ ପଡ଼ିଯାଉଚି । ଆମରି ସହିତ ୧୯୪୭ ମସିହାରେ ଇହୁଦୀମାନେ ଇସ୍ରାଏଲକୁ ଆପଣାର ସୁନ୍ଦର ଦେଶରୂପେ ଗଢ଼ିବାର ସୁଯୋଗ ପାଇଲେ । ଆଗରୁ ପୃଥିବୀର ପ୍ରାୟ ଶତାଧିକ ଦେଶରେ ସେମାନେ ବିକ୍ଷିପ୍ତ ହୋଇ ବୁଲୁଥିଲେ । ଇତିହାସର ଆତତାୟୀମାନେ ଥରଥର କରି ସେମାନଙ୍କର ସଭ୍ୟତା ଓ ସଂସ୍କୃତିକୁ ଭାଙ୍ଗିଦେବା ଫଳରେ ସେମାନେ ନାନା ଦେଶରେ ବାସ ଖୋଜି ବୁଲୁଥିଲେ । ଅନେକ ତ୍ୟାଗ ଓ ଅନେକ ଅପମାନ-ସହନ ପରେ ସେମାନେ ଦୁଇହଜାର ବର୍ଷ ଯାବତ୍ ହଜାଇଥିବା ଦେଶକୁ ଫେରି ପାଇଲେ । ତାହାର ପରେ ପରେ ପଡ଼ୋଶୀମାନଙ୍କର ଆକ୍ରମଣରୁ ସେମାନଙ୍କୁ ଆପଣାକୁ ରକ୍ଷା କରିବାକୁ ପଡ଼ିଲା । ତିଷ୍ଠି ରହିବାର ଏହି ଯୁଦ୍ଧରେ ଦେଶର ପ୍ରତ୍ୟେକ ଯୁବକ ଯୁବତୀକୁ ଭାଗ ନେବାକୁ ପଡ଼ିଲା । ଦେଶର ପୁନନିର୍ମାଣରେ ମଧ୍ୟ ନାନା ବିଚିତ୍ର ଯୋଜନାର ମାଧ୍ୟମରେ ଦେଶର ପ୍ରତ୍ୟେକ ବୟସ୍କ ବ୍ୟକ୍ତି ଆବଶ୍ୟକ ଭାଗ ନେବାର ସୁଯୋଗ ସେଠାରେ ପାଉଚି । ସେଠାରେ ଅମଲା ଆଉ ସାଧାରଣଙ୍କ ଭିତରେ କୌଣସି ରକମର ଅସୁନ୍ଦର ବ୍ୟବଧାନ ନାହିଁ । ସମସ୍ତେ ସଂଗ୍ରାମରେ ଭାଗ ନେଇ ଦେଶଟିକୁ ପାଇଚନ୍ତି । ଇହୁଦୀ ଜାତିର ଏହି ପୁନରୁଜ୍ଜୀବନର ଅଧ୍ୟାୟଟିକୁ ସେଠି ସମସ୍ତେ ରକ୍ତେରକ୍ତେ ଅନୁଭବ କରିଚନ୍ତି । ତେଣୁ ସରକାରୀ ସେକ୍ରେଟେରିଏଟଠାରୁ ଆରମ୍ଭ କରି ପ୍ରାଥମିକ ସ୍କୁଲ ପର୍ଯ୍ୟନ୍ତ, କୌଣସି ସାମୂହିକ ଗାଆଁର (Kibbutz) ଫସଳକ୍ଷେତଠାରୁ ଆରମ୍ଭ କରି ଜେରୁଜେଲମ୍ ବିଶ୍ୱବିଦ୍ୟାଳୟର ଅଧ୍ୟାପକମହଲ ପର୍ଯ୍ୟନ୍ତ ଯୋଉଠି ଯେତେ ଇହୁଦୀ କାମ କରୁଚନ୍ତି, ସେଠି ପ୍ରତ୍ୟେକଙ୍କ ଭିତରେ ସେହି ଗୋଟିଏ ଉତ୍ସାହ ଅନନ୍ତ ଉଦ୍ୟମର ଯୋଜନାରେ ସେମାନଙ୍କୁ ଆଗେଇ ନେଇଯାଉଚି । ସବୁରି ଭିତରେ ସେହି ଗୋଟିଏ କର୍ମପ୍ରେରଣା ଓ ଲକ୍ଷ୍ୟ କାମ କରୁଚି । ଇହୁଦୀ ଜାତିର ପ୍ରତ୍ୟେକ ମଣିଷ ବଳିଷ୍ଠ ହେବ, ମଣିଷ ହିସାବରେ ପୃଥିବୀର ବୃହତ୍ତର ପରିବାର ଲାଗି ଆପଣାର ସମ୍ମାନିତ ଦାନ ଦେଇପାରିବାର ଯୋଗ୍ୟ ହେବ, ଇସ୍ରାଏଲ୍‍ର ପ୍ରତ୍ୟେକ ପିଲା ମଣିଷ ହେବେ, ସତପରିଶ୍ରମ ଦ୍ଵାରା ବଞ୍ଚିବାର ସାହସୀ ତାଲୀମ ପାଇବେ, ଦେଶର ଭାଷା ଜରିଆରେ ଦେଶର ବିଚାର ଓ ସଂସ୍କୃତି ବଞ୍ଚିରହିବ । ଇସ୍ରାଏଲର ବିଧାନସଭା ଗୃହ ଆମ ଦେଶର ଜଣେ ଡେପୁଟୀଙ୍କର କଚେରୀ ଘରଠାରୁ ହୁଏତ ବଡ଼ ହେବନାହିଁ, ତଥାପି ଏଇ ନଅବର୍ଷ ଭିତରେ ସେ ଦେଶରେ ଯେଉଁ ପରିବର୍ତ୍ତନ ହୋଇ ପାରିଚି ଓ ଯେଡ଼େ ବଡ଼ ବଡ଼ ସମସ୍ୟାର ସମାଧାନ ସମ୍ଭବ ହୋଇ ପାରିଚି, ଆମ ଦେଶରେ ଆଗାମୀ ପଚାଶ ବର୍ଷରେ ତାହା ହୋଇପାରିବ କି ନାହିଁ, ସେପରି ଆଶଙ୍କା କରିବାକୁ କାରଣ ଅନେକ ରହିଚି ।

 

ଆମର ପ୍ରଥମ କଥାକୁ ଆମେ ଫେରିଆସିବା, ଆମ ହାକିମମାନେ ଦେଶର ହୃଦୟକୁ ଅନୁଭବ ହିଁ କରି ପାରୁନାହାନ୍ତି । ତେଣୁ ସେମାନଙ୍କ ଦ୍ଵାରା ଦେଶର ବଡ଼ବଡ଼ ସଂସ୍କାର ସମ୍ଭବ ହୋଇପାରିବ ନାହିଁ । ଆପଣାର ଉଚ୍ଚ ଦାୟିତ୍ଵକୁ ସେମାନେ ଆପଣାର ଅନ୍ନମୟ ପ୍ରମୋଦର ଏକ ସାଧନାମାତ୍ର ରୂପେ ଗ୍ରହଣ କରିଚନ୍ତି । ପୁରୁଣା ବ୍ୟବସ୍ଥା ଯେତେଦିନଯାଏ ବର୍ତ୍ତିରହିଥିବ, ସେତେଦିନଯାଏ ସେମାନଙ୍କ ହାତରେ ଅଢ଼ା ରହିଥିବ । କୌଣସି ଗୋଟାଏ ବଡ଼ ପରିବର୍ତ୍ତନ ହୋଇଗଲେ ହୁଏତ ସେମାନଙ୍କର ସ୍ଥାନ ଓ ଅନ୍ନସଂସ୍ଥାନ ନିରାପଦ ରହିବ ନାହିଁ । ସେଥିଲାଗି ନାନାପ୍ରକାର ପ୍ୟାଚ୍ ଓ ପାଲିଶ୍ ଦେଇ ସେମାନେ ପୁରୁଣାକୁ ବଞ୍ଚାଇ ରଖିବାର ଚାହାନ୍ତି । ସବୁ ନୂଆ ନାଆଁ ଆଉ ଯୋଜନାର ମୁଖାଭିତରେ ସେମାନେ ସେହି ପୁରୁଣା ମନର ମୁହଁଟାକୁ ଲୁଚାଇ ରଖିବାକୁ ଚାହାନ୍ତି । “ଯୋଉଦିନ ଯାହା ହେବ, ଦେଖାଯିବ, ଏଇବେଳୁ ଏଡ଼େ ତରତର କାହିଁକି ? ଆମେ ଥିବାତକ ଏହିପରି ଥାଉ । ତା’ପରେ ପ୍ରଳୟ ହେଉ ପଛକେ, ସେଥିରେ ଆମର କ’ଣ ଯାଏ-? –ଅତ୍ୟାଚାରୀ ଫରାସୀ ସମ୍ରାଟଙ୍କର ଏହି ବିଚାରଦୃଷ୍ଟି ଏତେଶହ ବର୍ଷ ପରେ ମଧ୍ୟ ଆମ ଦେଶର ହାକିମମାନଙ୍କ ଭିତରେ ଛପିକରି ରହିଚି ।

 

ଆମ ଦେଶର ଶିକ୍ଷାବ୍ୟବସ୍ଥା ଆଜି ଏହିପରି ହାକିମମାନଙ୍କ ହାତରେ ରହିଚି ଏବଂ ସେହି କାରଣରୁ ଆମର ଶିକ୍ଷାସଂସାର ଏପରି ଦୁର୍ଦ୍ଦଶାଗ୍ରସ୍ତ ହୋଇ ରହିଚି । ଯିଏ ଦେଶରେ ବା ଲୋକମନରେ କୌଣସି ପରିବର୍ତ୍ତନ ଚାହେନାହିଁ, ତାହାରି ହାତରେ ଶିକ୍ଷାର ଚାବିକାଠି ରହିଲେ ଦେଶର ମୂର୍ଖତାରେ ଆମେ କି ପରିବର୍ତ୍ତନର ଆଶା କରିପାରିବା ? ପୁରୁଣା ପ୍ରଣାଳୀର ଫାନ୍ଦ ଛାଡ଼ିଗଲେ ଆପଣାର ଅସ୍ତିତ୍ଵ ରହିବନାହିଁ ବୋଲି ଯିଏ ତ୍ରସ୍ତ ହୋଇ ରହିଛି, ତାହାକୁହିଁ ଆମେ ନୂଆ ତୀର୍ଥ ଦେଖାଇବାର ପଣ୍ଡା କରି ପାଳିଲେ ଆମର କି ଉପକାର ହେବ ? ଅବଶ୍ୟ ମୁଁ କହୁନାହିଁ ଏକାଦିନରେ ଉପରେ ଥିବା ଏହି ହାକିମମାନଙ୍କୁ ତଡ଼ିଦେଲେ ଆମର ସବୁ ସମସ୍ୟା ତୁଟିଯିବ ଓ ଦେଶ ଶିକ୍ଷିତ ହୋଇଯିବ । ବିଶେଷ କରି ଶିକ୍ଷାକ୍ଷେତ୍ରରେ ଏପରି ଏକ ନିରର୍ଥକ ତୋଫାନର ଆବଶ୍ୟକତା ମୋଟେ ନାହିଁ । ମୁଁ ଖୁବ୍ ଅଳପ ଚାହୁଚି । ମୁଁ କହୁଚି, ଶିକ୍ଷାକୁ ଏତେ କଡ଼ାଭାବରେ କେନ୍ଦ୍ରନିୟନ୍ତ୍ରିତ କରି ରଖା ନଯାଉ । କେତେଜଣ ହାକିମଙ୍କର ଖିଆଲ ଉପରେ ଏହି ଦେଶର ସକଳ ଶିକ୍ଷା-ସମ୍ଭାବନାକୁ ଉଜାଇଁ ଦିଆ ନଯାଉ । ଦେଶରେ ଅନ୍ୟାନ୍ୟ ଶିକ୍ଷାପ୍ରୟୋଗକୁ ନିଷ୍ଠାର ସହିତ ପୂର୍ଣ୍ଣ ସୁଯୋଗ ଦିଆଯାଉ । କୌଣସି ପ୍ରୟୋଗର ସାଧୁତା ବିଷୟରେ ସରକାରଙ୍କର ଆସ୍ଥା ରହିଥିବା ପର୍ଯ୍ୟନ୍ତ ସରକାର ସେହି ପ୍ରୟୋଗର ସ୍ଵତନ୍ତ୍ର ବିକାଶ ଲାଗି ଆବଶ୍ୟକ ଆର୍ଥିକ ସାହାଯ୍ୟ ଦେବାର ଉଦାରତା ରଖନ୍ତୁ । ସେହିସବୁ ପ୍ରୟୋଗକୁ ସରକାର ଉଚିତ ମାନ୍ୟତା ଦିଅନ୍ତୁ, ନାନାପ୍ରକାର କୂଟକୌଟିଲ୍ୟ ଦ୍ଵାରା ତାହାକୁ ଆପଣାର ଛାଞ୍ଚ ଭିତରେ ଜବରଦସ୍ତି ଆଣି ପୂରାଇବାର ଦୁର୍ବୃତ୍ତପଣିଆ ଦେଖାନ୍ତୁ ନାହିଁ । ସରକାରଙ୍କର ଆପଣା ବ୍ୟବସ୍ଥା ଭିତରେ ପାହାଚକୁ ଦାଣ୍ଡି ଧରାହୋଇ ଶିକ୍ଷାର ପୁରାତନ ବ୍ୟବସ୍ଥା ଚାଲିଛି, କୋଉଠି କୌଣସି ଗୋଳମାଳ ନାହିଁ । ସରକାର ଆପଣ ମାର୍ଗରେ ସିଲାବସ୍ ତିଆରି କରି ଦେଇଚନ୍ତି । ଆପଣା ମାର୍ଗରେ ପରୀକ୍ଷା କରାଇ ପ୍ରମାଣପତ୍ର ମଧ୍ୟ ଦେଉଚନ୍ତି । ସେଥିରେ ମୋର କୌଣସି ଆପତ୍ତି ନାହିଁ । କିନ୍ତୁ ଆଉ କୋଉଠି କିଏ ଯଦି ଟିକିଏ ଅନ୍ୟପ୍ରକାର ଓ ସ୍ଵତନ୍ତ୍ର ପ୍ରଣାଳୀ ଅବଲମ୍ବନ କଲା, ସ୍ଵତନ୍ତ୍ର ପାଠ୍ୟପୁସ୍ତକ ବା ସ୍ଵତନ୍ତ୍ର ପରୀକ୍ଷା କରାଇଲା, ସରକାରଙ୍କର ସେଥିପ୍ରତି କୌଣସି ବିଦ୍ଵେଷ ନରହୁ । ଉଦାର ଭାବରେ ସରକାର ତାହାକୁ ସ୍ଵୀକାର କରିନିଅନ୍ତୁ । ତା’ର ଉତ୍ତୋରତ୍ତର ବିକାଶ ଲାଗି ତାକୁ ଯଥେଷ୍ଟ ସୁଯୋଗ ଦିଅନ୍ତୁ, ମୁଁ ଏତିକି ଚାହେ । ଯେତେ ମାର୍ଗରେ ଯିଏ ଦେଶର ଶିକ୍ଷାର ସଂସ୍କାର ଆଣିବାକୁ କାମ କରୁଚି, ତାହାର ଅସାଧୁତାର ପ୍ରମାଣ ନ ପାଇବା ପର୍ଯ୍ୟନ୍ତ ସରକାର ତାକୁ ଆର୍ଥିକ ସାହାଯ୍ୟ ଦିଅନ୍ତୁ ଓ ତା’ର ଉନ୍ନତି-କାମନା କରନ୍ତୁ, ଗଣତନ୍ତ୍ର-ଦେଶର ସରକାର ପାଖରେ ମୁଁ ଏତିକି ଭିକ୍ଷାର ଦାବୀ କରୁଚି । ଆଜି ଆମେ ସମସ୍ତେ ଶିକ୍ଷା ସଂସ୍କାର ଲାଗି ପାଟି କରୁଚେ । ଆମେ ଏପର୍ଯ୍ୟନ୍ତ ନାନା ବାଟରେ ବାଡ଼ି ବୁଲାଇ ଚାଲିଚେ, ଠିକ କୋଉଟା ପ୍ରକୃଷ୍ଟ ବାଟ, ସେବିଷୟରେ ଆମର ସ୍ପଷ୍ଟ ଦୃଷ୍ଟି ଆସିନାହିଁ । ନାନା ପ୍ରୟୋଗର ସ୍ଵତନ୍ତ୍ର ବିକାଶ ଲାଗି ମୁକ୍ତ ଅବକାଶ ଦେଲେ ଓ ପରସ୍ପରଠାରୁ ଗ୍ରହଣ କରିବାର ପ୍ରବୃତ୍ତି ରଖିପାରିଲେ ହିଁ ଆମେ ଦିନେ ଠିକ୍ ବାଟ ପାଇପାରିବା । କୌଣସି ଗୋଟାଏ ବାଟରେ ହୁଏତ ଆମର ସବୁ ଆବଶ୍ୟକତାର ପୂରଣ ହୋଇ ପାରିବ ନାହିଁ । ତେଣୁ ଏଇଟା ତୋ’ ବାଟ, ଏଇଟା ଆମ ସରକାରୀ ବାଟ, ଏହିପରି କରି ପରସ୍ପରକୁ ହୁରୁଡ଼ାଇ ଦେବାର ପ୍ରବୃତ୍ତି ଧରି ଆମେ ଏହି ଦେଶରେ ଶିକ୍ଷାର କୁଶଳ-ବିଧାନ କରି ପାରିବାନାହିଁ । ପୁଣି, ସରକାର ଯଦି ଆପଣାର କ୍ଷମତା ବଳରେ ସବୁ ବାଟ ଓ ସବୁ ପ୍ରୟୋଗକୁ ଗିଳିଦେଇ ଆପେ ତିଷ୍ଠି ରହିବାର ନୀତି ଧରିବେ, ତେବେ ଏ ଦେଶର ସବୁ ଶିକ୍ଷା କେବଳ କୁଶିକ୍ଷାରେ ହିଁ ପରିଣତ ହୋଇଯିବ । ନାନା ଶାଖାସଂସ୍କୃତିର ଉପାଦାନ ସହିତ ମିଶି ଭାରତୀୟ ସଂସ୍କୃତିର ମହାସମୁଦ୍ର ତିଆରି ହୋଇଚି । କେହି କାହାରିକୁ ଗିଳି ପକାଇନାହିଁ, କେହି କାହାରିକୁ ମାଡ଼ି ଦେଇନାହିଁ । ଶିକ୍ଷାରେ ମଧ୍ୟ ତାହାହିଁ ହେଉ । ନାନା ବାଟରେ ପ୍ରୟୋଗ କରିବାର ସୁଯୋଗ ଦିଆଯାଉ, ଆଦାନ-ପ୍ରଦାନର ଉଦାର ପ୍ରଚେଷ୍ଟାଦ୍ଵାରା ହିଁ ଦିନେ ଆମେ ସାରା ଦେଶରେ ଶିକ୍ଷାବିକାଶ ଲାଗି ଅନେକ ସାମଗ୍ରୀ ଓ ଅନେକ ଆଲୋକ ପାଇପାରିବୁ ।

 

କୌଣସି ଦେଶରେ ଛତ୍ରପତି ସରକାରର ଆଇନ୍ ଦ୍ଵାରା ଶିକ୍ଷାସଂସ୍କାର ହୋଇନାହିଁ । ଏ ଦେଶରେ ସରକାର ଯେତେ ଦୁଃସାହସ କଲେ ମଧ୍ୟ ତାହା କଦାପି ହୋଇ ପାରିବ ନାହିଁ । ନାନା ସ୍ଵତନ୍ତ୍ର ପ୍ରୟୋଗ ଦ୍ଵାରା ହିଁ ସବୁଠାରେ ଶିକ୍ଷା-ପରିବର୍ତ୍ତନର ସୂତ୍ରପାତ ହୋଇଚି । ଭାରତବର୍ଷରେ ଏପର୍ଯ୍ୟନ୍ତ ଯେତିକି ଯାହା ହୋଇଚି, ସବୁ ବ୍ୟକ୍ତିଗତ ପ୍ରୟୋଗର ଫଳ ସ୍ଵରୂପ ହୋଇଚି । ଗତ ପଚାଶବର୍ଷ ହେଲା ଶାନ୍ତିନିକେତନରେ ଓ ଅଠର ବର୍ଷ ହେଲା ସେବାଗ୍ରାମରେ ଶିକ୍ଷାର ଦୁଇଟି ସ୍ଵତନ୍ତ୍ର ପ୍ରୟୋଗ ହୋଇ ଆସିଚି । ଭାରତୀୟ ଇତିହାସର ଦୁଇଜଣ ମନୀଷୀ ସାରା ଦେଶର ଭବିଷ୍ୟତ ଶିକ୍ଷାବିକାଶକୁ ଆଖି ଆଗରେ ରଖି ଆପଣା ଆପଣାର ମାର୍ଗରେ ପ୍ରୟୋଗ କରି ଯାଇଚନ୍ତି । କେହି କାହାର ବାଧକ ହୋଇ ନାହାନ୍ତି । ଏହା ବ୍ୟତୀତ ଆହୁରି ଅନେକ ଛୋଟବଡ଼ ପ୍ରୟୋଗ ମଧ୍ୟ ଅନେକ ଦିନରୁ ଏ ଦେଶରେ ଚଳି ଆସିଚି । ବ୍ରିଟିଶ ଅମଳରେ ଏହି ପ୍ରୟୋଗସବୁ ଉପରେ ଅନେକ ଚାପ ଦିଆଯାଇଚି, ଅନେକ ଉତ୍‍ପୀଡ଼ନ କରାଯାଇଚି । ଏମାନେ ଭାରତର ଶତ୍ରୁ ବୋଲି ନାନା ଅପପ୍ରଚାର କରାଯାଇଚି, ନାନ ସମୟରେ ନାନା ଆଘାତ ଖାଇ ସେମାନେ ତଥାପି ତିଷ୍ଠି ରହିଚନ୍ତି । ଭାରତର ସ୍ଵାଧୀନ ହେବାପରେ ଯତ୍‍କିଞ୍ଚିତ ସୁଧାର ହୋଇଚି, ସେସମସ୍ତ ସୁଧାର ଲାଗି ଉକ୍ତ ଦୁଇଟି ସ୍ଵତନ୍ତ୍ର ପ୍ରୟୋଗର ଅଭିଜ୍ଞତା ଆମକୁ ଅନେକ ସାମଗ୍ରୀ ଯୋଗାଇଚି, ଆମକୁ ଅନେକ ସାହସ ଦେଇଚି । କୌଣସି ଗୋଟିଏ ପ୍ରୟୋଗ ବା ବାଟରୁ ସଂସାରର ଏକମାତ୍ର ପ୍ରୟୋଗ ବା ବାଟ ବୋଲି ବିଚାର କରିବାର ପ୍ରଶ୍ନ ଶିକ୍ଷାକ୍ଷେତ୍ରରେ ଉଠୁନାହିଁ । କିନ୍ତୁ ବିଭିନ୍ନ ପ୍ରୟୋଗକୁ ସୁଅବକାଶ ଦେଇ ସେଗୁଡ଼ିକର ଅଭିଜ୍ଞତାଲବ୍‍ଧ ଦୃଷ୍ଟାନ୍ତରୁ ଆମେ ଅନେକ ପରିମାଣରେ ଏକ ଯଥାର୍ଥ ଓ ସମନ୍ଵିତ ଶିକ୍ଷାପ୍ରଣାଳୀ ଗ୍ରହଣ କରିବାରେ ଅଧିକ ସଫଳ ହୋଇପାରିବା । ଏ ଦେଶରେ ସରକାରୀ ଶିକ୍ଷାନୀତି ଅଧିକ ଉଦାର ଓ ଅଧିକ ଦୃଷ୍ଟିସମ୍ପନ୍ନ ହେଲେ ହିଁ ସେକଥା ସମ୍ଭବ ହୋଇ ପାରିବ ।

 

–ତେଇଶି–

 

ଛୁଟି ସରି ଆସୁଛି । ଆଉ ଅଳପ ଦିନ ଗଲେ ପିଲାଏ ପୁଣି ଫେରିଆସିବେ । ଏହି ଜଙ୍ଗଲର ସଂସାରକୁ ସମୃଦ୍ଧ କରିଦେବେ । ଅବଶ୍ୟ ଛୁଟିଟାଯାକ କେତେବେଳେ ହେଲେ ବିଦ୍ୟାଳୟରୁ ପିଲା ଖାଲି ନଥିଲେ । ପାଞ୍ଚ ଛଅଜଣ କରି ସବୁବେଳେ ଏଠି ଥିଲୁ । ଛୁଟିରେ ରହିବା ତ ଏଠାରେ ଆହୁରି ଗୋଟାଏ ପ୍ରକାରର ମଜା । ସକାଳୁ ଦୁଇଓଳି ଲାଗି ଭାତ ରାନ୍ଧି ପଖାଳି ଦିଆଯାଏ । ଆଳୁଭଜା ଓ ପିଆଜ ଦେଇ କଂସାଏଲେଖାଁ ପଖାଳ ଆମେ ପ୍ରତ୍ୟେକେ ଉଠାଇ ଦେଉ-। ପ୍ରାୟ ପ୍ରତ୍ୟେକ ଦିନ ଜଙ୍ଗଲଆଡ଼ୁ ଆମ୍ବ ବିକ୍ରୀ କରି ଲୋକ ଆସନ୍ତି । ତେଣୁ ସମୟ ସମୟରେ ପାଚିଲା ଆମ୍ବର ସମ୍ମିଳିତ ଉପଭୋଗ ମଧ୍ୟ ହୁଏ । ଏଥର ଛୁଟି ଆଗରୁ ମୁଁ ବିଦ୍ୟାଳୟର ନୀରବ ରୂପଟିକୁ ଏତେ ନିବିଡ଼ ଭାବରେ କେବେ ଅନୁଭବ କରିନଥିଲି । ସାଧାରଣ ସମୟରେ ପିଲାଙ୍କର ତୁଣ୍ଡଗୋଳରେ ଏହି ଥାନ ପୁରି ରହିଥାଏ । ଉଚ୍ଛୁଳା ବୟସର ଉତ୍ସାହରେ ଆମ ଅରଣ୍ୟର ଅଙ୍ଗନଟି ନିରନ୍ତର ଶବ୍ଦମୁଖର ହୋଇ ରହିଥାଏ । କିଏ କାମକୁ ନ ଆସିଲା, ପରିଷ୍କାର ହେବା ଦିଗରେ କିଏ ଯଥେଷ୍ଟ ଦୃଷ୍ଟି ଦେଲାନାହିଁ, ପାଠପଢ଼ାରେ କିଏ କେତେଦୂର ହେଲା କରୁଚି, କେଉଁ କେଉଁ ପିଲାଙ୍କ ଭିତରେ ଗତ କେତେଦିନ ହେଲା ଅପଡ଼ ହୋଇଚି, ଏହିସବୁ ଘଟଣା ବା କଥାର କାରଣ ଉଖାରି ଉଖାରି ସେତେବେଳେ ଏକ ଚମତ୍କାର ବ୍ୟସ୍ତତାରେ ସମୟ କଟିଯାଏ । ସର୍ଦ୍ଦାରି କରିବାରେ ଗୋଟାଏ ପ୍ରକାର ସାନ୍ତ୍ଵନା ମିଳେ, ଏଠାରେ ମାଷ୍ଟର ହୋଇ ଏତେ ପିଲାଙ୍କୁ ଠିକ୍ ବାଟରେ ଚଳାଇବାର ଦାୟିତ୍ଵ ମୋ’ ହାତରେ ରହିଚି, ମୁଁ ଟିକିଏ ଅଳସ ହୋଇଗଲେ ଏତେଗୁଡ଼ାଏ ପିଲାଙ୍କର ଜୀବନ ଅବାଗିଆ ହୋଇଯିବ, ଏହିପରି ଗୋଟାଏ ମିଛ ଦମ୍ଭ ବା ଅହଂକାର ସେତେବେଳେ ମନକୁ ବେଶ୍ ଆବୋରି କରି ରହିଥାଏ । ସେଥିଲାଗି ଏଠିକାର ନୀରବ ପ୍ରଶାନ୍ତ ରୂପ ଆଉ ସେତେବଳେ ଧାରା ପଡ଼ି ପାରେନାହିଁ । ଏଠିକାର ଆକାଶ ଆଉ ଅରଣ୍ୟ, ଏଠିକାର ସକାଳ ଆଉ ସନ୍ଧ୍ୟାର ଗମ୍ଭୀର ଧ୍ୟାନମଗ୍ନ ପ୍ରକାଶ, କୌଣସିଟିକୁ ହୃଦୟ ପୂରାଇ ଦେଖିବା ସମ୍ଭବ ହୋଇ ପାରେନାହିଁ-। ଦାମ୍ଭିକ ଶିକ୍ଷକର ଏହିସବୁ ଦୁର୍ଭାଗ୍ୟରୁ ମୋତେ ଏଇ ଛୁଟିଟାଯାକ ନିସ୍ତାର କରି ରଖିବାରେ ଏହି ଛୁଟିରେ ମୁଁ ବେଶ୍ ଅନୁକୂଳ କ୍ଷେତ୍ର ପାଇଲି ।

 

କାମଧନ୍ଦାର ବ୍ୟସ୍ତତା ବେଶୀକିଛି ନ ଥାଏ । ଆମ ପାଞ୍ଚ ଛଅ ଜଣଙ୍କର ସଂସାରନିର୍ବାହ ଲାଗି ଖୁବ୍ ବେଶୀ ସମୟ ଦେବାକୁ ପଡ଼େନାହିଁ, ତେଣୁ ଅପର୍ଯ୍ୟାପ୍ତ ଅବସର ଓ ଅପର୍ଯ୍ୟାପ୍ତ ନିଶ୍ଚିନ୍ତତା ଆମ ପ୍ରତ୍ୟେକଙ୍କର ହାତରେ ରହିଥାଏ । ଇଚ୍ଛା କରିବା ମାତ୍ରକେ ଆମ ଭିତରୁ ସମସ୍ତେ ଜଣ ଜଣ କରି ଆଖପାଖର ଅରଣ୍ୟ ଭିତରେ କୁଆଡ଼େ ଯେ ଅଦୃଶ୍ୟ ହୋଇ ଯାଆନ୍ତି, କେହି ତାହାର ଖବର ରଖେନାହିଁ । ପଠନ ଆଉ ମନନ ଉଭୟ କାର୍ଯ୍ୟକୁ ଏକାସାଙ୍ଗରେ କରି ପାରିବା ଲାଗି ବୋଧହୁଏ ଏହିପରି ଅଦୃଶ୍ୟ ହୋଇ ଯିବାକୁ ପଡ଼େ । ଉପରେ ଅନନ୍ତ ଆକାଶର ଆଦର, ଚାରିପାଖରେ ସାନବଡ଼ ବୃକ୍ଷଲତାର ବନ୍ଧୁତା, ମନକୁ ବା ନୟନକୁ ବାରିତ କରି ରଖିବାକୁ କୌଣସି ବାଡ଼ ନାହିଁ କି ବନ୍ଧ ନାହିଁ, ଧ୍ୟାନକୁ ଚହଲାଇ ଦେବାଲାଗି ଭିତରୁ ବା ବାହାରୁ କୌଣସି ପ୍ରକାରର ତାଡ଼ନା ନାହିଁ; ଏହିପରି ଗୋଟିଏ ଥାନରେ ଘଡ଼ିଏ ବସିବାର ବା ବଞ୍ଚିବାର ସୁଯୋଗ ପାଇ ମଣିଷର ବିଦ୍ୟାର୍ଥୀ ମନ ଯେପରି ସବୁ ପାଏ, ସରସ ଓ ସମାହିତ ଅନ୍ତର ନେଇ ସେ ସବୁ ବିଦ୍ୟାର ସ୍ନିଗ୍‍ଧ ଜଳରେ ସ୍ନାନ କରି ଚାଲିଆସେ । ସାଂସାରିକ ବିଦ୍ୟାଳୟର ସୀମା ଭାଙ୍ଗି ଭାଙ୍ଗି ଯାଏ, ପ୍ରସାରିତ ଅନୁଭୂତିର ନିଡ଼-ରଚନାକୁ ସତେଅବା ପୂର୍ଣ୍ଣ ସମ୍ମାନ ଦେଖାଇବା ଲାଗି ମଣିଷର ବିଦ୍ୟାଳୟ ମଧ୍ୟ ଆକାଶ ଓ ଅରଣ୍ୟ ଭିତରକୁ ବ୍ୟାପ୍ତ ହୋଇଯାଏ, ସବୁଠାରୁ ମନ ଲାଗି ଅପୂର୍ବ ନିର୍ଭର ମିଳେ । ଏହି ଅପୂର୍ବ ନିର୍ଭର ବା ସଙ୍ଗଲାଭ କରିବାଲାଗି ବୋଧହୁଏ ଆଗକାଳରେ ଶିକ୍ଷକ ଅରଣ୍ୟ ଭିତରେ ହିଁ ଆପଣାର ବିଦ୍ୟାଳୟ ବସାଉଥିଲା,–ଇଟା ସିମେଣ୍ଟ ଆଉ ତାରବାଡ଼ର ପ୍ରାଦୁର୍ଭାବ ଦ୍ଵାରା ଅରଣ୍ୟଶ୍ରୀକୁ ନଷ୍ଟ କରି ନୁହେଁ, ତା’ର ଧ୍ୟାନମୟ ଜୀବନର ପ୍ରାତ୍ୟହିକ ଆୟୋଜନଦ୍ଵାରା ଅରଣ୍ୟକୁ ପରିପୂର୍ଣ୍ଣ କରିଦେଇ ସେ ଆପଣାର ବିଦ୍ୟାଳୟ ବସାଉଥିଲା । ଠିକ୍ ସେହି ନିର୍ଭରଲାଗି ବି ଶିକ୍ଷାର୍ଥୀ ଶିକ୍ଷାର ସିଦ୍ଧିବତୀ ଧରି ଆଗେ ଏହି ଅରଣ୍ୟକୁ ହିଁ ଯାଉଥିଲା । ପ୍ରକୃତ ଆଉ ମଣିଷ ଭିତରେ ପ୍ରକୃତରେ କେଉଁ ସମାନଧର୍ମୀ ବ୍ୟଞ୍ଜନା ରହିଚି କେଜାଣି, ଅରଣ୍ୟର ପ୍ରକୃତି ଆଉ ମଣିଷର ପ୍ରକୃତି ଭିତରେ କି ଏକତା ରହିଚି କେଜାଣି, ଯୁଗେ ଯୁଗେ ମଣିଷର ସାଧନା ତାକୁ ଏହି ଅରଣ୍ୟର ବ୍ୟାପ୍ତି ଭିତରକୁ ଟାଣିଆଣିଚି, ପ୍ରକୃତିର ପ୍ରଶାନ୍ତି ଭିତରେ ଘଡ଼ିଏ ଏକନିଷ୍ଠ ନିମଗ୍ନ ହୋଇ ବସି ମଣିଷ ତା’ର ଅନେକ ଅଡ଼ୁଆର ଖିଅ ଖୋଜି ପାଇଚି ।

 

ଅରଣ୍ୟଚର୍ଯ୍ୟାର ଅନେକ ଦୂରରେ, କଟକ ବା ଦିଲ୍ଲୀ ସହରର ବକ୍ତୃତା ଦେଲାବାଲା, ଶିକ୍ଷାବିଧାୟକର ସ୍ଵୀକୃତ ଚଉକୀ ଉପରେ ବସି ଅରଣ୍ୟର ଅନେକ ପ୍ରଶଂସା କରେ । ଅରଣ୍ୟର ତପଶ୍ଚର୍ଯ୍ୟାର ଆସ୍ଥାନ କରି ଏ ଦେଶର ଅତି ପ୍ରାଚୀନ ଯୁଗରେ ଯେଉଁ ସୁଷମ ମଣିଷ-ସଂସ୍କୃତି ଗଢ଼ି ଉଠିଥିଲା, ସେହି ସଂସ୍କୃତିର ସ୍ତବଗାନରେ ସହରର ସଭାମଣ୍ଡପ ବେଳେବେଳେ ଭାରି କଲ୍ଲୋଳିତ ହୋଇଉଠେ । ଅସ୍ଵାଭାବିକତାର ନାନା ଦଂଶନରେ ବିକୃତ ଓ ବିକଳ ହୋଇ ପଡ଼ିଥିବା ମଣିଷ ଭିତରେ ଲୁଚି ରହି ସଂସ୍କୃତକାମୀ ମଣିଷର ଆଦିମ ଆତ୍ମା ଅରଣ୍ୟ ଉଦ୍ଦେଶ୍ୟରେ ବାହୁନିବାବେଳେ ଏହି ଅରଣ୍ୟର ଆହୁରି ନିବିଡ଼ ନିକଟକୁ ଆସିବା ଲାଗି ଯେପରି ହଠାତ୍ ଅନେକ ପ୍ରେରଣା ମିଳିଯାଏ । ମଣିଷ-ଜୀବନର ସମଗ୍ରତାକୁ ଆହୁରି ଅଧିକ ନିକଟ କରି ଚିହ୍ନିବା ସକାଶେ ଆମ ଅରଣ୍ୟକୁ ଆମେ ସନ୍ତକ ପରି ଗ୍ରହଣ କରିଚୁ । ଭାରତରେ ନୂଆ ସଭ୍ୟତା ଓ ନୂଆ ରାଷ୍ଟ୍ରନିର୍ମାଣର ଧୂମ୍ ଲାଗିଥିବାବେଳେ ତଥାପି ଆମେ ଏହି ଅରଣ୍ୟ ଭିତରେ ଆମର ଆସ୍ଥାନ ବାଛିନେଇଚୁ । ଇଉରୋପରେ ଦିନେ ଅରଣ୍ୟ ଓ ଗ୍ରାମକୁ ଭାଙ୍ଗି ନୂଆ ସଭ୍ୟତା ଗଢ଼ା ଯାଇଥିଲା । ବିଜ୍ଞାନ ଆଉ ବିଳାସର ପ୍ରୟୋଗଶାଳାରେ ଜୀବନକୁ ଘାଣ୍ଟି ନାରଖାର କରିବାଲାଗି ସେଦିନ ମଣିଷ ଭିତରେ ଏକ ବୁଦ୍ଧିଆ ଦୈତ୍ୟ ଭାରି ପ୍ରବଳ ହୋଇ ଉଠିଥିଲା । ଫଳରେ ଜୀବନ ବିଭକ୍ତ ହୋଇଗଲା, ଜୀବନର କୁସୁମିତ ସମ୍ଭାବନାଗୁଡ଼ିକ ବୁଦ୍ଧିର ଟେବୁଲ୍ ଉପରେ ଛିଣ୍ଡା ଚିରା ପାଖୁଡ଼ାପରି ପଡ଼ିରହିଲା ମାତ୍ର । ପୃଥିବୀରେ ସମ୍ପଦ ବଢ଼ିଲା, ମଣିଷର ଅର୍ଜନ ବଢ଼ିଲା, ଅବସର ବଢ଼ିଲା, ବିନୋଦନ ବଢ଼ିଲା, ତଥାପି ଜୀବନର ସମଗ୍ରତାକୁ ହଜାଇ ମଣିଷ ଛିନ୍ନଭିନ୍ନ ଓ ବିଭକ୍ତ ହେବାକୁ ଲାଗିଲା । ଅଶେଷ ସାମଗ୍ରୀର ମାଲିକ ହୋଇ ତଥାପି ମଣିଷ ଆତ୍ମସ୍ଥ ହୋଇ ପାରିଲା ନାହିଁ, ନାନାପ୍ରକାର ଆସକ୍ତି ଓ ଅନୁରକ୍ତି ଭିତରେ ସେ ଅତି ଶୋଚନୀୟ ଭାବେ ବିଭକ୍ତ ହୋଇପଡ଼ିଲା । ତା’ର ବୁଦ୍ଧି, ତା’ର ହୃଦୟ, ତାର ଜ୍ଞାନ ଓ ତା’ର ଭଲ ପାଇବା ସବୁ ଖଣ୍ଡଖଣ୍ଡ ହୋଇଗଲା । ସକଳ ସାମଗ୍ରୀ ଓ ସକଳ ସମ୍ପନ୍ନତା ସତ୍ତ୍ୱେ ସେଠି ମଣିଷର ଭିତରଟା ତଥାପି ଶୂନ୍ୟ ହୋଇ ପଡ଼ିଚି, ସେଠିକାର ପଣ୍ଡିତମାନେ ଏହି ସାଂସ୍କୃତିକ ଶୂନ୍ୟତାର ବିଡ଼ମ୍ବନାରୁ କ୍ରମେ ହୃଦୟଙ୍ଗମ କରୁଚନ୍ତି ସେଠିକାର ଦାର୍ଶନିକ ଓ ଐତିହାସିକମାନେ ବିଭକ୍ତ ଓ ଅନୁଦାରଜୀବନର ଅସ୍ଥିରତା ଉପଲବ୍‍ଧି କରି ଜୀବନକୁ ଏକ ନୂତନ ଅଥଚ ସମଗ୍ର ସାଂସ୍କୃତିକ ଭୂମି ଉପରକୁ ଆଣିବା ଲାଗି ନୂତନ ଭାବରେ ଚିନ୍ତା କରିବାକୁ ଆରମ୍ଭ କଲେଣି । ଇଉରୋପୀୟ ସଂସ୍କୃତିର ଆଧୁନିକତମ ବିଚାରମନ୍ଥନ ସହିତ ଯେଉଁମାନେ ପରିଚୟ ରଖିଚନ୍ତି, ସେମାନେ ସହଜରେ ଏକଥା ବୁଝିପାରିବେ ଓ ଇଉରୋପର ବିଚାରକ୍ଷେତ୍ରରେ ଏହି ପରିବର୍ତ୍ତନର ସଙ୍କେତକୁ ସହଜରେ ଠଉରାଇ ନେଇପାରିବେ ।

 

ସାମାଜିକ ବିପ୍ଳବର କ୍ଷେତ୍ରରେ ଭାରତବର୍ଷ ଇଉରୋପର ପଛରେ ଚାଲିଚି । ଏହାକୁ ମୁଁ ଭାରତର ସୌଭାଗ୍ୟ ବୋଲି କହିବି । ସଂସ୍କୃତି ଓ ପ୍ରଗତିର ଅନାବିଷ୍କୃତ ପଥରେ ଗଲାବେଳେ ଇଉରୋପ ବାରବାର ଅନେକ ଜାଲରେ ଛନ୍ଦି ହୋଇ ଯାଇଚି । ଅନେକ ଭୁଲ କରିଚି । ଏପର୍ଯ୍ୟନ୍ତ ମଧ୍ୟ ତା’ର ଅନେକ ଭୁଲ ଓ ଅନେକ ପ୍ରମତ୍ତତା ତା’ର ପଥ ରୁଦ୍ଧ କରି ବସିଚି । ତାକୁ ବିନାଶର ଅତଡ଼ା ଉପରେ ଆଣି ବସାଇ ଦେଇଚି । ଆମେ ଯୋଉମାନେ ଇଉରୋପର ପଛରେ ଯିବା, ଇଉରୋପର ଭୁଲରୁ ସେମାନଙ୍କର ଶିଖିବା ଦରକାର । ଏହି କଥା ଲେଖିଲାବେଳକୁ ଇଉରୋପରେ ଗୋଟିଏ ରାତିର କଥା ମନେପଡ଼ୁଛି । ୧୯୫୨ ମସିହାର ଗ୍ରୀଷ୍ମଛୁଟିରେ ସେଦିନ ଜର୍ମାନୀରୁ ମୁଁ ଫ୍ରାନସ ଯାଉଥାଏ । ସେତେବେଳକୁ ରାତି ପ୍ରାୟ ଅଧକରୁ ବେଶୀ ହୋଇଗଲାଣି । ଦୀର୍ଘଦିନର ରେଳଯାତ୍ରା ପରେ ଭାରି କ୍ଳାନ୍ତ ଲାଗୁଥାଏ । ପ୍ରଥମ କରି ଗୋଟାଏ ନୂଆ ଦେଶରେ ପଶିଲାବେଳେ ମନଟା ମଧ୍ୟ ଟିକିଏ କେମିତି କେମିତି ହେଉଥାଏ । ଷ୍ଟ୍ରାସବୁର୍ଗ୍ ସହରରେ ଗାଡ଼ି ବଦଳାଇ ମୁଁ ପାରିସକୁ ଯାଉଥିବା ଗୋଟିଏ ସିଧା ଗାଡ଼ିରେ ଯାଇ ବସିଲି । ସେଦିନ ଗାଡ଼ିରେ ଭାରି ଭିଡ଼ । ଆମ ଡବାରେ ଖାଲି ଫରାସୀ ସୈନ୍ୟ ଭର୍ତ୍ତି ହୋଇଥାନ୍ତି । ସବୁରି ମନ ଭିତରେ ଗୋଟାଏ ଅଶାନ୍ତ ଉତ୍ତେଜନା ରହିଥିବାପରି ମନେ ହେଉଥାଏ । ଗାଡ଼ି ଚାଲିବା ସଙ୍ଗେ ସଙ୍ଗେ ମୁଁ ଯାତ୍ରାପଥରେ ସଂସାରବୁଣା ଆରମ୍ଭ କରିଦେଲି । ମୁଁ ଭାରତବର୍ଷରୁ ଆସିଚି ଶୁଣି ଅନେକଙ୍କ ଭିତରେ ଟିକିଏ ଅଧିକ କୌତୂହଳ ବି ଦେଖାଗଲା । ନାନା ଗୁଲିଖଟିର ନାନା ଗପ ନାନା ପ୍ରସଙ୍ଗରେ ଆସି ପଡ଼ିଲା । ସେମାନେ ସମସ୍ତେ ବିଶ୍ୱବିଦ୍ୟାଳୟର ଛାତ୍ର । ସରକାରଙ୍କର ଜରୁରୀ ଡାକରାରେ ସୈନ୍ୟର ପୋଷାକ ପିନ୍ଧି ଇଣ୍ଡୋଚୀନ୍ ଯାଉଥାନ୍ତି । ଇଣ୍ଡୋଚୀନ୍‍ର ପ୍ରଜାଏ ସ୍ଵତନ୍ତ୍ର ହେବାକୁ ଚାହୁଚନ୍ତି । ଫ୍ରାନସର ବନ୍ଧୁକ ଦେଖାଇ ଏହି ଛାତ୍ରମାନେ ସେମାନଙ୍କୁ ଶାନ୍ତ ରଖିବାକୁ ଚେଷ୍ଟା କରିବେ । ଜମୁ ଜମୁ ଗପ ଭାରି ଜମିଯିବାକୁ ଲାଗିଲା । ଉପରେ ଥିବା ଲଢ଼ୁଆ ପୋଷାକ ତଳେ ସେମାନଙ୍କର ଶ୍ରଦ୍ଧାଶୀଳ ଓ କୁତୁହଳୀ ଛାତ୍ରମନର ବେଶ୍ ପରିଚୟ ମିଳିଲା । ଗପ ଭିତରେ ହଠାତ୍ ଅତି ଗମ୍ଭୀର ମୁଖାକୃତ କରି ସେହିମାନଙ୍କ ଭିତରୁ ଜଣେ ଛାତ୍ରଭାଇ ମୋତେ ପଚାରିଲେ,–“ଭାରତରୁ ତୁମେମାନେ କାହିଁକି ଇଉରୋପ ବା ଆମେରିକାକୁ ଆସୁଚ ? ତୁମମାନଙ୍କୁ ଦେବାଲାଗି ଆମର କଣ ଅଛି ? ଆମେ ତ ଗୋଟାଏ ଯୁଦ୍ଧ ସରୁ ନସରୁଣୁ ଆଉଗୋଟାଏ ଯୁଦ୍ଧ ଲାଗି ସଜାଡ଼ି ହୋଇ ବସିଲୁଣି । ଇଉରୋପଠାରୁ କଣ ଶିଖିବ ବୋଲି ଭାରତର ଯୁବକ ଇଉରୋପକୁ ଆସିବ ?” ମୋ ଭିତରେ ରହି କିଏ ଜଣେ ଏହାର ଉତ୍ତର ଦେଲାପରି ସେଦିନ ମୁଁ ସଙ୍ଗେ ସଙ୍ଗେ ଜବାବ ଦେଇଥିଲି, “ଇଉରୋପ ଅନେକ ଭୁଲ କରିଚି, ଆଜି ମଧ୍ୟ କରୁଚି । ହୁଏତ ଏହିସବୁ ଭୁଲ ଦ୍ଵାରା ଇଉରୋପ ତଥା ପୃଥିବୀର ଅନେକ ଅଂଶରେ ଅନେକ ବିପର୍ଯ୍ୟୟ ଘଟିବ ତଥାପି ଏହି ବିପନ୍ନ ଇଉରୋପର ସଂସ୍କୃତିରେ ମଧ୍ୟ ଅନେକ ସ୍ଥାୟୀ ସମ୍ପଦ ରହିଚି । ଆପଣା ବିକୃତିରେ ବିଭକ୍ତ ହୋଇ ଇଉରୋପ ଭୁଷୁଡ଼ି ପଡ଼ିବା ଆଗରୁ ଏଠାକାର ସ୍ଥାୟୀ ସମ୍ପଦ ଓ ବିଚାରକୁ ଭବିଷ୍ୟତର ପୃଥିବୀଲାଗି ଆହରଣ କରି ରଖିବାକୁ ହେବ । ସେଇଥିଲାଗି ଭାରତର ଛାତ୍ର ଆଜି ଇଉରୋପକୁ ଆସୁଚି ।”

 

ଭାରତରେ ବି ଆଜି ସବୁ ମଣିଷକୁ ସମ୍ପନ୍ନ କରିପାରିବାର ଯୋଜନା ଓ ଆୟୋଜନମାନ ଆରମ୍ଭ ହେଲାଣି । ମଣିଷଲାଗି ସାମଗ୍ରୀର ବଜାରମାନ ଅଧିକରୁ ଅଧିକ ପ୍ରସାରିତ ହେବାକୁ ଲାଗିଲାଣି । ଭାରତରେ ପ୍ରାକୃତିକ ସମ୍ପଦ ଅପର୍ଯ୍ୟାପ୍ତ ରହିଚି । ବିଜ୍ଞାନର ସହାୟତାରେ କ୍ରମେ ଏ ଦେଶରେ ମଧ୍ୟ ଅଧିକରୁ ଅଧିକ ଖାଦ୍ୟ ଉତ୍ପନ୍ନ ହେବାକୁ ଯାଉଚି । ଦିନେ ଏ ଦେଶରେ ବି ସମସ୍ତେ ଖାଇବାକୁ ପାଇବେ, ପିନ୍ଧିବାକୁ ପାଇବେ, ସୁସ୍ଥ, ସବଳ ଓ ରୋଗମୁକ୍ତ ହୋଇ ଜୀବନ ବଞ୍ଚିବାକୁ ପାଇବେ । ଅଧିକ ଖାଇବା, ଅଧିକ ପିନ୍ଧିବା ଆଉ ଅଧିକ ରୋଗମୁକ୍ତ ହେବାର ଲାଳସା ଦିନେ ଇଉରୋପର ମଣିଷକୁ ଯେପରି ପାଗଳ କରି ପକାଇଲା, ଯେପରି ଇଉରୋପୀୟ ମନର ସମଗ୍ର କ୍ଷେତ୍ରକୁ ଆବୋରି ବସିଥିଲା, ସେହି ଦୁର୍ଦ୍ଦଶା ଯେପରି ଆମର ଏଠାରେ ନହୁଏ । ସାମଗ୍ରୀ ଓ ତା’ର ସମ୍ଭୋଗକୁ ଆଦର୍ଶଗତ ଅତିରିକ୍ତତା ଦେବାର ନିର୍ବୋଧ ବୃତ୍ତି ଧରି ଭାରତର ମଣିଷ ଯେପରି ଇଉରୋପ ପରି ଖାଲରେ ନ ପଡ଼େ । ଏହାହିଁ ଆମ ଦେଶରେ ଶିକ୍ଷାଳୟର ସବୁଠାରୁ ବଡ଼ ଦାୟିତ୍ଵ ହୋଇ ରହିବା ଉଚିତ । ଛାତ୍ରର ଜୀବନଦୃଷ୍ଟି ଭିତରୁ ଯଦି ଆମେ ଶ୍ରଦ୍ଧା ଓ ସମଗ୍ରତା ଲାଗି ଯଥୋଚିତ ସ୍ଥାନ ରଖି ପାରିବା, ତେବେଯାଇ ଆମେ ତାକୁ ଯଥାର୍ଥରେ ଆତ୍ମନିର୍ଭରଶୀଳ କରିପାରିବା । ଅନ୍ନଗତ ଜୀବନଭରଣର ଉତ୍ସାହିତ ଜୟନାଦ କରି ଯେପରି ଆମେ ଛାତ୍ରର ମନକୁ ବିଭକ୍ତ କରି ନଦେବା, ସେଥିଲାଗି ଏ ଦେଶର ସବୁ ଶିକ୍ଷକ ଓ ଶିକ୍ଷାଳୟ ଯତ୍ନଶୀଳ ହେବା ଉଚିତ । ଶ୍ରଦ୍ଧା ଓ ସମଗ୍ରତାକୁ ଆମ ହୃଦୟର ସର୍ବସାର କରି ରଖି ପାରିବାକୁ ଆମେ ଏହି ଅରଣ୍ୟକୁ ଆସିଚୁ । ଏଠିକାର ଧ୍ୟାନମୟ ସକାଳ ଓ ଧ୍ୟାନମୟ ସଞ୍ଜବେଳ ଆମର ହୃଦୟ ଭିତରେ ସକଳ ବିଭେଦ ଓ ବିଚ୍ଛିନ୍ନତାକୁ ଭଗାଇବାରେ ଯେପରି ଭାରି ସାହାଯ୍ୟ କରୁଚି । ମଣିଷ ମଣିଷ ଭିତରେ ଜୀବନର ଯେଉଁ ସଂଯୋଗ ରହିଚି, ଅରଣ୍ୟକୁ ହୃଦୟରେ ଧରି ଯେପରି ଆମେ ସେହି ସଂଯୋଗର ଅନୁଭୂତି ଲାଭ କରୁଚୁ ।

 

ଆଧୁନିକ ଯୁଗର ସାବଧାନୀ ମଣିଷ ଏହି ଅରଣ୍ୟଟିକୁ ଭାରି ଭୟ କରେ । ଅରଣ୍ୟ ନ କାଟି ସଂସାରରେ ବସବାସ କରିବାକୁ ତାର ଧୈର୍ଯ୍ୟ ସହେନାହିଁ । ବୋଧହୁଏ ଅରଣ୍ୟକୁ ନ ଦେଖି ଅରଣ୍ୟକୁ ଆକୃତି ଦେଇ ରଖିଥିବା ବୃକ୍ଷ ଓ ବୁଦାଗୁଡ଼ାକୁ ସେ ବିଚ୍ଛିନ୍ନ କରି ଦେଖେ ବୋଲି ସେ ଏଡ଼େ ଅଧୈର୍ଯ୍ୟ ହୋଇପଡ଼େ । ଏହି ଅବିନ୍ୟସ୍ତ ବିଚ୍ଛିନ୍ନତାରୁ ବଞ୍ଚିବା ଉଦ୍ଦେଶ୍ୟରେ ସେ ଆପଣାଲାଗି ଘର ତିଆରି କରେ, ଆପଣାଲାଗି ନିରାପଦ ଥାନଟିଏ ମହଜୁଦ ରଖିବା ପାଇଁ ସେ ଉପରେ ଛାତ ଓ ଚାରିପାଖରେ ଚାରିକାନ୍ଥ ଦେଇ ତାହାକୁ ହିଁ ଘର ବୋଲି କହେ । ଅରଣ୍ୟକୁ ଭୟ କରି ଆଗେ ଆଦିମ ମଣିଷ ଗୁହାରେ ଆଶ୍ରୟ ନେଉଥିଲା । ଯେତେ ବେଶୀ ସଭ୍ୟ ହୋଇଥିଲେ ମଧ୍ୟ ବର୍ତ୍ତମାନର ଭୟାଳୁ ମଣିଷ ଆପଣାର ଗୃହରେ ତଥାପି ସେହି ଆଦିମ ଗୃହର ସତ୍ତାବଶେଷକୁ ସାଇତି ରଖିଚି । ତେଣୁ ସବୁରି ସହିତ ସଂଯୁକ୍ତ ହେବାଲାଗି ତା’ର ପ୍ରାଣ ଯେତେ ଅଥୟ ହେଲେ ମଧ୍ୟ ତା’ର ଆଚରଣ ତାକୁ ସବୁରିଠାରୁ ପ୍ରଧାନତଃ ବିଚ୍ଛିନ୍ନ କରି ରଖିଚି । ତା’ର ଗୃହ ଗୁହା ହୋଇ ତାହାକୁ ନିରାପଦ ହୋଇ ରହିବାର ମିଛ ସାନ୍ତ୍ଵନା ଦେଉଚି ମାତ୍ର ।

 

ଅରଣ୍ୟରେ ଆସି ରହିବାର ପ୍ରାୟ ଦୁଇବର୍ଷ ପରେ ମୁଁ ଭାବୁଚି, ଅରଣ୍ୟକୁ ଆସି ହିଁ ଆମର ଭୟ ଛାଡ଼ିଯାଇଚି । ଏଠାରେ ପ୍ରଥମେ ପ୍ରଥମେ ପଦପଦକେ ଭୟ ଲୁଚି ରହିଥିଲା । ପ୍ରତି ବୁଦା ନଟୀର ଆଢ଼ୁଆଳରେ ବାଘ ଛପି ରହିଥିଲା, ପହୁଣ୍ଡ ପହୁଣ୍ଡକେ ଆମକୁ ଭୟ ଖାଇ ଗୋଡ଼ାଉଥିଲା । ସେତେବେଳେ ବୋଧହୁଏ ଆମେ ଅରଣ୍ୟକୁ ଆପଣାର କରି ପାରି ନଥିଲୁ । ଏଠିକାର ଆକାଶ ଓ ପର୍ବତ ଆମର ଚିହ୍ନା ହୋଇ ନଥିଲା । ଅରଣ୍ୟ ଆଉ ଆମ ଭିତରେ ସ୍ନେହପରିଚୟର ତ୍ରାସଶୂନ୍ୟ ଅବସର ଯୋଗାଇଦେବା ଲାଗି ଆଜି ବନ୍ୟଜନ୍ତୁ ଏଠାରୁ ଅନେକ ଦୂରକୁ ଚାଲିଗଲେଣି । ଏଠାରେ ପରିବ୍ୟାପ୍ତ ହୋଇ ରହିଥିବା ସୌନ୍ଦର୍ଯ୍ୟକୁ ଚିହ୍ନିବା ସଙ୍ଗେ ସଙ୍ଗେ ଆମ ଭିତରୁ ମଧ୍ୟ ସମସ୍ତ ହିଂସ୍ରତା କୁଆଡ଼େ ଅପସରି ଯାଉଚି । ଭିତରେ ଲୁଚି ରହିଥିବା ହିଂସ୍ରତା ହେଉଛି ଆମ ଜୀବନରେ ରହିଥିବା ଅନେକ ଭୟର ଜନନୀ । ଏହି ଆକାଶ, ଏହି କଅଁଳିଆ ପତର ଆଉ ଫୁଲର ଚିକ୍‍କଣ ତରଙ୍ଗମୟ ପ୍ରସାର, ଏଠିକାର ସଞ୍ଜ ଆଉ ସକାଳ-ସବୁ ମିଶି ଆମର ହିଂସ୍ରତାକୁ ସଜାଡ଼ି ଦେବାରେ ଓ ସୁଧାରି ନେବାରେ ଭାରି ସାହଚର୍ଯ୍ୟ ହେଉଚନ୍ତି । ଭୋର ତିନିଟାବେଳୁ ଉଠି ଆମ ଭିତରୁ କେତେକ ଭାଇ ସୂତା କାଟି ବସୁଚନ୍ତି, ସାଢ଼େ ଚାରିଟା ବେଳର ପ୍ରାର୍ଥନା ପାଇଁ ଏପରି ଏକ ଶୁଦ୍ଧ ଗୁଞ୍ଜନର ମଙ୍ଗଳାଚରଣ ସତେ ଯେପରି ଏଠାରେ ବିଦ୍ୟାର୍ଥୀର ମନକୁ ପ୍ରସ୍ତୁତ କରିଦେଇ ଯାଉଚି । ପ୍ରାର୍ଥନା ପରେ ପରେ ଆମେ କେତେଜଣ ବାରଣ୍ଡାରେ ବସି ଭଜନଗାନ ଅଭ୍ୟାସ କରୁଚୁ । ଆମରି ଆଖି ଆଗରେ ପ୍ରାୟ ପ୍ରତ୍ୟେକଦିନ ପୂର୍ବଦିଗର ନିସ୍ତବ୍‍ଧ ରକ୍ତାଭ ପୀଠିକା ଉପରେ

 

ରାତ୍ରି ତା’ର ତପସ୍ୟା ଉଦ୍‍ଯାପନ କରିଦେଇ ଯାଉଚି । ଏହି ଉଦ୍‍ଯାପନ ଉତ୍ସବର ପ୍ରତ୍ୟେକଟି ସୋପାନକୁ ଅନୁଭବ କରିବାର ଅଭିନବ ଅବସର ମଧ୍ୟ ଆମକୁ ମିଳୁଚି । ଯିଏ ସବୁଦିନ ଏହିପରି ଭାବରେ ତା’ର ଦିନ ଆରମ୍ଭ କରୁଥିବ, ଆକାଶ ଜଳେ ଜୀବନର ଭାରକୁ ଅଜାଡ଼ି ଦେଇ ପୁଣି ସକାଳେ ସେହି ଆକାଶତଳୁ ଜୀବନ ବଞ୍ଚିବାର ମୁକ୍ତି ସାଉଁଟି ନେବାର ସୌଭାଗ୍ୟ ଯାହାର ହେଉଥିବ, ସଂସାରରେ ସିଏ ଭୟ କରିବ କାହିଁକି, ସେ ପୁଣି ହିଂସ୍ର ହେବ କାହିଁକି ? ଆମ ଅରଣ୍ୟରେ ନାନାପ୍ରକାର ବୈଷୟିକ ଦୁର୍ଦ୍ଦଶା ଲାଗିରହିଚି । ଘର ନାହିଁ, ପାଣି ନାହିଁ, ସଫା ଧୋଇ ସଫା ପିନ୍ଧିବା ଲାଗି ଆମ ପାଖରେ ଯଥେଷ୍ଟ ଲୁଗା ନାହିଁ, ଏଠିକାର କାର୍ଯ୍ୟକ୍ରମରେ ରୀତିମତ ଗୋଟାଏ ଇସ୍କୁଲର ବାତାବରଣ ଆଣି ଖଞ୍ଜିଦେବାକୁ ଆମର ଯଥେଷ୍ଟ ଶିକ୍ଷକ ନାହାନ୍ତି । ଆମେ ସଭ୍ୟତାଠାରୁ ଅନେକ ଦୂରରେ ରହିଚୁ । ବାହାରକୁ ଦେଖିବାବେଳକୁ ଆପଣାକୁ ୟା’ସହିତ ତା’ସହିତ ତୁଳନା କରି ଆମର ଅନେକ ହିତାକାରୀ ଗୁରୁଜନ ଅତି ନିଷ୍ଠାପର ଭାବରେ ନିରାଶ ଓ ବିରକ୍ତ ମଧ୍ୟ ହୋଇ ପଡ଼ୁଚନ୍ତି । ତଥାପି ମୁଁ କହିବି, ଆମ ସମସ୍ତଙ୍କର ଅନୁଭବ କରିବାର ଶକ୍ତି ଯଥେଷ୍ଟ ବଢ଼ିଚି । ଅନୁଭୂତିର ମାର୍ଗ ଦେଇ ଆମେ ପ୍ରତ୍ୟେକ ଆପଣାର ପରିଚୟ ପାଇବାର ଅଧିକ ନିକଟବର୍ତ୍ତୀ ହୋଇଚୁ । ମଣିଷର ଦୁଃଖ, ମଣିଷର ସୁଖ, ମଣିଷର ହୁଡ଼ିବା ବା ଉଡ଼ିବାକୁ ଆମେ ମଣିଷ-ଜୀବନର କେବଳ କେତେଟା ମାମୁଲି Category ହିସାବରେ ନୁହେଁ, ଆମ ଆପଣାର ଦୁଃଖ, ସୁଖ, ହୁଡ଼ିବା ବା ଉଡ଼ିବାପରି ଅନୁଭବ କରିବାଲାଗି ଅନେକ ଖାଦ୍ୟ ଆମେ ଏହି ଅରଣ୍ୟରେ ପାଇଚୁ । ଏହି ଅନୁଭୂତିର ସଂଯୋଗସୂତ୍ର ଆମେ ଏହି ଅରଣ୍ୟର ପ୍ରସାଦରୁ ହିଁ ପାଇଚୁ-। ଏହି ଅରଣ୍ୟ ଆମକୁ ନିର୍ଭୟ କରିଚି । ଖାଲି ଗୁରୁଗମ୍ଭୀର ଶିକ୍ଷକ ଓ ସହଜବାଧ୍ୟ ଛାତ୍ର ହିସାବରେ ନୁହେଁ, ଏଠାରେ ପରସ୍ପରର ସାହାଯ୍ୟକାରୀ ସଖା ହୋଇ ବାଟ ଚାଲିବାର ଅନେକ ପ୍ରେରଣା ଆମ ପ୍ରତ୍ୟେକଙ୍କୁ ଏହି ଅରଣ୍ୟରୁ ମିଳିଚି । ଏଇଠି ପରସ୍ପରର ସଖା ହୋଇ ରହିବାର ଉଦ୍ୟମ ଭିତରେ ଜୀବନରେ ବା ସଂସାରରେ ସବୁରି ସଖା ହୋଇ ପାରିବାର ବାସନା ଆମକୁ ଦିନକୁଦିନ ଅଧିକ ନିର୍ଭୟ ହେବାରେ ଭାରି ସାହାଯ୍ୟ କରିଚି । ବେଦରେ ଉଚ୍ଚାରିତ ହୋଇଥିବା ନିର୍ଭୟତାର ମନ୍ତ୍ରକୁ ଆପଣା ଜୀବନରେ ଅନୁଭବ କରିବାର ବା ଦେଖିପାରିବାର ଅନେକ ଶଙ୍କାହୀନ ଅବସର ଏହି ଅରଣ୍ୟ ଆମକୁ ଯୋଗାଇ ଦେଇଚି । ପୃଥିବୀ ଆକାଶକୁ ଭୟ କରୁନାହିଁ କି ଆକାଶ ପୃଥିବୀକୁ ଭୟ କରୁନାହିଁ, ଦିନ ରାତ୍ରିର ଭୟ କରୁନାହିଁ କି ରାତ୍ରି ଦିନକୁ ଭୟ କରୁନାହିଁ । ବର୍ଷ ମାସକୁ ଭୟ କରୁନାହିଁ କି ମାସ ବର୍ଷକୁ ଭୟ କରୁନାହିଁ, ତେବେ ମୋର ପ୍ରାଣ ମଧ୍ୟ କାହିଁକି ନିର୍ଭୟ ହୋଇ ନ ପାରିବ ? ନୂତନ ଜନ୍ମର ସମ୍ଭାବନାରେ ଲାଲ ହୋଇ ଉଠିଥିବା ମନ୍ଦରଗିରିର ଶିଖାରଧାରରେ ପ୍ରତ୍ୟେକ ଦିନ କେଉଁ ପରିଚିତ ନୂତନ ସଖାର ଭ୍ରୂଲତା ସହିତ ଭ୍ରୂଲତା ମିଳାଇବା ବେଳେ ବାରବାର ଆପଣାକୁ ଏହି ପ୍ରଶ୍ନ ପଚାରିବାର ଏକ ଅଦ୍‍ଭୁତ ପ୍ରେରଣା ଆମକୁ ମିଳିଚି । ଏହି ପ୍ରେରଣା ଆମ ଜୀବନରେ ଅନେକ ଶାନ୍ତି ଓ ଅନେକ ଆନନ୍ଦ ଦେଇଯାଇଚି । ଏହି ଅନୁଭୂତିମୂଳ ସାକ୍ଷାତରେ ସତେଅବା ଆମର ଅନେକ ଦିନର ଜ୍ଞାନାନୁସରଣ ତା’ର କାମ୍ୟ ବସ୍ତୁକୁ ଆବିଷ୍କାର କରିପାରିଚି ।

 

ଶିକ୍ଷାକୁ ଅନୁଭୂତିମୂଳ କରିବା ଯେଉଁ ଶିକ୍ଷାଳୟର ସର୍ବପ୍ରଧାନ ଉଦ୍ଦେଶ୍ୟ ହୋଇ ରହିବ, ସେଠି ଶିକ୍ଷାକ୍ରମରୁ ଅନେକ ରୁଟିନକୁ ବାଦ୍ ଦେବାକୁ ପଡ଼ିବ । ଯେଉଁଠାରେ ବୁଦ୍ଧିକୁ ପେଡ଼ି ଛାତ୍ରର ଯୋଗ୍ୟତା ନିର୍ଣ୍ଣୟ କରାଯାଏ, ସେହିଠାରେ ହିଁ ରୁଟିନ୍‍ଟା ଅତ୍ୟାବଶ୍ୟକ ହୋଇପଡ଼େ । ମଣିଷକୁ ଯନ୍ତ୍ର ବା ବାଧ୍ୟ କରିବାଲାଗି ରୁଟିନ୍ ନହେଲେ ଚଳିବ କିପରି ? ଯେଉଁ ସମାଜରେ ବୟସ୍କ ତା’ର ସମସ୍ତ ସ୍ଵୀକୃତ ବିଜାରକୁ ପିଲାର କୋମଳ ମନ ଉପରେ ଲଦିଦେବାକୁ ଚାହେ, ସେଠି ମଧ୍ୟ ରୁଟିନ୍ ଲଦିବା ଭାରି କାମ ସିଏ । ଆମ ଦେଶର ଅନେକ ନବୀନ ତଥା ପ୍ରବୀଣ ଶିକ୍ଷାତନରେ ଏହାର ଦୃଷ୍ଟାନ୍ତମାନ ଦେଖିବାକୁ ମିଳିବ । ଆମ ସମାଜରେ ନିତିଦିନ ଚାଲିଥିବା ଜୀବନ-ବ୍ୟାପାରରେ ଏହାର ଅନେକ ସୂଚନା ଆମେ ପାଇପାରିବା । ରୁଟିନର ବିମୂଢ଼ ଆଶ୍ରୟ ନେବା ଫଳରେ ଆମ ଦେଶର ପିଲାଙ୍କର ଆଉ କଣସବୁ ହୋଇଚି, ତାହା ଶିକ୍ଷାମଣ୍ଡପର ପଣ୍ଡିତସଭା ହିଁ ବିଚାର କରିବ । ତଥାପି ମୁଁ ଖାଲି ଏତିକି କହିବି ଯେ ଅତିରିକ୍ତ ରୁଟିନ୍ ଜାରି କରି ପିଲାକୁ ଠିକ୍ ମନୋମତ କରି ଗଢ଼ିବାର ମନ୍ଦ ଉତ୍ସାହ ଫଳରେ ଏହି ଦେଶର ସମାଜରେ ଓ ଶିକ୍ଷାୟତନରେ ଅନେକ ଭୟ ପୂରାଇ ଦିଆଯାଇଚି । ଏହି ଭୟର ବ୍ୟାପକତା ଯେତିକି ବଢ଼ୁଚି, ଆମ ଦେଶର ଛାତ୍ର ସେତିକି ଆତ୍ମବିଶ୍ଵାସ ହରାଇ ବସୁଚି, ଚିରାଚରିତ ସମାଜରୀତିକୁ ସେ ସେତିକି ଶାନ୍ତ ଓ ଉଦାସୀନ ସୁନାପୁଅ ପରି ସ୍ଵୀକାର କରିନେଉଚି । ଏ ସମାଜ ଯେ କେବେ ସୁନ୍ଦର ହେବ, ଏହି ସମ୍ଭାବନା ସେତିକି ସେତିକି କମିଯାଉଚି । ଏ ମଣିଷ ବା ଦେଶ ଯେ କେବେ ସମ୍ମାନିତ ଓ ଶ୍ରୀଯୁକ୍ତ ହେବ, ସେହି ସ୍ଵପ୍ନ ସେତିକି ସେତିକି ସୁଦୂରପରାହତ ହୋଇ ରହୁଚି ।

 

ଆମ ସମାଜରେ କେତେ କେତେ ଅଦ୍‍ଭୁତ ରକମର ଭୟମାନ ପୂର୍ଣ୍ଣ ହୋଇ ନ ରହିଚି, ଆମର ବିଦ୍ୟାଳୟଗୁଡ଼ାକ ବି ଆମ ସମାଜର ଅନୁରୂପ ହୋଇଚି । ସବୁଠାରେ ଅପରିମିତ ଶାସନର ରଜ୍ଜୁ ବିସ୍ତାର କରି ସମାଜର ବୟସ୍କ ମନ ଶିଶୁକୁଳକୁ କହୁଚି, ‘ଆଗ ତୁ ମୋତେ ଭୟ କର, ତେବେଯାଇ ତୁ ସବୁ ପାଇବୁ । ତୁ ମୋର କଥା ମାନ, ତେବେ ନିରାପଦରେ ବାଟ ଚାଲିପାରିବୁ । ଯୋଉ ବାଟରେ ମୁଁ ଆସିଚି, ତୁ ଠିକ୍ ସେହି ବାଟରେ ଆ, ତେବେ ମୁଁ ତୋତେ ଭଲ ଓ ବୁଦ୍ଧିମନ୍ତ ପିଲା ବୋଲି କହିବି ।’ ଆମ ଦେଶର ପାଠପଢ଼ା, ବୁଦ୍ଧି, ଭଲ ବା ମନ୍ଦ ହେବା ଆଉ ଜୀବନବିଜ୍ଞାନର ଅନ୍ତର୍ଗତ ହୋଇ ରହିନାହିଁ । ବୟସ୍କର ସ୍ଵେଚ୍ଛାଚାରୀ ଦୃଷ୍ଟି ଭିତରେ ଏହା ସଙ୍କୁଚିତ ହୋଇ ପଡ଼ିରହିଚି । ଆମ ପିଲାଦିନେ ହାଇସ୍କୁଲର ମାଷ୍ଟରମାନେ ଆମକୁ ଏହିପରି ଆଜ୍ଞାଧୀନ କରି ରଖୁଥିଲେ । ସେମାନେ ଯାହା ଘୋଷାଉଥିଲେ ଆମେ ତାହାକୁ ହିଁ ଘୋଷି ରଖୁଥିଲୁ । ସେମାନେ ଯାହାକୁ ଭଲ ବୋଲି କହୁଥିଲେ, ଆମେ ତାହାକୁ ହିଁ ଭଲ ବୋଲି ମାନି ନେଉଥିଲୁ । ଯଦି ପଛକୁ ବାଳ କୁଣ୍ଡାଇବା ମାଷ୍ଟରଙ୍କ ଆଖିକୁ ଭଲ ନ ଦିଶିଲା, ତେବେ ଇସ୍କୁଲର ପିଲାଙ୍କଲାଗି ପଛକୁ ବାଳ କୁଣ୍ଡାଇବା ମନା ହୋଇ ଯାଉଥିଲା । ଯଦି ଜୋତା ମାଡ଼ିବାଟାକୁ ମାଷ୍ଟର ଅବାଧ ହେବାର ସନ୍ତକ ବୋଲି ବିଚାରୁଥିଲେ, ତେବେ ସେହି ସ୍କୁଲରେ ଜୋତା ମାଡ଼ିବା ନିଷିଦ୍ଧ ହୋଇ ଯାଉଥିଲା । କୋଉ ପିଲା ଯଦି କୋଉ ସଭା ବା ଶୋଭାଯାତ୍ରାରେ ଯୋଗ ଦେଉଥିଲା, ତେବେ ଅକସ ରଖି ମାଷ୍ଟର ଅନେକ ସମୟରେ ପରୀକ୍ଷାବେଳେ ସେହି ପିଲାକୁ ଫେଲ୍ କରାଇ ଦେଉଥିଲେ । ଆମର ପଢ଼ିବା ସମୟ ପନ୍ଦର ବରଷ ହେଲା ଅତୀତ ହୋଇଗଲାଣି । ତଥାପି ଆଜି ଏ ସ୍ଵାଧୀନ ଦେଶରେ ମଧ୍ୟ ସହସ୍ର ଅଧୀନତା ଓ ଅକିଞ୍ଚନତାର ଅଙ୍କୁଶଶାସନରେ ନିତି ପିଲାର ଶରୀର, ମନ ଓ ବୁଦ୍ଧି ଉତ୍ପୀଡ଼ିତ ହେବାରେ ଲାଗିଚି । ଏହି ଦେଶରେ ନୂଆ କିଛି ହେଉ, ଉପରେ ଅର୍ଥାତ୍ ବକ୍ତୃତାମହଲରେ ବଡ଼ ନେତାମାନେ ଏକଥା ଯେତିକି ବଖାଣି ଚାଲିଚନ୍ତି; ତଳେ ଅର୍ଥାତ୍ ନୂଆ ହେବାର ଯାବତୀୟ ପ୍ରସ୍ତୁତିର କ୍ଷେତ୍ରରେ ମଣିଷକୁ ପୁରୁଣାକୁ ଛାଡ଼ି ନ ଯିବାର ସେତିକି ଧମକ ଦେଖାଯାଉଚି । ସମାଜରେ ଦାରିଦ୍ର୍ୟ ରହିଚି, ଦୁଃଖ ରହିଚି, ଅନ୍ୟାୟ ଓ ଅବିଚାର ରହିଚି, ଦଳେ ଲୋକଙ୍କର ଆଡ଼ମ୍ବର ଲାଗି ଆହୁରି ଅନେକ ମଣିଷଙ୍କୁ ରାତ୍ରିଅନ୍ଧାରର ପଶୁଅଡ଼ା ଭିତରେ ନାନା କୌଶଳ କରି ରଖାଯାଇଚି, ତଥାପି ସେଇ ପୁରୁଣାକୁ ଥାଇତି ରଖିବାଲାଗି ଆମର ବିଦ୍ୟାଳୟରେ ଯଦି ସେହି ବୃଦ୍ଧ ଉଦବୋଧନ ଦିଆଯାଉଥିବ, ତେବେ ଏହାକୁ ଏକ ଅସାମାଜିକ ଧୃଷ୍ଟତା ବ୍ୟତୀତ ଆଉ କଣ କୁହାଯାଇ ପାରିବ ?

 

ମାସକ ପରେ ନୂଆ ବର୍ଷ ଆରମ୍ଭ ହେବ । ସେଥିଲାଗି ନୂଆ ଶ୍ରେଣୀରେ ନାମ ଲେଖାଇବାକୁ ନାନାଆଡ଼ୁ ପିଲାମାନଙ୍କର ଚିଠି ଆସିଲାଣି । ତହିଁରୁ କେତୋଟି ଚିଠିର କଥା ଭାବିଲାବେଳକୁ ମୋ’ ଭିତରେ ରହିଥିବା ଶିକ୍ଷକ ଲଜ୍ଜିତ ହୋଇ ପଡ଼ୁଚି । ଦେଶରେ ଚାଲିଥିବା ତଥାକଥିତ ମୌଳିକ ସ୍କୁଲମାନଙ୍କରୁ ଏହି ଚିଠିମାନ ଆସିଚି । ହୁଏତ ପିଲାମାନଙ୍କୁ ଏହିପରି କାଇଦାରେ ଚିଠି ଲେଖିବାକୁ ଶିକ୍ଷକମାନେ ପରାମର୍ଶ ଦେଇଚନ୍ତି । ‘ମୁଁ’ ବୋଲି ଲେଖିବାକୁ ଯେପରି ଏହିସବୁ ଚିଠିରେ ବାରଣ କରି ଦିଆଯାଇଚି । ‘ଅଧୀନ’ ଶବ୍ଦଟାର ଅତିରିକ୍ତ ବ୍ୟବହାର ଚିଠିଗୁଡ଼ାକ ବଡ଼ ଅସ୍ଵାଭାବିକ କରି ପକାଇଚି । ଆମ ଦେଶରେ ଅନେକ ବାବାଜୀ ଆପଣାର ଅହଂକାରଟାକୁ ଘୋଡ଼ାଇ ରଖିବାର ମତଲବରେ ‘ମୁଁ’ ସ୍ଥାନରେ ତୃତୀୟ ପୁରୁଷର ବ୍ୟବହାର କରନ୍ତି । ‘ମୁଁ ଖାଇଲି’ ବା ‘ମୁଁ ରାଗିଲି’ ବୋଲି ନ କହି ସେମାନେ ଅତି ଯତ୍ନ ସହକାରେ ‘ବାବାଜୀ ଖାଇଲା’ ବା ‘ବାବାଜୀ ରାଗିଲା’, ବୋଲି କହିଥାନ୍ତି । କଥାର ଚୂନଧଉଳାରେ ଅହଙ୍କାର କେତେଦୂର ମରେ, ସେକଥା ମୁଁ କହି ପାରିବି ନାହିଁ; କିନ୍ତୁ ମଣିଷ ଗଢ଼ିବାର ଶିକ୍ଷାରେ ଆପଣାକୁ ହୀନ ଅକିଞ୍ଚନ କରି ଦେଖାଇବାର ଅଭିନୟ ଆଦୌ ଶୋଭା ପାଏ ନାହିଁ । ଜଣେ ପିଲା ପୁଣି ଆପଣାର ଚିଠିରେ ମୋତେ ‘ଧର୍ମାବତାର’ ବୋଲି ସମ୍ବୋଧନ କରି ପକାଇଚି । ପିଲାଟି ମୋତେ ଆଗରୁ କେବେହେଲେ ଦେଖିନାହିଁ । ମୁଁ ମଧ୍ୟ ତାକୁ କେବେହେଲେ ଦେଖି ନାହିଁ । ତଥାପି ସେ ଯେଉଁ ଅନୁଷ୍ଠାନର ଛାତ୍ର ହିସାବରେ ଏଠାକୁ ଆସିବାକୁ ଚାହୁଚି, ସେହି ଅନୁଷ୍ଠାନର କର୍ତ୍ତା ହିସାବରେ ମୋତେ ବିଚାର କରିବା ବ୍ୟତୀତ ଅନ୍ୟ ଭାବନା ହୁଏତ ତା’ର ମନରେ ସ୍ଥାନ ପାଇ ପାରିନାହିଁ । ମୁଁ ଯେ ଗୋଟାଏ ମଣିଷ, ମୁଁ ଯେ ଦିନେ ପିଲା ଥିଲି, ମୋର ସେ ସାନଭାଇ ଅଛନ୍ତି, ଏସବୁ କଥା ଭାବିବାକୁ ସେ ଦୁର୍ବଳତା ବୋଲି ଭାବିଚି ଓ ଭୁଲିଯାଇଚି । ଛାତ୍ର ଓ ଶିକ୍ଷକ ଭିତରେ ଏପରି ବ୍ୟବହାର ପୃଥିବୀର ଆଉ କେଉଁ ଦେଶରେ ରହିଚି, ସେକଥା ମୋତେ ଜଣା ନାହିଁ । ଜଙ୍ଗଲସ୍କୁଲର ଶିକ୍ଷକ ଛାତ୍ରର ସାଥୀ ହୋଇ ରହିବାକୁ ଚାହେ, ସମସ୍ତ ପାଠ ଓ ପରୀକ୍ଷାର ଆୟତନ ଡେଇଁ ଛାତ୍ରର ହୃଦୟ ଭିତରେ ସେ ଅନ୍ତରଙ୍ଗ ହୋଇ ରହିବାକୁ ଚାହେ । ଏ ଦେଶର ପ୍ରତ୍ୟେକ ଛାତ୍ର ଶିକ୍ଷକକୁ ତାହାର ସାଥୀ ବା ବଡ଼ଭାଇ ବୋଲି ମନେ କରୁ, ଜଙ୍ଗଲସ୍କୁଲର ଶିକ୍ଷକ ଠିକ୍ ଏହାହିଁ ଚାହେ । ଅଧିକ ପାଠ ପଢ଼ିଥିବାର ବା ଅଧିକ ପୋଷାକ ପିନ୍ଧିଥିବାରୁ ମିଛ ପରାକ୍ରମ ଦେଖାଇ ସେ କୌଣସି ଛାତ୍ରକୁ ହୁରୁଡ଼ାଇ ଦେବାକୁ ଚାହେ ନାହିଁ । ପୃଥିବୀରେ ଆଜି ଯେତେ ଯେଉଁଠି ଭୟର ଆତଙ୍କ ସୃଷ୍ଟି କରାଯାଉଚି, ବୁଦ୍ଧିକୁ ବାଡ଼େଇ ବାଡ଼େଇ ଯେଉଁଠି ହୃଦୟକୁ ଦନ୍ଥରା କରି ଦିଆଯାଉଚି, ସେଠାରେ ସକଳ ଶିକ୍ଷାର ଶାସନତଳେ ଯେ କେବଳ ଦୁଷ୍ଟ ବୟସ୍କର ଅତ୍ୟାଚାର ଚାଲିଛି, ସେଠି ଯେ ନୂତନ ଓ ସୁନ୍ଦରର ବାଟକୁ ବନ୍ଦ କରି ରଖାଯାଇଚି, ଦେଶର ଶିକ୍ଷାମଣ୍ଡପରେ ନିର୍ଭୟ ହୋଇ ସେକଥା ଘୋଷଣା କରିବାକୁ ଏହି ଅରଣ୍ୟ କଦାପି ପଛାଇଯିବ ନାହିଁ ।

 

–ଚବିଶି–

 

ଆମ ଜଙ୍ଗଲରେ ଆଜି ଦିନଟି ଅତି ପବିତ୍ର । ଠିକ୍ ଦୁଇବର୍ଷ ତଳେ ଆଜି ଅନୁଗୁଳଠାରେ ଆମ ବିଦ୍ୟାଳୟର ଉଦ୍‍ଘାଟନ ହୋଇଥିଲା । ସେଦିନ ଏହି ଜଙ୍ଗଲ ସହିତ ଆମର ପରିଚୟ ହୋଇ ନଥିଲା । ଏଠିକାର ଫୁଲ, ପତର ଆଉ ଆକାଶ ଭିତରେ ଏତେ ମାଧୁରୀ ଅଛି ବୋଲି ସେତେବେଳେ ଆମକୁ ଜଣା ନ ଥିଲା । ମଣିଷ ଯାହାକୁ ଆପଣାର କରିପାରେ, ଯାହା ସହିତ ଡୋର ଲଗାଇ ଦେଇପାରେ, କେବଳ ତାହାରି ଭିତରୁ ସେ ମାଧୁରୀର ଆବିଷ୍କାର କରିପାରେ । ମାଧୁରୀ ବସ୍ତୁରେ ନାହିଁ, କି ମାଧୁରୀ ଦେଖଣାହାରୀର ଆଖିଭିତରେ ମଧ୍ୟ ନାହିଁ । ମାଧୁରୀ ରହିଚି ଏଇ ସମ୍ବନ୍ଧରେ, ଡୋର ବାନ୍ଧିବାର ଏହି ଜୀବନଲୀଳାରେ, ଏହି ସମ୍ବନ୍ଧଟିକୁ ହୃଦୟ ଦେଇ ଅନୁଭବ କରିବାରେ । ଯୋଉଦିନ ଧୋବଲୁଗା ପିନ୍ଧି ଆମେ ଦଳେ ମଣିଷ ଏହି ଜଙ୍ଗଲ ଭିତରେ ପ୍ରବେଶ କଲୁ, ସେଦିନର କଥା ଆଜି ବି ମନେ ପଡ଼ୁଛି । ଜଙ୍ଗଲକୁ ଦେଖି ସେଦିନ ଭାରି ଡ଼ର ମାଡ଼ୁଥାଏ । ସବୁଠିଁ ଯେପରି ଆମର ଭୀରୁ ବିଦେଶୀ ମନଟା ବାଘ ବା ଭାଲୁ ଦେଖି ଶଙ୍କିତ ହୋଇ ଉଠୁଥାଏ । ଏହି ଜଙ୍ଗଲକୁ ଜୟ କରିବାକୁ ହେବ, ଟାଙ୍ଗିଆରେ ଏଠିକାର ବଣବୁଦା କାଟି ପରିଷ୍କାର କରିଦେବାକୁ ହେବ, ଏଠାରେ ଆମ ଲାଗି ବାସ ତିଆରି କରିବାକୁ ହେବ, ସେଦିନ ପ୍ରଧାନତଃ ଏହିପରି ଏକ ଅଭିମାନ ଆମକୁ ନିଶା ଖୁଆଇ ରଖିଥାଏ । ତା’ପରେ ପ୍ରାୟ ମାସେ ପର୍ଯ୍ୟନ୍ତ ଗୋଟାଏ ଭୀମକାୟ ଯନ୍ତ୍ର ଏଠାକୁ ଆସି ଗଛ ଉପାଡ଼ିଲା, ମାଟି ତାଡ଼ିଲା, ଜଙ୍ଗଲଟାଯାକ ତା’ର ବିକଟ ଗର୍ଜନରେ ଉଠିଲା ପଡ଼ିଲା । ତା’ପରେ ଅସ୍ଥାୟୀ ଘର କେତେ ବଖରା କରି ଆମେ ଏଠାରେ ରହିବାକୁ ଆସିଲୁ । ଘର କରି ରହିବା ପରେ କ୍ରମେ ମାୟା ଲାଗିଲା, କ୍ରମେ ଡୋର ବାନ୍ଧି ହୋଇଗଲା । କୋଉଠି କୋଉ ଫୁଲଗଛ ଲଗାଯିବ, କୋଉଠି ଆମେ ସୋପାନ କରିବା ବା କୋଉଠି ଲୁଗା ଶୁଖାଇବା, ଏହିପରି ନାନା ଶ୍ରଦ୍ଧାପ୍ରସୂତ କଳ୍ପନାମାନ କ୍ରମେ ଆମକୁ ଏହି ଜାଗାଟି ସହିତ ବାନ୍ଧି ପକାଇଲା । ସେହି ଶ୍ରଦ୍ଧା ଏଠିକାର ସବୁ ଜିନିଷରେ ମାଧୁରୀ ଭରିଦେଲା । ଅଣଓସାରିଆ ପିଣ୍ଡାଖଣ୍ଡକ ଲିପା ହୋଇ ସେଇଠାରେ ଆମର ଆନନ୍ଦ-ବୈଠକମାନ ବସିଲା । ସେଇ ପିଣ୍ଡାରେ ଗଣେଶପୂଜା ବି ହେଲା, ସେଇଠି ଗତବର୍ଷ ଆମେ ଅତି ଆଗ୍ରହରେ ଅଗଷ୍ଟ ଛବିଶିର ଉତ୍ସବ ପାଳନ କରିଥିଲୁ । ଅନଗୁଳ ବାଜିରାଉତ ଛାତ୍ରାବାସର ଶିକ୍ଷକ ଓ ଛାତ୍ର-ପ୍ରତିନିଧିମଣ୍ଡଳ ସେଦିନ ଆମ ଆନନ୍ଦରେ ଯୋଗ ଦେବାଲାଗି ଏଠାକୁ ଆସିଥିଲେ । ଯେତେ ନିରାଡ଼ମ୍ବର ଓ ସରଳ ଭାବରେ ପାଳନ କରାଯାଇଥିଲେ ମଧ୍ୟ ଦୁଇ ଘରର ସମ୍ମିଳିତ ସରାଗରେ ସେଦିନର ଉତ୍ସବଟି ଆମ ସମସ୍ତଙ୍କ ଲାଗି ଯେପରି ଅଶେଷ ଆଶୀର୍ବାଦର ସମ୍ପଦ ଅଜାଡ଼ି ଦେଇଗଲା । ଐତରେୟ ବ୍ରାହ୍ମଣରୁ ‘ଚରୈବେତି’ ମନ୍ତ୍ରୋଚ୍ଚାରଣ ସେଦିନ ଆମ ସମସ୍ତଙ୍କୁ ଅଭିଭୂତ କରି ରଖିଥିଲା, ଆମ ଲାଗି ଆମ ବିଦ୍ୟାଳୟର ସର୍ବପ୍ରଧାନ ଆହ୍ଵାନ ଦେଇଯାଉଥିଲା ।

 

ବରଷକ ପରେ ପିଲାମାନେ ବସି ଠିକ୍ କଲେ ଏଥର ଅଗଷ୍ଟ ଛବିଶକୁ ଟିକିଏ ଅଧିକ ପ୍ରସାରିତ ଭାବରେ ପାଳନ କରିବା । କେତେଦିନ ପୂର୍ବରୁ ମୁଁ କୁଆଡ଼େ ଯାଇଥିଲି, ଉତ୍ସବର ଦିନକ ପୂର୍ବରୁ ଆସି ପହଞ୍ଚିଲି । ନାନାପ୍ରକାର ପ୍ରସ୍ତୁତିରେ ବିଦ୍ୟାଳୟର ଚେହେରା ବଦଳି ଯାଇଥିଲା । ମନର ଆନନ୍ଦରେ ସବୁରି ମୁଖମଣ୍ଡଳର ଚେହେରା ବି ବଦଳି ଯାଇଥିଲା । ଦୁଆରେ ମାଟି ପଡ଼ି ଉଚ୍ଚ ହୋଇଥିଲା, ଛାଇ କରିବା ଲାଗି ଛାମୁଡ଼ିଆ ହୋଇଥିଲା । ଘର ପିଣ୍ଡା ଓ ଦୁଆର ଲିପାହୋଇ ରହିଥିଲା । ଛବିଶି ତାରିଖ ଦିନ କାଉ କାଆ କରିବା ଆଗରୁ ଆମର ମଙ୍ଗଳ ବୈତାଳିକ ଆରମ୍ଭ ହେଲା । ‘ଆମ ପାଠଶାଳା, ନିଜ ହାତେ ଗଢ଼ା’ ଗୀତଟି ଗାଇ ଗାଇ ଆମେ ବିଦ୍ୟାଳୟର ପ୍ରଦକ୍ଷିଣ କଲୁ । ସମ୍ଭାବନାସମୃଦ୍ଧ ସେଦିନର ସକାଳଟି ପରି ଆମ ସମସ୍ତଙ୍କର ମନ ଭବିଷ୍ୟତର କେତେ ସମ୍ଭାବ୍ୟ ଆନନ୍ଦରେ ଭରପୂର ହୋଇ ରହିଥିଲା । ତା’ପରେ ଅନୁଗୁଳରୁ ଆମର ଅତିଥିମାନେ ଆସି ପହଞ୍ଚିଲେ । ଆହୁରି ଅନେକ ଶିଶୁ ଓ କିଶୋରପ୍ରାଣର କୋଳାହଳମୟ ଉତ୍ସାହ ଆମର ଅରଣ୍ୟରେ କେତେ ଆନନ୍ଦରେ ସ୍ପନ୍ଦନ ଜାଗୃତ କରିଦେଇଗଲା । ସେଦିନ ସବୁ ଭାରି ଆପଣାର ମନେ ହେଉଥିଲା, ସମସ୍ତଙ୍କୁ ଆପଣାର ଲାଗୁଥିଲା, ଆମର ଅନୁରାଗ ଆଉ ଧ୍ୟାନ ସେଦିନ ସତେଅବା ଭୁବନବ୍ୟାପୀ ହୋଇ ଯାଇଥିଲା । ଉପରଓଳି ଠିକ୍ ସଭାବେଳକୁ କୁଆଡ଼ୁ ବରଷା ଆସି ଆମର ଆୟୋଜନକୁ ଭାଙ୍ଗିଦେଇ ଗଲା । ତଥାପି ଆମର ମନ ଭାଙ୍ଗିଗଲା ନାହିଁ । ଦୁଇବଖରା ଘର ଓ ବାରଣ୍ଡାରୁ ବରଷା ପାଣି ପୋଛି ଆମେ ସେଇଠି ସଭାର ଆୟୋଜନ କଲୁ । ଆମ ଭିତରୁ ଅନେକ ଭାଇଭଉଣୀ ସେମାନଙ୍କର ଅନୁଭୂତି କହିଲେ ଓ ପଢ଼ିଲେ । ଯଦି ବିଦ୍ୟାର୍ଥୀ ବିଦ୍ୟାଳୟକୁ ନିଜର କରିନେଲା, ବିଦ୍ୟାଳୟର ସୁଖଦୁଃଖକୁ ଯଦି ସେ ନିଜର କରିନେଲା, ତେବେ ଶିକ୍ଷକ ସେଠି ଗୌରବ ଅନୁଭବ କରିବ ନାହିଁ ତ ଆଉ କଣ କରିବ ? ଏହି ଅରଣ୍ୟରେ ହୃଦୟର ସକଳ ଅନୁରକ୍ତି ଦେଇ ଆଦରର ଏକ ବିଦ୍ୟାଳୟ କରିବାର ଉଦ୍ୟମରେ ଆମର ଅନେକ ଅଭାବ ରହିଯାଉଚି, ଅନେକ ଦାରିଦ୍ର୍ୟ ଓ ଅସମ୍ପନ୍ନତା ରହିଯାଉଚି । ତଥାପି ଏଠିକାର ବିଦ୍ୟାର୍ଥୀ ବିଦ୍ୟାଳୟ ସହିତ ହିଁ ରହିଚି, ପ୍ରତ୍ୟେକ ଦିନ ଆପଣାର ପାତ୍ରଟିକୁ ଭରିବା ସଙ୍ଗେ ସଙ୍ଗେ ସେ ବିଦ୍ୟାଳୟର ପାତ୍ରଟିକୁ ମଧ୍ୟ ଭରି ଚାଲିଚି–ଏତିକି ଭାବି ଭାବି ସେଦିନ ମୁଁ ଯେପରି ବିହ୍ଵଳ ଓ ନିମଗ୍ନ ହୋଇ ରହିଥିଲି । ଅତି ଆଦରର ସହିତ ମୁଁ ସେମାନଙ୍କର କଥା ଶୁଣୁଥିଲି ।

 

ଜଣେ ଭାଇ ଲେଖିଥାଆନ୍ତି : ‘ଯେଉଁଠି ଭୟ ନାହିଁ, କ୍ରନ୍ଦନ ନାହିଁ, ଚାରି କାନ୍ଥ ବିଶିଷ୍ଟ ଗୋଟାଏ କୃତ୍ରିମ ଗୃହଭିତରେ ଆବଦ୍ଧ ରହି ଜ୍ଞାନଚର୍ଚ୍ଚା କରିବାକୁ ପଡ଼ୁନି, ଯେଉଁଠି ଶିକ୍ଷକ ଛାତ୍ରକୁ ହାଜିରାଖାତା ଦେଖି ଚିହ୍ନିନାହିଁ, ସେଠି କିଛି ନୂଆ ଶକ୍ତି ଅଛି ବୋଲି ମୁଁ କଳ୍ପନା କରେ ।’ ବିଦ୍ୟାଳୟର ଧ୍ୟାନମାଳା ହୋଇ ବହିଯାଉଥିବା ଛୋଟ ଝରଣାଟି ଆଉ ଜଣେ ଭାଇଙ୍କର ଅନ୍ତରପ୍ରେରଣା ଲାଗି ଯଥେଷ୍ଟ ଖାଦ୍ୟ ଯୋଗାଇଚି । ସେ ଲେଖିଛନ୍ତି, “ଆଜିର ଏ ନୂଆ ଦିନରେ ଏହି ଝରଣା ଆମକୁ ଉପଦେଶ ଦେଇ ଯାଉଚି ‘ମୁଁ କେତେ ବଡ଼ ବଡ଼ ପଥରକୁ ନ ଡରି କୌଣସି ଥାନରେ ଅଟକି ନ ରହି ଆଗେଇ ଚାଲିଚି । ତୁମେମାନେ ମଧ୍ୟ ଜୀବନରେ ଆସୁଥିବା ଝଡ଼ତୋଫାନକୁ ଦୁଃଖ ନ ମଣି ଆପଣା ବାଟରେ ଆଗେଇ ଚାଲ । ବିଶ୍ରାମ ନ ନେଇ ତୁମେମାନେ କେବଳ ଆଗେଇ ଚାଲ ।’ ଆଜି ପାହାଡ଼ କହୁଚି, ‘ତୁମେ ମୁଣ୍ଡ ତଳକୁ କରି ଦିଅ ନାହିଁ । ମୁଣ୍ଡ ଟେକ, ଠିକ୍ ମୁଁ ଯେପରି ମୁଣ୍ଡ ଟେକି ଠିଆ ହୋଇ ରହିଚି ।’ ପ୍ରକୃତି କହୁଚି ‘ମୋ’ରି ପରି ତୁମେମାନେ ହୃଦୟକୁ ନିର୍ମଳ କର । ନିର୍ମଳ ଆଖିରେ ସାରା ସଂସାରକୁ ଦେଖ ।‘ ଏ ସମସ୍ତେ ଏଠି ଆମର ଶିକ୍ଷକ ହୋଇ ଆମକୁ ଆଗେଇ ନେଉଚନ୍ତି । ସେମାନଙ୍କର ଉପଦେଶକୁ ଜୀବନରେ ଲଗାଇବା ହିଁ ଆମର କର୍ତ୍ତବ୍ୟ । ଆମେ ଆଗେଇ ଚାଲିବା, ଆମେ ଏକାଠି ଚାଲିବା, ଆମର ବିଦ୍ୟାଳୟ ଆମକୁ ଆଜି ଏହି ଆହ୍ଵାନ ଦେଇଯାଉଚି ।” ତଟସ୍ଥ ଦୃଷ୍ଟି ରଖି ଆଉ ଜଣେ ଲେଖିଚନ୍ତି–‘ଜୀବନର ସକଳ ବିରୋଧ ସତ୍ତ୍ୱେ ଆମେ ନିଜର ଜୀବନକୁ ଆଗେଇ ନେବାରେ ପଛେଇ ଯାଇନାହୁଁ, ଆମେ ସ୍ଥାଣୁ ହୋଇ ବସି ଯାଇନାହୁଁ । ଆମ ଭିତରେ ସ୍ନେହ, ମମତା ଓ ଶ୍ରଦ୍ଧା ଆମର କର୍କଶ ଜୀବନକୁ ଅଧିକ ସରଳ ଓ ମଧୁମୟ କରିଚି । ନାନା ଲେଖକ ଓ କବିଙ୍କର ମହାନ୍ ଚିନ୍ତାମାନ ଆମକୁ ବିଶେଷ ରୂପେ ପ୍ରଭାବିତ କରିଚି, ଆମ ଭିତରେ ଜିଜ୍ଞାସା ଭରିଦେଉଚି ।’

 

ଦୁଇବର୍ଷ ଶେଷ କରି ତୃତୀୟ ବର୍ଷରେ ପାଦ ଦେଲାବେଳେ ଆଜି ମନ ଭିତରେ ଅନେକ ଭାବନାର ଉଦୟ ହେଉଚି । ଏହି ଅନୁଷ୍ଠାନ କାହାକୁ କଣ ଯୋଗାଇବ ? ଦେଶର ବା ସମାଜର କେଉଁ ଶୂନ୍ୟସ୍ଥାନ ଏହା ପୂରଣ କରି ପାରିବ ? ଆଜି ସମାଜରେ ସଫଳ ହେବାର କଟୁ ପ୍ରତିଯୋଗିତା ଚାଲିଚି । କଟକ ବା କଲିକତା ସହରର ନାନା ଆକର୍ଷଣ ଏ ଯୁଗର ଯୁବକମନକୁ ଗୋଟାଏ ନିର୍ଦ୍ଦିଷ୍ଟ ଛାଞ୍ଚରେ ମଣାଇ ରଖିବାର ପ୍ରଲୋଭନ ଦେଖାଉଚି । ଆଜି ଦରିଦ୍ର ଧନୀ ହେବାକୁ ଚାହୁଚି, ଧନୀ ଅଧିକ ଧନୀ ହେବାକୁ ଧାଉଁଚି । ଛୋଟ ସହର ଅଭିମୁଖରେ ଛୁଟିଚି । ଏଇ ଛାଡ଼ି ଚାଲିଯିବାର, ଭାଙ୍ଗିଦେବାର ପ୍ରତିଯୋଗିତା ଆମ ସମାଜଟାକୁ ଆଜି ବଡ଼ ଶ୍ରୀହୀନ କରି ପକାଇଚି । ମଣିଷର ଆବଶ୍ୟକତା ବଢ଼ିବାରେ ଲାଗିଚି; ଯାହାର ଆବଶ୍ୟକତା ଯେତେ ବଢ଼ୁଚି, ତାକୁ ସଂସାରରେ ସେତେ ସୁମାର୍ଜିତ ଓ ଶିକ୍ଷିତ ବୋଲି କୁହାଯାଉଚି । କୋଡ଼ିଏ ବରଷ ତଳର ସ୍କୁଲ ବା କଲେଜଛାତ୍ର ସହିତ ବର୍ତ୍ତମାନର ଛାତ୍ରର ତୁଳନା କଲେ ଯେ କେହି ଏକଥା ବୁଝିପାରିବ । ତଥାପି ସହର ଛାଡ଼ି ଆମେ ଜଙ୍ଗଲ ଭିତରେ ଏହି ବିଦ୍ୟାଳୟ ବସାଇଚୁ । ଆମ ପିଲାଙ୍କର ବେଶପୋଷାକ ହେବା ତ ଦୂରର କଥା, ଖଣ୍ଡେ ଧୋଇ ଖଣ୍ଡେ ପିନ୍ଧିବାଲାଗି ମଧ୍ୟ ଏଠାରେ ଅନେକ ପିଲାଙ୍କର ଯଥେଷ୍ଟ ଲୁଗା ନାହିଁ । ଶୀତଦିନେ ଦେହଟାକୁ ଶୀତରୁ ରକ୍ଷା କରିବାଲାଗି ଶୀତଲୁଗା ନାହିଁ । ଥରେ ଅଧେ ପୁନିଅଁ ପରବ ଛାଡ଼ିଦେଇ ଭାତ ଆଉ ଡାଲମାରେ ଏଠାରେ ବରଷଯାକର ସଂସ୍ଥାନ ଚାଲେ-। ସେତିକି ମଧ୍ୟ ନିଅଣ୍ଟ ହୋଇଗଲେ ଅନେକ ସମୟରେ ପିଆଜ ଆଉ ତେନ୍ତୁଳିର ସାହାଯ୍ୟ ନିଆଯାଏ । ସହରର ହାକିମ ଓ ଶିକ୍ଷକମାନେ ହୁଏତ ଏହାକୁ ବିଦ୍ୟାଳୟ ବୋଲି କହିବାକୁ ଅମଙ୍ଗ ହେବେ । ଆମେ ଏଠି ଆଦର୍ଶବାଦର ଦୁଆ ଦେଇ ଦାରିଦ୍ର୍ୟର ପୂଜା କରୁଚୁ ବୋଲି ଅପବାଦ ଦେବେ । ଯୁଗ ଓ ଯୁଗର ଜୀବନସମ୍ଭାର ଆଗକୁ ମାଡ଼ି ଯାଉଥିଲାବେଳେ ଆମେ ପଛମୁହାଁ ହୋଇ ରହିଚୁ ବୋଲି ନିନ୍ଦା କରିବେ । ଗାନ୍ଧୀବାଦ ବା ଗାନ୍ଧୀ-ପ୍ରେରଣା କହିଲେ ଯେଉଁମାନେ ମୋଟା ପିନ୍ଧିବା ବା ମୋଟା ଖାଇବା ବ୍ୟତୀତ ଅନ୍ୟ କିଛି ବୁଝନ୍ତି ନାହିଁ, ସେମାନେ ଆମକୁ ଗାନ୍ଧୀବାଦୀ ବୋଲି ଝିଂଙ୍ଗାସ ଦେବେ । ଏ ବିଜ୍ଞାନ ଯୁଗରେ ଦେଶର କେତେଟା ପିଲାଙ୍କୁ ଆମେ ଅଜ୍ଞ ଓ ମୂର୍ଖ କରି ରଖିଚୁ ବୋଲି ଆମକୁ ଧିକ୍କାର କରିବେ । ବେଳେବେଳେ ପ୍ରକାରାନ୍ତରେ ଆମେ ଏପରି ବଚନମାନ ଶୁଣିବାକୁ ବି ପାଇଚୁ । ଏଠାକୁ ବିଭିନ୍ନ ସମୟରେ ନାନା କିସମର ଭଦ୍ରଲୋକ ଆସିଚନ୍ତି, ମୁହଁ ଉପରେ ଅନେକ କୁତୂହଳ ଦେଖାଇ ସେମାନେ ଆମଠାରୁ ଆମର ନାନା କଥା ସଂଗ୍ରହ କରିଚନ୍ତି, ଚିଡ଼ିଆଖାନାରେ ପଶିବାର ଏକ କିମ୍ଭୂତ ଆଗ୍ରହ ନେଇ ସେମାନେ ଆମର ଗୋଡ଼ଠାରୁ ମୁଣ୍ଡଯାଏ ନିରୀଖି ଦେଖିଚନ୍ତି, ଆମର ଚୂଳୀରୁ ଚାଳଯାଏ ଆବିଷ୍କାର କରି ବୁଲିଚନ୍ତି-। ହୁଏତ ସେମାନଙ୍କର ପସନ୍ଦ ତରାଜୁରେ ଆମେ ଅତି ତଳକୁ ଖସିପଡ଼ିଚୁ । ଏଠାରୁ ଗଲାବେଳେ ଅନେକ ଆମ ପ୍ରତି ଗୋଟାଏ ପ୍ରକାରର ଦୟାଭାବ ଦେଖାଇ ଯାଇଚନ୍ତି । ଏଠି ପିଲାମାନକୁ ମୂଲିଆ କରି ଦିଆଯାଉଚି, ସେମାନଙ୍କର ଜୀବନକୁ ଏଠି ନଷ୍ଟ କରି ଦିଆଯାଉଚି, ଏହିପରି ଗୋଟାଏ ଅବଜ୍ଞାମୟ ମତ ସେମାନଙ୍କର ମୁହଁ ଉପରେ ବେଶ୍ ଧରା ପଡ଼ିଯାଇଚି । ଅନେକେ ପୁଣି ଏଠାକୁ ଆସିବାର କଷ୍ଟ ସ୍ଵୀକାର କରିବା ପୂର୍ବରୁ କେବଳ ସମାଲୋଚକର ମୁଖରେ ଆମ କଥା ଶୁଣିଚନ୍ତି, ତଥାପି ସେମାନେ ମଧ୍ୟ ଆମକୁ ଏକ ପରିତ୍ୟକ୍ତ ଶିବିରର ଅପ୍ରଯୋଜନୀୟ ମଣିଷ ବୋଲି ଧରି ନେଇଚନ୍ତି । କିଏ ଏଠାକୁ ଆସି ହାଜିରାବହି ଖୋଜିଚି, ଆମର କ୍ଲାସଘର ଖୋଜି ନ ପାଇ ଖେଦ ପ୍ରକାଶ କରିଚି, ଡେସ୍କ୍ ବେଞ୍ଚ୍ ଚଉକୀ ଓ ଟେବୁଲର ଅଭାବ ଅନୁଭବ କରୁକରୁ ଛିଡ଼ାଛିଡ଼ା ଆମକୁ ଦି’କଥା ପଚାରି ବିଦାୟ ନେଇଚି, ଆମର ଏଠି ଖଜୁରୀ ପତରରେ ବୁଣା ହୋଇଥିବା ପଟି ଉପରେ ବସିବାକୁ ତା’ର ପରିପାଟୀସମାକୁଳ ମନକୁ ସେ ହଠାତ୍ ମଙ୍ଗାଇ ପାରିନାହିଁ । ଅପର ପକ୍ଷରେ ସରକାର ମଧ୍ୟ ଆମକୁ ଗୋଟାଏ ବଣୁଆ ହାତୀପରି ଭାବି ଆମ ଉପରେ ଅଙ୍କୁଶ ଚଳାଇବାରେ ଲାଗିଚନ୍ତି । ଆମେ ତାଙ୍କର ନିର୍ଦ୍ଦେଶ ଅନୁସାରେ ସାଜିବୁ, ନାଚିବୁ, ତାଙ୍କରି ଆଙ୍ଗୁଳିଚାଳନାରେ ଉଠିବୁ ବସିବୁ, ତାଙ୍କୁ ହିଁ ଡରି ତାଙ୍କର କାଗଜପତ୍ର ଠିକ୍ ରଖିଥିବୁ, ସେ କେବେ କାଳେ ଆସି ଉପଗତ ହୋଇଯିବେ ବୋଲି ନିତ୍ୟଚକିତ ଓ ବ୍ୟସ୍ତବିବେକ ହୋଇ ରହିଥିବୁ । ଅନ୍ୟାନ୍ୟ ଅନେକ ତଥାକଥିତ ବିଦ୍ୟାଳୟରେ ଚୀନଠାରୁ ଚପରାସୀ ପର୍ଯ୍ୟନ୍ତ ଯେମିତି ଶିକ୍ଷାକବାୟଦର ବୋଲି ମାନେ ରହିଚନ୍ତି, ଆମେ ବି ଏଠି ସେମିତି ରହିବୁ, ଏକଥା ପରୋକ୍ଷରେ ତାଙ୍କର ଇଛା ବୋଲି ଜଣା ପଡ଼ିଯାଏ । ସମସ୍ତେ ଆପଣା ମନର ଲାଳସା ବା ମୋହ ଅନୁସାରେ ଏହି ବିଦ୍ୟାଳୟର ରୂପଭେକ ଦେଖିବାକୁ ଆସନ୍ତି ଏବଂ ନିରାଶ ହୁଅନ୍ତି । ସମସ୍ତେ ଏ ଜଙ୍ଗଲକୁ ଆପଣା କଳ୍ପନା ବା କ୍ଷମତାର ପରାକ୍ରମରେ ଗିଳିବାକୁ ଚେଷ୍ଟା କରନ୍ତି । ନାନା ନିପୂଣ କୌଶଳରେ ଆମକୁ ନିଜ ନିଜର ସ୍ଵୀକୃତ ଛାଞ୍ଚ ଭିତରେ ପକାଇବାକୁ ଯୋଜନା କରିବସନ୍ତି । କିଏ ସମାଜର ଦ୍ଵାହି ଦିଏ, କିଏ ଆମକୁ କ୍ଷମତାର କ୍ରୂର ଦଣ୍ଡ ଦେଖାଏ, କିଏ ଆମକୁ ଏକୁଟିଆ କରି ଶୁଖାଇ ମାରିଦେବାକୁ ଧମକ ଦିଏ । ତଥାପି ଅରଣ୍ୟର ବିଦ୍ୟାଳୟ ତା’ର ଆପଣା ପଥରେ ଚାଲିଥାଏ ।

 

ଦାରିଦ୍ର୍ୟର ପୂଜା କରିବାଲାଗି ଆମେ ଏଠାକୁ ଆସିନାହୁଁ । ଦେଶର ସର୍ବତ୍ର ଦାରିଦ୍ର୍ୟର ଶ୍ରୀହୀନତା ଘୋଟି ରହିଥିବାବେଳେ ଏ ପୂଜାର କୌଣସି ଅବକାଶ ରହିଚି ବୋଲି ମୁଁ ମନେ କରୁନାହିଁ । ନାନାବିଧ କ୍ଷେତ୍ରରେ ନାନା ଚକ୍ରାନ୍ତ କରି ଆମର ସମାଜରେ ମଣିଷକୁ ଦରିଦ୍ର ଓ ହତଶ୍ରୀ କରି ରଖାଯାଇଚି । ଆପଣା ଘରର ଚାରିକାନ୍ଥ ଡେଇଁ ବାହାରକୁ ଗଲେ ଯେକେହି ଦରିଦ୍ର ଜୀବନର ଅନୁଭବ ପାଇପାରିବ । ସମାଜରେ କେତେକ ମଣିଷ ଅବଶ୍ୟ ଦରିଦ୍ର ରହିବେ, ଅବଶ୍ୟ ହତଶ୍ରୀ ଓ ଉପବାସୀ ରହିବେ, ଅବଶ୍ୟ ମୂର୍ଖ ଓ ମଳିନ ହୋଇ ରହିବେ, ଏହିପରି ଏକ ସ୍ଵୀକୃତ ସ୍ଵତଃସିଦ୍ଧ ଉପରେ ଆମର ସଭ୍ୟତା, ଆମର ସରକାର, ଶିକ୍ଷା, ସଂସ୍କୃତି ଓ ସାହିତ୍ୟ ତିଷ୍ଠି ରହିଥିବାପରି ମନେହୁଏ । କେଉଁ ସୁଦୂର ଭବିଷ୍ୟତରେ ସମସ୍ତଙ୍କର ପେଟ ପୂରିବ ବୋଲି ଅବିଚଳିତ ନିରୁଦବେଗ ମନରେ ଯେଉଁମାନେ ଯୋଜନାମାନ କରିବେ, ସେମାନଙ୍କର ଆରାମ ଓ ଜୀବନଭରଣ ଲାଗି ସମାଜରେ ଆହୁରି ଅନେକଙ୍କୁ ଉପବାସୀ ଓ ଅକିଞ୍ଚନ ହୋଇ ରହିବାକୁ ପଡ଼ିବ, ଏହାରି ଉପରେ ହିଁ ଆଜି ଆମର ଶିକ୍ଷା ସାହିତ୍ୟ ଓ ସମାଜନିର୍ମାଣର ସବୁ ଆଡ଼ମ୍ବର ଚାଲିଛି-। ଦାରିଦ୍ର୍ୟକୁ ଆପଣାର ଭାଗ୍ୟ ବୋଲି ମନେ କରି ଆଜି ଏହି ଦେଶରେ ଲକ୍ଷ ଲକ୍ଷ ମଣିଷ ପୋକମାଛି ପରି ସଢ଼ିପଚି ଜୀଇ ରହିଚନ୍ତି । ଦାରିଦ୍ର୍ୟକୁ ସେମାନଙ୍କର କର୍ମଫଳ ବୋଲି ଧରିନେଇ ଆମେ ସେମାନଙ୍କର ଏହି କୁତ୍ସିତ ମରଣାନ୍ତକ ଜୀବନକୁ ବେଶ୍ ସହିଯାଉଚୁ । ଏହିପରି ଏକ ହତଭାଗ୍ୟ ଦେଶରେ ଆମେ ଦାରିଦ୍ର୍ୟକୁ ପୂଜା କରିବାକୁ ଯିବାର ନିର୍ବୋଧତା କଦାପି କରି ନଥାନ୍ତୁ-। କାହାରି ଉପରେ କୌଣସି ପ୍ରକାର ଅନୁଗ୍ରହ ଦେଖାଇବାକୁ ବା କାହାରିକୁ କୌଣସି ପ୍ରକାର ସାନ୍ତ୍ଵନା ଦେବାକୁ ଏଠାରେ ଏ ବିଦ୍ୟାଳୟ ବସିନାହିଁ । ଯୁଗେ ଯୁଗେ ଦାରିଦ୍ର୍ୟ ମଣିଷର ମଣିଷପଣିଆକୁ ମାରିମାରି ଆସିଚି । ଶରୀରକୁ ଉପାସ ରଖିବାର ଧମକ ଦେଇ ଶରୀରସ୍ଥ ନାନା ସମ୍ଭାବନା ଓ ସାର୍ଥକତାର ଆତ୍ମାକୁ ତାହା ଶୁଖାଇ ମାରିଦେଇଚି, ଭାଗ୍ୟ ଆଦରି ଆପଣାର ବିଧିନିର୍ଦ୍ଦିଷ୍ଟ କ୍ଷୁଦ୍ର ସ୍ତରରେ ରହି କ୍ଷୁଦ୍ର ହୋଇ ମରିଯିବାର ଅଭିଶାପ ସେ ମଣିଷକୁ ସବୁଦିନେ ଦେଇ ଆସିଚି । ସେହି ଅଭିଶାପକୁ ଅସ୍ଵୀକାର କରିବାର ଟାଣ ରଖି ଆମେ ଏଠାରେ ଏକଜୁଟ ହୋଇଚୁ । ସମାଜ ଆମକୁ ଦରିଦ୍ର କରି ରଖିବାର ଭୟ ଦେଖାଉ, ଆମେ ସେଥିକୁ ଖାତିର କରିବୁ ନାହିଁ । ବଗଡ଼ା ଭାତ ଖାଇବାକୁ ବି ବଗଡ଼ା ଲୁଗା ପିନ୍ଧିବାକୁ ଆମର ଭୟ ନାହିଁ । କିନ୍ତୁ ଆମେ ଦରିଦ୍ର ବୋଲି ଆମର ମନକୁ ମଧ୍ୟ ଦରିଦ୍ର କରି ରଖାଯିବ, ଆମେ ଦରିଦ୍ର ବୋଲି ଆମକୁ ମୂର୍ଖ କରି ରଖାଯିବ, ଅରଣ୍ୟର ବିଦ୍ୟାଳୟ ଏକଥା ସ୍ଵୀକାର କରିବାକୁ ରାଜି ନୁହେଁ । ପ୍ରତ୍ୟେକ ମଣିଷକୁ ଜ୍ଞାନର ଅଧିକାର ଦିଆଯିବ, ପ୍ରତ୍ୟେକ ମଣିଷ ତା’ର ଭିତରେ ରହିଥିବା ଶୁଭ ବାସନାଗୁଡ଼ିକର ବିକାଶ କରିବାଲାଗି ସମ୍ପୁର୍ଣ୍ଣ ସୁଯୋଗ ପାଇବ, ପ୍ରତ୍ୟେକ ମଣିଷ ସମ୍ମାନ ଓ ଆତ୍ମବିଶ୍ଵାସର ସହିତ ଏ ସଂସାରରେ ମୁଣ୍ଡ ଟେକି ବାଟ ଚାଲିବ, ଆମର ବର୍ତ୍ତମାନ ସମାଜ ଏହି ସତ୍ୟକୁ ଏବେ ସୁଦ୍ଧା ସ୍ଵୀକାର କରିନାହିଁ । ମଣିଷର ଦେହଟାକୁ ଉପବାସୀ ରଖି ତାହା ମଣିଷର ମନ ବା ହୃଦୟକୁ କାବୁ କରି ରଖିବ ବୋଲି ଭାବିଚି । ମଣିଷର ଉଦରଭରଣ କରିବାର ଅନୁଗ୍ରହ ରଜ୍ଜୁକୁ ଆପଣା ହାତରେ ରଖି ସେ ମଣିଷର ବୁଦ୍ଧି, ଜ୍ଞାନ ଓ ବିକାଶକୁ ହାତରେ ରଖିବ ବୋଲି ଭାବିଚି । ଅରଣ୍ୟର ଏ ବିଦ୍ୟାଳୟଟି ସେହି ଯୁକ୍ତିକୁ ଅସ୍ଵୀକାର କରିବ ବୋଲି ଜନ୍ମଲାଭ କରିଚି । ମଣିଷକୁ କେବଳ ଏକ ଉପବାସୀ ଉଦର କିମ୍ବା ଆଚ୍ଛାଦନହୀନ ଦୁର୍ଭାଗ୍ୟ ଶରୀର ବୋଲି ମାନିବାକୁ ଆମେ ପ୍ରସ୍ତୁତ ନୋହୁଁ । ଉପବାସୀ ଉଦରଧାରୀ ମଣିଷର ଭିତରେ ମଧ୍ୟ ଅଶେଷ ବାସନା ଓ ଅଶେଷ ସ୍ଵପ୍ନର ବିପୁଳତା ରହିଚି, ଆଚ୍ଛାଦନହୀନ ଶରୀରତଳେ କେତେ ଜ୍ଞାନ, କେତେ ପ୍ରେମ ଓ କେତେ ସୃଷ୍ଟିର କେତେ ଆକାଂକ୍ଷା ଧରି ମଣିଷର ଆତ୍ମା ଅପେକ୍ଷା କରି ରହିଚି । ଯିଏ ତାହାକୁ ସ୍ଵୀକାର କରୁନାହିଁ ବା ସ୍ଵୀକାର କରି ମଧ୍ୟ ସିଏ ଆତ୍ମାର ଦାବୀକୁ ଅପସଂସ୍କୃତିର ଆଳ ଦେଖାଇ ଟାଳି ଟାଳି ଚାଲିଚି, ତା’ ସହିତ ତାଳ ଦେଇ ବାଟ ଚାଲିବାକୁ ଅରଣ୍ୟର ବିଦ୍ୟାଳୟ ମନା କରି ଦେଇଚି । ଆଜି ସମାଜରେ ଯିଏ ମୋଟେ ବୋହୁଚି, ଯିଏ ଲଙ୍ଗଳ ଚଳାଉଚି, ଯିଏ ଲୁହା ବାଡ଼ଉଚି ବା ଯିଏ ରାସ୍ତା ତିଆରି କରୁଚି, ତା’ଭିତରେ ମଧ୍ୟ ମଣିଷ ହେବାର ଓ ସମ୍ମାନ ପାଇବାର ପ୍ରଚୁର ପିପାସା ଓ ଅକାଟ୍ୟ ଅଧିକାର ରହିଚି–ଆପଣାର ଉଦ୍ୟମଦ୍ଵାରା ଅରଣ୍ୟର ବିଦ୍ୟାଳୟ ସମାଜ ସମକ୍ଷରେ ଏହାହିଁ ଘୋଷଣା କରିବାକୁ ଚାହେ । ଖାଲି ଦେହରେ ସଭ୍ୟ ବଜାରର ରାସ୍ତାରେ ଶଗଡ଼ ଅଡ଼ାଇ ଯିବାଲାଗି ଆମକୁ ଲାଜ ମାଡ଼େନାହିଁ । ଲୁଗା ଅଭାବରେ ଆଣ୍ଠୁ ଲୁଚାଉ ନଥିବା ଛୋଟ ଗାମୁଛା ଖଣ୍ଡକରେ କାମ ଚଳାଇବାକୁ ଆମକୁ ଲାଜ ମାଡ଼େ ନାହିଁ । ଅନଗୁଳକୁ ଯିବାକୁ ହେଲେ ଚାରିକୋଶର ରାସ୍ତାକୁ ଆମେ ସୁଖୀ ହୋଇ ପାଦରେ ଚାଲି ଚାଲି ଯାଉ, ମୁଣ୍ଡଉପରେ ମାଟିଟୋକାଇ ବୋହି ଆମେ ରାସ୍ତା ତିଆରି କରୁ, ଆମ ଘରର ନିଅଁ ଆମେ ନିଜ ହାତରେ ଖୋଳୁ, ହାଟରେ ବସ୍ତାକୁ ବସ୍ତା ଚାଉଳ, ପରିବା ବା କୁଣ୍ଡାକୁ କାନ୍ଧରେ ବୋହି ଆଣିବାକୁ ଆମର ସମ୍ମାନରେ କୌଣସି ବାଧା ଲାଗେ ନାହିଁ । ଦରକାର ପଡ଼ିଲେ ପାଖରେ ଥିବା ପାହାଡ଼ରୁ ଆମେ କାଠ ବା ବାଉଁଶ କାଟି ମୁଣ୍ଡାଇ ଆଣିବାକୁ ବାହାରିପଡ଼ୁ । କିନ୍ତୁ ସେତିକି ଆମର ସମସ୍ତ ପରିଚୟ କଦାପି ନୁହେଁ ।

 

ଦରିଦ୍ର ହେଲେ ମଧ୍ୟ ଆମେ ଆମ ଭିତରର ଆତ୍ମାକୁ ଦରିଦ୍ର କରି ରଖିବୁ ନାହିଁ, ଏ ହେଉଚି ଆମର ଦ୍ଵିତୀୟ ପରିଚୟ । ଦରିଦ୍ର ହେଲେ ମଧ୍ୟ ବିକଶିତ ହେବାର, ସମ୍ୟକ୍ ବିଚାର ଓ ସମ୍ୟକ ହୃଦୟ ଧରି ଫୁଟିଉଠି ପାରିବାର ଅଧିକାରରୁ ଆମେ ବଞ୍ଚିତ ହୋଇ ରହିଯିବୁ ନାହିଁ, ଏ ଆମର ଦ୍ଵିତୀୟ ପରିଚୟ । ପୃଥିବୀରେ ଆଜି ମଣିଷର ବହୁ ବିଚିତ୍ର ଜୀବନଲୀଳା ଚାଲିଚି, ନାନା ବିଚିତ୍ର ମାର୍ଗରେ ସେ ପରସ୍ପରର ଆହୁରି ଅଧିକ ନିବିଡ଼ ପରିଚୟ ପାଇବାର ଚେଷ୍ଟା କରୁଚି, ଆମେ ମଧ୍ୟ ଏହି ବିଦ୍ୟାଳୟରେ ସେହି ଗୌରବମୟ ବିଚିତ୍ର ଅଭିଯାନରେ ସହଚାରୀ ହୋଇ ଭାଗ ନେବୁ-। ଜ୍ଞାନ ଓ ବିଜ୍ଞାନର କୌଣସି ଦ୍ଵାର ଆମଲାଗି ଆମେ କିଛି ରଖିବୁ ନାହିଁ । କୌଣସି ଉଗ୍ର ଅନୁରକ୍ତି ବା ଘୃଣାଦ୍ଵାରା ଆମେ କାହାରିଠାରୁ ବ୍ୟବହୃତ ହୋଇ ରହିବାର ପାଗଳାମି କରିବୁ ନାହିଁ । ସମାଜର କୌଣସି କ୍ଷେତ୍ରରେ କୌଣସି କ୍ଷୁଦ୍ରବୁଦ୍ଧି ବ୍ରାହ୍ମଣ କାହାକୁ କୌଣସି ଜ୍ଞାନାୟତନର ବାହାରେ ନିର୍ବାସିତ କରି ରଖି ପାରିବ ନାହିଁ, ଏହିପରି ଏକ ଜିଦ୍ ନେଇ ଆମେ ଏହି ଅରଣ୍ୟର ବିଦ୍ୟାଳୟ ଆରମ୍ଭ କରିଚୁ । ଆମେ ଏଠାରେ ସାହିତ୍ୟର ଅଧ୍ୟୟନ ଓ ଆଲୋଚନା କରିବୁ, ମଣିଷକୁ ଅଧିକ ମହନୀୟ କରିବାପାଇଁ ଆମେ ନୂଆ ସାହିତ୍ୟର ସୃଷ୍ଟି କରିବୁ । ଏଠାରେ ଆମେ ଦର୍ଶନ ଓ ଇତିହାସର ଅଧ୍ୟୟନ ଓ ଆଲୋଚନା କରିବୁ, ଜୀବନ ବିଷୟରେ ନୂତନ ପ୍ରେରଣା ଓ ନୂତନ ଦୃଷ୍ଟି ଯୋଗାଇଲା ଭଳି ନୂଆ ଦର୍ଶନ ଓ ଇତିହାସର ବିଚାର ଆମେ କରିବୁ । ଆମର ସମାଜକୁ ଅଧିକ ଭଦ୍ର ଓ ଅଧିକ ମନୁଷ୍ୟୋଚିତ କରି ଗଢ଼ିବାଲାଗି ଯେଉଁ ଶିକ୍ଷା, ଯେଉଁ ବିଜ୍ଞାନ ବା ଯେଉଁ ଅର୍ଥନୀତି ଦରକାର, ଏଠି ଆମେ ତାହାରି ସନ୍ଧାନ କରି ବାହାରିବୁ । କିନ୍ତୁ ଏହି ଅନୁସନ୍ଧାନ ପଛରେ କୌଣସି ପ୍ରକାର ସଙ୍କୁଚିତ ଭାବନା ରହିବନାହିଁ । ଆମେ ପ୍ରତ୍ୟେକ ପ୍ରତ୍ୟେକର ସ୍ଵତନ୍ତ୍ର ବିଚାର ଓ ସ୍ଵତନ୍ତ୍ର ପଥକୁ ଅତି ସ୍ଵାଭାବିକ ଭାବରେ ସ୍ଵୀକାର କରିନେବୁ । ଯିଏ ଆଜି ସମାଜରେ ଏହି ସମାଜ ଦ୍ଵାରା ସମର୍ଥିତ ଉପଚାରରେ ପାଠ ପଢ଼ିବାର ସୁଯୋଗ ପାଉଚି, ସେ ଅପାଠୁଆମାନଙ୍କଠାରୁ ଆପଣାକୁ ଅଲଗା ବୋଲି ଭାବୁଚି । ଅପାଠୁଆଙ୍କ ସହିତ ଏକାଠି ବସିବାକୁ ତାକୁ ଲାଜ ମଧ୍ୟ ମାଡ଼ୁଚି । ପରିଶ୍ରମୀ ସମାଜ ସହିତ ଏକାଠି ମିଶି ପରିଶ୍ରମ କରିବା ତ ଦୂରର କଥା, ଖାଲି ଦେହରେ ବା ଖାଲି ଗୋଡ଼ରେ ରାସ୍ତାରେ ଚାଲିଯିବାକୁ, ଆପଣାର ସାମାନ୍ୟ ଜିନିଷପତ୍ର ହାତରେ ବୋହିନେବାକୁ ତାକୁ ଲାଜ ମାଡ଼ୁଚି । ସାଧାରଣ ମଣିଷର ଭାଷା କହିବାକୁ ମଧ୍ୟ ସେ ଅସମ୍ମାନଜନକ ମନେକରୁଚି । ଗୋଟାଏ ବିଦେଶୀ ଭାଷାକୁ ଆପଣା ଅହଙ୍କାରର ପରମ ଅବଲମ୍ବନ ରୂପେ ଯାବୁଡ଼ି ଧରି ଏହି ଦେଶ ଓ ସଂସ୍କୃତିଠାରୁ ସେ ଅଲଗା ହୋଇ ରହିଚି । ତା’ର ବୁଦ୍ଧି ଓ ତା’ର ଅନୁଭବ କରିବାର ରୀତି ଆଜି ଶାରୀରିକ, ମାନସିକ ତଥା ସାମାଜିକ ନାନା ବିକାରରେ ବଡ଼ ଜର୍ଜରିତ ହୋଇ ରହିବ । ଆପଣାକୁ ମଣିଷ ଓ ସମାଜର ପ୍ରତିନିଧି ବୋଲି ପ୍ରଚାର କରିବାକୁ ସେ ଯେତେ ଚେଷ୍ଟା କରୁଚି, ମଣିଷ ସମାଜଠାରୁ ସେ ସେତେ ବେଶୀ ଦୂରଛଡ଼ା ହୋଇଯାଉଚି । ଏପରି ଏକ ତଥାକଥିତ ଶିକ୍ଷାର ସମର୍ଥିତ କ୍ଷେତ୍ରର ପ୍ରାଦୁର୍ଭାବରୁ ଆପଣାର ବିକାଶକୁ ସ୍ଵତନ୍ତ୍ର କରି ରଖିବା ଉଦ୍ଦେଶ୍ୟରେ ଆମେ ଏ ଜଙ୍ଗଲକୁ ଆସିଚୁ ।

 

ଏ ଦେଶରେ କୋଟି କୋଟି ମଣିଷ ଅତି ହୀନ ସ୍ତରରେ ଜୀବନ ଧରି ପଡ଼ିଚନ୍ତି । ଅନେକଙ୍କ ପାଖରେ ଆଜି ଖାଦ୍ୟ ନାହିଁ, ବସ୍ତ୍ର ନାହିଁ, ଶିକ୍ଷା ନାହିଁ, କି ଭବିଷ୍ୟ ମଧ୍ୟ ନାହିଁ । ଦାରିଦ୍ର୍ୟର ବ୍ୟୂହ ଫିଟାଇ ସୁନ୍ଦର ହୋଇ ବଞ୍ଚିବାର କୌଣସି ସମ୍ଭାବନା ହିଁ ନାହିଁ । ସେମାନଙ୍କ ତୁଳନାରେ ତ ଆମେ ରାଜପ୍ରାସାଦରେ ରହିଚୁ ବୋଲି କହିବାକୁ ହେବ । ଏପର୍ଯ୍ୟନ୍ତ ଆମେ କୌଣସି ଦିନ ଉପାସ ରହିନାହୁଁ କି କୌଣସି ଦିନ ଲାଙ୍ଗଳା ରହିନାହୁଁ । ଭୋଗର ଅଧିକାରୀ ହୋଇ ବସିଥିବା ସମାଜ ଯେଉଁ ଅନେକ ମଣିଷଙ୍କୁ ଖାଲି ଖଟିବାର ମଣିଷ କରି ରଖିଚି, ଦିନେ ସେମାନଙ୍କର ମଧ୍ୟ ନିଦ ଭାଙ୍ଗିବ, ସେମାନେ ମଧ୍ୟ ଦିନେ ମଣିଷ ହୋଇ ବାହାରକୁ ବାହାରିବାର ଭାଗ୍ୟ ଲାଭ କରିବେ । ପାଠ ପଢ଼ୁଥିବା ମଣିଷ ଖଟୁଥିବା ମଣିଷ ପ୍ରତି କୌଣସି ଅବିଚାର କରିବ ନାହିଁ । ସେଦିନ ସମସ୍ତେ ପରିଶ୍ରମ କରିବେ, ସମସ୍ତେ ଆପଣା ଭିତରର ଜ୍ଞାନ ଓ ମହନୀୟତାକୁ ଆବିଷ୍କାର କରିବାର ଯଥେଷ୍ଟ ଅବସର ପାଇବେ । ଖାଲି ବକ୍ତୃତା ଦେଲେ ଦେଶର ସବୁ ମଣିଷଙ୍କର ଜୀବନରେ ଏହି ପରିବର୍ତ୍ତନ ଆସିବ ନାହିଁ । ଅତୀତର ଆଡ଼ମ୍ବର ରଞ୍ଜିତ ଇତିହାସକୁ ବାହୁନି ପଛମୁହାଁ ହୋଇ ରହିଲେ ମଧ୍ୟ ଏହା ଆସିବ ନାହିଁ । ଏ ପରିବର୍ତ୍ତନ କେବଳ ଶିକ୍ଷାଦ୍ଵାରା ହିଁ ଆସିବ-। ଜୀବନରେ କେଉଁଠି ଗୋଟାଏ ନିଭୃତ ଆରମଦାୟକ କୋଣରେ ଅଟକିଯିବାର ଶିକ୍ଷା ନୁହେଁ, ଆପଣାର ତଥା ସବୁ ମଣିଷର ଜୀବନକୁ ଯୋଗ୍ୟ ମୂଲ୍ୟ ଓ ସମ୍ମାନ ଦେଇ ଦେଖିବାର ଶିକ୍ଷା ହିଁ ଆମକୁ ଲାଭ କରିବାକୁ ହେବ । ଆମର ସରକାର ଓ ଲୌକିକ ଆଚାର ସୃଷ୍ଟି ହେବାରେ ସାହାଯ୍ୟ କରିବ, ସେମାନଙ୍କୁ ଅତି ସ୍ପଷ୍ଟ ଭାବରେ ଏକଥା କହିଦେବାକୁ ହେବ । ଅରଣ୍ୟରେ ଆମର ବିଦ୍ୟାଳୟ ଏ ଦେଶର ସରକାର ଓ ଅଧିବାସୀଙ୍କ ଲାଗି ଗୋଟିଏ ଆହ୍ଵାନ ହୋଇ ରହିବ । ଅତି ଦରିଦ୍ର ପରିସ୍ଥିତିରେ ରହି ମଧ୍ୟ ଏହା ସବୁରି କାନରେ ମଣିଷ ଓ ସଂସ୍କୃତିର ଆହ୍ଵାନ ସବୁବେଳେ ଶୁଣାଉଥିବ । ବନବିଦ୍ୟାଳୟର ପରିଧିକୁ ବନ ଭିତରେ ସୀମାବଦ୍ଧ କରି ରଖିବାକୁ ଦୁର୍ବୃତ୍ତି ଆମେ କଦାପି କରିବୁ ନାହିଁ । କୌଣସି ବାଦ ବା ବିବାଦର ମୁଗ୍‍ଧ ବେଷ୍ଟନୀ ମଧ୍ୟରେ ଏହି ବିଦ୍ୟାଳୟ ଆପଣାକୁ କଦାପି ହଜାଇ ଦେବ ନାହିଁ । ଏହି ବିଦ୍ୟାଳୟକୁ ଜୀବନ ପରି ନାନା କ୍ଷେତ୍ରକୁ ପ୍ରସାରିତ ହେବାକୁ ପଡ଼ିବ । ଜୀବନର ସବୁ ହସ କାନ୍ଦ, ଲାଭକ୍ଷତି ଓ କ୍ଷୁଦ୍ରତା ଓ ବୃହତ୍ତାକୁ ଶ୍ରଦ୍ଧା ସହିତ ନିରୀକ୍ଷଣ କରିବାର ଶାଳୀନତା ଏହି ବିଦ୍ୟାଳୟର ବିଶେଷ ଭୂଷଣ ହୋଇ ରହିବ । ଆମର ବନ-ବିଦ୍ୟାଳୟ ଜୀବନ-ବିଦ୍ୟାଳୟର ସମ୍ଭାର ନେଇ ପ୍ରସ୍ତୁତ ହେବ, ଅର୍ଥାତ୍ ସକଳ ପ୍ରକାର ସଙ୍କୋଚ ଓ ସଂକୀର୍ଣ୍ଣତାଠାରୁ ଏହାକୁ ସର୍ବଦା ଦୂରରେ ରହିବାକୁ ପଡ଼ିବ ।

☆☆☆

 

ଦଶବର୍ଷ ପରେ

–୧–

 

ପଞ୍ଚାବନ ଆଉ ପଞ୍ଚଷଠି, ମଝିରେ ଦଶବର୍ଷ ଅତିକ୍ରାନ୍ତ ହୋଇଗଲାଣି । ଆମର ସ୍ଵାଧୀନ ଦେଶ ଆହୁରି ଦଶବର୍ଷ ବୁଢ଼ା ହୋଇଗଲାଣି, ଏହି ଦେଶରେ ଆମ ସମସ୍ତଙ୍କର ଅଭିଜ୍ଞତା ମଧ୍ୟ ଦଶବର୍ଷ ପ୍ରବୀଣ ହୋଇଗଲାଣି । ସଂସାରର ଚକ ଦଶବର୍ଷ ଆଗକୁ ମାଡ଼ିଗଲାଣି । ଦଶବର୍ଷ ତଳେ ଚମ୍ପତ୍ତିମୁଣ୍ଡାରେ ଛାତ୍ର ଓ ଛାତ୍ରୀ ହୋଇ ରହିଥିବା ଭାଇ ଓ ଭଉଣୀମାନେ ଏହାଭିତରେ ଅନେକ ବଡ଼ ହୋଇଗଲେଣି । ସେମାନଙ୍କ ମଧ୍ୟରୁ କେତେ ସଂସାର କଲେଣି, ଆଉ କେତେ ସଂସାରରେ ପ୍ରବେଶ କରିବାକୁ ବସିଲେଣି । କେତେକଙ୍କ ଲାଗି ସଂସାରର ସବୁ ସମସ୍ୟାର ସମାଧାନ ହୁଏତ ହୋଇ ସାରିଲାଣି, ସେମାନଙ୍କର ଆଉ କୌଣସିଥିକି କୌଣସି ମୁଣ୍ଡବଥା ନାହିଁ । ପୁଣି ଆଉକେତେ ସଂସାରର ସମସ୍ୟା ଭିତରେ ପଡ଼ି ଏପର୍ଯ୍ୟନ୍ତ ଭଉଁରି ବୁଲୁଚନ୍ତି, ସେମାନଙ୍କର ଗୋଡ଼ ଏପର୍ଯ୍ୟନ୍ତ ଭୂଇଁ ଧରିନାହିଁ ।

 

ଚମ୍ପତ୍ତିମୁଣ୍ଡା ଜଙ୍ଗଲରେ କେତେ ଗଛ କେଡ଼େ ବଡ଼ ହୋଇଯିବେଣି । ତଥାପି ସବୁ ଗଛ ଆଜି ଗୋଟି ଗୋଟି ହୋଇ ମନେ ପଡ଼ୁଚନ୍ତି । ଆକାଶର ତଳକୁ ମୁଣ୍ଡାଇ ରଖିଥିବା ସେହି ନୀଳ ପାହାଡ଼ଗୁଡ଼ାକ ଆଜି ମଧ୍ୟ ଆଖି ଆଗରେ ଆସି ଜଳଜଳ ଦିଶିଯାଉଚନ୍ତି । ଦଶବର୍ଷ ତଳେ ସେହି ପାହାଡ଼ ଆଉ ଅରଣ୍ୟକୁ ଅନାଇ ଜଙ୍ଗଲ-ଚିଠି ଲେଖୁଥିଲି । ଆଜି ଅନେକ ଦୂରରେ ଜଙ୍ଗଲ-ସ୍କୁଲ ବିଷୟରେ କେତେପଦ କଥା ଲେଖିବାକୁ ଯାଉଚି । ଏହି କେତେପଦ କଥା ଲେଖା ନହେଲେ ସତେ ଯେପରି ଜଙ୍ଗଲ-ସ୍କୁଲର କାହାଣୀ ଅପୂରା ରହିଯିବ, ଆଜି ଠିକ୍ ସେହିପରି ମନେ ହେଉଚି ।

 

୧୯୫୪ ମସିହା ଅଗଷ୍ଟ ଛବିଶି ତାରିଖରେ ଆମ ଜଙ୍ଗଲ-ସ୍କୁଲର ଉଦଘାଟନ ହୋଇଥିଲା । ଜଙ୍ଗଲରେ ନୁହେଁ, ଅନଗୁଳର ବାଜିରାଉତ ଛାତ୍ରାବାସରେ । ଉଦ୍‍ଘାଟନ-ଉତ୍ସବର ନିମନ୍ତ୍ରଣ ପାଇ ସେଦିନ ଓଡ଼ିଶାର ଅନେକ ବଡ଼ ବଡ଼ ଲୋକ ଆମ ବିଦ୍ୟାଳୟ-ଘରକୁ ଆସିଥିଲେ । ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀ ଆସିଥିଲେ । ଓଡ଼ିଶାର ଦୁଇଜଣ ପ୍ରମୁଖ ସାହିତ୍ୟିକ ଶ୍ରୀ କାଳିନ୍ଦୀଚରଣ ପାଣିଗ୍ରାହୀ ଓ ଡକ୍ଟର ମାୟାଧର ମାନସିଂହ ମଧ୍ୟ ଆସିଥିଲେ । ଉତ୍ସବର ପୁରୋଧା ହୋଇ ଆସିଥିଲେ ଭୂଦାନ-ଆନ୍ଦୋଳନ ଓ ମୌଳିକ ଶିକ୍ଷାଭିଯାନର ଅନ୍ୟତମ ବୟୋଜ୍ୟେଷ୍ଠ ନେତା ଶ୍ରୀଯୁକ୍ତ ଧୀରେନ ମଜୁମଦାର । ଆମ ନୂଆ ସ୍କୁଲର ମଙ୍ଗଳ ମନାସି ଶ୍ରୀଯୁକ୍ତ ବିନୋବାଙ୍କର ପତ୍ର ମଧ୍ୟ ଆସି ପହଞ୍ଚିଥିଲା ।

 

ସେଦିନ ପ୍ରାୟ ତିନିଘଣ୍ଟା ଧରି ଭାଷଣ ହେଲା । ସମସ୍ତେ ସ୍କୁଲଟିର ଶୁଭକାମନା କରି ଶିକ୍ଷା ଓ ଜୀବନଗଠନ କିପରି ହେବା ଉଚିତ, ସେହି ବିଷୟରେ ଭାଷଣ ଦେଲେ । ଅଥଚ ପ୍ରତ୍ୟେକ ଆପଣା ଆପଣା ଦୃଷ୍ଟିରୁ ହିଁ ଗୁରୁଜନ ପରି ଆମକୁ ସେହିମାନଙ୍କର ସୁପରାମର୍ଶ ଗ୍ରହଣ କରିବାଲାଗି ଉପଦେଶ ଦେଇଥିଲେ । ଭୂଦାନ-ନେତା ଭୂଦାନ ଓ ସର୍ବୋଦୟ-ଦର୍ଶନର ଉପାଦେୟତା ବଖାଣିଥିଲେ, ମନ୍ତ୍ରୀ ଆମର ନୂତନ ଉଦ୍ୟମରେ ଶାସନ ଓ ଶାସନକୋଷର ସଦିଚ୍ଛା ଓ ସଦ୍‍ଭାବ ଅବଶ୍ୟ ରହିଥିବ ବୋଲି ଆଶ୍ଵାସନା ଦେଲେ, ତେଣେ କବି ଓ ଲେଖକ ଆମରି ଅନାମଧେୟ ଅନାଗତ ବିଦ୍ୟାଳୟଟିର ମାଧ୍ୟମରେ ଦୁର୍ଗତ ଓଡ଼ିଶାର ଅନ୍ଧକାର ଦୂର ହୋଇଯିବ ବୋଲି କେତେ ସୁନିଷ୍ଠ ସ୍ଵପ୍ନ ଦେଖିବାରେ ଲାଗିଯାଇଥିଲେ । ସଭା ସରିବା ଆଗରୁ ସମସ୍ତଙ୍କୁ ଧନ୍ୟବାଦ ଦେବାର ପାଳି ମୋ’ରି ଉପରେ ପଡ଼ିଥିଲା ।

 

ପନ୍ଥାରେ ମୁଁ ଅବଶ୍ୟ ବିଶ୍ଵାସ କରେ, ମୋ’ ନିଜର ଜୀବନରେ ମଧ୍ୟ ଏକ ପନ୍ଥା ରହିଚି; କିନ୍ତୁ ତଥାପି ମୁଁ ପନ୍ଥୀ ନୁହେଁ । ଦେଶ, ଜାତି, ଭାଷା, ସାହିତ୍ୟ ଓ ଆଦର୍ଶ ପ୍ରତି ମୋର ଅବଶ୍ୟ ମମତା ରହିଚି । କିନ୍ତୁ ଏହିସବୁ ମମତାରେ ମମତ୍ଵର ଉଗ୍ର ବିଷ ଗୋଳିଦେବା ଲାଗି କାହିଁକି ମୋର ମନ ଆଦୌ ଯାଏ ନାହିଁ । ସେଦିନ ମୋର ଧନ୍ୟବାଦ ଦେବା ଭିତରେ ଏହି ଦୁଷ୍ଟଟା ହିଁ ସବୁଠାରୁ ଅଧିକ ପ୍ରକଟ ହୋଇ ପଡ଼ଇଥିଲା । ମୁଁ କହିଥିଲି : ଗୁରୁଜନମାନେ ଆମକୁ ଯେଉଁସବୁ ବାଣୀ ଶୁଣାଇଲେ ଓ ନିର୍ଭର ଦେଖାଇଲେ, ଆମେ ସେଥିଲାଗି ସେମାନଙ୍କ ପାଖରେ ଅବଶ୍ୟ କୃତଜ୍ଞ ରହିବୁ । ସେମାନଙ୍କର ଉଦବୋଧନ ଆମ ବିଦ୍ୟାଳୟର ବାଟ ଖୋଜିବାରେ ଆମକୁ ଅନେକ ପ୍ରେରଣା ନିଶ୍ଚୟ ଦେବ । କିନ୍ତୁ ଆମେ କଦାପି ଗୋଟିଏ ବାଟକୁ ଏକମାତ୍ର ବାଟ ବୋଲି ମାନି ନେବୁ ନାହିଁ । କୌଣସି ଗୋଟିଏ ଘରେ ଏକ ଆଦର୍ଶ ଖୁଆଡ଼ ତିଆରି କରି ରଖିବା ଉଦ୍ଦେଶ୍ୟରେ ଆମେ କଦାପି କବାଟ କିଳି ବସି ରହିବୁ ନାହିଁ । ଆମେ ସବୁଥିରୁ ସବୁ କ୍ଷେତ୍ରରୁ ଶିଖିବୁ, କିନ୍ତୁ କୌଣସିଥିରେ ବନ୍ଦୀ ହୋଇ ରହିବୁ ନାହିଁ । ଆମେ ସମଗ୍ର ଜୀବନରୁ ଶିଖିବୁ–ଆମେ ପ୍ରତ୍ୟେକେ ଆପଣାର ଗ୍ରହଣପାତ୍ରକୁ ପ୍ରସ୍ତୁତ କରି ରଖିଥିବୁ । କେବଳ ଏତିକି ଆମ ବିଦ୍ୟାଳୟରେ ଆମର ସାଧାରଣ ଆଦର୍ଶ ହୋଇ ରହିଥିବ ।

 

ଉତ୍ସବ ଓ ଭାଷଣ-ଆପ୍ୟାୟନର ବିହ୍ଵଳତା ଭିତରେ ସେଦିନ କାନ ଦେଇ ମୋ’ କଥା କିଏ କେତେଦୂର ଶୁଣିଥିବେ, ମୁଁ ସେକଥା କହି ପାରିବି ନାହିଁ । କିନ୍ତୁ ମୌଳିକ ଶିକ୍ଷା କହିଲେ ଯେ କେବଳ ଗୋଟିଏ ବାଟକୁ ମାନିନେବାକୁ ହିଁ ବୁଝାଏ, ସେକଥା ମୁଁ ବର୍ତ୍ତମାନ ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହେଁ । କୌଣସି ପ୍ରକାର ସତ୍‍ଶିକ୍ଷାରେ ମାନିନେବାର ଦାସତା ବା ମନାଇବାର ଦୁର୍ବୁଦ୍ଧି ଲାଗି କୌଣସି ସ୍ଥାନ ନାହିଁ । ଚମ୍ପତ୍ତିମୁଣ୍ଡାରେ ଚାରିବର୍ଷ କାଳ ମୁଁ ଏହି ବିଷୟରେ ସର୍ବଦା ସତର୍କ ରହିବାକୁ ଚେଷ୍ଟା କରିଥିଲି । ଯିଏ ଆମର ଯେଡ଼େ ବଡ଼ ଗୁରୁଜନ ହୋଇଥାନ୍ତୁ ପଛକେ, ତାଙ୍କ ଭିତରେ ଅନ୍ୟକୁ ମନାଇବାର କୁପରାକ୍ରମ ଦେଖିବାମାତ୍ରକେ ମୁଁ ଆପେ ତାଙ୍କଠାରୁ ଆପଣାକୁ ବଞ୍ଚାଇ ରଖିବାକୁ ହିଁ ଚେଷ୍ଟା କରିଚି । ତଥାପି ଭଲକୁ ତୁଚ୍ଛା ଭଲ ବା ମନ୍ଦକୁ ତୁଚ୍ଛା ମନ୍ଦ ବୋଲି ଅପବାଦ ଦେବାର ଦୁଃସାହସ କେବେହେଲେ କରିନାହିଁ । ଶିକ୍ଷକର ଏହି ଜିଦ୍ ଭିତରେ ପ୍ରତିପାଳିତ ହୋଇ ଜଙ୍ଗଲ-ସ୍କୁଲରେ ଛାତ୍ରଛାତ୍ରୀମାନଙ୍କର କି ଭଲ ବା କି ମନ୍ଦ ହୋଇଚି, ତାହା କେବଳ ସେହିମାନେ ହିଁ କହିପାରିବେ । ମୋ’ ତରଫରୁ ମୁଁ ଏତିକି କହିବି ଯେ ଏହି ଜିଦଟା ସକାଶେ ହିଁ ମୁଁ ଏପର୍ଯ୍ୟନ୍ତ ଶିକ୍ଷକ ହୋଇ ବଞ୍ଚିରହିଚି, ମଣିଷ ହୋଇ ବଞ୍ଚିରହିଚି ।

 

ପ୍ରଥମରୁ କହିରଖୁଚି, ଶିକ୍ଷକ ହେବାକୁ ଭଲପାଏ ବୋଲି ହିଁ ମୂଳତଃ ମୁଁ ଶିକ୍ଷକ ହୋଇଚି-। ଶିକ୍ଷକ ନ ହୋଇ ମୁଁ ଯେ ଆଉ କଣ ହୋଇ ପାରିଥାନ୍ତି, ଜୀବନର ଅଧେ ରାସ୍ତା ଚାଲିଆସିବା ପରେ ମଧ୍ୟ ମୁଁ ସେକଥା କହି ପାରିବି ନାହିଁ । ଚମ୍ପତିମୁଣ୍ଡାରେ ଚାରିବର୍ଷ ଶିକ୍ଷକତା କରିଚି । ଆଗ୍ରାର ଉପକଣ୍ଠରେ ଥିବା ଏହି ବୃହତ୍ ଅନୁଷ୍ଠାନରେ ମଧ୍ୟ ଶିକ୍ଷକତା କରିବା ମୋର ଚାରିବର୍ଷରୁ ଊର୍ଦ୍ଧ୍ଵ ହୋଇଗଲା । ଏହା ବ୍ୟତୀତ ଅବସର ଅନୁସାରେ ଦେଶରେ ବିଦେଶରେ ମୁଁ କେତେଥର ଶିକ୍ଷକତା କରିଚି । ପିଲାଙ୍କ ସ୍କୁଲରେ ମାଷ୍ଟର ହୋଇଚି, ବଡ଼ଙ୍କ ମେଳରେ ଅଧ୍ୟାପକ ବି ବୋଲାଇଚି-। କିନ୍ତୁ ଅଙ୍ଗେ ନିଭାଇଥିବା ଗୋଟାଏ କଥା ଆଜି ସମସ୍ତଙ୍କ ଆଗରେ କହିବାଲାଗି ମୋର ଭାରି ଲୋଭ ହେଉଚି । ମଣିଷ ତା’ କାମରୁ କେବଳ ପଇସା ଚାହେନାହିଁ, ତୃପ୍ତି ଚାହେ । ଆପଣାର କର୍ମ ଦେଇ ସେ ଆପଣାର ଜୀବନକୁ ମଧ୍ୟ ପରିପୂର୍ଣ୍ଣ କରିପାରିବାର ଲାଳସୀ ହୋଇ ରହିଥାଏ । ମୋର ଶିକ୍ଷକ-ଜୀବନରେ ଚମ୍ପତିମୁଣ୍ଡା ପରି ଅନ୍ୟ କେଉଁଠି ମୁଁ ଏତେ ତୃପ୍ତି ପାଇନାହିଁ । ଶିକ୍ଷକ ହିସାବରେ ମୋର ଆଗ୍ରହ ଓ ମୋର ବାସନାଗୁଡ଼ିକ ଲାଗି ପ୍ରଶସ୍ତତର କ୍ଷେତ୍ର ମୁଁ ଆଉ କେଉଁଠି ପାଇନାହିଁ-। ଶିକ୍ଷା କିପରି ହେବା ଉଚିତ ଓ କିପରି ହେବା ଉଚିତ ନୁହେଁ, ଏ ବିଷୟରେ ମୁଁ ନାନା ବହି ପଢ଼ିଚି, ଅଭିଜ୍ଞ ଓ ବିଜ୍ଞମାନଙ୍କଠାରୁ ଏହି ବିଷୟରେ ମୁଁ କେତେକେତେ ସୂତ୍ର ସାଉଁଟିବାକୁ ଯାଇଚି-। କିନ୍ତୁ ଶିକ୍ଷକ ହିସାବରେ ଜଙ୍ଗଲ-ସ୍କୁଲରେ ଚାରୋଟି ବରଷରେ ହିଁ ଯେପରି ମୋର ଅନ୍ତରତମ କେଉଁ କଢ଼ଟି ଅତି ସ୍ଵାଭାବିକ ଭାବରେ କୁସୁମିତ ହୋଇ ପାରିଚି । ମୌଳିକ ଶିକ୍ଷାର ସଦର ଓ ମଫସଲକୁ ନେଇ ଆଜି ପଣ୍ଡିତ ତଥା ଅପଣ୍ଡିତ-ସଭାରେ ତଥାପି ବଚସା ଚାଲିଚି-। ଆଜିଯାଏ କୌଣସି ଗୋଟିଏ ସଭାରେ ମୁଣ୍ଡ ବିକାଇଦେବାକୁ ମୋର କୌଣସି ସ୍ପୃହା କେବେହେଲେ ହୋଇ ନାହିଁ । ତଥାପି ନିଜ ଅଭିଜ୍ଞତାରୁ ମୁଁ କହିବି ଯେ ମୌଳିକ ଶିକ୍ଷାର ଆୟତନ ଭିତରେ ଶିକ୍ଷକର ଗୁଣଗୁଡ଼ିକର ପରିପୂର୍ଣ୍ଣ ବିକାଶଲାଗି ଯେତେ ଅବସର ଓ ସୁଯୋଗ ମିଳେ, ତାହା ଅନ୍ୟ କୌଣସିଠାରେ ମିଳେ ନାହିଁ । ମୁଁ ତତ୍ତ୍ଵକଥା କହୁନାହିଁ, ତତ୍ତ୍ଵ ଅନୁସାରେ ହୁଏତ ମୋର କହିବା କଥାକୁ କେହି ତତ୍ତ୍ଵବିତ୍ ମିଥ୍ୟା ବୋଲି ସାବ୍ୟସ୍ତ କରିଦେଇ ପାରେ । ମୁଁ ଆପେ ଉପଲବ୍‍ଧି କରିଥିବା କଥା ହିଁ କହୁଚି । ଆଗାମୀ ଭାରତବର୍ଷରେ ଶିକ୍ଷାର କେଉଁ ପ୍ରକରଣକୁ ଯେ ସର୍ବାଙ୍ଗସମ୍ପୂର୍ଣ୍ଣ ବୋଲି ଗ୍ରହଣ କରାଯିବ, ମୁଁ ସେକଥା କହି ପାରିବି ନାହିଁ । ହୁଏତ ମଣିଷ ବଞ୍ଚିଥିବାଯାଏ ଶିକ୍ଷାର ତୁଳନାତ୍ମକ ଉପାଦେୟତା ବିଷୟରେ କନ୍ଦଳ ଲାଗି ରହିଥିବ । ଭାରତବର୍ଷରେ ହୁଏତ କସ୍ମିନକାଳେ କୌଣସି ଗୋଟିଏ ମତ ବା ପଥାପେକ୍ଷୀ ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ମାନିନେବା ସମ୍ଭବ ହେବନାହିଁ-। କିନ୍ତୁ ଆଗାମୀ କାଳରେ ଆମ ଭାରତବର୍ଷ ବା ଆମର ପୃଥିବୀ ଆପଣା ଆବଶ୍ୟକତାର ପରିପୂରଣ ଲାଗି ଶିକ୍ଷାର ଯେଉଁସବୁ ଅଙ୍ଗକୁ ମାନ୍ୟତା ଦେଇ ଗ୍ରହଣ କରିବ, ମୌଳିକ ଶିକ୍ଷାର ଅନେକ ପ୍ରେରଣା ଯେ ସେହିସବୁ ଅଙ୍ଗରେ ଅବଶ୍ୟ ବଞ୍ଚିକରି ରହିବ, ମୁଁ ଏଥିରେ କୌଣସି ସନ୍ଦେହରେ ଅବକାଶ ହିଁ ଦେଖୁନାହିଁ ।

 

ପରବର୍ତ୍ତୀ ପୃଷ୍ଠାଗୁଡ଼ିକରେ ମୁଁ ଚମ୍ପତ୍ତିମୁଣ୍ଡାର ଜଙ୍ଗଲ-ସ୍କୁଲ ବିଷୟରେ କିଛି କହିବି । ବିଭିନ୍ନ କେତୋଟି ଦିଗର ଆଲୋଚନା ପରିବି । ସେଠାରେ କିଛି ପାଠପଢ଼ା ହେଉଥିଲା କି ନାହିଁ, ସେଠାରେ ପ୍ରତ୍ୟେକ ମଣିଷଶିଶୁକୁ ପ୍ରଧାନତଃ ଶିକ୍ଷାର ଦୃଷ୍ଟିକୋଣରୁ ଦେଖା ଯାଉଥିଲା କି ନାହିଁ, ସେହି ବିଷୟରେ ମୁଁ କେତୋଟି ସୂଚନା ଦେବାକୁ ଚେଷ୍ଟା କରିବି । ହଜିଗଲା ଧନକୁ ଲକ୍ଷେଟଙ୍କାର ସମ୍ପତ୍ତି ବୋଲି ଦେଖାଇବାକୁ ମଣିଷର ପ୍ରବଳ ପ୍ରବୃତ୍ତି ସବୁବେଳେ ଥାଏ । ଇତିହାସ ଲେଖିବାବେଳେ ମଣିଷ ଇଚ୍ଛା ନଥିଲେ ମଧ୍ୟ ରୋମାଣ୍ଟିକ୍ ହୋଇପଡ଼େ । ଚମ୍ପତ୍ତିମୁଣ୍ଡାର ବିଦ୍ୟାଳୟକୁ ମୁଁ ହଜିଲା ଧନ ପରି କଦାପି ବିଚାରି ନାହିଁ । ଜୀବନର ସ୍ଵପ୍ନଗୁଡ଼ିକୁ ସମ୍ଭାରି ଧରିବାକୁ ସେଠି ଚାରିବର୍ଷର ଅଭିଜ୍ଞତା ମୋତେ ଯେଉଁ କେତୋଟି ଆଧାରସ୍ତମ୍ଭ ଯୋଗାଇ ଦେଇଥିଲା, ସେଗୁଡ଼ିକ ଆଜି ମଧ୍ୟ ମୋ’ଜୀବନରେ ସ୍ତମ୍ଭ ହୋଇ ରହିଚି । ଚମତିମୁଣ୍ଡା ହଜି ଯାଇନାହିଁ, ମୋର ଅନ୍ତର ଭିତରେ ଏହା ଆଜି ମଧ୍ୟ ଏକ ସମ୍ପତ୍ତିମୁଣ୍ଡା ହୋଇ ରହିଚି । ଏହି ବିଦ୍ୟାଳୟର କାହାଣୀକୁ ମୁଁ କେବଳ ଇତିହାସ ବୋଲି କହିପାରିବି କିପରି ? ଏ ଦେଶର ଭୂମି ଉପରୁ ଯେଉଁଦିନ ସବୁ ଉଗ୍ରତା ଅପସରିଯିବ, ଯେଉଁଦିନ ମଣିଷ ଓ ତା’ର ମାନବତାକୁ ସାର କରି ଧରି ଯୁଗର ପୁନର୍ଗଠନ ଆରମ୍ଭ ହେବ, ଯେଉଁଦିନ ମଣିଷ ଭେକ ଓ ଆବରଣର ମୋହ ଛାଡ଼ି ସତ୍ୟ ଓ ସୁଖର ସନ୍ଧାନରେ ବାହାରିବ, ମୁଁ ଭାବୁଚି ଓଡ଼ିଶାରେ ସେଦିନ ନିଶ୍ଚୟ ଚମ୍ପତ୍ତିମୁଣ୍ଡାର ଡାକରା ପଡ଼ିବ ।

 

–୨–

 

ନାନା ଅସୁବିଧା ସତ୍ତ୍ୱେ ଚମ୍ପତିମୁଣ୍ଡାରେ ପାଠପଢ଼ା ହିଁ ସବୁଠାରୁ ପ୍ରଧାନ ଧନ୍ଦା ହୋଇ ରହିଥିଲା । ଘର ଅଭାବରେ ଗଛମୂଳରେ ବସି ପାଠ ପଢ଼ିବାକୁ ସେଠି ଆମେ କୌଣସି ଦିନ କୌଣସି ସଙ୍କୋଚ ଅନୁଭବ କରି ନଥିଲୁ । ଶିକ୍ଷକର ଅଭାବରେ ସେଠି ଆମ ଗ୍ରନ୍ଥାଗାର ହିଁ ଶିକ୍ଷକର ଅଭାବ ମେଣ୍ଟାଇବାକୁ ଚେଷ୍ଟା କରୁଥିଲେ । ଦ୍ରୋଣାଚାର୍ଯ୍ୟ ପ୍ରତ୍ୟାଖ୍ୟାତ ଏକଲବ୍ୟ ପରି ଆମ ପିଲାଏ ସେହି ଜଙ୍ଗଲ ଭିତରେ ଗ୍ରନ୍ଥାଗାରକୁ ଗୁରୁ କରି ଗ୍ରହଣ କରିଥିଲେ । ଓଡ଼ିଶା ଶିକ୍ଷାବିଭାଗର କର୍ତ୍ତୃପକ୍ଷଙ୍କ ସହିତ ଏକାଠି ବସି କଥା ହୋଇଥିଲା ଯେ ଅଷ୍ଟମ ଶ୍ରେଣୀ ପାସ୍ କରିବା ପରେ ଏଠି ପିଲାଏ ଆଉ ଚାରିବର୍ଷ ପଢ଼ିବେ । ତା’ ପରେ ସେମାନଙ୍କଠାରୁ ଉଚ୍ଚତର ମାଧ୍ୟମିକ ସ୍ତରର ଯୋଗ୍ୟତା ଆଶା କରାଯିବ । ଅବଶ୍ୟ ସେମାନେ ଓଡ଼ିଶାର ଉଚ୍ଚତର ମାଧ୍ୟମିକ ଅନ୍ୟ କୌଣସି ଶ୍ରେଣୀ ସହିତ ପରୀକ୍ଷାରେ ଏକାଠି ସାମିଲ ହେବେ ନାହିଁ । ସେମାନଙ୍କର ପାଠ ଓ ଅନ୍ୟାନ୍ୟ ଯୋଗ୍ୟତା କରିବାଲାଗି ସରକାରୀ ଶିକ୍ଷାବିଭାଗ ଗୋଟିଏ କମିଟି କରିଦେବେ । ସେହି କମିଟି ବରଷକୁ ବରଷ ଚମ୍ପତିମୁଣ୍ଡା ଆସି ପିଲାଙ୍କୁ ପରୀକ୍ଷା କରି ଯାଉଥିବ । ଆମେ ବିଦ୍ୟାଳୟରେ ଯାହାକିଛି କରୁ ପଛକେ, ଉଚ୍ଚତର ମାଧ୍ୟମିକକୁ ଯୋଗ୍ୟତାର ନିମ୍ନତମ ମାନ ବୋଲି ଗ୍ରହଣ କରି ଆମକୁ କାର୍ଯ୍ୟ କରିବାକୁ ହେବ । ଉଦାହରଣ ସ୍ୱରୂପ ହାଇସ୍କୁଲମାନଙ୍କରେ ଇଂରାଜୀ ପଢ଼ିବାଲାଗି ଯେଉଁ ପାଠ୍ୟପୁସ୍ତକ ସବୁ ଚଳୁଚି, ଆମେ ସେଗୁଡ଼ିକ ଆଣି ଆମ ପିଲାଙ୍କୁ ନ ପଢ଼ାଇବୁ ପଛକେ, କିନ୍ତୁ ଆମ ପିଲାଙ୍କର ଇଂରାଜୀ ଭାଷାରେ ଜ୍ଞାନ ଉଚ୍ଚତର ମାଧ୍ୟମିକର ସମକକ୍ଷ ହେବା ଆବଶ୍ୟକ । ସାହିତ୍ୟ, ବିଜ୍ଞାନ, ଗଣିତ ଓ ଅନ୍ୟାନ୍ୟ ବିଷୟରେ ମଧ୍ୟ ଠିକ୍ ଏହି ନୀତି ରହିବ । ଏହି ବ୍ୟବସ୍ଥାରେ ଅରାଜି ହେବାର କୌଣସି କାରଣ ନଥିଲା । ସବୁପ୍ରକାର ଅସୁବିଧା ସତ୍ତ୍ୱେ ଆମେ ଏହିପରି ଏକ ପରୀକ୍ଷା ଲାଗି ପ୍ରସ୍ତୁତ ମଧ୍ୟ ହେଉଥିଲୁ ।

 

ଏହିପରି ଭାବରେ ପ୍ରାୟ ସାଢ଼େ ତିନିବରଷ କଟିଗଲା । ଆମ ପ୍ରଥମ ଦଳର ପିଲାଏ ଶେଷ ବର୍ଷରେ ଆସି ପହଞ୍ଚିଲେ । ଚମ୍ପତିମୁଣ୍ଡାରେ ଛାତ୍ରସଂଖ୍ୟା ଅଶୀ ଟପିଗଲା । ଠିକ୍ ସେତିକିବେଳେ ବିଦ୍ୟାଳୟ ଉପରେ ଆସି ଚଡ଼କ ପଡ଼ିଲା । ଓଡ଼ିଶା ସରକାରଙ୍କର ଶିକ୍ଷାନୀତି ଯେମିତି ରହିଥିଲା, ସେମିତି ଥିଲା, କିନ୍ତୁ ଶିକ୍ଷାଶାସନର ସର୍ବୋଚ୍ଚ କର୍ତ୍ତା ବଦଳିଗଲେ । ତାଙ୍କର ମତ ହେଲା ଯେ ମାଧ୍ୟମିକ ସ୍ତରର ଯୋଗ୍ୟ ହେବାକୁ ହେଲେ ମାଟ୍ରିକ ପରୀକ୍ଷା ଦେବାକୁ ହିଁ ପଡ଼ିବ । ନଚେତ୍ ଏକଲବ୍ୟର ବିଦ୍ୟାକୁ ସରକାର ବିଦ୍ୟା ବୋଲି ସ୍ଵୀକାର କରିବେ ନାହିଁ । ଥରେ ଅନଗୁଳ ଡାକବଙ୍ଗଳାରେ ଅଧରାତି ଯାଏ ଏହି କଥା ପଡ଼ିଥିଲା । ସର୍ବନାଶରୁ ଅଧେ ବଞ୍ଚାଇବାକୁ ଗଲାପରି ମୁଁ ଶେଷକୁ କହିଲି, ଆସନ୍ତା ବର୍ଷକୁ ପଛେ ଯେଉଁ ନୂଆ ପିଲାମାନେ ଚମ୍ପତିମୁଣ୍ଡା ଆସିବେ, ସେମାନଙ୍କୁ ଆମେ ଦରବାରୀ ମାଟ୍ରିକ ପାଠ ପଢ଼ାଇବୁ; କିନ୍ତୁ ଯେଉଁମାନେ ଗତ ତିନିବର୍ଷ ହେଲା ଅନ୍ୟପ୍ରକାରେ ପାଠ ପଢ଼ିଚନ୍ତି ଓ ସରକାର ସେକଥା ଭଲ ଭାବରେ ଜାଣି ମଧ୍ୟ କୌଣସି ଆପତ୍ତି କରିନାହାନ୍ତି, ସେମାନଙ୍କୁ ଅନ୍ୟ ପ୍ରକାର ପରୀକ୍ଷାରେ ବସିବାକୁ ଅନୁମତି ଦିଆଯାଉ । ନଚେତ୍ ସେମାନଙ୍କର ତିନିଟା ଲେଖାଏଁ ବର୍ଷ କେବଳ ନଷ୍ଟ ହୋଇଯିବ । ମଣିଷ ସିନା ଶୁଣେ, ଆଇନ୍ ସିନା ଶୁଣେ; ମାତ୍ର ମଣିଷ ଯେତେବେଳେ ନିଜେ ଆଇନର ଅବତାର ହୋଇ ବସେ, ସେତେବେଳେ ଆଉ ଆମ କଥା କିଏ ଶୁଣିବ ? ଆମେ ନିରସ୍ତ ହେଲୁ । ସେଠାରୁ ଫେରିବାବେଳେ ସାଙ୍ଗରେ ଥିବା ସରକାରୀ ଶିକ୍ଷାବିଭାଗର ଆଉ ଜଣେ ଉଚ୍ଚସ୍ଥାନୀୟ ଗୁରୁଜନ ବଡ଼ କ୍ଷୁନ୍ନ ହୋଇ କହିଲେ, ଚିତ୍ତଭାଇ, ଆଜିଠାରୁ ଓଡ଼ିଶାରେ ମୌଳିକ-ଶିକ୍ଷାର ଇତି ହୋଇଗଲା । ମୁଁ ସେତେବେଳେ କୌଣସି କଥା ଶୁଣିବା ଅବସ୍ଥାରେ ନଥିଲି । ଗତ ଚାରି ବରଷର କର୍ମ, ଯୋଜନା ଓ କଳ୍ପନା ଭିତରଦେଇ ଆମେ ଚମ୍ପତିମୁଣ୍ଡାରେ ଯେଉଁ ଆସ୍ଥାନଟି ଗଢ଼ି ଆଣୁଥିଲୁ, ସେଦିନ ମୋର ଆଖି ଆଗରେ ସେହି ଆସ୍ଥାନଟି ସତେ ଯେପରି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡ଼ୁଥିଲା ପରି ମନେ ହେଉଥିଲା ।

 

ଚମ୍ପତିମୁଣ୍ଡାର ପିଲାଏ ଛିନ୍‍ଛତ୍ର ହୋଇଗଲେ । ଅନେକ ଆଉ କେଉଁ ହାଇସ୍କୁଲ ଯାଇ ମୂଳରୁ ପାଠ ପଢ଼ିଲେ । କାହାର ବରଷେ ଗଲା, କାହାର ଦୁଇ ତିନିବର୍ଷ ମଧ୍ୟ ପାଣିରେ ପଡ଼ିଲା । ବର୍ତ୍ତମାନ ସାତବର୍ଷ ପରେ ମୁଁ ଦେଖୁଚି, ତାଙ୍କଭିତରୁ କେହି ଜଣେ ହେଲେ ଆପଣା ବିଷୟରେ ଅଯୋଗ୍ୟ ପ୍ରମାଣ ଦେଇନାହାନ୍ତି । ସ୍ଵୀକୃତ ଶିକ୍ଷାଗୁଳାରେ ସେମାନେ କିଛି କମ୍ ବାହାଦୁରୀ ଦେଖାଇ ନାହାନ୍ତି । ସେମାନଙ୍କ ଭିତରୁ କେହି ଜଣେ ହେଲେ ଭାଗ୍ୟକୁ ନିନ୍ଦି ଚୁପ୍ ହୋଇ ବସି ଯାଇନାହିଁ । ଆଜି ମଧ୍ୟ ସେହିମାନଙ୍କ ମଧ୍ୟରେ ରହିଥିବା ପାରସ୍ପରିକ ସମ୍ପର୍କ ଚମ୍ପତିମୁଣ୍ଡାକୁ ବଞ୍ଚାଇ ରଖିଚି । ଜୀବନର ମଡ଼ା ଓ ଅମଡ଼ା ବାଟରେ ଏଡ଼େବଡ଼ ଓଡ଼ିଶାରେ ଛିନଛତ୍ର ହୋଇଯାଇଥିଲେ ମଧ୍ୟ ତଥାପି ଯେପରି କେଉଁ ହୃଦୟର ସୂତ୍ର ଆମକୁ ଆଜି ମଧ୍ୟ ଏକାଠି କରି ବାନ୍ଧି ରଖିଚି ।

 

ଚମ୍ପତିମୁଣ୍ଡାରେ ମଧ୍ୟ ପାଠର ପରୀକ୍ଷା ହେଉଥିଲା । ଅବଶ୍ୟ ସାଧାରଣ ହାଇସ୍କୁଲର ପରୀକ୍ଷାଠାରୁ ତାହା ଟିକିଏ ସ୍ଵତନ୍ତ୍ର ପ୍ରକାରର ହେଉଥିଲା । ବିଦ୍ୟାଳୟ ଲାଗି କ୍ରମେ ଏକ ବିଧିବଦ୍ଧ ପାଠ୍ୟକ୍ରମ ଆମେ ତିଆରି କରି ଆଣୁଥିଲୁ । ନୂତନ ଶିକ୍ଷାର ପ୍ରୟୋଗରେ ପାଠଶାଳା ଆଗ ବସେ, ତା’ ପରେ ସମୟକ୍ରମେ ପାଠ୍ୟକ୍ରମ ତିଆରି ହୋଇଯାଏ । ପ୍ରୟୋଗସିଦ୍ଧ ପାଠ୍ୟକ୍ରମ ହେଉଚି ଏପରି ଏକ ବିଦ୍ୟାଳୟର ଏକମାତ୍ର ସ୍ଵୀକୃତ ପାଠ୍ୟକ୍ରମ । ହାଇସ୍କୁଲ ବୋର୍ଡ଼ରେ ଆଗ ପାଠ୍ୟକ୍ରମ ଗଢ଼ାଯାଏ, ପାଠଶାଳାର ମାଷ୍ଟରମାନେ ଦରଜୀ ଦୋକାନର କମିଜ ପରି ତାହାକୁ ହିଁ ବିଦ୍ୟାଳୟର ଦେହରେ ଗଳାଇବାକୁ ଚେଷ୍ଟା କରନ୍ତି । ପରବର୍ତ୍ତୀ କେତେ ପୃଷ୍ଠାରେ ମୁଁ ଚମ୍ପତିମୁଣ୍ଡାରେ ହୋଇଥିବା ପରୀକ୍ଷା ବିଷୟରେ କିଞ୍ଚିତ ଧାରଣା ଦେବାର ଚେଷ୍ଟା କରିବି । ପିଲାଙ୍କର ପରୀକ୍ଷା ଖାତାକୁ କେବଳ ଆମେ ଶିକ୍ଷକମାନେ ଦେଖୁ ନଥିଲୁ । ସୁବିଧା ଅନୁସାରେ ତାହାକୁ ଆମେ ଅନଗୁଳ ଟ୍ରେନିଂ କଲେଜ ଓ କଟକର ରେଭେନ୍‍ସା କଲେଜରେ କେତେଜଣ ଅଧ୍ୟାପକବନ୍ଧୁଙ୍କ ନିକଟକୁ ପଠାଇ ଦେଉଥିଲୁ । ସେମାନେ ଖାତା ଦେଖି ନମ୍ବର ଚଢ଼ାଇ ଦେଉଥିଲେ ।

 

ଏହି ସମ୍ପର୍କରେ ଆଜି ଓଡ଼ିଶାର ଜଣେ ପ୍ରାତଃସ୍ମରଣୀୟ ସାଧକଙ୍କର କଥା ଭାରି ମନେ ପଡ଼ିଯାଉଚି । ଶ୍ରୀଯୁକ୍ତ ଆର୍ତ୍ତବଲ୍ଲଭ ମହାନ୍ତି ମଧ୍ୟ କେତେଥର ଆମ ପିଲାଙ୍କର ପରୀକ୍ଷାଖାତା ଦେଖି ଦେଉଥିଲେ । ଯେଉଁ ବିଦ୍ୟାଳୟର ପିଲାଙ୍କ ଖାତା ତାଙ୍କ ପାଖକୁ ଯାଉଥିଲା, ସେହି ବିଦ୍ୟାଳୟ ଓ ସେହି ପିଲାଙ୍କୁ ଦେଖିବାଲାଗି ସେ ଥରେ କଟକରୁ ସିଧା ଚମ୍ପତିମୁଣ୍ଡା ଆସି ପହଞ୍ଚି ଯାଇଥିଲେ । ଶ୍ରୀଯୁକ୍ତ ଆର୍ତ୍ତବଲ୍ଲଭ ଆଜି ସ୍ଵର୍ଗରେ, କିନ୍ତୁ ବୁଢ଼ା ବୟସରେ ମଧ୍ୟ ତାଙ୍କର ତାରୁଣ୍ୟ ଅନେକ ତରୁଣଙ୍କୁ ତାରୁଣ୍ୟର ଆସ୍ଵାଦନ ଦେବାରେ ଅନେକ ସାହାଯ୍ୟ କରିଥିବ । ମଟରରାସ୍ତାଠାରୁ ଆମର ଜଙ୍ଗଲ ସ୍କୁଲ ପ୍ରାୟ ଦୁଇମାଇଲ ବାଟ । ରାସ୍ତାକୁ ରାସ୍ତା ବୋଲି କହିବ ଉଚିତ ନୁହେଁ । ଦୁଇପ୍ରହରର ଖରାରେ ସେ ଦିନେ ବାଟ ଚାଲି ଆସି ଆମର ଜଙ୍ଗଲଟାକୁ ଚକିତ କରି ଦେଇଥିଲେ । ଆସିବାର କାରଣ ପଚାରିବାରୁ କହିଲେ: ତୋ’ର ପିଲାଙ୍କୁ ଦେଖିବାକୁ ମନହେଲା, ଚାଲିଆସିଲି । ଏହାପରେ ଆମର ବିଦ୍ୟାଳୟ ଅନ୍ୟ କେଉଁଠୁ ସ୍ଵୀକୃତ ପାଇବାର ଲୋଭ ଆଉ କାହିଁକି ରଖନ୍ତା ?

 

ପ୍ରଥମ ବର୍ଷ ଛାତ୍ରଗ୍ରହଣ ପୂର୍ବରୁ ମୁଁ ନାଆଁ ଲେଖାଇବାକୁ ଆସିଥିବା ପିଲାଙ୍କର ଗୋଟିଏ ସାଧାରଣ ପରୀକ୍ଷା କରିଥିଲି । ପିଲାଙ୍କର ପାଠ ବା ଜ୍ଞାନ ମାପିବା ଅପେକ୍ଷା ପିଲାଙ୍କୁ ମାପିବା ଏହି ପରୀକ୍ଷାର ମତଲବ ଥିଲା । ସେହି ପରୀକ୍ଷାରେ କେତୋଟି ପତ୍ର ମୁଁ ଏଠାରେ ଦେଉଚି ।

 

ପ୍ରାର୍ଥନା

 

୧)

ଆମ ଶିକ୍ଷାର କାର୍ଯ୍ୟକ୍ରମରେ ପ୍ରାର୍ଥନାର ଏକ ବିଶେଷ ସ୍ଥାନ କାହିଁକି ରହିଚି ?

 

 

 

୨)

ନିମ୍ନଲିଖିତ ପ୍ରାର୍ଥନା-ପ୍ରକାରରୁ କେଉଁ ପ୍ରକାରଟି ତୁମକୁ ସବୁଠାରୁ ଅଧିକ ଭଲ ଲାଗେ ଓ କାହିଁକି :

 

 

 

ସାମୁହିକ ବାକ୍‍ପ୍ରାର୍ଥନା

 

 

 

 

ବ୍ୟକ୍ତିଗତ ବାକ୍‍ପ୍ରାର୍ଥନା

 

 

 

 

ସାମୂହିକ ମୌନପ୍ରାର୍ଥନା

 

 

 

 

ବ୍ୟକ୍ତିଗତ ମୌନପ୍ରାର୍ଥନା

 

 

 

 

(୩)

ଆମର ପ୍ରାର୍ଥନା ଭିତରେ ‘ଓଁ ତତ୍‍ସତ୍ ଶ୍ରୀନାରାୟଣ ତୁ’ ମନ୍ତ୍ରଟି ରହିଚି । ଏହାର ବିଶେଷ ମହତ୍ତ୍ଵ କିଛି ଅଛି କି ? ଆମ ଶିକ୍ଷାର ଉଦ୍ଦେଶ୍ୟ ସହିତ ଏହାର କୌଣସି ବିଶେଷ ସମ୍ବନ୍ଧ ଅଛି କି ?

 

 

 

(୪)

ପ୍ରାର୍ଥନା କରିବାକୁ ହେବ, ଏପରି ଗୋଟାଏ ଜବରଦସ୍ତି ଭିତରେ ତୁମେ କେବେ ପ୍ରାର୍ଥନା କରିଚ କି ? ଏପରି ପ୍ରାର୍ଥନାରୁ କେତେଦୂର ସନ୍ତୋଷ ପାଇଚ ?

 

 

 

(୫)

ଅନୁଷ୍ଠାନରୁ ଅନ୍ୟତ୍ର ଯାଇଥିଲାବେଳେ ତୁମେ କେବେ ପ୍ରାର୍ଥନାର ନିୟମ କରିଚ କି ? ନ କରିଥିଲେ ଏପରି ବ୍ୟାଘାତର କାରଣ କଣ ହୋଇପାରେ ବୋଲି ଅନୁମାନ କରୁଚ ?

 

 

 

(୬)

ପ୍ରାର୍ଥନାକୁ ବିନୋବାଜୀ ଆତ୍ମାର ସ୍ନାନ ବୋଲି କହିଚନ୍ତି । ଏହାର ତାତ୍ପର୍ଯ୍ୟ କଣ ? ତୁମେ ନିଜେ କେବେ ଏପରି ସ୍ନାନର ଆବଶ୍ୟକତା ଅନୁଭବ କରିଚ କି ?

 

 

 

(୭)

ଆପଣା ମନଭିତରେ ଓ ପାରିପାର୍ଶିକ ବାତାବରଣରେ ପ୍ରାର୍ଥନା ଲାଗି ଏକ ଅନୁକୂଳ ଜଳବାୟୁ ରହିବା ଉଚିତ । ଏପରି ଏକ ଜଳବାୟୁ ସୃଷ୍ଟି କରିବାରେ ତୁମେ ଆଗରୁ କେତେଦୂର ସହଯୋଗ ବା ଅସହଯୋଗ କରିଚ ?

 

ସ୍ୱାସ୍ଥ୍ୟ

 

(୧)

ଦେହର ସ୍ୱାସ୍ଥ୍ୟ ଉପରେ ମନର ସ୍ୱାସ୍ଥ୍ୟ ଅନେକ ପରିମାଣରେ ନିର୍ଭର କରେ । ଦେହର ସଫାଇ ଉପରେ ମନର ସଫାଇ ଅନେକ ପରିମାଣରେ ନିର୍ଭର କରେ । ଏ ବିଷୟରେ ତୁମେ ନିଜେ କ’ଣ ଭାବୁଚ ।

 

 

(୨)

ଗତବର୍ଷ ତୁମର ଦେହ କେତେଥର ଖରାପ ହୋଇଚି ? ଏଥିରେ ଆପଣାର ଅବହେଳାଜନିତ ଦୋଷ କେତେଦୂର ରହିଚି ବୋଲି ତୁମେ ଅନୁମାନ କରୁଚ ?

 

 

(୩)

ଔଷଧ ଖାଇଲେ ରୋଗ ଭଲ ଯୋଇଯାଏ । କିନ୍ତୁ ଔଷଧ ନ ଖାଇଲେ ଯେ ରୋଗ ହୁଏ, ଏପରି କହି ଦେବ ନାହିଁ । ରୋଗକୁ ମାରିବା ଲାଗି ଯେଉଁମାନେ ଔଷଧ ଖାଇ କାମ ସାରିଦେଇ ବସନ୍ତି, ସେମାନଙ୍କ ବିଷୟରେ ତୁମେ କି ମତ ଦେବ ?

 

 

(୪)

ପ୍ରତ୍ୟେକ ଦିନର ଶାରୀରିକ ନିୟମକୁ ଆହୁରି ନିୟମିତ କରି ପାରୁଥିଲେ ତୁମେ ଅନେକ ବ୍ୟାଧିରୁ ରକ୍ଷା ପାଉଥାନ୍ତ, ଆପଣାକୁ ଅଧିକ କର୍ମଠ ଓ ସରସ କରି ପାରୁଥାନ୍ତ । ଏହାର ସପକ୍ଷ ବା ବିପକ୍ଷରେ ତୁମ ଆପଣାର ଯୁକ୍ତି ଦିଅ ।

 

 

(୫)

ଆମେ ସବୁଦିନ ଗାଧୋଇବା, ଭଲ କରି ତେଲ ଲଗାଇବା, ମୁଣ୍ଡ କୁଣ୍ଡାଇବା ଓ ସବୁଦିନ ମଶାରି ଟାଙ୍ଗି ଶୋଇବା–ଏହିସବୁ ନିୟମକୁ ତୁମେ କେତେଦୂର ସ୍ୱାସ୍ଥ୍ୟ ଅନୁକୂଳ ବୋଲି ବିଚାର କରୁଚ ? ଏପରି ଗୋଟିଏ ନିୟମ ଆମେ ଆମର ବିଦ୍ୟାଳୟରେ ରଖିବା କି ?

 

 

(୬)

ଯୋଗଶାସ୍ତ୍ରରେ ଚିତ୍ତଶୁଦ୍ଧି ପୂର୍ବରୁ ଶରୀରଶୁଦ୍ଧି ଆବଶ୍ୟକ ବୋଲି କୁହାଯାଇଚି । ଶରୀରକୁ ସୁସ୍ଥ ଓ ଯୋଗ-ଉପଯୋଗୀ କରିବାର ପରାମର୍ଶ ସହିତ ସୁସ୍ଥ ସ୍ଵଭାବ ଓ ସୁସ୍ଥ ହୃଦୟର ମଧ୍ୟ ସମ୍ବନ୍ଧ ରହିଚି । ତୁମେ ଏହି ବିଷୟରେ କଣ ବିଚାରୁଛ ?

 

 

(୭)

ଆପଣାର ଶାରୀରିକ ଅଭ୍ୟାସକୁ କେବଳ ରୁଚିଦ୍ଵାରା ନିୟନ୍ତ୍ରଣ କଲେ ହେବନାହିଁ । କେବଳ ରୁଚି ଅନୁସାରେ ଶାରୀରିକ ଆବଶ୍ୟକତାଗୁଡ଼ିକର ପୂରଣ କଲେ ଚଳିବ ନାହିଁ । ଆମର ଯାବତୀୟ ଅଭ୍ୟାସ ଓ ଆବଶ୍ୟକତା ପୂରଣର ମାନଦଣ୍ଡ ପ୍ରଧାନତଃ ସ୍ୱାସ୍ଥ୍ୟ ହିଁ ହେବା ଉଚିତ । ଏହି ବିଷୟରେ ତୁମର ମନ୍ତବ୍ୟ ଲେଖ ।

 

କାମ

 

(୧)

ମୌଳିକ ଶିକ୍ଷାରେ ପିଲାଙ୍କୁ ମୂଲିଆ କରି ଦିଆଯାଉଚି । ତୁମେ ଏହି ଜନରବର କେତେଦୂର ବିରୋଧ ବା ସମର୍ଥନ କରିବ ?

 

 

(୨)

ସାଧାରଣ ବିଦ୍ୟାଳୟମାନଙ୍କରେ ଶାରୀରିକ ପରିଶ୍ରମ ଉପରେ ଜୋର ଦିଆଯାଉ ନାହିଁ । ପରୀକ୍ଷା ଉପରେ ଜୋର ଦିଆଯାଉଚି । କିନ୍ତୁ ଆମ ପାଠଶାଳାରେ ଶ୍ରମକୁ ମଧ୍ୟ କାହିଁକି ପ୍ରଧାନ କରି ରଖାଯାଇଚି ?

 

 

(୩)

କାମ କରିବା ଓ ପାଠ ପଢ଼ିବା ନା କାମ କରିବାର ଜରିଆରେ ପାଠ ପଢ଼ିବା ତୁମେ କେଉଁଟାକୁ ଅଧିକ ସମର୍ଥନ କରୁଚ ଓ କାହିଁକି ?

 

 

(୪)

ସ୍ଵାବଲମ୍ବନ କହିଲେ ତୁମେ କଣ ବୁଝୁଚ ? ସହଯୋଗହୀନ ସ୍ଵାବଲମ୍ବନ ଓ ସହଯୋଗୀମୂଳକ ସ୍ଵାବଲମ୍ବନ ଭିତରେ କୌଣସି ପାର୍ଥକ୍ୟ ରହିଚି କି ?

 

 

(୫)

ମୂଲିଆ କାମ କରେ, ପଇସା ପାଏ । ଆମେ କାମ କରୁ, କିନ୍ତୁ ପଇସା ପାଉନାହେଁ । ଏପରି କାହିଁକି ହେଉଚି ? କାମ କରି ପଇସା ବଦଳରେ ଆମେ ଆଉ କିଛି ପାଉଚୁ କି ?

 

 

(୬)

ଆମର ଶିକ୍ଷାକ୍ରମରୁ ଯଦି କାମ କରିବା ବିଲକୁଲ ଉଠି ଯାଆନ୍ତା, ତେବେ ଆମେ ଶିକ୍ଷାର ପ୍ରକାର ଓ ପ୍ରକୃତି କିପରି ବଦଳିଯାଆନ୍ତା, ତାହାର ଗୋଟିଏ ଚିତ୍ର ଦେବାକୁ ଚେଷ୍ଟା କର ।

 

 

(୭)

କାମ କରିବା ତୁମକୁ ଭଲ ଲାଗେ କି ନାହିଁ ? ସମସ୍ତଙ୍କ ସହିତ ପ୍ରଧାନତଃ ଶୃଙ୍ଖଳା ରଖିବା ପାଇଁ ତୁମେ କାମ କର କି ? କାମ କରିବାରୁ ତୁମେ କି ଲାଭ ପାଉଚ ?

 

 

(୮)

ପିଲା ଦୁଷ୍ଟ ହେଲେ, ପିଲାର ଚରିତ୍ର ଓ ସ୍ଵଭାବ ଅସମାଜିକ ଓ ଅସୁନ୍ଦର ହୋଇ ପଡ଼ିଲେ ପିଲାଙ୍କୁ ବିଭିନ୍ନ ପ୍ରକାରର କାମ କରିବାକୁ ଦେଇ ତାକୁ ପୁଣି ବାଟକୁ ଆଣିବାର ପ୍ରୟୋଗ ରୁଷିଆରେ ମନୋବୈଜ୍ଞାନିକମାନେ କରୁଚନ୍ତି । ଏହା କେତେଦୂର ସଫଳ ହୋଇ ପାରିବ ବୋଲି ତୁମେ ଅନୁମାନ କରୁଚ ?

 

 

(୯)

ମୌଳିକ ସ୍କୁଲମାନଙ୍କରେ ସାଧାରଣତଃ ଯେପରି କାମ କରାଯାଏ, ସେପରି ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହେଲେ ଆମେ ଅଧିକ ଲାଭବାନ୍ ହୋଇ ପାରନ୍ତୁ କି ?

 

 

(୧୦)

(କ) କାମ କଲାବେଳେ ତୁମେ ଅଶ୍ଵସ୍ତି ବୋଧ କର କି ? (ଖ) ତୁମ ହାତ ପାପୁଲିରୁ ଝାଳ ବୁହେ କି ? କାହାରି ସହିତ, ବିଶେଷତଃ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହିତ ବା ସମସ୍ତଙ୍କ ଆଗରେ କଥା କହିଲାବେଳେ ତୁମ ପାଟିରେ ବା ତଣ୍ଟିରେ ଲାଗେ କି ? ଆଙ୍ଗୁଠିଗୁଡ଼ାକ ଆୟତ୍ତରୁ ବାହାରି ଗଲାପରି ମନେହୁଏ କି ? (ଗ) ମୁହଁ ତଳକୁ ତଳକୁ ପୋତିହୋଇ ଯାଏ କି ? (ଘ) ଆଙ୍ଗୁଠି ସବୁ ପାଟିପାଖକୁ ବା ମୁଣ୍ଡ ପଛକୁ ଚାଲିଯାଏ କି-? (ଙ) ନଖ କାମୁଡ଼ିବାକୁ ଇଚ୍ଛା ହୁଏ କି ? (ଚ) ମୁହଁରୁ ଝାଳ ବାହାରି ଆସିଲା ପରି ଲାଗେ କି ? ଯଦି ଏପରି କିଛି ହେଉଥାଏ, ତେବେ ସେ ସବୁର କ’ଣ କାରଣ ଥାଇପାରେ ବୋଲି ତୁମେ ଅନୁମାନ କରୁଚ ?

 

କୌଣସି ମୌଳିକ ସ୍କୁଲରେ ବା ହାଇସ୍କୁଲରେ ଅଷ୍ଟମ ସୋପାନ ପାସ୍ କରିସାରିବା ପରେ ପିଲାଏ ଆମ ଜଙ୍ଗଲ-ସ୍କୁଲକୁ ଆସୁଥିଲେ । ନବମ ସୋପାନରେ ପ୍ରତ୍ୟେକ ବିଷୟକୁ ବାଧ୍ୟତାମୂଳକ ରଖାଯାଇଥିଲା । ଗଣିତ, ଓଡ଼ିଆ ଭାଷା ଓ ସାହିତ୍ୟ, ଇଂରାଜୀ, ବିଜ୍ଞାନ ଏବଂ ସାମାଜିକ-ବିଜ୍ଞାନ ବ୍ୟତୀତ ‘ଶିକ୍ଷା’ ଓ ‘ଆଧୁନିକ ଜଗତ’ ନାମକ ଦୁଇଟି ବିଷୟରେ ବର୍ଷ ଶେଷରେ ପରୀକ୍ଷା ନିଆଯାଉଥିଲା । ମନେ ରଖିବାକୁ ହେବ ଯେ ଶେଷ ଦୁଇଟି ବିଷୟରେ ପିଲାମାନଙ୍କ କ୍ଲାସରେ କେବେ କିଛି ପାଠଦାନ ହେଉ ନଥିଲା । ବର୍ଷେ ଆଉ ଗୋଟିଏ ସ୍ଵତନ୍ତ୍ର ବିଷୟରେ ମଧ୍ୟ ପରୀକ୍ଷା ହୋଇଥିଲା । ଫରାସୀ ଲେଖକ Antoine de Saint Exuperyଙ୍କର ଅନ୍ତର୍ଦୃଷ୍ଟିମୂଳକ କାହାଣୀପୁସ୍ତକ The Little Princeକୁ ମୁଁ କ୍ଲାସରେ କେବଳ ଓଡ଼ିଆ କରି କହି ଦେଇଥିଲି । ବହିଟି ବିଷୟରେ କୌଣସି ଆଲୋଚନା ହୋଇ ନଥିଲା । ତା’ପରେ ପ୍ରତ୍ୟେକ ପିଲାଙ୍କୁ ବହିଟି ବିଷୟରେ ପ୍ରାୟ ୨୦/୨୫ ପୃଷ୍ଠାର ଗୋଟିଏ ଲେଖା ପ୍ରସ୍ତୁତ କରି ଦେବାକୁ ପଡ଼ିଥିଲା । ବହିଟି କାହିଁକି ଭଲ ଲାଗିଲା ବା ନ ଲାଗିଲା, ବହିର କେଉଁ ଉପକଥା ହୃଦୟ ଉପରେ ସବୁଠାରୁ ଅଧିକ ରେଖାପାତ କଲା ଓ କାହିଁକି,–ପିଲାମାନେ ଏହିପରି ନାନା ଦୃଷ୍ଟିରୁ ବିଚାର କରି ଆପଣାର ଲେଖା ଲେଖିଥିଲେ ।

 

ତିନିବର୍ଷର ବାର୍ଷିକ ପରୀକ୍ଷାରେ ନବମ ସୋପାନ ଲାଗି ହୋଇଥିବା ପରୀକ୍ଷାର କେତୋଟି ପ୍ରଶ୍ନ ମୁଁ ଏବେ ସଂଗ୍ରହ କରିଚି । ଏଠାରେ ସେଗୁଡ଼ିକୁ ପାଠକମାନଙ୍କର ବିଚାର ଲାଗି ବାଢ଼ିଦେବା ଉଚିତ ମନେ କରୁଚି ।

 

ସାହିତ୍ୟ-(୧୯୫୬)

(ନବମ ସୋପାନ)

 

(୧)

ଜାତୀୟ ସାହିତ୍ୟ କହିଲେ ଆମେ କ’ଣ ବୁଝିବା ? ଗୋପବନ୍ଧୁ ଦାଶ, ନୀଳକଣ୍ଠ ଦାସ ଓ ସଚ୍ଚି ରାଉତରାୟ ପ୍ରତ୍ୟେକଙ୍କୁ କେତେଦୂର ଓ କାହିଁକି ଓଡ଼ିଆ ଜାତୀୟ କବି ବୋଲି କୁହାଯାଇ ପାରିବ ?

 

 

(୨)

ସାରଳାଦାସଙ୍କର ମହାଭାରତ ଓଡ଼ିଆ ଲୋକଙ୍କୁ ଏପରି ମନୋମୁଗ୍‍ଧକର ଲାଗେ କାହିଁକି ? ସଂସ୍କୃତ ମହାଭାରତ ଓ ସାରଳା ମହାଭାରତ ଏହି ଦୁଇ ଗ୍ରନ୍ଥମଧ୍ୟରୁ ଓଡ଼ିଶା କେଉଁଟିକୁ ଅଧିକ ସାହିତ୍ୟିକ ମୂଲ୍ୟ ଦେବ ଓ କାହିଁକି ?

 

 

(୩)

ଭଲ ନାଟକ କାହାକୁ କୁହାଯାଏ ? ପୌରାଣିକ ଓ ସାମାଜିକ ନାଟକ ଭିତରୁ କେଉଁଟା ତୁମ ମନକୁ ଭଲ ଲାଗେ ଓ କାହିଁକି ?

 

 

(୪)

ଏବର୍ଷ ଆମେ ‘ରାମେର ସୁମତି’ ନାଟକ ଅଭିନୟ କରିଥିଲେ । ଏହା ତୁମକୁ ଭଲ ବା ଖରାପ କାହିଁକି ଲାଗିଲା ? ଏଥିରେ ରହିଥିବା କେଉଁ ବିଶେଷ ଗୁଣ ବା ବିଶେଷ ଦୋଷ ତୁମେ ଲକ୍ଷ୍ୟ କରି ପାରିବ ?

 

 

(୫)

ଟିପ୍ପଣୀ ଲେଖ–ବୌଦ୍ଧଗାନ ଓ ଦୋହା, ଅର୍ଥକୋଇଲି, ସେକ୍‍ସ୍‍ପିଅର୍, ମାକ୍‍ସିମ୍ ଗର୍କି, ଗୋପୀନାଥ ମହାନ୍ତି ।

 

ଆଧୁନିକ ଜଗତ–୧୯୫୬ (ନବମ ସୋପାନ)

 

(୧)       ଗତ ମାସରେ ପାକିସ୍ତାନରେ ଗଣତନ୍ତ୍ର-ଶାସନ ପ୍ରତିଷ୍ଠିତ ହେଲା । ତଥାପି ଭାରତର ଗଣତନ୍ତ୍ର ଓ ପାକିସ୍ତାନର ଗଣତନ୍ତ୍ର ମଧ୍ୟରେ ପ୍ରଧାନ ପାର୍ଥକ୍ୟମାନ କ’ଣ ରହିଚି ବୋଲି ତୁମେ ବିଚାରୁଚ ?

 

(୨)       ଆମେରିକାବାଲା ତାଙ୍କ ଶାସନକୁ ଯେମିତି ଗଣତନ୍ତ୍ର-ଶାସନ ବୋଲି କହୁଚନ୍ତି, ଋଷିଆବାଲା ଆପଣା ଶାସନକୁ ମଧ୍ୟ ସେମିତି ଗଣତନ୍ତ୍ର-ଶାସନ ବୋଲି କହୁଚନ୍ତି । ଆମେ ବି ଆମ ଦେଶର ଶାସନକୁ ଗଣତନ୍ତ୍ର-ଶାସନ ବୋଲି କହୁଚେ । ତେବେ ଗଣତନ୍ତ୍ରର କୌଣସି ସାମାନ୍ୟ ସଂଜ୍ଞା ନାହିଁ କି ? ତୁମେ ଆପଣାର ବିଚାର ସ୍ପଷ୍ଟ କରି ଲେଖ ।

 

(୩)      ଗତ ଡିସେମ୍ବର ମାସରେ ଋଷିଆର ଯେଉଁ ଦୁଇଜଣ ମୂଖ୍ୟ ବ୍ୟକ୍ତି ଆମ ଦେଶକୁ ଅତିଥି ହୋଇ ଆସିଥିଲେ, ସେମାନଙ୍କର ଏହି ଭ୍ରମଣଯାତ୍ରାକୁ ପୃଥିବୀରେ ଶାନ୍ତିପ୍ରତିଷ୍ଠା କରିବାର ସହାୟକ ବୋଲି କୁହାଯାଉଚି କାହିଁକି ? ଏହାଦ୍ୱାରା ଭାରତର କି ଲାଭ ହେଲା ? ଇଂଲଣ୍ଡ ଓ ଆମେରିକାର ଏହି ଭ୍ରମଣର କିପରି ପ୍ରତିକ୍ରିୟା ହେଲା ?

 

(୪)      ସୀମା-କମିଶନ କାହିଁକି ବସିଥିଲା ? କେଉଁ ମୌଳିକ ନୀତି ଅନୁସାରେ ଏହି କମିଶନ ରାଜ୍ୟ-ସୀମାର ନିଷ୍ପତ୍ତି କଲେ । ଗୋଟିଏ ଭାଷାଭାଷୀ ଅଞ୍ଚଳ ଆଉଗୋଟିଏ ଭାଷାଭାଷୀ ଅଞ୍ଚଳଠାରୁ ଅଲଗା ରହିବାର ନୀତିରେ କୌଣସି ପ୍ରକାର ସୀମା ରହିବା ଉଚିତ କି ?

 

(୫)      ସୀମା-କମିଶନ ପାଖରେ ଓଡ଼ିଶା ଯେଉଁସବୁ ଦାବୀ କରିଥିଲା, ତାହା ରହିଲା ନାହିଁ । ନିମ୍ନଲିଖିତ ବ୍ୟକ୍ତି ବା ସଂସ୍ଥାମାନଙ୍କ ଭିତରୁ ସେଥିଲାଗି ମୁଖ୍ୟତଃ କିଏ ଦାୟୀ ବୋଲି ତୁମେ ବିଚାରୁଚ–ପଣ୍ଡିତ ନେହେରୁ, କଂଗ୍ରେସ ଦଳ, ଫଜଲ ଅଲ୍ଲି, ବିଚ୍ଛିନ୍ନାଞ୍ଚଳ ଦାବୀ କରି ଓଡ଼ିଶାର ଦୁର୍ବଳ ଜାତୀୟ ଆନ୍ଦୋଳନ, ଓ ଦୂରଦୃଷ୍ଟିହୀନ ଭୁଲ ନେତୃତ୍ଵ ?

 

(୬)      ଗତ ମାସରେ ଋଷିଆର ଦୃଷ୍ଟୀଭଙ୍ଗୀରେ ଯେଉଁ ପରିବର୍ତ୍ତନ ଘଟିଚି, ତାହାକୁ ଗତ ମହାଯୁଦ୍ଧ ପରେ ପୃଥିବୀର ସବୁଠାରୁ ବଡ଼ ଘଟଣା ବୋଲି କେତେଦୂର କୁହାଯାଇ ପାରିବ-? ଏହାଦ୍ୱାରା ପୃଥୀବୀର ସନ୍ଦେହ ଓ ଆତଙ୍କ କେତେଦୂର ଓ କିପରି ବଢ଼ିଲା ନା କମିଲା-?

 

(୭)      ଜାତୀୟତା ଓ ଆନ୍ତର୍ଜାତୀୟତା–ଏହି ଦୁଇଟି ଆଦର୍ଶ ଭିତରୁ କେଉଁଟି ପୃଥିବୀ ପକ୍ଷରେ ଅଧିକ କଲ୍ୟାଣକର । ଏହି ଦୁଇଟି ଆଦର୍ଶ ଭିତରେ କୌଣସି ମୌଳିକ ବିରୋଧ ରହିଚି କି ? ଇତିହାସରୁ ଉଦାହରଣ ଦେଇ ବୁଝାଇଦିଅ ।

 

(୮)      ସଂକ୍ଷିପ୍ତ ଟିପ୍ପଣୀ ଲେଖ–ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା, ବମ୍ବେ ସହର, ଭୂମିକ୍ରାନ୍ତି, ଜାତୀୟ ସାହିତ୍ୟ ଏକାଡ଼େମୀ, ଭାକ୍ରା ନଙ୍ଗଲ ।

 

ସାହିତ୍ୟ–୧୯୫୭

(ନବମ ସୋପାନ)

Unknown

 

(୧)      ଭଲ କବିତା କହିଲେ ତୁମେ କ’ଣ ବୁଝ । କୌଣସି କବିତା ଭଲ କି ଖରାପ ତାହା କେବଳ ପାଠକର ବ୍ୟକ୍ତିଗତ ମତ ଉପରେ ନିର୍ଭର କରେ କି ? ନା କବିତାର ବିଚାର କରିବାକୁ କୌଣସି ସାହିତ୍ୟିକ ମାନଦଣ୍ଡ ରହିଚି ।

 

(୨)      ଆମ ଦେଶର ସ୍କୁଲ ବା କଲେଜମାନଙ୍କରେ ଯେପରି ପ୍ରଣାଳୀରେ ସାହିତ୍ୟ ପଢ଼ାଯାଉଛି, ତଦ୍ଦ୍ୱାରା ଛାତ୍ରର ସାହିତ୍ୟ-ରୁଚି କ୍ରମେ ମରିଯାଉଚି–ଏଥିରେ ତୁମେ କେତେଦୂର ଏକମତ ହେବ ? ସାହିତ୍ୟ ପଢ଼ାଇବାକୁ ହେଲେ ଶିକ୍ଷକଙ୍କର କି କି ବିଶେଷ ଯୋଗ୍ୟତା ରହିବା ଆବଶ୍ୟକ ? ସାହିତ୍ୟ ବିଷୟରେ କିପରି ଢଙ୍ଗରେ ପରୀକ୍ଷା ହେବା ଉଚିତ ।

 

(୩)      ଓଡ଼ିଆ ଭାଷାରେ ତୁମେ ପଢ଼ିଥିବା ସବୁଠାରୁ ଭଲ (କ) ଭ୍ରମଣ-କାହାଣୀ, (ଖ) ଉପନ୍ୟାସ, ଓ (ଗ) ନାଟକ ବିଷୟରେ ତୁମର ମତାମତ ଦିଅ । ପ୍ରତ୍ୟେକ ବିଷୟରେ ମତାମତ ୧୫ରୁ ୨୦ଟି ବାକ୍ୟ ମଧ୍ୟରେ ହେବା ଉଚିତ ।

 

(୪)      ଓଡ଼ିଆ ବ୍ୟତୀତ ଅନ୍ୟ କୌଣସି ଭାଷାରେ କୌଣସି ଲେଖକଙ୍କର କବିତା ବା ନାଟକବହି ତୁମେ ପଢ଼ିଚ କି ? ସେହିପରି ଗୋଟିଏ ବହି ଉପରେ ତୁମର ସମାଲୋଚନା ଅନ୍ତତଃ ୨୩-୩୦ଟି ବାକ୍ୟରେ ଲେଖ ।

 

(୫)      ଟିପ୍ପଣୀ ଦିଅ–ଦେବେନ୍ଦ୍ର ସତ୍ୟାର୍ଥୀ, ସାହିତ୍ୟରେ ସବୁଠାରୁ ବଡ଼ ପୁରସ୍କାର, ବିଶ୍ଵସାହିତ୍ୟ, ଡିଟେକଟିଭ୍ ଉପନ୍ୟାସ, ଓଡ଼ିଆ ସାହିତ୍ୟରେ ଅଭାବ ।

 

ସମାଜବିଜ୍ଞାନ–୧୯୫୭ (ନବମ ସୋପାନ)

 

(୧)

ଭାରତର ଇତିହାସ ପଢ଼ିବାକୁ ଯାଇ ଆମେ ବେଦ, ଉପନିଷଦ ଓ ଗୀତା ପ୍ରଭୃତିକୁ ଏତେ ବିସ୍ତୃତ ଭାବରେ କାହିଁକି ପଢ଼ିଲୁ ? ଇତିହାସ ଜାଣିବା ପାଇଁ ଏସବୁ ଆମକୁ କେତେଦୂର ସାହାଯ୍ୟ କଲା ? ପୃଥିବୀର ଇତିହାସରେ ଏସବୁ ବିଷୟକୁ କେତେଦୂର ସ୍ଥାନ ଦିଆଯିବା ଉଚିତ ?

 

 

(୨)

ଆଦିବାସୀ, ଦ୍ରାବିଡ଼ ଓ ଆର୍ଯ୍ୟ ଏହି ତିନି ସଭ୍ୟତା ମଧ୍ୟରୁ କେଉଁଟାକୁ ତୁମେ କେତେଦୂର ଉଚ୍ଚ ସ୍ଥାନ ଦେବ ଓ କାହିଁକି ? ଭାରତୀୟ ସଂସ୍କୃତିର ନିର୍ମାଣରେ କେଉଁ ସଭ୍ୟତା କେତେଦୂର ସାହାଯ୍ୟ କରିଚି ବା ବାଧା ଦେଇଚି ବୋଲି ତୁମେ ବିଚାରୁଚ ?

 

 

(୩)

ଟିପ୍ପଣୀ ଲେଖ–ଐତରେୟ ଉପନିଷେଦ, ଅଷ୍ଟାଙ୍ଗ ଯୋଗ, ଷଡ଼ଦର୍ଶନ, ପୂରାଣ, ଗୀତାଧର୍ମ ।

 

 

(୪)

‘ଉତ୍ତର-ମୌଳିକ ଶିକ୍ଷାରେ ମୋର ଗୋଟିଏ ବର୍ଷ’–ଏହି ବିଷୟରେ ଏକ ଅନୁଭୂତିମୂଳକ ପ୍ରବନ୍ଧ ଲେଖ ।’

 

 

(୫)

ତୁମେ ତୁମ ସୋପାନର ପ୍ରତ୍ୟେକଙ୍କ ବିଷୟରେ ଅନ୍ୟୂନ ଦଶଟି ବାକ୍ୟରେ ଆପଣାର ସ୍ପଷ୍ଟ ମନ୍ତବ୍ୟ ଲେଖ । ଶେଷରେ, ତୁମେ ନିଜେ ନିଜ ବିଷୟରରେ କ’ଣ ବିଚାରୁଚ, ଅନ୍ୟୂନ ୧୫ଟି ବାକ୍ୟରେ ବର୍ଣ୍ଣନା କର ।

 

ଶିକ୍ଷା-୧୯୫୭

(ନବମ ସୋପାନ)

 

(୧)

ତୁମେ ପ୍ରଥମେ ଏହି ବିଦ୍ୟାଳୟର କି କଳ୍ପନା କରି ଏଠାକୁ ଆସିଥିଲ ? ବରଷକ ପରେ ତୁମେ ସେହି କଳ୍ପନାର କେତେଦୂର ନିକଟବର୍ତ୍ତୀ ହୋଇ ପାରିଚ ? ଶିକ୍ଷକର ଯୋଗାଇଦେବା ଓ ଶିକ୍ଷାର୍ଥୀର ଗ୍ରହଣ କରିବା ଉପରେ କୌଣସି ବିଦ୍ୟାଳୟର ମଙ୍ଗଳ କେତେଦୂର ନିର୍ଭର କରେ ?

 

 

(୨)

ଆମ ଶିକ୍ଷାକ୍ରମରେ ଶରୀରଶ୍ରମ ରହିଚି, ଶାରୀରିକ ଓ ମାନସିକ ଅଭ୍ୟାସକ୍ରମ ରହିଚି । ସୂତାକଟା ଓ ପ୍ରାର୍ଥନା ମଧ୍ୟ ରହିଚି । ଶିକ୍ଷାଯୋଜନାରେ ଏସବୁ କଥା କାହିଁକି ରଖାଯାଇଚି ବୋଲି ତୁମେ ବିଚାରୁଚ ? ତୁମେ ଏସବୁକୁ କେତେଦୂର ଗ୍ରହଣ ବା ବର୍ଜନ କରିଚ, ଏହାରି ଆଲୋଚନା କରି ଶିକ୍ଷାର୍ଥୀ ହିସାବରେ ଆପଣାର ଯୋଗ୍ୟତା ଅବଧାରଣ କର ।

 

 

(୩)

ଶରୀର ମନର ଅଧୀନ ଓ ମନ ଆତ୍ମାର ଅଧୀନ ହୋଇ ରହିବା ଉଚିତ ବୋଲି ଶିକ୍ଷାଶାସ୍ତ୍ରରେ କାହିଁକି କୁହାଯାଇଚି ? ତୁମର ଆତ୍ମା ଓ ମନ କେତେଦୂର ତୁମ ଶରୀରର ଅଧୀନ ହୋଇ ରହିଚି ? ଏହାଦ୍ୱାରା ଆପଣା ଜୀବନର ବିକାଶରେ କେତେଦୂର ସାହାଯ୍ୟ ମିଳିଚି ବା ବାଧା ପହଞ୍ଚିଚି ବୋଲି ତୁମେ ବିଚାରୁଚ ?

 

 

(୪)

ଓଡ଼ିଶାରେ ଏତେ ଶିକ୍ଷାଳୟ ଥାଉ ଥାଉ ଆମେ ସମସ୍ତେ ଏଠି କାହିଁକି ଗୋଟାଏ ବିଦ୍ୟାଳୟ ଗଢ଼ିବାକୁ ଯାଉଚୁ ? ଏହାପଛରେ କୌଣସି ବିଶେଷ ଇଚ୍ଛା ବା ଉଦ୍ଦେଶ୍ୟ ଅଛି ବୋଲି ତୁମେ ଅନୁମାନ କରୁଚ କି ? ଏହି ବିଶେଷ ଉଦ୍ଦେଶ୍ୟ ଦୃଷ୍ଟିରୁ ତୁମେ ଏହି ବିଦ୍ୟାଳୟର କିପରି ନାମକରଣ କରିବ ଓ କାହିଁକି ?

 

 

(୫)

ଆମ ଦେଶ ପିଲାଙ୍କ ମନରେ ଏତେ ଭୟ ପୂରିରହିଚି କାହିଁକି ? ଏଥିଲାଗି ତୁମେ କାହାକୁ କେତେଦୂର ଦାୟୀ କରିବ ଓ କାହିଁକି–ଦାରିଦ୍ର୍ୟ, ପରିବାର, ଶିକ୍ଷକ, ଶିକ୍ଷାବ୍ୟବସ୍ଥା, ଧର୍ମ ।

 

ଆଧୁନିକ ଜଗତ-୧୯୫୭

(ନବମ ସୋପାନ)

 

(୧)

ଭାରତ କୌଣସି ସାମରିକ ମେଣ୍ଟରେ ଯୋଗ ନଦେବାରୁ ତା’ର କି କ୍ଷତି ହେଉଚି ? ଆଟ୍‍ଲାଣ୍ଟିକ୍ ମେଣ୍ଟରେ ଯୋଗ ନ ଦେଇଥିଲେ ଯୁଦ୍ଧାହତ ଜର୍ମାନୀର ମେରୁଦଣ୍ଡ ଯେ ଭାଙ୍ଗିପଡ଼ନ୍ତା, ଏକଥା ତୁମେ କେତେଦୂର ସମର୍ଥନ କରିବ ? ଭାରତ କେଉଁ ମେଣ୍ଟରେ ଯୋଗ ଦେଉ ବୋଲି ତୁମେ ସୁପାରିଶ କରିବ ?

 

 

(୨)

ସୁଯୋଗ ପାଇଥିଲେ ଗତ ଭୋଟରେ ତୁମେ କେଉଁ ଦଳକୁ ଭୋଟ ଦେଇଥାନ୍ତ ଓ କାହିଁକି-? ଯେଉଁ ଦଳ ଦେଶର ଶାସନସଭାର ଗ୍ରହଣ କରିବ, ତାହାକୁ ପ୍ରଥମେ କେଉଁ କେଉଁ ପ୍ରଧାନ ସମସ୍ୟାପ୍ରତି ଦୃଷ୍ଟି ଦେବାକୁ ପଡ଼ିବ ?

 

 

(୩)

ଋଷିଆ ଓ ଆମେରିକା ବର୍ତ୍ତମାନର ପୃଥିବୀର ଦୁଇଟି ଶିବିରରେ ପରିଣତ କରିବାକୁ ଚାହୁଚନ୍ତି । ଏହି ଉଦ୍ଦେଶ୍ୟର ସାଧନ ଲାଗି ସେମାନେ ପ୍ରତ୍ୟେକେ କେଉଁ ଉପାୟମାନ ଅବଲମ୍ବନ କରୁଚନ୍ତି ? ଏହି ଦୁଇ ସରକାରଙ୍କ ପ୍ରଚାରିତ ତଥା ଆଚରିତ ନୀତି ମଧ୍ୟରେ କେଉଁ କେଉଁ ପ୍ରଧାନ ପାର୍ଥକ୍ୟ ରହିଚି ?

 

 

(୪)

କୋରାପୁଟରେ ହୋଇଥିବା ଗ୍ରାମଦାନ ସାରା ପୃଥିବୀକୁ ଏକ ନୂତନ ଆହ୍ଵାନ ଦେଇଚି । କୋରାପୁଟରେ ଆଦର୍ଶ ସମାଜ ଗଢ଼ି ପୃଥିବୀର ନାନା ସମସ୍ୟାର ସମାଧାନ ହୋଇପାରିବ ବୋଲି ତୁମେ ବିଶ୍ଵାସ କରୁଚ କି ? ଶାନ୍ତପୂର୍ଣ୍ଣ ଉପାୟରେ ଆମ ପୃଥିବୀରେ ଶାନ୍ତି ଓ କଲ୍ୟାଣ ପ୍ରତିଷ୍ଠା କରିବା ଲାଗି କୌଣସି ଅନ୍ୟ ଉପାୟ ଅଛି କି ?

 

 

(୫)

ଟିପ୍ପଣୀ ଲେଖ–

 

 

ଆନ୍ଥୋନି ଇଡ଼େନ୍, ଓଲିମ୍ପିକ କ୍ରୀଡ଼ା, ଆଲ୍‍ଜିରିଆ, ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା, ସମ୍ପତ୍ତିଦାନ ।

 

ସମାଜ ବିଜ୍ଞାନ-୧୯୫୮

(ନବମ ସୋପାନ)

 

(୧)

ସମାଜ କହିଲେ ତୁମେ କ’ଣ ବୁଝ ? ମଣିଷ ଓ ପଶୁର ସମାଜ ଭିତରେ କେଉଁ ପ୍ରଭେଦମାନ ରହିଚି ? ମାଙ୍କଡ଼-ସମାଜ ଓ ଛାତ୍ର-ସମାଜ ଭିତରେ କି ପ୍ରଭେଦ ରହିଚି ? ସମାଜ ବିଷୟରେ ଜ୍ଞାନକୁ ଆଜିକାଲି କାହିଁକି ବିଜ୍ଞାନ ବୋଲି କୁହାଯାଉଚି ?

 

 

(୨)

ମଣିଷ ମଣିଷ ଭିତରେ ଧର୍ମ ନାନା ଘୃଣା ଓ କଳହର ସୃଷ୍ଟି କରିଚି ଓ କରୁଚି । କାହିଁକି ? ଧର୍ମ ଓ କୁସଂସ୍କାର ମଧ୍ୟରେ କି ଅନ୍ତର ରହିଚି ? ଭାରତର ଉପନିଷଦଶାସ୍ତ୍ରକୁ ପୃଥିବୀର ଯେକୌଣସି ମଣିଷର ଧର୍ମଶାସ୍ତ୍ର ରୂପେ କେତେଦୂର ଗ୍ରହଣ କରାଯାଇ ପାରିବ ?

 

 

(୩)

ଆସିବାସୀ, ଦ୍ରାବିଡ଼ ଓ ଆର୍ଯ୍ୟ ତିନିହେଁ ମିଶି ଭାରତୀୟ ସଭ୍ୟତା ଓ ସଂସ୍କୃତିର ନିର୍ମାଣ କରିଚନ୍ତି । କିପରି ? ତେବେ ବର୍ତ୍ତମାନ ଭାରତର ଆଦିବାସୀ, ଦ୍ରାବିଡ଼ ଓ ଆର୍ଯ୍ୟଙ୍କ ଭିତରେ ନାନା କଳହ ଦେଖାଯାଉଚି କାହିଁକି ?

 

ଶିକ୍ଷା-୧୯୫୮

(ନବମ ସୋପାନ)

 

(୧)

ସ୍ଵାଧୀନତା ପାଇବାଠାରୁ ସ୍ଵାଧୀନତାର ସଦ୍‍ବ୍ୟବହାର କରିବା ଶିକ୍ଷାର ଅଧିକ ବଡ଼ କଥା-। ଖାଲି ସ୍ଵାଧୀନତା ପାଇବାଟାକୁ ତୁମେ କେତେଦୂର ଶିକ୍ଷାର ସବୁକଥା ବୋଲି ମନେ କରିଚ ? ତଦ୍ୱାରା ହୋଇଥିବା ତୁମର ଅଭିଜ୍ଞତାକୁ ମୂଳ କରି ଶିକ୍ଷାର୍ଥୀଜୀବନର ସ୍ଵାଧୀନତା ବିଷୟରେ ଆଲୋଚନା କର ।

 

 

(୨)

ବୟସ ବଦଳିବା ସଙ୍ଗେ ସଙ୍ଗେ ମଣିଷର ମନ ବି କାହିଁକି ବଦଳି ବଦଳି ଯାଏ ? ବଡ଼ ହୋଇ ପିଲା କ’ଣ ହେବ, ତାହାର ପିଲାଦିନୁ ଏ ବିଷୟରେ କେତେଦୂର ଅନୁମାନ କରି କୁହାଯାଇ ପାରିବ ? ନିଜ ଜୀବନକୁ କେନ୍ଦ୍ର କରି ଏ ବିଷୟରେ ତୁମର ମତ ଦିଅ ।

 

 

(୩)

ସୋପାନର ବାହାରେ ହିଁ ପିଲା ତା’ ଜୀବନର ଅସଲ ପାଠ ପଢ଼େ । ଏ ବିଷୟରେ ତୁମେ କ’ଣ ଭାବୁଚ ? ସୋପାନର ପାଠପଢ଼ାକୁ କେତେଦୂର ଗୋଟାଏ ଅଭିନୟ ବୋଲି କୁହାଯାଇ ପାରିବ ? ଆମେ ସାଧାରଣତଃ ସୋପାନର ପାଠ ଉପରେ ଜୋର ଦେଇ ଆପଣାର କେତେଦୂର ଉପକାର ବା ଅପକାର କରୁ ?

 

 

(୪)

ଛାତ୍ର ଆପଣାର ଜୀବନରେ କାହାକୁ ସବୁଠାରୁ ଅଧିକ ଭୟ କରିବା ଉଚିତ ? ଭୟ ନଥିଲେ ଆମେ କାହିଁକି ଆପଣାକୁ ଭଲ ଅଭ୍ୟାସରେ ପକାଇ ପାରୁନାହିଁ ଓ ଭଲ ପାଠ ପଢ଼ି ପାରୁନାହିଁ ? ତୁମକୁ ଭୟ ଛାଡ଼ିଦେବାକୁ କହି ଏଠାରେ ତୁମର କି କି କ୍ଷତି କରାଯାଉଚି ?

 

 

(୫)

ମୌଳିକ ଶିକ୍ଷା କହିଲେ ତୁମେ ପ୍ରକୃତରେ କଣ ବୁଝ ? ଏହି ଶିକ୍ଷା ତୁମକୁ କାହିଁକି ଭଲ ବା ଖରାପ ଲାଗେ ? ଏହି ଶିକ୍ଷାର ବିଶେଷ ଅଭ୍ୟାସ ଓ କାର୍ଯ୍ୟକ୍ରମକୁ ତୁମେ କେତେଦୂର ଖୁସୀ ହୋଇ ଆପଣାର କରିପାରିବ ? ଏହି ବାଟରେ ଯାଇ ତୁମେ ଆପଣା ଜୀବନରେ କଣ ସବୁ ପାଇଚ ବା ହରାଇଚ ?

 

 

(୬)

ଏ ବିଦ୍ୟାଳୟରେ ପାଠ ପଢ଼ି ଆମେ ଡିଗ୍ରୀ ପାଇବା ନାହିଁ କି ଚାକିରି ପାଇବା ନାହିଁ । ତେବେ ଆମେ କଣ କରିବା ? ଏଠାକାର କାର୍ଯ୍ୟକ୍ରମ ତୁମକୁ କେତେଦୂର ଅଳସୁଆ ହେବାରେ ସାହାଯ୍ୟ କରୁଚି ? ଏଠି ବରଷେ ପାଠ ପଢ଼ି ତୁମେ ବାଟ ଭୁଲିଚ ବା ବାଟ ପାଇଚ ବୋଲି ତୁମେ କେତେଦୂର ଅନୁମାନ କରୁଚ ?

 

ଆଧୁନିକ ଜଗତ-୧୯୫୮

(ନବମ ସୋପାନ)

 

(୧)

ଭାରତର ଭାଷା ନେଇ ଯୁଦ୍ଧ କାହିଁକି ଲାଗିଚି ? ଏହି ଯୁଦ୍ଧ ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ ଦିଅ । ଭାଷାର ପ୍ରଶ୍ନ ଉପରେ ତୁମ ନିଜର କୌଣସି ସମାଧାନ ଅଛି କି ? ଆମେରିକା ଯୁକ୍ତରାଷ୍ଟ୍ର, ଋଷିଆ ଓ ସୁଇଜରଲାଣ୍ଡ ଏହି ପ୍ରଶ୍ନର କିପରି ସମାଧାନ କରିଚନ୍ତି-?

 

 

(୨)

ପାକିସ୍ତାନର ପଶ୍ଚିମ ଓ ପୂର୍ବ ଉଭୟ ଭାଗରେ ଏବେ ଅନେକ ନାଟକୀୟ ପରିବର୍ତ୍ତନମାନ ଘଟୁଚି । ତାହାର ବିବରଣୀ ଦିଅ ଓ କାରଣ ନିର୍ଦ୍ଦେଶ କର । ପାକିସ୍ତାନକୁ ଏକ ଗଣତାନ୍ତ୍ରଶାସିତ ଦେଶ ବୋଲି କେତେଦୂର କୁହାଯାଇ ପାରିବ ?

 

 

(୩)

ଇଣ୍ଡୋନେସିଆରେ କାହିଁକି ଗୃହଯୁଦ୍ଧ ଲାଗିଚି ? ଏହାକୁ ଏକ ପ୍ରକୃତ ଗୃହଯୁଦ୍ଧ ବୋଲି କେତେଦୂର କୁହାଯାଇ ପାରିବ ? ଏହି ଘଟଣା ଏସିଆର ଶାନ୍ତିପୂର୍ଣ୍ଣ ଓ ସ୍ଵାଧୀନ ବିକାଶରେ କେତେଦୂର ଅନ୍ତରାୟ ହେବ ବୋଲି ତୁମେ ମନେ କରୁଚ ?

 

 

(୪)

ଶିଖର ସମ୍ମିଳନୀ ବସିବାର ବରାଦ କାହିଁକି ହେଉଚି ? ଏହି ସମ୍ମିଳନୀ କିଏ ଡକାଉଚି ? ଏହା କେଉଁ କେଉଁ ପ୍ରଧାନ ସମସ୍ୟା ବିଷୟରେ ଚର୍ଚ୍ଚା କରିବ ? ଏ ବିଷୟରେ ଭାରତବର୍ଷର କୌଣସି ସ୍ଵତନ୍ତ୍ର ପ୍ରସ୍ତାବ ରହିଚି କି ? ଏହି ସମ୍ମିଳନୀ ବସିବାଦ୍ୱାରା ଜାତିସଂଘ ଉପରେ ଲୋକଙ୍କର ଆସ୍ଥା କେତେଦୂର କମିବ ବା ବଢ଼ିବ ବୋଲି ତୁମେ ବିଚାରୁଚ ?

 

 

(୫)

ସଂକ୍ଷିପ୍ତ ଟିପ୍ପଣୀ ଲେଖ–

 

 

କେରଳର କମ୍ୟୁନିଷ୍ଟ ସରକାର, ଗଣତନ୍ତ୍ର ଓ ବିରୋଧୀଦଳ, ସ୍ପୁଟନିକ, ସିଦ୍ଧାର୍ଥ ରାୟ, ଶାନ୍ତି-କପୋତ ।

 

 

ଜଙ୍ଗଲ-ସ୍କୁଲରେ ପିଲାମାନେ ପରୀକ୍ଷା ଦେଉଥିଲେ । କିନ୍ତୁ ପରୀକ୍ଷାରେ କୌଣସି ପହରା ରହୁ ନଥିଲା । ଗୋଟିଏ ସୋପାନର ସବୁ ପିଲାଙ୍କୁ ଏକାଠି କରି ପ୍ରଶ୍ନ ଡାକି ଦିଆଯାଉଥିଲା । ତା’ପରେ ସେମାନେ ଆପଣା ପସନ୍ଦ ଅନୁସାରେ ନାନା ସ୍ଥାନକୁ ଯାଇ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ବସୁଥିଲେ । କିଏ ବାରଣ୍ଡାରେ ବସୁଥିଲା, କିଏ ଗଛମୂଳକୁ ଯାଉଥିଲା; ପୁଣି ଆଉକିଏ ଝରଣା କୂଳରେ ପଥର ଚଟାଣ ଉପରେ ଆସନ ପକାଇ ବସୁଥିଲା । ଦଶମ ସୋପନର ବିଷୟଗୁଡ଼ିକ ନବମ ସେପାନର ଅନୁରୂପ ଥିଲା । ବର୍ତ୍ତମାନ ମୋ’ପାଖରେ ସେହି ସୋପାନର ଯେତିକି ପ୍ରଶ୍ନପତ୍ର ଥିଲା, ସେଗୁଡ଼ିକୁ ମୁଁ ଏଠାରେ ଦୃଷ୍ଟାନ୍ତ ସ୍ଵରୂପ ଦେଇରଖୁଚି ।

 

ସାହିତ୍ୟ-୧୯୫୭

(ଦଶମ ସୋପାନ)

 

(୧)

ଆଗେ ଆମ ଦେଶରେ ରାମଲୀଳା, କୃଷ୍ଣଲୀଳା ପ୍ରଭୃତି ଥିଲା । ତା’ପରେ ଥିଏଟର ଯୁଗ ଆସିଲା । ଏବେ ସିନେମା ବାହାରିଲାଣି । ରସ-ପରିବେଷଣ ଓ ସମାଜକୁ ନିର୍ମଳ ଆନନ୍ଦ ଦେବା ଦୃଷ୍ଟିରୁ ଏହି ବିକାଶର ବିଚାର କର । ତୁମେ ନିଜେ ନାଟକ ଦେଖିବାକୁ ବା ପଢ଼ିବାକୁ କାହିଁକି ଭଲପାଅ ?

 

 

(୨)

ଓଡ଼ିଆ “ନାଗିନୀ’ ଗୀତ ଆମ ଓଡ଼ିଶାରେ ଏତେ କଟିଲା କାହିଁକି ? ଗୋପବନ୍ଧୁଙ୍କର ‘କାରାକବିତା’ ବା ଫକୀରମୋହନଙ୍କ ‘ମାମୁଁ’ ଅପେକ୍ଷା ଆମ ପାଠକଙ୍କଠାରୁ ଏହା ଅଧିକ ପାଉଚି କିପରି ? ଏହି ସବୁର ଆଲୋଚନା-ଭୂମି ଉପରେ ଓଡ଼ିଶାର ସାହିତ୍ୟିକ ରୁଚିର ମାନ ନିର୍ଦ୍ଧାରଣ କର ।

 

 

(୩)

ବିନୋବାଜୀଙ୍କର ‘କବିର ଗୁଣ’ ଗୋଟିଏ ଛୋଟିଆ ବହି । ତଥାପି ପ୍ରାଚୀନ ଓ ଆଧୁନିକ ଉଭୟ ସାହିତ୍ୟ ବିଷୟରେ ଏହା ପାଠକମନରେ ଅପୂର୍ବ ପ୍ରେରଣା ଦେଉଚି । ତୁମର ବିଚାର ଦ୍ଵାରା ଏହି ମତରେ ଖଣ୍ଡନ ବା ପ୍ରତିପାଦନ କର ।

 

 

(୪)

ଓଡ଼ିଆ ସାହିତ୍ୟର ପ୍ରାଚୀନ ଯୁଗ ବା ଆରମ୍ଭ ଯୁଗ ବିଷୟରେ ଆଲୋଚନା କଲେ ପ୍ରାଧାନତଃ କେଉଁ କେଉଁ କଥା ଆଲୋଚନା କରିବାକୁ ହୁଏ ? ଏ ଆଧୁନିକ ଯୁଗରେ ଆମେ ପ୍ରାଚୀନ ସାହିତ୍ୟରୁ କି ପ୍ରେରଣା ପାଇବା ?

 

 

(୫)

ଓଡ଼ିଆ ସାହିତ୍ୟରୁ ସମୃଦ୍ଧି ଲାଗି ପୃଥିବୀ ତଥା ଭାରତର ଅନ୍ୟାନ୍ୟ ସାହିତ୍ୟରୁ ସାର ଗ୍ରନ୍ଥମାନ ଓଡ଼ିଆରେ ଅନୁବାଦ କରିବା ଉଚିତ । କାହିଁକି ? ଆଧୁନିକ ଓଡ଼ିଆ ସାହିତ୍ୟର ପରିଧି କେତେ ବୃହତ୍ ହେବା ଉଚିତ ?

 

 

(୬)

ଟିପ୍ପଣୀ ଲେଖ–ପାଲିଭାଷା ଓ ସାହିତ୍ୟ, ପରକଲମ, ସୁକାନ୍ତ ଭଟ୍ଟାଚାର୍ଯ୍ୟ, ଜୀବନୀ ସାହିତ୍ୟ ।

 

ସମାଜ ବିଜ୍ଞାନ–୧୯୫୭

(ଦଶମ ସୋପାନ)

 

(୧)

ବୌଦ୍ଧଧର୍ମ କାଳକ୍ରମେ କିପରି ଓ କାହିଁକି ହିନ୍ଦୁଧର୍ମରେ ଲୀନ ହୋଇଗଲା, ତାହାର ଏକ ସଂକ୍ଷିପ୍ତ ଐତିହାସିକ ଆଲୋଚନା କର । ବୌଦ୍ଧଧର୍ମକୁ କେତେଦୂର ହିନ୍ଦୁଧର୍ମଠାରୁ ଏକ ସ୍ଵତନ୍ତ୍ର ଧର୍ମ ବୋଲି ବିଚାର କରାଯାଇ ପାରେ ?

 

 

(୨)

ଇସଲାମ-ସଂସ୍କୃତି ଭାରତୀୟ ସଂସ୍କୃତିକୁ କେତେଦୂର କଣ ଦାନ କରିଚି ବୋଲି ତୁମେ ବିଚାର କରୁଚ ? ମଧ୍ୟଯୁଗର ସନ୍ଥଧର୍ମ ଇସଲାମ୍ ଓ ହିନ୍ଦୁଧର୍ମର ସାରକୁ କିପରି ସମନ୍ଵିତ କରିବାକୁ ଚେଷ୍ଟା କରିଥିଲା, ତାହାର ବିସ୍ତୃତ ଆଲୋଚନା କର ।

 

 

(୩)

ଆକବର ମୂର୍ଖ ଥିଲେ ମଧ୍ୟ ଭାରତୀୟ ସଂସ୍କୃତିର ପ୍ରାଣକୁ ଚିହ୍ନିଥିଲେ, ତେଣୁ ସେ ଭାରତକୁ ସୁଦୃଢ଼ କରି ଗଢ଼ି ପାରିଥିଲେ । ଶାସ୍ତ୍ରଜ୍ଞ ହେଲେ ମଧ୍ୟ ଆଉରଙ୍ଗଜେବ୍ ତଥାପି ଭାରତୀୟ ସଂସ୍କୃତିରେ ବିଦେଶୀ ଭାବେ ରହିଥିଲେ । ତେଣୁ ତାଙ୍କରି ରାଜତ୍ଵରେ ଭାରତର ବହୁକିଛି ଭାଙ୍ଗିରୁଜି ଯାଉଥିଲା,–ତୁମର ମତାମତ ଦେଇ ଏହି ଉକ୍ତିର ଖଣ୍ଡନ ବା ପ୍ରତିପାଦନ କର ।

 

 

(୪)

ଟିପ୍ପଣୀ ଲେଖ–ଖଲିଫା, ଦାରା ସୁକୋ, ବୋଧିସତ୍ତ୍ଵ, ଶେରସାହ, ଶିବାଜୀ ।

 

ଶିକ୍ଷା-୧୯୫୭

(ଦଶମ ସୋପାନ)

 

(୧)

ବର୍ତ୍ତମାନର ସମାଜକୁ ବଦଳାଇବାକୁ ମୌଳିକ ଶିକ୍ଷା ଆପଣାର ଏକ ପ୍ରଧାନ କର୍ତ୍ତବ୍ୟ ବୋଲି ଧରିନେଇଚି । ମୌଳିକଶିକ୍ଷାର ବିଚାର ଓ କାର୍ଯ୍ୟକ୍ରମ ସମାଜକୁ ବଦଳାଇବା ପାଇଁ କେତେଦୂର ଅନୁକୂଳ ହୋଇ ତିଆରି ହୋଇଚି ? ଗତ ଦୁଇବର୍ଷର ଶିକ୍ଷା ପରେ ତୁମେ ନିଜେ ସେହିଦିଗରୁ କେତେ ପ୍ରସ୍ତୁତ ହୋଇ ପାରିଚ, ତାହା ବୁଝାଇଲେଖ ।

 

 

(୨)

ଭୂଦାନ ଓ ଗ୍ରାମଦାନ ଫଳରେ ଦେଶର ସ୍ଥିତିରେ ଯେଉଁ ପରିବର୍ତ୍ତନ ଦେଖା ଦେଇଚି, ସେହି ପରିବର୍ତ୍ତନକୁ ଆମେ କେତେଦୂର ଶିକ୍ଷାର ମାଧ୍ୟମ ରୂପେ ଗ୍ରହଣ କରିପାରିବା, ତାହାର ଏକ ସୁଚିନ୍ତିତ ଯୋଜନା ଦିଅ ।

 

 

(୩)

ଏକ ସ୍ଵାଧୀନ ବାତାବରଣରେ ଶିକ୍ଷା ଦିଆଯିବା ଉଚିତ ବୋଲି ତୁମେ କେତେଦୂର ଭାବୁଚ-? ସ୍ଵାଧୀନତା କହିଲେ ତୁମେ ନିଜେ କ’ଣ ବୁଝ ? ଜଣେ ଶିକ୍ଷାର୍ଥୀ ହିସାବରେ ତାହାର ଆଲୋଚନା କର । ଶିକ୍ଷାର୍ଥୀ ଓ ଶିକ୍ଷକ ଇଚ୍ଛା କଲେ କେତେ ପ୍ରକାରେ ସ୍ଵାଧୀନତାର ଅପବ୍ୟବହାର କରି ପାରିବେ ?

 

 

(୪)

ଆମ ଦେଶର ଶିକ୍ଷାବ୍ୟବସ୍ଥାରେ ଅନେକ ଯାନ୍ତ୍ରିକତା ପଶିଯାଉଚି । ମୌଳିକ ଶିକ୍ଷାକୁ ମଧ୍ୟ ଏହି ଯାନ୍ତ୍ରିକ ଅହଙ୍କାର କ୍ରମେ ଗ୍ରାସ କରିବାକୁ ବସିଲାଣି । କାହିଁକି ? ଆମର ସମସ୍ତ ଶିକ୍ଷା-ଯୋଜନାରେ ମୂଳତଃ କି କି ଭୁଲ ରହିଯାଉଚି ବୋଲି ଏସବୁ ହେଉଚି ?

 

 

(୫)

‘ଭାରତରେ ଶିକ୍ଷାର ଭବିଷ୍ୟତ’–ଦେଶର ବର୍ତ୍ତମାନ ଶିକ୍ଷାସ୍ଥିତିରେ ଆଲୋଚନା କରି ଏହି ବିଷୟରେ ଏକ ପ୍ରବନ୍ଧ ଲେଖ ।

 

 

(୬)

ଟିପ୍ପଣୀ ଲେଖ–

 

 

ବିଚାର-ସ୍ଵାବଲମ୍ବନ, ଶିକ୍ଷକ ବିନୋବା, ଆମ ବିଦ୍ୟାଳୟର ଦୈନନ୍ଦିନ ଅଭ୍ୟାସକ୍ରମ, ଗଣତନ୍ତ୍ର-ଶାସନରେ ଗଣତନ୍ତ୍ରବିରୋଧୀ ଶିକ୍ଷା, ଭାରତରେ ଇଂରାଜୀ ଶିକ୍ଷାର ସ୍ଵାଭାବିକ ଓ ଅସ୍ଵାଭାବିକ ପ୍ରୟୋଗ ।

 

ଆଧୁନିକ ଜଗତ-୧୯୫୭

(ଦଶମ ସୋପାନ)

 

(୧)

୧୯୫୭ ମସିହା ଭାରତ ତଥା ପୃଥିବୀ ପକ୍ଷରେ ଏକ ଗୁରୁତ୍ଵପୂର୍ଣ୍ଣ ବର୍ଷ ବୋଲି ତୁମେ କେତେଦୂର ଅନୁମାନ କରୁଚ ? ଏଥର ସଂସାରକୁ ଏକାବେଳେକେ ବଦଳାଇବାକୁ ହେବ, ନଚେତ୍ ମଣିଷଜାତିର ଏକାବେଳେକେ ଲୋପ ହୋଇଯିବ, ଏପରି ଗୋଟାଏ ଦି’ଛକି ରାସ୍ତାରେ ଆମେ ପହଞ୍ଚି ଗଲୁଣି ବୋଲି ତୁମେ କେତେଦୂର ଭାବୁଚ ?

 

 

(୨)

ପୃଥିବୀରେ ଶାନ୍ତି ଆଣିବାଲାଗି ସିନାଇରେ ଖଣ୍ଡଯୁଦ୍ଧ ଲାଗିଗଲା, ଜାତିସଂଘରେ ଅନେକ ଧାଁ ଧପଡ଼ ଲାଗିଲା । କିନ୍ତୁ ତଥାପି ମଧ୍ୟପ୍ରାଚ୍ୟର ସମସ୍ୟା ମେଣ୍ଟିଲା ନାହିଁ କି ଇସାରାଏଲର ଦୁଃଖ ଗଲାନାହିଁ । ଐତିହାସିକ ତଥ୍ୟ ସହିତ ଏହି ବିଷୟରରେ ତୁମର ବିସ୍ତୃତ ଟିପ୍ପଣୀ ଦିଅ ।

 

 

(୩)

ଇଂଲଣ୍ଡ ଓ ଫ୍ରାନ୍‍ସ ଯେମିତି ମଧ୍ୟପ୍ରାଚ୍ୟରେ ଧରା ପଡ଼ିଲେ, ଋଷିଆ ମଧ୍ୟ ଠିକ୍ ସେମିତି ହଙ୍ଗେରୀରେ ଧରା ପଡ଼ିଗଲା । ୧୯୫୬ରେ ସବୁ ବାଦ ହାରିଲେ, ଜନମତର ଜୟ ହେଲା । ଏଥିରେ ତୁମେ କେତେଦୂର ଏକମତ ହୋଇ ପାରିବ ?

 

 

(୪)

କାଶ୍ମୀର-ସମସ୍ୟା ଭାରତର ରାଜନୀତିକ ଶରୀରରେ ଏକ ସଢ଼ା ଘାଆପରି ହୋଇ ବସିଲାଣି । ଏହି ସମସ୍ୟା ଏତେଦୂର କିପରି ହେଲା ? ତୁମର ବିଚାରରେ କାଶ୍ମୀର ଲାଗି କୌଣସି ସମାଧାନପନ୍ଥା ରହିଚି କି ?

 

 

(୫)

ଭାରତରେ ହେଉଥିବା ଭୋଟ୍‍କୁ କେତେଦୂର ଗଣତନ୍ତ୍ରର ବିଭ୍ରାଟ ବୋଲି କୁହାଯାଇ ପାରିବ ? ଏଥିଲାଗି ନିମ୍ନଲିଖିତ କାରଣମାନ କେତେଦୂର ଦାୟୀ ହେବେ–ଦେଶର ଅଶିକ୍ଷା, ନେତୃତ୍ଵର କ୍ଷମତା-ଲାଳସା, ସମାଜରେ ବିଷମତା, ଭବିଷ୍ୟତ ଭାରତ ବିଷୟରେ ଅସ୍ପଷ୍ଟ ଧାରଣା ।

 

 

(୬)

ଟିପ୍ପଣୀ ଲେଖ–

 

 

କୋରାପୁଟ, ବାଗ୍‍ଦାଦ୍ ମେଣ୍ଟ, ନିକିତା କୃଶ୍ଚଫ୍, ଘାନା, ନେହରୁଙ୍କ ପରେ ।

 

ଶିକ୍ଷା-୧୯୫୮

(ଦଶମ ସୋପାନ)

 

(୧)

ଶିକ୍ଷିତ ଓ ଅଶିକ୍ଷିତ ମଣିଷ ଭିତରେ ସବୁଠାରୁ ବଡ଼ ପ୍ରଭେଦ କ’ଣ ବୋଲି ତୁମେ ବିଚାରୁଚ ? ଆମର ବର୍ତ୍ତମାନ ଶିକ୍ଷା ଆମକୁ ଗୋଟାଏ ନିର୍ଦ୍ଦିଷ୍ଟ ସାମାଜିକ ଯନ୍ତ୍ରଲାଗି ଫିଟ୍ କରୁଚି, କିନ୍ତୁ ତାହା ଆମକୁ ଯଥାର୍ଥରେ ଶିକ୍ଷିତ କରୁନାହିଁ, ଏହି ବିଷୟରେ ତୁମେ କି ମତ ଦେବ ?

 

 

(୨)

ପୃଥିବୀରେ ସ୍କୁଲ କଲେଜର ସଂଖ୍ୟା ଯେତିକି ବଢ଼ୁଚି, ପୃଥିବୀର ସମସ୍ୟାଗୁଡ଼ିକ ମଧ୍ୟ ସେତିକି ଜଟିଳ ହେବାରେ ଲାଗିଚି, କାହିଁକି ? ଅଶିକ୍ଷିତ ହୋଇଥିଲେ ମଣିଷ ଆଜିଠାରୁ ଅଧିକ ଶାନ୍ତିରେ ଥାଆନ୍ତା କି ? ସଂସାରରେ ଶାନ୍ତିର ପ୍ରତିଷ୍ଠାଲାଗି ଆମ ବିଦ୍ୟାଳୟମାନ କିପରି ଗଢ଼ାଯିବା ଉଚିତ ?

 

 

(୩)

ଋଷିଆରେ ପିଲାମାନେ ଭଲ ବିଜ୍ଞାନ ପଢ଼ୁଥିବାରୁ ଋଷିଆ ବିଜ୍ଞାନରେ ଏତେ ଉନ୍ନତି କରିପାରିଲା ବୋଲି ଅନେକେ କହୁଚନ୍ତି । ତୁମେ କଣ ଭାବୁଚ ? ଋଷିଆରେ ଏକଛତ୍ର ଶାସନ ମଣିଷର ମନ ସାମାଜିକ ଜୀବନକୁ ପରାଧୀନ କରି ରଖିଚି । ତେବେ ସେହି ଦେଶର ଶିକ୍ଷାପଦ୍ଧତିକୁ କେତେଦୂର ବୈଜ୍ଞାନିକ ବୋଲି କୁହାଯାଇ ପାରିବ ?

 

 

(୪)

ଆମ ଦେଶରେ ବର୍ତ୍ତମାନ ଯେତେପ୍ରକାର ସଙ୍କଟ ଦେଖା ଦେଇଚି, ସେସବୁର ମୂଳରେ ଶିକ୍ଷାର ଏକ ଗୁରୁତର ସଙ୍କଟ ରହିଚି ବୋଲି ତୁମେ କେତେଦୂର ମତ ଦେବ ? ସ୍ଵାଧୀନତାର ଦଶବର୍ଷ ପରେ ମଧ୍ୟ ଏ ଦେଶର ଶିକ୍ଷାପ୍ରଣାଳୀରେ କୌଣସି ମୌଳିକ ପରିବର୍ତ୍ତନ ହୋଇ ପାରିନାହିଁ କାହିଁକି ?

 

 

(୫)

ପିଲାଦିନେ ଆମେ ସ୍କୁଲରେ ଯାହାସବୁ ପଢ଼ୁ, ସ୍କୁଲ ଛାଡ଼ିଲେ ସେଥିରୁ ଅଧିକାଂଶ ଆଉ ମନେ ରହେନାହିଁ, କାହିଁକି ? ପିଲାଦିନର କେଉଁସବୁ କଥା ବଡ଼ଦିନକୁ ମନେରହେ ଆମ ଜୀବନ-ଗଠନକୁ ପ୍ରଭାବିତ କରେ ? କାହିଁକି ? ଏହି ଦୃଷ୍ଟିରୁ ବର୍ତ୍ତମାନ ଶିକ୍ଷାପଦ୍ଧତିରେ ତୁମେ କେଉଁସବୁ ପରିବର୍ତ୍ତନ ଲାଗି ପରାମର୍ଶ ଦେବ ?

 

 

(୬)

ମୌଳିକ ଶିକ୍ଷା ଏ ଦେଶରେ କ୍ରମେ ମଉଳି ମଉଳି ଯାଉଚି କାହିଁକି ? ଏହି ଶିକ୍ଷାରେ ଥିବା ଅତି ଭଲ କଥାଗୁଡ଼ାକରୁ ମଧ୍ୟ ଛାତ୍ରର ସରାଗ କ୍ରମେ ମରିଯାଉଚି କାହିଁକି ? ଏ ଦେଶରେ ଜଣେ ଉଦୀୟମାନ ଛାତ୍ର ହିସାବରେ ତୁମେ ଠିକ୍ କେଉଁ ପ୍ରକାରର ଶିକ୍ଷା ଚାହୁଚ, ତାହାର ଏକ ନିର୍ଦ୍ଦିଷ୍ଟ ଚିତ୍ର ଦେବାକୁ ଚେଷ୍ଟା କର ।

 

ଆଧୁନିକ ଜଗତ-୧୯୫୮

(ଦଶମ ସୋପାନ)

 

(୧)

ଗତ ସାଧାରଣ ନିର୍ବାଚନଠାରୁ ଓଡ଼ିଶାର ରାଜନୀତିକ ପରିସ୍ଥିତି ବିଷୟରେ ସଂକ୍ଷିପ୍ତ ଆଲୋଚନା କର । ଏହି ପରିସ୍ଥିତି ଦ୍ଵାରା ଓଡ଼ିଶାରେ ଗଣତାନ୍ତ୍ରିକ ମନୋଭାବର ବିକାଶ ନା ବିନାଶ ଘଟୁଚି ? ରାଜ୍ୟର ସମ୍ବାଦପତ୍ରମାନେ ଏଦିଗରେ କେତେଦୂର ସାହାଯ୍ୟ ବା କ୍ଷତି କରୁଚନ୍ତି ?

 

 

(୨)

ଯୋଜନା କଣ ? ପୃଥିବୀର କେଉଁ ରାଷ୍ଟ୍ର ଏଥିରେ ସାରା ପୃଥିବୀକୁ ନେତୃତ୍ଵ ଦେଇଚି ବୋଲି କୁହାଯାଇ ପାରିବ ? ଭାରତରେ ଏହିପରି ଯୋଜନା ସଫଳ ହେବାଲାଗି କଣ ସବୁ ଅଭାବ ବା ଅନୁକୂଳତା ରହିଚି ? ଏବର୍ଷର କେନ୍ଦ୍ର ବଜେଟ ଆମ ଯୋଜନା ବିଷୟରେ ଆମକୁ କେତେଦୂର ଆଶାନ୍ଵିତ କରିପାରିବ ? ନିର୍ଦ୍ଦିଷ୍ଟ ତଥ୍ୟ ଓ ବିବରଣୀ ସହିତ ତୁମର ମତ ଦିଅ ।

 

 

(୩)

ମଧ୍ୟ ପ୍ରାଚ୍ୟରେ ଦୁଇଟି ମିଳିତ-ରାଷ୍ଟ୍ର ତିଆରି ହୋଇ ସାରିଲାଣି ଓ ତୃତୀୟଟିର ପ୍ରସ୍ତାବ ଆଲୋଚିତ ହେଉଚି । ରାଜନୀତିକ ଓ ଆର୍ଥିକ ଦୃଷ୍ଟିରୁ ପ୍ରତ୍ୟେକଟିର ଆଲୋଚନା କର । ମଧ୍ୟପ୍ରାଚ୍ୟ-ପରିସ୍ଥିତି ଓ ବିଶେଷତଃ ଇସ୍ରାଏଲର ଭାଗ୍ୟକୁ ଏହି ପରିବର୍ତ୍ତନ କିପରି ପ୍ରଭାବିତ କରିବ ବୋଲି ତୁମେ ମନେକରୁଚ ?

 

 

(୪)

ଆଫ୍ରିକାର ସବୁଠାରୁ ବଡ଼ ଦୁଇଟି ରାଜନୀତିକ ସମସ୍ୟା କଣ ? ଆଲଜିରିଆକୁ କେନ୍ଦ୍ର କରି ଆଫ୍ରିକାର ବିଭିନ୍ନ ପରାଧୀନ ରାଜ୍ୟଗୁଡ଼ିକରେ ହେଉଥିବା ମୁକ୍ତିଆନ୍ଦୋଳନର ସଂକ୍ଷିପ୍ତ ବିବରଣୀ ଦିଅ । ଆଫ୍ରିକା-ଏସିଆ ସମ୍ମିଳନୀ ଏସିଆ ଓ ଆଫ୍ରିକାର କି କି ସମସ୍ୟାର ସମାଧାନ ପାଇଁ କାମ କରୁଚି ?

 

 

(୫)

ସଂକ୍ଷିପ୍ତ ଟିପ୍ପଣୀ ଲେଖ–

 

 

ପରମାଣୁମୁକ୍ତ ଅଞ୍ଚଳ, ସାଇପ୍ରସ୍, ପୃଥିବୀ-ପାର୍ଲିଆମେଣ୍ଟ, ଡାକ୍ତର ଲୋହିଆ, କଳିଙ୍ଗ ପୁରସ୍କାର ।

 

 

ଏକାଦଶ ସୋପନ ଅର୍ଥାତ୍ ଜଙ୍ଗଲ-ସ୍କୁଲରେ ତୃତୀୟ ବର୍ଷର ପାଠ୍ୟକ୍ରମରେ ପୂର୍ବ ବର୍ଷର ତୁଳନାରେ କେତେକ ପରିବର୍ତ୍ତନ କରାଯାଉଥିଲା । ଦଶମ ସୋପାନର ଅଧାବର୍ଷକୁ ପିଲାମାନେ ‘ସାହିତ୍ୟର ଇତିହାସ’ ବୋଲି ଏକ ନୂତନ ବିଷୟ ଆରମ୍ଭ କରୁଥିଲେ । ଦେଢ଼ବର୍ଷ ପରେ ଅର୍ଥାତ୍ ଏକାଦଶ ସୋପାନର ଶେଷରେ ଏହି ବିଷୟଟିର ଅଧ୍ୟାପନା ସରି ଯାଉଥିଲା । ବାଧ୍ୟତାମୂଳକ ବିଷୟଗୁଡ଼ିକର ସଙ୍ଗେ ସଙ୍ଗେ ପ୍ରତ୍ୟେକ ପିଲାକୁ ଦୁଇଟି କରି ଏୗଚ୍ଛିକ ବିଷୟ ନେବାକୁ ପଡ଼ୁଥିଲା । ପ୍ରଥମେ ସାହିତ୍ୟ, ଶିକ୍ଷା, ଇତିହାସ, ବିଜ୍ଞାନ ଓ ଦର୍ଶନ, ଏହି ପାଞ୍ଚୋଟି ବିଷୟ ରଖି ଆମେ ନୂତନ ବ୍ୟବସ୍ଥାଟିର ଆରମ୍ଭ କରିଥିଲୁ । ବିଦ୍ୟାଳୟରେ ରହିଥିବା କେଉଁ ଶିକ୍ଷକ କେଉଁ ବିଷୟ ପଢ଼ାଇ ପାରିବେ, ସେହି ଦୃଷ୍ଟିରୁ ଐଚ୍ଛିକ ବିଷୟଗୁଡ଼ିକର ନିରୂପଣ ହୋଇଥିଲା । ଏଠାରେ ମୁଁ ପ୍ରଥମେ ବାଧ୍ୟତାମୂଳକ ବିଷୟରେ କେତୋଟି ପ୍ରଶ୍ନ ଦେବି, ତା’ପରେ ଐଚ୍ଛିକ ବିଷୟଗୁଡ଼ିକର ।

 

ସାହିତ୍ୟର ଇତିହାସ-୧୯୫୭

(ଏକାଦଶ ସୋପାନ)

 

(୧)

ଓଡ଼ିଆ ସାହିତ୍ୟର ସମାଲୋଚନାମୂଳକ ଇତିହାସ ଏପର୍ଯ୍ୟନ୍ତ କାହିଁକି ଲେଖା ହୋଇ ପାରିନାହିଁ ? ଏଥିଲାଗି ପ୍ରଧାନ ବାଧାମାନ କଣ ରହିଚି ? ଏପରି ଏକ ଇତିହାସ ଲେଖିବାକୁ ଗଲେ ତୁମେ କିପରି ଏହାର ପର୍ଯ୍ୟାୟ-ବିଭାଗ କରିବ ଓ କାହିଁକି ?

 

 

(୨)

ଓଡ଼ିଶାରେ କେବଳ ତତ୍କାଳୀନ ସାଂସ୍କୃତିକ ଭୂମି ଉପରେ ପଞ୍ଚସଖାଙ୍କର ସୁଯୋଗ୍ୟ ବିଚାର କରାଯାଇ ନପାରେ । ତୁମେ କେତେଦୂର ଏହି ମତର ପ୍ରତିପାଦନ କରିପାରିବ ? ମଧ୍ୟଯୁଗରେ ଯେଉଁ ସନ୍ଥସାଧନା ଓ ସାହିତ୍ୟ ଭାରତୀୟ ସଂସ୍କୃତିରେ ଏକ ନୂତନ ସମନ୍ଵୟ ଆଣିଥିଲା, ସେହି ସମନ୍ଵୟରେ ପ୍ରତିନିଧି ଭାବରେ ଆମେ ଓଡ଼ିଶାରେ ପଞ୍ଚସଖାଙ୍କୁ କେତେଦୂର ଗ୍ରହଣ କରିପାରିବା ? ତୁଳନାତ୍ମକ ଆଲୋଚନା କରି ତୁମର ଦୃଷ୍ଟିକୋଣ ସ୍ପଷ୍ଟ କର ।

 

 

(୩)

ଉପେନ୍ଦ୍ର ଭଞ୍ଜ ଓ ତାଙ୍କ ଯୁଗର ସାହିତ୍ୟକୁ କି କି ବିଶେଷ ଉପଲକ୍ଷଣ ଦ୍ଵାରା ଚିହ୍ନାଯାଇ ପାରିବ ? ହିନ୍ଦୀ-ସାହିତ୍ୟର ରୀତିକାଳ ସହିତ ଏହାର କେତେଦୂର ସାମଞ୍ଚସ୍ୟ ବା ପାର୍ଥକ୍ୟ ରହିଚି ?

 

 

(୪)

ଭଞ୍ଜଯୁଗର ସୌନ୍ଦର୍ଯ୍ୟର କଳ୍ପନା ପ୍ରଧାନତଃ ଦେହ ଭିତରେ ସୀମାବଦ୍ଧ, ଏହାକୁ ତୁମେ କେତେଦୂର ସମର୍ଥନ କରିବ ? ମଣିଷର ଦେହଗତ କାମନା ବାସନାକୁ ଦେବତାର ପ୍ରେମକାହାଣୀରେ ଆରୋପ କରିବାରେ ତତ୍କାଳୀନ ସାହିତ୍ୟ କେତେଦୂର ସଫଳ ହୋଇପାରିଚି ? ଆଜି ସେହି ସାହିତ୍ୟର କେତେଦୂର ଆଦର ରହିଚି ଓ କାହିଁକି ?

 

 

(୫)

ଓଡ଼ିଆ ସାହିତ୍ୟରେ କାହିଁକି ବା କେଉଁ ପ୍ରେରଣା ନେଇ ଜାତୀୟତା-ଯୁଗର ଆରମ୍ଭ ହୋଇଥିଲା । ଇଉରୋପ ବା ଭାରତର ଅନ୍ୟ ପ୍ରାନ୍ତୀୟ ସାହିତ୍ୟର କୌଣସି ପ୍ରଭାବ ଏଥିରେ କେତେଦୂର ପଡ଼ିଚି ବୋଲି ତୁମେ ବିଚାରୁଚ ?

 

 

(୬)

ରାଧାନାଥ ଓ ମଧୁସୂଦନ ଏକା ଯୁଗର କବି ହୋଇଥିଲେ ହେଁ ସେମାନଙ୍କର ସ୍ଵକୀୟ ଦୃଷ୍ଟିକୋଣରେ ଅନେକ ପ୍ରଭେଦ ରହିଚି । କାହିଁକି ? ତୁମର ବିସ୍ତୃତ ସମାଲୋଚନା ଦିଅ-

 

 

(୭)

ପ୍ରଧାନତଃ କେଉଁ ପ୍ରେରଣାମାନଙ୍କ ଉପରେ ଆଧୁନିକ ସାହିତ୍ୟ ପ୍ରତିଷ୍ଠିତ ହୋଇଚି ? ଓଡ଼ିଆ ସାହିତ୍ୟର ଅନ୍ୟାନ୍ୟ ଯୁଗସହିତ ଆଧୁନିକ ଯୁଗର କି ପ୍ରଭେଦମାନ ରହିଚି ? ଆଧୁନିକ ସାହିତ୍ୟ ଭିତରେ ଅନେକ କୁରୁଚି ପଶିଯାଉଚି ବୋଲି ଆଜିକାଲି ଯେଉଁ ଆପତ୍ତି ଉଠୁଚି, ସେଥିରେ ତୁମେ କେତେଦୂର ଏକମତ ?

 

ସମାଜ ବିଜ୍ଞାନ (୧୯୫୭)

(ଏକାଦଶ ସୋପାନ)

 

(୧)

ଇତିହାସ କଣ ? ଆମେ ଇତିହାସ କାହିଁକି ପଢ଼ିବା ? ହଜାର ହଜାର ବର୍ଷ ପୂର୍ବେ ଭାରତରେ ବା ପୃଥିବୀରେ ଯାହା ଘଟିଥିଲା, ତାହାସବୁ ଜାଣି ଆମର କି ଉପକାର ହେବ-?

 

 

(୨)

ଆଗେ ରାଜାଙ୍କର ଖିଆଲରେ ରାଜ୍ୟ ଚଳୁଥିଲା । ରାଜା ହିଁ ଶାସନ ଓ ସମାଜର କେନ୍ଦ୍ରସ୍ଵରୂପ ହୋଇ ରହିଥିଲେ । ବର୍ତ୍ତମାନର ସମାଜରେ ପୁରାକାଳର ଜଣେ ରାଜାଙ୍କୁ ଆଣି ବସାଇ ଦେଲେ ତାଙ୍କର ଦଶା କଣ ହେବ ? ମହମ୍ମଦ ଟୋଗଲଙ୍କର ଉଦାହରଣ ଦେଇ ତୁମର ଉତ୍ତର ଲେଖ ।

 

 

(୩)

ପୃଥିବୀର ଇତିହାସ ଅଧ୍ୟୟନ କରୁଥିବା ପଣ୍ଡିତମାନେ ମଣିଷର ସଭ୍ୟତା ଓ ସଂସ୍କୃତି ଆଗକୁ ମାଡ଼ିଚାଲିଚି ବୋଲି କହନ୍ତି । ପୁଣି ମଣିଷ ଧ୍ଵଂସ ଆଡ଼କୁ ଯାଉଚି ବୋଲି ମଧ୍ୟ କେତେକ କହନ୍ତି । ତୁମେ କଣ କହୁଚ ? ପରିବର୍ତ୍ତନ ଓ ପ୍ରଗତି ମଧ୍ୟରେ କି ଐତିହାସିକ ପାର୍ଥକ୍ୟ ରହିଚି ?

 

 

(୪)

ଆଗେ ଜଣକ ହାତରେ କ୍ଷମତା ଥିଲା । ବର୍ତ୍ତମାନ କ୍ଷମତା ସର୍ବଜନ ହାତକୁ ଆସୁଚି ! ଜ୍ଞାନ ଓ ବିଜ୍ଞାନର ସର୍ବଜନୀକରଣ ଏହାର ପ୍ରଧାନ କାରଣ । ଜ୍ଞାନ ଓ ବିଜ୍ଞାନକୁ ଯିଏ ସଙ୍କୁଚିତ କରି ରଖିବ, ଗଣତନ୍ତ୍ରର ଛାଞ୍ଚକୁ ଗ୍ରହଣ କରିଥିଲେ ମଧ୍ୟ ସେ ସମାଜକୁ ଏକଛତ୍ର ଶାସନ ଆଡ଼କୁ ଟାଣିନେବ । ଭାରତର ଉଦାହରଣ ଦେଇ ଏକଥା ବୁଝାଇ ଲେଖ ।

 

 

(୫)

ଆଗକାଳର ରାଜାମାନେ ଭାରି ଅତ୍ୟାଚାରୀ ଥିଲେ । ତଥାପି ଭାରତର ପ୍ରାଚୀନ ମୂର୍ତ୍ତିକଳା ଓ ମନ୍ଦିରର ସୃଷ୍ଟି ସେହି ରାଜାମାନଙ୍କ ସକାଶେ ହୋଇଚି । କେବଳ ଏକଛତ୍ର ଶାସନରେ ହିଁ କଳା ଓ ସ୍ଥପତିର ଉନ୍ନତି ହୋଇପାରିବ, ତୁମେ ଏଥିରେ ଏକମତ କି ? ଏବଂ ଏଥିଲାଗି ପୂର୍ବକାଳର ଅତ୍ୟାଚାରକୁ ତୁମେ କେତେଦୂର ସମର୍ଥନ କରିବ ?

 

 

(୬)

ଭାରତର ଇତିହାସ ପ୍ରଧାନତଃ ଏକ ସଂଘର୍ଷ ଓ ସମନ୍ଵୟର ଇତିହାସ । ଏହି ଇତିହାସ-ଧାରା ଏପର୍ଯ୍ୟନ୍ତ ଲାଗିରହିଚି । ହର୍ଷବର୍ଦ୍ଧନ, କବୀର, ଆକବର ଓ ଆଉରଙ୍ଗଜେବଙ୍କର ଜୀବନୀରୁ ଉଦାହାରଣ ଦେଇ ଏହା ବୁଝାଇ ଦିଅ ।

 

ସାହିତ୍ୟ (ଐଚ୍ଛିକ)-୧୯୫୭

(ଏକାଦଶ ସୋପାନ)

 

(୧)

ସଂସାରରେ ସମସ୍ତେ ତ ଜୀବନକୁ ଅନୁଭବ କରନ୍ତି, କିନ୍ତୁ ସମସ୍ତେ କାହିଁକି କବି ହୋଇ ପାରନ୍ତି ନାହିଁ ବା ସାହିତ୍ୟରଚନା କରିପାରନ୍ତି ନାହି ? ମଣିଷର ବ୍ୟକ୍ତିଗତ ଜୀବନ ସହିତ ତା’ର ସାହିତ୍ୟିକ ଜୀବନର କି ସମ୍ପର୍କ ରହିଚି ? ସାହିତ୍ୟିକ ହେବାଲାଗି ମଣିଷ ପ୍ରଧାନତଃ କେଉଁ କେଉଁ କ୍ଷେତ୍ରରୁ ପ୍ରେରଣା ପାଏ ?

 

 

(୨)

ଆଧୁନିକ ହିନ୍ଦୀ-ସାହିତ୍ୟ ସହିତ ଆଧୁନିକ ଓଡ଼ିଆ-ସାହିତ୍ୟର ତୁଳନା କର । ବିଶେଷତଃ ସ୍ଵାଧୀନତା ପରେ ହିନ୍ଦୀ-ସାହିତ୍ୟ କେଉଁ କେଉଁ କ୍ଷେତ୍ରରେ ଅନେକ ଆଗେଇ ଯାଇଚି ଓ ଓଡ଼ିଆ ସାହିତ୍ୟ କେଉଁ କେଉଁ କ୍ଷେତ୍ରରେ ଅନେକ ପଛୁଆ ରହିଚି ? ଏ ସବୁର କାରଣ ନିର୍ଣ୍ଣୟ କରିବାକୁ ଚେଷ୍ଟା କର ।

 

 

(୩)

କୌଣସି ଗୋଟିଏ ନାଟକ-ଗ୍ରନ୍ଥର ସମାଲୋଚନା କରିବାକୁ ହେଲେ ପ୍ରଧାନତଃ କେଉଁ କେଉଁ ଦୃଷ୍ଟିରୁ ବିଚାର କରିବାକୁ ହୁଏ ? ନାଟକ-ସାହିତ୍ୟ ବିଷୟରେ ତୁମର ଆଗରୁ ଯେଉଁ ଧାରଣା ଥିଲା, ‘ମ୍ୟାକବେଥ୍’ର ଅଧ୍ୟୟନ ଓ ଆଲୋଚନା ପରେ ସେହି ଧାରଣାର ପରିସର କେତେଦୂର ବଢ଼ିଚି ବା କମିଚି । ଓଡ଼ିଆ ଭାଷାରେ କେଉଁ ନାଟକଟି ପଢ଼ି ତୁମେ ସବୁଠାରୁ ଅଧିକ ଆନନ୍ଦ ପାଇଚ ଓ କାହିଁକି ?

 

 

(୪)

ଭ୍ରମଣକାହାଣୀକୁ ଆମେ କେତେଦୂର ସାହିତ୍ୟର ଅନ୍ତର୍ଗତ କରିପାରିବା ? ଆଧୁନିକ ସାହିତ୍ୟରେ କାହିଁକି ଏହାର ଆଦର ଅଧିକ ବଢ଼ୁଚି ? ମେଗାସ୍ଥିନିସ୍ ଓ ହୁଏନସାଂଙ୍କର ଭ୍ରମଣକାହାଣୀକୁ ତୁମେ କେତେଦୂର ସାହିତ୍ୟରେ ସ୍ଥାନ ଦେଇପାରିବ ? ଓଡ଼ିଆ ଓ ବଙ୍ଗଳା ଭାଷାର ଦୁଇଟି ଭ୍ରମଣକାହାଣୀର ତୁଳନାତ୍ମକ ଆଲୋଚନା କର ।

 

 

(୫)

ଆଧୁନିକ ଉପନ୍ୟାସକୁ ଆଧୁନିକ ଜୀବନର ଗଦ୍ୟକାବ୍ୟ ବୋଲି କେତେଦୂର କୁହାଯାଇ ପାରିବ ? ଶ୍ରେଷ୍ଠ ଉପନ୍ୟାସମାନଙ୍କରେ ଆମେ କାବ୍ୟର କି କି ପ୍ରକୃତି ଦେଖିବାକୁ ପାଉ-? ତୁମେ ପଢ଼ିଥିବା ଦେଶ ଓ ବିଦେଶର ବିଭିନ୍ନ ଉପନ୍ୟାସର ଦୃଷ୍ଟାନ୍ତ ଦେଇ ତୁମର ବିସ୍ତୃତ ମତ ଦିଅ । ସମସ୍ୟାମୂଳକ ଉପନ୍ୟାସ କାହାକୁ କୁହାଯାଇ ପାରିବ ?

 

 

(୬)

ଭାଷା ଯୁଗକୁ ବଦଳେ କାହିଁକି ? ଗତ ତିନିଶହ ବର୍ଷ ଭିତରେ ବଙ୍ଗଳା ଭାଷା ପରି ଆମ ଓଡ଼ିଆ ଭାଷା ଏତେ ବଦଳି ପାରିନାହିଁ କାହିଁକି ? ଭାଷା ଓ ବୋଲି ଭିତରେ କ’ଣସବୁ ପ୍ରଧାନ ପ୍ରଭେଦ ରହିଚି ? କଥିତ ଭାଷା ଓ ଲିଖିତ ଭାଷା ଭିତରେ କିଏ କାହାକୁ ବାଟ ଦେଖାଇବା ଉଚିତ ବୋଲି ତୁମେ ଭାବୁଚ ? ଉପନ୍ୟାସର ଭାଷା ସାଧାରଣତଃ କଥିତ ଭାଷାର ନିକଟବର୍ତ୍ତୀ କାହିଁକି ହୋଇଥାଏ ?

 

 

(୭)

ପୃଥିବୀର ସାହିତ୍ୟରେ ଜାତୀୟତା-ଯୁଗ ସାହିତ୍ୟ-ସୃଷ୍ଟି ଲାଗି ଅନେକ ପ୍ରେରଣା ଯୋଗାଇଚି । ତଥାପି ଅନେକ ସ୍ଥଳରେ ଏହା ମଣିଷକୁ ମଣିଷଠାରୁ ଦୂରତର କରି ପକାଇଚି । କିପରି ? ବର୍ତ୍ତମାନ ଯୁଗର ଧ୍ଵଂସ ଓ ନୈରାଶ୍ୟ ଲାଗି ତୁମେ ଜାତୀୟତାଯୁଗର ସାହିତ୍ୟକୁ କେତେଦୂର ଦାୟୀ କରିବ ? ସାହିତ୍ୟର ମାଧ୍ୟମରେ ପୃଥିବୀର ମଣିଷ ମଣିଷ ଭିତରେ କିପରି ମୈତ୍ରୀ ଓ ଉଦାରତା ଭାବ ବଢ଼ିବ, ତୁମେ ତାହାର ଏକ ସଂକ୍ଷିପ୍ତ ଯୋଜନା ଦେଇ ପାରିବ କି ?

 

 

(୮)

ବୈଜ୍ଞାନିକ ସାହିତ୍ୟ କାହାକୁ କହନ୍ତି ? ବିଜ୍ଞାନକୁ ସର୍ବଜନର ଆଦରଣୀୟ କରିବା ଲାଗି ଏପରି ସାହିତ୍ୟର କେତେଦୂର ଆବଶ୍ୟକତା ରହିଚି ? ‘ପୃଥିବୀ ବାହାରେ ମଣିଷ’ର ଭୂମି ଉପରେ ବୈଜ୍ଞାନିକ ଉପନ୍ୟାସ ସମ୍ବନ୍ଧରେ ଆଲୋଚନା କର ।

 

 

(୯)

ଆଧୁନିକ ସାହିତ୍ୟ ଲୋକାଜୀବନଠାରୁ ଅଧିକରୁ ଅଧିକ ଦୂରକୁ ଚାଲିଯାଉଚି, ଜୀବନର ସମଗ୍ରତା ଓ ସ୍ଵାଭାବିକତାକୁ ନଷ୍ଟ କରି ଏହାକୁ ସମସ୍ୟାବହୁଳ କରିପକାଉଚି । ତୁମେ ଏହି ମତକୁ କେତେଦୂର ସମର୍ଥନ କରିବ ? ଏପରି ହେଉଥିଲେ ତୁମେ ଏଥିପାଇଁ ପ୍ରଧାନତଃ କେଉଁ କାରଣମାନଙ୍କୁ ଦାୟୀ କରିବ ? ଆଧୁନିକ ଯୁଗରେ ଲୋକସାହିତ୍ୟ କ୍ରମେ ମରି ଯାଉଚି କାହିଁକି ? ଓଡ଼ିଶାର ‘ଜନସାହିତ୍ୟ ସିରିଜ’ କେତେଦୂର ଲୋକସାହିତ୍ୟର ଶୂନ୍ୟସ୍ଥାନ ପୂରଣ କରିପାରିବ ?

 

 

(୧୦)

ଯେକୌଣସି ପାଞ୍ଚୋଟିର ଟିପ୍ପଣୀ ଲେଖ–

 

 

ସାହିତ୍ୟରେ ଯୀଶୁଚରିତ, ତୁଳନାତ୍ମକ ସାହିତ୍ୟ, ଓଡ଼ିଆ ଗଦ୍ୟକବିତା, ଦ୍ରାବିଡ଼ ଭାଷା, ବ୍ରହ୍ମାନନ୍ଦସହୋଦର, ବିଶ୍ଵବିଦ୍ୟାଳୟ ଓ ସାହିତ୍ୟ ।

 

ଶିକ୍ଷା (ଐଚ୍ଛିକ)-୧୯୫୭

(ଏକାଦଶ ସୋପାନ)

 

(୧)

ମୌଳିକ ଶିକ୍ଷାକୁ ଆମର ବର୍ତ୍ତମାନ ସମାଜ ସ୍ଵୀକାର କରୁନାହିଁ କାହିଁକି ? ବର୍ତ୍ତମାନ ସମାଜର ମୂଳଦୂଆକୁ ଭାଙ୍ଗିଦେଲାଭଳି କି କି ବିପଦମାନ ମୌଳିକ-ଶିକ୍ଷା ଯୋଜନାରେ ରହିଚି ? ମୌଳିକ ଶିକ୍ଷାକୁ ନିଷ୍ଠାପର ଭାବରେ ଗ୍ରହଣ କରିବାକୁ ହେଲେ ଆମ ସମାଜ ଓ ସରକାରର କି କି ମୌଳିକ ପରିବର୍ତ୍ତନ ଆବଶ୍ୟକ, ତାହାର ସୂଚନା ଦିଅ ।

 

 

(୨)

ଆମେ ନିଜେ ଏଠି ଅନେକ ନିୟମ କରୁ, କିନ୍ତୁ ତାହାର ସ୍ଥାୟୀଭାବରେ ମାନି ପାରୁନାହୁଁ । ହୁଏତ ବିଦ୍ୟାଳୟର ଶିକ୍ଷକ ଜୋର୍ କରି ଏଠି ଯେଉଁ ନିୟମସବୁ ଜାରି କରନ୍ତି, ଆମେ ସେଗୁଡ଼ିକୁ ଯେକୌଣସି ମତେ ମାନିବାକୁ ଚେଷ୍ଟା କରୁ । ଏପରି କାହିଁକି ହୁଏ ? କୌଣସି ଶିକ୍ଷାନୁଷ୍ଠାନର ନିୟମକ୍ରମକୁ କେତେଦୂର ଛାତ୍ରମାନଙ୍କୁ ସ୍ଵାଧୀନ ଇଚ୍ଛା ଉପରେ ଛାଡ଼ିଦେବା ଉଚିତ ?

 

 

(୩)

ଜ୍ଞାନର ସୀମା ନାହିଁ, ଅଥଚ ଆମ ଦେଶର ଶିକ୍ଷା ନାନା କୌଶଳ କରି ଶିକ୍ଷାର୍ଥୀକୁ ନାନା ସୀମାଭିତରେ ଅଟକାଇ ରଖୁଚି,–ଏଥିରେ ତୁମେ କେତେଦୂର ଏକମତ ? ସୀମାଭିତରେ ରହିବାକୁ ନାନା ତାଗିଦା ସହି ଶିକ୍ଷାର୍ଥୀର କୁତୁହଳ ମରିଯାଉଚି କି ? ଜୀବନକୁ ବଦଳାଇବାକୁ ଚେଷ୍ଟା ନ କରି ସେ ସେଥିଲାଗି ବର୍ତ୍ତମାନର ଜୀବନ ସହିତ ନିଜକୁ ଖାପ ଖୁଆଇ ଚଳିବାକୁ ତା’ର ପରମ କର୍ତ୍ତବ୍ୟ ବୋଲି ମନେ କରୁଚ କି ?

 

 

(୪)

ଛାତ୍ରଜୀବନରେ ସ୍ଵତନ୍ତ୍ର ବିକାଶର ସୁଯୋଗ ଦିଆଯାଉ ନାହିଁ, ସେଥିପାଇଁ ଛାତ୍ର ନାନା ଆବଶ୍ୟକ ଦାୟିତ୍ଵରୁ ପଳାଇଯିବାକୁ ଆପଣାର କର୍ତ୍ତବ୍ୟ ବୋଲି ଧରିନେଉଚି, ବା ଦାୟିତ୍ଵକୁ ଡରି ପଛକୁ ଫେରିଯାଇ ପିଲାହୋଇ ରହିବାର ଭ୍ରମ କରୁଚି,–ସମାଜ ଓ ଜୀବନରୁ ନାନା ଉଦାହରଣ ଦେଇ ଏହାର ପ୍ରତିପାଦନ କର ।

 

 

(୫)

ଶିକ୍ଷାଶାସ୍ତ୍ର ଅଭିଧାନରେ ସ୍ଵାଧୀନତା ଯଥାର୍ଥ ବ୍ୟାଖ୍ୟା କଣ ହେବା ଉଚିତ ? ଆମ ଦେଶରେ ଶିକ୍ଷାବ୍ୟବସ୍ଥାରେ–ବିଦ୍ୟାଳୟ ଓ ପରିବାର ଉଭୟ କ୍ଷେତ୍ରରେ–ସେହି ଯଥାର୍ଥ ସ୍ଵାଧୀନତା ସତ୍ ବା ଅସଦ୍‍ବ୍ୟବହାର କେତେଦୂର ହେଉଚି ? ଆମର ସମାଜ କେତେଦୂର ତା’ର କୁପରିଣାମ ଭୋଗ କରୁଚି ?

 

 

(୬)

ପ୍ରତ୍ୟେକ ମଣିଷ ନିଜର ଜୀବନ ନିଜେ ଗଢ଼ିବ, ଶିକ୍ଷାର୍ଥୀ ଏହି ସତ୍ୟକୁ କିପରି ଭାବରେ ଗ୍ରହଣ କରିବା ଉଚିତ ? ବିସ୍ତୃତ ଭାବରେ ବୁଝାଇ ଲେଖ । ଏଥିଲାଗି ପରିବାର ଓ ବିଦ୍ୟାଳୟରେ ଦିଆଯାଉଥିବା ଯାବତୀୟ ଶିକ୍ଷାର ଦୃଷ୍ଟିଭଙ୍ଗୀ ଓ ପ୍ରଣାଳୀରେ କି କି ପରିବର୍ତ୍ତନ ଆବଶ୍ୟକ ?

 

 

(୭)

ଯେକୌଣସି ଶିକ୍ଷାରେ Head, Hand ଓ Heartର ସମନ୍ଵିତ ବିକାଶ କରିବା ଦୃଷ୍ଟିଭଙ୍ଗୀ ରହିବା ଉଚିତ ? ଏହି ଦୃଷ୍ଟିରୁ ଦେଖିଲେ ଆଧୁନିକ ଶିକ୍ଷାରେ ସାଧାରଣତଃ କେଉଁ ଦୋଷମାନ ରହିଚି ? ମଣିଷର ସୁସ୍ଥ ଜୀବନ ଗଢ଼ିବାରେ ଏହି ଦୋଷଗୁଡ଼ିକ କେତେଦୂର ବାଧା ଦେଉଚି ? ଶିକ୍ଷାର ଉକ୍ତ ତିନୋଟି ଦିଗରୁ କେଉଁଟି ଉପରେ ଅଧିକ ଗୁରୁତ୍ଵ ଦିଆଯିବା ଉଚିତ ଓ କାହିଁକି ?

 

 

(୮)

ଶିକ୍ଷା କେବଳ ଯୁଗସଂସ୍କୃତିର ବାହକ ହେବ ନାହିଁ, ଏହା ନୂତନ ସଂସ୍କୃତି ସୃଷ୍ଟି ମଧ୍ୟ କରିବ । ତା’ ନହେଲେ ଶିକ୍ଷା ଭିତରେ ଅନେକ କୁସଂସ୍କାର ଓ ଘୃଣା ପଶିଯିବ । ଏହି ଉକ୍ତିଟିକୁ ତୁମେ କେତେଦୂର ସମର୍ଥନ କରିବ ? ଶିକ୍ଷାକୁ କେବଳ ଯୁଗୋପଯୋଗୀ କରିବାର ଚେଷ୍ଟା କରି ଆମର ସମାଜ ସଂସାରର ଓ ମଣିଷର କେତେଦୂର କ୍ଷତି କରିଚି ବୋଲି ତୁମେ ବିଚାରୁଚ ?

 

 

(୯)

ଧର୍ମ ଓ ବିଜ୍ଞାନ ମଣିଷକୁ ଏକ ବିଶ୍ଵ-ପରିବାର ଗଢ଼ିବାର ଆହ୍ଵାନ ଦେଉଥିଲେ ମଧ୍ୟ ମଣିଷର ଶିକ୍ଷାପଦ୍ଧତି ତାକୁ ନାନା ସଂକୀର୍ଣ୍ଣତା ଭିତରେ ବାନ୍ଧିରଖିଚି । ଏହା କେତେଦୂର ସତ୍ୟ ବୋଲି ତୁମେ ଭାବୁଚ ? ପ୍ରତ୍ୟେକ ଛାତ୍ରକୁ ବିରାଟ ପୃଥିବୀର ଜଣେ ସୁସ୍ଥ ନାଗରିକ ରୂପେ ଗଢ଼ିବାକୁ ହେଲେ ଆମର ଶିକ୍ଷାକ୍ରମ ଓ ଦୃଷ୍ଟିକୋଣରେ କି କି ପରିବର୍ତ୍ତନ ଆବଶ୍ୟକ ?

 

 

(୧୦)

ଟିପ୍ପଣୀ ଲେଖ–

 

 

ପ୍ଲେଟୋଙ୍କର ଆଦର୍ଶ ନଗରରେ ଶିକ୍ଷା, ପେଷ୍ଟାଲଜି, ଶିକ୍ଷାଶାସ୍ତ୍ରର ଦୃଷ୍ଟିରୁ ଦିନଲିପି ଓ ପ୍ରାର୍ଥନା, ସହଯୋଜନା (Correlation), UNESCO ।

 

ଇତିହାସ (ଐଚ୍ଛିକ)-୧୯୫୭

(ଏକାଦଶ ସୋପାନ)

 

(୧)

ଆଧୁନିକ ଯୁଗରେ ଗ୍ରାମ-ସଭ୍ୟତା ଭାଙ୍ଗି ସହରର ବର୍ବରତା ହିଁ ବଢ଼ି ଚାଲିଚି, ସମାଜରେ ରହି ମଧ୍ୟ ମଣିଷ ଅଧିକରୁ ଅଧିକ ଏକାକୀ ହୋଇଯାଉଚି, ଇଉରୋପର ଇତିହାସ ଆଲୋଚନା କରି Spengler ଏହି ସିଦ୍ଧାନ୍ତକୁ କେତେଦୂର ପ୍ରମାଣ କରି ପାରିଚନ୍ତି ବୋଲି ଅନୁମାନ କରୁଚ ?

 

 

(୨)

Toynbeeଙ୍କର ‘ପୃଥିବୀ ଓ ପାଶ୍ଚାତ୍ୟଜଗତ’ ଗ୍ରନ୍ଥଟି ଆଲୋଚନା କରିବା ପରେ ତୁମେ ତାଙ୍କର ସିଦ୍ଧାନ୍ତ ସହିତ କେତେଦୂର ଏକମତ ହୋଇପାରିବ ? ଗତ ତିନିଶହ ବର୍ଷର ଐତିହାସିକ ଭୂମି ଉପରେ ଜାତୀୟତାବାଦର ଆଲୋଚନା କର ।

 

 

(୩)

ସଭ୍ୟତା ଓ ସଂସ୍କୃତି ଭିତରେ କୌଣସି ପାର୍ଥକ୍ୟ ରହିଚି କି ? ଏହି ବିଷୟରେ Spengler ଓ Toynbee ଦେଇଥିବା ମତଗୁଡ଼ିକର ବିଚାର କର । ଗୋଟାଏ ସଂସ୍କୃତି ଆଉ ଗୋଟାଏ ସଂସ୍କୃତି ଓ ସଭ୍ୟତାକୁ କେତେଦୂର ଗ୍ରହଣ କରିପାରେ, ଇତିହାସରୁ ଦୃଷ୍ଟାନ୍ତ ଦେଇ ତାହା ବୁଝାଇବାକୁ ଚେଷ୍ଟା କର ।

 

 

(୪)

Toynbeeଙ୍କ ମତରେ ଜଗତର ଇତିହାସରେ ଆହ୍ଵାନ ଓ ଜବାବର ପର୍ଯ୍ୟାୟ ଲାଗିରହିଚି । ସଭ୍ୟତାର ବିକାଶ ଓ ପତନରେ ଏହି ସୂତ୍ର ହିଁ କାର୍ଯ୍ୟ କରୁଚି । ତୁମେ ଏହାକୁ କେତେଦୂର ସମର୍ଥନ କରୁଛ ?

 

 

(୫)

ପ୍ରଧାନତଃ କେଉଁ ଦୃଷ୍ଟି ରଖି ବିଶ୍ଵ-ଇତିହାସ ଓ ବିଶ୍ଵଧର୍ମର ଅଧ୍ୟୟନ ହେବା ଉଚିତ ? ଠିକ୍ ରୀତିରେ ଇତିହାସ ପଢ଼ାଗଲେ ପୃଥିବୀରୁ ଅନେକ ଘୃଣା କମିଯିବ ବୋଲି ତୁମେ କେତେଦୂର ଭାବୁଚ ? ଐତିହାସିକ ଦୃଷ୍ଟିକୋଣ କହିଲେ ତୁମେ କଣ ବୁଝ ?

 

ବିଜ୍ଞାନ (ଐଚ୍ଛିକ)-୧୯୫୭

(ଏକାଦଶ ସୋପାନ–ପରିପୂରକ ପ୍ରଶ୍ନ)

 

(୧)

ବିଜ୍ଞାନ କଣ ? କେଉଁଦିନଠାରୁ ବିଜ୍ଞାନର ଆରମ୍ଭ ହେଲା ? ଯେତେବେଳେ ବିଜ୍ଞାନ ନଥିଲା, ସେତେବେଳେ ମନୁଷ୍ୟ କିପରି ଭାବରେ ଜୀବନ-ନିର୍ବାହ କରୁଥିଲା ?

 

 

(୨)

ସଂସାରରେ ବିଜ୍ଞାନର ପ୍ରସାର ହେଉଚି; କିନ୍ତୁ ବୈଜ୍ଞାନିକ ଜୀବନର ଆଦର କ୍ରମେ କମ୍ ହୋଇ ଯାଉଚି, କାହିଁକି ? ଏଥିଲାଗି ତୁମେ କାହାକୁ ବା କେଉଁମାନଙ୍କୁ ଦାୟୀ କରିବ ?

 

 

(୩)

ବୈଜ୍ଞାନିକ ଓ ଅବୈଜ୍ଞାନିକ ଚିନ୍ତା ଭିତରେ ପାର୍ଥକ୍ୟ କଣ ? ବୈଜ୍ଞାନିକ ଚିନ୍ତନକଳାର ବିକାଶ କରିବା ବିଜ୍ଞାନ-ଶିକ୍ଷାର ସର୍ବପ୍ରଧାନ ଉଦ୍ଦେଶ୍ୟ ହେବା ଉଚିତ, ଏଥିରେ ତୁମେ କେତେଦୂର ମତ ଦେବ ?

 

 

(୪)

ସବୁ ମଣିଷ ଭିତରେ ଭଗବାନ ଅଛନ୍ତି, ତେଣୁ ସବୁ ମଣିଷ ସମାନ,–ଏକଥା ଧର୍ମ ଆଗରୁ କହୁଥିଲା । କିନ୍ତୁ ତଥାପି ସମାଜରେ ଅସମାନତା ପୂରି ରହିଥିଲା । ଆମର ବୈଜ୍ଞାନିକ ଦୃଷ୍ଟି ଯେତିକି ବଢ଼ୁଚି, ଆମେ ସମାଜକୁ ସମାନ କରି ଗଢ଼ିବା ଦିଗରେ ସେତିକି ଅଗ୍ରସର ହେଉଚୁ । ଧର୍ମ ଯାହା କହୁଥିଲା ଆଧୁନିକ ବିଜ୍ଞାନ ତାହାକୁ ହିଁ ବାସ୍ତବ ରୂପ ଦେବାକୁ ଯାଉଚି । ତୁମର ବ୍ୟକ୍ତିଗତ ମତ ସହିତ ବୁଝାଇ ଲେଖ ।

 

 

(୫)

ଟିପ୍ପଣୀ ଲେଖ–

 

 

ପୃଥିବୀହିଁ ସୃଷ୍ଟିର କେନ୍ଦ୍ର, ବୈଜ୍ଞାନିକ ଫ୍ଲେମିଙ୍ଗ୍, ଉଡ଼ନ୍ତା ଥାଳିଆ, ବିଜ୍ଞାନର ଇତିହାସ ପ୍ରଧାନତଃ ଶକ୍ତି-ବିନିଯୋଗର ଇତିହାସ, ଆଇନଷ୍ଟାଇନ୍ ।

 

ଦର୍ଶନ (ଐଚ୍ଛିକ)-୧୯୫୭

(ଏକାଦଶ ସୋପାନ)

 

(୧)

ସଂସ୍କୃତିଭାଷାର ‘ଦୃଶ୍’ ସହିତ ଦର୍ଶନର କଣ ସମ୍ବନ୍ଧ ରହିଚି ? ଭାରତର ଦର୍ଶନ ଓ ପାଶ୍ଚାତ୍ୟ ଜଗତର Philosophy ମଧ୍ୟରେ କୌଣସି ପାର୍ଥକ୍ୟ ରହିଚି ବୋଲି ତୁମେ ଅନୁମାନ କରୁଚ କି ?

 

 

(୨)

Descartes ଓ Baconଙ୍କ ସମୟରେ ଇଉରୋପୀୟ ଦର୍ଶନ ଧର୍ମର ବନ୍ଧନରୁ ନିଜକୁ ମୁକ୍ତ କରି ଆଣିଥିଲା । କିନ୍ତୁ ବିଂଶ ଶତାବ୍ଦୀର ବୈଜ୍ଞାନିକ ଦୃଷ୍ଟି ଓ ହୃଦବୋଧ ସହିତ ଏହା ଧର୍ମର ଅନେକ ନିକଟକୁ ଆସିପାରିଲାଣି । ଏହାର ପ୍ରତିପାଦନ କର ।

 

 

(୩)

ବିଜ୍ଞାନ ଓ ଦର୍ଶନ ଦୁଇପ୍ରକାର ଆଖିରେ ଜୀବନ ଓ ଜଗତକୁ ଦେଖନ୍ତି, ଦୁଇପ୍ରକାର ରୀତିରେ ସତ୍ୟ ଖୋଜନ୍ତି । ବିସ୍ତୃତ ଭାବରେ ବୁଝାଇ ଲେଖ । ଉପନିଷଦର ‘ବିଜ୍ଞାନ’ ଓ ଆମ ଯୁଗର ବିଜ୍ଞାନର ସାଧାରଣ କଳ୍ପନାରେ କୌଣସି ଅନ୍ତର ରହିଚି କି ?

 

 

(୪)

ବେଦାନ୍ତ-ଦର୍ଶନର ସାରକଥା କଣ ? ଏହି ଦର୍ଶନ ସଂସାରକୁ ବ୍ରହ୍ମ ଓ ମାୟା ରୂପେ କେତେଦୂର ଦୁଇଭାଗ କରି ଦେଖାଇଦିଏ ? ବ୍ରହ୍ମୋପଲବଧି ଲାଗି ଏଥିରେ କି ପନ୍ଥାର ସୂଚନା ଦିଆଯାଇଚି ?

 

 

(୫)

ରବୀନ୍ଦ୍ରନାଥଙ୍କର ‘ମାନୁଷେର ଧର୍ମ’ ଉପରେ ତୁମର ସମାଲୋଚନା ଭାରତଧର୍ମର ସାରସତ୍ୟ ଉପରେ ଏହି ‘ଧର୍ମ’ କେତେଦୂର ପ୍ରତିଷ୍ଠିତ ବୋଲି ବିଚାର କରୁଚ ?

 

 

(୬)

ଭାରତୀୟ ଦର୍ଶନର ମୂଳ ସ୍ଵଭାବକୁ କାହିଁକି ସମନ୍ଵୟ ବୋଲି କୁହାଯାଏ ? ଏହି ସମନ୍ଵୟୀ ଦୃଷ୍ଟିକୁ ଧ୍ୟେୟ କରି ରଖିବାକୁ ଭାରତର କେଉଁ ଦୃଷ୍ଟିକୋଣ ଆମକୁ ସବୁଠାରୁ ଅଧିକ ସାହାଯ୍ୟ କରିଚି ? ଭାରତର ସମାଜ ଓ ପରିବାର ଉପରେ ଏହି ଦୃଷ୍ଟିର କୌଣସି ଛାପ ପଡ଼ିଚି କି ?

 

ସାହିତ୍ୟର ଇତିହାସ-୧୯୫୮

(ଏକାଦଶ ସୋପାନ)

 

(୧)      କୌଣସି ସାହିତ୍ୟର ଇତିହାସ କାହିଁକି ଲେଖାଯିବା ଉଚିତ ? ଅତୀତକୁ ଜାଣିବାରେ ବା ଜାତୀୟ ସଂସ୍କୃତିର ଧାରା ନିରୂପଣ କରିବାରେ ଏହା ଆମକୁ କେତେଦୂର ସାହାଯ୍ୟ କରେ ? ଯେଉଁମାନେ ଓଡ଼ିଆ ସାହିତ୍ୟର ଇତିହାସ ଲେଖୁଚନ୍ତି, ସେମାନେ ଏହି ଦୃଷ୍ଟିରୁ କେତେଦୂର ଆପଣାର କର୍ତ୍ତବ୍ୟ ସମ୍ପାଦନ କରୁଚନ୍ତି ?

 

(୨)      ପଞ୍ଚସଖା-ସାହିତ୍ୟର ପ୍ରଧାନ ପ୍ରଧାନ ବିଶେଷତା କ’ଣସବୁ ରହିଚି ବୋଲି ତୁମେ ବିଚାରୁଚ ? ସଗୁଣ ଓ ନିର୍ଗୁଣ, ଜ୍ଞାନ ଓ ଭକ୍ତି, ସଂସାର ଓ ସ୍ଵର୍ଗକୁ ଯେ ସାହିତ୍ୟରୁ ମାଧୁରୀ ଦେଇ ସମନ୍ଵିତ କରାଯାଇ ପାରିବ, ପଞ୍ଚସଖା-ସାହିତ୍ୟରୁ କେତେଦୂର ଏହାର ପ୍ରମାଣ ମିଳିଥାଏ ? ଏ ଯୁଗରେ ସେପରି ସହଜ ଭାବରେ ଜୀବନର ଗହନ କଥାଗୁଡ଼ାକୁ ପ୍ରକାଶ କରିବା ସମ୍ଭବ ହୋଇ ପାରୁନାହିଁ କାହିଁକି ?

 

(୩)      ଭକ୍ତିକୁ ମୂଳ କରି ବୈଷ୍ଣବଧର୍ମର ଆରମ୍ଭ ହୋଇଥିଲା । ଓଡ଼ିଶାକୁ ଆସି ରୀତିକାଳୀନ ସାହିତ୍ୟ ମାଧ୍ୟମରେ ଏହା ପ୍ରଧାନତଃ ଆସକ୍ତିରେ ହିଁ ପରିଣତ ହେଲା । ବିଭିନ୍ନ କବିଙ୍କର ସାହିତ୍ୟରୁ ଉଦାହରଣ ଦେଇ ତୁମର ମତ ପ୍ରତିପାଦନ କର ।

 

(୪)      ଉପେନ୍ଦ୍ର ଭଞ୍ଜଙ୍କ ପରି ଭାରତର କୌଣସି କବିଙ୍କର କାବ୍ୟରେ ଛନ୍ଦ, ଜମକ ଓ ଅନୁପ୍ରାସ ଖଞ୍ଜିବାର ପ୍ରତିଭା ସାଧାରଣତଃ ଦେଖାଯାଏ ନାହିଁ । ତାଙ୍କ ରଚନାରୁ ଉଦାହରଣ ଦେଇ ଏହାର ପ୍ରମାଣ ଦିଅ । କେବଳ ଏହାରି ଉପରେ ଏତେ ବେଶୀ ଜୋର ଦେଇ ଭଞ୍ଜସାହିତ୍ୟ ଆଉ କୌଣସି ସାହିତ୍ୟିକ ସମ୍ପଦ ହରାଇଚି ବୋଲି ତୁମେ ବିଚାରୁଚ କି ?

 

(୫)      ଜାତୀୟତା ଆଧୁନିକ ଜୀବନର ଆଧାର ମାତ୍ର, ଆଶ୍ରୟ ନୁହେଁ, ଏହି ଉକ୍ତିର ବିଶ୍ଳେଷଣ କର । ଇଉରୋପୀୟ ସାହିତ୍ୟର ଜାତୀୟତା ଯୁଗ ଲାଗି କେଉଁ କେଉଁ ଆର୍ଥିକ, ସାମାଜିକ ଓ ରାଜନୀତିକ ଘଟଣାମାନ ଖାଦ୍ୟ ଯୋଗାଇଥିଲା ବୋଲି ତୁମେ ଅନୁମାନ କରୁଚ ?

 

ଶିକ୍ଷା (ଐଚ୍ଛିକ)–୧୯୫୮

(ଏକାଦଶ ସୋପାନ)

Unknown

 

(୧)

କୌଣସି ଚାକିରି ଯୋଗାଇଦେବା ଶିକ୍ଷାର ପ୍ରଧାନ ଉଦ୍ଦେଶ୍ୟ ହୋଇ ରହିବ କି ? ପାଠ ପଢ଼ିସାରିବା ପରେ ଯେବେ ପାଠକୁ ଦେଖାଇ ତୁମକୁ କୌଣସି ଚାକିରି ମିଳେ, ତେବେ ତଥାପି ତୁମେ ପାଠ ପଢ଼ିବାକୁ ଉଚିତ ବୋଲି କହିବ କି ? କାହିଁକି ?

 

 

(୨)

ମୌଳିକ ଶିକ୍ଷା ଆମ ପିଲାଙ୍କୁ ମୂଲିଆ କରି ପକାଉଚି । ଏହି ଅପବାଦକୁ ତୁମେ କେତେଦୂର ଭୁଲ ବା ଠିକ୍ ବୋଲି କହିବ ? ତେବେ ଆଗରୁ ପ୍ରଚଳିତ ହେଉଥିବା ଡେସ୍କ୍, ବେଞ୍ଚ୍ ଓ ମାଷ୍ଟରର ଶିକ୍ଷା ପିଲାଙ୍କୁ କଣ କରି ପକାଉଚି ?

 

 

(୩)

ଆମ ଦେଶର ପାଠଶାଳାରେ ଆମ ସମାଜର ବୟସ୍କ ପିଲାଙ୍କ ଉପରେ ନୃଶଂସ ଅତ୍ୟାଚାର ଚଲାଇଚି । ପିଲା ଭିତରେ ନିହିତ ଥିବା ଗୁଣଗୁଡ଼ିକର ସହଜ ଓ ସ୍ଵାଭାବିକ ବିକାଶ ହୋଇ ପାରୁନାହିଁ । ପରିକ୍ଷାରେ ଫେଲ୍ ହେବାର ଭୟ ଓ ଭବିଷ୍ୟତରେ ଚାକିରିର ଲୋଭ ଦେଖାଇ ପିଲାର ସ୍ଵାଧୀନ ଓ ନିର୍ଭୟ ବିକାଶକୁ ମାରି ଦିଆଯାଉଚି । ଏ ବିଷୟରେ ତୁମର ସ୍ପଷ୍ଟ ମତ ଦିଅ ।

 

 

(୪)

ସ୍ଵାବଲମ୍ବନ କହିଲେ ତୁମେ କଣ ବୁଝୁଚ ? କେବଳ ଅନ୍ନ ଓ ବସ୍ତ୍ରର ସ୍ଵାବଲମ୍ବନ ଉପରେ ଅତିରିକ୍ତ ଜୋର୍ ଦେଇ ମୌଳିକ ଶିକ୍ଷା ଆପଣା ବାଟରୁ ଅନେକ ହୁଡ଼ି ଯାଉଚି କି ? ତୁମେ କିପରି ଭାବୁଚ ?

 

 

(୫)

ଗାଆଁର ଗୋଟିଏ ଆଦର୍ଶ ପାଠଶାଳା ଯେପରି ହେବା ଉଚିତ, ତା’ର ସୁଚିନ୍ତିତ ଚିତ୍ର ଦିଅ-

 

 

(୬)

ଆମ ଦେଶରେ ସବୁ ପିଲା ପାଠ ପଢ଼ିବାର ସୁବିଧା ନ ପାଇବା ପର୍ଯ୍ୟନ୍ତ ଆମେ ଏ ଦେଶରେ ଶିକ୍ଷାକୁ ଜାତୀୟ ବା ମାନବିକ ଶିକ୍ଷା ବୋଲି କହି ପାରିବା କି ? ଲକ୍ଷ ଲକ୍ଷ ପିଲାଙ୍କୁ ମୂର୍ଖ ରଖି ମାତ୍ର କେତେକ ପିଲାଙ୍କର ଉଚ୍ଚଶିକ୍ଷା ଲାଗି ଆମଦେଶରେ କଲେଜ ବଢ଼ିଚାଲିଚି । ତଦ୍ୱାରା କି ସାମାଜିକ ଲାଭ ବା କ୍ଷତି ହେଉଚି ବୋଲି ତୁମେ ବିଚାରୁଚ ?

 

 

(୭)

ମଣିଷର ପିଲାମନକୁ ବଞ୍ଚାଇରଖିବା ଯେକୌଣସି ଶିକ୍ଷାର ଉଦ୍ଦେଶ୍ୟ ହୋଇ ରହିବା ଉଚିତ । କିନ୍ତୁ ଆଜି ଆମ ଦେଶରେ ପିଲାଙ୍କର ମନ ନାନାପ୍ରକାରେ ବୁଢ଼ା ହୋଇଯାଉଚି-। ଏଥିଲାଗି ତୁମେ କାହାକୁ ଅଧିକ ଦାୟୀ କରିବ ଓ କାହିଁକି ?

 

 

 

ଐଚ୍ଛିକ ବିଷୟଗୁଡ଼ିକ ସମ୍ବନ୍ଧରେ ଏଠାରେ ଗୋଟିଏ କଥା କହିରଖିବା ଉଚିତ । ଏହି ବିଷୟଗୁଡ଼ିକରେ ପଚରା ଯାଇଥିବା ପ୍ରଶ୍ନାବଳୀର ଉତ୍ତର ଲେଖିଦେବାରେ କୌଣସି ସମୟବନ୍ଧ ନଥିଲା । ପିଲାମାନେ ଦିନେ ଏକାଠି ଆସି ପ୍ରଶ୍ନ ଲେଖି ନେଉଥିଲେ । ତା’ପରେ ତିନିଦିନ ବା ଚାରିଦିନ ପରେ,–ଯେଉଁ ସମୟ ସେମାନେ ସର୍ବସମ୍ମତି ଅନୁସାରେ ଠିକ୍ କରି ଦେଉଥିଲେ,–ସେମାନେ ଆପଣା ଉତ୍ତରଗୁଡ଼ିକୁ ଆଣି ଶିକ୍ଷକଙ୍କ ପାଖରେ ପହଞ୍ଚାଇ ଦେଉଥିଲେ । ଦ୍ଵାଦଶ ଅର୍ଥାତ୍ ଶେଷ ବର୍ଷର କେବଳ ତିନୋଟି ପ୍ରଶ୍ନପତ୍ର ମୋ’ ପାଖରେ ଅଛି । ସେଗୁଡ଼ିକୁ ମୁଁ ନିମ୍ନରେ ଦେଉଚି ।

 

ସାହିତ୍ୟ (ଐଚ୍ଛିକ)–୧୯୫୮

(ଦ୍ଵାଦଶ ସୋପାନ)

 

(୧)

ପ୍ରାଚୀନ ଓ ଆଧୁନିକ ସାହିତ୍ୟର ଏକ ତୁଳନାତ୍ମକ ଆଲୋଚନା କର । ଯୁଗ ସହିତ ସାହିତ୍ୟର କି ସମ୍ବନ୍ଧ ରହିଚି ? ଯୁଗ ସାହିତ୍ୟିକୁ ତିଆରି କରେ ନା ସାହିତ୍ୟ ଯୁଗକୁ ତିଆରି କରେ ? ଯୁଗ ଅନୁସାରେ ସାହିତ୍ୟ ବଦଳିଯାଏ ବୋଲି ଅନେକେ କହନ୍ତି । ତଥାପି ସାହିତ୍ୟର କୌଣସି ସ୍ଥାୟୀ ବା ସର୍ବଯୁଗସମ୍ମତ ପରିଚୟ-ପତ୍ର ଅଛି ବୋଲି ତୁମେ କେତେଦୂର ବିଚାର କରୁଚ ?

 

 

(୨)

ସତ୍-ସାହିତ୍ୟ କହିଲେ ତୁମେ କ’ଣ ବୁଝ ? ତଥାକଥିତ ଅସତ୍-ସାହିତ୍ୟର ବିନାଶ କରିବାଲାଗି ପୃଥିବୀରେ କେତେ ଘୃଣା ଓ କ୍ରୁରତାକୁ ପ୍ରଶ୍ରୟ ଦିଆଯାଇଚି, ତାହାକୁ ତୁମେ କେତେଦୂର ସମର୍ଥନ କରିବ ? ଏହି କ୍ରୁରତାର ଇତିହାସକୁ ଆଖି ଆଗରେ ରଖି ସାହିତ୍ୟିକର ସ୍ଵାଧୀନତା ବିଷୟରେ କେତେଦୂର ସୀମା ରହିବା ଉଚିତ ଓ କିଏ ସେହି ସୀମାର ନିର୍ଦ୍ଧାରଣ କରିବା ଉଚିତ, ତାହାର ଆଲୋଚନା କର ।

 

 

(୩)

ଆଧୁନିକ ସାହିତ୍ୟ-କ୍ଷେତ୍ରରେ ସାରା ପୃଥିବୀରେ ଏକ ସଙ୍କଟର ଯୁଗ ଆସିଚି ବୋଲି ତୁମେ କେତେଦୂର ଭାବୁଚ ? ଆଧୁନିକ ସାହିତ୍ୟର ସଙ୍କଟ ଆଧୁନିକ ଜୀବନକୁ ଗ୍ରାସ କରିଥିବା ଏକ ବୃହତ୍ତର ସଙ୍କଟର ପ୍ରତିକ୍ରିୟା ମାତ୍ର, ଏହାକୁ ତୁମେ କେତେଦୂର ସ୍ଵୀକାର କରିବ ?

 

 

(୪)

ସାହିତ୍ୟରେ ସୁଖବାଦର ସ୍ଥାନ ନିରୂପଣ କର । ସୁଖକୁ କେତେଦୂର ସାହିତ୍ୟ ତଥା ଜୀବନର ଶ୍ରେୟ ବୋଲି ଗ୍ରହଣ କରାଯାଇପାରେ ? ଦୁଃଖ ଓ ସଂଶୟଶଙ୍କୁଳ ମାନବ-ଜୀବନରେ ସାହିତ୍ୟର ତଥାପି କି ଆବଶ୍ୟକତା ରହିଚି ?

 

 

(୫)

ଗୋଟିଏ କବିତାକୁ ଆଉଗୋଟିଏ କବିତା ସହିତ, ବା ଜଣେ କବିଙ୍କୁ ଆଉ ଜଣେ କବିଙ୍କ ସହିତ କେତେଦୂର ତୂଳନା କରାଯାଇ ପାରିବ ? କେତେଦୂର ଗୋଟିକଠାରୁ ଅନ୍ୟଟିକୁ ବା ଜଣକଠାରୁ ଆଉ ଜଣକୁ ଉଚ୍ଚ ବା ନୀଚ ସ୍ତରର ବୋଲି କୁହାଯାଇ ପାରିବ ? କବି ବା କବିତାର ତୁଳନାତ୍ମକ ଆଲୋଚନା କରିବାକୁ ଗଲେ ଆମକୁ କେଉଁସବୁ ଶୃଙ୍ଖଳା ମାନିବାକୁ ପଡ଼ିବ ?

 

 

(୬)

ଭାରତର ଜାତୀୟ-ସାହିତ୍ୟ ଏକାଡ଼େମୀ ଦେଶରେ ଉତ୍ତମ ସାହିତ୍ୟର ସୃଷ୍ଟିଲାଗି କେତେଦୂର ପ୍ରେରଣା ଦେଇ ପାରିବ ? ରାଷ୍ଟ୍ରର ଲାଳନ ଓ ପୋଷଣ ପାଇ ତଥାପି ଗତ ଚାଳିଶି ବର୍ଷ ଭିତରେ ଋଷିଆରେ କୌଣସି ଉଚ୍ଚକୋଟୀର ସାହିତ୍ୟ ସମ୍ଭବ ହୋଇ ପାରିଚି କି ? ଏହିସବୁ ସମସ୍ୟାକୁ ଭିତ୍ତିକରି ସାହିତ୍ୟ ସହିତ ରାଷ୍ଟ୍ରର କିପରି ସମ୍ପର୍କ ରହିବା ଉଚିତ, ସେ ବିଷୟରେ ଆପଣାର ବିଚାର ଦିଅ ।

 

 

(୭)

ସାହିତ୍ୟରେ ଯେତିକି ନୂତନ ଓ ଶକ୍ତିଶାଳୀ ସୃଷ୍ଟି ହେଉଥିବ, ମଣିଷ ଓ ସଂସ୍କୃତିର ଅଗ୍ରଗତି ଲାଗି ସେତିକି ଖାଦ୍ୟ ଓ ପ୍ରେରଣା ମିଳୁଥିବ । ଓଡ଼ିଆ ସାହିତ୍ୟର ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟି ରଖି ଏ ବିଷୟରେ ବିସ୍ତୃତ ଆଲୋଚନା କର ।

 

 

(୮)

ଜଣେ ଓଡ଼ିଆ ଯୁବକ ହିସାବରେ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି ଲାଗି ତୁମର କି କି କର୍ତ୍ତବ୍ୟ ରହିଚି ? ଜଣେ ଆଧୁନିକ ମଣିଷ ହିସାବରେ ସାହିତ୍ୟ ଓ ମାନବିକତା ପ୍ରତି ତୁମର କର୍ତ୍ତବ୍ୟ ରହିଚି ? ଆପଣା ଜୀବନରେ ତୁମେ ଜଣେ ଓଡ଼ିଆ ଓ ଜଣେ ଆଧୁନିକ ଜାଗ୍ରତ ମଣିଷ ଭିତରେ କିପରି ସମନ୍ଵୟ ଆଣିପାରିବ ?

 

 

(୯)

ରବୀନ୍ଦ୍ରନାଥଙ୍କର ‘ଚିତ୍ରାଙ୍ଗଦା’ ନାଟକରେ ପ୍ରେମ ଓ ସୌନ୍ଦର୍ଯ୍ୟର ଏକ ସମଗ୍ର ଦୃଷ୍ଟିର ଅବତାରଣା କରାଯାଇଚି,–ଦୃଷ୍ଟାନ୍ତ ଦେଇ ଏହାର ବିସ୍ତୃତ ଆଲୋଚନା କର ।

 

 

(୧୦)

ସଂକ୍ଷିପ୍ତ ଟିପ୍ପଣୀ ଲେଖ–

 

 

 

ସ୍ଵାଧୀନତା ପରେ ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟର ଆଗାମୀ ଯୁଗ, ବିଶ୍ଵବିଦ୍ୟାଳୟ ଓ ସଂସ୍କୃତି, ସର୍ବୋଦୟ ଓ ସାହିତ୍ୟ ।

 

ଶିକ୍ଷା (ଐଚ୍ଛିକ)–୧୯୫୮

(ଦ୍ଵାଦଶ ସୋପାନ)

 

(୧)

ଆମ ଦେଶରେ ପିଲାଏ ‘ଜାଗୃତି’ ଛବିଟିକୁ ଦେଖିଲେ ଅଧିକ ଚଗଲା ହୋଇଯିବେ । ତୁମେ ଏଥିରେ ଏକମତ କି ? ଚଗଲା ପିଲା ଓ ଭଲପିଲା ମଧ୍ୟରେ କ’ଣ କ’ଣ ପ୍ରଧାନ ପାର୍ଥକମାନ ରହିଚି ବୋଲି ତୁମେ ଭାବୁଚ

 

 

(୨)

ଯାହାର ପଇସା ଅଛି, ସେଇ ପାଠ ପଢ଼ିପାରିବ । ଯିଏ ପାଠ ପଢ଼ିବ, ସେଇ ଚାକିରି ପାଇବ । କେଉଁଭଳି ସାମାଜିକ ଦର୍ଶନ ଉପରେ ଏହି ଶିକ୍ଷାନୀତି ପ୍ରତିଷ୍ଠିତ ରହିଚି ବୋଲି ତୁମେ ବିଚାରୁଚ ? ଏପରି ଏକ ସାମାଜିକ ଦର୍ଶନ ମଣିଷକୁ କେତେଦୂର ମଣିଷ ବା ଅମଣିଷ କରୁଚି ?

 

 

(୩)

ଆମ ଦେଶର ଶିକ୍ଷାକ୍ଷେତ୍ରରେ ଯେଉଁ ଦୁର୍ଦ୍ଦଶା ଘୋଟିରହିଚି, ତାକୁ ଦୂର କରିବାଲାଗି ମୌଳିକ ଶିକ୍ଷା କେବଳ ଏକ ଉଦ୍ୟମ ମାତ୍ର । ଏହି କଥାଟିକୁ ତୁମେ କେତେଦୂର ସମର୍ଥନ କରୁଚ ? ପ୍ରଧାନତଃ କେଉଁସବୁ ରହିଥିବାରୁ ମୌଳିକ ଶିକ୍ଷା ଆପଣାର ଅଭିଳଷିତ ବାଟରେ ଆଗେଇ ପାରୁନାହିଁ ?

 

 

(୪)

ଯେଉଁସବୁ ମୂଳ ଦର୍ଶନ ଉପରେ ମୌଳିକ ଶିକ୍ଷା ତିଷ୍ଠି ରହିଚି, ଆମ ଦେଶର ବର୍ତ୍ତମାନ ସରକାର ଠିକ୍ ତା’ର ଓଲଟା ଦର୍ଶନକୁ ଭିତ୍ତି କରି ରହିଚି । ତେଣୁ ସରକାର ହାତରେ ପଡ଼ି ମୌଳିକ ଶିକ୍ଷା ସେହି ପୁରୁଣା ଅଶିକ୍ଷାର ଏକ ମାଙ୍କଡ଼ରୂପ ହିଁ ହୋଇଯାଉଚି । ଏ ବିଷୟରେ ଆପଣାର ବିସ୍ତୃତ ବିଚାର ଲେଖ

 

 

(୫)

ଶିକ୍ଷା କହିଲେ ତୁମେ ପ୍ରଧାନତଃ କଣ ବୁଝିବ : ଭବିଷ୍ୟତରେ କୌଣସି ଚାକିରି ପାଇଁ ଯୋଗ୍ୟ ହେବା, ପାଠ ମୁଖସ୍ଥ କରି ଶେଷ ପରୀକ୍ଷାରେ ପାସ କରିବା, ସମାଜର ନିୟମ ମାନି ଚଳିବା, ନା ଆଉ କିଛି ?

 

 

(୬)

ଆମ ଦେଶରେ ଆଦିବାସୀମାନଙ୍କୁ କିପରି ଶିକ୍ଷା ଦିଆଯିବା ଉଚିତ ? ଇଂରେଜମାନଙ୍କ ପଛରେ ଦଉଡ଼ି ଆମେ ଯେମିତି ଆପଣାକୁ ହରାଇଲେ, ଆଦିବାସୀମାନଙ୍କୁ ଆମ ପଛରେ ଦଉଡ଼ାଇ ହୁଏତ ଆମେ ସେମାନଙ୍କୁ ସର୍ବସ୍ଵାନ୍ତ କରି ପକାଇବା, ଏ ବିଷୟରେ ତୁମେ କଣ ବିଚାରୁଚ ?

 

 

(୭)

ଶିକ୍ଷା ଦେବା ଓ ଦୟା ଦେଖାଇବା ଭିତରେ କୌଣସି ଫରକ ଅଛି କି ? ଆମ ଦେଶର ଶିକ୍ଷା ଏପର୍ଯ୍ୟନ୍ତ ପ୍ରଧାନତଃ ଦୟା ଉପରେ ହିଁ ପ୍ରତିଷ୍ଠିତ ରହିଚି । ଏହାର ପରିଣାମ ସ୍ଵରୂପ ସମାଜର କି ଦୁର୍ଗତି ହେଉଚି ?

 

ଦର୍ଶନ (ଐଚ୍ଛିକ)-୧୯୫୮

(ଦ୍ଵାଦଶ ସୋପାନ)

 

(୧)

ମନ କହିଲେ ସାଧାରଣ ମଣିଷ କଣ ବୁଝନ୍ତି ? ପ୍ରାଚୀନ ଯୁଗରୁ ଏପର୍ଯ୍ୟନ୍ତ ଦାର୍ଶନିକମାନେ ମନର କିପରି ବିଶ୍ଳେଷଣ କରିଚନ୍ତି ? ମନ ଓ ଶରୀର (Mind ଓ Body) ବିଷୟରେ ବିଭିନ୍ନ ଦାର୍ଶନିକ କି ମତ ଦିଅନ୍ତି ?

 

 

(୨)

ଫ୍ରଏଡ଼୍‍ଙ୍କର ମନୋଦର୍ଶନରେ ମନର ଏକ ଅଭିନବ କଳ୍ପନା କରାଯାଇଚି । ଏହି କଳ୍ପନା ଆଧୁନିକ ଯୁଗର ସାହିତ୍ୟ ଓ କଳାକୁ ମଧ୍ୟ ପ୍ରଭାବିତ କରିଚି । ଏ ବିଷୟରେ ତୁମର ବିସ୍ତୃତ ବିଚାର ଦିଅ ।

 

 

(୩)

Pragmatism ବା ପ୍ରୟୋଜନବାଦ ବିଷୟରେ ଏକ ବିସ୍ତୃତ ଦାର୍ଶନିକ ଆଲୋଚନା କର । ଆପଣାର ପ୍ରୟୋଜନବାଦ ଦ୍ଵାରା ଆଧୁନିକ ଶିକ୍ଷାବିଚାରକୁ କେତେଦୂର ପ୍ରଭାବିତ କରିଚନ୍ତି ବୋଲି ତୁମେ ମନେ କରୁଚ ?

 

 

(୪)

ବିଭିନ୍ନ ଧର୍ମ ଭଗବାନଙ୍କର ପ୍ରଧାନତଃ କିପରି କଳ୍ପନା କରିଚନ୍ତି ? ଦାର୍ଶନିକମାନେ ଭଗବାନ କହିଲେ କଣ ବୁଝିଚନ୍ତି ? ଦୁଇପକ୍ଷରେ ଏକ ତୁଳନାତ୍ମକ ଆଲୋଚନା କରି ଏବିଷୟରେ ତୁମ ଆପଣାର ବିଚାର ଦିଅ ।

 

 

(୫)

ଧର୍ମ ଓ ଦର୍ଶନ ପାପପୂଣ୍ୟ-ପ୍ରସଙ୍ଗର ଭିନ୍ନ ଭିନ୍ନ ବିଚାର କରିଚି କି ? ଉଚିତ ଅନୁଚିତର ସାମାଜିକ ବିଚାର ସହିତ ଏ ବିଷୟରେ ଥିବା ଦାର୍ଶନିକ ବିଚାରର କେତେଦୂର ତୁଳନା କରାଯାଇ ପାରିବ ? ବ୍ୟକ୍ତି ଓ ସମାଜ ଭିତରେ କିଏ କାହାକୁ ବାଟ ଦେଖାଇବ ?

 

 

(୬)

ସୌନ୍ଦର୍ଯ୍ୟାନୁଭୂତି କହିଲେ ତୁମେ କଣ ବୁଝ ? ନିର୍ଲିପ୍ତ ରହିବା ହେଉଚି ସୌନ୍ଦର୍ଯ୍ୟାନୁଭୂତିର ପ୍ରଥମ କଥା, ଏହାକୁ ତୁମେ କେତେଦୂର ସମର୍ଥନ କରିବ ? ବେଦାନ୍ତରେ ଆନନ୍ଦମୟ କୋଷ ଓ ରସର ଯେଉଁ କଳ୍ପନା କରାଯାଇଚି, ସୌନ୍ଦର୍ଯ୍ୟଦର୍ଶନ ସହିତ ତାହାର କି ସମ୍ପର୍କ ରହିଚି ବୋଲି ତୁମେ ବିଚାରୁଚ ?

 

 

 

ଦ୍ଵାଦଶ ସୋପାନରେ ସାଧାରଣ ଲିଖିତ ପରୀକ୍ଷା ସହିତ ପିଲାମାନଙ୍କୁ ପ୍ରତ୍ୟେକେ ନେଇଥିବା ଐଚ୍ଛିକ ବିଷୟରେ ଏକ ନିବନ୍ଧ ଲେଖିକରି ଦେବାକୁ କୁହାଯାଇଥିଲା । ଅର୍ଥାତ୍ ନେଇଥିବା ଦୁଇଟି ଐଚ୍ଛିକ ବିଷୟରେ ପ୍ରତ୍ୟେକେ ଦୁଇଟି ନିବନ୍ଧ ଲେଖିକରି ଦେଇଥିଲେ-। ସାହିତ୍ୟ, ଇତିହାସ ଓ ଦର୍ଶନକୁ ଐଚ୍ଛିକ ବିଷୟ ରୂପେ ନେଇଥିବା ପିଲାମାନଙ୍କୁ ସାଧାରଣତଃ ପରସ୍ପରସମ୍ବନ୍ଧୀ କେତୋଟି ପୁସ୍ତକର ସମାଲୋଚନାମୂଳକ ଅଧ୍ୟୟନ କରିବାକୁ ପଡ଼ିଥିଲା ଓ ତା’ପରେ ସେମାନେ ଆପଣାର ଅଧ୍ୟୟନଗତ ବିଚାରକୁ ସଜାଡ଼ି ଏକ ସମାଲୋଚନାମୂଳକ ନିବନ୍ଧ ଲେଖିକରି ଦେଇଥିଲେ । ଗୋଟିଏ ପରେ ଗୋଟିଏ ମୁଁ ବିଭିନ୍ନ ଐଚ୍ଛିକ ବିଷୟରେ ପିଲାମାନଙ୍କୁ ଦିଆଯାଇଥିବା ନିବନ୍ଧବିଷୟ ଗୁଡ଼ିକର ଉଲ୍ଲେଖ କରୁଚି ।

 

ସାହିତ୍ୟ :

 

ତିନୁ–

ରବୀନ୍ଦ୍ରନାଥେର ସାହିତ୍ୟାଦର୍ଶ (ପ୍ରବାସଜୀବନ ଚୌଧୁରୀ)

ସାହିତ୍ୟ (ରବୀନ୍ଦ୍ରନାଥ)

କାବ୍ୟପରିକ୍ରମା (ଅଜିତ ଚକ୍ରବର୍ତ୍ତୀ)

ଆତ୍ମପରିଚୟ (ରବୀନ୍ଦ୍ରନାଥ)

 

 

ଦୁର୍ଗାଚରଣ–

ସ୍ମୃତିର ରେଖା (ବିଭୂତି ବନ୍ଦୋପାଧ୍ୟାୟ)

ଆରଣ୍ୟକ (ବିଭୂତି ବନ୍ଦୋପାଧ୍ୟାୟ)

ଯାତ୍ରୀ (ରବୀନ୍ଦନାଥ)

ସାଗରଯାତ୍ରୀ (ଓଡ଼ିଆ ବହିଗୁଡ଼ିକରେ ମୁଁ ଲେଖକଙ୍କର ନାମ ଦେବା ଆବଶ୍ୟକ ମନେ କରୁନାହିଁ ।

 

 

ନୀଳାମ୍ବର–ପରଜା

ଦାଶରଥି (କ), ଶିବଭାଇ, ଅମୃତରସନ୍ତାନ, ବନ୍ଦୀର ଆତ୍ମକଥା, ଶର୍ବରୀ, କାରାକବିତା, ଅବକାଶ-ଚିନ୍ତା

 

ଚୈତନ୍ୟ–

ଓଡ଼ିଆ ସାହିତ୍ୟରେ ନନ୍ଦକିଶୋର

ନନ୍ଦକିଶୋର ଗ୍ରନ୍ଥାବଳୀ

 

 

ଆମୋଦ–

ଲୋକକଥାଏଁ ସିରିଜ୍

ଲୋକସଂସ୍କୃତି ଅଙ୍କ (ଏକ ପ୍ରସିଦ୍ଧ ହିନ୍ଦୀ ପତ୍ରିକାର)

ଲୋକସାହିତ୍ୟ (ରବୀନ୍ଦ୍ରନାଥ)

ଚାଁଦସୂରଜ୍ କେ ବୀରାନ୍ (ଦେବେନ୍ଦ୍ର ସତ୍ୟାର୍ଥୀ)

 

 

ଆନନ୍ଦ–

ଆରିଷ୍ଟଟ୍‍ଲ୍‍ଙ୍କର ପୋୟେଟିକ୍‍ସ୍ (ବଙ୍ଗଳାନୁବାଦ)

ଓଡ଼ିଆ ନାଟ୍ୟକଳା

ନାଟକବିଚାର

ସେକ୍‍ସ୍‍ପିଅର୍ (ବଙ୍ଗଳା ପୁସ୍ତକ)

 

 

ହରିହର–

କାହାନୀ-କଲା

ଗର୍କିକୀ ଶ୍ରେଷ୍ଠ କହାନିଆଁ

ମାନସରୋବର (ପ୍ରେମଚାନ୍ଦ)

ପ୍ରେମମେଁ ଭଗବାନ (ଟଲଷ୍ଟୟ)

 

 

ରତ୍ନାକର–

ମାମୁଁ

ପ୍ରାୟଶ୍ଚିତ

ଛଅମାଣ ଆଠଗୁଣ୍ଠ

ଯୁଗସ୍ରଷ୍ଟା ଫକୀରମୋହନ

ଫକୀରମୋହନ ଆତ୍ମଚରିତ

ତ୍ରିନାଥ–

କବି କାଳିନ୍ଦୀଚରଣ

 

କୃଷ୍ଣଚନ୍ଦ୍ର–

ଭାରତରେ ଭାଷା ଓ ଭାଷାସମସ୍ୟା (ସୁନୀତି କୁମାର ଚଟ୍ଟୋପାଧ୍ୟାୟ)

ଭାରତୀୟ ଆର୍ଯ୍ୟଭାଷାର ଔର ହିନ୍ଦୀ

ଓଡ଼ିଆ ଭାଷାର ଇତିହାସ

ଭାଷାବିଜ୍ଞାନ

 

 

ବାସୁଦେବ–

ସାହିତ୍ୟ ସନ୍ଦେଶ (ଉପନ୍ୟାସ-ଅଙ୍କ)

ଉପନ୍ୟାସ-କଲା

 

 

ବଂଶୀଧର–

ସାହିତ୍ୟ ବିଚାର

 

 

ନିତ୍ୟାନନ୍ଦ–

ଆଧୁନିକ ଓଡ଼ିଆ କବିତା

 

ଇତିହାସ :

 

ଆନନ୍ଦ–

ଇତିହାସ (ରବୀନ୍ଦ୍ରନାଥ)

ଭରତ–

ଶିବାଜୀ (ଯଦୁନାଥ ସରକାର)

 

 

ଗୋବିନ୍ଦ–

ହୁଏନସାଂଙ୍କର ଭାରତ-ବିବରଣ

 

ହିଉ-ଏନ୍-ଚାଙ୍ଗ

 

ଭାରତ ଓ ଚୀନ୍

 

ଚୀନା ଇତିହାସେର ଧାରା

କିଶୋର–

ପ୍ରାଚୀନ ଭାରତ

 

 

ତ୍ରିନାଥ–

ପ୍ରିୟଦର୍ଶୀ ଅଶୋକ

 

ଧର୍ମବିଜୟୀ ଅଶୋକ

ବୈଦ୍ୟନାଥ–

ବ୍ରିଟିଶ୍ ଭାରତର

 

ଅର୍ଥନୈତିକ ଇତିହାସ

 

ଦର୍ଶନ :

 

ତିନୁ–

ସାଧନା (ରବୀନ୍ଦ୍ରନାଥ)

 

ସଂସ୍କୃତି-ସଂଗମ (କ୍ଷିତିମୋହନ ସେନ)

 

 

ଚୈତନ୍ୟ–

ଶ୍ରୀ ଅରବିନ୍ଦ ଓ ଭାରତୀୟ ଦର୍ଶନ

 

 

ବଂଶୀଧର–

ବୈଜ୍ଞାନିକ ଅଦ୍ଵୈତବାଦ ଧର୍ମ ଔର ବିଜ୍ଞାନ

 

ଶିକ୍ଷା :

 

ଆମୋଦ–

ନଈତାଲୀମର ମୂଳସିଦ୍ଧାନ୍ତ

 

 

ଦୁର୍ଗାଚରଣ–

ସୁସ୍ଥ ବ୍ୟକ୍ତି ଓ ରୁଗ୍‍ଣ ସମାଜ

 

 

କୃଷ୍ଣଚନ୍ଦ୍ର–

ଆଗେ ଶିକ୍ଷାବିଜ୍ଞାନ, ପରେ ଶିକ୍ଷାସଂସ୍କାର

 

 

ଦାଶରଥି (କ)–

ଶାନ୍ତିନିକେତନର ଶିକ୍ଷାଦର୍ଶ

 

 

ରତ୍ନାକର–

ଭୟର ଅପସାରଣ ଶିକ୍ଷାର ପ୍ରଥମ ସ୍ଵତଃସିଦ୍ଧ

 

 

ଗୋବିନ୍ଦ–

ଧର୍ମଶିକ୍ଷା

 

 

ଗୋପୀନାଥ–

ଯୁଗୋପଯୋଗୀ ଶିକ୍ଷା

 

 

ନିତ୍ୟାନନ୍ଦ–

କିଶୋର ବୟସର ଶିକ୍ଷାଗତ ସମସ୍ୟା

 

 

ଭାରତ–

ପ୍ରାଚୀନ ଓ ଆଧୁନିକ ଶିକ୍ଷା

 

 

ଦାଶରଥି (ଖ)–

ପ୍ରଚଳିତ ଶିକ୍ଷାର ମନୋବୈଜ୍ଞାନିକ ଆଲୋଚନା

 

 

ବାସୁଦେବ–

ପ୍ରଚଳିତ ସମାଜ ଓ ମୌଳିକ ଶିକ୍ଷା

 

 

ବୈଦ୍ୟନାଥ–

ଯିଏ ସ୍ଵାଧୀନତା ଦେଇ ଜାଣେ, ସିଏ ସ୍ଵାଧୀନତା ପାଇଜାଣେ ।

 

 

କିଶୋର–

ଛାତ୍ରର ସାମାଜିକ ବିକାଶ

 

ବିଦ୍ୟାଳୟ ଘର ହେବ, ଘର ବିଦ୍ୟାଳୟ ହେବ ।

 

ବିଜ୍ଞାନ :

 

ଦାଶରଥି (ଖ)–

ଗତିଶୀଳ ଦୁନିଆରେ ବିଜ୍ଞାନ

 

 

ଗୋପୀନାଥ–

ବିଜ୍ଞାନ, ସାମାଜିକ ମଣିଷର କ୍ରୀଡ଼ାସାମଗ୍ରୀ

 

 

ହରିହର–

ବିରାଟ ମଣିଷ ଓ କ୍ଷୁଦ୍ର ବିଶ୍ଵ

 

ଜଙ୍ଗଲସ୍କୁଲରେ ଯେ ସମସ୍ତେ ପାଠରେ ଦିଗ୍‍ଗଜ ଥିଲେ, ତାହା ନୁହେଁ । ସମସ୍ତେ ପାଠରେ ଗୋଟାଏ ଗୋଟାଏ ଦିଗ୍‍ଗଜ ହୋଇ ବାହାରନ୍ତୁ, ସେଠି ଏକଥା କଦାପି ଆଶା ମଧ୍ୟ କରାଯାଉ ନଥିଲା । ଜୀବନରେ ଆପଣାର ଶ୍ରେଷ୍ଠ ଅନ୍ତର୍ନିହିତ ଶକ୍ତିର ପରିଚୟ ଦେବାଲାଗି ଇସ୍କୁଲର ପାଠପଢ଼ାଟା କାହିଁକି ଏକମାତ୍ର କ୍ଷେତ୍ର ବା ଏକମାତ୍ର ସରଣୀ ହୋଇ ରହିବ ?

 

ଉପରେ ନାନା ବରଷର କେତେକ ପ୍ରଶ୍ନାବଳୀର ଉଲ୍ଲେଖ କରିବାରେ ମୋର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଚି । ଆମ ସମାଜରେ ବା ଦେଶରେ ପିଲାପାଖରେ ଆଗ୍ରହର କୌଣସି ସ୍ୱଳ୍ପତା ନାହିଁ । ତା’ଭିତରେ ପଢ଼ିବାଲାଗି ବା ସଂସାରରେ ଆପଣାଲାଖି ଜଣେ ମଣିଷ ହେବାଲାଗି ଏକ ସରସ ଆଗ୍ରହ ସୃଷ୍ଟି କରିପାରିଲେ ଆମର ବିଦ୍ୟାଳୟମାନଙ୍କରେ ଅନେକ ବିଦ୍ୟା ସମ୍ଭବ ହୋଇ ପାରିବ । ଜଙ୍ଗଲସ୍କୁଲରେ ପିଲାଏ ଖେତକାମ କରୁଥିଲେ, ହଳ ଧରୁଥିଲେ ଓ ଖେତ ଜଗୁଥିଲେ, ଗାଈ ମଇଁଷି ଅଡ଼ାଉଥିଲେ ଏବଂ ଆପଣାର ପ୍ରାତ୍ୟହିକ ଖାଦ୍ୟଦ୍ରବ୍ୟକୁ ସେମାନେ ନିଜେ ଆପଣା ହାତରେ ପ୍ରସ୍ତୁତ କରୁଥିଲେ । ତଥାପି ପାଠରେ ସେମାନଙ୍କର ଆଗ୍ରହ କେବେହେଲେ ଊଣା ହୋଇ ନଥିଲା । ନାନାବିଧ ଶାଠର ନାନା କାର୍ଯ୍ୟବ୍ୟସ୍ତତା ଭିତରେ ରହି ମଧ୍ୟ ସେମାନେ ବିଦ୍ୟାସଂଗ୍ରହ ସକାଶେ ଆବଶ୍ୟକ ସମୟ ଅବଶ୍ୟ ବାହାର କରି ନେଉଥିଲେ । ନିଜେ ମୁଁ କେବେହେଲେ ମୌଳିକ ସ୍କୁଲରେ ପାଠ ପଢ଼ିନାହିଁ । ମୌଳିକଶିକ୍ଷାକୁ ମୁଁ କଦାପି ସବୁ ସମସ୍ୟାର ସମାଧାନ ବା ସର୍ବରୋଗର ଭେଷଜ ବୋଲି ଗ୍ରହଣ କରିନାହିଁ । ତଥାପି ଜଙ୍ଗଲସ୍କୁଲରେ ପିଲାଙ୍କର ଆଗ୍ରହ ମୋତେ ଅନେକ ସମୟରେ ଚକିତ କରି ପକାଇଚି, ମୋ’ର ପିଲାଏ ମୋତେ ଅନେକ ସମୟରେ ପ୍ରେରଣା ଦେଇଚନ୍ତି । ସେହିମାନଙ୍କର ସରସ ଆଗ୍ରହ ମୋ’ର ଥକା ମନ ଓ ଥକା ଶରୀରକୁ କେତେ ନୂଆ ବଳ ଯୋଗାଇଦେଇ ଯାଇଚି ।

 

ଏସବୁ କହି ମୁଁ ଆପଣାଲାଗି କୌଣସି ନାମ ନେବାକୁ ଚାହୁନାହିଁ । ଅଳପରେ ନାମ କମାଇ ଓଡ଼ିଶାର ଅନେକ ଅଗ୍ରଣୀ ଓ ନେତା କିପରି ବଦନାମ ହୋଇଚନ୍ତି, ଓଡ଼ିଶାର ଜଣେ ଯୁବକ ହିସାବରେ ମୁଁ ସେଥିରୁ କିଞ୍ଚିତ ଶିକ୍ଷା କରିପାରିଚି । ଜଙ୍ଗଲସ୍କୁଲରେ ପେଟରେ ଭୋକ ଶାନ୍ତ ହେବାକୁ ଯଥେଷ୍ଟ ଖାଦ୍ୟ ସବୁବେଳେ ମିଳୁ ନଥିଲା । ସେଠାରେ ବହୁମୁଖୀ ଭୋକକୁ ଶାନ୍ତ କରିବାଲାଗି ଯଥେଷ୍ଟ ଶିକ୍ଷକ ନଥିଲେ । ଛାତ୍ରଜୀବନରେ ସୁଖ ଓ ଆରାମ କହିଲେ ଆମ ଦେଶରେ ସାଧାରଣତଃ ଯାହା ବୁଝାଏ, ଆମ ପିଲାଏ ସେଥିରୁ ବହୁଦୂରରେ ରହିଥିଲେ । ତଥାପି ଜଙ୍ଗଲସ୍କୁଲରେ ଚାରିବର୍ଷରେ ଯାହା ହେଲା, ତାହା ହୋଇ ପାରିଲା କିପରି ? ମୋ’ ଆଖିକୁ କେବଳ ତିନୋଟି କାରଣ ଦେଖାଯାଉଚି । ପ୍ରଥମ କଥା, ଜଙ୍ଗଲସ୍କୁଲର ଭୟକୁ ନିର୍ବାସିତ କରି ରଖାଯାଇଥିଲା । ସେଠି ଶିକ୍ଷାର୍ଥୀ ଓ ଶିକ୍ଷକ କେହି ହେଲେ ଧରା ପଡ଼ିଯିବାର ଭୟରେ ନିଜକୁ ଭଲ ବା ଆଦର୍ଶସ୍ଥାନୀୟ ବୋଲି ଦେଖାଇବାକୁ ଚେଷ୍ଟା କରୁ ନଥିଲେ । ଦ୍ଵିତୀୟ କଥା, ସେଠାରେ ମଣିଷ-ପିଲାକୁ ଗଧ, ଆଜ୍ଞାବହ ଭୃତ୍ୟ ବା ଅସରଣିଆ ଅଭାଗାର ବ୍ୟବହାର କଦାପି ମିଳୁ ନଥିଲା । ସେଠାରେ ପ୍ରତ୍ୟେକକୁ ମଣିଷର ବ୍ୟବହାର ମିଳୁଥିଲା, ମଣିଷଯୋଗ୍ୟ ସମ୍ମାନ ହିଁ ମିଳୁଥିଲା । ଜ୍ୟଷ୍ଠ ହେଉ ବା କନିଷ୍ଠ ହେଉ, ପୁଅ ହେଉ ବା ଝିଅ ହେଉ, ବ୍ରାହ୍ମଣ ହେଉ, ହାଡ଼ି ହେଉ ବା ଆଦିବାସୀ ହେଉ, ସେଠାରେ ଆମେ ସମସ୍ତେ ଆପଣାକୁ ଓ ଅପରକୁ ଆଗ ମଣିଷ ବୋଲି ଦେଖୁଥିଲୁ । ଭୁଲ କଲେ ସେଠି ଭୁଲ କରିବା ଜନିତ ଦାୟିତ୍ଵ ବହନ କରିବାକୁ ହେଉଥିଲା, ତଥାପି କୌଣସିପ୍ରକାର ଗ୍ଳାନି ସହିବାକୁ ପଡ଼ୁ ନଥିଲା । ଶହେ ଭୁଲ କଲେ ମଧ୍ୟ ସେଠି ଭୁଲଟା ସହିତ ମଣିଷର ସ୍ଵଭାବଧର୍ମୀ ମଣିଷପଣିଆଟାକୁ କଦାପି ଅନାଦର କରି ଫୋପାଡ଼ି ଦିଆଯାଉ ନଥିଲା । ତୃତୀୟ କଥା, ସେଠାରେ ଓଡ଼ିଆ ଭାଷା ଅର୍ଥାତ୍ ସବୁ ପିଲାଙ୍କର ଆପଣା ଭାଷାରେ ହିଁ ବିଦ୍ୟାଲାଭ ଓ ବିଦ୍ୟାନୁଶୀଳନର ସକଳ କାର୍ଯ୍ୟ ନିର୍ବାହିତ ହେଉଥିଲା । ବିଦେଶୀ ଭାଷାକୁ ଭୂତ ପରି କାନ୍ଧରେ ବସାଇ ସେଠି ଆମେ କେବେହେଲେ ହନ୍ତସନ୍ତ ହେଉ ନଥିଲୁ ।

 

ଓଡ଼ିଆ ଭାଷା ଯେ ପୃଥିବୀର ଭାଷାମାନଙ୍କ ମଧ୍ୟରେ ଏକ ନ୍ୟୂନତର ଭାଷା, ଛାତ୍ରର ମନରେ ଏହିପରି ଏକ ଦୁର୍ଭାବନା ଦେବାକୁ ଜଙ୍ଗଲସ୍କୁଲର କୌଣସି ଶିକ୍ଷକ କେବେହେଲେ ମନ ବଳାଇ ନାହାନ୍ତି । ଓଡ଼ିଆ ପିଲାଙ୍କ ପାଖରେ ସ୍ଵାଭାବିକ ଭାବରେ ଓଡ଼ିଆ କହିବାକୁ ସେଠି ଆମକୁ କେବେହେଲେ ଲାଜ ଲାଗି ନାହିଁ । ତେଣୁ ପିଲାଙ୍କ ମନରେ ଇଂରେଜୀ ଭାଷା ବିଷୟରେ କେବେହେଲେ କୌଣସି ହୀନଭାବର ସୂତ୍ରପାତ ମଧ୍ୟ ହୋଇ ନାହିଁ, ଦର୍ଶନ, ଶିକ୍ଷାବିଜ୍ଞାନ ଓ ସାହିତ୍ୟ ପ୍ରଭୃତି ଗହନ ବିଷୟକୁ ଯେ ଗ୍ରହଣେଚ୍ଛୁ ତରୁଣ-ସଭାରେ ସରସ ଓଡ଼ିଆ ଭାଷାରେ ବୁଝାଇ କହିବା ସମ୍ଭବ ହୋଇପାରେ, ଏକଥା ମୁଁ ଜଙ୍ଗଲସ୍କୁଲରେ ଅଙ୍ଗେ ନିଭାଇ ଶିଖିଚି । ପିଲାଙ୍କ ଆଗରେ ମୁଁ ଇଂରାଜୀ Macbeth ବହି ଧରି ଓଡ଼ିଆରେ ପଢ଼ାଇଚି । I.A. Richardsଙ୍କର Principles of Literary Criticismର ଓଡ଼ିଆ ବ୍ୟାଖ୍ୟା କରିଛି । Toynbeeଙ୍କର The World and the West ଓ Neilଙ୍କର Heart not Heads in School ଗ୍ରନ୍ଥକୁ ଓଡ଼ିଆ ପିଲାଙ୍କୁ ଓଡ଼ିଆ ଭାଷାରେ ପଢ଼ାଇବାରେ ମୋତେ ଆଦୌ ଝୁଣ୍ଟିବାକୁ ପଡ଼ି ନାହିଁ ।

 

ତଥାପି ଜଙ୍ଗଲସ୍କୁଲରେ ପିଲାଙ୍କ ଭିତରେ ଅନ୍ୟ ଭାଷା ଶିଖିବାଲାଗି ଯେଉଁ ଆଗ୍ରହ ମୁଁ ଦେଖିଛି, ତାହା ମୋତେ ବଡ଼ ଚକିତ କରି ପକାଇଚି । ଇଂରେଜ ପିଲା ଯେଉଁ ଆଗ୍ରହରେ ଜର୍ମାନ୍ ଶିଖେ ବା ଜର୍ମାନୀର ପିଲା ଯେଉଁ ଆଗ୍ରହରେ ଇଂରେଜୀ ଶିଖେ, ମୁଁ ଠିକ୍ ସେହି ଆଗ୍ରହ ଆମ ପିଲାଙ୍କ ମଧ୍ୟରେ ଦେଖିଚି । ଏହି ଆଗ୍ରହ ମଧ୍ୟରେ କୌଣସି ପ୍ରକାର ଅସ୍ଵାଭାବିକତା ଆମକୁ ଶିଖିବାର ମନ୍ଦିରପଥରୁ ଅନ୍ୟାନ୍ୟ କୌଣସି ପ୍ରକାରର ବିକାର ଆଡ଼କୁ ହୁଡ଼ାଇ ନେବାର ଷଡ଼ଯନ୍ତ୍ର କରିନାହିଁ । ମୁଁ ଏଠାରେ ଜଙ୍ଗଲସ୍କୁଲର ଜଣେ ଛାତ୍ର ଆନନ୍ଦ ବିଷୟରେ କହିବି । ପୂର୍ବରୁ କୌଣସି ଏକ କାରଣରୁ ସେ ମନେ ମନେ ଠିକ୍ କରି ରଖିଥିଲା ଯେ ସେ ଜୀବନରେ କେବେହେଲେ ବଙ୍ଗଳାଭାଷା ଶିଖିବ ନାହିଁ । ସେହିପରି ନିଷ୍ପତ୍ତି କରି ସେ ଜଙ୍ଗଲସ୍କୁଲକୁ ଆସିଥିଲା । ବଙ୍ଗଳାଭାଷା ଓ ବଙ୍ଗାଳୀ ମଣିଷଙ୍କ ବିରୁଦ୍ଧରେ କହିବାଲାଗି ସେ ସବୁବେଳେ ଦଶପନ୍ଦରଟା ଯୁକ୍ତି ମହଜୁଦ କରି ରଖିଥିଲା । ଜଙ୍ଗଲସ୍କୁଲକୁ ସେ ଆସିବାପରେ ତାକୁ କେହି ଏ ବିଷୟରେ ନିବୃତ୍ତିମୂଳକ ଉପଦେଶ ଦେବାକୁ କେବେହେଲେ ଚେଷ୍ଟା କରିନାହାନ୍ତି ।

 

ଦିନକର କଥା । ସେଦିନ ରବିବାର । ସନ୍ଧ୍ୟାବେଳକୁ ଆମର ବଳଦଗାଡ଼ି ଅନଗୁଳରୁ ହାଟ କରି ଫେରିଥାଏ । ହାଟସାମଗ୍ରୀ ସହିତ ଦୁଇଟା ବଡ଼ବଡ଼ ପାର୍ସଲ ମଧ୍ୟ ଆସି ପହଞ୍ଚିଥାଏ । ଆମର ଗ୍ରନ୍ଥାଗାର ଲାଗି କଲିକତାରୁ ପ୍ରାୟ ପାଞ୍ଚଶହ ବହି ରେଲଯୋଗେ ମେରାମଣ୍ଡଳି ହୋଇ ଆମ ପାଖରେ ଆସି ପହଞ୍ଚିଥାଏ । ଦୁଇ ତିନି ଜଣ ପିଲାଙ୍କ ସହିତ ମୁଁ ପାର୍ସଲ ଖୋଲିଲି । ସେଦିନ ଖାଇବାବେଳେ ପିଲାଙ୍କ ଭିତରେ ସେହି ଗୋଟାଏ ଚର୍ଚ୍ଚା ଯେ ଆମ ପାଠାଗାରଲାଗି କଲିକତାରୁ ବହି ଆସିଚି । ସତେଅବା ଗାଆଁକୁ ନୂଆ ହୋଇ ରେଡ଼ିଓ ବା ଟ୍ରାନଜିଷ୍ଟର ଆସିଚି ! ଖାଇବାପରେ ବଙ୍ଗଳା ଜାଣିଥିବା ଦୁଇଜଣ ପିଲାଙ୍କୁ ନେଇ ମୁଁ ତାଲିକା ଅନୁସାରେ ବହିଗୁଡ଼ିକ ମିଳାଉଚି, ଆନନ୍ଦ ଆସି ସେଠାରେ ପହଞ୍ଚିଲା । ଆମେ ଆମର କାମ କରି ଯାଉଥାଉ । ସେ ସେହିପରି ଠିଆ ହୋଇଥାଏ ଓ ବହିଗୁଡ଼ିକୁ ଅନାଇ ରହିଥାଏ । କ୍ଷଣକ ପରେ ତା’ର ଆଗ୍ରହରେ ନୂଆ ସିନ୍ଦୂରା ଫାଟିଲାପରି ସେ ମୋତେ ପଚାରିଲା, ଚିତ୍ତଭାଇ, ଏତେଗୁଡ଼ାଏ ବହି ସବୁ ବଙ୍ଗଳା ଭାଷାରେ ? ମୁଁ ଉତ୍ତର ଦେଲି : ହଁ । ଆଗ୍ରହ ସହକାରେ ସେ ପଚାରିଲା : କିନ୍ତୁ ମୁଁ ତ ଏସବୁ ପଢ଼ି ପାରିବି ନାହିଁ । ମୁଁ କହିଲି : କାହିଁକି ନ ପାରିବ ? ତୁମେ ତ ଓଡ଼ିଆ ଆଉ ହିନ୍ଦୀ ଭଲ କରି ଜାଣିଚ । ବଙ୍ଗଳା ଶିଖିବାକୁ ତୁମକୁ ଆଦୌ ଅସୁବିଧା ହେବ ନାହିଁ । ସେହି ଦିନଠାରୁ ଆନନ୍ଦ ବଙ୍ଗଳା ଶିଖିଲା, ମାସକ ପରେ ସେ ପାଠାଗାରରୁ ବଙ୍ଗଳା ବହି ନେଇ ପଢ଼ିପାରିଲା । ତା’ଭିତରେ ଥିବା ଆଗ୍ରହୀ ମଣିଷର ଆଣ୍ଟ ରହିଲା, ଅଭିମାନୀର ଆଣ୍ଟ ଭାଙ୍ଗିଲା ।

 

ଜଙ୍ଗଲସ୍କୁଲରେ କେବଳ ପାଠ ଓ କାମ ହେଉ ନଥିଲା । ଆହୁରି ଯେତେ ପ୍ରକାରର ଶାଠ ମଧ୍ୟ ହେଉଥିଲା । ପ୍ରତ୍ୟେକ ମାସରେ ପିଲାଙ୍କର ହାତଲେଖା ପତ୍ରିକା ‘ବିକାଶ’ ବାହାରୁଥିଲା-। ୧୯୫୫ ମସିହାରେ ଦଳେଇଘାଇ ଭାଙ୍ଗିବା ପରେ ଆମେ ପିଲା ଓ ମାଷ୍ଟର ସମସ୍ତେ ଏରସମା ଓ ପଟ୍ଟାମୁଣ୍ଡାଇରେ ଦୁଇମାସ କଟାଇ ଆସିଥିଲୁ, ବନ୍ୟାପ୍ରପୀଡ଼ିତ ଦୁଃସ୍ଥ ମଣିଷର କିଞ୍ଚିତ୍ କାମରେ ଲାଗି ପାରିଥିଲୁ । ତା’ ପୂର୍ବରୁ ପୁରୀରେ ଅନୁଷ୍ଠିତ ହୋଇଥିବା ସର୍ବୋଦୟ ସମ୍ମିଳନୀର ବାଲିପଡ଼ିଆ ଆମ ସମ୍ମିଳିତ ହାତର କରାମତିରେ ଏକ ବସତିର ଆକୃତି ଧାରଣ କରିଥିଲା । ଥରେ ପିଲାଏ କଥାବାର୍ତ୍ତା ହେଉ ହେଉ ସତକୁସତ ଜଙ୍ଗଲସ୍କୁଲର ଜଙ୍ଗଲ ଭିତରେ ଅଷ୍ଟପ୍ରହରୀ ମଧ୍ୟ କରାଇଥିଲେ-। କାର୍ତ୍ତିକ ମାସରେ ହୋଇଥିବା ଏହି ସଂକୀର୍ତ୍ତନ ସମାବେଶକୁ ଆଖପାଖ ଗାଆଁର ଏକାଧିକ କୀର୍ତ୍ତନଦଳ ଯୋଗ ଦେବାକୁ ବି ଆସିଥିଲେ । ଆମ ଜଙ୍ଗଲସ୍କୁଲରେ ସାମର୍ଥ୍ୟ ଅନୁସାରେ ସଂସାରର କେତେକେତେ ପର୍ବ ପାଳିତ ହେଉଥିଲା । କୃଷ୍ଣଜନ୍ମଠାରୁ ଆରମ୍ଭ କରି ଖ୍ରୀଷ୍ଟ-ଜନ୍ମ ପର୍ଯ୍ୟନ୍ତ କୌଣସିଟି ବାଦ ଯାଉ ନଥିଲା । ଦିନେ ଦିନେ ରାତିରେ ମନ ହେଲେ ପିଲାଏ ଗୀତାନ୍ତ କରୁଥିଲେ । ବରଷକୁ ଅନ୍ତତଃ ଦୁଇଥର ଦୁଇଟା ନାଟକ ଅଭିନୀତ ନହେଲେ ପିଲାଙ୍କର ମନ ଶାନ୍ତ ହେଉ ନଥିଲା । ଚମ୍ପତ୍ତିମୁଣ୍ଡାର ଜଙ୍ଗଲସ୍କୁଲରେ ମନକୁ ପାଇଲେ ଅନଗୁଳ ସହରର ସଭାଘରେ ମଧ୍ୟ ଆମେ ସେହି ନାଟକ ଦେଖାଇ ଆସୁଥିଲୁ ।

 

ଏସବୁ ସହିତ ସପ୍ତାହରେ ଥରେ ଲେଖାଏଁ ଆମର ଡିବେଟିଂ ମଧ୍ୟ ହେଉଥିଲା । ଏହି ଡିବେଟିଂ ବା ତର୍କାଲୋଚନାର ପଦ୍ଧତି ଟିକିଏ ଭିନ୍ନ ପ୍ରକାରର ଥିଲା । ତର୍କାଲୋଚନାରେ ଯେଉଁସବୁ ବିଷୟରେ ଆଲୋଚନା ହେବ, ସେଗୁଡ଼ିକୁ ପ୍ରତ୍ୟେକକୁ ଖଣ୍ଡେ ଖଣ୍ଡେ କାଗଜ ଉପରେ ଲେଖି ମୋଡ଼ିମୋଡ଼ି ଗୋଟିଏ ଥାଳୀ ଉପରେ ରଖି ଦିଆଯାଉଥିଲା । କୌଣସି ପିଲା ସେଥିରୁ ଗୋଟିଏ ନେଇ ପାଞ୍ଚମିନିଟ ଲାଗି ଅନ୍ୟତ୍ର ଚାଲିଯାଇ ଭାବୁଥିଲା । ତା’ପରେ ଆସି ସେହି ବିଷୟ ଉପରେ ପାଞ୍ଚମିନିଟ କହୁଥିଲା, ଓ ତା’ପରେ ପାଞ୍ଚମିନିଟ ଯାଏ ସମସ୍ତେ ତା’ର ଭାଷଣ ପରେ ଆଲୋଚନା କରୁଥିଲେ । ସବୁଟିର ବ୍ୟବସ୍ଥା ଏପରି ଭାବରେ କରାଯାଇଥିଲା ଯେ ଗୋଟିଏ ବିଷୟରେ ସାଧାରଣ ମନ୍ତବ୍ୟ କରା ଯାଉଥିବା ସମୟରେ ପରବର୍ତ୍ତୀ ବକ୍ତା ଆପଣାର ଗୁଳା ଉଠାଇ ପ୍ରସ୍ତୁତ ହେବାଲାଗି ବାହାରକୁ ଚାଲିଯାଉଥିଲା । ଏହିସବୁ ସଭାରେ ଶିକ୍ଷକମାନେ ଅବଶ୍ୟ ଉପସ୍ଥିତ ରହୁଥିଲେ । ସେମାନେ ମଧ୍ୟ ମନ କଲେ ଆପଣାର ଗୁଳା ଉଠାଇ କୌଣସି ବିଷୟରେ କହିବାର ଅନୁମତି ପାଉଥିଲେ ।

 

ଜଙ୍ଗଲସ୍କୁଲରେ ବିଭିନ୍ନ ସମୟରେ ଆଲୋଚାନା କରାଯାଇଥିବା ବିଷୟରୁ ମୋର ସବୁଗୁଡ଼ିକ ମନେ ନାହିଁ । ଯେତିକି ମନେ ଅଛି, ମୁଁ ସେଗୁଡ଼ିକୁ ଏଠାରେ ଲେଖି ଦେଉଚି । ସେଥିରୁ ଆଲୋଚନାର ପରିସର ଓ ତଦ୍ୱାରା ପିଲାମାନଙ୍କୁ ମିଳୁଥିବା ଉତ୍‍ପ୍ରେରଣା ବିଷୟରେ ପାଠକମାନେ ଅବଶ୍ୟ କିଛି ଧାରଣା କରିପାରିବେ । ଗୋଟିଏ କଥା ସ୍ମରଣ ରଖିବା ଉଚିତ ଯେ ଜଙ୍ଗଲସ୍କୁଲର ପ୍ରତ୍ୟେକ ପିଲା ଏହି ତର୍କାଲୋଚନାର କାର୍ଯ୍ୟକ୍ରମରେ ଭାଗ ନେଉଥିଲେ । ନୂଆ ନୂଆ ଆସିଲାବେଳେ ସେମାନେ ଲାଜ କରୁଥିଲେ, ସତର୍କ ଭାବରେ ସେମାନେ ଆଉଜଣଙ୍କର ଭାଷଣ ଶୁଣିବାରେ ଲାଗୁଥିଲେ, ତା’ପରେ ଅତି ଅଜାଣତରେ ସେମାନଙ୍କର ମଧ୍ୟ ଦିନେ ଗୋଡ଼ ଖସିଯାଉଥିଲା ।

 

ଡିବେଟିଂ ସକାଶେ ଯେଉଁ ବିଷୟଗୁଡ଼ିକ ରଖାଯାଇଥିଲା, ସେଗୁଡ଼ିକୁ ଭିତରୁ କେତୋଟି ହେଉଚି : ତିନିମୁଣ୍ଡରେ ଛେଳି କୁକୁର, ଧୋବାତୁଠରୁ ଗାଆଁ ପରିମଳ, ଶୀତରାଣୀର ବସନ ହଳଦିଆ, ନଈକେ ବାଙ୍କ୍ ଦେଶକେ ଫାଙ୍କ୍, ଡିଟେକଟିଭ୍ ଉପନ୍ୟାସ, ଚରଣଚୁଟିଆ, ପଞ୍ଚଶୀଳ ନୀତି, ଏକଛତ୍ରବାଦୀ ନେହରୁ, କୋରାପୁଟର ଗ୍ରାମଦାନ ପୃଥିବୀକୁ ଏକ ଆହ୍ଵାନ, ପାଶ୍ଚାତ୍ୟ ଗାନ୍ଧୀ ଆଲବର୍ଟ ସ୍ଵାଇତ୍‍ଜର୍, ଗୋଦରୀ ଲୋ ଗୋଡ଼ ତଳକୁ ଅନା, ବୁଢ଼ା ବିଚାର, ସାରୁ ଖୋଳୁ ଖୋଳୁ ମହାଦେବ, ଗାଆଁକନିଆ ସିଙ୍ଘାଣିନାକୀ, ସଉକୀନାନୀର ଶାଗପଟାଳି, ମୋ’ ଜୀବନର ଲକ୍ଷ୍ୟ, ସୀମା-ଆନ୍ଦୋଳନରେ ଜାତୀୟତା, ଗଣତନ୍ତ୍ରର ଅସଲ ମାପକାଠି, ଗ୍ରାମ-ସଙ୍ଗଠନ ଯୋଜନା, ଖାଇବାପାଇଁ ବଞ୍ଚିବି ନା ବଞ୍ଚିବାପାଇଁ ଖାଇବି, କହିଲେ ତଣ୍ଡ ନ କହିଲେ ତଣ୍ଡ, ସିଂହାବଲୋକନ, ମନ ମୋହର ନିଜ ଗୁରୁ, ସତ୍ୟବାଦୀ ବିଦ୍ୟାଳୟ, ଲୁଚିଚି ନା ଗୋଡ଼ ଦୁଇଟା ଦିଶୁଚି, ଦୁଃଖ କହିବି କି ସୁଖ କହିବି, ମୋତେ କେହି ଭଲ ପାଆନ୍ତି ନାହିଁ, ପଦେ କହିବାକୁ ଏତେ ଡରମାଡ଼େ କାହିଁକି, ମୋ’ଘର ଚାରୋଟି କାନ୍ଥ, ପେଟର ଭୋକ ଓ ଆକାଶର ଜହ୍ନ, ଦୁଷ୍ଟାମିକୁ ଔଷଧ ଅଛି ଅଳସୁଆକୁ ନାହିଁ, ନିଜ ଦେଶର ସବୁ ସୁନ୍ଦର, ସଂସାର ଆଖିରେ ପୁଅଠାରୁ ଝିଅ ଅଲଗା, ଜନ୍ତୁ, ଜଙ୍ଗଲ ଓ ମଣିଷ, ପରିପୂର୍ଣ୍ଣ ଜୀବନ, ଅଳସୁଆ ଭଗବତ, କୋଇଲିପାରଡ଼ା । ସଂସାରରେ ଯାହା ସବୁଠାରୁ ସୁଆଦ ଲାଗେ, ଚେଇଁ ଶୋଇବା, ବଡ଼ଲୋକ ଓ ଭଗବାନ, ଶରତ୍ ସକାଳ, କହିବି କାହିଁକି, ଧରା ପଡ଼ିବି କାହିଁକି ? ଭୋକିଲା ପେଟରେ ବ୍ରହ୍ମ ନାହିଁ, ଚୋର ଯେତେବେଳେ ପୋଲିସ୍ ହୁଏ, ଅଜ୍ଞାନ ମଣିଷର ବିଜ୍ଞାନଚର୍ଚ୍ଚା, ମୋର ମନ-ପଚିଶି ଚାହାଳୀର ଚାଟ ।

 

–୩–

 

ମୌଳିକ ସ୍କୁଲର ପିଲାଏ ଦିନାଲିପି ବା ଡାଏରି ଲେଖନ୍ତି । ପିଲାଙ୍କର ଡାଏରି ଶିକ୍ଷକମାନଙ୍କ ଦ୍ଵାରା ସଂଶୋଧିତ ହୁଏ । ମୌଳିକ-ଶିକ୍ଷା-ସମ୍ବନ୍ଧୀ ପ୍ରଦର୍ଶନୀମାନଙ୍କରେ ଅନେକ ସମୟରେ ପିଲାଙ୍କର ଡାଏରିଖାତା ମଧ୍ୟ ପ୍ରଦର୍ଶିତ ହେଉଥିବାର ମୁଁ ଦେଖିଚି । କିନ୍ତୁ ମୌଳିକ ଶିକ୍ଷାର ଶିକ୍ଷକ ଯେଉଁଠି ପିଲାର ଦିନଲିପି ଲେଖିବାକୁ କେବଳ ଏକ ରୁଟିନ୍ ବୋଲି ମାନିନିଏ, ସେହିଠାରେ ହିଁ ଶିକ୍ଷା ଭିତରେ ବ୍ୟାଘାତ ଜନ୍ମେ । ଶିକ୍ଷାର୍ଥୀ ସହିତ ବ୍ୟକ୍ତିଗତ ସମ୍ପର୍କ ରହିବା, ଅର୍ଥାତ୍ ପ୍ରତ୍ୟେକ ଛାତ୍ରର ମନକୁ ଶିକ୍ଷକ ଜଣେ ବଦ୍ଧିଷ୍ଣୁ ଓ କ୍ରିୟାଶୀଳ ମନ ହିସାବରେ ଚିହ୍ନି ପାରୁଥିବ,–ସେହି ଉଦ୍ଦେଶ୍ୟରେ ସମ୍ଭବତଃ ମୌଳିକ ଶିକ୍ଷାରେ ଦିନଲିପି ଲେଖିବାର ଉପଚାରଟି ପ୍ରବର୍ତ୍ତିତ ହୋଇଥିଲା । ଛାତ୍ର ଭିତରେ ଥିବା ସଜୀବ ମଣିଷ ଓ ତାର ଆକାଂକ୍ଷା ଓ ଅଭିଳାଷଗୁଡ଼ିକୁ ବୁଝିବାର ଆଗ୍ରହ ନରଖି ଯଦି ଆମେ ପିଲାଙ୍କର ହସ୍ତାକ୍ଷର–ଖାତା ଦେଖିଲାପରି ସେମାନଙ୍କର ଦିନଲିପି ମଧ୍ୟ ଦେଖିବାରେ ଲାଗିଯିବା, ତେବେ ଶିକ୍ଷକ ହିସାବରେ ଆମେ ହିସାବରେ ଆମେ ଆପଣା କର୍ତ୍ତବ୍ୟରେ ନିଶ୍ଚିତ ଅନେକ ତ୍ରୁଟି କରିବା ।

 

ଜଙ୍ଗଲସ୍କୁଲରେ ମଧ୍ୟ ଆମ ପିଲାଏ ଡାଏରି ବା ଦିନଲିପି ଲେଖୁଥିଲେ । ଛାତ୍ରର ଶିକ୍ଷାଗତ ଅଭ୍ୟାସ ଭିତରେ ଡାଏରି ଲେଖିବାକୁ ମଧ୍ୟ ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ସ୍ଵୀକାର କରାଯାଉଥିଲା । କିନ୍ତୁ ସୋପାନରେ ଡାଏରି ବିଷୟରେ ଚର୍ଚ୍ଚା ହେଉ ନଥିଲା ବା ସୋପାନରେ ଶିକ୍ଷକ ପାଖରେ ଡାଏରିଖାତା ଆଣି ଦାଖଲ କରିବାର ପଦ୍ଧତି ଆମର ନଥିଲା । ଯିଏ ଯେତେବେଳେ ଇଚ୍ଛା କରୁଥିଲା, ଆପଣାର ଡାଏରି ଖାତାକୁ ନେଇ ଶିକ୍ଷକଙ୍କ ହାତରେ ଦେଇ ଆସୁଥିଲା । କିଏ ପ୍ରତିଦିନ ଦେଉଥିଲା, ପୁଣି କିଏ ସାତଦିନରେ ବା ପନ୍ଦର ଦିନରେ ଥରେ ଦେଇଆସୁଥିଲା । ଡାଏରି ବ୍ୟତୀତ କେତେକ ପିଲା ଏକ ବ୍ୟକ୍ତିଗତ ଖାତା ମଧ୍ୟ ରଖୁଥିଲେ । ଆପଣ ମନର ନିବିଡ଼ତମ ଭାବନା ଓ ଆପଣ ହୃଦୟର ଅନ୍ତରଙ୍ଗତମ ଭାବଗୁଡ଼ିକୁ ସେମାନେ ସେଇଥିରେ ଲେଖି ରଖୁଥିଲେ ଓ ମଝିରେ ମଝିରେ ଶିକ୍ଷକଙ୍କ ପାଖରେ ଯାଇ ସେଗୁଡ଼ିକର ଆଲୋଚନା କରି ଆସୁଥିଲେ । ଏହି ବ୍ୟକ୍ତିଗତ ଖାତାକୁ ପ୍ରତ୍ୟେକ ଛାତ୍ର ଅତ୍ୟନ୍ତ ଗୋପନୀୟ କରି ରଖୁଥିଲା, ଅର୍ଥାତ୍ କେବଳ ତାକୁ ଓ ସମ୍ପୃକ୍ତ ଶିକ୍ଷକଙ୍କୁ ଛାଡ଼ିଦେଲେ ସେହି ଖାତା ଆଉ କାହାରି ଆଖିରେ ପଡ଼ୁ ନଥିଲା । କୌଣସି ପ୍ରକାରେ ସଙ୍କୁଚିତ ନ ହୋଇ ଛାତ୍ର ଯେପରି ଆପଣାର ମନର କ୍ରିୟା-ପ୍ରତିକ୍ରିୟା ଓ ଶୁଭାଶୁଭ ସକଳ ବାସନକୁ ସଂସାରରେ ଅନ୍ତତଃ ଜଣକପାଖରେ ଖୋଲିକରି କହିଦେଇ ପାରିବ, ଏହି ଉଦ୍ଦେଶ୍ୟରେ ବ୍ୟକ୍ତିଗତ ଖାତାର ବ୍ୟବସ୍ଥା ରହିଥିଲା ।

 

ତିନିମାସରେ ଥରେ ଲେଖାଏଁ ଶିକ୍ଷକମାନଙ୍କ ତରଫରୁ ପ୍ରତ୍ୟେକ ଛାତ୍ରକୁ ଖଣ୍ଡେ ଚିଟାଉ ମଧ୍ୟ ମିଳୁଥିଲା । ତିନିମାସ ଭିତରେ ଛାତ୍ରର ଶିକ୍ଷାଗତ ଓ ସମଗ୍ର ଜୀବନଗତ ବୃଦ୍ଧି ଓ ବିକାଶ କେତେଦୂର ହୋଇଚି, ଚିଟାଉରେ ସେହି ମନ୍ତବ୍ୟ ଲେଖାହୋଇ ଛାତ୍ରକୁ ଦିଆଯାଉଥିଲା । ତାହା ମଧ୍ୟ ଗୋପନୀୟ ଭାବରେ, ଅର୍ଥାତ୍ ସମ୍ପୃକ୍ତ ଛାତ୍ର ଓ ଶିକ୍ଷକମାନଙ୍କ ବ୍ୟତୀତ ସେକଥା କେହି ଜାଣୁ ନଥିଲେ । ସମସ୍ତଙ୍କର ସମକ୍ଷରେ ଆପଣ ବିଷୟରେ ମନ୍ତବ୍ୟଗୁଡ଼ାକ ପଡ଼ିଗଲେ କାଳେ ଛାତ୍ର କୌଣସି ପ୍ରକାରର ଆତ୍ମଗ୍ଲାନି ଅନୁଭବ କରିବ, ସେଇଥିଲାଗି ଏହିସବୁ ଚିଟାଉକୁ ଗୋପନୀୟ ରଖାଯାଉଥିଲା । ପ୍ରଥମେ ବିଭିନ୍ନ ଶିକ୍ଷକ ପ୍ରତ୍ୟେକ ଛାତ୍ର ବିଷୟରେ ଆପଣା ଆପଣାର ମନ୍ତବ୍ୟ ଲେଖି ଦେଉଥିଲେ । ତା’ପରେ ସେ ସବୁକୁ ଏକାଠି ମିଳାଇ ଗୋଟିଏ ଟିପ୍ପଣୀ ହିସାବରେ ଛାତ୍ର ହାତରେ ଦିଆଯାଉଥିଲା । ସେହି ମନ୍ତବ୍ୟ ମଧ୍ୟରୁ ମାତ୍ର କେତୋଟି ବର୍ତ୍ତମାନ ମୋ’ ପାଖରେ ରହିଚି-। ସେଗୁଡ଼ିକ ମୁଁ ଏଠାରେ ଦେବାକୁ ଇଚ୍ଛା କରୁଛି । ଜଙ୍ଗଲସ୍କୁଲ ପ୍ରତ୍ୟେକ ପିଲାଠାରୁ କଣ ଆଶା କରୁଥିଲା ଓ ତାକୁ କିପରି ବାଟରେ ଯିବାପାଇଁ ସାହାଯ୍ୟ କରୁଥିଲା, ମନ୍ତବ୍ୟଗୁଡ଼ିକରୁ ହୁଏତ ତାହାରି କିଞ୍ଚିତ ସୂଚନା ମିଳିପାରିବ ।

 

ନବମ ସୋପାନ

(ଜଙ୍ଗଲ ସ୍କୁଲକୁ ଆସିବାର ଠିକ୍ ତିନିମାସ ପରେ)

 

ହଳଧର :

 

୧) ଉଦ୍ୟମ ଅନେକ ଅଛି । ଆପଣାର ଦୈନନ୍ଦିନ ଜୀବନକୁ ସୁଶୃଙ୍ଖଳିତ କରିବାଲାଗି ଉତ୍ସାହ ମଧ୍ୟ ରହିଚି । ଏହି ଉତ୍ସାହ ବଢ଼ିବା ସଙ୍ଗେ ସଙ୍ଗେ ଅଧିକ ବିକାଶ ହୋଇପାରିବ । ତଥାପି ହିନ୍ଦୀରେ ଦୁର୍ବଳ ଅଛ, ବଙ୍ଗଳା ଭାଷାପ୍ରତି ଯଥେଷ୍ଟ ଧ୍ୟାନ ଦେବାରେ ଅବହେଳା କରୁଚ । ପାଠାଗାରରୁ ଆଣିଥିବା ବହିର ଟିପ୍ପଣୀ ରଖିନାହିଁ । ରଚନାପ୍ରବୃତ୍ତି ରହିଚି, ତଥାପି ଆହୁରି ଅଧିକ ବିକଶିତ ହେବା ଉଚିତ ।

 

୨) ଶରୀରର ଅବହେଳା କରିବା ଛାତ୍ରକୁ ଶୋଭା ପାଏ ନାହିଁ । ଶରୀର ଅସୁସ୍ଥ ହେଲେ ମନ ବି ଅସୁସ୍ତ ହୋଇପଡ଼େ ।

 

୩) ଆପଣା ଉପରେ ଯଥେଷ୍ଟ ବିଶ୍ଵାସ ନାହିଁ କି ? ସେଥିଲାଗି ଅନେକ ସମୟରେ ଦାୟିତ୍ଵଜ୍ଞାନ ନଥିଲା ପରି ଜଣାପଡ଼େ ।

 

ଶଶୀଭୂଷଣ :

 

୧) ଅଭ୍ୟାସ ଓ ଉଦ୍ୟମକୁ ଅନେକ ନିୟମିତ କରିପାରିଚ । ଆତ୍ମନିର୍ମାଣରେ ଅନେକ ଶ୍ରଦ୍ଧା ରହିଚି । ଠିକ୍ ଭାବେ ଘଷାମଜା କରି ପାରିଲେ ତୁମେ ନିଜଠାରୁ ଅନେକ ଆଶା କରିପାରିବ-

 

୨) ଅଧ୍ୟୟନ ଆହୁରି ଗଭୀର ହୋଇପାରନ୍ତା । ଭିତରେ ଯେତେ ଶକ୍ତି ଅଛି, ମନରେ ବୋଧହୁଏ ସେତେ ବଳ ଓ ବିଶ୍ଵାସ ନାହିଁ । ସେଥିଲାଗି ବେଳେବେଳେ ପଛୁଆ ହୋଇ ପଡ଼ିରହୁଚ । ଆପଣାକୁ ଓ ତେଣୁ ଜଗତକୁ ସନ୍ଦେହ କରି ହଇରାଣ ହେଉଚ । ଭିତରର ଅଭାବକୁ ଘୋଡ଼ାଇ ରଖିବାଲାଗି ବାହାରେ ଟିକିଏ ଆତ୍ମାବଡ଼ିମା ଦେଖାଇବାକୁ ବା ବେଶୀ ମାତିଗଲେ ହିଂସ୍ର ହୋଇପଡ଼ିବାକୁ ମନ ବଳାଉଚ କି ?

 

୩) ଖାଲି ଖଟିବାଟା ଯଥାର୍ଥ ଜୀବନ ନୁହେଁ । କାମ, ପାଠ ଓ ବିଶ୍ରାମର ପ୍ରତ୍ୟେକ ମୂହୁର୍ତ୍ତକୁ ଏକ ସ୍ଵାଭାବିକ ଖୁସୀରେ ପରିଣତ କରିବାକୁ ହିଁ ସାର୍ଥକ ଜୀବନ ବୋଲି କୁହାଯାଇ ପାରିବ । ତୁମ ଜୀବନରେ ଏହି ଖୁସୀର ଅଭାବ ରହିଯାଉଚି କି ? ଆପଣାର ଆଗ୍ରହ ଓ ବିଚାରକୁ ଅଧିକ ବହୁମୁଖୀ କଲେ ଖୁସୀ ହୋଇପାରନ୍ତ ।

 

୪) ସଂଗୀତଖାତା ରହିଚି, ଅଥଚ କଣ୍ଠ ବନ୍ଦ ରହିଚି, କାହିଁକି ? ଶରୀରରେ ତାକତ ରହିଚି, ଅଥଚ ତାକୁ ଖେଳରେ ଲଗାଇବାର ସ୍ମୂତ୍ତି ନାହିଁ କାହିଁକି ? ସାମନାରେ ସୁନ୍ଦର ପ୍ରକୃତି ତୁମକୁ ଅପେକ୍ଷା କରି ରହିଚି, ଅଥଚ ତାକୁ ଦେଖି ଆପଣାର କରି ପାରିବାର ଆଖି ନାହିଁ କାହିଁକି ? ଖାଲି ପାଠ ସାଉଁଟିଲେ ବିଦ୍ୟା ହୁଏ ନାହିଁ, ହୃଦୟ ଦେଇପାରିବା ମଧ୍ୟ ଦରକାର ।

 

ଯଦୁନାଥ :

 

୧) ଏଠାକୁ ଆସିବା ପରେ ସଂବାଦସଂଗ୍ରହ କାର୍ଯ୍ୟ ବନ୍ଦ ହୋଇଯାଇଚି । ଖାତାରେ ଗାର ପଡ଼ିଚି, କିନ୍ତୁ ହସ୍ତାକ୍ଷର ଲେଖା ହୋଇନାହିଁ । ପାଠାଗାରରୁ ଓଡ଼ିଆ ବହି ବ୍ୟତୀତ ଅନ୍ୟକିଛି ନେବାର ଆଗ୍ରହ ହୋଇ ନାହିଁ । ବଙ୍ଗଳା ଭାଷା ପାଖରେ ତୁମେ ଏପର୍ଯ୍ୟନ୍ତ ଅସ୍ପୃଶ୍ୟ ହୋଇ ରହିଚି । ତୁମ ମନର ଖୁସୀ ଓ ମସ୍ତିଷ୍କର ବୁଦ୍ଧିରୁ ମନେ ହେଉଚି, ଅଧିକ ଏକାଗ୍ର ଓ ଶୃଙ୍ଖଳିତ ହୋଇ ପାରିଲେ ଅନେକ ଗୁଣର ବିକାଶ ହୋଇପାରିବ ।

 

୨) ଉଚ୍ଚାକାଙ୍‍କ୍ଷା ରହିଚି । ତଥାପି ସବୁବେଳେ ଅନ୍ୟମାନଙ୍କ ସହିତ ଆପଣାର ତୁଳନା କରି ଆପଣାକୁ ହୀନ ମନେକରୁଚ । ସେଥିଲାଗି ନାନାପ୍ରକାର ସଙ୍କୋଚ ଓ ଭୟକୁ ମଧ୍ୟ ମନରେ ସ୍ଥାନ ଦେଉଚ ।

 

ଗୋବିନ୍ଦ ସିଂ :

 

୧) ଅଧ୍ୟୟନ ପ୍ରତି ଯଥେଷ୍ଟ ଅନୁରାଗ ଅଛି । ବୟସ ଅନୁସାରେ ବିଚାର ମଧ୍ୟ ଏକନିଷ୍ଠ ହୋଇ ପାରିଚି ।

 

୨) ଶରୀରକୁ ମନର ଅନୁଗତ କରିବା ଦରକାର । ଶରୀରକୁ ରଥ ପରି କରି ବିକାଶର ପଥରେ ବାହାରିପଡ଼ିବା ଦରକାର । କିନ୍ତୁ ତୁମ ଶରୀରର କୌଣସି ସାମୟିକ ବିକୃତି ଅନେକ ସମୟରେ ତୁମର ଆଗ୍ରହକୁ ଦବାଇ ଦେଲାପରି ମନେହୁଏ । ଯେଉଁ ଶରୀର ବିକାଶର ଯେତେ ଅନୁଗତ ହୋଇପାରେ, ତାକୁ ସେତିକି ସୁନ୍ଦର ବୋଲି କୁହାଯିବ ।

 

୩) ମନ ଖରାପ କଲେ କେହି ସଂସାରରୁ ଦାରିଦ୍ର୍ୟକୁ ଦୂର କରି ପାରିବ ନାହିଁ । ଆପଣାକୁ ଅନ୍ୟମାନଙ୍କ ତୁଳନାରେ ଦରିଦ୍ର ବୋଲି ଭାବିବା ପଛରେ ମଧ୍ୟ ଗୋଟାଏ ପ୍ରକାରର ମୋହ ପ୍ରଚ୍ଛନ୍ନ ରହିଥାଏ । ଆପଣାକୁ ବିଦ୍ଵାନ ଓ ବଳିଷ୍ଠ କରି ଏହି ଦାରିଦ୍ର୍ୟ ଦୂର କରିବାକୁ ପ୍ରସ୍ତୁତ ହୁଅ, ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୁଅ ।

 

ପ୍ରହ୍ଲାଦ :

 

୧) ଭିତରେ ଅଳସୁଆ, ତେଣୁ ବାହାରେ କୁହାଳିଆ । ବୟସ କମ୍ ହେତୁ ବା ନିଜକୁ ଟିକିଏ ଅସହାୟ ମନେ କରୁଥିବା ହେତୁ ଜୀବନକୁ ଗଢ଼ିବାରେ ଗମ୍ଭୀରତା ଆସିନାହିଁ । ପାଠାଗାର–ଖାତାରେ ଗାର ପଡ଼ିନାହିଁ । ହିନ୍ଦୀ ଓ ବଙ୍ଗଳା ଅସ୍ପୃଶ୍ୟ ହୋଇ ରହିଚନ୍ତି । ରଚନାପ୍ରବୃତ୍ତି ଆଦୌ ନାହିଁ । ଆପଣା ଅଭ୍ୟାସରେ ଅନେକ ଘଷାମଜା ନହେଲେ ଜୀବନର ବାଟ ହୁଡ଼ିଯିବାର ଆଶଙ୍କା ରହିଚି ।

 

୨) ଯିଏ ସଂସାରଟାକୁ ଫାଙ୍କିଦେବାକୁ ବସେ, ସେ ବିଚରା ଆପଣାକୁ ହିଁ ସବୁଠାରୁ ବେଶୀ ଫାଙ୍କିଦିଏ । ତୁମ ଭିତରେ ଅନେକ ବୁଦ୍ଧି ଓ ଅନେକ ଆଗ୍ରହ ଅଛି ବୋଲି ବେଳେବେଳେ ବେଶ୍ ସୂଚନା ମିଳେ, ତଥାପି କୌଣସି ସ୍ଥାୟୀ ଚେଷ୍ଟାର ପ୍ରେରଣା ନ ପାଇ ସବୁ ମରିଯିବାପରି ମନେ ହୁଏ ।

 

ଗୋଲକ (କ) :

 

୧) ବଡ଼ ଭୁଲଭାବରେ ଏଠାରେ ଜୀବନ ଆରମ୍ଭ କରିଚ, ତେଣୁ ଭୁଲ ସଂସର୍ଗର କବଳରେ ଆତ୍ମଭୋଳ ହୋଇ ରହିଚ । କେତୋଟି ଓଡ଼ିଆ ଗପ ଓ ନାଟକ ବ୍ୟତୀତ ପାଠାଗାର ସହିତ ପରିଚୟ ହୋଇନାହିଁ । ସୋପାନ ବାହାରେ କୌଣସି ବିଦ୍ୟା ଅର୍ଜନ କରିବାର ଆଗ୍ରହ ନାହିଁ-। ଅତି ଉଗ୍ରଭାବରେ ଆପଣାର ଶକ୍ତି ଓ ସମୟକୁ ନଷ୍ଟ କରି ଚାଲିଚ । ଆପଣା ଯୋଗ୍ୟତା ବିଷୟରେ ଏଠି ଅନ୍ଧ ହେଇଗଲାପରି ମନେହେଉଚି ।

 

୨) ଠକିବାର ମନୋବୃତ୍ତି ରଖିଲେ ମଣିଷ ଆପଣାକୁ ହିଁ ଠକେ । ଆପଣାର ବିକାଶକୁ ହିଁ ଅଟକାଇ ରଖେ । ଆପଣାର ସାଙ୍ଗମେଳ ତୁମକୁ ଅଧିକ ଆଗେଇଯିବାରେ ସାହାଯ୍ୟ କରିବା ଉଚିତ, ଆପଣାକୁ ଭୁଲିଯିବାରେ ନୁହେଁ ।

 

୩) ସମସ୍ତେ ତୁମଠାରୁ ଅନେକ ଆଶା କରୁଥିବାବେଳେ ତୁମେ ଆପଣାକୁ କେବଳ ଲୁଚାଇ ରଖିଚ । ଏହି ବିଦ୍ୟାଳୟକୁ ଆସିବାର ଉଦ୍ଦେଶ୍ୟ ବୋଧହୁଏ ଏପର୍ଯ୍ୟନ୍ତ ବୁଝିପାରିନାହଁ । ସେଥିଲାଗି ଜୀବନକୁ ଅବହେଳା କରିବାରେ ଭାରି ଆନନ୍ଦ ଲାଭକରୁଚ ।

 

ଜୟନାରାୟଣ :

 

୧) ଯେଉଁ ସବୁ ବିକାର ଅନେକଦିନରୁ ଦବିଦବି ରହିଥିଲା, ଏଠାକୁ ଆସିବା ପରେ ପ୍ରଧାନତଃ ସେହିଗୁଡ଼ିକୁ ହିଁ ବାହାରୁଚି । ସୋପାନଛଡ଼ା ତୁମେ ଯେ ଏହି ବିଦ୍ୟାଳୟର କୌଣସି କାର୍ଯ୍ୟକ୍ରମରେ ଅଛ, ତୁମ କାମରୁ ତାହାର ପ୍ରମାଣ ମିଳୁନାହିଁ । ବନ୍ଧୁ ବାନ୍ଧିବାର ନିଶା ଖାଇ ଏଠି ସମୟ ନଷ୍ଟ କରୁଚ । ପାଠାଗାର ସହିତ ସାକ୍ଷାତ ହୋଇନାହିଁ । ରଚନା ପ୍ରବୃତ୍ତିମାନ କ୍ରମେ ଚାଲିଯାଉଚି ଓ ହିଂସ୍ରତା ବଢ଼ୁଚି । ଏଠାରେ ଛାତ୍ର ବୋଲି ପରିଚୟ ଦେବାକୁ ଆହୁରି ବାକି ରହିଚି । ଖାତାପତ୍ର ଠିକ୍ ନାହିଁ ।

 

ଜିତେନ୍ଦ୍ର :

 

୧) ସୋପାନ ଭିତରେ ହିଁ ଯାବତୀୟ ଉଦ୍ୟମ ଓ ଆଗ୍ରହକୁ ସୀମାବଦ୍ଧ ରଖିଚ । ଛାତ୍ରଜୀବନ ବିଷୟରେ ପୂର୍ବସଂସ୍କାରଗତ ଧାରଣାଗୁଡ଼ାକ ତୁମକୁ ଭାରି କାମୁଡ଼ି ଧରିଚି । ପାଠାଗାର ସହିତ ବେଶୀ ପରିଚୟ ହୋଇ ନାହିଁ । ଅଧ୍ୟୟନର ମର୍ଯ୍ୟାଦା ବୁଝିବାକୁ ବାକି ରହିଚି । ଭିତରେ ବୁଦ୍ଧି ଓ ପ୍ରତିଭା ଥିଲେ ମଧ୍ୟ ତାହାର ବିକାଶ କରିବାକୁ ନିଦ ଭାଙ୍ଗିନାହିଁ । ଆଖି ଖୋଲିପାରିଲେ ଆପଣାର ଶକ୍ତି ଚିହ୍ନିପାରିବ । ରଚନାଶକ୍ତି ରହିଚି, ତଥାପି ଅଭ୍ୟାସ ଅତି ଶୃଙ୍ଖଳାହୀନ ହୋଇ ରହିଥିବାରୁ ତାହା କ୍ଷୀଣ ହୋଇଯାଉଚି ।

 

୨) ଆପଣାର ଶରୀର ବିଷୟରେ ଟିକିଏ ହୀନଭାବ ରହିଚି । ସେଥିଲାଗି କୌଣସି ଶାରୀରିକ କାର୍ଯ୍ୟରେ ଖୁସୀ ହୋଇ ଲାଗିପାରିବା ସମ୍ଭବ ହେଉ ନାହିଁ ।

 

୩) ଆପଣାକୁ ଯେତେ ଦୁର୍ବଳ ବୋଲି ଭାବୁଚ, ତୁମେ ପ୍ରକୃତରେ ସେତେ ଦୁର୍ବଳ ନୁହଁ । ଅଭ୍ୟାସକୁ ନିୟମିତ ଓ ମନକୁ ଏକାଗ୍ର କରିପାରିଲେ ଆପଣା ଶକ୍ତିର ଅନେକ ପରିଚୟ ପାଇବ । ପରିଶ୍ରମକାତରତା ଛାତ୍ରପାଖରେ ଶୋଭା ପାଏନାହିଁ ।

 

୪) ଯିଏ ରଙ୍ଗବାକ୍‍ସ ଓ ତୁଳୀ ପାଖରେ ରଖି ମଧ୍ୟ ଛବି ଆଙ୍କେ ନାହିଁ, ତାକୁ ତୁମେ କ’ଣ ବୋଲି କହିବ ?

 

ରାଜେଶ୍ଵର :

 

୧) ସୋପାନର ବାହାରେ ତୁମେ କିଛି କରିନାହଁ, ତେଣୁ ତୁମକୁ ଏପର୍ଯ୍ୟନ୍ତ ଏଠାକାର ଛାତ୍ର ବୋଲି କୁହାଯାଇ ପାରିବ ନାହିଁ ।

 

୨) ରାଗିକରି ଯାହାର ମୁଣ୍ଡ ଖରାପ ହୋଇଯାଏ, ସେ ଆପଣାକୁ କେବଳ ଛୋଟ ହିଁ କରିପକାଏ । ଆପଣା ମୁହଁର ଭାଷା ମଧ୍ୟ ମଣିଷର ସ୍ଵଭାବର ପରିଚୟ ଦେଇଥାଏ ।

 

୩) ଶରୀରକୁ ଆହୁରି କାମରେ ଲଗାଅ, ତା’ହେଲେ ଶରୀରର ଲାଜ ଛାଡ଼ିବ । ମନରେ କୌଣସିପ୍ରକାର ଦୁଷ୍ଟାମି ନ ରଖି ଏଠିକାର ପୁଅଝିଅମାନଙ୍କୁ ଆପଣା ଭାଇଭଉଣୀ ପରି ଦେଖିବା ଉଚିତ ।

 

ମହେଶ୍ଵର :

 

୧) ତୁମର କାମ ଓ ତୁମର କଥା ସୁଚାଇଦିଏ ଯେ ତୁମେ ଅତି ଧୀର । ତୁମ ମନର ବିକାଶ ଯଥେଷ୍ଟ ହୋଇ ନାହିଁ । ଅକ୍ଷର ଅତି ଅପରିପକ୍ଵ ବିଚାରର ସୂଚନା ଦେଉଚି । ଏପର୍ଯ୍ୟନ୍ତ ଅଳସୁଆ ହୋଇ ସମୟ କଟାଇଚ । ସୋପନର ପାଠକୁ ବିଦ୍ୟାର ସାରସର୍ବସ୍ଵ ବୋଲି ଧରିନେଇଚ-। ଓଡ଼ିଆ ଗପବହି ବ୍ୟତୀତ ଅଧ୍ୟୟନର ଆଉ ଧରା ଧାରି ନାହିଁ । ରଚନାପ୍ରବୃତ୍ତି ନାହିଁ-। ମନ ସ୍ଥିର ନୁହେଁ । ଛାତ୍ରଜୀବନ ବା ଅଧ୍ୟୟନଗତ ଜୀବନରେ ଗୃହପ୍ରବେଶ ମଧ୍ୟ ହୋଇନାହିଁ-

 

୨) ଏହି ବିଦ୍ୟାଳୟରେ ଛାତ୍ର ଓ ଶିକ୍ଷକ ଦୁଇଟା ଅଲଗା ପକ୍ଷ ହୋଇ ରହିବେ ନାହିଁ ଶିକ୍ଷକ ଯେମିତି ଶ୍ରଦ୍ଧାରେ ତୁମ ପାଖକୁ ଆସୁଚନ୍ତି, ତୁମେ ମଧ୍ୟ ସେହିପରି ନିର୍ଭୟ ହୋଇ ଶିକ୍ଷକଙ୍କ ପାଖକୁ ଆସିବ । ଶିକ୍ଷକ ଏଠି ତୁମର ଲାଗି ଅଛନ୍ତି, ତେଣୁ ତାଙ୍କୁ ଡରିହରି ରହିବା ତୁମ ପକ୍ଷରେ ଆଦୌ ଶୋଭା ପାଉନାହିଁ ।

 

ତପୀ :

 

୧) ଅଧ୍ୟୟନ ଓ ଜୀବନନିର୍ମାଣ ଯେ ପାଠପଢ଼ାର ପ୍ରଧାନ ଉଦ୍ଦେଶ୍ୟ, ତାହା ତୁମେ ଏପର୍ଯ୍ୟନ୍ତ ଅନୁଭବ କରିନାହଁ । ଆପଣ ଭିତରେ କେତେକ ହୀନଭାବ ଥିବାପରି ବୋଧ ହେଉଚି । ନିଷ୍ଠା ଓ ବଳିଷ୍ଠତାର ଅଭାବ ହେଉଚି ତୁମ ଜୀବନର ପ୍ରଧାନ କଥା ।

 

୨) ସମସ୍ତଙ୍କ ସହିତ ମିଶିପାରିବାର କଳା ପ୍ରତ୍ୟେକ ମଣିଷର ଶିଖିବା ଦରକାର, ବୟସ ଓ ବିକାଶ ବଢ଼ିବା ସଙ୍ଗେ ସଙ୍ଗେ ମନର କୁଣ୍ଠା ଓ ଲଜ୍ଜା ଛାଡ଼ିଯିବା ଉଚିତ । ତା’ ନ ହେଲେ ତୁମର ବିଦ୍ୟା ତୁମକୁ ବଳିଷ୍ଠ କରି ପାରିବ ନାହିଁ ।

 

କାହ୍ନୁ (ବେହେରା) :

 

୧) ଅତି ଲଜ୍ଜାଶୀଳ ଓ ଅନ୍ତର୍ମୁଖ । ସମ୍ଭବତଃ ସେଇଥିଲାଗି ଦିନଲିପି ଲେଖିବାରେ ଭାରି ସଙ୍କୋଚ ରହିଚି ।

 

୨) ଶରୀର ଏପରି ଦୁର୍ବଳ କାହିଁକି ? ଖୁସି ମନରେ ଶରୀରକୁ ନାନା କାର୍ଯ୍ୟରେ ଲଗାଇ ପାରିଲେ ଏହି ଦୁର୍ବଳତା ଚାଲିଯିବ । ଶରୀର ଶକ୍ତିମାନ୍ ହେବା ସଙ୍ଗେ ସଙ୍ଗେ ମନର ତେଜ ମଧ୍ୟ ବଢ଼ିବ ।

 

ଜ୍ଞାନେନ୍ଦ୍ର :

 

୧) ସୋପାନ ବାହାରେ ଆପଣାର କୌଣସି ଅଧ୍ୟୟନ ନାହିଁ । ବଙ୍ଗଳା ଓ ହିନ୍ଦୀରେ ଖଡ଼ିଛୁଆଁ ହୋଇନାହିଁ । ଭିତରେ ଅନେକ ଭୟ ରହିଚି । ତେଣୁ ରୁଟିନ୍ ଅନୁସାରେ ବାଧ୍ୟ ହୋଇ ପଡ଼ିବା ଛଡ଼ା ତୁମେ ଅଧ୍ୟୟନର ଅନ୍ୟ କୌଣସି କଳା ଶିଖି ନାହିଁ । ରଚନାପ୍ରବୃତ୍ତି ନାହିଁ । ଗୀତ ଖାତା ଅଛି, କିନ୍ତୁ ସେଥିରେ ଗୋଟିଏ ହେଲେ ଗୀତ ନାହିଁ ।

 

୨) ସଂସାରର ଟିକିଏହେଲେ ଆଘାତ ମଧ୍ୟ ସହିପାର ନାହିଁ; ତେଣୁ ସଂସାରକୁ ଭୁଲ ବୁଝି ଅନେକ ହଇରାଣରେ ପଡ଼ିବାକୁ ହୁଏ । ଅଳପ କଥାରେ ମନ ଭିତରେ ବଡ଼ ଅଧୀର ହୋଇଯାଅ, ପୁଣି ତାକୁ ଲୁଚାଇବାକୁ ଚେଷ୍ଟା କରି ବ୍ୟବହାରରେ ଟିକିଏ ଉଦ୍ଧତପଣିଆ ମଧ୍ୟ ପ୍ରକାଶ ପାଇଥାଏ ।

 

୩) ସବୁବେଳେ ଖୁସି ରହିବା ଦରକାର । ଆପଣାର ଦୋଷଗୁଡ଼ାକ ବିଷୟରେ ଚିନ୍ତା କରି ପଛରେ ରହିଯାଉଚ କାହିଁକି ? ଅଧ୍ୟୟନ ବଢ଼ାଅ, ମନ ସ୍ଥିର କର, ଆପଣା ଉପରେ ବିଶ୍ଵାସ ରଖ । ତୁମଦ୍ଵାରା ସଂସାରରେ ଅନେକ କାମ ହୋଇପାରିବ ।

 

ବେଣୁଧର :

 

୧) ଏଠାରେ ଅନେକ ବିକାଶ ଓ ପରିବର୍ତ୍ତନ ହୋଇଚି । ମନର ଉଦ୍ୟମ ବଢ଼ିଚି । ସ୍ଥିରତା ମଧ୍ୟ ବଢ଼ିଚି । ଆହୁରି ଆଗକୁ ମାଡ଼ିଯିବା ଲାଗି ବଳବତୀ ଇଚ୍ଛା ଦରକାର ।

 

୨) ଅନେକ ଲୋକଙ୍କ ମେଳରେ ଆପଣାର ପରିଚୟ ଦେବାକୁ ଲାଜ ଲାଗିବା ଉଚିତ ନୁହେଁ । ମଣିଷ ମଣିଷର ବନ୍ଧୁହୋଇ ରହିବା ଉଚିତ । ତେଣୁ ମଣିଷର ସଂସାରରେ ତୁମେ ଆପଣାକୁ ବିଦେଶୀ ବୋଲି ମନେ କରୁଚ କାହିଁକି ? ଏପରି କରିବାଦ୍ଵାରା ତୁମେ ଆପଣା ଭିତରର ଅନେକ ଶକ୍ତିକୁ ଅଟକାଇ ରଖୁଚ ।

 

୩) ତୁମର ଅକ୍ଷର ବଡ଼ ଅପାକଳ ଅବସ୍ଥାରେ ରହିଚି । ଜୀବନରେ କୌଣସି ନିଶ୍ଚିତ ବାଟ ପାଇନଥିବାର ସୂଚନା ମିଳୁଚି ।

 

କାହ୍ନୁ (ଦାସ) :

 

୧) ଛାତ୍ରଜୀବନରେ ଅଳପରେ ସନ୍ତୁଷ୍ଟ ହୋଇଯିବ ଏକ ଅପରାଧ ପରି । ଆପଣାର ଅଭିଳାଷ ବଢ଼ାଅ । ବଡ଼ ବଡ଼ ଦାୟିତ୍ଵକୁ ଖୁସୀ ହୋଇ ବହନ କରି ଆପଣା ଯୋଗ୍ୟତାର ପରିଚୟ ଦିଅ । ସର୍ବସାମାନ୍ୟ ସ୍ତରରେ ହିଁ ରହିବାକୁ ଯିଏ ଜୀବନର ଆଦର୍ଶ ବୋଲି ଧରିନିଏ, ବାସ୍ତବ ଜୀବନରେ ସେ ସର୍ବସାମାନ୍ୟ ସ୍ତରରୁ ମଧ୍ୟ ଅଧିକ ତଳକୁ ଖସିପଡ଼େ ।

 

ଚେତନ୍ୟ :

 

୧) ତୁମର ଅକ୍ଷର ଅତି ଅସୁନ୍ଦର । ସେଥିରୁ ଜଣାପଡ଼େ ଯେ ତୁମେ ପ୍ରକୃତରେ ଯେତେଟା ନୁହଁ, ବାହାରକୁ ସେତେଟା ଦେଖାଇବାକୁ ଚେଷ୍ଟା କର । ଭିତରେ ଭୟ ବି ରହିଚି । ବାହାରକୁ ଯେତେ ଚଙ୍ଗଚଙ୍ଗ ହେଲେ ମଧ୍ୟ ତୁମ ଆଚରଣରୁ ଭୟଟା ବେଶ୍ ଧରାପଡ଼ିଯାଏ ।

 

ଗୋବିନ୍ଦ (ସାହୁ) :

 

୧) ଅନେକ ଶକ୍ତି ଓ ପ୍ରତିଭା ରହିଚି, ତଥାପି କୌଣସି ଏକ ହୀନଭାବ ହେତୁ ତାହାର ସଦ୍‍ବ୍ୟବହାର ହୋଇ ପାରୁନାହିଁ । ଆପଣାର ମନକୁ ଆପଣାର ବାଟରେ ଲାଗିବାର ଶକ୍ତି ଏପର୍ଯ୍ୟନ୍ତ ହୋଇନାହିଁ । ତେଣୁ ସନ୍ତୋଷ ମିଳୁନାହିଁ । ମନକୁ ସଜାଡ଼ି ପାରିଲେ ଓ ଦେହକୁ ଭଲ ଅଭ୍ୟାସରେ ପକାଇ ପାରିଲେ ଅଧିକ ବିକାଶ ହୋଇପାରନ୍ତା ।

 

୨) କଣ୍ଠ ଖୋଲି ଗୀତ ଗାଇବାରେ ଏପରି ସଙ୍କୋଚ କାହିଁକି ? ଉପରେ ତୁମର ମୁହଁ ଯେପରି ଖୁସି ଥାଏ, ଭିତରେ ମଧ୍ୟ ସେହିପରି ଖୁସି ରହିବା ଉଚିତ । ସଂସାରର ଆନନ୍ଦ-ବଜାରରୁ ଆପଣାକୁ ବଞ୍ଚିତ କରି ରଖି ତୁମେ କି ସାନ୍ତ୍ଵନା ପାଉଚ ?

 

କିଶୋର :

 

୧) ମନର ସରସତା ଅନେକ ରହିଚି । ରଚନାଶକ୍ତି ମଧ୍ୟ ଚମତ୍କାର । ମୁହଁ ଉପରେ ଅତୁଳ ବିସ୍ମୟର ଛାପ ରହିଚି । ବାଟ ପାଇଲେ ଅନେକ ଆଶା କରାଯାଇ ପାରିବ । ତୁମର ଅଧ୍ୟୟନ ଆହୁରି ବଢ଼ୁ । ହିନ୍ଦୀ ଓ ବଙ୍ଗଳାଭାଷାକୁ ଆପଣାର କରିନିଅ ।

 

୨) ଗୁଡ଼ାଏ ଶୋଇଲେ ଦେହ ମାନ୍ଦା ଲାଗେ, ମନର ସ୍ଫୃର୍ତ୍ତି ମଧ୍ୟ ଚାଲିଯାଏ । ଏହି କୁମ୍ଭକର୍ଣ୍ଣ–ବିଦ୍ୟା ତୁମେ କେଉଁ ଲଙ୍କାଗଡ଼ରୁ ଶିଖିଲ ?

 

୩) ସମସ୍ତଙ୍କ ସହିତ ମିଶ, ସମସ୍ତଙ୍କଠାରୁ ଶିଖ । ତା’ହେଲେ ମନ ଆହୁରି ଖୁସି ରହିବ-

 

କୁନ୍ତଳା :

 

୧) ସଂସାରରେ ଯିଏ ଆପଣାକୁ ଗେହ୍ଲା କରି ଶିଖେ, ସେ ଭଗବାନଙ୍କର ଗେହ୍ଲା ହୁଏ ନାହିଁ । ତୁମେ କେବେ ଭଗବାନଙ୍କର ପ୍ରିୟ ହୋଇ ଶିଖିବ ?

 

୨) ମନକୁ ଆହୁରି ସ୍ଥିର କର । ଭଗବାନଙ୍କଠାରେ ବିଶ୍ଵାସ ରଖ । ସମସ୍ତଙ୍କୁ ତଥା ପ୍ରକୃତିକୁ ଭଲପାଇ ଶିଖ । ବ୍ୟକ୍ତିଗତ ରଚନାପ୍ରବୃତ୍ତି ବଢ଼ାଅ । ତେବେ ତୁମର ମୁଣ୍ଡ ଆଉ ତୁମକୁ କଷ୍ଟ ଦେଇ ପାରିବ ନାହିଁ ।

 

୩) ପ୍ରସ୍ତୁତ ହୋଇପାରିଲେ ତୁମେ କେତେ ବିଦ୍ୟା ଯେ ଅର୍ଜନ କରିପାରନ୍ତ, ସ୍ଥିର ହୋଇ କେବେ ସେକଥା ଭାବିଚ କି ?

 

ଲକ୍ଷ୍ମୀ :

 

୧) ଜୀବନର ମୂଲ୍ୟ ବୁଝି ନାହଁ; ତେଣୁ ଅନେକ ସମୟରେ ଜୀବନ ପ୍ରତି ବେଶ୍ ଅବହେଳା ଦେଖାଉଚ । ତୁମ ଭିତରେ ରହିଥିବା ଯୋଗ୍ୟତାକୁ ତୁମେ କେବେ କାମରେ ଲଗାଇ ଶିଖିବ ? ତୁମ ସମାଜରେ ତୁମର କେତେ ଭଉଣୀ ତୁମକୁ ଭରସା କରିଚନ୍ତି । ସେମାନଙ୍କୁ ନିଜର କରିବା ଲାଗି ତୁମେ କିପରି ପ୍ରସ୍ତୁତି ହେଉଚ ?

 

୨) ପାଠାଗାର ତୁମର ଦୁଆରେ ଅପେକ୍ଷା କରି ରହିଚି । ଆଉ କେତେଦିନ ଭୋଳ ରହି ତୁମେ ତା’ର ଡାକକୁ ଏଡ଼ି ଦେଉଥିବ ?

 

୩) ଭଗବାନଙ୍କ ଉପରେ ବିଶ୍ଵାସ ରଖିଲେ ଆପଣା ଉପରେ ବିଶ୍ଵାସ ବଢ଼େ ।

 

ରାମଜିତ୍ :

 

୧) ଏପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଗୋଡ଼ ଠାକି ନାହିଁ । ମନ ନାନାଆଡ଼େ ବୁଲୁଚି । ଯିଏ ବିଦ୍ୟା ଅର୍ଜନ କରିବାକୁ ଆସିବ, ତାକୁ ଅନ୍ୟାନ୍ୟ ଅନେକ ମୋହ ଛାଡ଼ିବାକୁ ପଡ଼ିବ ।

 

୨) ଏଠାକୁ ଆସି କାମ କରିବାର ଆଗ୍ରହ କମି ଯାଇଚି କି ? କର୍ମକାତର ରୋଗୀ ହିଁ କାମକୁ ଔଷଧ ପରି ଗ୍ରହଣ କରେ ।

 

ଏହାର ତିନିମାସ ପରେ ଅର୍ଥାତ୍ ଏହି ସୋପାନରେ ଛାତ୍ରମାନେ, ବିଦ୍ୟାଳୟରେ ଛଅମାସ ରହିବା ପରେ ସେମାନଙ୍କୁ ଦ୍ଵିତୀୟ ଟିପ୍ପଣୀ ଦିଆ ଯାଇଥିଲା । ମୁଁ ସେଥିରୁ ମାତ୍ର କିୟଦଂଶ ନିମ୍ନରେ ଦେବା ଉଚିତ ମନେ କରୁଚି ।

 

ହଳଧର :

 

୧) ତଥାପି ଭୟ ଛାଡ଼ି ନାହିଁ । କୌଣସି ସଙ୍କୋଚ ନ କରି ଅନ୍ୟ ଆଗରେ ନିଜର ଅସୁବିଧା ଜଣାଇବାରେ ସାହସ ଆସି ନାହିଁ । ନିଜ ଜୀବନରେ ଯେତିକି ପଛକୁ ଅନାଉଥିବ, ନାନା ରକମର ଲାଜ ଓ ଅଭିମାନ ତୁମକୁ ସେତିକି ଅଟକାଇ ରଖୁଥିବ । ଏଥର ଆଗକୁ ଅନାଅ, ଆପଣାକୁ ନେଇ ସଂସାରରେ କିଛି କରି ଦେଖାଇବା ବୋଲି ସଂକଳ୍ପ କରିନିଅ । ଭୟ ଛାଡ଼ିଯିବ । ମଣିଷକୁ ଦେଖିଲେ ଆଉ ଲାଜ ଲାଗିବ ନାହିଁ ।

 

ଶଶୀଭୂଷଣ :

 

୧) ସମ୍ବାଦପତ୍ରକୁ ବନ୍ଧୁ ନ କଲେ ପୃଥିବୀରେ ମଣିଷଙ୍କୁ ଚିହ୍ନିବ କିପରି ? ଅଧ୍ୟୟନର ବେଗ ଆହୁରି ବଢ଼ିବା ଉଚିତ । ପାଠାଗାର ଭିତରେ ଯିଏ ଯେତେ ବୁଡ଼ିବ, ସିଏ ସେତେ ରତ୍ନ ଲାଭ କରିପାରିବ ।

 

୨) ତର୍କାଲୋଚନାରେ ସବୁଥର ଭାଗ ନେବାକୁ ତୁମେ କେବେ ସଂକଳ୍ପ କରିବ ? ଭିତରର ଲାଜ ଛାଡ଼ି ନଥିବା ପରି ମନେ ହେଉଚି । ଲାଜ ରହିଯାଇଚି ବୋଲି ହୁଏତ ବେଳେବେଳେ ନାନା ଆଡ଼ୁ ନାନା ସମସ୍ୟା ଭିତରେ ଧନ୍ଦି ହୋଇ ରହିବାର ଅନାବଶ୍ୟକ ଶ୍ରମ ତୁମକୁ କରିବାକୁ ପଡ଼ୁଚି । ଲାଜ ଛାଡ଼ିଗଲେ ଆପଣାର ଆଗକୁ ଚାଲିବାର ବେଗରେ ୟାଡ଼େସାଡ଼େ ଅନାଇବାରେ ବେଳ ହିଁ ମିଳନ୍ତା ନାହିଁ ।

 

ଯଦୁନାଥ :

 

୧) ବେଳେବେଳେ ଠକିବାକୁ ବା ଫାଙ୍କିଦେବାକୁ ଇଚ୍ଛା ହୁଏ କି ? ଅଳପ କଥାରେ ରାଗ ବା ବିରକ୍ତ ଆସେ କି ? ଏହାର କାରଣ ଅନୁସନ୍ଧାନ କରି ଦେଖ । ଧୈର୍ଯ୍ୟଶକ୍ତି ବଢ଼ିଲେ ଏସବୁ କରିବାକୁ ମନ ଯିବନାହିଁ ।

 

ଗୋବିନ୍ଦ ସିଂ :

 

୧) ପାଠାଗାରକୁ ଆହୁରି ଘାଣ୍ଟିଚକଟି ରତ୍ନ ସଂଗ୍ରହ କରିବାକୁ ପଡ଼ିବ । ବ୍ୟକ୍ତିଗତ ରଚନା ଆହୁରି ବଢ଼ାଇବାକୁ ପଡ଼ିବ । ତା’ସହିତ ପ୍ରତିଦିନର କେତୋଟି ଅଭ୍ୟାସଚଞ୍ଚଳ ଶୋଇବା, ଚଞ୍ଚଳ ଉଠିବା, କମ୍ କଥା କହିବା, ସକାଳୁ ଗାଧୋଇବା ପ୍ରଭୃତିକୁ ଜୀବନର ସ୍ଵାଭାବିକ ଅଙ୍ଗ କରିନେବାକୁ ପଡ଼ିବ । ମନ ଭିତରେ ଅସରନ୍ତି ଶକ୍ତି ରହିଚି, ଏହାକୁ ଯିଏ ଯେତେ କାମରେ ଲଗାଇ ପାରିବ, ସିଏ ସେତେ ଶକ୍ତିଶାଳୀ ହୋଇ ପାରିବ ।

 

୨) କାନ୍ଦିବାଟା ସବୁବେଳେ ସୁସ୍ଥ ମନର ପରିଚୟ ଦିଏ ନାହିଁ । ଜ୍ଞାନ ଓ ଆଲୋକ ଅର୍ଜନ କରିବା ଲାଗି ମଣିଷର ଅଧିକ ଆତ୍ମସ୍ଥ ହେବା ଉଚିତ । ତୁମେ ଅଳ୍ପ କଥାରେ କାନ୍ଦିପକାଅ କାହିଁକି ? ଏହାଦ୍ଵାରା କାହାପ୍ରତି ତୁମର ଅଭିଯାନ ଦେଖାଅ ? ମନକୁ ଦୁର୍ବଳ କରିଦେଲା ପରି କୌଣସି ଚିନ୍ତା ଆସି ପଶିଲେ ଶିକ୍ଷକମାନଙ୍କ ସହିତ ବିନା ସଙ୍କୋଚରେ ସେସବୁର ଆଲୋଚନା କରିନିଅ । ତଦ୍ଵାରା ତୁମର ମନକୁ ଘୋଡ଼ାଇ ରଖିଥିବା ଅନେକ ଅନିଶ୍ଚିତତାରୁ ରକ୍ଷା ମିଳିବ ।

 

Unknown

୩) ସୂତା କାଟିବାକୁ ତୁମେ ଦରିଦ୍ର ମଣିଷର ବେଉସା ବୋଲି ଭାବୁଚ କି ? ସେଥିଲାଗି ହୁଏତ ଆପଣା ମନଭିତରେ ଥିବା ଦାରିଦ୍ର୍ୟଜନିତ ଗ୍ଲାନିକୁ ଲୁଚାଇବାର ଉଦ୍ଦେଶ୍ୟ ରଖି ତୁମେ ସୂତା କାଟୁନାହଁ ତ ?

 

ତପୀ :

 

୧) ଆପଣା ଦେହପ୍ରତି ତୁମର ଅନେକ ଲାଜ ରହିଯାଇଚି । ଖୁସୀ ହୋଇ ଆପଣାକୁ ନାନା କାମ ଓ ଅଧ୍ୟୟନରେ ଲଗାଇ ପାରୁଥିଲେ ଏହି ଲାଜ ରହନ୍ତା ନାହିଁ । କିନ୍ତୁ ତୁମେ ଓଲଟି ଅଳସୁଆ ହୋଇ ରହୁଚ । ଦେହପ୍ରତି ରହିଥିବା ମନର ଲାଜକୁ ଲୁଚାଇବାପାଇଁ ଆପଣାଠାରୁ ବଡ଼ ପିଲାଙ୍କ ସହିତ ମିଶିବାକୁ ଭଲପାଅ । ଏହିସବୁ ହିଁ ତୁମକୁ ପଛରେ ପକାଇ ରଖେ ।

 

କାହ୍ନୁ (ବେହେରା) :

 

୧) ସଂଗୀତ ମଧ୍ୟ ମନ ଓ ହୃଦୟ ଖୋଲିବାରେ କମ୍ ସାହାଯ୍ୟ କରିବ ନାହିଁ । ତୁମର ତ ସଙ୍ଗୀତ ଶକ୍ତି ଯଥେଷ୍ଟ ରହିଚି । ତା’ର ନିୟମିତ ଅନୁଶୀଳନ କର ।

 

୨) ଅଳପକରେ ସନ୍ତୁଷ୍ଟ ହୋଇ ଅଟକି ଯାଅ ନାହିଁ । ମଣିଷ ଯେତେ ବେଶୀ ପାଇବା ପାଇଁ ପ୍ରସ୍ତୁତ ହୋଇପାରିବ, ଭଗବାନ ତାକୁ ସେତେ ବେଶୀ ଦେବେ । ଭଗବାନଙ୍କ ପାଖରେ କୃପଣତା ସମ୍ଭବ ନୁହେଁ, ନେବେ ଆଉ ଦେବା ବିଷୟରେ ମଣିଷ କୃପଣ ନହେଲେ ହେଲା ।

 

ରାଜେନ୍ଦ୍ର :

 

୧) ସବୁ ଜାଗାରେ ଠିଆ ହୋଇ କଥା କହିବାର ସାହସ ରହିବା ଦରକାର । ଏହି ସାହସ କାହାର ଜନ୍ମରୁ ନ ଥାଏ । ଅଭ୍ୟାସ ଓ ନିଷ୍ଠାଦ୍ଵାରା ଆସେ । ତୁମର ଅଭ୍ୟାସ ଆରମ୍ଭ କର, ମନରେ ଆନନ୍ଦ ପାଇବ ।

 

ଜ୍ଞାନେନ୍ଦ୍ର :

 

୧) ଭିତରେ ଭୟ ଅଛି, ତେଣୁ ଉପରୁ ରାଗ ଛାଡ଼ିନାହିଁ । କଥା କହିବାର କାଇଦା ଜଣା ନାହିଁ । ହସ୍ତାକ୍ଷରର ସେତେ ଉନ୍ନତି ହେଉ ନାହିଁ । ତୁମର ହସ୍ତାକ୍ଷର ଯେପରି, ତୁମ ମନ ଓ ବ୍ୟବହାର ମଧ୍ୟ ସେହିପରି ରହିଥିବା ପରି ମନେହେଉଚି ।

 

୨) ଆଗେ ଟିକିଏ କଥାରେ କାନ୍ଦୁଥିଲ, ଏବେ ଟିକିଏ କଥାରେ ହସିବା ଆରମ୍ଭ ହୋଇଚି । ଆରଟା ପରି ଏଇଟା ମଧ୍ୟ ତୁମର ଅନେକ କ୍ଷତି କରିପାରେ । ଆଗ ବିଚାର, ବିବେକ ଓ ସ୍ନେହଭାବ ଦରକାର,–ତା’ ପରେ କାନ୍ଦିବା ଆଉ ହସିବା ଉଭୟ ସଜାଡ଼ି ହୋଇଯିବ ।

 

ଚୈତନ୍ୟ :

 

୧) ତୁମେ ନିଜକୁ ଜଣେ ବଡ଼ ମଣିଷ ପରି ଅଭିନୟ କର କି ? ସେଥିପାଇଁ ତୁମର ବ୍ୟବହାର ବେଳେବେଳେ ସୀମା ଲଙ୍ଘନ କରିଯାଏ । ସମସ୍ତଙ୍କୁ ଠକିଦେଇ ଚାଲିଯିବାର ସ୍ପୃହା ରହିଚି, ଚିକଣ କଥାକୁ ମଧ୍ୟ ତୁମେ ସେଥିରେ ଗୋଟାଏ ଅସ୍ତ୍ର ପରି ବ୍ୟବହାର କର । କିନ୍ତୁ କାମରେ ସେପରି କୌଣସି ଦକ୍ଷତା ଦେଖାଯାଏ ନାହିଁ । ସମସ୍ତଙ୍କୁ ସନ୍ତୁଷ୍ଟ କରିବାର ଦୁଷ୍ଟ ବୁଦ୍ଧି ନ ରଖି ତୁମକୁ ଆପଣା ବାଟରେ ସୁନ୍ଦର ହୋଇ ଚାଲିବାର ସାହସ ଅର୍ଜନ କରିବାକୁ ହେବ ।

 

ଗୋବିନ୍ଦ (ସାହୁ) :

 

୧) ବୁଦ୍ଧି ଅଛି, କିନ୍ତୁ ମନ ବଡ଼ ଚଞ୍ଚଳ । ଅଳ୍ପ ପରିଧି ଭିତରେ ରହିବାକୁ ତୁମକୁ ଖୁସୀ ଲାଗୁଚି କି ?

 

୨) ସଙ୍ଗୀତଚର୍ଚ୍ଚା ବା ଛବି ଆଙ୍କିବା କଣ ତୁମଦ୍ଵାରା ହୋଇ ପାରନ୍ତା ନାହିଁ ? ଆପଣା ଜୀବନର ଦୁଆର ଖୋଲିବା ପାଇଁ ଏସବୁ ଅତ୍ୟନ୍ତ ଆବଶ୍ୟକ ।

 

ଲଷ୍ମୀ :

 

୧) ଏହି ବିଦ୍ୟାଳୟର ଶିକ୍ଷକମାନେ ତୁମର ବଡ଼ଭାଇ ପରି । ସେମାନଙ୍କ ପାଖକୁ ଖୁସୀ ହୋଇ ଆସି ଆପଣାଲାଗି ବିଦ୍ୟା ଆଦାୟ କରିବା ପ୍ରତେକ ଭଉଣୀର କର୍ତ୍ତବ୍ୟ ।

 

୨) ଖାଲି ଶାନ୍ତ ଓ ନିରୀହ ହେବା ଜୀବନର ଆଦର୍ଶ ନୁହେଁ । ଆପଣା ଶକ୍ତିର ପରିଚୟ ଦେବା ଉଚିତ । ତୁମେ ସମୁଦ୍ର ପରି ଉପରେ ଶାନ୍ତ ଓ ଭିତରେ ଶକ୍ତିମତୀ ହୁଅ ।

 

ଜଣ ଜଣଙ୍କ ପାଇଁ ଲେଖା ହୋଇଥିବା ଏହି କ୍ରମବଦ୍ଧ ବିବରଣ ଗୁଡ଼ାକୁ ପଢ଼ିଲାବେଳେ ହନୁମାନ-ପ୍ରଶ୍ନ ପଢ଼ିଲାପରି ଲାଗୁନାହିଁ ତ ? ଜଙ୍ଗଲସ୍କୁଲରେ ପାଠ ମାପିବା ଓ ପାଠରେ ଯୋଗ୍ୟତା ବଢ଼ାଇବା ଲାଗି ତ ଅନ୍ୟାନ୍ୟ ଅବସର ଓ ପରୀକ୍ଷାମାନ ରହିଥିଲା, କିନ୍ତୁ ବିଦ୍ୟାର୍ଥୀର ବ୍ୟକ୍ତିତ୍ଵ–ବିକାଶ ଆମ ବିଦ୍ୟାଳୟରେ ଏକ ମୁଖ୍ୟତର ଉଦ୍ଦେଶ୍ୟ ହୋଇ ରହିଥିଲା । ଶିକ୍ଷକ ଯେ କେବଳ ପାଠ ପିଆଇବା ମୁନିବ ନୁହେଁ, ସେ ମଧ୍ୟ ଜଣେ ବ୍ୟକ୍ତି, ବ୍ୟକ୍ତି ହିସାବରେ ସିଏ ମଧ୍ୟ ପ୍ରତ୍ୟେକ ଛାତ୍ର ଭିତରେ ଆପଣାର ବାଟ ଚାଲୁଥିବା ବିକଶମାନ ବ୍ୟକ୍ତିଟି ସହିତ କଥୋପକଥନ କରିପାରିବ, ଜୀବନର ରାସ୍ତା ଉପରେ ତାକୁ ଯାଇ ଭେଟିପାରିବ, ଏହି ଶିକ୍ଷାସତ୍ୟକୁ ଜୀବନର ଏକ ସ୍ଵାଭାବିକ ଅଥଚ ଉପଚାରହୀନ ବିଧିରେ ପରିଣତ କରିବାକୁ ଜଙ୍ଗଲସ୍କୁଲ ଆପଣାର ଯଥାଶକ୍ତି ଉଦ୍ୟମ କରୁଥିଲା । ଏଥର ମୁଁ ଆଉ ଗୋଟିଏ ସୋପାନର ମନ୍ତବ୍ୟଗୁଡ଼ିକୁ ଦେବାକୁ ଯାଉଚି । ଏମାନେ ହେଉଚନ୍ତି ଜଙ୍ଗଲସ୍କୁଲର ତୃତୀୟ ଦଳ । ବିଦ୍ୟାଳୟକୁ ଆସିବାର ଛଅମାସ ପରେ ସେମାନେ ଏହିସବୁ ମନ୍ତବ୍ୟ ପାଇଥିଲେ–

 

ଭବାନିଶଙ୍କର :

 

୧) ଚିତ୍ତଭାଇ ସମ୍ବଲପୁର ପିଲାଙ୍କୁ ଭଲ ପାଆନ୍ତି ନାହିଁ ବୋଲି ତୁମର ଯେଉଁ ଭୁଲ ଧାରଣା ଥିଲା, ତାହା ଦୂର ହୋଇଯିବଣି ବୋଲି ଆଶା କରୁଚି । ଚିତ୍ତଭାଇ ଛାତ୍ରକୁ କଦାପି ହତାଦର କରନ୍ତି ନାହିଁ । ଅଛାତ୍ର ସହିତ ହିଁ ତାଙ୍କର ଆଦୌ ପଟେ ନାହିଁ । ତୁମେ ଯେଉଁ ଜିଲ୍ଲା ବା ଯେଉଁ ମହାଦେଶରୁ ଆସିଥାଅ ପଛକେ, ଛାତ୍ରର କର୍ତ୍ତବ୍ୟ କରୁଥିବାଯାଏ ତୁମେ ଏହି ବିଦ୍ୟାଳୟର ସମ୍ପଦ ହୋଇ ରହିବ । କିନ୍ତୁ ଛାତ୍ରର କର୍ତ୍ତବ୍ୟରେ ହେଳା କଲେ ଏଠି ରହିବାର ଅଧିକାର ହରାଇ ବସିବ ।

 

ରମେଶ :

 

୧) ଏପର୍ଯ୍ୟନ୍ତ ହୁଏତ ତୁମେ ବାପା ବା ଶିକ୍ଷକଙ୍କର ଡରରେ ପଢ଼ୁଥିଲ ବା ଆପଣାର କର୍ତ୍ତବ୍ୟ କରୁଥିଲ । ଏହି ବିଦ୍ୟାଳୟରେ ପ୍ରଧାନତଃ ଆପଣା ଜୀବନର ବିକାଶ ଲାଗି ତୁମକୁ ପାଠ ପଢ଼ିବାକୁ ଓ କର୍ତ୍ତବ୍ୟ କରିବାକୁ ହେବ । ତେଣୁ ସବୁ ପ୍ରକାରର ଅହେତୁକୀ ଭୟ ଛାଡ଼ିଯିବା ଉଚିତ ।

 

୨) ଅଳପକରେ କଦାପି କେବେ ସନ୍ତୁଷ୍ଟ ହୋଇଯାଅ ନାହିଁ । ମଣିଷ ଯେତିକି ବେଶୀ ଚାହେ, ଆପଣା ଭିତରୁ ସେ ସେତିକି ଶକ୍ତି ଉତ୍ପନ୍ନ କରିପାରେ ।

 

ରମାକାନ୍ତ :

 

୧) ସୋପାନ ଓ ବୟସ ଅନୁଯାୟୀ ତୁମ ମନର ବିକାଶ ହୋଇ ନାହିଁ ବୋଲି ମୁଁ ଅନୁମାନ କରୁଚି । ସାଧାରଣତଃ ସ୍କୁଲଚୋର ପିଲାଏ ଯେଉଁ ସବୁ ମାନସିକ ରୋଗ ଭୋଗ କରନ୍ତି, ତୁମକୁ ସେହିସବୁ ରୋଗ କାମୁଡ଼ି ଧରିଚି । ପାଠପଢ଼ା ପିଲା ଭିତରେ ମୁଁ ଏତେ ଅଭିମାନ ଆଗରୁ କେବେ ଦେଖି ନଥିଲି । ଉପରେ ଭୟାଳୁ, ଭିତରେ ହିଂସ୍ର, ଏହାହିଁ ତୁମର ବର୍ତ୍ତମାନ ପରିଚୟ ବୋଲି ମୁଁ ଗ୍ରହଣ କରିବି କି ?

 

୨) ତୁମେ ଅଧିକାଂଶ ସମୟ ରୋଗରେ ପଡ଼ିଚ । ରୋଗୀଜୀବନ ତୁମକୁ ବେଶ୍ ଭଲ ଲାଗୁଥିଲା ପରି ମନେ ହେଉଚି । ଯେଉଁ ଅଳ୍ପ କେତେଦିନ ଭଲ ରହିଚ, ସେହି ସମୟତକ ତୁମେ ଜାଣିଶୁଣି ନାନାପ୍ରକାର ଆଳସ୍ୟରେ ବରବାଦ କରିଚ । ଏହା ଲଜ୍ଜାର କଥା ଏହି ବିଦ୍ୟାଳୟକୁ ଏକ ଆଶ୍ରୟସ୍ଥଳ ବୋଲି ମନେ କର ନାହିଁ । ତେଣୁ ଏଠାରେ ମିଳୁଥିବା ସ୍ଵାଧୀନତାର ଅପବ୍ୟବହାର କର ନାହିଁ ।

 

ବାଳକୃଷ୍ଣ :

 

୧) ପିଲାଦିନେ ସମସ୍ତେ ଗେହ୍ଲା ଥାଆନ୍ତି । କେହି ଟାଣ କରି କିଛି କହିଦେଲେ ପିଲା ଭାରି ଅପମାନିତ ମନେ କରେ । ବଡ଼ ଦିନକୁ ଏହି ମନ ବଦଳିଯିବା ଉଚିତ । ତୁମକୁ ଅପମାନ ଦେବାଲାଗି ଏଠାରେ କେହି କିଛି କହନ୍ତି ନାହିଁ । ତୁମକୁ ଅଧିକ ତତ୍ପର ଓ ଅଧ୍ୟବସାୟଶୀଳ କରିବାକୁ ହିଁ ସବୁକଥା କୁହାଯାଏ । ତେଣୁ କଥାର ଆଘାତରେ ମନକୁ ତାପ ନ ଦେଇ ସେହି ଆଘାତରୁ ମନକୁ ଟାଣ କରିବାକୁ ଚେଷ୍ଟା କର ।

 

୨) ଅନ୍ୟମାନେ ତୁମକୁ କଣ କହିଲେ ବା ତୁମ ବିଷୟରେ କଣ ଭାବିଲେ, ଏ ବିଷୟରେ ତୁମେ ଏତେ ମୁଣ୍ଡ ଖେଳାଅ କାହିଁକି ? ନିଜର ଜୀବନକୁ ନିଜେ ଗଢ଼ିବାର ଦାୟିତ୍ଵ ତୁମେ ଯେତିକି ଅନୁଭବ କରିବ, ଏହି ବୃଥା ମୁଣ୍ଡ ଘୁରାଇବା ସେତିକି ଦୂର ହୋଇଯିବ ।

 

ହେମସାଗର :

 

୧) ଏହି ବିଦ୍ୟାଳୟକୁ ତୁମେ ଆଗରୁ ପଢ଼ୁଥିବା ବିଦ୍ୟାଳୟଠାରୁ ଭିନ୍ନ ବୋଲି ବୁଝିପାରିଚ ବୋଲି ଆଶା କରାଯାଏ । ତୁମେ ସେଠାରେ ଶିକ୍ଷକଙ୍କର ଡରରେ ଗୋଟାଏ ନିର୍ଦ୍ଦିଷ୍ଟ ପରୀକ୍ଷାରେ ପାସ୍ କରିବାକୁ ପାଠ ପଢ଼ୁଥିଲ । ଏଠି କୌଣସି ଭୟ ନ ରଖି ଆପଣା ଜୀବନର ବିଭିନ୍ନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାଲାଗି ତୁମେ ପାଠ ପଢ଼ିବ । ଏହି ନୂତନ ଧ୍ୟେୟ ଲାଗି ଆପଣାର ମନ ଓ ହୃଦୟକୁ ତୁମେ ଯେତିକି ବଦଳାଇ ପାରିବ, ଏହି ବିଦ୍ୟାଳୟରୁ ତୁମେ ସେତିକି ଆନନ୍ଦ ପାଇପାରିବ ।

 

ଶରତ :

 

୧) ତୁମ ଅକ୍ଷର ଅତ୍ୟନ୍ତ କଦର୍ଯ୍ୟ । ବିଚାରରେ ପରିପକ୍ଵତା ଆସିନାହିଁ ବୋଲି ଏଥିରୁ ଜଣାଯାଉଚି । ବୟସ ବଢ଼ୁଥିଲେ ମଧ୍ୟ ତଥାପି ପିଲାଟିଏ ହୋଇ ରହିବାକୁ ତୁମକୁ ଏତେ ଭଲ ଲାଗୁଚି କାହିଁକି ?

 

ଘାସିରାମ :

 

୧) ତୁମର ସମୟ ତୁମ ନିଜ ହାତରେ । ଆପଣାର କ୍ଷତି କରିବାକୁ ଇଚ୍ଛାକଲେ ତୁମେ ତାକୁ ନଷ୍ଟ କରିପାରିବ, ଆପଣାର ବିକାଶ ଚାହୁଥିଲେ ସମୟର ସଦ୍‍ବ୍ୟବହାର ମଧ୍ୟ କରିପାରିବ । କୌଣସି ଭୟକୁ ମନରେ ରଖି ବିଦ୍ୟା ଅର୍ଜନ କରିବା ଏ ବୟସରେ ଆଉ ଶୋଭା ପାଉନାହିଁ । ଆପଣାର ଉନ୍ନତି ଲାଗି, ଜଗତରେ ଜଣେ ଭଲ ମଣିଷ ହେବାଲାଗି ଖୁସୀ ହୋଇ ବିଦ୍ୟାର୍ଜନ କରିଶିଖ ।

 

୨) ଶରୀରଶ୍ରମ କରିବା ଅର୍ଥ କାହାପାଖରେ ବାଧ୍ୟ ହୋଇ ବେଠି ଖଟିବା ନୁହେଁ । ଆପଣା ଶରୀରକୁ ଅଧିକ ସହଜ ଓ ମନକୁ ବିକାରମୁକ୍ତ କରିବାଲାଗି ଏହା ଆବଶ୍ୟକ । ଆପଣାର ରୁଚିକୁ ଅଧିକ ସୁନ୍ଦର କରିବାଲାଗି ମନ ଦେଇ ଶ୍ରମ କରିବା ଉଚିତ ।

 

ମଦନ :

 

୧) ତୁମଠାରୁ ସମସ୍ତଙ୍କର ସ୍ନେହଶ୍ରଦ୍ଧା କମିଯାଉଚି ବୋଲି ତୁମେ କାହିଁକି ଭାବୁଚ ? ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ମଣିଷର ଆପଣାପ୍ରତି ବିଶ୍ଵାସ ବଢ଼ିବା ଉଚିତ । ସେହି ବିଶ୍ଵାସ ଅର୍ଜନ କରିବା ତୁମର ଏପର୍ଯ୍ୟନ୍ତ ବାକି ରହିଚି । ସେଥିପାଇଁ ପରିଶ୍ରମ କଲେ ମଧ୍ୟ ଭିତର ମନ ନାନା ଶଙ୍କା ଓ ସଙ୍କୋଚରେ ତୁମକୁ ଅଟକାଇ ରଖିଚି । ଯିଏ ତୁମକୁ ଭଲ ପାଏ, ସିଏ ତୁମର କଲ୍ୟାଣ ହିଁ କାମନା କରେ । କଲ୍ୟାଣ ହେବାକୁ ସମ୍ଭବ କରିବାଲାଗି ଅନେକ ସମୟରେ ଦୃଢ଼ତାର ଆବଶ୍ୟକତା ମଧ୍ୟ ରହିଥାଏ । ନିଜକୁ ଛୋଟ ବୋଲି ଭାବୁଥିବା ପର୍ଯ୍ୟନ୍ତ ତୁମେ ଆପଣାକୁ ଏହିପରି ଅସହାୟ ମନେ କରୁଥିବ ।

 

ଲମ୍ବୋଦର :

 

୧) ଆରବର୍ଷ ଯେମିତି ମନରେ ଭୟ ରଖି ପାଠ ପଢ଼ୁଥିଲ, ଏବର୍ଷ ମଧ୍ୟ ସେମିତି ପଢ଼ୁଥିବାର ଅନୁମାନ ହେଉଚି । ତଦ୍ଦ୍ୱାରା ତୁମେ ଆପଣା ଭିତରେ ରହିଥିବା ଶକ୍ତିକୁ ଚିହ୍ନି ପାରୁନାହଁ-। ତୁମକୁ ଭୟ ଦେଖାଇବାଲାଗି ଏଠାରେ କେହି ନାହାନ୍ତି । ଜୀବନରେ ଜଣେ ତେଜସ୍ଵୀ ମଣିଷ ହେବାର ଉଦ୍ୟମରେ ଏହି ବିଦ୍ୟାଳୟ ତୁମକୁ ସହଯୋଗ ହିଁ କରିବ । ଆତ୍ମଶୃଙ୍ଖଳା ହେଉଚି ସବୁଠାରୁ ବଡ଼ ଶୃଙ୍ଖଳା । ତେଣୁ ଏଣିକି ଆପଣାର ସମୟ ଓ ଶକ୍ତିକୁ ଶୃଙ୍ଖଳିତ କରିବାର ଦାୟିତ୍ଵ ତୁମେ ନିଜେ ଗ୍ରହଣ କର ।

 

ହରିବନ୍ଧୁ :

 

୧) ତୁମ ଭିତରେ ଅନେକ ଯୋଗ୍ୟତା ଅଛି, ଅନେକ ଆଳସ୍ୟ ମଧ୍ୟ ଅଛି । ଏହି ଦ୍ଵନ୍ଦ ଭିତରେ ପଡ଼ି ତୁମେ ତୁମ ସମୟର ସଦ୍‍ବ୍ୟବହାର କରି ପାରୁନାହିଁ । ଦିନପରେ ଦିନ କେବଳ ନଷ୍ଟ କରି ହିଁ ଚାଲିଚ । ଅନ୍ୟ ସ୍କୁଲରେ ହୁଏତ ସମସ୍ତେ ତୁମକୁ ପଢ଼ିବାକୁ ବାଧ୍ୟ କରୁଥିଲେ । ଏଠାରେ ତୁମର ଆପଣା ମନର ଖୁସିରେ ଜୀବନ ବଞ୍ଚି ଶିଖିବା ଉଚିତ ।

 

୨) ଅନ୍ୟର ମନ ଖୁସୀ କରିବାକୁ ବା ଅନ୍ୟର ମଜା ଲାଗି ଖେଳନା ହେବାକୁ ଚେଷ୍ଟା କର ନାହିଁ । କେବଳ ଏତିକି ହେବାଠାରୁ ତୁମ ଜୀବନର ମୂଲ୍ୟ ଅନେକ ବେଶୀ । ଆପଣାର ବିକାଶ ଲାଗି ସବୁ ଶକ୍ତି ଓ ସମୟ ନିୟୋଜିତ କରି ଶିଖ ।

 

ଶ୍ୟାମ :

 

୧) ଆପଣାର ଶରୀରକୁ ଅସୁନ୍ଦର ମନେକରି ଆପଣାର ମନଟାକୁ ତୁମେ ଏତେ ଛୋଟ କରି ପକାଉଚ କାହିଁକି ? ତୁମ ଶରୀର ତୁମର ସର୍ବସ୍ଵ ନୁହେଁ,–ମନ ଓ ହୃଦୟର ସମୁଚିତ ବିକାଶ କରିବା ସଙ୍ଗେ ସଙ୍ଗେ ଶରୀରପ୍ରତି ରହିଥିବା ତୁମର ଦୃଷ୍ଟିରେ ଅନେକ ପରିବର୍ତ୍ତନ ଘଟିପାରିବ । ନିଜର ବାହାରଟାକୁ ନେଇ ଏତେ ସନ୍ତପ୍ତ ହୋଇ ପଡ଼ନାହିଁ ।

 

୨) ତୁମର ଅକ୍ଷର ବଡ଼ ଅସୁନ୍ଦର । ଏଥିରୁ ଏକ ଅପରିତୃପ୍ତ ମନର ସୂଚନା ମିଳୁଚି । ସବୁବେଳେ ତୁମେ ଅନ୍ୟମାନଙ୍କ ସହିତ ଆପଣାର ତୁଳନା କରୁଚ ଓ ଆପଣାକୁ ଛୋଟ ମନେକରୁଚ । ଯିଏ ଆପଣାକୁ ପ୍ରକୃତ ସମାନ ଦେଇ ଶିଖିବ, ଅପରର କଥାରେ ସିଏ କେବେହେଲେ ଏତେଦୂର ମ୍ରିୟମାଣ ହୋଇ ପଡ଼ିବ ନାହିଁ ।

 

କେଶବ :

 

୧) ଖାଲି ବଡ଼ ହେବାକୁ କହିଲେ ମଣିଷ ବଡ଼ ହୋଇଯାଏ ନାହିଁ । ଆପଣାର ଛୋଟ କାମରେ ଅଧିକ ଶୃଙ୍ଖଳିତ ଓ ସୁନ୍ଦର ହୋଇ ମଣିଷ ବଡ଼ ହେବାର ମୂଳଦୁଆ ତିଆରି କରେ ।

 

୨) ତୁମ ଲେଖାରେ ମୋଟେ ଉନ୍ନତି ହେଉ ନାହିଁ । ଲେଖିବାରେ ମଧ୍ୟ ସଂଯମ ଦରକାର । ବଡ଼ ବଡ଼ ଭାବନାକୁ ମୁଣ୍ଡରେ ପୁରାଇ ତୁମେ ଏତେ ବେଶୀ ବିହ୍ଵଳ ହୋଇପଡ଼ୁଚ ଯେ ତାକୁ ଭାଷା ଦେବାର ଶକ୍ତି ଆଉ ରହୁନାହିଁ । ବିଚାରରେ ଲଗାମ ଲଗାଇବାକୁ ହେବ ।

 

ଭାସ୍କର :

 

୧) ତୁମର ସରସ ମନ ଏଠି ସମସ୍ତଙ୍କୁ ଆନନ୍ଦ ଦେଇଚି । ତଥାପି ସମୟର ସୁଅରେ ବ୍ୟବହାର କରି ଶିଖିବାକୁ ପଡ଼ିବ ।

 

୨) ଏପର୍ଯ୍ୟନ୍ତ ତୁମର ମନ ଭିତରେ ଶିକ୍ଷକଙ୍କ ପ୍ରତି ଭୟ ରହିଚି । ଭଗବାନଙ୍କଠାରେ ଓ ଆପଣାଠାରେ ଯେତିକି ବିଶ୍ଵାସ ବଢ଼ିବ, ଏହି ଭୟ ସେତିକି କମିଯିବ ।

 

ସୀତାନାଥ :

 

୧) ତୁମର ମନଭିତରେ ଗୋଟାଏ ଭୀରୁ ବସା ବାନ୍ଧି ରହିଲାଣି । ସେଥିଲାଗି ତୁମେ ଜୀବନରେ ସବୁ ଦାୟିତ୍ଵ ଏହି ପଳାଇବାକୁ ଭଲ ପାଉଚ । ଶିକ୍ଷାର୍ଥୀ ପକ୍ଷରେ ଏପରି ମନ ବଡ଼ ଆପଦଜନକ ।

 

୨) ତୁମର ଆଳସ୍ୟ ତୁମର ବିକାଶକୁ କାମୁଡ଼ି ଧରିଚି । ବୟସରେ ବଢ଼ିଲେ ମଧ୍ୟ ତୁମେ ଏପର୍ଯ୍ୟନ୍ତ ଆଳସ୍ୟର ଦାସ ହୋଇ ରହିଚ । ଦେହଟା ମଧ୍ୟ ଏହି ଆଳସ୍ୟର କବଳରେ ପଡ଼ିଗଲାପରି ଲାଗୁଚି ।

 

୩) ତୁମର ଲେଖାପଢ଼ା, ବିଚାର ବା କଥାରେ କୌଣସି ସଂଯମ ବା ଶୃଙ୍ଖଳା ନାହିଁ । ନିଜ ଜୀବନକୁ ଏକ ସ୍ଥାୟୀ ସମ୍ପଦ ହିସାବରେ ତୁମେ ଭାବି ଶିଖି ନାହଁ । ଏହାକୁ ମୁଁ କେବଳ ଆତ୍ମଦ୍ରୋହ ବୋଲି କହିବି । ନାନା ଯୁକ୍ତି ଓ ଭ୍ରମର ଦ୍ଵାହି ଦେଇ ତମେ ଆପଣାର ହାନି କରି ଚାଲିଚ-। ଯଦି ଛାତ୍ର ବିଦ୍ୟାଳୟରେ ରହି ମଧ୍ୟ ନ ରହିଥିଲା ପରି ଆଚରଣ କରେ, ତେବେ ବିଦ୍ୟାଳୟ ମଧ୍ୟ ଛାତ୍ରର କଣ କରିପାରିବ ?

 

ନବଘନ :

 

୧) ତୁମେ ଯାହାକୁ ସ୍ଵାଧୀନତା ବୋଲି ଭାବୁଚ, ତାହା ପ୍ରକୃତରେ ସ୍ଵାଧୀନତା ନୁହେଁ । ଏହା କେବଳ ଶୂନ୍ୟତା । କୌଣସି ଛାତ୍ର ଶୂନ୍ୟତାକୁ ଆପଣାର ଗୌରବ ବୋଲି ଗ୍ରହଣ କରେ ନାହିଁ । ଏହି କଥା ତୁମର ଏଣିକି ଭାବିଶିଖିବା ଉଚିତ ।

 

ଉର୍ବଶୀ :

 

୧) ଭାଇ ଭଉଣୀର ବା ଭଉଣୀ ଭାଇର କେବଳ ଦେହଟାକୁ ଦେଖେ ନାହିଁ । ଆଖିଟା ଦେହ ଉପରେ ରହିଥିବା ପର୍ଯ୍ୟନ୍ତ ଆଗ୍ରହଟା ଅତି ନୀଚ ହୋଇ ରହେ ଓ ପଦେ ପଦେ ମଣିଷର ଗୋଡ଼ ଖସେ । ପ୍ରତିବାଦ କରିବାର ବା ଆପଣାର ମନୋଭାବକୁ ଟାଣ କରି ପ୍ରକାଶ କରିବାର ଶକ୍ତି ରହେନାହିଁ । ତଦ୍ଦ୍ୱାରା ଆପେ ଅନେକ ଦୁର୍ଦ୍ଦଶାରେ ପଡ଼ିବାଟା ହିଁ ସାର ହୁଏ ।

 

୨) ଏହି ବିଦ୍ୟାଳୟରେ ସମସ୍ତେ ତମର ଭାଇ । ତେଣୁ ଯେପର୍ଯ୍ୟନ୍ତ ସମସ୍ତଙ୍କ ପ୍ରତି ତୁମର ବ୍ୟବହାର ମିଷ୍ଟ ଓ ସରଳ ହୋଇ ରହିଥିବ, ସେପର୍ଯ୍ୟନ୍ତ ତୁମକୁ କେହି ଅବାଟକୁ ଖସାଇ ନେବେ ନାହିଁ । ଝିଅର ମଧ୍ୟ ତା’ର ଜୀବନକୁ ଗଢ଼ିବାର ଅଧିକାର ଅବଶ୍ୟ ରହିଚି, ଆପଣା ଜୀବନରେ ଏକଥା କରିବାଲାଗି ତୁମକୁ ଏହି ବିଦ୍ୟାଳୟରେ ପ୍ରସ୍ତୁତ ହେବାକୁ ହେବ ।

 

ବରଷକ ପରେ ଏହି ସୋପାନରେ ପିଲାମାନଙ୍କୁ ଯେଉଁ ଟିପା ଦିଆଯାଇଥିଲା, ସେଥିରୁ କେତୋଟି ନିମ୍ନରେ ଦେବା ମୁଁ ଉଚିତ ମନେ କରୁଚି ।

 

ସୀତାନାଥ :

 

୧) ଅଧ୍ୟୟନ ଆହୁରି ବଢ଼ିବ ଓ ବ୍ୟାପକ ହେବ । ଅଧିକ ଶୃଙ୍ଖଳିତ ଓ ନିୟମିତ ଜୀବନ ଆବଶ୍ୟକ । ତଥାପି ଆପଣା ଉପରେ ଜୋର କରି କିଛି ଲଦିବା ଉଚିତ ନୁହେଁ, ଏହା ଆତ୍ମଗ୍ଲାନିର ହିଁ ପରିଚୟ ଦେବ । ଜୀବନକୁ ଛନ୍ଦୋମୟ ଓ ସୁନ୍ଦର କରିବା, ବିକାଶକୁ ଏକ ସ୍ଵାଭାବିକ ରୀତିରେ ପକାଇବା ହେଉଚି ବିଦ୍ୟାଦ୍ଵାରା ଦୀପ୍ତ ହେବାର ଅତି ବଡ଼ ଲକ୍ଷଣ ।

 

ମଦନ :

 

୧) ଅଧ୍ୟୟନ ଯଥେଷ୍ଟ ହେଉଚି, ତଥାପି ଶୃଙ୍ଖଳାବଦ୍ଧ ହୋଇ ନାହଁ । ତେଣୁ ଜୀବନରୁ ଅନେକ ସ୍ଫୃର୍ତ୍ତି ଚାଲିଯାଉଚି । ଗୁଡ଼ାଏ ଖଟୁଚ, କିନ୍ତୁ ଜୀବନ ଗଢ଼ିବାର ଓ ଆଗକୁ ଯିବାର ଆନନ୍ଦ ଅନୁଭବ କରି ପାରୁନାହିଁ । ତୁମର ମନ ଉପରେ ଅନେକ ଭୟ ଆବରଣ ପରି ହୋଇ ରହିଚି ।

 

ଦିବାକର :

 

୧) ଜୀବନକୁ ଆହୁରି ଗଭୀର ଭାବେ ଅନୁଭବ କରିବା ଉଚିତ । ସେଥିଲାଗି ଗଭୀରତର ଚିନ୍ତନ ଓ ଅଧ୍ୟୟନ ଦରକାର । ମନରେ ଯଥେଷ୍ଟ ଦୃଢ଼ତା ନଥିବାରୁ ତାହା ହୋଇ ପାରୁନାହିଁ । ହାତରୁ ଲଗାମ ଚାଲିଯିବାପରି ଲଗୁଚି । ଯିଏ ଆପଣାର ଶକ୍ତି କାମରେ ନ ଲଗାଏ, ତାକୁ ଅତି ଦରିଦ୍ର ଓ ଦୁର୍ଭାଗ୍ୟ ବୋଲି କହିବାକୁ ହେବ । ଭଗବାନଙ୍କ ଉପରେ ଅର୍ଥାତ୍ ଆପଣାର ଉତ୍ତରୋତ୍ତର ବିକାଶ ଉପରେ ପ୍ରଗାଢ଼ ଶ୍ରଦ୍ଧା ରହିବା ଦରକାର ।

 

୨) ମଝିରେ ମଝିରେ ଆପଣା ମନେମନେ ତୁମେ ଏପରି ଉତ୍ତେଜିତ ହୋଇପଡ଼ କାହିଁକି ? ସେତିକିବେଳେ ସବୁ ଦୁଶ୍ଚିନ୍ତା ଓ ଦୁଷ୍ପ୍ରବୃତ୍ତି ତୁମକୁ କାମୁଡ଼ି ପକାଏ । ତେଣେ ହୃଦୟର ଦ୍ଵାର ବନ୍ଦ ହୋଇଯାଏ । ତୁମେ ଜୀବନର ସବୁ ସୌନ୍ଦର୍ଯ୍ୟ ହରାଇବସ । ଯିଏ ତୁମ ସହିତ ଅଧିକ ପରିଚୟରେ ଆସିଥାଏ, ସିଏ ହଠାତ୍ ତୁମର ଏହି ହିଂସ୍ରତା ଦେଖି ଆଶ୍ଚର୍ଯ୍ୟ ହୋଇଯାଏ । ଏହି ଅକାରଣ ହିଂସ୍ରତା ତୁମକୁ ବୋଝ ପରି ବୋଧ ହୁଏ ନାହିଁ କି ?

 

ଭାସ୍କର :

 

୧) ଆରବର୍ଷ ଯେପରି ଉତ୍ସାହରେ କାମ ଆରମ୍ଭ କରିଥିଲ, ଏବର୍ଷ ତାହା ଦେଖାଯାଉ ନହିଁ । ବୟସ ବଢ଼ିଲେ ଅନେକଙ୍କର ଆଗ୍ରହ ଏହିପରି ଦନ୍ଥରା ହୋଇଯାଏ । ସଂସାରର ବିଷୟଜଞ୍ଜାଳ ଟାଣିଲେ ପିଲାଦିନର ଉତ୍ସାହ ମରିଯାଏ । ବିଦ୍ୟାର୍ଜନ ଆଉ ସୁଆଦ ଲାଗେ ନାହିଁ । ତୁମକୁ ସେହି ଦଶା ପଡ଼ିଚି କି ?

 

୨) ଅସୁସ୍ଥତା ନେଇ ବେଶୀ ଭାବିଲେ ମନରୁ ବିଶ୍ଵାସ ତୁଟିଯାଏ । “ମୋ’ର ଜୀବନ ମଧ୍ୟ ଦେଇ ଭଗବାନ ଅନେକ ଚମତ୍କାର ଦେଖାଇବାକୁ ଚାହାନ୍ତି, ମୋତେ ସେ ସେଇଥିଲାଗି ବଞ୍ଚାଇ ରଖିଚନ୍ତି’’ ପ୍ରତ୍ୟେକ ଛାତ୍ରର ସବୁବେଳେ ଏହିପରି ଏକ ଗୌରବବୋଧ ରହିବା ଉଚିତ ।

 

୩) କଳି କରିବାର ମନୋବୃତ୍ତି ଟିକିଏ ଟିକିଏ ରହିଚି । ସମ୍ଭବତଃ ସେଥିଲାଗି ତୁମର ଦେହ ବେଳେବେଳେ ତୁମ ମନ ସହିତ କଳି କରି ବସେ, ତୁମର ଦୈନନ୍ଦିନ କାର୍ଯ୍ୟକ୍ରମ ତୁମର ଜୀବନଯୋଜନା ସହିତ କଳି କରେ । ତେଣୁ ହାତରୁ ଲଗାମ ଚାଲିଯାଏ ।

 

କୃଷ୍ଣଚନ୍ଦ୍ର :

 

୧) ବାଧ୍ୟ ହୋଇ ଏଠାରେ ରହିଲା ପରି ମନେହୁଏ । ମନ ଅନ୍ୟ ଆଡ଼େ ଅରକ୍ଷିତଙ୍କ ପରି ବୁଲୁଥାଏ । ଆପଣା ଜିନିଷ, ଲୁଗାପଟା ଓ ଦେହ ଯେପରି ଯତ୍ନହୀନ ହୋଇ ପଡ଼ିଥାଏ, ସେଥିରୁ ମନେହୁଏ ଯେ ତୁମେ ଜଗତରେ ଶ୍ରଦ୍ଧାର ସ୍ଵାଦ ହିଁ ପାଇନାହଁ ।

 

କେଶବ :

 

୧) ତୁମର ଶକ୍ତି ଅନୁସାରେ ତୁମେ ସବୁ କରୁଚ ବୋଲି ଭାବୁଚ । କିନ୍ତୁ ପ୍ରକୃତରେ ତୁମେ ତୁମ ଶକ୍ତିର କଳନା କରି ପାରିନାହଁ । ତୁମେ ଆହୁରି ଅନେକ କରିପାରନ୍ତ । ଅଧ୍ୟୟନ ଆହୁରି ଗଭୀର ହୋଇପାରନ୍ତା । ତୁମର ମନ ଓ ହୃଦୟ ଆହୁରି ଅଧିକ ବିକଶିତ ହୋଇ ପାରନ୍ତା । ମନ ଭିତରେ ତୁମେ ଅନେକ ସମୟରେ ସହଜ ହୋଇ ପାରୁନାହଁ । ଅନେକ ପ୍ରକାରର ଭାବନା ତୁମକୁ ଅଣନିଃଶ୍ଵାସୀ କରି ପକାଇଲା ପରି ଲାଗୁଚି । ତଦ୍ଦ୍ୱାରା ବିକାଶର ବାଟରେ ବାଧା ପହଞ୍ଚୁଚି ।

 

୨) କୌଣସି ବିଚାର ବା ବାଟକୁ ଆଉଜିପଡ଼ିବା ମଣିଷର ଧର୍ମ ନୁହେଁ । ମଣିଷ ଦୃଢ଼ ରହି, ଝୁଣ୍ଟି ପଡ଼ି ନିଜର ବାଟ ନିଜେ ତିଆରି କରିବା ଦରକାର । ମଣିଷ ଆପଣା ଜୀବନରେ ଆପେ ଯେତିକି ଆବିଷ୍କାର କରେ, ସେତିକି ହେଉଚି ତା’ର ଯଥାର୍ଥ ଜ୍ଞାନ । ନିଜ ଉପରେ ଅଧିକ ବିଶ୍ଵାସ ରଖିପାରିଲେ ତୁମେ ଏକଥା ଅନୁଭବ କରିପାରିବ ।

 

ସୁଧାକର :

 

୧) ମନରେ ଭେଦବୁଦ୍ଧି ନେଇ ସଂସାରକୁ ଦେଖୁଚ ବୋଲି ତୁମେ କେତେବେଳେ ହେଲେ ସୁଖୀ ହୋଇ ପାରୁନାହଁ । ତୁମର ହୃଦୟକୁ ସର୍ବଦା ଏକ କ୍ଷୟକାରୀ ଇଚ୍ଛା ମାଡ଼ି ବସିଚି । ତେଣୁ ତୁମର ବିକାଶଚେଷ୍ଟା ତୁମକୁ ଅଧିକରୁ ଅଧିକ ହୀନ ଓ ଗ୍ଲାନିଜର୍ଜରିତ କରିରଖିଚି । ଅତିଲାଳନଗ୍ରସ୍ତ ଏକ ଶୈଶବଜନିତ ଦୁର୍ଦ୍ଦଶା ତୁମେ ବର୍ତ୍ତମାନ ଭୋଗ କରୁଚ । ମନ, ହୃଦୟ ଓ ଜୀବନ ଅତି ସହଜ ହେବା ଦରକାର । ତା’ ନହେଲେ ବାହାରେ ଯେତେ ପାଗ ବାନ୍ଧି ସରଗରମ ହୋଇ ରହିଥିଲେ ମଧ୍ୟ ମନ ଭିତରେ ତୁମେ ଛାତ୍ର ହିଁ ହୋଇ ପାରିବ ନାହିଁ ।

 

୨) ମନ ନିର୍ମଳ ନୁହେଁ । ଯେତିକି କହିବାର କଥା, ତୁମେ ତା’ଠାରୁ ଅଧିକ କହିପକାଅ-। ଏଣୁ ତୁମ ବ୍ୟକ୍ତିତ୍ଵରୁ ଲଗାମ ଛାଡ଼ିଯାଏ । ତୁମେ ଯାହାକୁ ମୁଣ୍ଡରୋଗ ବୋଲି କହି ସାନ୍ତ୍ଵନା ପାଉଚ, ତାହା ତୁମର ଅଶାନ୍ତ ଅସଂଯତ ମନର ରୋଗ ଛଡ଼ା ଆଉ କିଛି ନୁହେଁ ।

 

୩) ଆପଣାନେଇ ଅତି ବ୍ୟସ୍ତ ରହିବାଦ୍ଵାରା ତୁମେ ଜୀବନରେ ଅତ୍ୟାବଶ୍ୟକ ସମାଜିକତାର ଜ୍ଞାନ ହରାଇ ବସ । ଜଗତଟାକୁ ଯିଏ କେବଳ ଆପଣା ଦର୍ପଣରେ ଦେଖେ, ସିଏ ଜଗତରେ ସବୁ ଖୁସୀରୁ ବଞ୍ଚିତ ହୁଏ । ତୁମେ ସେହି ଦୁଃଖରେ ଦୁଃଖୀ ।

 

୪) ଏଠାରେ ଛାତ୍ର ହେବାକୁ ଚେଷ୍ଟା କର । ଦେଖିବ, ସମସ୍ତେ ତୁମକୁ ଭଲ ପାଅନ୍ତି ଓ ତୁମର ଭଲ ଚାହାନ୍ତି ।

 

ନବଘନ :

 

୧) ତୁମ ପାଠପଢ଼ାରେ ପ୍ରଗତି ଅପେକ୍ଷା ତୁମର ମନ ଆମ ସମସ୍ତଙ୍କଲାଗି ଅଧିକ ଚିନ୍ତାର ବିଷୟ ହୋଇଚି । ନିଜର ଅଭାବଗୁଡ଼ିକ ବିଷୟରେ ଏପରି ଜର୍ଜର ଓ ପାଶଗ୍ରସ୍ତ ହୋଇ ରହିଚ ଯେ କେହି ତୁମ ବିଷୟରେ ଅନ୍ୟକିଛି ସୂଚନା ଦେଲେ ବା ତୁମକୁ ଅନ୍ୟ ବାଟକୁ ଆଣିବାକୁ ଚେଷ୍ଟା କଲେ ତୁମେ ଫଅଁ କରି ଉଠୁଚ । ଜୀବନକୁ ବଡ଼ କରି ଗଢ଼ିବାର ବାଣିଜ୍ୟ ଏ ନୁହେଁ ।

 

୨) ତୁମଠାରୁ ଅଧିକ ଅଭାବଗ୍ରସ୍ତ ଅନେକ ଯୁବକ ଆଜି ଆଗକୁ ଚାଲିଚନ୍ତି । ତୁମେ ଏଠାରେ ଯେତିକି ସୁବିଧା ପାଉଚ, ଅନେକେ ସେତିକି ମଧ୍ୟ ପାଉନାହାନ୍ତି । ତଥାପି ତୁମର ଦିନମାନ କେବଳ ଜୀବନ ବିରୁଦ୍ଧରେ ଅଭିଯୋଗ କରି ଚାଲିଯାଉଚି । ଦାରିଦ୍ର୍ୟର ପ୍ରତିଶୋଧ ନେବାକୁ ଯିଏ ତିଆରି ହେବ, ତାକୁ ଆପଣାର ଦାରିଦ୍ର୍ୟକୁ ଭୁଲିଯିବାକୁ ହିଁ ପଡ଼ିବ । ଏହାହିଁ ସର୍ବୋତ୍କୃଷ୍ଟ ବିପ୍ଳବର ରୀତି ।

 

ରମେଶ :

 

୧) ତୁମର ଉଦ୍ୟମ ଓ ଆଗ୍ରହ ପ୍ରଶଂସାର ଯୋଗ୍ୟ । ତଥାପି ତୁମଦ୍ଵାରା ଆହୁରି ଦଶଗୁଣ ସମ୍ଭବ ହୋଇ ପାରିବ । ଅଧ୍ୟୟନକୁ ଆହୁରି ଗଭୀର କର । ଯେଉଁଠି କିଛି କହିବାର ସୁଯୋଗ ମିଳୁଚି, ତାକୁ କଦାପି ଛାଡ଼ ନାହିଁ । ବ୍ୟକ୍ତିଗତ ରଚନା, ବିଶେଷ କରି ଗଳ୍ପ ଓ କବିତା ରଚନାରୁ ତୁମ ଭିତରେ ଅନେକ ସମ୍ଭାବନା ରହିଥିବାର ସୂଚନା ମିଳୁଚି । ତାହାର ବିକାଶ ପାଇଁ ନୀତି ପ୍ରସ୍ତୁତ ହୁଅ ।

 

ଘାସିରାମ :

 

୧) ଭଲ ପିଲା ବୋଲି ଦେଖାଇ ହେବାକୁ ତୁମକୁ କେହି କହୁନାହିଁ । ତୁମର ବିକାଶ ହେଉ, ସମସ୍ତେ ଏହାହିଁ ଚାହାନ୍ତି । କାମ, ପାଠ, ବ୍ୟବହାର ଓ ଜୀବନଯାପନରେ ଯିଏ ଭଲ ଆଗ୍ରହ ଓ ଭଲ ଅଭ୍ୟାସର ପରିଚୟ ଦେଇ ପାରିବ, ଏହି ଅନୁଷ୍ଠାନରେ ସେ ଯୋଗ୍ୟ ଛାତ୍ର ହୋଇ ରହିବ । ତୁମେ ଏପର୍ଯ୍ୟନ୍ତ ଏପରି ପରିଚୟ ଦେଇ ପାରିଲ ନାହିଁ । ଏହି ବିଷୟରେ ଅନ୍ୟ କୌଣସି ମାନାଭିମାନ ନ କରି କାମରେ ଦେଖାଇବାକୁ ଚେଷ୍ଟା କର ।

 

ଏହି ପର୍ଯ୍ୟାୟଟି ଶେଷ କରିବା ପୂର୍ବରୁ ଏକାଦଶ ସୋପନର ପିଲାଙ୍କୁ ଦିଆଯାଇଥିବା କେତୋଟି ମନ୍ତବ୍ୟ ମୁଁ ଏଠାରେ ଦେଉଚି । ଏକାଦଶ ସୋପାନ ଅର୍ଥାତ୍ ଜଙ୍ଗଲ ସ୍କୁଲର ତୃତୀୟ ବର୍ଷ ।

 

ଚୈତନ୍ୟ :

 

୧) ଗୁଡ଼ାଏ ଭୂଷଣ ଖଞ୍ଜିଦେଲେ ମଣିଷର ଶୋଭା ବଢ଼େନାହିଁ । କୃତ୍ରିମ ମନ ହିଁ କୃତ୍ରିମ ଭୂଷଣ ଖୋଜିବାକୁ ଯାଏ । ତୁମର ଭାଷା, ଲେଖା ଓ କଥାରେ ତୁମେ ଅତି ଭୂଷଣପ୍ରିୟ । ଆଚରଣରେ ତାହାର ଖରାପ ପ୍ରଭାବ ପଡ଼ିବାକୁ ଆଉ କେତେ ବାକି ? ତୁମର ବିଚାର ଯେ କ୍ରମେ ପରିପକ୍ଵ ହେଉନାହିଁ, ଏହି କୃତ୍ରିମତା ତାହାର ପ୍ରମାଣ ଦେଉଚି ।

 

୨) ସବୁ ଭୋଗକୁ ପରିତ୍ୟାଗ କରି ମଧ୍ୟ ଯୋଗୀ ତା’ର ମନ ଭିତରେ ପରମ ଭୋଗୀ ହୋଇପାରେ । ବାହାରକୁ ଯେତେ ସରଳ ଦିଶିଲେ ମଧ୍ୟ ଭିତରେ ତୁମର ମନ ଯେପରି ଭାରି ପୋଷାକୀ ହେବାକୁ ମନ ବଳାଉଚି । ସାବଧାନ ହେବାର ବେଳ କ୍ରମେ ଗଡ଼ିଯାଉଚି । ଏହି ପୋଷାକୀ ମନର ଅତ୍ୟାଚାର ତୁମର ଧର୍ମ, କର୍ମ ଓ ଅର୍ଜନକୁ ଅଶୁଦ୍ଧ ଓ ଅସ୍ଵାଭାବିକ କରି ପକାଉଚି-

 

ଦାଶରଥି (ଦାସ) :

 

୧) ଅଳସୁଆ ମଣିଷ ପରିସ୍ଥିତିର ନିନ୍ଦା କରେ । ନିଜର ଦିନଲିପିରେ ତୁମେ କେବଳ ସବୁ କ୍ଷେତ୍ରରେ ଅଭାବଗୁଡ଼ାକ ହିଁ ଦେଖାଇ ଆସିଚ । ଏପରି ପ୍ରକୃତି ରହିଲେ ତୁମେ କଦାପି ଆପଣାର ଅଭାବ ପୂରଣ କରି ପାରିବ ନାହିଁ । ତୁମର ଅନେକ ସାଥୀ ଏଠାରେ ଯେତେ ଅର୍ଜନ କରି ପାରିଚନ୍ତି, ଦୋଷ ଦେଖାଇବାର ଆଳସ୍ୟବୃତ୍ତି କରି ତୁମେ ତାହାର ଗୋଟାଏ ଅଂଶ ମଧ୍ୟ କରି ପାରିନାହଁ । ଗତ ମାସରେ ତୁମଠାରେ କିଞ୍ଚିତ ପରିବର୍ତ୍ତନର ସୂଚନା ଅବଶ୍ୟ ମିଳିଚି । ଏହି ପରିବର୍ତ୍ତନ ସ୍ଥାୟୀ ହେବ ବୋଲି ଆଶା କରାଯାଏ ।

 

ବଂଶୀ :

 

୧) ଅଧ୍ୟୟନର ପ୍ରବୃତ୍ତି ବେଶ୍ ହୋଇଚି । ତଥାପି ବିଚାରରେ ଯଥେଷ୍ଟ ସଂଯମ ଓ ଶୃଙ୍ଖଳା ଆସିନାହିଁ । ତାହା କ୍ରମେ ଆସିବ ବୋଲି ଆଶା ରହିଲା । ଅନେକ ସମୟରେ ତୁମର ଏକଜିଦିଆ କଥା ମୋତେ ଆଶ୍ଚର୍ଯ୍ୟ କରିଚି । ଜିଦ୍ ଉପରେ ବିଚାରର ବିଜୟ ମଣିଷ ଭିତରେ ବିଦ୍ୟାର ପରିଚୟ ଦିଏ । ତୁମର ଅଧ୍ୟୟନ ଉତ୍ତମ ଫଳର ଅଧିକାରୀ ହେଉ ।

 

କୃଷ୍ଣା :

 

୧) ଚେରଛିଣ୍ଡା ଜୀବନ ମଣିଷକୁ ଖୁବ୍ ବେଶୀ ଦୂରକୁ ନେଇ ପାରେ ନାହିଁ । ମନକୁ ଅଧିକ ଗ୍ରହଣଶୀଳ, ବୁଦ୍ଧିକୁ ଅଧିକ ରଚନାତ୍ମକ ଓ ହୃଦୟକୁ ଅଧିକ ପ୍ରୀତିପୂର୍ଣ୍ଣ କରିବାକୁ ହେଲେ ଜୀବନରେ ଅଧିକ ବ୍ୟବସ୍ଥିତତା ଆବଶ୍ୟକ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ତୁମେ ଏହା ଅନୁଭବ କରୁଚ ବୋଲି ଆଶା କରାଯାଏ ।

 

୨) ତୁମେ ଏପର୍ଯ୍ୟନ୍ତ ଆପଣାକୁ ଖଟାଇ ପାରିନାହଁ । ଏପର୍ଯ୍ୟନ୍ତ ତୁମର ଯାହା ହୋଇଚି, ସେଥିଲାଗି ବାତାବରଣକୁ ପ୍ରଧାନ ଗୌରବ ଦେବାକୁ ହେବ । କିନ୍ତୁ ଆପଣାକୁ କୌଣସି ନିର୍ଦ୍ଦିଷ୍ଟ ସାଧନାକ୍ରମରେ ନ ପକାଇବା ପର୍ଯ୍ୟନ୍ତ ତୁମେ ସନ୍ତୋଷ ପାଇବ ନାହିଁ ।

 

୩) ସାହିତ୍ୟ ଲାଗି ତୁମଠାରେ ଅନେକ ସମ୍ଭାବନା ରହିଚି । ଅଧାପନ୍ତରିଆ ଆଗ୍ରହ ଓ ଆଳସ୍ୟପରାୟଣ ଅଭ୍ୟାସ ଯେପରି ସେହି ସମ୍ଭାବନାକୁ ମାରି ନ ଦିଏ ।

 

ଆମୋଦ :

 

୧) ଏବର୍ଷର ଆରମ୍ଭରୁ ତୁମେ ଅନେକ ଶୁଦ୍ଧ ମନ ଓ ଶୁଭ ପ୍ରେରଣା ନେଇ ଜୀବନ ଆରମ୍ଭ କରିଚ । ସେଥିଲାଗି ଅଶେଷ ଧନ୍ୟବାଦ । ଏହି ପ୍ରେରଣାକୁ ସ୍ଥାୟୀ କରି ରଖିବାକୁ ହେଲେ ଅନେକ ଧୈର୍ଯ୍ୟ ଦରକାର ଓ ଆପଣା ଉପରେ ଅନେକ ବିଶ୍ଵାସ ଦରକାର । ସେହି ଧୈର୍ଯ୍ୟ ଓ ବିଶ୍ଵାସ ଅର୍ଜନ କରିବା ତୁମ ଶିକ୍ଷାର୍ଥୀ ଜୀବନର ପ୍ରଥମ କର୍ତ୍ତବ୍ୟ ହେଉ ।

 

୨) ତୁମର ସ୍ୱାସ୍ଥ୍ୟ ମୋତେ ଅନେକ ସମୟରେ ଚିନ୍ତାରେ ପକାଏ । ତୁମକୁ ମଧ୍ୟ ପକାଉଥିବ । ତୁମର ଶରୀରଟା ମଧ୍ୟ ସତେଜ ଓ ସବଳ ରହିଲେ ତୁମେ ଆପଣାଠାରୁ ଆହୁରି ଅନେକ ସମ୍ଭବ କରାଇପାରନ୍ତ ।

 

୩) ତୁମର ଦିନଲିପି ଓ ଟିପ୍ପଣୀ ଅତି ସନ୍ତୋଷଜନକ । କିନ୍ତୁ ଆପଣା ମନକୁ କିଛି ଲେଖିବାର ଅଭ୍ୟାସ ଆହୁରି ବଢ଼ିବା ଦରକାର । କୌଣସି ପତ୍ରପତ୍ରିକାରେ ସୁଚିନ୍ତିତ ଲେଖା ଦେବାର ଯୋଗ୍ୟତା ତୁମର ଅଛି । କେବଳ ନିଜକୁ ସେଥିଲାଗି ଏକାଗ୍ର ଭାବେ ଖଟାଇବା ବାକି ରହିଚି ।

 

କୃଷ୍ଣ :

 

୧) ତୁମର ଖରାପ ଅକ୍ଷର ଓ ଅତିରିକ୍ତ ବନାନ୍ ଅଶୁଦ୍ଧି କ୍ରମେ ମୋର ଚିନ୍ତାର ବିଷୟ ହୋଇଉଠିଚି । ତୁମେ ଯେ ମନଭିତରେ ଅନେକ ସଙ୍କୋଚ ଓ ହୀନଭାବକୁ ଏପର୍ଯ୍ୟନ୍ତ ପ୍ରଶ୍ରୟ ଦେଇ ରଖିଚ, ତୁମର ଅକ୍ଷର ଦେଖି ବେଳେବେଳେ ମୋର ସେହି ଭୟ ହିଁ ହୁଏ । ଗୀତ ଗାଇବା, ଖେଳିବା ପ୍ରଭୃତି କେତେଟା ନୂଆ ଅଭ୍ୟାସ ରଖିପାରିଲେ ତୁମେ ହୁଏତ ଉପକାର ପାଆନ୍ତ ।

 

୨) ଐଚ୍ଛିକ ବିଷୟ ପ୍ରତି ତୁମର ଆଗ୍ରହ ଓ ଧ୍ୟାନ ପ୍ରଶଂସାର ଯୋଗ୍ୟ । କିନ୍ତୁ ଜ୍ଞାନର ସୀମା ନାହିଁ କି ବିକାଶର ସମାପ୍ତି ନାହିଁ । କୌଣସି ଦିନ କୌଣସି ପ୍ରକାର ଭଲ ଯୁକ୍ତି ଦେଖାଇ ମଧ୍ୟ ଅଟକିଯିବାର ଭ୍ରମ ଯେପରି ତୁମର ନ ହୁଏ । ପ୍ରତିକୂଳ ପରିସ୍ଥିତିରେ ସଜ୍ଜନ ଅଧିକ ସଚଳ ହୁଏ ସିନା, ଦମ୍ଭ ଭାଙ୍ଗି ବସି ପଡ଼େନାହିଁ । ନୂଆବର୍ଷରୁ ତୁମେ ଏହି ପାଠଟି ମନେରଖ ।

 

ଗୋପୀନାଥ :

 

୧) ତୁମର ଅଧ୍ୟୟନ ମୋଟେ ଯଥେଷ୍ଟ ନୁହେଁ । ପାଠାଗାରର ସଦ୍‍ବ୍ୟବହାର କରିବା ତୁମେ ଏପର୍ଯ୍ୟନ୍ତ ଶିଖିଲ ନାହିଁ । ସେଥିପାଇଁ ଅବସର ସମୟର ଅଚିନ୍ତିତ ବ୍ୟବହାର କରିବାର ଲାଳସା ତୁମେ ଏପର୍ଯ୍ୟନ୍ତ ଛାଡ଼ି ପାରିନାହଁ । ତୁମ ଅପରିପକ୍ଵ ମନର ପ୍ରଭାବ ଦେହ ଉପରେ ମଧ୍ୟ ପଡ଼ୁଚି, ଅପରିପକ୍ଵ ଦେହର ପ୍ରଭାବ ମନକୁ ମଧ୍ୟ ଅଧିକ ଅଳସୁଆ କରିପକାଉଚି । ମନେହେଉଚି, ତୁମେ ଗୋଟାଏ ସ୍ଥାନକୁ ଆସି ସେଇଠି କିଛିଦିନ ହେଲା ଅଟକିଯାଇଚ ।

 

୨) ଦେହଲାଜ ତୁମର ରହିଚି । ଏପର୍ଯ୍ୟନ୍ତ ତୁମେ ଆପଣା ଶରୀରକୁ ଖୁସୀ ହୋଇ କାମରେ ଲଗାଇ ଶିଖିନାହଁ । ଶିକ୍ଷାର୍ଥୀ ହେବାରେ ଏହା ଆଦୌ ସହାୟକ ନୁହେଁ ।

 

ହରିହର :

 

୧) ଜୀବନଟା କେବଳ ଖିଆଲର ଖେଳ ନୁହେଁ । ଅପେକ୍ଷାକୃତ ଅଧିକ ବୁଦ୍ଧିମାନ୍ ଲୋକେ ସାଧାରଣତଃ ଖିଆଲୀ ହୋଇଥାଆନ୍ତି । ହୁଏତ ତୁମର ବୁଦ୍ଧି ଅଧିକ ଅଛି । କିନ୍ତୁ ଜୀବନର ସାଧନାଗତ ବା ନିର୍ମାଣ-ଅଙ୍ଗକୁ ତୁମେ ଏପର୍ଯ୍ୟନ୍ତ ଶ୍ରଦ୍ଧାର ସହିତ ଗ୍ରହଣ କରି ପାରିନାହଁ । ମୁଁ ଏହି ଜୀବନର ଭାର ବହନ ନ କରିଥିଲେ ମଧ୍ୟ ଚଳିଥାନ୍ତା, ଏହିପରି ଗୋଟାଏ Negative ଜୀବନଦୃଷ୍ଟି ତୁମକୁ ଭିତରେ କାମୁଡ଼ି ଧରିଚି । ତୁମର ଦେହ ମଧ୍ୟ ଅନେକ ଦିନ ହେଲା ଏହି ଦୃଷ୍ଟିର ଦଂଶନ ଭୋଗ କରୁଚି । ମନ ବି କିଛି କମ୍ ଭୋଗୁ ନାହିଁ ।

 

୨) ତୁମେ ଭିତରେ ଜଣେ ଉଚ୍ଚତର ଓ ମହତ୍ତର ହେବାକୁ ଚେଷ୍ଟା କରୁଚି, ଅଥଚ ବାହାର ମନରେ ତୁମେ ତାହାର ସମସ୍ତ ଚେଷ୍ଟାକୁ ଚାପି ରଖି ପ୍ରତିଶୋଧ ନେଉଚ । ସଂସାରକୁ ଠକୁଚ ବୋଲି ବେଳେବେଳେ ହୁଏତ ସାନ୍ତ୍ଵନା ମଧ୍ୟ ପାଉଚ । ଜୀବନରେ ତୁମେ ଏହିପରି ଦ୍ଵିଖଣ୍ଡିତ ହୋଇଯିବା ଫଳରେ ମନର ସ୍ଥିରତା ବି ହରାଇ ବସୁଚ ।

 

୩) ଗତବର୍ଷ ତୁମକୁ ବ୍ୟକ୍ତିଗତ ଲେଖା ଲେଖିବାକୁ ଅନୁରୋଧ କରିଥିଲି । ତୁମେ ସେହି ଅନୁରୋଧ ରଖିଲ ନାହିଁ । ଆପଣାର ମନ ଖୋଲିଦେବାକୁ ତୁମେ ଏପର୍ଯ୍ୟନ୍ତ ଉପଯୁକ୍ତ କ୍ଷେତ୍ର ପାଇନାହଁ ବୋଲି ମୁଁ ଭାବୁଚି । ବ୍ୟକ୍ତିଗତ ଲେଖା ସେଦିଗରେ ଉପକାର କରିପାରନ୍ତା । ବ୍ୟକ୍ତିଗତ କଥାଗୁଡ଼ାକ କହି ପକାଇଲେ ଧରା ପଡ଼ିଯିବ ବୋଲି ଭାବୁଚ କି ?

 

ଦୁର୍ଗାଚରଣ :

 

୧) ଜୀବନରେ ଜ୍ଞାନସଂଗ୍ରହର ପରିମାଣ ବେଶ୍ ବଢ଼ିଚି, ଅଥଚ ଜୀବନକୁ ଜ୍ଞାନମୟ କରିବାରେ ତୁମେ ସମର୍ଥ ହୋଇନାହଁ ବୋଲି ମୋର ଆଶଙ୍କା ହେଉଚି । କୌଣସି ଆଡ଼ମ୍ବର ହିସାବରେ ବା ପାଞ୍ଚଜଣଙ୍କର ପ୍ରଂଶସା ପାଇ ସାନ୍ତ୍ଵନା ନେବାର ସାଧନରୂପେ ତୁମେ ଜ୍ଞାନକୁ ଗ୍ରହଣ କରିଚ କି ?

 

୨) ତୁମ ଭିତରେ ଅନେକ ରତ୍ନ ରହିଚି । ତଥାପି ଅନେକଗୁଡ଼ିଏ ବିକାର ମଧ୍ୟ ରହିଚି । ତଥାପି ଅନେକଗୁଡ଼ିଏ ବିକାର ମଧ୍ୟ ରହିଚି । ଦେହର ବିକାର ରହିଚି, ଅନ୍ୟର ଦେହକୁ ଅପବିତ୍ର କରି ଦେଖିବାର ବିକାର ମଧ୍ୟ ରହିଚି । ପରିଶ୍ରମ-କାତରତା ଏହି ଦେହଗତ ବିକାରର ପରିଣାମ ମାତ୍ର । ଏହିସବୁ ବିକାର ଷଡ଼ଯନ୍ତ୍ର କରି ତୁମର ଦୃଷ୍ଟିକୁ ବିଚଳିତ କରି ପକାଉଚନ୍ତି, ନାନା ଉତ୍ତେଜନାରେ ସେମାନେ ତୁମର ଉତ୍ସାହକୁ ଦରିଦ୍ର କରି ପକାଉଚନ୍ତି ।

 

୩) ଅତିରିକ୍ତତା ଅପେକ୍ଷା ଜୀବନରେ ସମତାର ଅଧିକ ଆବଶ୍ୟକତା ରହିଚି । ଏହି ସମତାର ଅଭାବ ତୁମକୁ ଅନେକ ସମୟରେ ଅଧାବାଟରେ ଅଟକାଇ ଦେଉଚି । ତୁମର ଜିଜ୍ଞାସାକୁ ପଥଭ୍ରଷ୍ଟ କରାଇ ଦେଉଚି । ନାନାପ୍ରକାର ମିଥ୍ୟା-ଦମ୍ଭର ଆଶ୍ରୟ ଭିତରେ ତୁମେ ଆପଣାକୁ ଲୁଚାଇ ରଖିଚ ।

 

୪) ସାହିତ୍ୟନିଷ୍ଠା ଲାଗି ଜୀବନକୁ ସମର୍ପିଦେବା କେବଳ ନିର୍ବୋଧତା ହିଁ ହେବ, ଜୀବନନିଷ୍ଠା ଲାଗି ସାହିତ୍ୟକୁ ସମର୍ପି ଦେଇ ପାରିଲେ ତୁମେ ଅନେକ ସାର୍ଥକତା ପାଇବ ।

 

କେଶବ, ମଦନ, ଆନନ୍ଦ, ଦୁର୍ଗା, ହର ଏମାନେ ସେତେବେଳେ ସମସ୍ତେ ପିଲା ଥିଲେ । ବର୍ତ୍ତମାନ ସେମାନେ ଓଡ଼ିଶାର ନାନା ସ୍ଥାନରେ ନାନା କ୍ଷେତ୍ରରେ କାର୍ଯ୍ୟ କରୁଚନ୍ତି । ଜଙ୍ଗଲସ୍କୁଲରେ ଦିଆଯାଉଥିବା ଏହି ତିନିମାସିଆ ଟିପ୍ପଣୀ କିପରି ଭାବରେ ସେମାନଙ୍କୁ ସାହାଯ୍ୟ କରିଚି ବା ବାଟ ଭୁଲାଇଚି, ସେହିମାନେ ହିଁ ସେକଥା କହିପାରିବେ । ଏମାନଙ୍କ ମଧ୍ୟରୁ କେତେଜଣ ସଂସାରରେ ପ୍ରବେଶ କରି ସାରିଲେଣି । ସଂସାରର ଦାଉ ଓ ଦୈନ୍ୟ ସହିତ ଯୁଝିବାକୁ ଆରମ୍ଭ କଲେଣି । ଜୀବନସାଗରର ମନ୍ଥନରୁ ଅମୃତରତ୍ନ ଖୋଜି ବାହାର କରିବାରେ ଜଙ୍ଗଲସ୍କୁଲର ଶାସନ ଓ ଆଶ୍ଵାସନ ସେମାନଙ୍କୁ କିପରି ସାହାଯ୍ୟ କରୁଚି କେଜାଣି ? ସେମାନେ କଣ ଏହି ଦୁତ୍ସ ସମାଜର ଭିଡ଼ ଭିତରେ ସଫଳତାର ଭେକ ପିନ୍ଧି ବିଲୀନ ହୋଇ ଯାଇଚନ୍ତି, ନା ତଥାପି ମଣିଷ ହୋଇ ବଞ୍ଚି ରହିବାକୁ ଚେଷ୍ଟା କରୁଚନ୍ତି ? ସେମାନେ ଯେଉଁ କ୍ଷେତ୍ରରେ ରହି କାର୍ଯ୍ୟ କରୁଚନ୍ତି, ସେଠି ସୁନ୍ଦରତର ଜୀବନର କିଞ୍ଚିତ ସମ୍ଭାବନା ବଢ଼ାଇବାରେ ସେମାନେ କୌଣସି ପ୍ରକାରେ ସାହାଯ୍ୟ କରୁଚନ୍ତି କି ?

 

–୪–

 

ଜଙ୍ଗଲସ୍କୁଲର ଚାରିବର୍ଷର ବୟଃକାଳରେ ଆମର ସେଠାକୁ ଅନେକ ଅତିଥି ଆସିଥିଲେ, ବନ୍ଧୁ ଓ ହିତୈଶୀ ହିସାବରେ ଆମକୁ ଅନେକ ସାହାଯ୍ୟ କରିଥିଲେ । ଭାରତୀୟ ବନ୍ଧୁମାନଙ୍କ ମଧ୍ୟରୁ ଡାକ୍ତର ଦିବାନଚନ୍ଦ୍ର ବଧ୍ଵା ଆମସହିତ ପ୍ରାୟ ଚାରିଛଅମାସ ରହିଥିଲେ । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଶ୍ରୀଯୁକ୍ତ ବଧ୍ଵା ହେଉଚନ୍ତି ଅର୍ଥନୀତିଶାସ୍ତ୍ରର ଅଧ୍ୟାପକ । ସେ ଆମ ପିଲାଙ୍କୁ ପାଠ ପଢ଼ାଇଚନ୍ତି, ପିଲାଙ୍କ ସହିତ ଯାବତୀୟ କାମରେ ଭାଗ ନେଇଚନ୍ତି । ଥରେ ଜଙ୍ଗଲସ୍କୁଲର ପ୍ରାୟ ପଚିଶିଜଣ ପିଲାଙ୍କୁ ନେଇ ଏକ ସମାଜ-ସର୍ବେକ୍ଷଣ କାର୍ଯ୍ୟରେ ମୁଁ ପ୍ରାୟ ଦଶଦିନ ଲାଗି କେନ୍ଦୁଝର ଜିଲ୍ଲାର ଜୂଆଙ୍ଗପୀଢ଼କୁ ଯାଇଥିଲି । ଏହି ଯାତ୍ରାରେ ଆମକୁ ସର୍ବମୋଟ ପ୍ରାୟ ଶହେ ମାଇଲ ଅରଣ୍ୟ ଓ ପର୍ବତପଥ ପାଦରେ ଚାଲିକରି ଯିବାକୁ ପଡ଼ିଥିଲା । ଡାକ୍ତର ବଧୁଆ ଏହି ଯାତ୍ରାରେ ମଧ୍ୟ ଆମର ସଙ୍ଗୀ ଓ ସହଚର ହୋଇ ଯାଇଥିଲେ ।

 

ଥରେ ସେ ବିଚାର କଲେ, ଜଙ୍ଗଲସ୍କୁଲ ବିଷୟରେ ସେ ଏକ ଅଧ୍ୟୟନ ପ୍ରସ୍ତୁତ କରିବେ-। ପ୍ରାୟ ଦଶ ଜଣ ପିଲାଙ୍କୁ ଧରି ସେ ତାଙ୍କର କାର୍ଯ୍ୟ ଆରମ୍ଭ କଲେ । ସର୍ବେକ୍ଷଣ ଲାଗି ପ୍ରଶ୍ନାବଳୀ କିପରି ଓ କାହିଁକି ତିଆରି ହୁଏ, ଉପଲବ୍‍ଧ ଉତ୍ତରଗୁଡ଼ିକରୁ କିପରି ସାଧାରଣ ସିଦ୍ଧାନ୍ତମାନ ବାହାର କରିବାକୁ ହୁଏ, ଏସବୁ କଥା ସେ ପ୍ରଥମେ ପିଲାମାନଙ୍କୁ ବୁଝାଇ ଦେଲେ । ତା’ପରେ ପ୍ରତ୍ୟେକ ପିଲାଙ୍କୁ ପ୍ରଶ୍ନାବଳୀ ଦିଆଗଲା ଓ ସେମାନଙ୍କର ଉତ୍ତରକୁ ବୈଜ୍ଞାନିକ ପ୍ରଣାଳୀରେ ଶ୍ରେଣୀବଦ୍ଧ ଅଧ୍ୟୟନ କରାଗଲା । ଶେଷରେ ଏହି ଅଧ୍ୟୟନକୁ ଭିତ୍ତି କରି ସେ ଗୋଟିଏ ବିବରଣୀ ବି ଲେଖିଲେ-। ବିବରଣୀଟିର ଓଡ଼ିଆ ଅନୁବାଦ ମୁଁ ଏଠାରେ ଦେବାକୁ ଯାଉଚି । ଏଥିରୁ ଜଙ୍ଗଲସ୍କୁଲର ଅଭାବ ଓ ଏୗଶ୍ଵର୍ଯ୍ୟ ବିଷୟରେ ପାଠକମାନଙ୍କୁ କିଞ୍ଚିତ୍ ପରିଚୟ ମିଳିପାରିବ ।

 

ଉପକ୍ରମ

 

୧) ଅବସ୍ଥିତି–

 

ଓଡ଼ିଶାର ପ୍ରାୟ ଏକ କେନ୍ଦ୍ରସ୍ଥାନରେ ଅନୁଗୁଳଠାରୁ ଆଠମାଇଲ ଦୂରରେ ଚମ୍ପତିମୁଣ୍ଡା ଉତ୍ତର ମୌଳିକ ବିଦ୍ୟାଳୟ ଅବସ୍ଥିତ । ବିଦ୍ୟାଳୟ ହାତରେ ସର୍ବମୋଟ ୭୫ ଏକର ଜମି ରହିଚି । ସେଥିରୁ ପ୍ରାୟ ୨୦ଏକରରେ ବର୍ତ୍ତମାନ ଚାଷବାଷ ହେଉଚି । ୫ ଏକରରେ ଘରବାଡ଼ି ତିଆରି ହୋଇଚି ଓ ହେଉଚି । ଅବଶିଷ୍ଟ ଜଙ୍ଗଲ ରହିଚି ।

 

୨) ଇତିହାସ–

 

୧୯୫୪ ମସିହା ଅଗଷ୍ଟ ୨୬ ତାରିଖରେ ଅନଗୁଳର ବାଜିରାଉତ ଛାତ୍ରାବସରେ ଏହି ବିଦ୍ୟାଳୟର ଅସ୍ଥାୟୀ ପ୍ରାରମ୍ଭ ହୋଇଥିଲା । ବିଦ୍ୟାଳୟ ଲାଗି ଏକ ସ୍ଥାୟୀ ପ୍ରତିଷ୍ଠାନ ନିର୍ମାଣ କରିବା ଲାଗି ଓଡ଼ିଶା ରାଜ୍ୟ-ସରକାରଙ୍କଠାରୁ ସେହିବର୍ଷ ୭୫ ଏକର ଜଙ୍ଗଲଭୂମି ମିଳିଲା । ଏକ ବୁଲଡ଼ଜର ଓ ଟ୍ରାକ୍ଟର ସାହାଯ୍ୟରେ ପ୍ରଥମେ ପ୍ରାୟ ୩୦ ଏକର ଜମିକୁ ତାଡ଼ି ସଫା କରାଗଲା ଓ ସେହିଠାରେ ବିଦ୍ୟାଳୟର ପ୍ରଥମ ବସତି ଓ କୃଷିକ୍ଷେତ୍ର ଆରମ୍ଭ ହୋଇଥିଲା । ୧୯୫୫ ମସିହା ଜୁଲାଇ ମାସରେ ବିଦ୍ୟାଳୟ ସ୍ଥାୟୀ ଭାବରେ ଅନଗୁଳରୁ ଏହି ସ୍ଥାନକୁ ଉଠିଆସିଲା । ତରତର ହୋଇ ତିଆରି କରାଯାଇଥିବା ଏଗାର ବଖରା ବାଡ଼ିତିଆଡ଼ି ଘରେ ବିଦ୍ୟାଳୟ ଆରମ୍ଭ ହେଲା । କ୍ରମେ ସାଧାରଣ ଦାନ ଓ ସରକାରୀ ସାହାଯ୍ୟ ଦ୍ଵାରା ବିଦ୍ୟାଳୟଟିର କଳେବର ବଢ଼ିଲା ।

 

ଉଦ୍ଦେଶ୍ୟ–

 

ଏକ ଯଥାଯୋଗ୍ୟ ଅନୁଷ୍ଠାନ ଜରିଆରେ ଉତ୍ତର ମୌଳିକ ଶିକ୍ଷାର ଯୋଜନା କରିବା ଓ ତାହାକୁ କାର୍ଯ୍ୟକାରୀ କରିବା ହେଉଚି ଏହି ବିଦ୍ୟାଳୟ ଆରମ୍ଭ କରିବାର ପ୍ରଧାନ ଉଦ୍ଦେଶ୍ୟ । ପ୍ରଚଳିତ ଶିକ୍ଷାଦ୍ଵାରା ଦେଶରେ ଯେଉଁ କୁପରିଣାମମାନ ଫଳୁଚି, ତାହା ଉପଲବ୍‍ଧି କରି ମହାତ୍ମା ଗାନ୍ଧୀ ଦେଶର ସମକ୍ଷରେ ମୌଳିକ ଶିକ୍ଷାଯୋଜନାକୁ ଉପସ୍ଥାପିତ କରିଥିଲେ । ଜୀବନକୁ ଧ୍ୟାନକେନ୍ଦ୍ର କରି ଓ ବିଶ୍ଵାସ ଏବଂ ସହଯୋଗ ଉପରେ ପ୍ରତିଷ୍ଠିତ ରହି ଚଳୁଥିବା ଏକ ଶିକ୍ଷାକ୍ରମ ଦ୍ଵାରା ବିଦ୍ୟାର୍ଥୀମାନଙ୍କ ହୃଦୟରେ ଯେ ଏକ ସୁସ୍ଥ ଓ ସୁନ୍ଦରତର ସମାଜର ପତ୍ତନ ସମ୍ଭବ ହୋଇପାରିବ, ଏହି ସତ୍ୟ ଉପରେ ବିଦ୍ୟାଳୟ ଦୃଢ଼ ବିଶ୍ଵାସ ରଖିଚି, ତଥାପି ପ୍ରତ୍ୟେକ ବ୍ୟକ୍ତିର ସ୍ଵାଧୀନ ଓ ସ୍ଵାଭାବିକ ବିକାଶଲାଗି ମଧ୍ୟ ଆମକୁ ପ୍ରଥମେ ବାଟ ଛାଡ଼ିଦେବାକୁ ହେବ ଓ ସେଥିଲାଗି ଅନୁକୂଳ କ୍ଷେତ୍ର ପ୍ରସ୍ତୁତ କରି ରଖିବାକୁ ହେବ, ଶିକ୍ଷାର ଏହି କର୍ତ୍ତବ୍ୟଟି ବିଷୟରେ ମଧ୍ୟ ଏହି ବିଦ୍ୟାଳୟ ଆଦୌ ବିସ୍ମିତ ହୋଇ ଯାଇନାହିଁ ଏବଂ ଏହି ଦିଗରେ ଯଥାସାଧ୍ୟ ଉଦ୍ୟମ ବି କରୁଚି । ପାରସ୍ପରିକ ଜୀବନର ଏକ ସମଗ୍ର ବାତାବରଣ ଭିତରେ ଶିକ୍ଷାର୍ଥୀ ଓ ଶିକ୍ଷକଙ୍କର ସମ୍ମିଳନ ଓ ସହଯୋଗ ଦ୍ଵାରା ହିଁ ଏହା ସମ୍ଭବ ହୋଇପାରିବ । ତେଣୁ ଏହି ବିଦ୍ୟାଳୟ ଆରମ୍ଭରୁ ଆବାସିକ ରହିଆସିଚି । ଏଠାରେ ପୁଅ ପଢ଼ୁଛନ୍ତି, ଝିଅ ବି ପଢ଼ୁଛନ୍ତି । ଯେକୌଣସି ସୁଶିକ୍ଷାରେ ସହଶିକ୍ଷା ମଧ୍ୟ ରହିବା ଉଚିତ ବୋଲି ବିଦ୍ୟାଳୟ ଗ୍ରହଣ କରିନେଇଚି ।

 

ପାଠ ଓ ପାଠ୍ୟକ୍ରମ–

 

୧୯୫୪ ମସିହାରେ କେବଳ ନବମ ସୋପାନ ଖୋଲି ବିଦ୍ୟାଳୟ ଆରମ୍ଭ ହୋଇଥିଲା-। ତା’ପରେ ବର୍ଷକୁ ଗୋଟିଏ କରି ଶ୍ରେଣୀ ଖୋଲିଚି ଏବଂ ତେଣୁ ବର୍ତ୍ତମାନ ଦ୍ଵାଦଶ ସୋପାନ ଖୋଲିସାରିବା ପରେ ବିଦ୍ୟାଳୟ ପୂର୍ଣ୍ଣାବୟବ ହୋଇ ସାରିଲାଣି । ନବମ ଓ ଦଶମ ସୋପାନରେ ବାଧ୍ୟତାମୂଳକ ବିଷୟଗୁଡ଼ିକ ହେଉଚି ଇଂରାଜୀ, ଓଡ଼ିଆ, ହିନ୍ଦୀ, ଗଣିତ, ବିଜ୍ଞାନ, ଭୂଗୋଳ ଓ ସମାଜ ଶିକ୍ଷା । ଉଚ୍ଚତର ଏକାଦଶ ଓ ଦ୍ଵାଦଶ ସୋପାନରେ ଇଂରାଜୀ ଭାଷା ଓ ଓଡ଼ିଆ ସାହିତ୍ୟ ହେଉଚି ବାଧ୍ୟତାମୂଳକ । ଇତିହାସ, ସାହିତ୍ୟ, ଗଣିତ, ଦର୍ଶନ ଓ ଶିକ୍ଷା–ଏଗୁଡ଼ିକ ଐଚ୍ଛିକ ବିଷୟ-। ପ୍ରତ୍ୟେକ ଛାତ୍ରକୁ ଦୁଇଗୋଟି ଐଚ୍ଛିକ ବିଷୟ ନେବାକୁ ହୁଏ । ଉପଯୁକ୍ତ ବିଜ୍ଞାନ ଶିକ୍ଷକଙ୍କର ଅଭାବରୁ ବିଜ୍ଞାନରେ ସନ୍ତୋଷଜନକ ପ୍ରଗତି ହୋଇ ପାରିନାହିଁ । ଗ୍ରନ୍ଥାଳୟରୁ ପୁସ୍ତକମାନ ଆଣି ଅଧ୍ୟୟନ କରିବା ଉପରେ ଏଠାରେ ଖୁବ୍ ଜୋର ଦିଆଯାଏ । ଶ୍ରେଣୀରେ ପଢ଼ାଯାଉଥିବା ପାଠ ଓ ବିଷୟଗୁଡ଼ିକ ଭିତରେ ସୀମାବଦ୍ଧ ରହି ଛାତ୍ର ଯେତିକି ପଢ଼େ, ତାହା ଅପେକ୍ଷା ଗ୍ରନ୍ଥାଳୟର ପୁସ୍ତକ ସହିତ ଜଣେ ଛାତ୍ର କେତେଦୂର ପରିଚିତ ହୋଇପାରିଚି, ତାହାରିଦ୍ଵାରା ହିଁ ଛାତ୍ରର ଯୋଗ୍ୟତା ଅଧିକ ପରିମାଣରେ ଅବଧାରିତ ହୋଇଥାଏ । ଗ୍ରନ୍ଥାଳୟରେ ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ପୁସ୍ତକମାନ ରହିଚି । ପୁସ୍ତକସଂଖ୍ୟା ପ୍ରାୟ ଅଢ଼େଇ ହଜାର । ଗ୍ରନ୍ଥାଳୟରେ ଥିବା ପୁସ୍ତକଗୁଡ଼ିକୁ ପଢ଼ିପାରିବା ଲାଗି ଏଠାରେ ଛାତ୍ରକୁ ବିଭିନ୍ନ ଭାଷା ବି ଶିଖିବାକୁ ପଡ଼େ । ବିଦ୍ୟାଳୟର ଦୁଇଜଣ ଛାତ୍ର ପାଳି କରି ତିନିମାସ ଲାଗି ଗ୍ରନ୍ଥାଳୟର ଦାୟିତ୍ଵରେ ରହନ୍ତି । ସେହିମାନେ ଗ୍ରନ୍ଥାଳୟ ସମ୍ପର୍କୀୟ ସକଳ କାର୍ଯ୍ୟର ନିର୍ବାହ କରନ୍ତି । ଗ୍ରନ୍ଥାଳୟଲାଗି ବହି କିଣିବାରେ ବିଦ୍ୟାଳୟ ଏପର୍ଯ୍ୟନ୍ତ ଟ୭୨୫୦ଙ୍କା ଖରଚ କରିଚି ।

 

ଛାତ୍ର ଗ୍ରହଣ–

 

Unknown

କୌଣସି ମୌଳିକ ସ୍କୁଲରୁ ଅଷ୍ଟମ ସୋପାନ ଶେଷ କରି ଆସିଥିବା ଛାତ୍ରକୁ ସାଧାରଣତଃ ଏଠାରେ ନବମ ସୋପାନରେ ଗ୍ରହଣ କରାଯାଏ । ହାଇସ୍କୁଲରୁ ଅଷ୍ଟମ ଶ୍ରେଣୀ ପାସ୍ କରି ଆସିଥିବା ଛାତ୍ରମାନଙ୍କୁ ମଧ୍ୟ ଏଠାରେ ସମୟ ସମୟରେ ନାମ ଲେଖାଇବାକୁ ଅନୁମତି ଦିଆଯାଏ ।

 

ଛୁଟି–

 

ବିଦ୍ୟାଳୟରେ ସାଧାରଣତଃ ବର୍ଷରେ ଥରେ ଗୋଟିଏ ଲମ୍ବା ଛୁଟି ମିଳେ । ସାନସାନ ଛୁଟି ହେଉଥିଲେ ସ୍କୁଲର ସବୁ ପିଲା ଘରକୁ ଯାଇ ପାରନ୍ତେ ନାହିଁ । କାରଣ ଓଡ଼ିଶାର ଦୂରଦୂର ବିଭିନ୍ନ ଅଞ୍ଚଳରୁ ମଧ୍ୟ ଏଠାକୁ ଛାତ୍ର ଆସିଚନ୍ତି । ତେଣୁ ସ୍କୁଲରେ କେବଳ ଗୋଟିଏ ଦୁଇମାସିଆ ଲମ୍ବା ଛୁଟି ହୁଏ । ଏହି ଗ୍ରୀଷ୍ମକାଳୀନ ଛୁଟିରେ ତଥାପି କେତେକ ପିଲା ସ୍କୁଲରେ ରହନ୍ତି । ସେମାନେ ବିଦ୍ୟାଳୟର ଖେତ, ବଗିଚା ଓ ଘରବାଡ଼ିର ତତ୍ତ୍ଵାବଧାନ କରନ୍ତି । ବର୍ଷର ଅନ୍ୟାନ୍ୟ ସମୟରେ ଏହି ବିଦ୍ୟାଳୟର ସାଧାରଣ କାର୍ଯ୍ୟକ୍ରମ ଚାଲୁ ରହିଥାଏ ।

 

ଆର୍ଥିକ ଅବସ୍ଥା–

 

ଆପଣାର ପ୍ରାରମ୍ଭାବସ୍ଥାରୁ ହିଁ ଏହି ବିଦ୍ୟାଳୟ ସାଧାରଣ ଦାନ ଓ ସରକାରୀ ସାହାଯ୍ୟ ଉପରେ ନିର୍ଭର କରି ଆସିଚି । ଗ୍ରନ୍ଥାଳୟ, ବିଜ୍ଞାନାଗାର, ଧନ୍ଦା ଓ କୃଷି ବାବତରେ ସରକାରଙ୍କର ସାହାଯ୍ୟ ମିଳିଚି । କିନ୍ତୁ ଘରତୋଳା ଓ କୂଅଖୋଳା ପ୍ରଭୃତି କାର୍ଯ୍ୟଲାଗି ବିଦ୍ୟାଳୟକୁ ସଂପୂର୍ଣ୍ଣ ଭାବେ ସାଧାରଣ ପାଣ୍ଠି ଉପରେ ନିର୍ଭର କରିବାକୁ ପଡ଼େ । ଏପର୍ଯ୍ୟନ୍ତ ବିଦ୍ୟାଳୟରେ ସରକାରୀ ସାହାଯ୍ୟ ୧୮୦୦୦ ଓ ସାଧାରଣ ସାହାଯ୍ୟ ପ୍ରାୟ ଟ୩୬୦୦୦ଙ୍କା ଖରଚ ହୋଇଚି । ବିଦ୍ୟାଳୟର ଆପଣା ହାତରେ କୌଣସି ମହଜୁଦ ପାଣ୍ଠି ନାହିଁ । ତେଣୁ ଯେକୌଣସି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଏହାକୁ ସରକାରୀ ସାହାଯ୍ୟ ଓ ସାଧାରଣ ଚାନ୍ଦା ଉପରେ ପୂର୍ଣ୍ଣତୟା ନିର୍ଭର କରିବାକୁ ପଡ଼ୁଚି ।

 

ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟ ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ

 

କୃଷି–

 

ବିଦ୍ୟାଳୟରେ ବର୍ତ୍ତମାନ ପ୍ରାୟ ୨୦ ଏକର କୃଷିଯୋଗ୍ୟ ଭୂମି ରହିଚି । ଏହି ଭୂମି ପ୍ରଥମେ ଜଙ୍ଗଲ ଥିଲା, ଏବେ ଆବାଦ କରାଯାଇଚି । ତେଣୁ ଏପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣଭାବେ କୃଷିଯୋଗ୍ୟ ହୋଇ ପାରିନାହିଁ । ଜଳସେଚନର କୌଣସି ସୁବିଧା ନାହିଁ । ତେଣୁ ସମସ୍ତ କୃଷିକାର୍ଯ୍ୟକୁ କେବଳ ବର୍ଷା ଉପରେ ନିର୍ଭର କରିବାକୁ ପଡ଼ୁଚି । ଏଠିକାର ମାଟି ହେଉଚି କୃଷ୍ଣକାର୍ପାସ-ଜାତୀୟ । ତେଣୁ ବର୍ଷାଋତୁ ପରେ ଏହା ଅତିଶୟ ଶକ୍ତ ହୋଇଯାଏ ଓ ଫାଟି ଆଁ କରି ରହିଥାଏ । ମୃତ୍ତିକା-ସଂରକ୍ଷଣ ଦିଗରୁ ଏଠାରେ ଏପର୍ଯ୍ୟନ୍ତ କିଛିହେଲେ କରାଯାଇ ନାହିଁ ।

 

ବର୍ଷାଋତୁରେ ଏଠି ଆଶୁ ଧାନ ଓ ଆଉ ଅଳ୍ପକେତୋଟି ଫସଲର ଚାଷ କରାଯାଏ । କପାଚାଷ ଚମତ୍କାର ହୋଇ ପାରନ୍ତା, କିନ୍ତୁ ନାନାପ୍ରକାର ପ୍ରାକୃତିକ ପ୍ରତିକୂଳତା ହେତୁ ଏହା ସମ୍ଭବ ହୋଇ ପାରିନାହିଁ । ସ୍କୁଲକୁ ଲାଗି ଗୋଟିଏ ସାନ ଝରଣା ବହିଯାଉଚି । ସେଇଥିରୁ କିଞ୍ଚିତ ଜଳ ଉଠାଇ କିଛି ଶୀତଦିନିଆ ଫସଲ କରାଯାଇ ପାରୁଚି । ବିଦ୍ୟାଳୟରେ ଯେଉଁ ସବୁ ସ୍ଥାୟୀ ଗଛ ଲଗାଯାଇଚି, କୂଅରୁ ପାଣି କାଢ଼ି ସେଗୁଡ଼ିକୁ ବଞ୍ଚାଇ ରଖିବାକୁ ପଡ଼ୁଚି ।

 

ପିଲାମାନେ ହିଁ ପ୍ରଧାନତଃ ବିଦ୍ୟାଳୟର ସକଳ କୃଷିକାର୍ଯ୍ୟ ସମ୍ଭାଳିଚନ୍ତି । ଅବଶ୍ୟ ପ୍ରଥମ ବର୍ଷା ପରେ ଜମିକୁ ହଳ କରିବା କାର୍ଯ୍ୟ ମୂଲିଆ ଦ୍ଵାରା କରାଯାଏ । ପିଲାମାନେ ସେହି ସମୟରେ ଗ୍ରୀଷ୍ମଛୁଟି ହେତୁ ଘରେ ଥାଆନ୍ତି । ଦିନକୁ ଦୁଇଘଣ୍ଟା ଶାରୀରିକ ପରିଶ୍ରମ କରିବାକୁ ସ୍କୁଲର ଏକ ସାଧାରଣ ନିୟମଭାବେ ମାନି ନିଆଯାଇଚି । ବିଲରେ ଫସଲ ଥିଲାବେଳେ ପିଲାମାନେ ରାତିରେ ମଞ୍ଚା ଜଗିବାକୁ ମଧ୍ୟ ଯାଆନ୍ତି । କାରଣ ଜମିର ଫସଲ ଜଙ୍ଗଲ-ଜନ୍ତୁମାନଙ୍କ ଦ୍ଵାରା ନଷ୍ଟ ହୋଇଯିବାର ଭୟ ଏଠାରେ ସବୁବେଳେ ରହିଚି ।

 

ଗୋଶାଳା ଓ ରୋଷେଇଘର ପ୍ରଭୃତିର ଆବର୍ଜନାକୁ ଗାତରେ ପକାଇ ଯେଉଁ ଖତ ତିଆରି କରାଯାଏ, ତାହା ସବୁ ଜମିକୁ ଯାଏ । ବେଳେ ବେଳେ ଆଖପାଖ ଗାଆଁରୁ ବି ଖତ କିଣି ଆଣିବାକୁ ହୁଏ । ତଥାପି ପ୍ରଧାନତଃ ଅର୍ଥାଭାବ ହେତୁ ବିଦ୍ୟାଳୟର ଚାଷଜମି ରାସାୟନିକ ଓ ସବୁଜ ସାରରୁ କୌଣସି ଲାଭ ଉଠାଇ ପାରେ ନାହିଁ । ସ୍କୁଲ ଜମି ଓ ବଗିଚାରୁ ଯତ୍ କିଞ୍ଚିତ୍ ଉତ୍ପନ୍ନ ହୁଏ, ତାହା ବିକାହେବା ଉଦ୍ଦେଶ୍ୟରେ ବାହାରକୁ ଯାଏ ନାହିଁ । ବିଦ୍ୟାଳୟର ଖାଦ୍ୟବିଭାଗ ସେଗୁଡ଼ିକୁ କିଣିନିଏ, ଏବଂ ଏହି ବିକ୍ରୀରୁ ମିଳୁଥିବା ପଇସା ପୁଣି ସେହି କୃଷି କାର୍ଯ୍ୟରେ ଲାଗେ ।

 

ଧନ୍ଦା–

 

ଅର୍ଥାଭାବ ଓ ସ୍ଥାନାଭାବ ହେତୁ ଲୁଗାବୁଣା ବିଦ୍ୟାଳୟରେ ଏକମାତ୍ର ଧନ୍ଦା ହୋଇ ରହିଚି-। ଏଠି ଛଅଟି ତନ୍ତ ପଡ଼ିଚି; କିନ୍ତୁ ବର୍ତ୍ତମାନ କେବଳ ତିନୋଟିରେ ବୁଣାଇ ହେଉଚି । କାରଣ ଅବଶିଷ୍ଟ ତିନୋଟି ତନ୍ତ ପଡ଼ିବା ଲାଗି ସ୍ଥାନ ନାହିଁ । ଆପେ କାଟୁଥିବା ସୂତାରୁ ପିଲାମାନେ ଏହି ତନ୍ତରେ ଆପଣାର ଲୁଗା ବୁଣି ନିଅନ୍ତି । ସବୁ ତନ୍ତରେ କାମ ଚାଲୁଥିଲେ ସେମାନେ ପାର୍ଶ୍ଵବର୍ତ୍ତୀ ଗାଆଁର ତନ୍ତୀମାନଙ୍କଠାରୁ ଲୁଗା ବୁଣାଇ ଆଣନ୍ତି । ଦୁଇଜଣ ଛାତ୍ର ସ୍ଥାୟୀଭାବରେ ତନ୍ତର ଦାୟିତ୍ଵରେ ରହିଚନ୍ତି । ଲୁଗାବୁଣାର ମଜୁରି ବାବତରେ ଯେଉଁ ପଇସା ଆଦାୟ ହୁଏ, ତାହା ତନ୍ତର ମରାମତି କାମରେ ଲାଗେ ।

 

ଗୋଶାଳା–

 

ବିଦ୍ୟାଳୟର ହଳେ ବଳଦ ଓ ହଳେ ମଇଁଷି ଅଛନ୍ତି । ସେମାନେ ଜମିରେ ହଳ କରନ୍ତି, ଘର ତିଆରି ସରଞ୍ଜାମ ବୁହନ୍ତି ଏବଂ ରବିବାର ହାଟରୁ ବିଦ୍ୟାଳୟର ସାପ୍ତାହିକ ଆବଶ୍ୟକ ଖାଦ୍ୟଦ୍ରବ୍ୟ ଆଣିବାକୁ ଯାଆନ୍ତି । ଏହାଛଡ଼ା ଗୋଶାଳାରେ ଗୋଟିଏ ଗାଈ ଓ ତିନୋଟି ବାଛୁରୀ ଅଛନ୍ତି । ବଳଦ ଓ ମଇଁଷିଙ୍କର ବିଭିନ୍ନ କାମରୁ ଆଦାୟ ହେଉଥିବା ପଇସା ଗୋଶାଳାରେ ଯାବତୀୟ ଖର୍ଚ୍ଚ ନିର୍ବାହ କରିବାକୁ ଆଦୌ ଯଥେଷ୍ଟ ହୁଏ ନାହିଁ । ତେଣୁ ଅବଶିଷ୍ଟ ଖର୍ଚ୍ଚ ବିଦ୍ୟାଳୟ ବହନ କରେ । ଏପର୍ଯ୍ୟନ୍ତ ସ୍ଥାୟୀ ଗୋଶାଳା ତିଆରି ହୋଇନାହିଁ । ପିଲାଏ ଆପଣା ହାତରେ ଯେଉଁ ଅସ୍ଥାୟୀ ଘରଟି ତିଆରି କରିଚନ୍ତି, ଗୋରୁଗାଈ ତାହାରି ଭିତରେ ରହନ୍ତି । ଗୋରୁଗାଈଙ୍କର ରକ୍ଷଣାବେକ୍ଷଣ ଲାଗି ପ୍ରତି ମାସରେ ପିଲାମାନେ ଆପଣାଭିତରୁ ଜଣେ ପ୍ରତିନିଧି ବାଛିନିଅନ୍ତି । ଏହାଙ୍କୁ ଗୋଶାଳା-ମନ୍ତ୍ରୀ କୁହାଯାଏ । ମନ୍ତ୍ରୀ ଆପଣାଲାଗି ଦୁଇଜଣ ସହାୟକ ବାଛି ନିଅନ୍ତି । ଏହିମାନେ ହିଁ ଗୋଶାଳାର ଯାବତୀୟ ବ୍ୟବସ୍ଥା କରନ୍ତି, ଦରକାର ହେଲେ ସେମାନେ ଅନ୍ୟ ପିଲାଙ୍କର ସାହାଯ୍ୟ ବି ନିଅନ୍ତି । ପାଳି କରି ପ୍ରତ୍ୟେକ ପିଲା ଓଳିଏ ଗାଈ ଜଗିବାକୁ ଯାଏ । ପ୍ରାୟ ମାସକେ ଥରେ ଏହି ପାଳି ପଡ଼େ ।

 

ସ୍ୱାସ୍ଥ୍ୟ ଓ ସ୍ଵାସ୍ଥ୍ୟରକ୍ଷା–

 

ଆଗରୁ କୁହାଯାଇଚି ଯେ ଏଗାରଟି ଅସ୍ଥାୟୀ ବଖରାରେ ପ୍ରଥମେ ବିଦ୍ୟାଳୟର ଆରମ୍ଭ ହୋଇଥିଲା । ବଖରାଗୁଡ଼ିକର ଲମ୍ବ ବାରଫୁଟ ଓ ପ୍ରସ୍ଥ ବାରଫୁଟ । ସେତେବେଳେ ପ୍ରତ୍ୟେକ ବଖରାରେ ହାରାହାରି ଛଅଜଣ ଛାତ୍ର ରହୁଥିଲେ । ଗୋଟିଏ ବଖରା ଝିଅମାନଙ୍କ ଲାଗି ରଖାଯାଉଥିଲା । କ୍ରମେ ଛାତ୍ରସଂଖ୍ୟା ବଢ଼ିଲା ଓ ଅଧିକା ଘର ବି ତିଆରି ହେଲା । ପରେ ତିଆରି ହୋଇଥିବା ଘରଗୁଡ଼ିକର ଛାତ ଟାଇଲରେ ତିଆରି ହୋଇଥିଲା । କେତୋଟିରେ ସିମେଣ୍ଟ୍ ଚଟାଣ ମଧ୍ୟ ହେଲା । ଏହିସବୁ ନୂଆ ବଖରାର ଆୟତନ ହେଉଚି ୧୪ଫୁଟ୍ × ୧୪ଫୁଟ୍ । ବର୍ତ୍ତମାନ ପ୍ରତ୍ୟେକ ବଖରାରେ ହାରାହାରି ତିନି ଚାରିଜଣ ଲେଖାଏଁ ପିଲା ରହୁଚନ୍ତି । ଶିକ୍ଷକମାନଙ୍କ ଲାଗି ଦୁଇବଖରିଆ ଦୁଇଟି ବାସଗୃହ ତିଆରି ହୋଇଚି । ପ୍ରତ୍ୟେକ ଗୃହର ଗୋଟିଏ ଗୋଟିଏ ବଖରାରେ ବର୍ତ୍ତମାନ ପିଲା ରହୁଚନ୍ତି । କ୍ଲାସ ଲାଗି କୌଣସି ସ୍ଵତନ୍ତ୍ର ଘରର ବନ୍ଦୋବସ୍ତ ନାହିଁ । ତେଣୁ ଛାତ୍ରାବସ ଭିତରେ ହିଁ ଅଧିକାଂଶତଃ କ୍ଲାସମାନ ନିଆଯାଇଥାଏ ।

 

ବିଦ୍ୟାଳୟରେ ଦୁଇଟି କୂଅ ରହିଚି । ଏହିଥିରୁ ହିଁ ଜଳର ସର୍ବବିଧ ଆବଶ୍ୟକତା ମେଣ୍ଟାଇବାକୁ ପଡ଼େ । ପାଖ ଝରଣାଟିରେ ବର୍ଷରେ ଚାରି ପାଞ୍ଚମାସ ପାଣି ରହେ । ଏହି ସମୟରେ ବାସନଧୁଆ, ଲୁଗାକଚା ଓ ଗାଧୁଆ କାମ ଝରଣାରେ ହିଁ ହୋଇଥାଏ । ମାତ୍ର ଝରଣାରୁ ପାଣି ଶୁଖିଯିବା ସଙ୍ଗେସଙ୍ଗେ ବିଦ୍ୟାଳୟକୁ ସଂପୂର୍ଣ୍ଣଭାବେ କୂଅଦୁଇଟି ଉପରେ ନିର୍ଭର କରିବାକୁ ପଡ଼େ । ଗୋଟିଏ କୂଅର ଗଭୀରତା ଖୁବ୍ କମ୍ । ତଳେ ମୁଗୁନି ପଥରର ଚଟାଉ ପଡ଼ିବାରୁ ଏହାକୁ ଅଧିକ ଗଭୀର କରି ଖୋଳିବା ସମ୍ଭବ ହୋଇ ପାରିଲା ନାହିଁ । ତେଣୁ ଜାନୁଆରୀ ମାସରୁ ହିଁ କୂଅଟି ଶୁଖିବାକୁ ଆରମ୍ଭ କରେ । ସଞ୍ଜବେଳକୁ ଶୁଖିଯାଏ, ପୁଣି ରାତିରେ ପାଣି ଝରି ସକାଳକୁ ପ୍ରାୟ ଦୁଇଫୁଟ ପାଣି ହୋଇ ଯାଇଥାଏ । ବର୍ଷାଦିନ ଆସିବା ପର୍ଯ୍ୟନ୍ତ ବିଦ୍ୟାଳୟ ଏହିପରି ଅବସ୍ଥାରେ ହିଁ ଜଳର ଆବଶ୍ୟକତା ମେଣ୍ଟାଇଥାଏ । ଖରାଦିନେ ଏହି କୂଅ ଦୁଇଟିରୁ ପାଣି କାଢ଼ି ବିଦ୍ୟାଳୟର ସ୍ଥାୟୀ ଗଛଗୁଡ଼ିକୁ ବଞ୍ଚାଇ ରଖିବାକୁ ହୁଏ ।

 

ଏହି ସ୍କୁଲର ପିଲାମାନେ ସାଧାରଣତଃ ଅତି ଦରିଦ୍ର ପରିବାରରୁ ଆସିଚନ୍ତି । ଏକ ସ୍ଵାସ୍ଥ୍ୟକର ଜୀବନଯାପନ କରିବାଲାଗି ମଣିଷର ଅତି କମରେ ଯେତେ ଲୁଗାପଟା ଓ ଅନ୍ୟାନ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଦରକାର, ଏମାନଙ୍କ ପାଖରେ ସେତିକି ମଧ୍ୟ ନାହିଁ । ଏହି ଅଭାବର ବଶବର୍ତ୍ତୀ ହୋଇ ସମ୍ଭବତଃ ସେମାନେ ପରସ୍ପର ଲୁଗାପଟା ବ୍ୟବହାର କରିବାକୁ ମଧ୍ୟ ମନ ବଳାଇଥାନ୍ତି । ଖାଇବା ବିଷୟରେ ମଧ୍ୟ ଏପର୍ଯ୍ୟନ୍ତ ସେମାନେ ପରିଷ୍କାର ପରିଚ୍ଛନ୍ନ ଓ ସୁସ୍ଥ ଅଭ୍ୟାସଗୁଡ଼ିକ ଶିଖି ନାହାନ୍ତି । ଗୋଟିଏ ବଖରା ମାଟିଘରେ ସେମାନଙ୍କର ଭଣ୍ଡାର ଘର ହୋଇଚି-। ଏହି ଭଣ୍ଡାର ଘରେ ମୂଷାମାନଙ୍କର ପ୍ରବଳ ଦୌରାତ୍ମ୍ୟ ରହିଚି । ଖାଦ୍ୟପଦାର୍ଥ ସାଇତି ରଖିବାଲାଗି ଏହି ଘରେ ଗୋଟିଏ ଭାଡ଼ି କରି ଦିଆଯାଇଚି । ପାଖରେ ଥିବା ଗାଆଁମାନଙ୍କରୁ ଓ ଅନଗୁଳର ରବିବାର ହାଟରୁ ଚାଉଳ ଓ ପରିବା ପ୍ରଭୃତି କିଣାହୋଇ ଆସେ । ବିଦ୍ୟାଳୟର ବଗିଚାରୁ ବି କିଛିକିଛି ମିଳେ । ଦରଭଙ୍ଗା ଗୋଟିଏ କ୍ଷୁଦ୍ର ଚାଳିଘରେ ନବେଜଣ ମଣିଷଙ୍କ ପାଇଁ ଖାଇବା ରନ୍ଧାଯାଏ । ପିଲାଏ ପାଳି କରି ରନ୍ଧାବଢ଼ା କରନ୍ତି । ରୋଷେଇ ଘରଟି (ଯଦି ନିହାତି ଏହାକୁ ରୋଷେଇ ଘର ବୋଲି କହିବାକୁ ପଡ଼େ ।)ଏତେ ସଂକୀର୍ଣ୍ଣ ଯେ ଏହାକୁ ପରିଷ୍କାର-ପରିଚ୍ଛନ୍ନ ରଖିବା କାଠିକର ପାଠ ହୋଇଉଠେ । ଖାଇବାଘର ନାହିଁ, ଖାଇବା ଲାଗି କୌଣସି ସ୍ଵତନ୍ତ୍ର ସ୍ଥାନର ବ୍ୟବସ୍ଥା ମଧ୍ୟ ନାହିଁ । ଗୋଟିଏ ଅଣଓସାରିଆ ବାରଣ୍ଡା ଉପରେ ବସି ପ୍ରତିଦିନର ଖିଆପିଆ ହୁଏ-। ଏହି ବାରଣ୍ଡାରେ ଦିନକୁ ତିନିଥର କରି ଖାଇବା ପରଷାଯାଏ । ସେଥିଲାଗି ବାରଣ୍ଡାଟି ପ୍ରାୟ ସବୁବେଳେ ବଡ଼ ଅପରିଷ୍କାର ଦେଖାଯାଏ । ସମସ୍ତଙ୍କ ଲାଗି ପିଇବା ପାଣି ସାଇତି ରଖିବା ବା ବ୍ୟବହାର କରିବାଲାଗି ଏଠାରେ କୌଣସି ସାମୂହିକ ବ୍ୟବସ୍ଥା ନାହିଁ ।

 

ଏହିସବୁ ଅସ୍ଵାସ୍ଥ୍ୟକର ଅବସ୍ଥା ହେତୁ ପିଲାମାନେ ଏଠି ଅଧିକାଂଶ ସମୟରେ ରୋଗରେ ପଡ଼ନ୍ତି । ପ୍ରଥମ ଦୁଇବର୍ଷ ଅନେକଙ୍କୁ ମେଲେରିଆ ଭୋଗିବାକୁ ପଡ଼ିଥିଲା । ଏବେ ଏହାର ପ୍ରକୋପ କମିଗଲାଣି । ତଥାପି ଅନେକ ଛାତ୍ର ଚର୍ମରୋଗରେ ପୀଡ଼ିତ ଅଛନ୍ତି । ଗାଧୋଇବା, ରହିବା ଓ ଖାଇବା ବିଷୟରେ ଏଠାରେ ଯେପରି ଅସ୍ଵାସ୍ଥ୍ୟକର ପରିସ୍ଥିତି ଭିତରେ ଚଳିବାକୁ ପଡ଼ୁଚି, ହୁଏତ ଏହାରି ପରିଣାମରେ ହିଁ ଚର୍ମରୋଗ ହେଉଚି । ପିଲାମାନଙ୍କର ଅଭ୍ୟାସ ଅଧିକ ନିୟମିତ ଓ ସ୍ୱାସ୍ଥ୍ୟ-ଅନୁକୂଳ ହୋଇଥିଲେ ସେମାନେ ନିଶ୍ଚୟ ଏତେ ରୋଗରେ ପଡ଼ୁ ନଥାନ୍ତେ ।

 

ପୀଡ଼ିତ ଛାତ୍ରମାନଙ୍କର ଶୁଶ୍ରୂଷା ଓ ଚିକିତ୍ସା ଲାଗି ଏଠାରେ ଉପଯୁକ୍ତ ବ୍ୟବସ୍ଥା ନାହିଁ । ପ୍ରତି ମାସରେ ଜଣେ ଛାତ୍ରକୁ ସ୍ୱାସ୍ଥ୍ୟମନ୍ତ୍ରୀ ରୂପେ ନିର୍ବାଚିତ କାରାଯାଏ । ତାକୁ ସାହାଯ୍ୟ କରିବା ଲାଗି ମଧ୍ୟ ଆଉ ଦୁଇଜଣ ଥାଆନ୍ତି । ଏହିମାନେ ରୋଗରେ ପଡ଼ୁଥିବା ପିଲାମାନଙ୍କର ଶୁଶ୍ରୂଷା କରନ୍ତି । ବିଦ୍ୟାଳୟରେ କେତେକ ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା-ସରଞ୍ଜାମ ଗଚ୍ଛିତ ରହିଚି । କେହି ସାଂଘାତିକ ଭାବରେ ପୀଡ଼ିତ ହେଲେ ତାହାକୁ ଅନଗୁଳ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଇବାକୁ ପଡ଼େ । ପ୍ରଥମେ ବଳଦଗାଡ଼ିରେ ବସାଇ ରାସ୍ତା ପର୍ଯ୍ୟନ୍ତ ଅଣାଯାଏ ଓ ସେଠାରୁ ଅନଗୁଳ ଲାଗି ମଟର ଧରିବାକୁ ହୁଏ । ବାଟରେ ପୁଣି ଗୋଟିଏ ନଦୀ ପାରହୋଇ ଯିବାକୁ ପଡ଼େ । ତେଣୁ ବର୍ଷାଦିନେ ବିଦ୍ୟାଳୟଟି ବାହାର ପୃଥିବୀରୁ ବିଚ୍ଛିନ୍ନ ହୋଇ ରହେ ବୋଲି କହିଲେ ଆଦୌ ଅତ୍ୟୁକ୍ତି ହେବ ନାହିଁ । ବସ୍ ନ ମିଳିଲେ ସେହି ବଳଦଗାଡ଼ିରେ ବସାଇ ରୋଗୀକୁ ଅନଗୁଳ ପର୍ଯ୍ୟନ୍ତ ନେବାକୁ ପଡ଼େ । କୌଣସି ରୋଗୀ ଡାକ୍ତରଖାନାରେ ପଡ଼ିଥିବାବେଳେ ଆଉ କେତେଜଣ ଛାତ୍ର ତା’ପାଖରେ ରହିବାଲାଗି ସ୍ଵେଚ୍ଛାସେବକ ଭାବେ ଯାଆନ୍ତି । ଚିକିତ୍ସାର ଯାବତୀୟ ଖର୍ଚ୍ଚ ବିଦ୍ୟାଳୟ ବହନ କରେ ।

 

ଶିକ୍ଷକମଣ୍ଡଳୀ–

 

୧୯୫୪ ମସିହାରେ କେବଳ ଜଣେ ମାତ୍ର ଶିକ୍ଷକ ଥାଇ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ପ୍ରଥମ ତିନିବର୍ଷ ବିଦ୍ୟାଳୟର ସକଳ ଶିକ୍ଷଣକାର୍ଯ୍ୟ ପ୍ରାୟ ଏହି ଜଣେ ଶିକ୍ଷକଙ୍କ ଦ୍ଵାରା ହିଁ ଚଳିଚି, ବିଦ୍ୟାଳୟ ବିଷୟରେ ଅଳ୍ପବହୁତ ଏହିକଥା କୁହାଯାଇପାରେ । ଅନ୍ୟ ଶିକ୍ଷକ ଅବଶ୍ୟ ଆସିଚନ୍ତି, କିନ୍ତୁ ମାତ୍ର କେତେମାସ ରହିବା ପରେ ସେମାନେ ଅନ୍ୟତ୍ର ଚାଲିଯାଇଚନ୍ତି । ବିଦ୍ୟାଳୟ କାର୍ଯ୍ୟ କରୁଥିବା ଅବସ୍ଥାରେ ମଧ୍ୟ ଅନ୍ୟଜାଗାରେ ଅଧିକ ଭଲ କାର୍ଯ୍ୟର ସନ୍ଧାନ କରିବାରେ ସେମାନେ କୌଣସି ତ୍ରୂଟି କରିନାହାନ୍ତି । ଶିକ୍ଷକଙ୍କ ଲାଗି ବିଜ୍ଞାପନ କରାଯାଇଚି, ବ୍ୟକ୍ତିଗତ ଚେଷ୍ଟା ମଧ୍ୟ କରାଯାଇଚି, ତଥାପି ଏଠାରେ ସ୍ଥାୟୀ ହୋଇ କାର୍ଯ୍ୟ କରିବାର ଉଦ୍ଦେଶ୍ୟ ନେଇ କେବେହେଲେ କୌଣସି ଶିକ୍ଷକ ଆସିନାହାନ୍ତି । ଅବଶ୍ୟ ଏହା ଏକ ସ୍ଵତଃସିଦ୍ଧ କଥା ଯେ ଏହି ବିଦ୍ୟାଳୟକୁ ଯେଉଁ ଶିକ୍ଷକ ଆସିବେ, କ୍ଲାସରେ ପାଠ୍ୟନିର୍ଘଣ୍ଟ ଅନୁସାରେ ପିଲାଙ୍କୁ କେତେଘଣ୍ଟା ପାଠ ପଢ଼ାଇଦେବାରେ ସେ ଆପଣାର କାର୍ଯ୍ୟକଳାପକୁ ସୀମିତ ରଖିବେ ନାହିଁ । ବିଦ୍ୟାଳୟ ଓ ବିଦ୍ୟାଳୟର ବିଦ୍ୟାର୍ଥୀ-ଜୀବନର ଯାବତୀୟ କାର୍ଯ୍ୟରେ ତାଙ୍କୁ ଅବଶ୍ୟ ଅଂଶ ଗ୍ରହଣ କରିବାକୁ ପଡ଼ିବ । ସମ୍ଭବତଃ ଏହି ବିଦ୍ୟାଳୟ ଶିକ୍ଷକମାନଙ୍କଠାରୁ ଏହିପରି ଏକ ସ୍ଵତନ୍ତ୍ର ଅପେକ୍ଷା ରଖୁଥିବାରୁ ଏଠାକୁ ଆସିବାଲାଗି କେହି କୌଣସି ଆକର୍ଷଣ ଅନୁଭବ କରିନାହାନ୍ତି । ଅବଶ୍ୟ ଏବର୍ଷ ଏହି ସ୍ଥିତିରେ ଆଶାପ୍ରଦ ପରିବର୍ତ୍ତନ ଘଟିଛି ଏବଂ ବର୍ତ୍ତମାନ ବିଦ୍ୟାଳୟରେ ଚାରିଜଣ ଶିକ୍ଷକ ଅଛନ୍ତି । ଜଣେ ଓଡ଼ିଶାର ଏକ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ, ସେହି ପଦ ତ୍ୟାଗ କରି ସେ ଏଠାକୁ ଆସିଚନ୍ତି । ତୃତୀୟ ଶିକ୍ଷକ ସିଧା ଟ୍ରେନିଂ କଲେଜରୁ ଆସିଚନ୍ତି । ଚତୁର୍ଥ ଜଣକ ଜଣେ ଭଦ୍ର ମହିଳା, ସେ ଓଡ଼ିଶା ବାହାରୁ ଏକ ହିନ୍ଦୀ-ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଚନ୍ତି । ସେ ପିଲାମାନଙ୍କୁ ହିନ୍ଦୀ ପଢ଼ାନ୍ତି, ତାହା ସହିତ ଝିଅମାନଙ୍କର ତତ୍ତ୍ଵାବଧାନ ମଧ୍ୟ କରନ୍ତି ।

 

ଦୈନିକ କାର୍ଯ୍ୟକ୍ରମ–

 

ବିଦ୍ୟାଳୟର କାର୍ଯ୍ୟ ଏକ ନିର୍ଦ୍ଦିଷ୍ଟ ନିର୍ଘଣ୍ଟ ଅନୁସାରେ ଚାଲେ । ଋତୁର ପରିବର୍ତ୍ତନ ଓ ବିଶେଷ ଆବଶ୍ୟକତା ଅନୁସାରେ ଏହି ନିର୍ଘଣ୍ଟରେ କିଛି ଅଦଳବଦଳ ମଧ୍ୟ କରାଯାଇଥାଏ । ଛାତ୍ରମାନଙ୍କ ଦ୍ଵାରା ନିର୍ବାଚିତ ମନ୍ତ୍ରୀମଣ୍ଡଳ ସେହି ମାସଟି ଲାଗି ଏହି କାର୍ଯ୍ୟନିର୍ଘଣ୍ଟ ତିଆରି କରେ । କାର୍ଯ୍ୟନିର୍ଘଣ୍ଟଟି ନିମ୍ନରେ ଦିଆଯାଉଚି :

 

୪.୧୫

ଉଠିବା ଘଣ୍ଟା

୪.୩୦

ସକାଳ-ପ୍ରାର୍ଥନା

୪.୪୫-୬.୦୦

ପ୍ରାତଃକର୍ମ ଓ ସାମୂହିକ ସଫାଇ

୬.୦୦-୭.୦୦

ପ୍ରାତଃଭୋଜନ

୭.୦୦-୯.୦୦

ଶାରୀରିକ ଶ୍ରମ (ଧନ୍ଦା ଓ କୃଷି ପ୍ରଭୃତି)

୯.୩୦-୧୧.୩୦

ସୋପାନର ପାଠପଢ଼ା

୧୧.୪୫

ମଧ୍ୟାହ୍ନଭୋଜନ

୧୫.୦୦-୧୭.୦୦

ସୋପାନର ପାଠପଢ଼ା

୧୭.୦୦-୧୮.୦୦

ଖେଳ

୧୮.୧୫

ସାନ୍ଧ୍ୟଭୋଜନ

୧୯.୩୦

ସାନ୍ଧ୍ୟପ୍ରାର୍ଥନା

୨୦.୦୦-୨୨.୦୦

ସ୍ଵାଧ୍ୟାୟ

୨୨.୦୦

ଶୋଇବାକୁ ଯିବାର ଘଣ୍ଟା

 

ସର୍ବେକ୍ଷଣର ବିବରଣୀ–

 

ଏହି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରମାନଙ୍କର ଏକ ସାମାଜିକ ଓ ଅର୍ଥନୈତିକ ସର୍ବେକ୍ଷଣ ଓ ଅଧ୍ୟୟନ କରିବା ଲାଗି ଏକ ବିଶଦ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇଥିଲା । ବିଦ୍ୟାଳୟର କିରାନି ଓ କେତେଜଣ ଛାତ୍ର କାର୍ବନ ସାହାଯ୍ୟରେ ପ୍ରଶ୍ନାବଳୀର ନକଲ କରିଥିଲେ । ତଥାପି ଅଧିକାଂଶ ଛାତ୍ର ଆପଣା ହାତରେ ପ୍ରଶ୍ନାବଳୀଟି ଲେଖି ନେଇଥିଲେ । ପ୍ରକୃତ ସର୍ବେକ୍ଷଣ ଆରମ୍ଭ ହେବା ପୂର୍ବରୁ ସକାଳେ ସବୁ ଛାତ୍ରଙ୍କୁ ଏକାଠି ଗୋଟିଏ ସ୍ଥାନକୁ ଡକାଯାଇଥିଲା । ଏପରି ସର୍ବେକ୍ଷଣମାନ କାହିଁକି କରାଯାଏ ଏବଂ ଏହି ସର୍ବେକ୍ଷଣରେ ଛାତ୍ରମାନଙ୍କର କାହିଁକି ସହଯୋଗ କରିବା ଉଚିତ, ଏହିସବୁ ବିଷୟ ସେମାନଙ୍କୁ ଭଲକରି ବୁଝାଇ କହି ଦିଆଯାଇଥିଲା । ସର୍ବେକ୍ଷଣ-ପ୍ରଶ୍ନାବଳୀର ଉତ୍ତର ଦେବାଲାଗି ଛାତ୍ରମାନେ ଉପରଓଳି ପୁଣିଥରେ ଏକତ୍ର ହୋଇଥିଲେ । ସେତେବେଳେ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ସେଠି ଉପସ୍ଥିତ ଥିଲେ । ଏଥିରେ ପ୍ରାୟ ଦୁଇଘଣ୍ଟା ସମୟ ଲାଗିଥିଲା । ଉତ୍ତରଗୁଡ଼ିକ ସଂଗୃହୀତ ହେବାପରେ ପରବର୍ତ୍ତୀ ଚାରିଦିନ ସେଗୁଡ଼ିକର ତଥ୍ୟାବଧାରଣ (Tabulation) କାର୍ଯ୍ୟ ଚାଲିଥିଲା । ଦ୍ଵାଦଶ ସୋପାନର ଚାରିଜଣ ଛାତ୍ର ଏହି କାର୍ଯ୍ୟରେ ସାହାଯ୍ୟ କରିଥିଲେ । ଏହି ଅବଧାରଣଗୁଡ଼ିକର ସତ୍ୟାସତ୍ୟ ପରୀକ୍ଷା କରିବା ଲାଗି କେତେଜଣ ଛାତ୍ରଙ୍କ ସହିତ ବ୍ୟକ୍ତିଗତ କଥୋପକଥନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଏହିସବୁ କଥୋପକଥନବେଳେ ବିଦ୍ୟାଳୟର ଜଣେ ଶିକ୍ଷକଙ୍କର ସାହାଯ୍ୟ ନିଆଯାଇଥିଲା । ଛାତ୍ରମାନେ ଲିଖିତ ଆକାରରେ ଦେଇଥିବା ଉତ୍ତରଗୁଡ଼ିକୁ ବୁଝିବାରେ ଏହି କଥୋପକଥନ ପ୍ରକୃତରେ ଭାରି ସାହାଯ୍ୟ କରିଥିଲା । ଏହିସବୁ କାର୍ଯ୍ୟାନୁଷ୍ଠାନରେ ଛାତ୍ରମାନଙ୍କୁ କୌଣସି ପ୍ରକାରେ ବାଧ୍ୟ ବା ପ୍ରଭାବିତ କରିବାର କୌଣସି ଚେଷ୍ଟା କରାଯାଇ ନଥିଲା । ତେଣୁ ଅନୁମାନ କରାଯାଇପାରେ ଯେ ଛାତ୍ରମାନେ କୌଣସି ପ୍ରକାର ଦକା ବା ଭୟ ମନରେ ନ ରଖି ପ୍ରଶ୍ନାବଳୀର ଉତ୍ତର ଦେବାକୁ ସମର୍ଥ ହୋଇଥିଲେ । ଉତ୍ତରଗୁଡ଼ିକର ମାଧ୍ୟମରେ ମିଳିଥିବା ତଥ୍ୟ-ବିବରଣରୁ ନିମ୍ନରେ ଛାତ୍ରମାନଙ୍କ ବିଷୟରେ କେତେକ ସିଦ୍ଧାନ୍ତ ଓ ନିର୍ଣ୍ଣୟରେ ପହଞ୍ଚିବାର ଚେଷ୍ଟା କରାଯାଇଚି ।

ବିଦ୍ୟାଳୟର ମୋଟ ଛାତ୍ରସଂଖ୍ୟା ୭୭ । ସେମାନଙ୍କ ଭିତରେ ୭୩ ଜଣ ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିଲେ । ଅବଶିଷ୍ଟ ଚାରିଜଣ ସେତେବେଳେ ଘରକୁ ଯାଇଥିଲେ ।

ଏହି ୭୩ ଜଣ ଛାତ୍ର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଚନ୍ତି: ବାଲେଶ୍ଵର-୧୧, ସମ୍ବଲପୁର-୧୭, ମୟୂରଭଞ୍ଜ-୨, ପୁରୀ-୫, ଢେଙ୍କାନାଳ-୧୩, କଟକ-୧୮, ଗଞ୍ଜାମ-୬, ଫୁଲବାଣୀ-୧ ।

ଜାତି– ଅଣଆଦିବାସୀ-୬୪, ଆଦିବାସୀ-୪, ହରିଜନ-୫ ।

ବୟସ– ସବୁଠାରୁ ଅଧିକ ବୟସ୍କ ଛାତ୍ରର ବୟସ ୨୨, ସବୁଠାରୁ ସାନର ବୟସ-୧୫-

ହୁଏତ ଏହି ତଥ୍ୟ ସଂପୂର୍ଣ୍ଣ ସତ୍ୟ ହୋଇ ନପାରେ । କାରଣ କେବଳ ୩୫ ଜଣ ଆପଣାର ଜନ୍ମତାରିଖ ଜାଣିଚନ୍ତି, ଅନ୍ୟମାନେ ଜାଣି ନାହାନ୍ତି । କେବଳ ଅନୁମାନ କରି ସେମାନେ ଆପଣାର ବୟସ କହିଚନ୍ତି ।

 

ଚଉଦ ଜଣ ପିଲାଙ୍କର ବାପାମାଆ ଜୀବିତ ଅଛନ୍ତି । ଏଗାରଜଣ ଅଜା ବା ଆଈଙ୍କର ନାମ ଜାଣି ନାହାନ୍ତି । ସମସ୍ତେ ହିନ୍ଦୁପରିବାରରୁ ଆସିଚନ୍ତି । ସତୁରି ଜଣଙ୍କର ମାତୃଭାଷା ଓଡ଼ିଆ । ଅବଶିଷ୍ଟଙ୍କ ମଧ୍ୟରୁ ସାନ୍ତାଳି-୧, ହୋ-୧, ସଉରା-୧ ।

 

ପୂର୍ବଶିକ୍ଷା–୬୭ ଜଣ ମୌଳିକ ସ୍କୁଲରୁ ୮ମ ସୋପାନ ପାସ୍ କରି ଏଠାକୁ ଆସିଚନ୍ତି । ୬ ଜଣ ହାଇସ୍କୁଲରୁ ଆସିଚନ୍ତି । ମୌଳିକ ସ୍କୁଲରୁ ଆସିଥିବା ୬୭ ଜଣ ପିଲାଙ୍କ ମଧ୍ୟରୁ ୧୬ ଜଣ ଅନଗୁଳ ବାଜିରାଉତ ଛାତ୍ରାବାସରୁ ଏଠାକୁ ଆସିଚନ୍ତି ।

 

ଏଠାକୁ ଆସିବା ପୂର୍ବରୁ ୧୫ ଜଣ ସରକାରୀ ସାହାଯ୍ୟ ପାଉଥିଲେ । ଆଠଜଣ ସରକାରୀ ଗ୍ରାମମଙ୍ଗଳ ବିଭାଗରୁ ସାହାଯ୍ୟ ପାଉଥିଲେ ଓ ଚାରିଜଣ ଭଲ ପାଠ ପଢ଼ୁଥିବାରୁ ଛାତ୍ରବୃତ୍ତି ମଧ୍ୟ ପାଉଥିଲେ । ଜଣେ ଛାତ୍ର ପୂର୍ବତନ ବିଦ୍ୟାଳୟର ଜଣେ ଶିକ୍ଷକଙ୍କଠାରୁ ଆର୍ଥିକ ସାହାଯ୍ୟ ପାଉଥିଲା ।

 

ଭାଷାଜ୍ଞାନ–ଆପଣାର ମାତୃଭାଷା ବ୍ୟତୀତ ପ୍ରତ୍ୟେକ ବିଦ୍ୟାର୍ଥୀ ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଜାଣିଚନ୍ତି । ସମସ୍ତେ ହିନ୍ଦୀ ପଢ଼ି ଲେଖି ଜାଣନ୍ତି ଓ ବୁଝିପାରନ୍ତି । କିନ୍ତୁ ବଙ୍ଗଳା କେବଳ ପଢ଼ିଜାଣନ୍ତି ଓ ବୁଝିପାରନ୍ତି । ଇଂରାଜୀ ଶିକ୍ଷା ସାଧାରଣତଃ ଏହି ସ୍କୁଲକୁ ଆସିବା ପରେ ଆରମ୍ଭ ହୋଇଚି, ତଥାପି କେତେଜଣ ଏଠାକୁ ଆସିବା ପୂର୍ବରୁ ମଧ୍ୟ ଇଂରାଜୀ-ଶିକ୍ଷା ଆରମ୍ଭ କରିଥିଲେ । ଜଣେ ଛାତ୍ର ତେଲୁଗୁ ବୁଝିପାରୁଚି ଓ କହି ପାରୁଚି ।

 

ରଚନାପ୍ରବୃତ୍ତି–ପ୍ରାୟ ପ୍ରତ୍ୟେକ ଛାତ୍ରର ଲେଖିବା ଦିଗରେ ଅନୁକୂଳ ରୁଚି ରହିଚି । ୫୯ ଜଣଙ୍କର ସ୍ଵରଚିତ ଲେଖାମାନ ବିଦ୍ୟାଳୟର ହାତଲେଖା ପତ୍ରିକାରେ ବାହାରିଚି । ଜଣକର ଲେଖା ପ୍ରବନ୍ଧଟିଏ ଏକ ସାପ୍ତାହିକ ପତ୍ରିକାରେ ପ୍ରକାଶିତ ହୋଇଚି, ଆଉ ଜଣକର ଲେଖା ମାସିକ ପତ୍ରିକାରେ ବି ବାହାରିଚି ।

 

ତେଇଶିଜଣ ଛାତ୍ର ଏଠାକୁ ଆସିବା ପୂର୍ବରୁ ଆଲୋଚନାସଭା ମାନଙ୍କରେ ଭାଗ ନେଇଚନ୍ତି । ୩୯ ଜଣ କ୍ରୀଡ଼ାନୁଷ୍ଠାନରେ ପ୍ରତିଯୋଗିତା କରିଚନ୍ତି ଓ ଏମାନଙ୍କ ଭିତରୁ ସାତଜଣ ପୁରସ୍କାର ପାଇଚନ୍ତି ।

ତେଇଶି ଜଣ ଯୁବକ-ସଂଘ, ଛାତ୍ର-ସମାଜ ଓ ଗ୍ରାମ-ପାଠାଗାରର ସଦସ୍ୟ ଅଛନ୍ତି । ଏମାନଙ୍କ ମଧ୍ୟରୁ କେହି କୌଣସି ରାଜନୀତିକ ଦଳର ସଭ୍ୟ ନୁହନ୍ତି ।

ଦୁଇଜଣଙ୍କର ଅନ୍ୟ ଏକ କୃଷକର ଜମିରେ କାମ କରି ଅର୍ଥୋପାର୍ଜନ କରିବାର ଅଭିଜ୍ଞତା ରହିଚି । ତିନିଜଣ ବ୍ୟବସାୟରେ ଓ ଆଉଜଣେ ଲୁଗା ବୁଣି ମଧ୍ୟ ପଇସା ରୋଜଗାର କରିଚନ୍ତି ।

ସତର ଜଣଙ୍କୁ ଛାଡ଼ିଦେଲେ ଅବଶିଷ୍ଟ ସମସ୍ତଙ୍କର ଗୋଷ୍ଠୀଗତ ବା ଛାତ୍ରାବାସ-ଜୀବନର ଅଭିଜ୍ଞତା ରହିଚି ।

କାର୍ଯ୍ୟଦକ୍ଷତା–୬୨ ଜଣ କଠିନ ଶାରୀରିକ ପରିଶ୍ରମ କରି ପାରିବେ । ଯେଉଁମାନେ କରି ପାରିବେ ନାହିଁ, କେବଳ ଦୁର୍ବଳ ଶରୀର ଓ ସ୍ଵାସ୍ଥ୍ୟର କାରଣରୁ ହିଁ ଏଥିରେ ଅକ୍ଷମତା ପ୍ରକାଶ କରିଚନ୍ତି । କେବଳ ଜଣେ ଆପଣାକୁ ଦୁର୍ବଳ ଓ କୌଣସି ପ୍ରକାର ଶାରୀରିକ ପରିଶ୍ରମ କରିବାକୁ ଭଲ ଲାଗେ ନାହିଁ ବୋଲି କହିଚି ।

ପ୍ରାୟ ସମସ୍ତେ ବଢ଼େଇକାମ ଜାଣନ୍ତି, ମିସ୍ତ୍ରୀ କାମ ଜାଣନ୍ତି, ଲୁଗାବୁଣା ଓ ସୂତାକଟା ଜାଣନ୍ତି । ଦୁଇତିନି ଜଣଙ୍କର ଚିତ୍ରକଳାରେ ରୁଚି ରହିଚି । କେତେଜଣ ଗୀତ ଗାଇବା, ନାଚିବା ଓ ବାଦ୍ୟଯନ୍ତ୍ର ବଜାଇବା ବି ଜାଣିଚନ୍ତି । ଚାରିପାଞ୍ଚଜଣ ବହି ବାନ୍ଧି ଜାଣନ୍ତି ।

 

୩୯ ଜଣ ବିଦ୍ୟାର୍ଥୀ କୌଣସି ନା କୌଣସି ପ୍ରକାର ଆନ୍ଦୋଳନରେ ଭାଗ ନେଇଚନ୍ତି, ସାଧାରଣ ପାଣ୍ଠିଲାଗି ଚାନ୍ଦା ମଧ୍ୟ ସଂଗ୍ରହ କରିଚନ୍ତି ।

 

ଭ୍ରମଣ–୨୩ ଜଣ ଓଡ଼ିଶା ବାହାରକୁ ଯାଇଚନ୍ତି । ଅଧିକାଂଶ ସର୍ବୋଦୟ ସମ୍ମିଳନୀରେ ଯୋଗ ଦେବାକୁ ଯାଇ ଏହି ସୁବିଧା ପାଇଚନ୍ତି । ଅନ୍ୟମାନଙ୍କ ମଧ୍ୟରୁ ପାଞ୍ଚଜଣ ଓଡ଼ିଶାର ଅନ୍ୟ କେତେକ ଜିଲ୍ଲା ଦେଖିଚନ୍ତି । ଅବଶିଷ୍ଟ ଛାତ୍ରମାନେ କେବେହେଲେ ଆପଣା ଜିଲ୍ଲାରୁ ବାହାରକୁ ଯାଇନାହାନ୍ତି ।

 

ଅବସର-ବିନୋଦନ–୪୬ ଜଣ ସିନେମା ଓ ୫ ଜଣ ଥିଏଟର ଦେଖିବାକୁ ଭଲ ପାଆନ୍ତି । ୭ ଜଣଙ୍କର ସଙ୍ଗୀତରେ ଆଗ୍ରହ ଅଛି, ଛଅଜଣ ନାଚ ଦେଖିବାକୁ ଭଲ ପାଆନ୍ତି । ୩୫ ଜଣ ଅବସର ସମୟରେ ସାହିତ୍ୟିକ ଲେଖାମାନ ଲେଖନ୍ତି । ବହି ପଢ଼ିବାରେ ସମସ୍ତଙ୍କର ପ୍ରବଳ ଆଗ୍ରହ ରହିଚି । କୌଣସି ଜିନିଷ ଭଲ ଲାଗେ ଓ ସେଥିରୁ କିଛି ଶିଖିବାକୁ ମିଳେ ବୋଲି ସେଥିରେ ସେମାନଙ୍କର ଆଗ୍ରହ ଜନ୍ମେ–ପ୍ରାୟ ପ୍ରତ୍ୟେକଙ୍କଠାରୁ ଏହି ଉତ୍ତର ମିଳିଛି ।

 

ଅନ୍ୟାନ୍ୟ ଆଗ୍ରହ (Hobby) ମଧ୍ୟରେ ପିଲାମାନେ ସୂତାକଟା, ଦରଜି କାମ, ବହି ପଢ଼ିବା, ଖେଳିବା, ବଂଶୀ ବଜାଇବା ଓ ରୋଗୀସେବା କରିବାର ଉଲ୍ଲେଖ କରିଚନ୍ତି ।

 

ବିଶେଷ-ଅଧ୍ୟୟନ–ସାହିତ୍ୟ-୨୪, ବିଜ୍ଞାନ-୭, ଅନ୍ୟମାନେ ଦର୍ଶନ, ଶିକ୍ଷା ଓ ମନୋବିଜ୍ଞାନର ବି ଉଲ୍ଲେଖ କରିଚନ୍ତି । ୩୩ ଜଣ ପାଠ ପଢ଼ି କୌଣସି ଡିଗ୍ରୀ ପାଇବାକୁ ଚାହାନ୍ତି, ୩୭ ଜଣ ଚାହାନ୍ତି ନାହିଁ । ବାକି ତିନିଜଣ ଏ ବିଷୟରେ କୌଣସି ମତାମତ ଦେଇନାହାନ୍ତି ।

 

୬୩ ଜଣ ଆପଣା ଇଚ୍ଛାରେ ଏହି ବିଦ୍ୟାଳୟକୁ ପଢ଼ିବାକୁ ଆସିଚନ୍ତି । ୧୦ ଜଣଙ୍କ ବାପାମାଆ ଏଠାକୁ ପଠାଇଚନ୍ତି । ୬୫ ଜଣଙ୍କର ପଢ଼ିବା ଲାଗି ଅନ୍ୟ କୌଣସି ସମ୍ବଳ ନାହିଁ । ସରକାରୀ ସାହାଯ୍ୟ ନ ମିଳିଲେ ୫୨ ଜଣ ଘରକୁ ଚାଲିଯିବାକୁ ବାଧ୍ୟ ହେବେ । ଆଉ ଜଣେ ଅନ୍ୟମାନଙ୍କଠାରୁ ସାହାଯ୍ୟ ମାଗି ପାଠ ପଢ଼ିବ । ଦୁଇଜଣ ହାଇସ୍କୁଲକୁ ଯିବେ, ଜଣେ ଯେକୌଣସି ଉପାୟରେ ହେଉ ପଛକେ ଅବଶ୍ୟ ପଢ଼ିବ । ଅନ୍ୟମାନେ କଣ କରିବେ ଠିକ୍ କହି ପାରିନାହାନ୍ତି ।

 

ଭବିଷ୍ୟତରେ ୫୬ ଜଣ ଶିକ୍ଷକତା କରିବେ, ଦୁଇଜଣ ରାଜନୀତି କ୍ଷେତ୍ରରେ ଯୋଗ ଦେବେ । ଦୁଇଜଣ ବିଦେଶକୁ ଯିବେ, ପାଞ୍ଚଜଣ ଚାକିରି କରିବେ । ଜଣେ ଚିତ୍ରଶିଳ୍ପୀ ହେବ, ଦୁଇଜଣ ଲେଖକ ହେବେ ଓ ଦୁଇଜଣ ବ୍ୟବସାୟ କରିବେ ।

 

ରୋଗ–ବହୁମୂତ୍ର-୧, ଚର୍ମରୋଗ-୧୪, କୋଷବୃଦ୍ଧି-୧, ମୂତ୍ରାଶୟର ରୋଗ-୧, ଶ୍ଵାସ-୧, ବାତ-୩, ଦୁର୍ବଳ ଦୃଷ୍ଟିଶକ୍ତି-୩ । ଅର୍ଥାଭାବ ହେତୁ ଦୁଇଜଣ ଆପଣା ରୋଗର କୌଣସି ଚିକିତ୍ସା କରି ପାରୁନାହାନ୍ତି ।

 

ଗତ ପାଞ୍ଚବର୍ଷ ଭିତରେ ପ୍ରାୟ ସମସ୍ତେ ଜରରେ ପଡ଼ିଚନ୍ତି । ଏହା ବ୍ୟତୀତ ଟାଇଫଏଡ଼୍-୪, ଚର୍ମରୋଗ-୧୭, ମିଳିମିଳା-୫, ବସନ୍ତ-୩, ଚକ୍ଷୁରୋଗ-୩ । ଗତ ପାଞ୍ଚବର୍ଷ ଭିତରେ ପ୍ରାୟ ସମସ୍ତେ ଓଜନରେ ବଢ଼ିଚନ୍ତି । କେବଳ ଦୁଇଜଣ ଯଥାକ୍ରମେ ୪୦ ଓ ୪୫ ପାଉଣ୍ଡ ବଢ଼ିଚନ୍ତି । କେବଳ ଦୁଇଜଣଙ୍କର ଓଜନ କମିଚି ।

 

ଅମଳ–ପାନ-୨୦ (ଜଣକର ଏଥିରେ ମାସିକ ଟଙ୍କାଏ ଖରଚ ହୁଏ, ଅନ୍ୟମାନେ ୨୫ ରୁ ୫୦ ପଇସା ପର୍ଯ୍ୟନ୍ତ ଖର୍ଚ୍ଚ କରନ୍ତି ।) ତିନିଜଣ ନିରାମିଷାଶୀ ।

 

ଆର୍ଥିକ ଅବସ୍ଥା–ସମସ୍ତଙ୍କର ଘର ଗାଆଁରେ । ସମସ୍ତେ ଚାଷ ଉପରେ ହିଁ ନିର୍ଭର କରନ୍ତି । ଆଉ କେତେଜଣଙ୍କର ବାପାମାଆ ଦ୍ଵିତୀୟ ଧନ୍ଦା ହିସାବରେ ରାଜନୀତି, ଶିକ୍ଷକତା ଓ ସାମାଜିକ ସେବା କରନ୍ତି ।

 

ପିଲାଙ୍କର ଘରେ ସର୍ବୋଚ୍ଚ ଜମି ପରିମାଣ ହେଉଛି ୧୫ ଏକର, ସର୍ବନିମ୍ନ ୧ ଏକର । ଜମିର ଉତ୍ପାଦନରୁ ଅନେକଙ୍କର ଛଅମାସର ଭରଣପୋଷଣ ଚଳିଯାଏ । କେବଳ ପାଞ୍ଚଜଣଙ୍କର ବରଷଟା ଯାଏ । ଜୀବନ-ନିର୍ବାହର ସହାୟକ ବେଉସା ହିସାବରେ କାହାର ଦୋକାନ ଅଛି, କେହି ଧାନ କୁଟନ୍ତି, ଚଟାଇ ବୁଣନ୍ତି, ବଗିଚା କାମ କରନ୍ତି, ଲୁଗାବୁଣା ଓ ସୂତାକଟା ମଧ୍ୟ କରନ୍ତି । କେତେଜଣଙ୍କୁ ଆଉ କାହାରି ଘରେ ଦୈନିକ ମୂଲ ବି ଲାଗିବାକୁ ପଡ଼େ ।

 

୧୪ ଜଣ ବିଦ୍ୟାର୍ଥୀଙ୍କର ଘରୁ କୌଣସି ପଇସା ଆସେ ନାହିଁ । ଅନ୍ୟମାନେ ସାଧାରଣତଃ ମାସକୁ ଏକ ଟଙ୍କାରୁ ପାଞ୍ଚଟଙ୍କା ପର୍ଯ୍ୟନ୍ତ ପାଆନ୍ତି । କେବଳ ଜଣକର ଘରୁ ମାସିକ ଟ୧୫ଙ୍କା ଆସେ ।

 

୪୬ ଜଣଙ୍କ ଘରେ କରଜ ରହିଚି । ସରକାର ବା ଗାଆଁର ମହାଜନଠାରୁ ଏହି କରଜ ନିଆଯାଇଚି । ପ୍ରଧାନତଃ ବିବାହ, ମକଦ୍ଦମା ବା ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ଏହି କରଜ କରିବାକୁ ପଡ଼ିଚି । ବାପାମାଆ ଆପଣାର ଉପାର୍ଜନରୁ ସଞ୍ଚି ଏହି କରଜ ଶୁଝିଦେଇ ପାରିବେ ବୋଲି ଅଧିକାଂଶ ବିଚାରୁଚନ୍ତି । ନିଜେ କୌଣସି କାର୍ଯ୍ୟ କରି ଉପାର୍ଜନକ୍ଷମ ହେଲେ ଯାଇ ଏହି କରଜ ପରିଶୋଧ ହେବ ବୋଲି ପାଞ୍ଚଜଣ ଆଶା ପ୍ରକାଶ କରୁଚନ୍ତି ।

 

ସର୍ବେକ୍ଷଣ ସମ୍ବନ୍ଧୀୟ ମନ୍ତବ୍ୟ

 

ବିଦ୍ୟାର୍ଥୀମାନେ ଦେଇଥିବା ଉତ୍ତରରୁ ଯେଉଁସବୁ ତଥ୍ୟ ଓ ହିସାବ ମିଳୁଚି, ସେଥିରୁ ସେମାନଙ୍କର ଆର୍ଥିକ ଅବସ୍ଥା ବଡ଼ ଶୋଚନୀୟ ବୋଲି ସ୍ପଷ୍ଟ ଜଣା ପଡ଼ିଯାଉଚି । ଆଦିବାସୀ ପିଲାମାନଙ୍କ କଥା ତ ଛାଡ଼ିଦିଅ, ବିଦ୍ୟାଳୟରେ ବହୁସଂଖ୍ୟକ ହୋଇ ରହିଥିବା ଅଣଆଦିବାସୀ ଛାତ୍ରମାନେ ମଧ୍ୟ ଆର୍ଥିକ ଦୃଷ୍ଟିରୁ ସମ୍ପନ୍ନ ପରିବାରରୁ ଆସିନାହାନ୍ତି । ଏହି ବିଦ୍ୟାଳୟରେ ଏପରି କେତେକ ଛାତ୍ରଛାତ୍ରୀ ଅଛନ୍ତି, ଯେଉଁମାନଙ୍କର ପିତାମାତା ଭୁଦାନ-କାର୍ଯ୍ୟ କରୁଚନ୍ତି ବା ଅନ୍ୟ କୌଣସି ରଚନାତ୍ମକ କାର୍ଯ୍ୟ କରୁଚନ୍ତି । ମୌଳିକ-ଶିକ୍ଷାରେ ସେମାନଙ୍କର ବିଶ୍ଵାସ ରହିଚି ଓ ସେହି କାରଣରୁ ସେମାନେ ଆପଣାର ପିଲାମାନଙ୍କୁ ଏହିପରି ଗୋଟିଏ ବିଦ୍ୟାଳୟକୁ ପଠାଇଚନ୍ତି । କିନ୍ତୁ ଏଠି ଅଧିକାଂଶ ଛାତ୍ର ବଡ଼ ଦରିଦ୍ର ଘରମାନଙ୍କରୁ ଆସିଚନ୍ତି । ଅନ୍ୟ କୌଣସି ସ୍ଥାନରେ ପାଠ ପଢ଼ୁଥିଲେ ଯେଉଁ ଖର୍ଚ୍ଚ କରିବାକୁ ପଡ଼ୁଥାନ୍ତା, ସେହି ଖର୍ଚ୍ଚ ଦେବାର ସମ୍ବଳ ଏମାନଙ୍କର ଆଦୌ ନାହିଁ-। ଏଠାରେ ସରକାରଙ୍କ ତରଫରୁ ସେମାନଙ୍କୁ ମାସିକ ଟ୨୦ଙ୍କା ସାହାଯ୍ୟ ମିଳୁଚି, ସେଥିଲାଗି ସେମାନେ ଏଠାରେ ରହିଚନ୍ତି । ଏଇଥିରୁ ହିଁ ଯଥେଷ୍ଟ ପ୍ରମାଣ ମିଳୁଚି ଯେ ଦେଶ ଆଜି ମଧ୍ୟ ମୌଳିକ ଶିକ୍ଷାକୁ ଉପଯୁକ୍ତ ସ୍ଵୀକୃତି ଦେଇନାହିଁ । ଏବଂ ପରିସ୍ଥିତିରୁ ଯାହା ଦୃଷ୍ଟିଗୋଚର ହେଉଚି, ପ୍ରଧାନତଃ ଗରିବ ପିଲାଙ୍କ ପାଇଁହିଁ ଆଜି ଦେଶରେ ମୌଳିକ ଶିକ୍ଷା ଚାଲୁଚି, ଧନୀଘର ପିଲାଙ୍କ ପାଇଁ ନୁହେଁ ।

 

ଦେଶର ଅନେକ ଲୋକ ଆଜି ମୌଳିକ ଶିକ୍ଷା ବିଷୟରେ ଅନୁକୂଳ ମତ ପୋଷଣ କରନ୍ତି ନାହିଁ । ତାହାର ଗୋଟିଏ କାରଣ ହେଉଚି ଯେ ମୌଳିକ ସ୍କୁଲମାନଙ୍କର ପିଲାମାନଙ୍କଠାରୁ ଅତ୍ୟଧିକ ଶାରୀରିକ ପରିଶ୍ରମ ଆଦାୟ କରାଯାଏ, ଅଥଚ ଏଣେ ପିଲାମାନଙ୍କର ସ୍ଵତନ୍ତ୍ର ରୁଚି ଓ ଆଗ୍ରହ ପ୍ରତି ଯଥେଷ୍ଟ ଦୃଷ୍ଟି ଦିଆଯାଏ ନାହିଁ । ସ୍କୁଲରେ ପ୍ରଚଳିତ ନାନାପ୍ରକାର ରୁଟିନ୍ ଭିତରେ ପିଲାମାନଙ୍କୁ ଜବରଦସ୍ତି ବାନ୍ଧିକରି ରଖାଯାଏ । ଯେକୌଣସି ଉପାୟରେ ହେଉ ପଛକେ, ଆର୍ଥିକ ଦୃଷ୍ଟିରୁ ବିଦ୍ୟାଳୟକୁ ସ୍ଵାବଲମ୍ବୀ କରିବାକୁ ଅନେକ ମୌଳିକ ସ୍କୁଲ ଆପଣାର ସର୍ବପ୍ରଧାନ ଲକ୍ଷ୍ୟ କରି ରଖିଚନ୍ତି ଏବଂ ଏହି କାରଣରୁ ସେମାନେ ସ୍କୁଲର ପିଲାମାନଙ୍କୁ କଠିନ ଶାରୀରିକ ପରିଶ୍ରମ କରିବାଲାଗି ବାଧ୍ୟ କରୁଚନ୍ତି । କ୍ଲାସ ଘରେ ବା ଶିକ୍ଷକ ପାଖରେ ଛାତ୍ରକୁ ସବୁବେଳେ ବାନ୍ଧିହୋଇ ରହିବାକୁ ବାଧ୍ୟ କରିବା ଅପେକ୍ଷା କୌଣସି ଗୋଟିଏ ଧନ୍ଦା ଶିଖିବା ବା କୌଣସି ନିୟମନିର୍ଘଣ୍ଟ ଭିତରେ ତାକୁ ବାନ୍ଧି କରି ରଖିବା କଦାପି ଅଧିକ ହାନିକାରକ ନୁହେଁ, ସେମାନଙ୍କ ଭିତରେ ଏପରି ଏକ ଯୁକ୍ତି ବାଢ଼ିବାର ପ୍ରବୃତ୍ତି ମଧ୍ୟ ଦେଖାଯାଉଚି । ଅବଶ୍ୟ ଏହି ଯୁକ୍ତି ଭିତରେ କିଞ୍ଚିତ ସତ୍ୟ ନିଶ୍ଚୟ ରହିଚି । କାର୍ଯ୍ୟ ଜରିଆରେ ବା ଧନ୍ଦା ଜରିଆରେ ଶିକ୍ଷା ଯେ ମୌଳିକ ଶିକ୍ଷାର ଏକ ପ୍ରଧାନ ସ୍ତମ୍ଭସ୍ୱରୂପ, ଏକଥା ସମସ୍ତେ ଅବଶ୍ୟ ସ୍ଵୀକାର କରିବେ । କିନ୍ତୁ ସାଧନ ପରିବର୍ତ୍ତେ ଯେତେବେଳେ ଧନ୍ଦା ଶିଖିବାକୁ ଏକ ସାଧ୍ୟରେ ପରିଣତ କରି ଦିଆଯାଏ, ସେତେବେଳେ ଶିକ୍ଷା ଭିତରେ ସବୁ ଭଣ୍ଡୁର ହୋଇଯାଏ ଏବଂ ମୌଳିକ ଶିକ୍ଷାର ଅସଲ ଉଦ୍ଦେଶ୍ୟ ମଧ୍ୟ ନଷ୍ଟ ହୋଇଯାଏ ।

 

ବିଦ୍ୟାର୍ଥୀର ସମଗ୍ର ବିକାଶକୁ ମୌଳିକ ଶିକ୍ଷା ମଧ୍ୟ ଆପଣାର ଧ୍ୟେୟ ରୂପେ ଗ୍ରହଣ କରିବ ବୋଲି ଆମର ବିଶ୍ଵାସ । ଏହି ସମଗ୍ର ବା ପୂର୍ଣ୍ଣାଙ୍ଗ ବିକାଶ ଲାଗି ଛାତ୍ରମାନଙ୍କୁ ସଂପୂର୍ଣ୍ଣ ସ୍ଵତନ୍ତ୍ରତା ମିଳିବା ଉଚିତ । ସେମାନଙ୍କର ବିକାଶପଥରୁ ସକଳପ୍ରକାର ବାଧାକୁ ଅପସରାଇ ନେବା ଉଚିତ ଯେପରିକି ସେମାନେ ସ୍ଵନିର୍ବାଚିତ ପଥରେ ଓ ସ୍ଵନିର୍ବାଚିତ ଦିଗରେ ଆଗକୁ ଯିବାର ପରିସର ପାଇପାରିବେ । ଏହି ବିଦ୍ୟାଳୟରେ ବୌଦ୍ଧିକ ଶ୍ରମ ଓ ଶାରୀରିକ ଶ୍ରମ ମଧ୍ୟରେ ସର୍ବଦା ଏକ ସୁସ୍ଥ ଭାରସାମ୍ୟ ରଖିବାଲାଗି ସବୁପ୍ରକାର ସମ୍ଭବ ଉଦ୍ୟମ କରାଯାଉଚି ଏବଂ ଛାତ୍ରମାନଙ୍କର ଇଚ୍ଛା ବିରୁଦ୍ଧରେ ସେମାନଙ୍କ ଉପରେ କୌଣସି କଥାକୁ ଲଦି ଦିଆଯାଉନାହିଁ । ଏକଥା ଦେଖି ଏଠାରେ ମୁଁ ପ୍ରକୃତରେ ଅନେକ ସାନ୍ତ୍ଵନା ପାଇଲି । ସେମାନଙ୍କୁ ଏଠାରେ ଅତିରିକ୍ତ ସ୍ଵାଧୀନତା ଦିଆଯାଉଚି ବୋଲି ମଧ୍ୟ ଦୁଇତିନିଜଣ ଛାତ୍ର ଆପଣାର ଉତ୍ତରରେ ଲେଖିଚନ୍ତି । ସେମାନେ ଆପତ୍ତି କରି କହିଚନ୍ତି ଯେ କୌଣସି ବିଦ୍ୟାଳୟରେ ଏତେଦୂର ସ୍ଵାଧୀନତା ଦିଆଯିବା ଅନୁଚିତ, କାରଣ ଏଥିରେ ସ୍ୱାଧିନତାର ଅପବ୍ୟବହାର ହେବାର ମଧ୍ୟ ଭୟ ସର୍ବଦା ରହିଚି । ମୁଁ ସେମାନଙ୍କୁ କହିଲି ଯେ ଅନ୍ୟମାନେ ଛାଇତଳେ ବସି ଟିକିଏ ଆରାମ ପାଇବେ, ଏଥିପାଇଁ କେହିକେହି ରାସ୍ତାକଡ଼ରେ ଗଛ ଲଗାଇଥାନ୍ତି । କିନ୍ତୁ ଯଦି ଦୁର୍ଭାଗ୍ୟବଶତଃ କେହି ଆସି ଏହି ଗଛର ଡାଳପତ୍ର ଭାଙ୍ଗିବାକୁ ଆରମ୍ଭ କରେ, ତେବେ ଏଥିଲାଗି ରାସ୍ତାକଡ଼ରେ ଗଛ ଲଗାଇବା ଅନୁଚିତ ବୋଲି ଭାବିବା ଆଦୌ ଯୁକ୍ତିଯୁକ୍ତ ହେବ ନାହିଁ । ଏତେଗୁଡ଼ାଏ ସ୍ଵାଧୀନତା ଦେବାରେ ଅବଶ୍ୟ ଯେ କେତେକ ପ୍ରମାଦ ରହିଚି, ମୁଁ ଏକଥା ଅବଶ୍ୟ ମାନୁଚି । କିନ୍ତୁ ସେମାନଙ୍କୁ ଏତେ ବେଶୀ ସ୍ଵାଧୀନତା ଦେଉଥିବାରୁ ଏହି ବିଦ୍ୟାଳୟ ଛାତ୍ରମାନେ ଯେ ବିଦ୍ୟାଳୟ ବିଷୟରେ ପ୍ରକୃତରେ ଗର୍ବ ଅନୁଭବ କରୁଚନ୍ତି, ଏଥିରେ ମୋର କୌଣସି ସନ୍ଦେହ ନାହିଁ । ପ୍ରଶ୍ନାବଳୀର ଗୋଟିଏ ସ୍ଥାନରେ ଛାତ୍ରମାନଙ୍କୁ ନିମ୍ନଲିଖିତ ପ୍ରଶ୍ନଟି ପଚରା ଯାଇଥିଲା : “ଏଠାକୁ ଆସିବା ପୂର୍ବରୁ ତୁମେ ଯେଉଁ ସ୍କୁଲରେ ପାଠ ପଢ଼ୁଥିଲ, ତାହା ବିଷୟରେ ତୁମର ମତ ଦିଅ ।” ଆଉ ଗୋଟିଏ ପ୍ରଶ୍ନ ଥିଲା : “ଏହି ବିଦ୍ୟାଳୟ ବିଷୟରେ ତୁମର ମତ ଦିଅ ।” ସଂଗୃହୀତ ସବୁଗୁଡ଼ିକ ଉତ୍ତର ଦେବା ଏଠାରେ କଦାପି ସମ୍ଭବ ହେବ ନାହିଁ । ତେଣୁ କେବଳ କେତୋଟିମାତ୍ର ଉତ୍ତର ଉଲ୍ଲେଖ କରିବି । ଆପଣାର ଆଗ ସ୍କୁଲ ବିଷୟରେ ପିଲାମାନେ ଲେଖିଚନ୍ତି : “ସେଠାରେ ମୁଁ ଯେପରି କେତୋଟି ପାଠ୍ୟପୁସ୍ତକରେ ତିଆରି ହୋଇଥିବା ଏକ ପିଞ୍ଜରା ଭିତରେ ଆବଦ୍ଧ ହୋଇ ରହିଥିଲି ।” ପୁଣି “ସେଠି ମୁଁ କେବଳ ଗୋଟାଏ ଶ୍ରେଣୀରୁ ଆଉଗୋଟାଏ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ବ୍ୟତୀତ ଆଉ କିଛି କରିନାହିଁ ।” ଏହି ବିଦ୍ୟାଳୟଟି ବିଷୟରେ ସେମାନେ ଲେଖିଚନ୍ତି : ଏହି ସ୍କୁଲକୁ ମୁଁ ପ୍ରକୃତରେ ଭାରି ଭଲ ପାଏ, କାରଣ ଆପଣାର ମନୋମତ ଢଙ୍ଗରେ ଆପଣାର ଜୀବନକୁ ଗଢ଼ିବା ସକାଶେ ଏହି ସ୍କୁଲ ଆମକୁ ପର୍ଯ୍ୟାପ୍ତ ସୁଯୋଗ ଦେଉଚି । ଏହି ସ୍କୁଲକୁ ଆସି ମୋର ଜୀବନର ଅନେକ ପରିବର୍ତ୍ତନ ଘଟିଚି । ପ୍ରତ୍ୟେକ ସ୍କୁଲରେ ଏହିପରି ପ୍ରଣାଳୀରେ ଅଧ୍ୟୟନ ଓ ଅଧ୍ୟାପନା ସମ୍ଭବ ହୋଇପାରୁଥିଲେ ଦେଶର ପ୍ରଗତି ସାଧନ କରିବାଲାଗି ଛାତ୍ରମାନେ ଅନେକ ପରିମାଣରେ ଉଦ୍‍ବୁଦ୍ଧ ହୋଇପାରନ୍ତେ ।” “ଏଠି କୌଣସି ଛାତ୍ର ଏକ ନିର୍ଦ୍ଦିଷ୍ଟ ଛାଞ୍ଚ ଭିତରେ ଆପଣାର ଜୀବନକୁ ଆଣି ପକାଇବାକୁ ବାଧ୍ୟ ହୁଏ ନାହିଁ । ଏଠାରେ ପ୍ରତ୍ୟେକ ଆପଣାର ମାର୍ଗରେ ବିକଶିତ ହେବାର ସ୍ଵାଧୀନତା ପାଆନ୍ତି । ଏହାହିଁ ହେଉଚି ଏହି ବିଦ୍ୟାଳୟର ସବୁଠାରୁ ବିଶିଷ୍ଟ ଗୁଣ ।” “ଏହି ବିଦ୍ୟାଳୟ ମୋ’ ଲାଗି ଜ୍ଞାନର ଦ୍ଵାର ଉନ୍ମୁକ୍ତ କରିଦେଇଚି, ମୁଁ ଏହା ଭିତରକୁ ପ୍ରବେଶ କରିବି କି ନାହିଁ, ସେକଥା ବର୍ତ୍ତମାନ ସଂପୂର୍ଣ୍ଣ ଭାବରେ ମୋ’ ଉପରେ ହିଁ ନିର୍ଭର କରୁଚି । ଏହି ବିଦ୍ୟାଳୟ ମୋ’ ଭିତରେ ଜ୍ଞାନର ପିପାସା ଜାଗ୍ରତ କରିଚି । ଏହି ବିଦ୍ୟାଳୟ ଏକ ଯନ୍ତ୍ର ପରି କାର୍ଯ୍ୟ କରୁନାହିଁ, କେବଳ ଗଦାଏ ବହିରୁ କୌଣସି ପରିଚୟ ମିଳିବ ନାହିଁ । ଏହାକୁ ମୁଁ ମଣିଷର ମନକୁ ନେଇ ପ୍ରୟୋଗ ଚଲାଉଥିବା ଏକ ପ୍ରୟୋଗଶାଳା ବୋଲି କହିବି । ଏହି ବିଦ୍ୟାଳୟ ଏକ ବୃହତ୍‍ ପରିବାର, ଅନ୍ୟ କୌଣସି ବିଦ୍ୟାଳୟ ସହିତ ଏହାର ତୁଳନା କରାଯାଇ ପାରିବ ନାହିଁ । ଆପଣାର ପ୍ରକାରରେ ଏହା ପ୍ରକୃତରେ ଅଦ୍ଵିତୀୟ । ଏଠି ପ୍ରତ୍ୟେକ ମଣିଷର ସ୍ଵାଧୀନ ହେବାର ଅଧିକାର ରହିଚି । ଏହି ବିଦ୍ୟାଳୟ ସରକାରଙ୍କଠାରୁ ସାହାଯ୍ୟ ପାଉଚି, କିନ୍ତୁ ତଥାପି ଏହା କାହାରି କର୍ତ୍ତୃତ୍ଵରେ ଅଧସ୍ତନ ହୋଇ ରହିନାହିଁ । ସରକାରୀ ନାଲିଫିତା ଏହି ବିଦ୍ୟାଳୟ କାର୍ଯ୍ୟରେ କୌଣସି ବାଧା ସୃଷ୍ଟି କରି ପାରୁନାହିଁ । ଏଠି ଆମେ ଏକ ବୃହତ୍ ସମାଜଟିଏ ପରି ହୋଇ ରହିଚୁ, ଦେଶର ବୃହତ୍ତର ସମାଜ ଭିତରକୁ ଏହାର ଚେର ବିସ୍ତାରିତ ହୋଇ ରହିଚି ।” “ଏହି ବିଦ୍ୟାଳୟ ହେଉଚି ଗୋଟିଏ ପରିବାର, ଆମେ ସମସ୍ତେ ଏହି ପରିବାରର ସ୍ଵତନ୍ତ୍ର ସଭ୍ୟ । ଏଠି ବିଦ୍ୟାର୍ଥୀମାନଙ୍କ ଉପରେ ହିଁ ବିଦ୍ୟାଳୟର ଯାବତୀୟ ଦାୟିତ୍ଵ ନ୍ୟସ୍ତ କରାଯାଇଚି । ତେଣୁ ବୌଦ୍ଧିକ ବିକାଶ ସଙ୍ଗେସଙ୍ଗେ ଏଠି ଆମେ ନୈତିକ ଓ ଶାରୀରିକ ବିକାଶ ଲାଗି ମଧ୍ୟ ଯଥେଷ୍ଟ କ୍ଷେତ୍ର ପାଇପାରୁଚୁ । ବିଦ୍ୟାର୍ଥୀର ଆବଶ୍ୟକତା ଅନୁଯାୟୀ ଏଠାରେ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଚି । ଏହାଦ୍ୱାରା ସେ ସମ୍ମୁଖସ୍ଥ ଅନେକ ରାସ୍ତା ମଧ୍ୟରୁ ଆପଣା ଜୀବନଲାଗି ଗୋଟିଏ ରାସ୍ତା ବାଛିନେବାର ଆହ୍ଵାନ ଅନୁଭବ କରିପାରୁଚି ।” “ଏହି ବିଦ୍ୟାଳୟ ବିଷୟରେ ମୋର ଅତ୍ୟୁଚ୍ଚ ଧାରଣା ରହିଚି । ଶିକ୍ଷାର ଆସ୍ଥାନ ହିସାବରେ ଓଡ଼ିଶାରେ ଏହା ଏହି ପ୍ରକାରର କେବଳ ଏକମାତ୍ର ଅନୁଷ୍ଠାନ । ପ୍ରକୃତ ମଣିଷ ପରି ବିକଶିତ ହେବାରେ ଏହି ବିଦ୍ୟାଳୟ ଆମକୁ ପର୍ଯ୍ୟାପ୍ତ କ୍ଷେତ୍ର ଯୋଗାଇ ଦେଉଚି ।”

 

ଛାତ୍ରମାନେ ଏହି ବିଦ୍ୟାଳୟକୁ ଅତି ଭଲ ପାଆନ୍ତି, ଏହା ସତ୍ତ୍ଵେ ବିଦ୍ୟାଳୟରେ ଏପରି କେତେକ ଅଭାବ ଓ ତ୍ରୁଟି ରହିଚି, ଯାହାସକାଶେ କି ସେମାନେ ଅନେକ ସମୟରେ ନାନା ଦୁଶ୍ଚିନ୍ତାରେ ମଧ୍ୟ ପଡ଼ିଯାଆନ୍ତି । ପ୍ରଥମ ଓ ସର୍ବପ୍ରଧାନ ଅଭାବ ହେଉଚି ଶିକ୍ଷକଙ୍କର ଅଭାବ । ପ୍ରତ୍ୟେକ ଛାତ୍ର ଏଠାରେ ଏହି ଅଭାବକୁ ଅନୁଭବ କରୁଚି, ବିଶେଷତଃ ଏକ ବିଜ୍ଞାନ ଶିକ୍ଷକର ଅଭାବକୁ ସେମାନେ ସବୁଠାରୁ ବେଶୀ ଅନୁଭବ କରୁଚନ୍ତି । ବିଜ୍ଞାନ-ଶିକ୍ଷକଙ୍କର ଅଭାବକୁ ଛାଡ଼ିଦେଲେ ମଧ୍ୟ ତିନିଜଣ ଶିକ୍ଷକରେ ଚାରୋଟି ସୋପାନର କାର୍ଯ୍ୟ ଚଳାଇବାରେ ବିଦ୍ୟାଳୟକୁ କମ୍ ହରକତ ହେବାକୁ ପଡ଼ୁନାହିଁ । ଅନେକ ସମୟରେ ଦୁଇଟି ସୋପାନର ଏକାଠି କରି ପାଠ ପଢ଼ାଇବାକୁ ପଡ଼ୁଚି । ମୁଁ ଏହି ସ୍କୁଲରେ ଥିଲାବେଳେ ଜଣେ ଶିକ୍ଷକ ଭୋର ତିନିଟା ସମୟରେ ଗୋଟିଏ ସୋପାନକୁ ପାଠ ପଢ଼ାଉଥିବାର ଦେଖି ବଡ଼ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ଅକସ୍ମାତ୍ କୌଣସି କାର୍ଯ୍ୟବଶତଃ ଜଣେ ଶିକ୍ଷକ ବାହାରେ ରହିଗଲେ ଦ୍ଵାଦଶ ସୋପାନର ବଡ଼ ପିଲାଙ୍କୁ ମଧ୍ୟ ତଳ କ୍ଲାସରେ ପାଠ ପଢ଼ାଇବାକୁ ପଡ଼େ । ଏହି ପ୍ରୟୋଗଟି ଏଠି ବେଶ୍ ସଫଳ ବୋଲି ପ୍ରମାଣିତ ହୋଇଚି ।

 

ଶିକ୍ଷକର ଅଭାବ ବ୍ୟତୀତ ବର୍ତ୍ତମାନ ବିଦ୍ୟାଳୟ ନାନାପ୍ରକାର ଆର୍ଥିକ ଅସୁବିଧାର ମଧ୍ୟଦେଇ ଗତି କରୁଚି । ସରକାର ବିଦ୍ୟାଳୟର କେବଳ ପୌନଃପୁନିକ ଖର୍ଚ୍ଚଗୁଡ଼ିକ ସମ୍ଭାଳୁଚନ୍ତି । ଘରତିଆରି, କୃଷି ଓ ଗୋଶାଳା ପ୍ରଭୃତିର ଖରଚଲାଗି ବିଦ୍ୟାଳୟକୁ ସମ୍ପୂର୍ଣ୍ଣତଃ ସାଧାରଣ ଚାନ୍ଦା ଉପରେ ନିର୍ଭର କରିବାକୁ ପଡ଼ୁଚି । ପିଲାଙ୍କର ଖାଇବାରେ ଜଣପିଛା ମାସକୁ ହାରାହାରି ୧୫/୧୬ ଟଙ୍କା ଖରଚ ହେଉଚି । ପିଲାମାନଙ୍କୁ ମିଳୁଥିବା ସରକାରୀ ସାହାଯ୍ୟରୁ ଏହି ଖରଚ ଚଳୁଚି । ସାହାଯ୍ୟ-ଭତ୍ତାର ଅବଶିଷ୍ଟ ପଇସା ପିଲାମାନଙ୍କ ପାଇଁ କିରାସିନି, ସାବୁନ ପ୍ରଭୃତି କିଣିବାରେ ଖରଚ ହେଉଚି, ସେମାନଙ୍କର ରୋଗବେଳେ ମଧ୍ୟ କାମରେ ଲାଗୁଚି । ପ୍ରାୟ ପାଞ୍ଚ ଛଅ ଜଣ ପିଲାଙ୍କୁ ସରକାରୀ ସାହାଯ୍ୟ ବୃତ୍ତି ମିଳୁନାହିଁ । କାରଣ ସେମାନେ ହାଇସ୍କୁଲମାନଙ୍କରୁ ଏଠାକୁ ଆସିଚନ୍ତି, ମୌଳିକ ସ୍କୁଲରୁ ଆସିନାହାନ୍ତି । ସାହାଯ୍ୟବୃତ୍ତି-ଟଙ୍କାରୁ ହିଁ ସେମାନଙ୍କର ସମସ୍ତ ଖର୍ଚ୍ଚ ମଧ୍ୟ ଚଳାଇବାକୁ ହେଉଚି । କେତେକ ଛାତ୍ରଙ୍କର ଘରର ଅବସ୍ଥା ଏତେ ଖରାପ ଯେ ସେମାନେ ବରଷଯାକ ଘରୁ ଗୋଟାଏ ଟଙ୍କା ମଧ୍ୟ ପାଆନ୍ତି ନାହିଁ । ସେମାନେ ଛୁଟିରେ ଘରକୁ ଗଲାବେଳେ ସ୍କୁଲ ତରଫରୁ ହିଁ ସେମାନଙ୍କ ଲାଗି ବାଟଖର୍ଚ୍ଚର ଯୋଗାଡ଼ କରିବାକୁ ପଡ଼ୁଚି । ବେଳେବେଳେ କେତେକ ଛାତ୍ରଙ୍କୁ ଲୁଗାପଟା, ବହିପତ୍ର ଓ ଖାତା ପ୍ରଭୃତି ମଧ୍ୟ ଯୋଗାଇଦେବାକୁ ହେଉଚି ।

 

ଘର ଓ ପାଣିର ସମସ୍ୟା ମଧ୍ୟ ଦୁଇଟି ପ୍ରଧାନ ସମସ୍ୟା । ପିଲାମାନେ ଏଗାର ବଖରା ଚାଳଘରେ ରହୁଚନ୍ତି । ବଖରାକେ ଚାରିଜଣ ଲେଖାଏଁ ରହିଚନ୍ତି । ଛପର ପୁରୁଣା ହୋଇ କଣା ହୋଇଗଲାଣି, ତେଣୁ ବର୍ଷାବେଳେ ପିଲାମାନେ ବଡ଼ ହନ୍ତସନ୍ତ ହେଉଚନ୍ତି । ବଖରାଗୁଡ଼ିକରେ ମୂଷାପଲ ମଧ୍ୟ ରହିଚନ୍ତି । ପିଲାମାନେ ତଳେ ଚଟାଇ ବିଛାଇ ଏହିସବୁ ଘରେ ଶୁଅନ୍ତି । ଏହିପରି ଗୋଟିଏ ଘରେ ଖାଦ୍ୟଦ୍ରବ୍ୟ ରଖିବା ଲାଗି ଭଣ୍ଡାରଘର ବି ହୋଇଚି । ଖାଦ୍ୟ ସାଇତି ରଖିବାପାଇଁ ସେହି ଘରେ ଆଲମାରି ବା ଅନ୍ୟ କୌଣସି ଆସବାବ ନାହିଁ । ତେଣୁ ଅନେକ ସମୟରେ ମୂଷାମାନେ ଆସି ସେସବୁ ଖାଇଯାଉଚନ୍ତି । ଏହି କଚ୍ଚା ଘରର ବାହାର ପଟକୁ ପ୍ରାୟ ତିନିଫୁଟ ଚଉଡ଼ାର ବାରଣ୍ଡାଟିଏ ଅଛି । ନାନା ଢିପଢ଼ାଲୁରେ ଅସମତଳ ହୋଇ ରହିଥିବା ବାରଣ୍ଡାରେ ପିଲାମାନେ ଦିନକୁ ତିନିଥର ଖାଇବସନ୍ତି । ରୋଷେଇ ଘର ରୂପେ ବ୍ୟବହୃତ ହେଉଥିବା ଚାଳିଘରଟିରେ କୌଣସି କବାଟ ଲାଗି ନାହିଁ । ପରିଣାମରେ ଅନେକ ସମୟରେ ଏହି ଘରେ କୁକୁର ପଶନ୍ତି ଓ ଖାଦ୍ୟଦ୍ରବ୍ୟ ଖାଇଦେଇ ଯାଆନ୍ତି । ରୋଷେଇ ଘର ଓ ବାରଣ୍ଡାର ଶୋଚନୀୟ ଅବସ୍ଥା ଦେଖିଲେ, ବର୍ଷାବେଳେ ପିଲାଏ ଏଠି କିପରି ରନ୍ଧାବଢ଼ା କରୁଥିବେ ଓ ଖାଉଥିବେ, ସେକଥା ଭାବି ବଡ଼ ଆଶ୍ଚର୍ଯ୍ୟ ହେବାକୁ ହୁଏ । ଆଉ ଧାଡ଼ିଏ ଛାତ୍ରାବାସ ଘର କେବଳ ଅଧା ତିଆରି ହୋଇ ପଡ଼ିଚି ଓ ପଇସା ଅଭାବରୁ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ମୁଁ ଶୁଣିଲି ଯେ ସ୍କୁଲ ତରଫରୁ ତିଆରି ହୋଇଥିବା ପ୍ରାୟ ୪୦,୦୦୦ କଞ୍ଚା ଇଟା ବରଷାରେ ଧୋଇହୋଇ ଯାଇଚି । ଇଟା ପୋଡ଼ାଇବା ସକାଶେ ସ୍କୁଲ ପାଖରେ ପଇସା ନଥିବାରୁ ଏହି କ୍ଷତି ସହିବାକୁ ହୋଇଚି ।

 

ପାଣି ସକାଶେ ମଧ୍ୟ କମ୍ ଅସୁବିଧା ଭୋଗିବାକୁ ପଡ଼ୁନାହିଁ । ଏଠାରେ ଦୁଇଟି କୂଅ ରହିଚି, କିନ୍ତୁ ବର୍ଷର ବାରମାସ କୌଣସିଟି ପାଣି ଯୋଗାଇ ପାରୁନାହିଁ । ଏପରିକି ମାଘ ଫାଲୁଗୁନ ମାସରେ ମଧ୍ୟ ସକାଳେ ଦୁଇ ତିନିଘଣ୍ଟା ପାଣି କଢ଼ାଯିବା ପରେ କୂଅରୁ ପାଣି ଶୁଖି ଯାଉଚି । ତା’ପରେ ପୁଣି ଯଥେଷ୍ଟ ପାଣି ଝରିବା ପର୍ଯ୍ୟନ୍ତ ଦୁଇ ତିନିଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଚି । ଗ୍ରୀଷ୍ମକାଳରେ ତ ପାଣିର ଅଭାବକଷ୍ଟ କହିଲେ ନ ସରେ । ଗାଧୋଇବା ଓ ବାସନ ଧୋଇବା ଲାଗି ପାଣି ମିଳିବା ତେଣିକି ଥାଉ, ପିଇବାପାଇଁ ମଧ୍ୟ ଯଥେଷ୍ଟ ପାଣି ମିଳେନାହିଁ ।

 

ଏହି ସ୍କୁଲରେ ଏତେ ଅସୁବିଧା ସହିବାକୁ ପଡ଼ୁଚି, ତଥାପି ଏହି ସ୍କୁଲ ଛାଡ଼ି ସେ କାହିଁକି ଅନ୍ୟ କୌଣସି ସ୍କୁଲକୁ ଚାଲିଯାଉନାହିଁ ବୋଲି ମୁଁ ଗୋଟିଏ ପିଲାକୁ ପଚାରିବାରୁ ସେ ଉତ୍ତର ଦେଲା : “କେବଳ ଆର୍ଥିକ ଦୃଷ୍ଟିରୁ ହିଁ ଏହି ବିଦ୍ୟାଳୟ ବଡ଼ ଦରିଦ୍ର, କିନ୍ତୁ ଆପଣାର ବିଚାର ଓ ଆକାଙ୍‍କ୍ଷାରେ ଏହା ଆଦୌ ଦରିଦ୍ର ନୁହେଁ ।” ଏହିପରି ଉତ୍ତର ମୁଁ ଅଧିକାଂଶ ପିଲାଙ୍କଠାରୁ ପାଇଚି-। ଏପରି ସ୍କୁଲଟିଏ ସେ କେବଳମାତ୍ର ଗୋଟିଏ ରହିଚି, ପିଲାମାନଙ୍କର ଉତ୍ତର ମୋ’ର ଏହି ବିଶ୍ଵାସକୁ ଅଧିକ ଦୃଢ଼ କରିଦେଇଚି । ବିଦ୍ୟାଳୟ ସାରା ବୁଲି ଏଠି ଖଣ୍ଡେ ଚଉକି ବା ଟେବୁଲ ଦେଖିବାକୁ ମିଳିବ ନାହିଁ । ଶିକ୍ଷାବିଭାଗର ଡିରେକ୍ଟର ହୁଅନ୍ତୁ ବା ମନ୍ତ୍ରୀ ହୁଅନ୍ତୁ, ଏହି ବିଦ୍ୟାଳୟକୁ ଆସୁଥିବା ପରିଦର୍ଶକମାନଙ୍କୁ ଏଠିକାର ଶିକ୍ଷକ ଓ ଛାତ୍ରଙ୍କ ସହିତ ଖଜୁରି ପତରର ବୁଣା ହୋଇଥିବା ପଟିରେ ବସିବାକୁ ପଡ଼େ । ଏହା ଏକ ସୁଖର କଥା ଯେ ଏହି ସ୍କୁଲର ପିଲାଙ୍କ ମଧ୍ୟରେ ଆପଣାର ଆବଶ୍ୟକତା ଓ ଅଭାବ ବଢ଼ାଇବାର ଅଥବା ବିଳାସ ଓ ଆଡ଼ମ୍ବରମୟ ଜୀବନ ଯାପନ କରିବାର କୌଣସି ପ୍ରବୃତ୍ତି ଦେଖାଯାଏ ନାହିଁ । “ଏହି ସ୍କୁଲର ସବୁଠାରୁ ବଡ଼ ଆବଶ୍ୟକତା କଣ ଓ ଏଠିକାର ପିଲାମାନେ ପ୍ରକୃତରେ କେଉଁ ଅଭାବର ପୂରଣ ହେଉ ବୋଲି ଚାହାନ୍ତି” ଏହି ପ୍ରଶ୍ନର ଉତ୍ତର ଦେଇ ଜଣେ ପିଲା ଲେଖିଚି : “ଏଠାରେ ଶିକ୍ଷକଙ୍କର ଅଭାବ ଓ ପାଣିର ଅଭାବ ସବୁବେଳେ ଲାଗି ରହିଚି । ଏହା ସହିତ ଖଣ୍ଡେ ରୋଷେଇଘର, ଖାଇବାଘର ଓ ଆଉ କେତେଟି ଛାତ୍ରାବାସର ଅଭାବ ରହିଚି ବୋଲି ମଧ୍ୟ କୁହାଯାଇ ପାରିବ ।”

 

ନାନାପ୍ରକାର ଅସୁବିଧା ଭିତରେ ବିଦ୍ୟାଳୟଟି ଯେ କିପରି ଚଳିବ, ଏହି ବିଷୟରେ ଶିକ୍ଷକମାନେ ପ୍ରକୃତରେ ବଡ଼ ଚିନ୍ତିତ ଅଛନ୍ତି । ଛାତ୍ରମାନେ ମଧ୍ୟ ଏହି ବିଦ୍ୟାଳୟର ଭବିଷ୍ୟତ ବିଷୟରେ କମ୍ ଚିନ୍ତିତ ନୁହନ୍ତି । ବିଦ୍ୟାଳୟ ବିଷୟରେ ଆପଣାର ମନ୍ତବ୍ୟ ଦେବାକୁ ଯାଇ ୬୦% ଛାତ୍ର ଏହିପରି ଗୋଟିଏ ଶିକ୍ଷାନୁଷ୍ଠାନ ଯେପରି ହେଲେ ବଞ୍ଚି ରହିଥାଉ ବୋଲି ମତ ଦେଇଚନ୍ତି । ଏହି ବିଷୟରେ ମୁଁ ନିମ୍ନରେ କେତୋଟି ମନ୍ତବ୍ୟର ଉଲ୍ଲେଖ କରିବାକୁ ଯାଉଚି :

 

“ସରକାର ସାହାଯ୍ୟପ୍ରାପ୍ତ ଅନ୍ୟ ସ୍କୁଲଗୁଡ଼ିକୁ ଯେପରି ଆବଶ୍ୟକ ସାହାଯ୍ୟ କରୁଚନ୍ତି, ଏହି ସ୍କୁଲକୁ ମଧ୍ୟ ସେହିପରି ସାହାଯ୍ୟ କରିବା ଉଚିତ ବୋଲି ମୁଁ ଭାବୁଚି । ମୋର ମତ ଯେ ଏହି ସ୍କୁଲଟିକୁ ଆପଣା ହାତରେ ଗଢ଼ିପାରିବା ଲାଗି ସରକାର ଏଠିକାର ଛାତ୍ରମାନଙ୍କୁ ସବୁମନ୍ତେ ସାହାଯ୍ୟ କରୁ । କିନ୍ତୁ ଏହି ବିଦ୍ୟାଳୟର ଶିକ୍ଷାବ୍ୟବସ୍ଥା ଓ ପରିଚାଳନା କୌଣସି ପ୍ରକାରେ ସରକାରୀ ଫାଇଲର ନିୟନ୍ତ୍ରଣ ଭିତରେ ନ ରହୁ ।” “ବର୍ତ୍ତମାନ ସରକାର ଏହାକୁ ଦୁଇଆଖିରେ ଦେଖି ପାରୁ ନଥିଲେ ମଧ୍ୟ ଏହି ବିଦ୍ୟାଳୟ ଅବଶ୍ୟ ବଞ୍ଚି ରହିବ । ଏହାର ତାରୁଣ୍ୟଶକ୍ତି ଓ ତରୁଣ ଆକାଙ୍‍କ୍ଷାମାନ ବଞ୍ଚି ରହିଥିବା ପର୍ଯ୍ୟନ୍ତ ଏହି ବିଦ୍ୟାଳୟ ନିଶ୍ଚୟ ବଞ୍ଚି ରହିବ ।” “ଏହିପରି ଏକ ବିଦ୍ୟାଳୟ ଏଠାରେ ସବୁଦିନ ପାଇଁ ରହିଥାଉ, ଭଗବାନଙ୍କଠାରେ ମୁଁ ସର୍ବଦା ଏହି ପ୍ରାର୍ଥନା କରୁଥିବି । ଏପରି କେତୋଟି ଅନୁଷ୍ଠାନ ଦେଶରେ ନ ରହିଲେ ଛାତ୍ରମାନେ କଦାପି ଭୟଶୂନ୍ୟ ଭାବରେ ବିଚାର କରିବା କଥା କହି ଶିଖିବେ ନାହିଁ ।

 

ଏହି ସ୍ଥାନର ସକଳ ଅସୁବିଧା ସତ୍ତ୍ୱେ ଏଠାରେ ଶିକ୍ଷକ ଓ ଶିକ୍ଷାର୍ଥୀ ଠିକ୍ ଗୋଟିଏ ପରିବାରରେ ରହିଚନ୍ତି, ପରସ୍ପରର ଆନନ୍ଦ ଓ ନିରାନନ୍ଦରେ ସେମାନେ ଭାଗ ନେଉଚନ୍ତି । ସବୁ ଛାତ୍ରଙ୍କର ଯେପରି ଯଥାସମ୍ଭବ ସର୍ବାଙ୍ଗୀନ ବିକାଶ ହୋଇ ପାରିବ, ସେଥିଲାଗି ଏଠାରେ ସମ୍ଭାବ୍ୟ ସକଳ ପ୍ରୟାସ କରାଯାଉଚି । ଛାତ୍ରମାନେ ବିଦ୍ୟାଳୟର ଶିକ୍ଷକମାନଙ୍କ ବିଷୟରେ କିପରି ବିଚାର କରୁଚନ୍ତି, ବର୍ତ୍ତମାନ ମୁଁ ତାହାରି ଉଲ୍ଲେଖ କରିବି ।

 

“ମୋର ଜୀବନରେ ମୁଁ ଯେତେ ଯେତେ ଶିକ୍ଷକଙ୍କର ସମ୍ପର୍କରେ ଆସିଚି, ଏହି ବିଦ୍ୟାଳୟର ଶିକ୍ଷକମାନଙ୍କୁ ମୁଁ ସେମାନଙ୍କଠାରୁ ଅବଶ୍ୟ ଉଚ୍ଚତର ସ୍ଥାନ ଦେବି । କୌଣସି ପ୍ରକାର ଭାଗବତ ଓ ଅପରାଧସଚେତ ଚାପଦ୍ଵାରା ଉତ୍ପୀଡ଼ିତ ନହୋଇ ଆମେ ଯେପରି ଆମ ଜୀବନରେ ଉନ୍ନତ ପଥଶ୍ରଦ୍ଧା ଓ ଜୀବନଦୃଷ୍ଟିର ବିକାଶ କରିପାରିବୁ, ସେଥିଲାଗି ସେମାନେ ସର୍ବଥା ଯତ୍ନଶୀଳ ରହିଚନ୍ତି । ଏହି ବିଦ୍ୟାଳୟର ଶିକ୍ଷକମାନେ ଠିକ୍ ଆମର ବଡ଼ଭାଇ ପରି । କୌଣସି ପ୍ରକାର ଭୟର ବଶବର୍ତ୍ତୀ ନ ହୋଇ ଆମେ ସେମାନଙ୍କ ପାଖରେ ବସି ଆମର ମନର କଥା କହିପାରୁଚୁ ଓ ଆମ ସମସ୍ୟାଗୁଡ଼ିକର ଆଲୋଚନା କରିପାରୁଚୁ । ସମାଜରେ ଆମେ ସମସ୍ତେ ଯେପରି ଏକ ଯୋଗ୍ୟତର ଜୀବନର ଭାରସାମ୍ୟ ରଖି ସଜ୍ଜନ ଭାବରେ ବିକଶିତ ହୋଇ ପାରିବୁ, ସେଥିଲାଗି ଆମ ଶିକ୍ଷକମାନେ ନିରନ୍ତର ଚିନ୍ତା କରୁଚନ୍ତି ।” “ଛାତ୍ରର ସମଗ୍ର ବିକାଶ ହିଁ ଶିକ୍ଷକର କର୍ତ୍ତବ୍ୟ ହୋଇ ରହିବା ଉଚିତ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆମ ଶିକ୍ଷକମାନେ ଆମର ସାହାଯ୍ୟ କରୁଚନ୍ତି, ଆମର ପାଖେ ପାଖେ ରହିଚନ୍ତି । ଆମେ ଯେପରି ସବୁବେଳେ ନୂଆ କଥା ଭାବି ପାରିବୁ ଓ ନୂଆ ନୂଆ କାମ କରି ପାରିବୁ, ସେଥିଲାଗି ସେମାନେ ସବୁବେଳେ ଆଗ୍ରହୀ ହୋଇ ରହିଚନ୍ତି ।” “ଆମ ଶିକ୍ଷକମାନେ ମଧ୍ୟ ଏଠାରେ ଶିକ୍ଷାର୍ଥୀ ବା ଛାତ୍ର ହୋଇ ରହିଚନ୍ତି । ଯାହାର ଶିଖିବା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ, କେବଳ ସେଇ ଆଉ ଜଣକୁ ଶିଖିବାର ମାର୍ଗରେ ଅନୁପ୍ରେରିତ କରିପାରିବ । ଏଠି ଶିକ୍ଷକମାନେ ଆମର ବଡ଼ଭାଇ ପରି ରହିଚନ୍ତି । ସେମାନେ ଆମର ଦଣ୍ଡଦାତା କର୍ତ୍ତା ହୋଇ ନାହାନ୍ତି । ସେମାନଙ୍କୁ ଆମେ ଅତି ଆପଣାର ବୋଲି ଅନୁଭବ କରୁଚୁ ।” “ଆମର ଶିକ୍ଷକମାନେ ଆମକୁ ଜବରଦସ୍ତି କୌଣସି ପୂର୍ବନିର୍ଦ୍ଦିଷ୍ଟ ଛାଞ୍ଚରେ ପକାଇବାର ଚେଷ୍ଟା କରି ନାହାନ୍ତି-। ଛାତ୍ର ଆପଣା ଜୀବନରେ ଯେତେବେଳେ ଯେଉଁ ଆବଶ୍ୟକତାଗୁଡ଼ିକର ପରିପୂରଣ ଲାଗି ଏଠି ଶିକ୍ଷକମାନେ ସର୍ବଦା ପ୍ରସ୍ତୁତ ରହିଚନ୍ତି । ପ୍ରତ୍ୟେକ ଛାତ୍ରର ଆଗ୍ରହ ଓ ଦାବୀ ଅନୁସାରେ ଏଠି ଶିକ୍ଷକ ଆପଣାକୁ ସମର୍ପଣ କରିବାଲାଗି ଓ ସେହି ଆଗ୍ରହର ତୃପ୍ତି କରିବାଲାଗି ପ୍ରସ୍ତୁତ ରହିଚନ୍ତି-।”

 

ପ୍ରଧାନତଃ କେଉଁ ଉଦ୍ଦେଶ୍ୟ ରଖି ଏଠାରେ ଏପରି ବିଦ୍ୟାଳୟ ଆରମ୍ଭ କରାଯାଇଚି ବୋଲି ମୁଁ ଥରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲି । ସେ ଅତି ସଂକ୍ଷେପରେ ଉତ୍ତର ଦେଇ କହିଲେ : “ମୋର ଉଦ୍ଦେଶ୍ୟ ଏଠାରେ ଶିକ୍ଷା ସମାପ୍ତ କରି ଆମ ଛାତ୍ରମାନେ ଯେତେବେଳେ ବାହାରକୁ ଯିବେ, ସେମାନେ ବର୍ତ୍ତମାନର ଅନ୍ୟାୟଦୁଷ୍ଟ ସମାଜକୁ କଦାପି ମୁଣ୍ଡପାତି ଭଲ ମଣିଷ ହୋଇ ସହି ନେବେ ନାହିଁ ।” ତାଙ୍କର କହିବାର ତାତ୍ପର୍ଯ୍ୟ ଥିଲା ସେ ସୁଶିକ୍ଷାଦ୍ଵାରା ଆମ ସମାଜରେ ପ୍ରଶ୍ରୟ ପାଇ ରହିଥିବା ଅନେକ ବିକୃତି ଓ ବିଷମତାର ନିରାକରଣ ସମ୍ଭବ ହୋଇ ପାରିବ । ଏହି ବିଶ୍ଵାସରେ ହିଁ ଏହି ବିଦ୍ୟାଳୟ ଆରମ୍ଭ କରାଯାଇଚି ଓ ଏଠାରେ ଏହି ପ୍ରୟାସ ହିଁ କରାଯାଉଚି । ତାଙ୍କର କଥା ଶୁଣି ମୋର ଅନୁମାନ ହେଲା ଯେ ସେ ଏଠାରେ ଶିକ୍ଷାକ୍ଷେତ୍ରରେ ଏକ ପ୍ରକାର ପ୍ରୟୋଗ ଆରମ୍ଭ କରିଚନ୍ତି । ଏବେ ମଧ୍ୟ ଏହି ବିଦ୍ୟାଳୟ ତଥାପି ଏକ ପ୍ରୟୋଗକାଳୀନ ଅବସ୍ଥାରେ ରହିଚି କି ବୋଲି ମୁଁ ତାଙ୍କୁ ପଚାରିଲି । ସେ କହିଲେ, “ବିଦ୍ୟାଳୟଟି ବର୍ତ୍ତମାନ ଯେଉଁ ଶୋଚନୀୟ ପରିସ୍ଥିତି ମଧ୍ୟ ଦେଇ ଗତି କରୁଚି, ସେହି ଦୃଷ୍ଟିରୁ ଏହାକୁ କେତେଦୂର ଏକ ପ୍ରୟୋଗ ବୋଲି କୁହାଯାଇ ପାରିବ, ତାହା ମଧ୍ୟ ବିଚାର କରିବା ଉଚିତ ।” ପରେ ମୁଁ ନିଜେ ମଧ୍ୟ ହୃଦୟଙ୍ଗମ କରିପାରିଲି ଯେ କୌଣସି ପ୍ରୟୋଗଶାଳାରେ ଏକହଜାର କାଚନଳୀ ଯୋଗାଇ ଦେଇ ଜଣେ ବୈଜ୍ଞାନିକକୁ ତା’ର ପ୍ରୟୋଗ ଆରମ୍ଭ କରିବାକୁ କହିଲେ ସେ ପ୍ରକୃତରେ କି ପ୍ରୟୋଗ କରିପାରିବ-? ଖାଲି କାଚନଳୀ ଯୋଗାଇ ଦେଲେ କଣ ପ୍ରୟୋଗ ଆପେ ଆପେ ହୋଇଯିବ ? ଅବଶ୍ୟ ଏଠି ଶିକ୍ଷକ ଓ ଛାତ୍ର ଉଭୟେ ସ୍ଵୀକାର କରନ୍ତି ଯେ ଏହି ବିଦ୍ୟାଳୟରେ ତା’ର ନିଜସ୍ୱ ଏକ ପ୍ରୟୋଗ ଚାଲିଚି । ଏହି ପ୍ରୟୋଗଟି ଭବିଷ୍ୟତରେ କେତେଦୂର ସଫଳ ହେବା ବା ନହେବା, ତାହା ଭାବିବା ପୂର୍ବରୁ ପ୍ରୟୋଗଟି ଚାଲୁ ରଖିବା ପାଇଁ ଏଠାରେ ସେମାନଙ୍କୁ ଯଥେଷ୍ଟ ସୁଯୋଗ ମିଳିବ କି ନାହିଁ, ସେମାନେ ବର୍ତ୍ତମାନ ଏହି ଚିନ୍ତାରେ ପଡ଼ିଚନ୍ତି । ଜଣେ ଛାତ୍ର ଲେଖିଚି ଯେ ଏହି ବିଦ୍ୟାଳୟରେ ଶିକ୍ଷାସମ୍ବଦ୍ଧୀୟ ଏକ ନୂତନ ପ୍ରୟୋଗ ମାତ୍ର ଚାଲିଚି । ଏହି ପ୍ରୟୋଗଟି ସଫଳ ହେବା ବିଷୟରେ ସେ ସଂଶୟ ପ୍ରକାଶ କରିଚି ।

 

ବସ୍ତୁତଃ ଏହି ବିଦ୍ୟାଳୟର କାର୍ଯ୍ୟ ଏକ ଅତି ଶକ୍ତ କାର୍ଯ୍ୟ ଏବଂ କୌଣସି ଜଣେ ମଣିଷ କଦାପି ଏହାକୁ ସମ୍ପନ୍ନ କରି ପାରିବ ନାହିଁ । ଏଥିଲାଗି ଅନେକ ମଣିଷଙ୍କର ଧୈର୍ଯ୍ୟ ଦରକାର, ଅନବରତ ଓ ହାର୍ଦ୍ଦିକ ଚେଷ୍ଟା ଦରକାର । ସୁଦକ୍ଷ ଓ ଆଗ୍ରହବାନ୍ ଶିକ୍ଷକଙ୍କର ଏକ ଗୋଷ୍ଠୀ ମଧ୍ୟ ଦରକାର ।

 

ଉଚ୍ଚତର ନୀତି ଦୃଷ୍ଟିରୁ ବିଚାର ନକରି କେବଳ ପ୍ରୟୋଜନ ଦୃଷ୍ଟିରୁ ମଧ୍ୟ ଆମ ଭାରତବର୍ଷରେ ଏହିପରି ପ୍ରୟୋଗଗୁଡ଼ିକ ଲାଗି ସମ୍ପୂର୍ଣ୍ଣ କ୍ଷେତ୍ର ଓ ସହଯୋଗ ମିଳିବା ଦରକାର । ତେଣେ ଭୋକଉପାସ ଆମ ଦୁଆର ଉପରେ ଆସି ହାତ ବାଡ଼େଇଲାଣି, ଦେଶରେ ମାଳମାଳ ବେକାର ବୁଲୁଚନ୍ତି । ତଥାପି ଆମର ବିଦ୍ୟାଳୟମାନଙ୍କରେ ଆମ କିଶୋର ଓ ତରୁଣମାନଙ୍କୁ ତୁଚ୍ଛା ବସିରହି କାମ କରିବାର କିରାନିରେ ପରିଣତ କରିବାର ମନ୍ଦ ପ୍ରୟାସ ଚାଲିଚି । ଏହି ବିଦ୍ୟାଳୟ ଦ୍ଵାରା ଆକାଙ୍ଖିତ ଶିକ୍ଷାଦ୍ଵାରା ହିଁ ଆମଲାଗି ଏହି ବିଷଚକ୍ରରୁ ନିସ୍ତାର ପାଇବାର ସମ୍ଭାବନା ରହିଚି । ଏହି ଶିକ୍ଷାଦ୍ଵାରା ହିଁ ଆମ ତରୁଣ ସମାଜର ଅନ୍ତର୍ନିହିତ ଶକ୍ତି ଓ ବ୍ୟକ୍ତିତ୍ଵର ପରିପୂର୍ଣ୍ଣ ବିକାଶ ସମ୍ଭବ ହୋଇ ପାରିବ ।

 

–୫–

 

ବରଷକରେ ଥରେ ଓଡ଼ିଶାରେ ସରକାରଙ୍କ ତରଫରୁ ମୌଳିକ ଶିକ୍ଷା ସପ୍ତାହ ପାଳିତ ହେଉଥିଲା । ହୁଏତ ଏବେ ବି ହେଉଥିବ । ୧୯୫୮ ମସିହା ଜାନୁଆରୀ ମାସରେ ଆମେ ଜଙ୍ଗଲସ୍କୁଲରେ ଏହି ସପ୍ତାହଟି ପାଳନ କରିଥିଲୁ । ଏହି ସପ୍ତାହରେ ଛାତ୍ର ଓ ଶିକ୍ଷକମାନଙ୍କୁ ନେଇ ଗଠିତ କେତୋଟି ଅଧ୍ୟୟନଚକ୍ର (ଗୋଟିଏ ଗୋଟିଏ ଚକ୍ରରେ କେବଳ ଛାତ୍ର ହିଁ ରହିଥିଲେ ।) ମୌଳିକ ଶିକ୍ଷାର ବିଭିନ୍ନ ଦିଗରୁ ଚର୍ଚ୍ଚାଲୋଚନା କରିଥିଲେ । ସପ୍ତାହକର ଆଲୋଚନାକୁ ସଜାଡ଼ି ପ୍ରତ୍ୟେକ ଚକ୍ର ଗୋଟିଏ ଲେଖାଏଁ ବିବରଣୀ ପ୍ରସ୍ତୁତ କରିଥିଲେ ଓ ସପ୍ତାହଟିର ଉଦ୍‍ଯାପନ-ସଭାରେ ଏହିସବୁ ବିବରଣୀ ପଢ଼ି ଶୁଣାଇ ଦିଆଯାଇଥିଲା । ମୋର ଯେତେଦୂର ମନେପଡ଼ୁଚି, ସେତିକିବେଳେ ଅନଗୁଳଠାରେ ନିଖିଳ ଉତ୍କଳ ମୌଳିକ-ଶିକ୍ଷା-ସମ୍ମିଳନୀ ଅନୁଷ୍ଠିତ ହେଉଥାଏ । ସମ୍ମିଳନୀର ଉଦ୍ୟମୀ ସଂଗଠକମାନେ ଆମର ବିବରଣୀଗୁଡ଼ିକୁ ଖବରକାଗଜରେ ଛପାଇବାକୁ କଟକ ପଠାଇ ଦେଇଥିଲି ଓ ସେଗୁଡ଼ିକ ଧାରାବାହିକ ଭାବରେ ‘ମାତୃଭୂମି’ରେ ବାହାରିଥିଲା । ଦୁଃଖର ବିଷୟ ସେଗୁଡ଼ିକ ବର୍ତ୍ତମାନ ମୋ’ପାଖରେ ନାହିଁ । କିନ୍ତୁ ସେଗୁଡ଼ିକର ଇଂରାଜୀ ଅନୁବାଦ ଅଛି । ସେଗୁଡ଼ିକୁ ମୁଁ ପୁଣିଥରେ ଓଡ଼ିଆରେ ଅନୁବାଦ କରି ପାଠକମାନଙ୍କୁ ପରିବେଷଣ କରିବାକୁ ଚାହୁଚି ।

 

ପ୍ରଥମ ଚକ୍ର :

 

ଶିକ୍ଷାରେ ସ୍ଵାଧୀନତା

 

୧) କେବଳ ଜଣେ ସ୍ଵାଧୀନ ମଣିଷ ହିଁ ଯଥାର୍ଥ ଭାବରେ ଦାୟିତ୍ଵ ବହନ କରିପାରିବ । ସ୍ୱାଧିନତାର ଅଭାବରେ ନାନାପ୍ରକାର ଉଗ୍ରତା ହିଁ ମଣିଷକୁ ଅଧିକାର କରିବସିବ । ତେଣୁ ନାନା ଉଗ୍ରବୃତ୍ତିର କବଳରୁ ମଣିଷକୁ ବଞ୍ଚାଇ ରଖିବାକୁ ହେଲେ ତାକୁ ଯଥେଷ୍ଟ ସ୍ଵାଧୀନତା ଦେବା ଆବଶ୍ୟକ । ଆଜି ମଣିଷ ସମାଜର ନାନାକ୍ଷେତ୍ରରେ ଆପଣାର ଦାୟିତ୍ଵ ବହନ କରିବାକୁ ପାଶ୍ଚାତ୍‍ପଦ ହେଉଚି । ତାକୁ ସ୍ଵାଧୀନତା ଦେଇ ହିଁ ଆମେ ତାକୁ ଏହି ପ୍ରବୃତ୍ତିଗତ ବ୍ୟାଧିରୁ ରକ୍ଷା କରିପାରିବା । ପ୍ରକୃତି ପରି ମଣିଷର ଜୀବନ ମଧ୍ୟ ବହୁମୂଖୀ ଓ ବିଚିତ୍ର । ମଣିଷ ବଡ଼ ହୋଇ ଭବିଷ୍ୟତରେ କଣ ହେବ, ସେକଥା କେହି କହି ଦେଇ ପାରିବେନାହିଁ । ତେଣୁ ଯଥାର୍ଥ ସ୍ଵାଧୀନତା ପାଇଲେ ହିଁ ପ୍ରତ୍ୟେକ ମନୁଷ୍ୟ ତା’ର ଆପଣାର ପଥ ଆବିଷ୍କାର କରିବାକୁ ସମର୍ଥ ହୋଇପାରିବ ଏବଂ ଆପଣା ବାଟରେ ଅଗ୍ରସର ହୋଇପାରିବ । କିନ୍ତୁ ତା’ର ବାଟରେ ଯଦି ଆମେ ନାନା ବାଧା ସୃଷ୍ଟି କରି ରଖିବା, ତେବେ ତଦ୍ଦ୍ଵାରା ତାହାର ବିକାଶ ବ୍ୟାହତ ହୋଇପଡ଼ିବ । ମଣିଷଠାରେ କେବଳ ଅବିଚଳିତ ବିଶ୍ଵାସ ରଖିପାରିଲେ ହିଁ ଆମେ ତାକୁ ଯଥେଷ୍ଟ ସ୍ଵାଧୀନତା ଦେବାରେ ସମର୍ଥ ହୋଇ ପାରିବା । ପ୍ରତ୍ୟେକ ମନୁଷ୍ୟ ଭିତରେ ଯେଉଁସବୁ ଅନ୍ତର୍ନିହିତ ଶକ୍ତି ପ୍ରଚ୍ଛନ୍ନ ହୋଇ ରହିଚି, ତାହାରି ବିକାଶ ଉପରେ ହିଁ ସୃଜନଧର୍ମୀ ଶିକ୍ଷାର ସମ୍ଭାବନା ନିର୍ଭର କରୁଚି । ଏହି ବିକାଶ ଲାଗି ଆମକୁ ବିଦ୍ୟାଳୟରେ ସ୍ଵାଧୀନତା ଲାଗି ଯଥେଷ୍ଟ କ୍ଷେତ୍ର ରଖିବାକୁ ପଡ଼ିବ । ବୟସ୍କର ଇଚ୍ଛା ଓ ଖିଆଲକୁ ଛାତ୍ର ଉପରେ ଜବରଦସ୍ତି ଲଦିଦେବାର ପ୍ରମାଦରୁ ଆମେ ବିଦ୍ୟାଳୟକୁ ବଞ୍ଚାଇ ରଖିବା ।

 

ପ୍ରାଚୀନ ଭାରତୀୟ ଶାସ୍ତ୍ରରେ ଶିକ୍ଷକ ବା ଗୁରୁକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କର ସମତୁଲ କରି ବର୍ଣ୍ଣନା କରାଯାଇଚି । ହୁଏତ ସେହି ପ୍ରେରଣାରେ ପ୍ରମତ୍ତ ହୋଇ ଆମ ଦେଶର ବୟସ୍କ ଶିକ୍ଷକର ଛାତ୍ର ଉପରେ ଆପଣାର ମତ ଓ ବିଚାରକୁ ଜୋର କରି ଲଦିଦେବାକୁ ସର୍ବଦା ଏକ ଉଗ୍ର ପ୍ରବୃତ୍ତି ରହିଚି । ବିଚରା ଅଧସ୍ତନ ଛାତ୍ର ସେହିସବୁ ମତ ଓ ବିଚାରକୁ ଏକମାତ୍ର ସତ୍ୟ ବୋଲି ମାନିନେବାକୁ ବାଧ୍ୟ ହେଉଚି । ଅବଶ୍ୟ ଏପରି ଗ୍ରହଣ କରିବାରେ ଏତେଟିକିଏ ହେଲେ ଉତ୍ସାହ ଓ ଆନନ୍ଦ ଅନୁଭବ କରି ପାରୁନାହିଁ । ଫଳରେ ତା’ର ଜୀବନ ଭିତରେ ବହୁବିଧ ସଙ୍କୋଚ ଓ କୃତ୍ରିମତାମାନ ପଶିଯାଉଚି । ମନେକର ଛାତ୍ର ତା’ର ଶିକ୍ଷକଙ୍କୁ ତା’ର ସନ୍ଦେହମୋଚନ ଲାଗି କୌଣସି ଏକ ପ୍ରଶ୍ନ ପଚାରୁଚି ଓ ଶିକ୍ଷକଙ୍କୁ ସେହି ପ୍ରଶ୍ନର ଯଥାର୍ଥ ଉତ୍ତର ପ୍ରକୃତରେ ଜଣାନାହିଁ । କିନ୍ତୁ ଆପଣାର ଅଜ୍ଞତାକୁ ପ୍ରକାଶ କରିବା ଲାଗି ଶିକ୍ଷକ ଅନେକ ସମୟରେ ପଛାଇ ଯାଉଚନ୍ତି । ବା ବେଳେବେଳେ ଭୁଲ ଉତ୍ତର ଦେଇ ସେ ଛାତ୍ରର ଜିଜ୍ଞାସାକୁ ଶାନ୍ତ କରିଦେବାର ଚେଷ୍ଟା କରୁଚନ୍ତି ଏବଂ ପରେ ଯେତେବେଳେ ଛାତ୍ର ପ୍ରଶ୍ନଟିର ପ୍ରକୃତ ଉତ୍ତର ଜାଣିବାରେ ସମର୍ଥ ହେଉଚି, ସେତେବେଳେ ଶିକ୍ଷକଙ୍କ ଉପରୁ ତା’ର ସମସ୍ତ ବିଶ୍ଵାସ ତୁଟିଯାଉଚି । ଏହି କୁପରିଣାମକୁ ଦୂର କରିବାକୁ ହେଲେ ଶିକ୍ଷକଙ୍କୁ ତାଙ୍କର ମିଥ୍ୟାଭିମାନ ପରିହାର କରିବାକୁ ପଡ଼ିବ । ସବୁବେଳେ ଯେ ସେ କେବଳ ଦେଉଥିବ ଓ ଛାତ୍ର ହାତ ପତାଇ ଗ୍ରହଣ କରୁଥିବ, ତାଙ୍କୁ ଏହି ଅହମିକାପ୍ରସୂତ ବିଶ୍ଵାସ ଛାଡ଼ିଦେବାକୁ ହେବ । ଛାତ୍ରଠାରୁ ଗ୍ରହଣ କରିବାଲାଗି ମଧ୍ୟ ତାଙ୍କୁ ପ୍ରସୂତ ରହିବାକୁ ପଡ଼ିବ । ତେବେଯାଇ ଛାତ୍ର ଶିକ୍ଷକଠାରେ ପୂର୍ଣ୍ଣ ବିଶ୍ଵାସ ରଖିପାରିବ ଏବଂ ତେବେଯାଇ ଶିକ୍ଷକ ଓ ଛାତ୍ର ଭିତରେ ସମ୍ପୂର୍ଣ୍ଣ ସହଯୋଗ ସମ୍ଭବ ହୋଇପାରିବ ।

 

ଯେପରି ସମାନ୍ତର ସରଳରେଖାମାନ ପରସ୍ପରକୁ ଛେଦ କରନ୍ତି ନାହିଁ ବା ପରସ୍ପରର ପଥ ଓଗାଳନ୍ତି ନାହିଁ, ସେହିପରି ଜଣେ ମଣିଷ ଆଉ ଜଣେ ମଣିଷର ଯେପରି କୌଣସି ପ୍ରକାର ଅନ୍ତରାୟ ହୋଇ ଠିଆ ନହୁଏ ! ସେ ଯେପରି ଅନ୍ୟ ପ୍ରତ୍ୟେକ ମଣିଷ ସହିତ ଏକାଠି ହୋଇ ବାଟ ଚାଲି ଶିଖେ । ପ୍ରକୃତ ସ୍ଵାଧୀନତା କହିଲେ ଆମେ ପ୍ରଧାନତଃ ଏହାହିଁ ବୁଝୁଚୁ ।

 

୨) ସମଗ୍ର ମଣିଷର ଶିକ୍ଷାକୁହିଁ ଶିକ୍ଷାର ସର୍ବପ୍ରଧାନ ଧ୍ୟେୟ ବୋଲି କୁହାଯାଇପାରିବ । ମନୁଷ୍ୟଜୀବନର ବହୁବିଧ ଦିଗ ସତ୍ତ୍ୱେ ତଥାପି ଯେ ବ୍ୟକ୍ତିତ୍ଵର ଏକ ସମଗ୍ରତା ରହିଚି, ଶିକ୍ଷା-ମନୋବିଜ୍ଞାନ ଏହାରି ଉପରେ ହିଁ ଏବେ ଅଧିକ ଜୋର ଦେଉଚି । କିନ୍ତୁ ଦୁର୍ଭାଗ୍ୟବଶତଃ ନାନା କାରଣରୁ ଆଧୁନିକ ମଣିଷ ଏହି ଏକକତା ଓ ସମଗ୍ରତା ବିଷୟରେ ବିସ୍ମୃତ ହୋଇ ରହିଥିଲା ପରି ମନେହେଉଚି । ଫଳତଃ ସେ ଆପଣାର ଜୀବନକୁ ନାନା ସଂକୀର୍ଣ୍ଣ ଓ ଅଂସଲଗ୍ନ ଖଣ୍ଡମାନଙ୍କରେ ବିଭକ୍ତ କରି ପକାଇଚି । ଆଧୁନିକ ମନୁଷ୍ୟକୁ ଏହି ବିଭକ୍ତତାରୁ ବଞ୍ଚାଇବା ହିଁ ଯଥାର୍ଥ ଆଧୁନିକ ଶିକ୍ଷାର ପ୍ରଧାନତମ ଉଦ୍ଦେଶ୍ୟ ହେବା ଉଚିତ । ଏହି ଆଧୁନିକ ପ୍ରମାଦରୁ ରକ୍ଷାପାଇବା ଲାଗି ମଣିଷ ଯଥେଷ୍ଟ ଶକ୍ତି ଅର୍ଜନ କରୁ, ଏହାହିଁ ଆଧୁନିକ ଶିକ୍ଷାର ଧ୍ୟେୟ ହୋଇ ରହିବା ଉଚିତ ।

 

୩) ଆଧୁନିକ ଶିକ୍ଷାର ଇତିହାସରେ ମୌଳିକ ଶିକ୍ଷାପ୍ରୟୋଗର ଏକ ସ୍ଵତନ୍ତ୍ର ସ୍ଥାନ ରହିଚି । ଆପଣା ଅନ୍ତର୍ନିହିତ ସମ୍ଭାବନାଗୁଡ଼ିକର ସ୍ଵାଧୀନ ବିକାଶ କରିପାରିବା ଲାଗି ଛାତ୍ର ଯେପରି ଏକ ଅନୁକୂଳ ବାତାବରଣ ପାଇପାରିବ, ସେହି ଉଦ୍ଦେଶ୍ୟରେ ମୌଳିକଶିକ୍ଷା ବିଭିନ୍ନ ଛାତ୍ରକୁ ବିଭିନ୍ନ ପ୍ରକାରର ଅନୁକୂଳ ପରିସର ଯୋଗାଇ ଦେଇଥାଏ । ଉଦାହରଣ ସ୍ୱରୂପ, ମୌଳିକ ଶିକ୍ଷାର କାର୍ଯ୍ୟକ୍ରମରେ ସାମୂହିକ ଦାୟିତ୍ଵବହନ, ସଫାଇ, ଦୈନଦିନ ପ୍ରାର୍ଥନା, ସୂତାକଟା ଓ ଦିନଲିପି ଲେଖିବା ପ୍ରଭୃତି ନାନା ପରିସର ରହିଚି । ଆପଣା ବ୍ୟକ୍ତିତ୍ଵର ଅନ୍ତର୍ଗତତମ ଆବଶ୍ୟକତା ଓ ଜୀବନଦୃଷ୍ଟିଗୁଡ଼ିକର ଆବିଷ୍କାର ଓ ବିକାଶ କରିବା ଲାଗି ପ୍ରତ୍ୟେକ ଛାତ୍ର ପର୍ଯ୍ୟାପ୍ତ ପରିସର ପାଇପାରିବ, ଏହି ସତ୍ୟ ଉପରେ ହିଁ ମୌଳିକ ଶିକ୍ଷାର କଳ୍ପନା କରାଯାଇଚି । ମୌଳିକ ସ୍କୁଲର ପ୍ରତ୍ୟେକ ଛାତ୍ରକୁ ଶିକ୍ଷକଙ୍କ ଲାଗି ସତେଅବା ଏକ ଖୋଲା ବହିପରି ହୋଇ ରହିବାକୁ ହୁଏ । ସକଳ ଯତ୍ନ ଓ ମନୋଯୋଗ ସହକାରେ ଶିକ୍ଷକ ଏହି ବହିଗୁଡ଼ିକୁ ପଢ଼ିବାରେ ସମର୍ଥ ହେବେ । ଆପଣାର ଆବଶ୍ୟକତା ଅନୁସାରେ ଛାତ୍ର ଯେପରି ତା’ର ଆପଣାର ଜୀବନପଥର ନିର୍ମାଣ କରିପାରିବ, ଶିକ୍ଷକ ସେଥିଲାଗି ତାକୁ ସବୁମନ୍ତେ ସାହାଯ୍ୟ କରିବେ । ବିଦ୍ୟାଳୟ-ସମାଜର ଜଣେ ସମ୍ମାନାସ୍ପଦ ସଦସ୍ୟ ହିସାବରେ ଆପଣାର ଦାୟିତ୍ଵମାନ ବହନ କରି ଛାତ୍ର ବୃହତ୍ତର ସମାଜର ସଦସ୍ୟ ହିସାବରେ ଆପଣା ଦାୟିତ୍ଵମାନ ବହନ କରିବା ଲାଗି ଅଧିକ ସ୍ଵାଭାବିକ ଭାବରେ ପ୍ରସ୍ତୁତ ହୋଇପାରିବ । ଆପଣା ସମବୟସୀମାନଙ୍କର ସମ୍ପର୍କ ସଂସାରରୁ ହିଁ ଛାତ୍ର ସବୁଠାରୁ ଅଧିକ ଶିକ୍ଷାଲାଭ କରିଥାଏ । ତେଣୁ ତା’ର ସମବୟସୀମାନଙ୍କ ସହିତ ସୁସ୍ଥ ଏବଂ ଅବାଧ ସମ୍ପର୍କରେ ଆସିବା ଉପରେ ହିଁ ତା’ର ଆପଣା ବିକାଶ ବହୁପରିମାଣରେ ନିର୍ଭର କରିଥାଏ । ଏହା କହିବା ଅନାବଶ୍ୟକ ଯେ ମୌଳିକ ଶିକ୍ଷା ଏହିସବୁ ସମ୍ପର୍କ ଲାଗି ଛାତ୍ରକୁ ଏକ ଆଦର୍ଶ ପରିସର ଯୋଗାଇ ଦେଇଥାଏ । ଏହି ପରିସରର ଯେତିକି ପରିପୂର୍ଣ୍ଣ ସଦ୍‍ବ୍ୟବହାର ହୋଇପାରିବ, ମୌଳିକ ଶିକ୍ଷା ଆପଣାକୁ ମଧ୍ୟ ସେତିକି ପ୍ରଶସ୍ତ ଭାବରେ ବିକଶିତ କରିପାରିବ ।

 

ଦ୍ଵିତୀୟ ଚକ୍ର :

 

ଶିକ୍ଷା ଓ ସ୍ଵାବଲମ୍ବନ

 

୧) ଶିକ୍ଷାର ଯେ କୌଣସି କାର୍ଯ୍ୟକ୍ରମରେ ଶରୀରଶ୍ରମର ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ସବୁବେଳେ ରହି ଆସିଚି । ପୃଥିବୀର ଅନେକ ଶିକ୍ଷାବିତ୍ ଶିକ୍ଷାର ଶ୍ରମ ରହିବା ଉଚିତ ବୋଲି ମତ ଦେଇଛନ୍ତି । କିନ୍ତୁ ଗାନ୍ଧୀଜୀଙ୍କ ପରି ଆଉ କେହି ଶିକ୍ଷାର ଏହି ଦିଗଟି ପ୍ରତି ଏତେବେଶୀ ଆମର ଦୃଷ୍ଟି ଆକର୍ଷଣ କରିନାହାନ୍ତି । ସେ ବିଶ୍ଵାସ କରୁଥିଲେ ଯେ ଶିକ୍ଷାର ଜ୍ଞାନ ଓ ଶ୍ରମର ସମନ୍ଵୟ ସାଧନ କରି ହିଁ ଆମେ ଛାତ୍ରର ବିକାଶରେ ଅଧିକ ଭାରସାମ୍ୟ ସମ୍ଭବ କରି ପାରିବା । ଶିକ୍ଷାରେ ସ୍ଵାବଲମ୍ବନର ବିଚାରକୁ ମଧ୍ୟ ଗାନ୍ଧୀଜୀ ପ୍ରଥମ କରି ଆମ ଆଗରେ ଆଣି ଥୋଇଚନ୍ତି । ସେ ଅତି ସ୍ପଷ୍ଟ ଭାବରେ କହିଚନ୍ତି ଯେ ଭାରତବର୍ଷ ଭଳି ଏକ ଦରିଦ୍ର ଦେଶରେ ଶିକ୍ଷା ସହିତ ଆମକୁ ଅବଶ୍ୟ ସ୍ୱାବଲମ୍ବନ ପ୍ରତି ଦୃଷ୍ଟି ରଖିବାକୁ ପଡ଼ିବ । ଏଥିରୁ ଅନେକେ ଏପରି ଏକ ଭୁଲଧାରଣା ପୋଷଣ କରିଥାନ୍ତି ଯେ ଶିକ୍ଷା ଭିତରେ ଶ୍ରମକୁ ଆଣି ଥୋଇଲେ ସ୍କୁଲପିଲା ଶେଷରେ କେବଳ ଏକ ମୂଲିଆ ହିଁ ହୋଇଯିବେ । କିନ୍ତୁ ସ୍ଵାବଲମ୍ବନର ବିଚାରଦ୍ୱାରା ଗାନ୍ଧିଜୀ ସଂପୂର୍ଣ୍ଣ ଭିନ୍ନ ଏକ କଥାର କଳ୍ପନା କରୁଥିଲେ । ସେ ଦୃଢ଼ଭାବରେ ବିଶ୍ଵାସ କରୁଥିଲେ ଯେ ଶିକ୍ଷା ସ୍ୱାବଲମ୍ବୀ ହୋଇପାରିଲେ ଶିକ୍ଷା ସମାପ୍ତ କରି କୌଣସି ଛାତ୍ର ମୂଲିଆ ହୋଇଯିବ ନାହିଁ, ମାତ୍ର ଏକ ସମ୍ପୂର୍ଣ୍ଣ ବିକଶିତ ମନୁଷ୍ୟ ହୋଇ ସଂସାରରେ ପ୍ରବେଶ କରିବ । ଆର୍ଥିକ ସ୍ଵାବଲମ୍ବନକୁ ସେ ସର୍ବାଙ୍ଗୀନ ସ୍ୱାବଲମ୍ବନରେ କେବଳ ଏକ ଭୂମି ବୋଲି ବିଚାରୁଥିଲେ । ମନୁଷ୍ୟ-ବ୍ୟକ୍ତିତ୍ଵର ସମ୍ପୂର୍ଣ୍ଣ ବିକାଶ ଲାଗି ଯେ ଏହାକୁ ଏକ ଅତ୍ୟାବଶ୍ୟକ ସାଧନ ରୂପେ ଗ୍ରହଣ କରୁଥିଲେ । ତେଣୁ ସ୍ୱାବଲମ୍ବନକୁ ଆମେ ଜୀବିକା ନିର୍ବାହ କରିବାର କେବଳ ଏକ ଫନ୍ଦା ରୂପେ ବିଚାର କରିବା ନାହିଁ, ମାତ୍ର ସମଗ୍ର ମନୁଷ୍ୟର ବିକାଶ ଲାଗି ଏକ ସାଧନ ବା ସରଣୀ ରୂପେ ବିଚାର କରିବା । କେବଳ ଆର୍ଥିକ ଦାରିଦ୍ର୍ୟର ଲାଘବ କରିବା ଉଦ୍ଦେଶ୍ୟରେ ହିଁ ଆମେ ସ୍ୱାବଲମ୍ବନର ଶିକ୍ଷା ପାଉଚୁ, ଛାତ୍ରମାନେ ଯେପରି ଏହି ଭୁଲ ସିଦ୍ଧାନ୍ତକୁ ସତ୍ୟ ବୋଲି ବିଶ୍ଵାସ ନ କରିବେ, ସେଥିଲାଗି ପ୍ରତ୍ୟେକ ବିଦ୍ୟାଳୟରେ ଏକ ଅନୁକୂଳ ବାତାବରଣ ରହିଥିବା ଉଚିତ ।

 

୨) ଗାନ୍ଧୀଜୀ ସ୍ୱାବଲମ୍ବନ ଉପରେ ଦେଇଥିବା ସକଳ ମହତ୍ତ୍ଵକୁ ସ୍ଵୀକାର କରିବା ସଙ୍ଗେ ସଙ୍ଗେ ଆମକୁ ଏକଥା ମଧ୍ୟ ମାନିନେବାକୁ ହେବ ଯେ ଭାରତବର୍ଷରେ କୌଣସି ଗୋଟିଏ ସ୍କୁଲ ମଧ୍ୟ ଯଥାର୍ଥରେ ସ୍ୱାବଲମ୍ବୀ ହୋଇ ପାରିନାହିଁ । ସାନ ପିଲାଏ ପଢ଼ୁଥିବା ମୌଳିକ ସ୍କୁଲର କଥା ତେଣିକି ଥାଉ, ଉତ୍ତର ବା ଉତ୍ତମ ବୁନିଆଦୀ ବିଦ୍ୟାଳୟଗୁଡ଼ିକ ମଧ୍ୟ ଏପର୍ଯ୍ୟନ୍ତ ସ୍ୱାବଲମ୍ବୀ ହୋଇ ପାରିନାହାନ୍ତି । ଏହିସବୁ ବିଦ୍ୟାଳୟରେ ଆପଣାର ଶିକ୍ଷାକାଳ ସମାପ୍ତ କରି ଏକପ୍ରକାର ନିରାଶା ଓ ମନସ୍ତାପ ନେଇ ଏହି ବିଦ୍ୟାଳୟର ଛାତ୍ରମାନେ ଆଜି ସଂସାରରେ ପ୍ରବେଶ କରୁଚନ୍ତି । ଶ୍ରମ ଜରିଆରେ ବିଦ୍ୟାଶିକ୍ଷା କରିବା ଯଦି ପ୍ରକୃତରେ ମନୁଷ୍ୟ-ବ୍ୟକ୍ତିର ସର୍ବାଙ୍ଗୀନ ବିକାଶ କରିବାର ଏକ ମାଧ୍ୟମ ହୋଇଥାଏ, ତେବେ ସେହି ଶିକ୍ଷାରେ ସ୍ନାତକ ବିଦ୍ୟାର୍ଥୀ ଆଜି ଆପଣାକୁ କାହିଁକି ପ୍ରଧାନତଃ ଅଯୋଗ୍ୟ ବୋଲି ମନେକରୁଚି, ସେ କାହିଁକି ଆପଣା ବିଦ୍ୟାଳୟକୁ ପ୍ରଧାନତଃ ନାନା ଅଯୋଗ୍ୟତାର ଆଶ୍ରୟସ୍ଥଳ ବୋଲି ବିଚାର କରୁଚି ? ଏହି ଶିକ୍ଷାରେ ତା’ର ବିଶ୍ଵାସ ବୃଦ୍ଧିପାଇବା ଦୂରେ ଥାଉ, ଏପରି ଏକ ବିଦ୍ୟାଳୟକୁ ନ ଆସିଥିଲେ ହୁଏତ ଅଧିକ ଭଲ ହୋଇଥାନ୍ତା ବୋଲି ଆଜି ଏହି ବିଦ୍ୟାଳୟ ଛାତ୍ର କାହିଁକି ବିଚାର କରୁଚି ?

 

ଶିକ୍ଷାର କାର୍ଯ୍ୟକ୍ରମରେ ସ୍ୱାବଲମ୍ବନର ବିଚାରକୁ ଜବରଦସ୍ତି ପୂରାଇ ଦେଇ ଆର୍ଥିକ ଦାରିଦ୍ର୍ୟର ଲାଘବ କରିବାଲାଗି କେବେ କୌଣସି ବିଜ୍ଞ ଶିକ୍ଷାବିତ୍ କୌଣସି ବିଚାର କରିନାହାନ୍ତି । କିନ୍ତୁ ଯେକୌଣସି କାରଣରୁ ହେଉ ପଛକେ, ବର୍ତ୍ତମାନ ଶିକ୍ଷାରେ ଶରୀରଶ୍ରମ ଓ ସ୍ୱାବଲମ୍ବନ କହିଲେ ଅଧିକାଂଶ ସ୍ଥଳରେ ଅନେକେ କେବଳ ଏତିକି ବୁଝୁଚନ୍ତି । ଛାତ୍ରମାନଙ୍କର ଶ୍ରମଶକ୍ତିର ଦକ୍ଷ ଓ ଚତୁରତର ବ୍ୟବହାର କରି ଆଜି ଗୋଟିଏ ବିଦ୍ୟାଳୟ ଆଉଗୋଟିଏ ବିଦ୍ୟାଳୟ ସହିତ ଆପଣାର ଆୟବୁଦ୍ଧି କରିବାରେ ପ୍ରତିଯୋଗିତା କରି ବାହାରୁଚି । କେଉଟ ଜାଲ ପକାଇ ମାଛ ଧରେ; କିନ୍ତୁ ଆପେ ଖାଇଲା ବେଳକୁ ଗେଣ୍ଡା ଓ କଙ୍କଡ଼ା ହିଁ ଖାଏ । ଠିକ୍ ସେହିପରି ଆଜି ବିଦ୍ୟାଳୟରେ ପିଲାଏ କେତେ ଶ୍ରଦ୍ଧା ସହକାରେ କାମ ସାରି ଯାହା ଫଳାଉଚନ୍ତି ବା ଅମଳ କରୁଚନ୍ତି, ତାହା ସେମାନଙ୍କର ଭାଗ୍ୟରେ ଜୁଟୁ ନାହିଁ । ସେଗୁଡ଼ିକ ହାଟରେ ବିକାହେବାକୁ ଯାଉଚି, ବିକାହୋଇ ପଇସା ଆସୁଚି ଓ ସ୍କୁଲର ଆୟବହିରେ ଲେଖାହୋଇ ରହୁଚି । ଛାତ୍ରମାନଙ୍କର ଶ୍ରମ ଓ ଶ୍ରଦ୍ଧାଲବ୍‍ଧ ଦ୍ରବ୍ୟକୁ ବିକି ଯେଉଁ ବିଦ୍ୟାଳୟ ଆଜି ଅର୍ଥଉପାର୍ଜନ କରି ବାହାରିଚି, ସେହି ବିଦ୍ୟାଳୟ ଏପର୍ଯ୍ୟନ୍ତ ସ୍ଵାବଲମ୍ବନର ଅସଲ ମର୍ମ ବୁଝିନାହିଁ ବୋଲି ଆମେ ଭାବୁଚୁ । କେତେକ ବିଦ୍ୟାଳୟରେ ପୁଣି ଜ୍ଞାନ-ବିତରଣ ଓ ଜ୍ଞାନ-ଆହରଣ ଅପେକ୍ଷା ଉତ୍ପାଦନବୃଦ୍ଧିକୁ ଏକ ପ୍ରଧାନତର ସ୍ଥାନ ଦିଆଯାଉଚି । ସମ୍ଭବତଃ ସେଇଥିଲାଗି ମୌଳିକ ସ୍କୁଲର ପିଲା ଅନେକ ସ୍ଥଳରେ ଏପରି ଭାବିବାକୁ ମଧ୍ୟ ଆରମ୍ଭ କରୁଚି ଯେ ଦରିଦ୍ର ବାପାମାଆଙ୍କ ଘରେ ଜନ୍ମ ହୋଇଥିବାରୁ ତାକୁ ଏପରି ଏକ ବିଦ୍ୟାଳୟକୁ ଆସିବାକୁ ପଡ଼ିଚି । ଆପଣାର ଆର୍ଥିକ ଆୟ ବଢ଼ାଇବା ଉଦ୍ଦେଶ୍ୟରେ ଯଦି କୌଣସି ସ୍କୁଲ ପିଲାମାନଙ୍କୁ କାମରେ ଲଗାଉଥାଏ, ତେବେ ସେହି ସ୍କୁଲ ଶ୍ରମର ଆଦର୍ଶ ଓ ଶିକ୍ଷାଗତ ମୂଲ୍ୟକୁ ଯଥାର୍ଥରେ ହୃଦୟଙ୍ଗମ କରିଚି ବୋଲି କିପରି କୁହାଯାଇ ପାରିବ ?

 

୩) ଶିକ୍ଷାରେ ସ୍ଵାବଲମ୍ବନ ଆଣିବାକୁ ହେଲେ ଆମକୁ ନିମ୍ନଲିଖିତ କେତୋଟି କଥା ଅବଶ୍ୟ ସ୍ମରଣ ରଖିବାକୁ ପଡ଼ିବ : (କ) ଆର୍ଥିକ ଉତ୍ପାଦନ ବୃଦ୍ଧି କରିବାର ଭ୍ରାନ୍ତି ଭିତରୁ ସ୍ୱାବଲମ୍ବନ ଆପଣାକୁ ମୁକ୍ତ ରଖିବାକୁ ଚେଷ୍ଟା କରିବ । (ଖ) ବିକଶମାନ ଛାତ୍ରକୁ ପ୍ରଧାନତଃ ଏକ ବିକଶମାନ ଛାତ୍ରରୂପେ ହିଁ ଗହଣ କରିବାକୁ ପଡ଼ିବ ଏବଂ ତାହାର ଜ୍ଞାନୋପାର୍ଜନ ଉପରେ ହିଁ ଯଥାବଶ୍ୟକ ଦୃଷ୍ଟି ରଖିବାକୁ ହେବ । (ଗ) ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଛାତ୍ର ଯେପରି ଆପଣାର କାର୍ଯ୍ୟକ୍ରମ ବୋଲି ଅନୁଭବ କରିବ ଏବଂ ଶ୍ରଦ୍ଧାର ସହିତ ସେ ସବୁଥିରେ ଭାଗ ନେବାକୁ ପ୍ରବୃତ୍ତି ହେବ, ସେଥିଲାଗି ବିଦ୍ୟାଳୟର ବାତାବରଣକୁ ଅନୁକୂଳ କରି ତିଆରି କରିବାକୁ ହେବ । ବିଦ୍ୟାଳୟରେ ରହିଥିବା ପର୍ଯ୍ୟନ୍ତ ଛାତ୍ର ଯେପରି ଆପଣାକୁ କୌଣସିପ୍ରକାରେ ବଞ୍ଚିତ ଓ ଅବହେଳିତ ବୋଲି ଅନୁଭବ କରିବ ନାହିଁ, ତାକୁ କେହି କେବଳ ଏକ ଯନ୍ତ୍ରପରି ଆପଣାର କାର୍ଯ୍ୟସାଧନ ଲାଗି ବ୍ୟବହାର କରୁଚି ବୋଲି ଯେପରି ତା’ର ମନରେ କୌଣସି ସଂଶୟ ନ ରହେ, ସେଥିପ୍ରତି ବିଦ୍ୟାଳୟକୁ ଅବଶ୍ୟ ଧ୍ୟାନ ଦେବାକୁ ହେବ । (ଘ) ଶିକ୍ଷକ ହେଉ ବା ଆଉ ଯେ କେହି ହେଉ ପଛକେ, ଛାତ୍ରକୁ କେବଳ ଏକ ଖେଳନା ବା ପଣ୍ୟରୂପେ ବ୍ୟବହାର କରିବାଲାଗି ବିଦ୍ୟାଳୟରେ ତାକୁ କୌଣସି ପ୍ରଶ୍ରୟ ଦିଆଯିବ ନାହିଁ । କାମ ହେଉ କି ପାଠ ହେଉ, ଉପରୁ କୌଣସି ଚାପ ବା ଜବରଦସ୍ତିର ଜୁଲମ ଦେଖାଇ ତାକୁ ଏଥିରେ ମନାଇ ନେବାର କୌଣସି ଚେଷ୍ଟା କରାଯିବ ନାହିଁ । (ଙ) ଉତ୍ପାଦନର ପରିମାଣ ଦେଖାଇ ଆମେ କଦାପି ସ୍ୱାବଲମ୍ବନର ମାନ ନିର୍ଦ୍ଧାରଣ କରିପାରିବା ନାହିଁ । ବରଂ ପ୍ରତ୍ୟେକ ଛାତ୍ରର ସ୍ଵାଧୀନ ଓ ସାବଲୀଳ ବିକାଶ ହିଁ ସ୍ୱାବଲମ୍ବନର ମାନଦଣ୍ଡ ହୋଇ ରହିବା ଉଚିତ । (ଚ) ସ୍ୱାବଲମ୍ବନର ବିଚାର ଓ କାର୍ଯ୍ୟାନ୍ଵୟ ଯେପରି ବିଦ୍ୟାଳୟର ଜୀବନରେ ସୁପ୍ରତିଷ୍ଠିତ ହୋଇପାରିବ ଓ ଏହାର ଭୁଲ ବ୍ୟାଖ୍ୟା କରିବାଲାଗି ଯେପରି ଯଥାସମ୍ଭବ କମ୍ ପରିସର ରହିବ, ସେଥିଲାଗି ଛାତ୍ର, ଶିକ୍ଷକ, ବିଦ୍ୟାଳୟର ପରିଚାଳନା ଓ ସାମାଜିକ ଜଳବାୟୁ ଭିତରେ ଏକ ସୁସ୍ଥ ସୁସାମଞ୍ଜସ୍ୟ ରହିବା ସର୍ବାଦୌ ଆବଶ୍ୟକ । କେହି ଯେପରି ମାଲିକ ହୋଇ ଆପଣାର ଇଚ୍ଛାକୁ ଅନ୍ୟମାନଙ୍କୁ ପରେ ଚଳାଇ ନ ନିଏ ଏବଂ କୌଣସି ଗୋଟିଏ ଦିଗକୁ ଯେପରି କମ୍ ମହତ୍ତ୍ଵପୂର୍ଣ୍ଣ ବୋଲି ବିଚାର କରି ଅବହେଳିତ ଭାବରେ ରଖା ନ ଯାଏ । (ଛ) ସ୍ୱାବଲମ୍ବନ ଶିକ୍ଷାର ହିଁ ଏକ ଅପରିହାର୍ଯ୍ୟ ଅଙ୍ଗ ହୋଇ ରହିବା ଉଚିତ । କେବଳ ଉତ୍ପାଦନ ବୁଦ୍ଧି ଓ ଆର୍ଥିକ ସ୍ଵାବଲମ୍ବନ ନୁହେଁ, ବିକାରମୁକ୍ତ ଓ ବିଚାର-ସ୍ଵାବଲମ୍ବନକୁ ମଧ୍ୟ ସ୍ୱାବଲମ୍ବନର ଅନ୍ୟାନ୍ୟ ଅଥଚ ସମାନ ପରିମାଣରେ ମହତ୍ତ୍ଵପୂର୍ଣ୍ଣ ଅଙ୍ଗ ବୋଲି ଗ୍ରହଣ କରିନେବାକୁ ପଡ଼ିବ ।

 

ତୃତୀୟ ଚକ୍ର :

 

ଶିକ୍ଷାରେ ସମନ୍ଵୟୀକରଣ (Correlation)

 

୧) ଇତିହାସକୁ ପ୍ରଧାନତଃ ମଣିଷପ୍ରଗତିର ଇତିହାସ ବୋଲି କୁହାଯାଇ ପାରିବ । ଏବଂ ଶିକ୍ଷା ହିଁ ମଣିଷ ହାତରେ ରହିଥିବା ଅନ୍ୟ ଯେକୌଣସି ସାଧନ ଅପେକ୍ଷା ତାକୁ ତା’ର ପ୍ରଗତିମାର୍ଗରେ ଅଧିକ ସାହାଯ୍ୟ କରିଆସିଚି । ତଥାପି ଶିକ୍ଷାଭିତରେ ଆଜିମଧ୍ୟ ଅନେକ ଅଭାବ ରହିଯାଇଚି । ଜୀବନର ସମଗ୍ର କ୍ଷେତ୍ରପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହାର ତିନୋଟି ଦିଗ–ଜ୍ଞାନ, କର୍ମ ଓ ସଂବେଗକୁ ପରସ୍ପରଠାରୁ ବିଚ୍ଛିନ୍ନ କରି ରଖାଯାଇଚି । ସେହି କାରଣରୁ ଆଜି ଶିକ୍ଷାରେ ସମନ୍ଵୟୀକରଣ ଆଣିବା ଲାଗି ଅନେକେ ଏପରି ଗମ୍ଭୀର ଭାବରେ ଚିନ୍ତା କରୁଚନ୍ତି ।

 

୨) ଆମେ ଆଜି ଯେକୌଣସି ସ୍କୁଲରେ ଦେଖିବାକୁ ପାଇବା ଯେ ପିରିଅଡ଼୍ ଅନୁସାରେ ସେଠି ବିଭିନ୍ନ ବିଷୟକୁ ପିଲାଙ୍କୁ ଗଢ଼ାଇ ଦିଆଯାଉଚି । ପିରିଅଡ଼୍‍ ଅନୁସାରେ ଶିକ୍ଷକ ଶ୍ରେଣୀକୁ ଆସୁଚନ୍ତି ଏବଂ ଆପଣା ଆପଣାର ବିଷୟ ପଢ଼ାଇ ଦେଇ ଯାଉଚନ୍ତି । ବିଭିନ୍ନ ବିଷୟମଧ୍ୟରେ ଆଦୌ କୌଣସି ସମ୍ବନ୍ଧ ରହିଛି କି ନାହିଁ, ଏହା ଅନୁଭବ କରିବାଲାଗି ପିଲା କୌଣସି ଅବକାଶ ହିଁ ପାଉନାହିଁ । ଏହିସବୁ ବିଷୟର ଜୀବନ ସହିତ ମଧ୍ୟ କେତେଦୂର ସମ୍ବନ୍ଧ ରହିଚି, ତାହା ହୃଦୟଙ୍ଗମ କରିବା ତା’ ଲାଗି ଦୂରୂହ ହୋଇ ରହିଚି । ଏହାଦ୍ୱାରା ଅନେକ କ୍ଷତି ହେଉଚି । କାରଣ ଏକ ଅବିଭାଜ୍ୟ ସମଗ୍ର ରୂପରେ ହିଁ ଆମେ ମନୁଷ୍ୟ ଜୀବନ ଓ ମନୁଷ୍ୟ-ସଂସ୍କୃତିର କଳ୍ପନା କରିପାରିବା । ମଣିଷର ଜୀବନରେ ଭିନ୍ନ ଭିନ୍ନ ଦିଗ ରହିଚି, ତା’ର ସଂସ୍କୃତିରେ ମଧ୍ୟ ଭିନ୍ନ ଭିନ୍ନ ଦିଗ ରହିଚି, କିନ୍ତୁ ସେଗୁଡ଼ିକ ପରସ୍ପରର ପରିପୂରକ ଭାବରେ ହିଁ ରହିଚି । ଜନ୍ ଡିଉଇ (John Dewey) ଓ ଗାନ୍ଧୀ ପ୍ରଭୃତି ଶିକ୍ଷାବିତ୍ ଏହି ମୂଳ ସତ୍ୟଟିକୁ ହୃଦୟଙ୍ଗମ କରି ଶିକ୍ଷାରେ ସମନ୍ଵୟୀକରଣ ଆଣିବା ଉପରେ ଗୁରୁତ୍ଵ ଦେଇଚନ୍ତି । ଶ୍ରେଣୀଭିତରେ କେବଳ ଆପଣାର ବହି ଓ ଖାତା ନେଇ ବସିବାକୁ ପିଲାକୁ କଦାପି ଭଲ ଲାଗିବ ନାହିଁ । ମନ ପରି ତା’ର ଶରୀର ମଧ୍ୟ ପୂର୍ଣ୍ଣତର ବିକାଶର କ୍ଷେତ୍ର ଖୋଜି ବୁଲୁଥିବ । ପିଲା ଅବଶ୍ୟ ଖେଳିବାକୁ ଚାହୁଥିବ ଓ ଶରୀରର ଅବ୍ୟବହୃତ ଅତିରିକ୍ତ ଶକ୍ତିକୁ କାମରେ ଲଗାଇବାକୁ ଇଚ୍ଛା କରୁଥିବ । ପିଲାର ଆବଶ୍ୟକତାଗୁଡ଼ିକ ବହୁମୁଖୀ, ତେଣୁ ତା’ର ବିକାଶ ମଧ୍ୟ ସେହିପରି ସମଗ୍ର ଓ ବହୁମୁଖୀ ହେବା ଉଚିତ,–ଶିକ୍ଷାରେ ସମନ୍ଵୟୀକରଣ ଆଣିବା ପଛରେ ଏହି ବିଚାର ନିହିତ ହୋଇ ରହିଚି ।

 

ବର୍ତ୍ତମାନ ଆମ ସମାଜରେ ଏକ୍‍ସ୍‍ପର୍ଟ ବା ବିଶେଷଜ୍ଞର ରାଜତ୍ଵ ଚାଲିଚି । ଜଣେ କେବଳ ଡାକ୍ତର ହେଲେ ଆଉ ଜଣେ କେବଳ ଦାର୍ଶନିକ ହେଉଚି, ତୃତୀୟ ଜଣକ କେବଳ ବୈଜ୍ଞାନିକ ବାହାରୁଚି । କିନ୍ତୁ ପ୍ରବୀଣ ଦାର୍ଶନିକ ହିସାବରେ ଯିଏ ନାମଖ୍ୟାତି ଅର୍ଜନ କରୁଚି, ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟରକ୍ଷାର ସାଧାରଣ ଓ ସାମାନ୍ୟ ଜ୍ଞାନ ବିଷୟରେ ସେ ହୁଏତ ସଂପୂର୍ଣ୍ଣ ଅଜ୍ଞ ରହିଚି । ଅଳପରୁ ଅଳପ ବିଷୟରେ ଅଧିକରୁ ଅଧିକ ଜାଣିବା, ସମ୍ଭବତଃ ଆଧୁନିକ ଶିକ୍ଷାରେ ଏହାହିଁ ମୁଖ୍ୟ ପ୍ରବୃତ୍ତି ହୋଇ ରହିଚି । କିନ୍ତୁ ଜୀବନ କହିଲେ ଏ କ୍ଷେତ୍ର ବା ସେ କ୍ଷେତ୍ରଟାକୁ ବୁଝାଏ ନାହିଁ, ଏହା ଏକ ଅବିଭକ୍ତ ଓ ସମନ୍ଵିତ ସମଗ୍ରତାକୁ ବୁଝାଏ । ଏହି ବୃହତ୍ତର ଦୃଷ୍ଟିକୋଣକୁ ଭିତ୍ତି କରି ଆମକୁ ଜୀବନନିର୍ମାଣର ଯାବତୀୟ ଯୋଜନାରେ ହାତ ଦେବାକୁ ପଡ଼ିବ । ଆଜିକାଲି ଆମ ସ୍କୁଲମାନଙ୍କରେ ଜ୍ଞାନକୁ ଖଣ୍ଡ ଖଣ୍ଡ ଓ ଚେନାଚେନା କରି ପିଲାର ପତରରେ ପରଷି ଦିଆଯାଉଚି । ତେଣୁ ଜୀବନପ୍ରତି ଏକ ସମନ୍ଵିତ ଦୃଷ୍ଟିକୋଣର ବିକାଶ କରିବାରେ ଆମର ପିଲାଏ ଅସମର୍ଥ ହୋଇ ପଡ଼ୁଚନ୍ତି । ବିଦ୍ୟାଳୟମାନଙ୍କରେ ଆମର ଶିକ୍ଷା ଏପରି ହେବା ଉଚିତ ଯେପରିକି ଆମ ପିଲାଏ ଉପଲବ୍‍ଧ ସକଳ ଜ୍ଞାନକୁ ନିଜ ଭିତରେ ହଜମ କରିନେଇ ପାରିବେ ଓ ସମଗ୍ର ଜୀବନ ସହିତ ରହିଥିବା ସେହିସବୁ ଜ୍ଞାନର ସୂତ୍ରକୁ ଠଉରାଇ ନେଇ ପାରିବେ । ସ୍କୁଲରେ ପଢ଼ାଯାଉଥିବା ସକଳ ବିଷୟକୁ ଜୀବନ ସହିତ ଏକ ସୂତ୍ରରେ ସମ୍ବନ୍ଧିତ କରି ରଖିବାକୁ ହେବ । ସମନ୍ଵୟୀକରଣ କହିଲେ ଆମେ ପ୍ରକୃତରେ ଏହାହିଁ ବୁଝୁଚୁ ।

 

୩) କୌଣସି ଏକ ଧନ୍ଦାର ମାଧ୍ୟମ ଶିକ୍ଷକ ପିଲାମାନଙ୍କୁ ସବୁ ବିଷୟ ପଢ଼ାଇବାକୁ ସମର୍ଥ ହେବେ, ମୌଳିକ ଶିକ୍ଷାରେ ଏପରି ଏକ ବିଧି ରହିଚି । ଧନ୍ଦା ଅର୍ଥାତ୍ ସୃଜନମୂଳକ କୌଣସି କାର୍ଯ୍ୟ । କାର୍ଯ୍ୟର ମାଧ୍ୟମରେ ଶିକ୍ଷା ଦେବାକୁ ସମନ୍ଵୟୀକରଣ ଲାଗି ଏକ ଅନୁକୂଳ ପଦ୍ଧତି ବୋଲି ଗ୍ରହଣ କରାଯାଇଚି । କିନ୍ତୁ ଏହି ପଦ୍ଧତିକୁ କାର୍ଯ୍ୟରେ ଲଗାଇବାକୁ ଯାଇ ଆମେ ଶିକ୍ଷାକୁ ସମ୍ଭବତଃ ବଡ଼ କୃତ୍ରିମ ଓ ଯନ୍ତ୍ରବତ୍ କରି ପକାଉଚୁ । ତେଣୁ ଆମର ସକଳ ପ୍ରୟାସ ସତ୍ତ୍ୱେ ଶିକ୍ଷା ତଥାପି ସରସ ଓ ଆଗ୍ରହୋଦ୍ଦୀପକ ହୋଇପାରୁ ନାହିଁ ଏବଂ ଫଳତଃ ସମନ୍ଵୟୀକରଣ ପଦ୍ଧତିଦ୍ଵାରା ପିଲା କୌଣସି ପ୍ରକାରେ ଉପକୃତ ବା ଲାଭବାନ ହୋଇ ପାରୁ ନାହିଁ । କେବଳ ମସ୍ତିଷ୍କର ବୁଦ୍ଧିକୁ ଖଟାଇ ଆମେ ଯେତେବେଳେ ବଡ଼ କୃତ୍ରିମ ଭାବରେ ଗୋଟିଏ ପ୍ରସଙ୍ଗକୁ ଆଉ ଗୋଟିଏ ପ୍ରସଙ୍ଗ ସହିତ ଯୋଡ଼ିବାକୁ ଚେଷ୍ଟା କରୁଚୁ, ସେତେବେଳେ ଆମେ ଆମର ଅଜାଣତରେ ମଧ୍ୟ ବଡ଼ ଯାନ୍ତ୍ରିକ ପାଲଟି ଯାଉଚୁ । କିନ୍ତୁ ଯେତେବେଳେ ଆମେ ସବୁ କାର୍ଯ୍ୟ ଓ ସବୁ ଜ୍ଞାନକୁ ଜୀବନ ସହିତ ସଂଯୁକ୍ତ କରିବାରେ ସମର୍ଥ ହେଉଚୁ, ସେତେବେଳେ ଆମେ ସମନ୍ଵୟୀକରଣର ଉଚିତ ମାର୍ଗରେ ଯାଉଚୁ ବୋଲି କୁହାଯାଇ ପାରିବ ।

 

ଆମର ମନେହୁଏ ଏକ୍‍ସ୍‍ପର୍ଟମାନେ ମନୁଷ୍ୟ ସମାଜର ଉପକାର ଅପେକ୍ଷା ଅଧିକ ଅପକାର କରୁଚନ୍ତି । ସମାଜଶାସ୍ତ୍ରରେ ସକଳ ସମସ୍ୟାର ସମାଧାନ କରିବାର ଆଣ୍ଟ ଧରି ଯିଏ ମହାଡ଼ମ୍ବରରେ ଆପଣାର ମସ୍ତିଷ୍କକୁ ପ୍ରୟୋଗ କରିବାରେ ଲାଗିଚି, ସେ ହୁଏତ ଏପର୍ଯ୍ୟନ୍ତ ମଧ୍ୟ ଆପଣା ଆଡ଼କୁ ଏବଂ ତା’ର କାନ୍ଥ ସେପାଖରେ ବାସ କରୁଥିବା ପ୍ରତିବେଶୀମାନଙ୍କ ଆଡ଼କୁ ଅନାଇବାର କଳା ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ ରହିଚି । ଯିଏ ଆପଣା ମେଧା ଓ ବୁଦ୍ଧିର ପକ୍ଷୀରାଜ ଉପରେ ବସି ଉଚ୍ଚ ଗଗନକୁ ଉଡ଼ି ପଳାଇ ପାରୁଚି, ହୁଏତ କୌଣସି ପ୍ରକାର ଦେହ ହଲିବା କାମରେ ଆପଣାକୁ କିଞ୍ଚିତ ଲଗାଇବା ବେଳକୁ ସେ ଆଳସ୍ୟରେ ଗୋଟାସୁଦ୍ଧା ଲୋସଡ଼ି ପଡ଼ୁଚି । ହୁଏତ ତାର ହୃଦୟ ମଧ୍ୟ ଏପର୍ଯ୍ୟନ୍ତ କେଉଁ ଅଯୋଗ୍ୟତା ଓ ଅକର୍ମଣ୍ୟତାର ଗାଡ଼ ଭିତରେ ନିଘୋଡ଼ ନିଦରେ ଶୋଇ ରହିଚି । ଏହିପରି ସ୍ଥିତି ଆମ ସମାଜକୁ ଆଜି ମୁଣ୍ଡଦଳ ଓ ହାତଦଳ,–ଏହିପରି ଦୁଇଟା ଡିହରେ ଅଲଗା କରି ରଖିଚି । ମୁଣ୍ଡ ବା ମସ୍ତିଷ୍କ ଦଳର ଅନୁମାନଗୁଡ଼ିକୁ ମାନି ହାତଦଳ ବେଶ୍ ଅନ୍ଧଭାବରେ ବୋଲ ମାନି ଚାଲିଚନ୍ତି । ଆପଣାର ବୁଦ୍ଧି ଓ ବିଚାରପ୍ରସୂତ ସତ୍ୟଗୁଡ଼ିକୁ କାର୍ଯ୍ୟରେ ପରିଣତ କରିବାଲାଗି ମୁଣ୍ଡଦଳର କୌଣସି ଶକ୍ତି ହିଁ ନାହିଁ । ବୌଦ୍ଧିକ ଚାଷ ଓ କର୍ମକୁଶଳତା ମଧ୍ୟରେ ଏହିପରି ଏକ ବିଭାଜନ ଠିଆହୋଇ ରହିବା ଫଳରେ ସମାଜକୁ ଅନେକ କୁପରିଣାମ ଅଙ୍ଗେ ନିଭାଇବାକୁ ପଡ଼ୁଚି ।

 

ଗଣତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିର ବିଚାରକୁ ଯଥେଷ୍ଟ ମୂଲ୍ୟ ଓ ସ୍ଵୀକାର ଦିଆଯିବା ଉଚିତ-। କିନ୍ତୁ ଯଦି ହାତଗୁଡ଼ାକ କେବଳ କାମ ଖଟିବାରେ ଲାଗିଥିବେ ଓ କୁଶଳତାପୂର୍ବକ ଆପଣା ମସ୍ତିଷ୍କର ପ୍ରୟୋଗ କରି ପାରୁ ନଥିବେ, ତେବେ ଫଳରେ ଗଣତନ୍ତ୍ର କ୍ରମେ ନିଷ୍ପ୍ରଭ ହୋଇଯିବ, ଗଣତନ୍ତ୍ରର ଶାସନ ବଡ଼ ଶକ୍ତିହୀନ ହୋଇପଡ଼ିବ । ତେଣୁ ଶିକ୍ଷାରେ ଆମକୁ ହୃଦୟ, ମସ୍ତିଷ୍କ ଓ ହାତକୁ ଏକ ଅବିଭାଜ୍ୟ ସମଗ୍ରତା ହିସାବରେ ଗ୍ରହଣ କରିବାକୁ ପଡ଼ିବ । ସଂବେଗଗତ ବା ଭାବଗତ ପରିପକ୍ଵତା ଦୃଷ୍ଟିରୁ ଆଧୁନିକ ମଣିଷ ଅନେକ ପରିମାଣରେ ସେହି ଆଦିମ ସ୍ତରରେ ପଡ଼ିରହିଚି । ମଣିଷକୁ ଅଧିକ ମଣିଷତୁଲ୍ୟ କରିବାକୁ ହେଲେ ହାତ, ମସ୍ତିଷ୍କ ଓ ହୃଦୟର ତିନୋଟିଯାକ ଦିଗରେ ପରିପକ୍ଵତା ସମ୍ଭବ କରିବା ଉପରେ ହିଁ ଆମକୁ ଏକାବେଳେକେ ଦୃଷ୍ଟି ଦେବାକୁ ପଡ଼ିବ । କେବଳ ଧନ୍ଦା ନୁହେଁ, କେବଳ ବିଭିନ୍ନ ବିଷୟରେ ବହିପାଠ ପଢ଼ିବା ନୁହେଁ, ଜୀବନ କହିଲେ ଏହାର ସକଳ ବ୍ୟଞ୍ଜନା ସହିତ ଆମେ ସାଧାରଣତଃ ଯାହା ବୁଝିଥାଉ, ତାହାରି ଉପରେ ଆମର ଯାବତୀୟ ଯତ୍ନ ଓ ଆଗ୍ରହକୁ ନିବଦ୍ଧ କରି ସ୍କୁଲମାନଙ୍କରେ ସମନ୍ଵୟୀକରଣର ବ୍ୟବସ୍ଥା ହେବା ଉଚିତ ।

 

ଚତୁର୍ଥ ଚକ୍ର :

 

ଶିକ୍ଷାରେ ପରୀକ୍ଷା ଓ ମୂଲ୍ୟାଙ୍କନ

 

ପ୍ରଚଳିତ ଶିକ୍ଷାରେ ରହିଥିବା ଅଭାବଗୁଡ଼ିକର ନିରାକରଣ ଉଦ୍ଦେଶ୍ୟରେ ଗାନ୍ଧିଜୀ ଦେଶ ଆଗରେ ମୌଳିକ ଶିକ୍ଷାର କାର୍ଯ୍ୟକ୍ରମ ଉପସ୍ଥାପିତ କରିଚନ୍ତି । କିନ୍ତୁ କୌଣସି କାରଣରୁ ଏହି ନୂତନ ଶିକ୍ଷାପ୍ରଣାଳୀ ଆପଣାକୁ ବାସ୍ତବ କ୍ଷେତ୍ରରେ ପୁରାତନ ଶିକ୍ଷାପ୍ରଣାଳୀର କେତୋଟି ଅଭାବରୁ ତଥାପି ମୁକ୍ତ କରି ପାରିନାହିଁ । ପରୀକ୍ଷା ବିଷୟରେ ଆଲୋଚନା କଲାବେଳେ ଏହି କଥାଟି ବିଶେଷ ଭାବରେ ଅନୁଭୂତ ହୋଇଥାଏ । ପୁରୁଣା ଶିକ୍ଷା-ପ୍ରଣାଳୀରେ ଚଳୁଥିବା ପରୀକ୍ଷା-ପଦ୍ଧତି ସମସ୍ତଙ୍କୁ ନିରାଶ କରି ପକାଉଥିଲା, ଏହି ନୂତନ ଶିକ୍ଷା-ପ୍ରଣାଳୀର ପରୀକ୍ଷା-ପଦ୍ଧତି ଆମକୁ କିଛି କମ୍ ନିରାଶ କରୁଚି ବୋଲି ମନେ ହେଉନାହିଁ ।

 

ବର୍ତ୍ତମାନ ପ୍ରଚଳିତ ପରୀକ୍ଷା-ପଦ୍ଧତି ଛାତ୍ରଲାଗି କେବଳ ନାନା ବିଫଳତା ଓ ନିରାଶାର କାରଣ ହୋଇ ରହିଚି । ଏହି ଶିକ୍ଷା ଯେ ସେମାନଙ୍କୁ କେଉଁ ଦୂରବସ୍ଥାକୁ ନେଇଯିବ, ନିରାଶାବିମୂଢ଼ ଛାତ୍ର ଆଜି ତାହାର କଳନା ମଧ୍ୟ କରି ପାରୁନାହିଁ । ଜୀବନକୁ ପ୍ରଧାନତଃ ଏକ ବିକାଶମୂଳ ଦୃଷ୍ଟିରୁ ଦେଖିଲେ କୌଣସି ମଣିଷକୁ ଆମେ ଜୀବନ ବଞ୍ଚିବା ଲାଗି ସଂପୂର୍ଣ୍ଣ ଅଯୋଗ୍ୟ ବୋଲି କଦାପି କହି ପାରିବା ନାହିଁ । କାରଣ ଯୋଗ୍ୟତା ବା ଅଯୋଗ୍ୟତାର ଚରମ ଛାପା ପିଠିରେ ମାରି କେହି ଏ ସଂସାରକୁ ଆସେ ନାହିଁ । ସାମାଜିକ ଆଦର୍ଶ, ସାମାଜିକ ପରିସ୍ଥିତି ଓ ସମାଜନୀତି ହିଁ କୌଣସି ଏକ ବ୍ୟକ୍ତିକୁ ଯୋଗ୍ୟ ବା ଅଯୋଗ୍ୟ ବୋଲି ସାବ୍ୟସ୍ତ କରିଥାଏ । ପ୍ରତ୍ୟେକ ମଣିଷ ଏକ ସମାଜ ଭିତରେ ରହି ହିଁ ଆପଣାର ଅଗଣିତ ଆବଶ୍ୟକତା ଓ ଆଗ୍ରହଗୁଡ଼ିକର ବିକାଶ କରିଥାଏ । ପ୍ରତ୍ୟେକ ମଣିଷ ତା’ର ଅନ୍ତର୍ନିହିତ ସକଳ ଆଗ୍ରହର ବିକାଶ କରିବାକୁ ଅବଶ୍ୟ ବାଧ୍ୟ, ଆମେ କଦାପି ଏପରି ଦାବୀ କରିପାରିବା ନାହିଁ । ପ୍ରତ୍ୟେକ ବ୍ୟକ୍ତି ଅନ୍ତର୍ନିହିତ ନାନା ଆଗ୍ରହ ଭିତରୁ କେଉଁଟିକୁ ପ୍ରାଧାନ୍ୟ ଓ ଗୁରୁତ୍ଵ ଦେବ ଓ ତାହାର ବିକାଶ କରିବ, ସେକଥା ମଧ୍ୟ କେହି ଆଗରୁ କହିଦେଇ ପାରିବ ନାହିଁ ।

 

ବୁଦ୍ଧି ଉପରେ ଅତ୍ୟଧିକ ଜୋର ଦେଇ ଓ ମସ୍ତିଷ୍କର ଅତ୍ୟଧିକ କସରତ୍ କରିବାକୁ ବାଧ୍ୟ କରାଇ ଆମର ବର୍ତ୍ତମାନ ଶିକ୍ଷା ବୁଦ୍ଧିର ପରିପୂର୍ଣ୍ଣ ବିକାଶଲାଗି ମଧ୍ୟ ଯଥେଷ୍ଟ କ୍ଷେତ୍ର ଯୋଗାଇ ପାରେନାହିଁ; ବରଂ ଏହି ବୁଦ୍ଧିର ବିକୃତି ହିଁ ଘଟାଇଥାଏ । କେବଳ କେତେଟା ବିଷୟକୁ ଆକ୍ଷରିକ ଭାବରେ ମୁଖସ୍ଥ କରି ରଖିଲେ ତାହାକୁ ଜ୍ଞାନଲାଭ କୁହାଯାଏ ନାହିଁ । ଭାରତବର୍ଷ ଲାଗି ଏକ ଶିକ୍ଷାପଦ୍ଧତିର ପ୍ରଣୟନ କଲାବେଳେ ବ୍ରିଟିଶ ସରକାର ପ୍ରଧାନତଃ ଭାରତବର୍ଷର କଲ୍ୟାଣ ଦୃଷ୍ଟିରୁ କଦାପି ଚିନ୍ତା କରି ନଥିଲେ । ସ୍ଵାଧୀନ ଭାରତବର୍ଷର ସରକାର ଏବେ ଏକ ନୂଆ ଶିକ୍ଷାପଦ୍ଧତି ଗ୍ରହଣ କରୁଚନ୍ତି । କିନ୍ତୁ ତଥାପି ଆମର ପରୀକ୍ଷାପ୍ରଣାଳୀ ସେହି ପୁରୁଣା ଗୁଳା ଅନୁସାରେ ଆଜିମଧ୍ୟ ଚାଲିଛି ଏବଂ ଛାତ୍ରର ଅକଲ୍ୟାଣ କରିବାରେ ହିଁ ଲାଗିଚି । କେତୋଟି ନିର୍ଦ୍ଧିଷ୍ଟ ବିଷୟରେ କେତେଘଣ୍ଟା ଲାଗି ଛାତ୍ରକୁ ପରୀକ୍ଷାରେ ବସାଇ ଆମେ ଛାତ୍ରର ଜ୍ଞାନ-ନିର୍ଦ୍ଧାରଣ କରି ପାରିବା ନାହିଁ-। ସ୍କୁଲରେ ଆମେ ଛାତ୍ରକୁ ଜ୍ଞାନ-ଉପାର୍ଜନ ଲାଗି ସାଧାରଣତଃ କେବଳ ଏକ ଅତି ସଂକୀର୍ଣ୍ଣ ପରିସର ଯୋଗାଇଥାଉ, ଆମର ପରୀକ୍ଷାଗୁଡ଼ାକ ମଧ୍ୟ ଆମର ଶିକ୍ଷା ପରିସର ପରି ଅତି ସଂକୀର୍ଣ୍ଣ ହୋଇ ରହେ । ମନୁଷ୍ୟ-ବ୍ୟକ୍ତିତ୍ଵର ଯଥାର୍ଥ ବିକାଶ ତାହାର ମସ୍ତିଷ୍କ, ଶରୀର ଓ ହୃଦୟର ସମତୁଲ ବିକାଶ ଉପରେ ହିଁ ନିର୍ଭର କରେ । କିନ୍ତୁ ବର୍ତ୍ତମାନ ଶିକ୍ଷାରେ ଆମେ କେବଳ ମସ୍ତିଷ୍କଟା ଉପରେ ହିଁ ଅତିରିକ୍ତ ଜୋର ଦେବାରେ ଲାଗିଛୁ । ମୌଳିକ ଶିକ୍ଷାକ୍ଷେତ୍ରରେ ମଧ୍ୟ ଆଜି ଅଧିକାଂଶତଃ ଏହାହିଁ ହେଉଚି । ଏଣେ ଯୋଗ୍ୟ ଶିକ୍ଷକର ଅଭାବ ରହିଚି ଓ ତାହା ସହିତ ଶିକ୍ଷା ବିଷୟରେ ଆମର ନୀତି ଏପର୍ଯ୍ୟନ୍ତ ମଧ୍ୟ ପରିଷ୍କାର ହୋଇନାହିଁ–ହୁଏତ ଏହି ଦୁଇ କାରଣରୁ ମୌଳିକ ଶିକ୍ଷା ଏପରି ଅଧମ ସ୍ତରରେ ପଡ଼ିଛି । ମସ୍ତିଷ୍କର ପରୀକ୍ଷା କରି କୌଣସି ପିଲାକୁ ପାସ୍ ବା ଫେଲ୍‍ରୁ ଗୋଟାଏ ଧରାଇଦେବା ମୌଳିକ ଶିକ୍ଷା ନୁହେଁ । ବର୍ଷଟାଯାକ ପିଲା ଯେଉଁସବୁ କାମ କରିଚି, ତାହାର ଅବଧାରଣ ଆବଶ୍ୟକ । ଏଥିଲାଗି ଶିକ୍ଷକ ଓ ଛାତ୍ରଭିତରେ ପ୍ରଥମେ ଏକ ସହାନୁଭୂତି ଓ ସହଚାରିତାର ସମ୍ପର୍କ ରହିବା ଉଚିତ । ଆପଣାର ମନ ଭିତରୁ ଯାବତୀୟ ପ୍ରକାରର କାଳ୍ପନିକ ଆଦର୍ଶର ଭୂତ ଓ ତଜ୍ଜନିତ ବିମୂଢ଼ତାଗୁଡ଼ିକରୁ ମୁକ୍ତ ହୋଇପାରିଲେ ଯାଇ ଶିକ୍ଷକ ସୁନିପୁଣ ଭାବରେ ଛାତ୍ରର ପ୍ରଗତିର ମୂଲ୍ୟ ନିର୍ଦ୍ଧାରଣ କରିବା ଲାଗି ଅଧିକ ସମର୍ଥ ହୋଇପାରିବ ।

 

୨ । ଛାତ୍ରକୁ ତା’ର ବିକାଶପଥରେ କେଉଁଠି ଅଟକାଇଦେବାକୁ ନୁହେଁ, ମାତ୍ର ତା’ର ଅଭାବଗୁଡ଼ିକର ପରିପୂରଣ କରିବାରେ ତାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ହିଁ ଆମର ପରୀକ୍ଷା-ନୀତି ନିର୍ଦ୍ଧାରିତ ହେବା ଉଚିତ । ବର୍ଷରେ ଥରେ ଦୁଇଥର ଲିଖିତ ପରୀକ୍ଷା ଅବଶ୍ୟ କରାଯାଇପାରେ । ପରୀକ୍ଷାର ପ୍ରଶ୍ନଗୁଡ଼ିକ ଯେପରି ଛାତ୍ରର ଜିଜ୍ଞାସା ଓ ମୌଳିକ ବିଚାରଶକ୍ତି ବଢ଼ାଇବାରେ ସହାୟତା କରେ ସେଥିପ୍ରତି ନଜର ରଖିବା ଉଚିତ । ମୁଖସ୍ଥ କରି ରଖିଥିବା ପୋଥିପାଠକୁ ପରୀକ୍ଷାଖାତା ଉପରେ ଉଦ୍‍ଗାରି ଦେବା ଉପରେ ଲେଶମାତ୍ର ପ୍ରୋତ୍ସାହନ ଦିଆଯିବା ଉଚିତ ନୁହେଁ । ଲିଖିତ ପରୀକ୍ଷା ବ୍ୟତୀତ, ଛାତ୍ରର ବର୍ଷଯାକର କାର୍ଯ୍ୟକଳାପ-ବିବରଣୀ ଉପରେ ହିଁ ତା’ର ଉତ୍ତୀର୍ଣ୍ଣ ବା ଅନୁତ୍ତୀର୍ଣ୍ଣ ହେବା ନିର୍ଭର କରିବା ଉଚିତ ।

 

୩ । ଆଜିକାଲି ସ୍କୁଲ କଲେଜରେ ସାର୍ଟିଫିକେଟକୁ ହିଁ ସମାଜରେ ଯେକୌଣସି କ୍ଷେତ୍ରରେ ସଫଳ ହେବାର ଏକ ପାସପୋର୍ଟ ପରି ମାନି ନିଆଯାଉଚି । କିନ୍ତୁ କେବଳ ଗୋଟାଏ ସାର୍ଟିଫିକେଟରୁ କ’ଣ ମଣିଷର ସକଳ ଯୋଗ୍ୟତା ଜଣାପଡ଼େ ? ସମାଜରେ ଏପରି ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ପାଖରେ କି କୌଣସି ପ୍ରକାର ସାର୍ଟିଫିକେଟ ନାହିଁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହି ଯେ ବର୍ତ୍ତମାନର ଶାସନ ଆମ ଦେଶରେ ଏହି ସାର୍ଟିଫିକେଟକୁହିଁ ଯୋଗ୍ୟତାର ଏକମାତ୍ର ନିଦର୍ଶନ ରୂପେ ସ୍ଵୀକାର କରୁଚି । ଏହାଦ୍ୱାରା ସାର୍ଟିଫିକେଟ ନଥିବା ଅନେକ ଯୋଗ୍ୟ ବ୍ୟକ୍ତିଙ୍କ ପ୍ରତି ଏହା ଅନ୍ୟାୟ ବିଚାର କରୁଚି । ପୁଣି ଏହା ଫଳରେ ଏକ ସାର୍ଟିଫିକେଟ ହାସଲ କରିବା ହିଁ ଶିକ୍ଷାର ଏକମାତ୍ର ଉଦ୍ଦେଶ୍ୟ ହୋଇଯାଉଚି । ଏହାଦ୍ୱାରା ଜ୍ଞାନ ଓ ଜ୍ଞାନ-ପିପାସାର କ୍ଷେତ୍ର ମଧ୍ୟ ଅତ୍ୟନ୍ତ ସୀମାବଦ୍ଧ ହୋଇ ରହୁଚି ଏବଂ କେବଳ ଏକ ଚାକିରି ଯୋଗାଇଦେବା ବ୍ୟତୀତ ଜ୍ଞାନଲାଭର ଯେ ଅନ୍ୟ କୌଣସି ଉଦ୍ଦେଶ୍ୟ ରହିଚି, ସେକଥା ମଧ୍ୟ ଆମେ କ୍ରମେ ପାଶୋରି ଦେବାକୁ ଆରମ୍ଭ କରୁଚୁ । କୌଣସି ବ୍ୟକ୍ତି ସମାଜଲାଗି କେତେଦୂର ଯୋଗ୍ୟ ବା ଅଯୋଗ୍ୟ, ଏକଥାର ବିଚାର କଲାବେଳେ ଆମର ଏହି ଅନ୍ୟାୟ-ପ୍ରାମାଦରେ ପଡ଼ିଯିବାଟା ଆଦୌ ଉଚିତ ହେଉନାହିଁ ।

 

କେବଳ ପୋଥିପାଠରେ ପାରଙ୍ଗମତା ହାସଲ କରିଥିବା ବ୍ୟକ୍ତିଙ୍କୁ ଏକମାତ୍ର ଯୋଗ୍ୟ ବୋଲି କୁହାଯାଇପାରିବ ନାହିଁ । ମୋର ଡିଗ୍ରୀରୁ ହିଁ କୌଣସି କାର୍ଯ୍ୟ ପ୍ରତି ମୋର ଯୋଗ୍ୟତା ବା ଅଯୋଗ୍ୟତାର ପରୀକ୍ଷା ହେବା ଉଚିତ ନୁହେଁ । ପ୍ରତ୍ୟେକ ମଣିଷ ଭିତରେ ପ୍ରଗତି କରିବାର ଓ ବିକଶିତ ହେବାର ଏକ ସ୍ଵକୀୟ ଓ ସ୍ଵାଭାବିକ ବେଗ ଓ ମାର୍ଗ ରହିଚି । ଏହି ଜୀବନଗତ ସତ୍ୟଟିକୁ ଯଥେଷ୍ଟ ଗୁରୁତ୍ଵ ଦେଇ ସ୍ଵୀକାର ନ କଲା ପର୍ଯ୍ୟନ୍ତ ଆମ ସାମାଜରେ ମଣିଷ ମଣିଷ ଭିତରେ ଏକ ପ୍ରକାର ଅସୁସ୍ଥ ପ୍ରତିଦ୍ଵନ୍ଦ୍ଵିତା ହିଁ ଲାଗି ରହିଥିବ । କୌଣସି ବାହ୍ୟ ମାନଦଣ୍ଡ ଦ୍ଵାରା ଆମେ ମଣିଷର ଯୋଗ୍ୟତା ଓ ପ୍ରତିଭାର ଚରମ ମୀମାଂସା କରିପାରିବା ନାହିଁ । ପ୍ରତ୍ୟେକ ମନୁଷ୍ୟ ବ୍ୟକ୍ତି ହିଁ ତା’ର ଆପଣା ଲାଗି ସର୍ବଶ୍ରେଷ୍ଠ ମାନଦଣ୍ଡ ହୋଇ ରହିବ ।

 

ପଞ୍ଚମ ଚକ୍ର :

 

ଶିକ୍ଷା ଓ ରାଷ୍ଟ୍ରୀୟ ନିୟନ୍ତ୍ରଣ

 

ସାମାଜ ଲାଗି ଶିକ୍ଷା ଅପରିହାର୍ଯ୍ୟ । ଯେଉଁ ସମାଜରେ ପ୍ରତ୍ୟେକ ମଣିଷର ଶିକ୍ଷା ପାଇବା ଲାଗି ଅଧିକାର ରହିଚି, ସେହି ସମାଜ ହିଁ ସବୁଠାରୁ ଅଧିକ ପ୍ରଗତିଶୀଳ । ତେଣୁ ପ୍ରତ୍ୟେକ ଦେଶରେ ସବୁ ମଣିଷଙ୍କର ଶିକ୍ଷା ଲାଗି ଏକ ସୁଚିନ୍ତିତ ଯୋଜନା ରହିବା ଆବଶ୍ୟକ । ସାର୍ବଜନୀନ ଶିକ୍ଷା ବ୍ୟବସ୍ଥାକୁ ଅବଶ୍ୟ ଦେଶର ଆର୍ଥିକ ସ୍ଥିତି ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼େ । ଦେଶ ଯେତିକି ସଭ୍ୟ ଓ ପ୍ରଗତିଧର୍ମୀ ହେବ, ସେହି ଦେଶର ଶିକ୍ଷା ମଧ୍ୟ ସେତିକି ଅଧିକ ସାର୍ବଜନୀନ ହେବା ଉଚିତ ।

 

ସାଧାରଣତଃ କୌଣସି ଦେଶରେ ସ୍ଵଦେଶୀ ବା ବିଦେଶୀ ଏହି ଦୁଇପ୍ରକାର ସତ୍ତାର ଶାସନ ଚାଲୁଥାଏ । ଯେଉଁ ଦେଶରେ ଲୋକେ ଆପଣା ସରକାରକୁ ଏକ ନିର୍ବାଚନ ଦ୍ଵାରା ବାଛନ୍ତି, ସେହି ଦେଶରେ ସ୍ଵଦେଶୀ ସରକାର ଚାଲେ । ପରାଧୀନ ଓ ପରତନ୍ତ୍ର ଦେଶରେ ବିଦେଶୀ ସତ୍ତାର ଶାସନ ଚାଲିଥାଏ । ଆମ ଘରେ ଆମେ ଯେଉଁସବୁ ପଶୁଙ୍କୁ ପାଳି ରଖିଥାଉ, ସେଗୁଡ଼ିକୁ ଆମେ ଆପଣା କାମରେ ହିଁ ଲଗାଇଥାଉ । ଗୋବରଠାରୁ ଆରମ୍ଭ କରି ମଢ଼ ପର୍ଯ୍ୟନ୍ତ ଆମର ନାନା କାର୍ଯ୍ୟରେ ଆବଶ୍ୟକ ହୋଇଥାଏ । ଆମର କାମରେ ଲଗାଇବା ଲାଗି ଆମେ ସେମାନଙ୍କୁ ମଣ କରି ରଖିଥାଉ । ସେହିପରି ପ୍ରଧାନତଃ ଆପଣାର ଲାଭ ଦୃଷ୍ଟିରୁ ହିଁ କୌଣସି ବିଦେଶୀ ସତ୍ତା ଆଉ ଏକ ଦେଶ ଉପରେ ଶାସନ ଜାରି ରଖିଥାଏ । ତେଣୁ ପରତନ୍ତ୍ର ଦେଶର ଚାହିଦା ଓ ଇଚ୍ଛାନୁଯାୟୀ ଏକ ଉଚିତ ଶିକ୍ଷା ପଦ୍ଧତି ତାହା କଦାପି ଯୋଗାଇ ଦିଏ ନାହିଁ । ପରତନ୍ତ୍ର ଦେଶରେ ସାର୍ବଜନୀନ ଶିକ୍ଷାର ପ୍ରଚଳନ କଦାପି ସମ୍ଭବ ହୁଏ ନାହିଁ । ବିଦେଶୀ ଶାସନ ଅମଳରେ ଭାରତବର୍ଷର ଶିକ୍ଷା ଅନେକ ପ୍ରକାରେ ପ୍ରପୀଡ଼ିତ ହୋଇ ରହିଥିଲା । ଶିକ୍ଷାରେ ଯେ ଆମେ ଏତେଦୂର ପଛରେ ପଡ଼ିରହିଚୁ । ଏଥିଲାଗି ଆମେ ପ୍ରଧାନତଃ ବ୍ରିଟିଶ ଶାସନକୁ ହିଁ ଦାୟୀ କରିଥାଉ ।

 

କିନ୍ତୁ ମୁଖ୍ୟତଃ ଦେଶର କଲ୍ୟାଣସାଧନ ଲାଗି ହିଁ ଦେଶରେ ସ୍ଵଦେଶୀ ଶାସନ ଚାଲେ । ଶିକ୍ଷା ହେଉଚି ଯାବତୀୟ ପ୍ରଗତିର ସର୍ବମୂଳ ଉଦ୍‍ପ୍ରେରକ ଶକ୍ତି । ତେଣୁ ଦେଶରେ ସୁଶିକ୍ଷା ଓ ସାର୍ବଜନୀନ ଶିକ୍ଷାର ପ୍ରଚଳନ କରାଇବା ଲାଗି ଏକ ସ୍ଵଦେଶୀ ସରକାର ଅତି ସ୍ଵାଭାବିକ ଭାବରେ ଆଗ୍ରହ ଓ ଇଚ୍ଛା ପ୍ରକାଶ କରିଥାଏ । ଆଧୁନିକ ରାଷ୍ଟ୍ର ହାତରେ ସମାଜକଲ୍ୟାଣର ଅନେକ କ୍ଷମତା ନ୍ୟସ୍ତ କରାଯାଇଚି । ଇଚ୍ଛାକଲେ ଏକ ଜନମଙ୍ଗଳ ରାଷ୍ଟ୍ର କିମିଆ କଲାପରି ଦେଶର କଳେବରକୁ ବଦଳାଇ ଦେଇ ପାରିବ । ଦେଶର ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ଲାଗି ଏକ ସ୍ଵଦେଶୀ ସରକାରକୁ ପ୍ରଧାନତଃ ଏକ ନିମିତ୍ତ ରୂପେ ଗ୍ରହଣ କରାଯାଇଥାଏ । ସମଗ୍ର ଦେଶକୁ ସୁଶିକ୍ଷା ଅଭିମୁଖରେ ଅଗ୍ରସର କରାଇନେବା ହେଉଚି ସ୍ଵଦେଶୀ ରାଷ୍ଟ୍ରର ଏକ ପରମ କର୍ତ୍ତବ୍ୟ ।

 

୨ । ତଥାପି ରାଷ୍ଟ୍ରର ଶାସକମାନେ ଅନେକ ସମୟରେ ଏହି ଦିଗରେ ଉଚିତ ଧ୍ୟାନ ଦେଇପାରନ୍ତି ନାହିଁ । କେବଳ ଶିକ୍ଷା ନୁହେଁ, ବିଜ୍ଞାନ, ସାହିତ୍ୟ ଏବଂ ସଂସ୍କୃତି ମଧ୍ୟ ସେମାନଙ୍କର ଅଢ଼ାରେ ପଡ଼ି ବଡ଼ ଶୀର୍ଣ୍ଣ ଓ ବିକଳ ହୋଇପଡ଼େ । ଆଜି ଆଧୁନିକ ବିଜ୍ଞାନ ରାଷ୍ଟ୍ରର କ୍ଷମତାଧୀନ ହୋଇ ସମଗ୍ର ପୃଥିବୀ ଲାଗି ସର୍ବନାଶ ଭିଆଇବାକୁ ବସିଲାଣି । ବୈଜ୍ଞାନିକମାନଙ୍କୁ ନୁହେଁ, ରାଷ୍ଟ୍ରର ଶାସକମାନଙ୍କୁ ହିଁ ଏହି ବିଶ୍ଵବ୍ୟାପୀ ଆତଙ୍କ ଲାଗି ଦାୟୀ କରାଯିବା ଉଚିତ । କାରଣ ସେହିମାନେ ହିଁ ବିଜ୍ଞାନର ଅପବ୍ୟବହାର କରି ମନୁଷ୍ୟଜାତିକୁ ବିନାଶମୁଖକୁ ନେଇଯାଉଚନ୍ତି ।

 

ଆମ ଦେଶର ସରକାର ଶିକ୍ଷା ବିଷୟରେ ଯେଉଁସବୁ ନୀତି ଅବଲମ୍ବନ କରିଚନ୍ତି, ସେଥିରେ ନାନାପ୍ରକାର ଅସଙ୍ଗତି ଭର୍ତ୍ତି ହୋଇ ରହିଚି । ମୌଳିକ ଶିକ୍ଷାର ଯୋଜନା ବାଢ଼ିଲାବେଳେ ଗାନ୍ଧୀଜୀ ଏହି ଆଶା ପୋଷଣ କରିଥିଲେ ଯେ ଭାରତ ସ୍ଵାଧୀନ ହେବା ପରେ ସ୍ଵାଧୀନ ଭାରତର ରାଷ୍ଟ୍ର ଏହି ଯୋଜନାକୁ ଗ୍ରହଣ କରିନେବ । ଆମ ସରକାର ମଧ୍ୟ କଥାରେ କହୁଚନ୍ତି ଯେ ସେମାନେ ଉକ୍ତ ଯୋଜନାକୁ ଗ୍ରହଣ କରି ନେଇଚନ୍ତି । ସାରା ଦେଶରେ ଯେ ଏହି ଶିକ୍ଷାଯୋଜନା ଗୃହୀତ ହେବ, ଏ ବିଷୟରେ ସରକାରୀ ମଞ୍ଚମାନଙ୍କରେ ଶବ୍ଦୋଦଗାରର ଅନ୍ତ ନାହିଁ । କିନ୍ତୁ କଥାରୁ କାମ ବହୁ ଯୋଜନ ଦୂରରେ ପଡ଼ିରହିଚି । ମୌଳିକ ଶିକ୍ଷାପଦ୍ଧତିକୁ ଗ୍ରହଣ କରିନେଲେ ଆମ ସାମାଜିକ ଗଢ଼ଣମାନଙ୍କରେ ଅନେକ ଆଶୁ ପରିବର୍ତ୍ତନ ଅତ୍ୟାବଶ୍ୟକ ହୋଇପଡ଼ିବ । ଏହି ପରିବର୍ତ୍ତନ ଫଳରେ ଯେଉଁ ନୂତନ ସମାଜବ୍ୟବସ୍ଥା ଦାନା ବାନ୍ଧିବାକୁ ଆରମ୍ଭ କରିବ, ଖୁବ୍ ସମ୍ଭବ ବର୍ତ୍ତମାନର ଶାସକମାନଙ୍କ ଲାଗି ତାହା ଆଦୌ ସ୍ଵାର୍ଥାନୁକୂଳ ହେବ ନାହିଁ । ନ୍ୟାୟ ଉପରେ ପ୍ରତିଷ୍ଠିତ ଏକ ସମାଜର ସ୍ଥାପନା କରିବା ହେଉଚି ମୌଳିକ ଶିକ୍ଷାର ଏକ ପ୍ରଧାନ ଉଦ୍ଦେଶ୍ୟ । ଏହି କଳ୍ପିତ ବ୍ୟବସ୍ଥାରେ ଜେନ ମଣିଷ ଆଉଜଣେ ମଣିଷକୁ ଶୋଷଣ କରିପାରିବ ନାହିଁ । ମୌଳିକ ଶିକ୍ଷା ଯେ କେବଳ ସତ୍ତାଧାରୀ ଶାସକମାନଙ୍କ ଲାଗି ଏକ ଆହ୍ଵାନ ଜଣାଇ ଆବିର୍ଭୂତ ହୋଇଚି ତାହା ନୁହେଁ, ଯାବତୀୟ ଅନ୍ୟାୟ ଓ ଶୋଷଣକୁ ଆଶ୍ରା କରି ରହିଥିବା ସକଳ ରକ୍ଷଣଶୀଳ ଗୋଷ୍ଠୀ ଓ ସ୍ଵାର୍ଥ ବିରୁଦ୍ଧରେ ଏହା ଆପଣାର ବିଦ୍ରୋହ ଘୋଷଣା କରିଚି । ଦେଶରେ ମୌଳିକ ଶିକ୍ଷା ତିଷ୍ଠି ରହିଲେ ଓ ସଫଳ ଭାବରେ ଚାଲିଲେ ପୁରୁଣା ଭାଙ୍ଗି ଯେଉଁ ନୂଆ ସାମାଜିକ ଗଠନର ସୂତ୍ରପାତ ହେବ, ସେହି ନୂଆର ଭୂତଗୁଡ଼ାକ ବୋଧହୁଏ ଆମକୁ ଖାଇ ଗୋଡ଼ାଇବାରେ ଲାଗିଚନ୍ତି । ସରକାରୀ ଶାସକମାନଙ୍କୁ ମଧ୍ୟ ଖୁବ୍ ସମ୍ଭବ ରହି ଭୂତର ଭୟ ପୀଡ଼ିତ କରି ରଖିଥିଲା ପରି ମନେହେଉଚି । ଯଦି କେବଳ ସରକାର ଆଉ ଟିକିଏ ଅଧିକ ପ୍ରକୃତିସ୍ଥ ଓ ବିବେକସମ୍ପନ୍ନ ଭାବରେ ବିଚାର କରିପାରନ୍ତେ, ତେବେ ଅନେକ କର୍ମୀଙ୍କର ସଦିଚ୍ଛା ଓ ସେବାକୁ ବଡ଼ ସାର୍ଥକ ଭାବରେ କାମରେ ଲଗାଇପାରନ୍ତେ । କିନ୍ତୁ ସରକାର ଏପରି କରିପାରିବାର ଅବସ୍ଥାରେ ବର୍ତ୍ତମାନ ଅଛନ୍ତି ବୋଲି ମନେହୁଏ ନାହିଁ । ସରକାର ନାନାପ୍ରକାର ରକ୍ଷଣଶୀଳତା ଓ ରାଜନୀତିକ ସ୍ଵାର୍ଥର ଫାଶରେ ବନ୍ଧା ହୋଇ ରହିଚନ୍ତି । ତେଣୁ ସରକାରଙ୍କ ହାତରେ ପଡ଼ି ମୌଳିକ ଶିକ୍ଷାରୂପକ ଦିଅଁର ମାଙ୍କଡ଼ ହେବା ହିଁ ସାର ହେଉଚି । ଭାଷଣ ଦେବାବେଳେ ଆମ ଦେଶର ରାଜନୀତିକ ନେତାମାନେ ଚତୁମୁର୍ଖରେ ମୌଳିକ ଶିକ୍ଷାର ଗୁଣ ଗାଇ ଚାଲିଚନ୍ତି, କିନ୍ତୁ ଏଣେ ପ୍ରକୃତ କାର୍ଯ୍ୟର କ୍ଷେତ୍ରରେ ସେହି ଶିକ୍ଷା ଦିନକୁ ଦିନ ବଡ଼ ବିକୃତ ଓ ଅସ୍ଥିସାର ହେବାରେ ଲାଗିଚି । ଆମର ବିନୀତ ଅନୁରୋଧ, ଶିକ୍ଷାରେ ଏହି ଅସତ୍ କପଟବୃତ୍ତି ବନ୍ଦ ହୋଇଯାଉ । ଆମେ ପ୍ରାର୍ଥନା କରୁଚୁ ଯେ ଏ ଦେଶରେ ସରକାର ଆପଣାର ଶିକ୍ଷାନୀତିର ଅଧିକ ସଂଗତି ଦେଖାନ୍ତୁ, ଅଧିକ ନିଷ୍ଠାପର ଆଚରଣ ଦେଖାନ୍ତୁ । ଶିକ୍ଷା କ୍ଷେତ୍ରରେ ସେମାନଙ୍କର ଦୃଷ୍ଟି ଓ ନୀତି ଟିକିଏ ଅଧିକ ସମ୍ମାନାସ୍ପଦ ଓ ଅଧିକ ଉଦାର ହେଉ । ଶିକ୍ଷା ବିଷୟକ ନାନାବିଧ ପ୍ରୟୋଗକୁ ସରକାର ଯଥାସମ୍ଭବ ପରିସର ଓ ସାହାଯ୍ୟ ଦିଅନ୍ତୁ । ଏହାରି ଉପରେ ହିଁ ଆମ ଦେଶର ଶିକ୍ଷାର ଭବିଷ୍ୟତ ନିର୍ଭର କରୁଚି ।

 

୩ । ପ୍ରକୃତ ଶିକ୍ଷା ବା ସୁଶିକ୍ଷା କହିଲେ କ’ଣ ବୁଝାଏ, ଏକ ବୈଜ୍ଞାନିକ ଭୂମି ଉପରେ ହିଁ ଏହାର ବିଚାର କରାଯିବା ଉଚିତ । ଶିକ୍ଷାବିଷୟକ ଆପଣାର ଦୃଷ୍ଟିକୋଣରେ ସରକାରଙ୍କର ପ୍ରଧାନତଃ ଏକ ବୈଜ୍ଞାନିକ ଦୃଷ୍ଟି ପୋଷଣ କରିବା ଉଚିତ ଓ କୌଣସି ପ୍ରକାର ପୂର୍ବାଗ୍ରହର କବଳରେ ପଡ଼ିବା ଉଚିତ ନୁହେଁ । ଆମର ଅନୁମାନ ପ୍ରଧାନତଃ ଏହି ଦିଗରେ ବିଚାର ଓ କାର୍ଯ୍ୟ କରିବା ଲାଗି ସରକାରୀ ଶିକ୍ଷାବିଭାଗର ସୃଷ୍ଟି ହୋଇଚି । ଏହି ଦୃଷ୍ଟିକୋଣରୁ ହିଁ ସରକାର ଶିକ୍ଷକମାନଙ୍କୁ ତାଲୀମ ଦିଅନ୍ତୁ । ଆପଣାର ବହୁମୂଲ୍ୟ ଦାୟିତ୍ଵଗୁଡ଼ିକ ଆଡ଼କୁ ଆମେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରୁଚୁ ।

 

ଆଦିବାସୀମାନଙ୍କ ଭିତରେ କୌଣସି କଲ୍ୟାଣକର କାର୍ଯ୍ୟ କରିବାକୁ ହେଲେ ଯେପରି ଆମକୁ ଆଦିବାସୀ ସଂସ୍କୃତି ଓ ନୂତତ୍ତ୍ଵବିଜ୍ଞାନ ବିଷୟରେ କିଛି ନା କିଛି ଅବଶ୍ୟ ଅଧ୍ୟୟନ କରିବା ପଡ଼େ, ସେହିପରି କୌଣସି ଶିକ୍ଷାପଦ୍ଧତି ବା ନୀତିକୁ ଆମର ପଦ୍ଧତି ଓ ନୀତି ଭାବରେ ଗ୍ରହଣ କରିବା ପୂର୍ବରୁ ଆମର ସକଳ ସହାୟକ ସତ୍ୟକୁ ଶିକ୍ଷାମନୋବିଜ୍ଞାନର ଆଧାର ଉପରେ ପର୍ଯ୍ୟବେସିତ କରିବାକୁ ପଡ଼େ । ଶିକ୍ଷାକ୍ଷେତ୍ରରେ ଯେଉଁଠି ଯେତେରକମର ପୟୋଗ ହୋଇଆସିଚି, ମୌଳିକ ଶିକ୍ଷାକୁ ଆମେ ସେଥିଭିତରୁ କେବଳ ଗୋଟିଏ ପ୍ରୟୋଗ ହିସାବରେ ହିଁ ଗ୍ରହଣ କରୁଚୁ । ତେଣୁ ଶିକ୍ଷାର ସର୍ବସାମାନ୍ୟ ଶୃଙ୍ଖଳା ଓ ଆଧାରଗୁଡ଼ିକ ଉପରେ ମୌଳିକ ଶିକ୍ଷାକୁ ମଧ୍ୟ ଦଣ୍ଡାୟମାନେ ରହିବାକୁ ପଡ଼ିବ । ପ୍ରତ୍ୟେକ ଶିକ୍ଷାପଦ୍ଧତି ପଛରେ କୌଣସି ନା କୌଣସି ଦର୍ଶନ ଅବଶ୍ୟ ରହିଆସିଚି । କିନ୍ତୁ ଶିକ୍ଷାକୁ ବିଜ୍ଞାନର ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଚି । ଏକ ଅଭିନବ ଓ ଉପାଦେୟ ସାମାଜିକ ଜୀବନାଦର୍ଶର ପ୍ରେରଣା ନେଇ ଯେ ମୌଳିକ ଶିକ୍ଷାର ଉଦ୍ଭବ ହୋଇଚି, ଏକତାକୁ କେହି ନାସ୍ତି କରିପାରିବ ନାହିଁ । କିନ୍ତୁ ଶିକ୍ଷାବିଜ୍ଞାନର ସତତ ବିକଶମାନ ନୀତି ଓ ଅନୁସନ୍ଧାନ ଦ୍ଵାରା ଉପଲବ୍‍ଧ ସତ୍ୟଗୁଡ଼ିକ ପ୍ରତି ଅବହେଳା ପ୍ରଦର୍ଶନ କଲେ ଏହା କ୍ରମେ ଏକ କୁଶିକ୍ଷାରେ ହିଁ ପରିଣତ ହୋଇଯିବ । ମୌଳିକ ଶିକ୍ଷାର ଇତିହାସ ସାହିତ୍ୟ ସମ୍ପୃକ୍ତ ଥିବା ସକଳ ପବିତ୍ର ଓ ମହାନ୍ ପରମ୍ପରା ସତ୍ତ୍ୱେ ଏହି ଶିକ୍ଷାର ଅଧଃପତନ ହେବ ।

 

ଏଠାରେ ଅତି ଦୁଃଖର ସହିତ ସ୍ଵୀକାର କରିବାକୁ ହେଉଚି ଯେ ଦୀର୍ଘ କୋଡ଼ିଏ ବର୍ଷର ପ୍ରୟୋଗ ପଡ଼େ ମଧ୍ୟ ମୌଳିକ ଶିକ୍ଷା ଶିକ୍ଷାମନୋବିଜ୍ଞାନ ପ୍ରତି ପ୍ରଧାନତଃ ଏକ ଉଦାସୀନ ଓ ସ୍ପୃହାହୀନ ଦୃଷ୍ଟି ପୋଷଣ କରିଆସିଚି । ଖୁବ୍ ସମ୍ଭବ ଏହି କାରଣରୁ ଏହି ଶିକ୍ଷା ଆପଣା ଭିତରେ ରହିଥିବା ବୈପ୍ଳବିକ ଉପାଦାନଗୁଡ଼ିକୁ ଅନେକ ପରିମାଣରେ ହରାଇବାରେ ଲାଗିଚି । ସମାଜରେ ପରିବର୍ତ୍ତନ ଆଣିବାକୁ ଯେ ଏହା ଦିନେ ଆପଣାର ବ୍ରତ ରୂପେ ଗ୍ରହଣ କରିଥିଲା, ସତେଅବା ମୌଳିକ ଶିକ୍ଷାକ୍ରମେ ଏହି କଥାଟି ପାସୋରି ପକାଇଲା ପରି ମନେହେଉଚି । କେତୋଟି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଓ କେତୋଟି ନିର୍ଦ୍ଦିଷ୍ଟ ନିୟମାବଳୀର ଏକ ଅସ୍ଥିଚର୍ମସାର ସମାହାରକୁ ଯେକୌଣସି ପ୍ରକାରେ ଚାଲୁରଖିବା ବ୍ୟତୀତ ଯେପରି ମୌଳିକ ଶିକ୍ଷା ଭିତରେ ଆଉ କୌଣସି ଅବଶେଷ ହିଁ ଦେଖିବାକୁ ମିଳୁନାହିଁ । ଏହିସବୁ ଦୃଷ୍ଟିରୁ ଆଜି ମୌଳିକ ଶିକ୍ଷାର ଏକ ମନୋବୈଜ୍ଞାନିକ ସମୀକ୍ଷା କରିବା ଆବଶ୍ୟକ ହୋଇପଡ଼ୁଚି ।

 

୨ । ପିଲାର ବ୍ୟକ୍ତିତ୍ଵ-ବିକାଶ ଉପରେ ଆଖି ରଖି ମୌଳିକ ଶିକ୍ଷା ଆପଣାର ପଦ୍ଧତି ଭିତରେ ଶରୀର ଶ୍ରମ, ସାମୂହିକ ଜୀବନ ଓ ସ୍ୱାବଲମ୍ବନ ପ୍ରଭୃତି ଅନୁକୂଳ କାର୍ଯ୍ୟକ୍ରମମାନ ରଖିଚି । ମସ୍ତିସ୍କ ଓ ଶରୀର, ଅର୍ଥାତ୍ ଅଧ୍ୟୟନ ଓ ଶରୀରଶ୍ରମ ଭିତରେ ସବୁବେଳେ ଏକ ଭାରସାମ୍ୟ ରହିବା ଉଚିତ ବୋଲି ଅନେକ ଶିକ୍ଷାବିତ୍ ମତ ଦେଇଚନ୍ତି । ପିଲାକୁ ଶରୀରଶ୍ରମ କରିବାକୁ ଦେଇ ତା’ର ମନୋଗତ ବିକାରମାନ ଦୂର କରିବା ଲାଗି ଋଷିଆର ଶିକ୍ଷକମାନେ ଏକ ନୂଆ ପ୍ରୟୋଗ ଆରମ୍ଭ କରିଚନ୍ତି । ଏହି ପ୍ରୟୋଗକୁ ସେମାନେ ଶ୍ରମ-ଚିକିତ୍ସା Work Therapy ବା ବୋଲି କହୁଚନ୍ତି । ଭାରତବର୍ଷରେ ଆମେ ସକଳପ୍ରକାର ଶରୀରଶ୍ରମକୁ ଘୃଣାର ସହିତ ଦେଖିବାରେ ଅଭ୍ୟସ୍ତ ହୋଇଯାଇଚୁ । ଏପରି କରି ଆମେ ମନୁଷ୍ୟ-ବ୍ୟକ୍ତିତ୍ଵର ସମଗ୍ର ବିକାଶରେ ନାନାବିଧ ଅନ୍ତରାୟ ସୃଷ୍ଟି କରୁଚୁ । ଶିକ୍ଷା ସାହାଯ୍ୟରେ ପ୍ରଚଳିତ ସମାଜ ଭିତରେ ଶରୀରଶ୍ରମର ପ୍ରତିଷ୍ଠା ଆଣିବାର ପ୍ରୟାସକୁ ଅବଶ୍ୟ ଏକ ବୈପ୍ଳବିକ ପ୍ରୟାସ ବୋଲି କହିବାକୁ ହେବ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆମେ ଅନେକ ସମୟରେ ଶିକ୍ଷା ବିଷୟରେ ଏକ ଶିକ୍ଷାମୂଳ ଦୃଷ୍ଟିକୋଣ ରଖିବାରେ ଅସମର୍ଥ ହୋଇପଡ଼ୁ । ପ୍ରଧାନତଃ ଖୁସୀ ହୋଇ ହିଁ ପିଲା ପ୍ରତ୍ୟେକ କାର୍ଯ୍ୟରେ ପ୍ରବୃତ୍ତ ହେବ, କୌଣସି ପ୍ରକାର ଜବରଦସ୍ତି ଦ୍ଵାରା ତାକୁ ବାଧ୍ୟ କରାଯିବ ନାହିଁ । ପିଲା ପ୍ରଧାନତଃ ଆପଣା ବ୍ୟକ୍ତିତ୍ଵର ବିକାଶ କରିବା ଲାଗି ହିଁ ପ୍ରତ୍ୟେକ କାର୍ଯ୍ୟରେ ପ୍ରବୃତ୍ତ ହେବ, କୌଣସି କାମଦାର ଶିକ୍ଷକର ବୋଲକରା ହେବାକୁ ନୁହେଁ । ଶରୀରଶ୍ରମ ପିଲାର ବିକାଶରେ ହିଁ ସହାୟତା କରିବ । ଯେତେ ଶୁଭଚିନ୍ତା ବା ହିତୈଷଣାର ମତଲବ ନେଇ ଆସିଲେ ମଧ୍ୟ କୌଣସି କର୍ତ୍ତା ବା ଶାସକ ପିଲାକୁ ଗୋଟାଏ ବଡ଼ ମେସିନର ପେଚ ହିସାବରେ କଦାପି ବ୍ୟବାହାର କରିପାରିବ ନାହିଁ । କୌଣସି କର୍ତ୍ତୁତ୍ଵପ୍ରମତ୍ତ ଶିକ୍ଷକ ତାକୁ ଯେକୌଣସି କାମରେ ଖଟାଇ ପାରିବ ନାହିଁ ।

 

ମୌଳିକ ସ୍କୁଲମାନଙ୍କରେ ଅତି କଅଁଳ ବୟସରୁ ଆମେ ପିଲାମାନଙ୍କୁ ଗୋଟାଏ ପ୍ରକାର ରୁଟିନ୍ ଭିତରେ ପକାଇଦେବାର ଚେଷ୍ଟା କରୁଚୁ ଏହାଫଳରେ ସେ କ୍ରମେ ଗୋଟିଏ ମେସିନ୍ ହୋଇଯାଉଚି । ସେ ହୁଏତ ବାଧ୍ୟ ହୋଇ ସବୁ କାମ କରୁଚି, କିନ୍ତୁ ସେଥିରୁ ଆନନ୍ଦ ପାଉ ନାହିଁ । କେଡ଼େ ନିଷ୍ଠାପରଭାବରେ ସେ ଆମର ଆଦର୍ଶବାଦୀ ସ୍ଲୋଗାନଗୁଡ଼ିକର ପୁନରାବୃତ୍ତି କରିବାରେ ଲାଗିଚି, କିନ୍ତୁ ଭିତରେ ନାନାପ୍ରକାର ଦ୍ଵନ୍ଦ୍ଵରେ ସନ୍ତୁଳି ହୋଇ ରହୁଚି । କେତେ ନିଷ୍ଠାରେ କେତେ ଚେଷ୍ଟା କରି ସେ ଆପଣାକୁ କୌଣସି ଆଦର୍ଶ ଅନୁସାରେ ଗଢ଼ିବାଲାଗି ଇଚ୍ଛା କରୁଚି । କିନ୍ତୁ ଯଥାର୍ଥ ମାର୍ଗ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ରହିଥିବାରୁ ସେ ଆପଣାର ବାସ୍ତବ ଜୀବନପ୍ରତି ପ୍ରଧାନତଃ ଏକ ଗ୍ଳାନିମୂଳକ ମନୋଭାବ ପୋଷଣ କରିବାରେ ଲାଗିଚି । ଫଳରେ ସ୍ଵକୀୟ ମାର୍ଗରେ ଆପଣାର ଅନ୍ତର୍ନିହିତ ଶକ୍ତିଗୁଡ଼ିକର ବିକାଶ କରିବାରେ ତାର ଉତ୍ସାହ ଓ ଉତ୍କଣ୍ଠା କ୍ରମେ ମରିମରି ଯାଉଚି । ସେ ଆପଣାର ମାର୍ଗ ଆବିଷ୍କାର କରିବାରୁ ବଞ୍ଚିତ ହୋଇ ରହୁଚି । ସୂତାକଟା, ପ୍ରାର୍ଥନା, ଗ୍ରାମସମ୍ପର୍କ ପ୍ରଭୃତି କାର୍ଯ୍ୟକ୍ରମର ଆବଶ୍ୟକତା ଅର୍ଥ ସେ ବୁଝିବା ପର୍ବରୁ ଆମେ ପିଲାକୁ ଏହିସବୁ କାର୍ଯ୍ୟକ୍ରମର ଜାଲ ଭିତରେ ଛନ୍ଦିପକାଉଚୁ । ଏହାଦ୍ୱାରା ତା’ର ଶିଶୁସୁଲଭ ଆନନ୍ଦ ଅନେକ ପରିମାଣରେ ମରିଯାଉଚି, ତା’ର ହୃଦୟର ଦ୍ଵାର ବନ୍ଦ ହୋଇଯାଉଚି । ଆମ ମତରେ ଏହିସବୁ କୁପରିଣାମ ଲାଗି ମୌଳିକ ସ୍କୁଲରେ ଚାଲୁଥିବା କାର୍ଯ୍ୟକ୍ରମଗୁଡ଼ିକ କୌଣସି ଦୋଷ ଦିଆଯାଇ ପାରିବ ନାହିଁ । କିନ୍ତୁ ଯେଉଁ ଯନ୍ତ୍ରବତ୍ ରୁଟିନ୍‍ର ମାଧ୍ୟମରେ ଏହିସବୁ କାର୍ଯ୍ୟକ୍ରମକୁ ପିଲାଙ୍କ ଉପରେ ଲଦି ଦିଆଯାଉଚି, ତାହାରିଦ୍ଵାରା ହିଁ ଯାବତୀୟ କୁଫଳମାନ ଫଳୁଚି । ଶିଶୁର ଜୀବନ ପରି ତା’ର ସ୍କୁଲରେ ଚାଲୁଥିବା ରୁଟିନ୍ ମଧ୍ୟ ବ୍ୟାପକ ଓ ସ୍ଥିତିସ୍ଥାପକ ହେବା ଉଚିତ । ତେବେଯାଇ ଶିଶୁ-ବିଦ୍ୟାର୍ଥୀ ଆପଣାର ଜୀବନକୁ ମୂଳତଃ ଏକ ସାହସୀ ଅନୁସନ୍ଧାନ-ଯାତ୍ରାରୂପେ ଅନୁଭବ କରିବାକୁ ଆରମ୍ଭ କରିବ ଏବଂ ଏକ ରଚନାତ୍ମକ ଦୃଷ୍ଟିକୋଣ ନେଇ ଏହି ଜୀବନକୁ ବାଛିବା ଲାଗି ପ୍ରବୃତ୍ତି ହେବ । ଶିକ୍ଷାଦାନ ପ୍ରଣାଳୀରେ ଓ ବିଦ୍ୟାଳୟର ପରିଚାଳନାରେ ଯଥେଷ୍ଟ ସ୍ଥିତସ୍ଥାପକତା ରହିଲେ ଯାଇ ଏହା ସମ୍ଭବ ହୋଇପାରିବ । ପିଲାର ବହୁବିଧ ପ୍ରତ୍ୟେକ ଆବଶ୍ୟକତାଗୁଡ଼ିକୁ ବୁଝିପାରିବା ଲାଗି ଶିକ୍ଷକ ସଚେତ ଓ ଜାଗରୂକ ରହିଥିବେ ଏବଂ ସେଗୁଡ଼ିକର ସମୁଚିତ ବିକାଶଲାଗି ସେ ସୁବିବେଚିତ ଦିଗଦର୍ଶନ ଦେଇ ପାରୁଥିବେ । ଏହିପରି ଏକ ବାତାବରଣ ଭିତରେ ହିଁ ପିଲା ମୁକ୍ତ ଓ ସୁସ୍ଥ ହୋଇ ବଢ଼ିବାରେ ଅବସର ପାଇପାରିବ । ଏବଂ ଯେତେବେଳେ ସେ ଜଣେ ବୟସ୍କ ଭାବରେ ସମୟରେ ପ୍ରବେଶ କରିବ, ସେଠାରେ ମଧ୍ୟ ଏକ ସୁସ୍ଥ ବାତାବରଣ ସମ୍ଭବ କରିବାରେ ସେ ଆପଣାର ଯଥାର୍ଥ ଦାୟିତ୍ଵ ଗ୍ରହଣ କରିବାକୁ କଦାପି ପଶ୍ଚାତପଦ ହେବ ନାହିଁ । ଉପରୁ କୌଣସି ଜୋର ଜବରଦସ୍ତି ନ କରି ଯଦି ଆମେ ପିଲାକୁ ଖୁସୀ ହୋଇ ବଢ଼ିବାକୁ ଏବଂ ପରିପକ୍ଵ ହେବାକୁ ସୁଯୋଗ ଦେଇପାରିବୁ, ତେବେ ଭବିଷ୍ୟତ ଜୀବନରେ ସେ ଖୁବସମ୍ଭବ ଆପଣା ଇଚ୍ଛାରେ ଆପଣାଲାଗି ଏକ ସୁସ୍ଥ ଆଦର୍ଶ ବାଛିନେଇ ପଡ଼ିବ । ଆଜି ସେ ସ୍କୁଲରେ ପଢ଼ୁଥିବାବେଳେ ଆମେ କେତେ ଉତ୍ସାହରେ ତାହାରି ଭିତରେ ସେହିପରି କେତୋଟି ଆଦର୍ଶର ବୀଜ ବପନ କରିବାକୁ ଚାହୁଚୁ, ଅନେକ ସମୟରେ ଏକ ଶ୍ରଦ୍ଧାହୀନ ଓ ହୃଦୟହୀନ ଉପଦେଶ-ପ୍ରଚାର ଦ୍ଵାରା ଆମେ ଆମର ଉଦ୍ଦେଶ୍ୟ ସିଦ୍ଧ କରିବାକୁ ଇଚ୍ଛା କରୁଚୁ । କିନ୍ତୁ ଯେପରି ସ୍ଵାଭାବିକ ବାତାବରଣରେ ବଢ଼ିଲେ ପିଲା ସ୍ଵତଃ ଏକ ସୁସ୍ଥ ଆଦର୍ଶ ଆଡ଼କୁ ପ୍ରବୃତ୍ତି ହେବ, ଆମେ ସେପରି ଏକ ବାତାବରଣ ସୃଷ୍ଟି କରିବାକୁ ରାଜି ହେଉନାହୁଁ ।

 

୩) ଗଣତନ୍ତ୍ର ବା ପ୍ରଜାର ଶାସନ କହିଲେ ମୋଟାମୋଟି କ’ଣ ବୁଝାଏ, ଆମ ଦେଶରେ ଅନେକ ଲୋକଙ୍କର ସେତିକି ଧାରଣା ମଧ୍ୟ ନାହିଁ । ଭୋଟ ଦେଇ ସରକାର ବାଛିବାର ରୀତିକୁ ହିଁ ସେମାନେ ଗଣତନ୍ତ୍ର ବୋଲି ବୁଝିଥାନ୍ତି । ମୌଳିକ ଶିକ୍ଷାରେ ଗାନ୍ଧିଜୀ କାହିଁକି ସାମୂହିକ ଜୀବନକୁ ଏତେବେଶୀ ଗୁରୁତ୍ଵ ଦେଇଚନ୍ତି, ବର୍ତ୍ତମାନ ଆମେ ସେକଥା ଭଲ କରି ବୁଝିପାରିବା । ଭବିଷ୍ୟତରେ ଆପଣାର ସକଳ ସାମାଜିକ ଦାୟିତ୍ଵ ବହନ କରିବାଲାଗି ଆପଣାକୁ ପ୍ରସ୍ତୁତ କରିବାପାଇଁ ମୌଳିକ ସ୍କୁଲର ପିଲା ବଡ଼ ସହଜରେ ପରୋକ୍ଷ ଭାବରେ ତା’ର ବିଦ୍ୟାଳୟରେ ଏକ ପ୍ରଶସ୍ତ ଅବସର ପାଇଥାଏ । ମୌଳିକ ଶିକ୍ଷାର ଏହି ଦିଗଟିକୁ ଯେତେ ଉପାଦେୟ ଭାବରେ ବ୍ୟବହାର କରାଯାଇ ପାରନ୍ତା, ଅବଶ୍ୟ ବର୍ତ୍ତମାନ ସେତେଦୂର ବ୍ୟବହାର କରାଯାଇ ପାରୁନାହିଁ । ଗଣତନ୍ତ୍ର ଓ ସାମାଜିକ ଜୀବନର ସମାଜବୈଜ୍ଞାନିକ ମର୍ମାର୍ଥଗୁଡ଼ିକ ବିଷୟରେ ଆମେ ତଥା ଆମର ଶାସକମାନେ ଆହୁରି ଅଧିକ ସତେଜ ହୋଇ ପାରିଲେ ଏଥିରୁ ଆମେ ନିଶ୍ଚୟ ଅଧିକ ଲାଭ ଉଠାଇ ପାରନ୍ତେ ।

 

ସ୍ଵାବଲମ୍ବନ ହେଉଚି ମୌଳିକ ଶିକ୍ଷାରେ ଆଉଗୋଟିଏ ଅତି ଉପାଦେୟ ଓ ଅଭିନବ ଅଙ୍ଗ । ମୌଳିକ ଶିକ୍ଷାରେ ସ୍ଵାବଲମ୍ବନକୁ ଏତେବେଶୀ ମହତ୍ତ୍ଵ ଦିଆଯାଇଚି, ଯେପରିକି ଏହାରି ମାଧ୍ୟମରେ ପିଲା ଆପଣା ଉପରେ ତଥା ଆପଣାର ଚତୁଷ୍ପାର୍ଶ୍ଵବର୍ତ୍ତୀ ସଂସାର ଉପରେ ଅଧିକ ବିଶ୍ଵାସ ଅର୍ଜନ କରି ଶିଖିପାରିବ, ଯେପରିକି ସେ ଅଧିକ ଶକ୍ତିଶାଳୀ ଭାବରେ ଭବିଷ୍ୟତ ଲାଗି ପ୍ରସ୍ତୁତ ହୋଇପାରିବ ଓ ଏକ ପରିପୂର୍ଣ୍ଣତର ଜୀବନ ଅଭିମୁଖରେ ଆପଣା ଲାଗି ଏକ ମାର୍ଗର ଆବିଷ୍କାର କରିନେଇ ପାରିବ । କିନ୍ତୁ ବଡ଼ ଦୁର୍ଭାଗ୍ୟର ବିଷୟ ଯେ ଅନେକ ସମୟରେ ସ୍ଵାବଲମ୍ବନ କହିଲେ ଆମେ କେବଳ ଅଧିକରୁ ଅଧିକ ଦ୍ରବ୍ୟ ଉତ୍ପାଦନ କରିବାର କ୍ଷମତାକୁ ହିଁ ବୁଝିଥାଉ । ଫଳରେ ଆମ ପିଲାଏ ଯେପରି ଦ୍ରବ୍ୟ-ଉତ୍ପାଦନର ଧନ୍ଦାରେ କୁଶଳତା ପୂର୍ବକ ନିଯୁକ୍ତ ହୋଇ ପାରିବେ, ଆମେ ସ୍ଵାବଲମ୍ବନର ଏହିପରି ଅର୍ଥ କରିବାକୁ ପ୍ରଲୁବଧ୍‍ ହୋଇପଡ଼ୁ । ଭିତରେ ପିଲା ଯେଡ଼େ ଦୁର୍ବଳ ହୋଇ ରହୁ ପଛକେ, ଆମର ବୋଲ ଓ ଫରମାସ ମାନି ସେ ଏଇଟା ବା ସେଇଟା ତିଆରି କରିଦେଇ ପାରୁ, ଆମେ ତା’ଠାରୁ ପ୍ରଧାନତଃ ଏହାହିଁ ଆଶା କରିବସୁ । ଏହାଦ୍ୱାରା ଆମେ ପିଲାର ଆତ୍ମବିଶ୍ଵାସକୁ ମାରିଦେଉ । ସ୍ଵାବଲମ୍ବନକୁ ପରିପୂର୍ଣ୍ଣ ହେବାକୁ ହେଲେ ତାହାସହିତ ସହଯୋଗ ଲାଗି ମଧ୍ୟ ପ୍ରଶସ୍ତ କ୍ଷେତ୍ର ରହିବା ଆବଶ୍ୟକ । ସମାଜଲାଗି ଉତ୍ପାଦନକ୍ଷମ ହୋଇପାରିବା, ସମାଜଠାରୁ ନେବା ଅପେକ୍ଷା ସମାଜକୁ ଅଧିକ ଦେଇପାରିବା ଲାଗି ଏକ ସ୍ଵାଭାବିକ ଇଚ୍ଛାର ଅନୁଶୀଳନ କରିବା ଏବଂ ଯଥାସମ୍ଭବ ସମାଜରେ କୌଣସିପ୍ରକାର ଅନ୍ୟାୟ ବା ଶୋଷଣରେ ଭାଗ ନ ନେବା, ସ୍ଵାବଲମ୍ବନରେ ଏହିଗୁଡ଼ିକହିଁ ଆମର ଦିଗଦର୍ଶକ ନୀତି ହୋଇ ରହିବା ଉଚିତ । ତାହା ନହେଲେ ଶିକ୍ଷାରେ ସ୍ଵାବଲମ୍ବନ ଆଣିବାର ଅସଲ ଉଦ୍ଦେଶ୍ୟଟି ବିଷୟରେ ଦୃଷ୍ଟିଭ୍ରଷ୍ଟ ହୋଇଯିବାର ପ୍ରମାଦ ସର୍ବଦା ରହିବ ହିଁ ରହିବ ।

 

ମୌଳିକ ଶିକ୍ଷାରେ ମଣିଷ-ମନ ଓ ମଣିଷ-ହୃଦୟର କ୍ରୀଡ଼ାମୂଳକ ଉପାଦାନଟିକୁ ଆମେ ଆଜିକାଲି ସ୍ଵୀକାର ନ କରୁଥିବା ପରି ମନେହୁଏ । ଜୀବନଟା ଯେ କେବଳ କର୍ମବ୍ୟସ୍ତତା ଓ କର୍ମଗ୍ରସ୍ତତାର ଏକ କ୍ରୂର ସମାହାର ବ୍ୟତୀତ ଆଉ କିଛି ନୁହେଁ, ବିଦ୍ୟାଳୟର ବିଦ୍ୟାର୍ଥୀ ଆଗରେ ଜୀବନର ଏହିପରି ଏକ ଚିତ୍ର ଦେବାର ପ୍ରବୃତ୍ତିକୁ ଆମେ ଏକ ଅପରାଧ ବୋଲି କହିବୁ । ଶରୀରଶ୍ରମ, ଅଧ୍ୟୟନ ତଥା ସାମାଜିକ ଜୀବନର ବିଭିନ୍ନ କାର୍ଯ୍ୟକଳାପକୁ ପିଲା ଏକ କଷ୍ଟଦାୟକ ବୋଝ ପରି ନୁହେଁ, ମାତ୍ର ମୂଳତଃ ଏକ ସରସ କ୍ରୀଡ଼ାବ୍ୟଞ୍ଚକ ଆକର୍ଷକ ରୂପେ ଗ୍ରହଣ କରିପାରିବା ଉଚିତ । ସେହିସବୁ କାର୍ଯ୍ୟକ୍ରମରେ ଭାଗ ନେଇ ତାକୁ ମୂଳତଃ ଆନନ୍ଦ ହିଁ ମିଳିବା ଉଚିତ । ମୌଳିକ ସ୍କୁଲରେ ଆମକୁ ଏଥିଲାଗି ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ । ପିଲାକୁ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ, ବିଚାର ଓ ଆଚାର ଭିତରେ ଜବରଦସ୍ତି ମଡ଼ାଇ ଦେବାର ପ୍ରଚାରମୂଳକ ମନ୍ଦୋତ୍ସାହକୁ ପରିହାର କରିପାରିଲେ ଏବଂ ଶିକ୍ଷାମନୋବିଜ୍ଞାନର ଆଧୁନିକତମ ତଥ୍ୟଗୁଡ଼ିକୁ ସହାନୁଭୂତି ସହିତ ବୁଝିବାକୁ ଚେଷ୍ଟା କଲେ ଆମେ ଲକ୍ଷ୍ୟର ଅନେକ ନିକଟବର୍ତ୍ତୀ ହୋଇପାରିବା ।

 

ଶିକ୍ଷାକୁ ଆମେ ଅଚଳ ଓ ସ୍ଥାଣୁ କରି କୌଣସି ନିର୍ଦ୍ଦିଷ୍ଟ ପଘାରେ ବାନ୍ଧିରଖି ପାରିବା ନାହିଁ-। କୌଣସି ଦୃଢ଼ ଓ ଅପରିବର୍ତ୍ତନୀୟ ସୀମାଭିତରେ ଆମେ ଏହାକୁ ଆବଦ୍ଧ କରି ରଖି ପାରିବା ନାହିଁ-। ଗାନ୍ଧୀଜୀଙ୍କର ଜୀବନରେ ଆଦର୍ଶଲାଗି ଏକ ମହାନ୍ ସ୍ଥାନ ରହିଥିଲା, କିନ୍ତୁ ତା’ ବୋଲି ତାଙ୍କର ଆଦର୍ଶ ତାଙ୍କୁ କଦାପି ସ୍ଥାଣୁ କରି ଦେଉ ନଥିଲା । ଗାନ୍ଧୀ-ବିଚାର ବା ଗାନ୍ଧୀ-ଜୀବନଦର୍ଶନରେ ଆଉ ଯାହାକିଛି ଥାଉ ବା ନଥାଉ ପଛକେ, ଏକ ଚଳମାନ ଓ ବିକାଶମାନ ଜୀବନ ବଞ୍ଚିବାଲାଗି ଅଶେଷ ପ୍ରେରଣା ରହିଚି । ତେଣୁ ମୌଳିକ ଶିକ୍ଷାରେ ଅଧିକ ସଚଳତା ଓ ବିକାଶମୁଖିନତା ଆଣିବାକୁ ଚେଷ୍ଟା କଲେ ଆମେ କଦାପି କୌଣସି ଶ୍ରେୟ ବା କୌଣସି ଆଦର୍ଶ ବିରୁଦ୍ଧରେ ଦ୍ରୋହ ବା ଅପରାଧ କରି ବସିବା ନାହିଁ । ମଣିଷ ଆଜି ଆପଣାର ବୁଦ୍ଧି ଓ ଆପଣାର ଶକ୍ତିକୁ ଗ୍ରହ ଓ ଉପଗ୍ରହ ଅଭିମୁଖରେ ଖେଳାଇବାକୁ ଆରମ୍ଭ କଲାଣି । ତେଣୁ ଆଧୁନିକ ମଣିଷର ପ୍ରୟୋଜନରେ ଆସିବାଭଳି ସକଳ ଶିକ୍ଷାକ୍ରମକୁ ମଧ୍ୟ ଆପଣାର କ୍ଷେତ୍ର ଓ ବିଚରଣ-ଭୂମିକୁ ଅନୁରୂପ ପ୍ରଶସ୍ତ ଓ ବ୍ୟାପକ କରିବାକୁ ହିଁ ପଡ଼ିବ ।

 

୪) ମୌଳିକ ଶିକ୍ଷାରେ ଶରୀରଶ୍ରମ ଓ ଅଧ୍ୟୟନ ପରସ୍ପରର ପରିପୂରକ ହୋଇ ରହିବେ । ମନୁଷ୍ୟ-ପ୍ରଗତିର ଇତିହାର-ମଞ୍ଚରେ ଶ୍ରମ ସର୍ବଦା ଏକ ମହତ୍ତ୍ଵପୂର୍ଣ୍ଣ ଅଂଶ ଗ୍ରହଣ କରି ଆସିଚି । କିନ୍ତୁ ଭାରତବର୍ଷରେ ଆମେ ଶ୍ରମ କଲା ଲୋକକୁ ଏପର୍ଯ୍ୟନ୍ତ ତାର ଯଥାଯୋଗ୍ୟ ସ୍ଵୀକୃତ ଦେବାକୁ ପ୍ରସ୍ତୁତ ହୋଇନାହିଁ । ଏ ଦେଶରେ ଯେଉଁ କେତେଜଣ କିଞ୍ଚିତ ଶିକ୍ଷାଲାଭର ସୁଯୋଗ ଓ ସମ୍ବଳ ପାଉଛନ୍ତି, ସେମାନେ ଆପଣାର ଉପାର୍ଜିତ ଶିକ୍ଷାକୁ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଲଗାଉ ନାହାନ୍ତି । ଆମେ ଶିକ୍ଷିତମାନେ କ୍ରମେ ଏକ ନିପଟ ବ୍ୟବସାୟୀବର୍ଗରେ ପରିଣତ ହୋଇଯାଉଚୁ । ଆମେ ଶ୍ରମିକ ଓ ମଜୁରିଆକୁ ହୀନ ଦୃଷ୍ଟିରେ ଦେଖୁଚୁ, ସେମାନେ ଯେ ଯେକୌଣସି ସମାଜରେ ମୂଳଦଣ୍ଡ ହୋଇ ରହିବେ, ଆମେ ସେ କଥା ପାସୋରି ପକାଉଚୁ । ଏହି ଅବସ୍ଥାକୁ ବଦଳାଇବାକୁ ଆମ ସମାଜରେ ଏପର୍ଯ୍ୟନ୍ତ ଦୃଢ଼ ପଦକ୍ଷେପ ଆରମ୍ଭ ହୋଇନାହିଁ, ସୁଶିକ୍ଷା ଓ ସତ୍‍ଶିକ୍ଷା ଲାଗି ଏପର୍ଯ୍ୟନ୍ତ ଏକ ଯୋଗ୍ୟ ବାତାବରଣ ତିଆରି ହୋଇ ନାହିଁ । ମୌଳିକ ଶିକ୍ଷାକୁ ମଧ୍ୟ ଏହି ଅଭାବର ଶିକାର ହେବାକୁ ପଡ଼ୁଚି । ପୁରୁଣା ଅମଳର ସ୍ଵାର୍ଥନ୍ଵେଷୀ ଅହଂଧର୍ମ ଗୁଡ଼ାକ ଆମକୁ ଆଜି ମଧ୍ୟ କାମୁଡ଼ି କରି ଧରିଚି । ତେଣୁ କେବଳ କେତେଟା ବାହ୍ୟ ନିୟମ ଓ ଆଚରଣଗୁଡ଼ାକୁ ବଦଳାଇଦେଇ ଆମେ ଏକ ନୂତନ ଶିକ୍ଷାର ପ୍ରବର୍ତ୍ତନ କରିଦେଲୁ ବୋଲି ଛଳନା କରିବାରେ ଲାଗିଚୁ । ଆମର ଜୀବନଦୃଷ୍ଟି ଭିତରେ ଆମେ ଏପର୍ଯ୍ୟନ୍ତ ତଥାକଥିତ ଶିକ୍ଷିତ ଓ ଅଶିକ୍ଷିତ ଭିତରେ ବ୍ରାହ୍ମଣ-ଶୂଦ୍ରର ନ୍ୟାୟ କରିବାରେ ଲାଗିଚୁ । ମଣିଷକୁ ମଣିଷ ହିସାବରେ ସ୍ଵୀକାର କରିବାର ପ୍ରବୃତ୍ତି ଆମର ଆଜି ମଧ୍ୟ ହୋଇ ନାହିଁ । ପ୍ରତ୍ୟେକ ପ୍ରକାରର ଶରୀରଶ୍ରମ ପ୍ରତି ଏପର୍ଯ୍ୟନ୍ତ ଆମର ମଞ୍ଜିଭିତରେ ଏକ ବିରକ୍ତିବ୍ୟଞ୍ଜନ ଘୃଣାଭାବନା ରହିଚି । ଦଶବର୍ଷ କାଳ ମୌଳିକ ଶିକ୍ଷାପଦ୍ଧତିକୁ ଦେଶରେ ସରକାରୀ ନିର୍ଦ୍ଦେଶରେ ଚାଲୁ କରିସାରିବା ପରେ ମଧ୍ୟ ଅବସ୍ଥା ଏହିପରି ରହିଚି । ତେଣୁ ଅତ୍ୟାବଶ୍ୟକ କଥା ହେଉଚି ଯେ କୌଣସି ପ୍ରକୃତ ପରିବର୍ତ୍ତନ ଆଣିବାକୁ ହେଲେ ଆଗ ଆମର ମନୋଦୃଷ୍ଟିକୁ ଅଧିକ ସୁସ୍ଥ କରିବାକୁ ପଡ଼ିବ ଓ ଜୀବନପ୍ରତି ଏକ ଅଧିକ ପ୍ରଶସ୍ତ ଓ ବିମୁକ୍ତ ଦୃଷ୍ଟି ଅର୍ଜନ କରିବାକୁ ହେବ । ଆମେ ଆଉ କାହାରି ବାଟରେ ବାଧା ହୋଇ କଦାପି ଠିଆ ହେବାନାହିଁ, ଏଥିପାଇଁ ଆମର ମନକୁ ମଣାଇ ନେବାକୁ ପଡ଼ିବ । ମନୁଷ୍ୟର ମନ ସ୍ଵାବଭତଃ ସ୍ଥିତିସ୍ଥାପକ,ତେଣୁ ପିଲାର ସ୍ଥିତିସ୍ଥାପକ ମନୋଭୂମି ଉପରେ ଜୀବନ ଲାଗି ସତତ ନୂତନ ଉତ୍ସାହ ଓ ନୂତହ ଶକ୍ତି ଜୀଆଇ ରଖିବା ହିଁ ମୌଳିକ ଶିକ୍ଷାର ଏକ ପ୍ରଧାନ ନୀତି ହୋଇ ରହିବା ଆବଶ୍ୟକ । ଆମର ଶିକ୍ଷାଗତ କାର୍ଯ୍ୟକ୍ରମରେ କୌଣସି ପ୍ରକାର ବ୍ୟାଧିତ ଅନମନୀୟତା ଓ ପ୍ରମତ୍ତତା ଉଚିତ ନୁହେଁ । ଆମ ଦେଶରେ ଆଧ୍ୟାପକ, କୃଷକ, ଶ୍ରମିକ, ଚପରାସି, କାମ ଖଟିଲା ମଣିଷ ଓ କାମ ଖଟାଇଲା ମଣିଷ ଭିତରେ ଏକ ବୃହତ୍ ସାମାଜିକ ଖାଇ ଏବେ ବି ରହିଚି । ଆମ ବିଦ୍ୟାଳୟକୁ ଆସୁଥିବା ପିଲା ଯେକୌଣସି ଘରୁ ବା ଯେକୌଣସି ସ୍ତରରୁ ଆସିଥାଉ ପଛକେ, ତାକୁ ଏକ ମଣିଷପିଲାର ଯଥାଯୋଗ୍ୟ ସମ୍ମାନ ଦେଇ ଆମକୁ ଉକ୍ତ ଖାଇକୁ ବିଲୁପ୍ତ କରିଦେବାକୁ ହେବ ।

 

ପିଲାକୁ ଅଧିକ ଭଲ ଓ ଅଧିକ ଯୋଗ୍ୟ କରିବାର ବ୍ୟସ୍ତ ଉତ୍ତେଜନା ଭିତରେ ପଡ଼ି ଅନେକ ସମୟରେ ଶିକ୍ଷକ ଯେଡ଼େ ଅଜାଣତରେ ହେଲେ ମଧ୍ୟ ଆପଣାକୁ ନେଇ ପିଲା ଉପରେ ଲଦିଦେବାର ଚେଷ୍ଟା କରିଥାଏ । ଫଳରେ ପିଲା ତା’ର ଜୀବନରୁ ଅନେକ ହରାଇବସେ ଓ ବୟସ୍କର ଇଚ୍ଛାକୁ ହିଁ ଅନୁକରଣ କରିବାକୁ ଆପଣାର ବ୍ୟାବହାରିକ ଧର୍ମ ରୂପେ ଗ୍ରହଣ କରିନିଏ । ମୌଳିକ ସ୍କୁଲମାନଙ୍କରେ ମଧ୍ୟ ଏହା ଘଟିଥାଏ । ଏକ ନୂତନ ସମାଜ ଗଢ଼ିବାର ପବିତ୍ର ଆଦର୍ଶ ଏହା ହାତରେ ରହିଚି, ହୁଏତ ଏହି ଅଶୁଭ ସ୍ଫୂର୍ତ୍ତିର ମାଦକରେ ପଡ଼ି ମୌଳିକ ଶିକ୍ଷା ଏପରି ଏକ ପ୍ରମାଦରେ ପଡ଼ିଯାଏ । ପିଲାର ମନ ପରି ଆମ ଶିକ୍ଷକ ଓ ବ୍ୟବସ୍ଥାପକମାନଙ୍କର ମନ ଯଥେଷ୍ଟ ଗ୍ରହଣଶୀଳ ହୋଇ ପାରିଲେ ଯାଇ ଆମେ ଯେକୌଣସି ସୁଶିକ୍ଷାଲାଗି ଏକ ସ୍ଥାୟୀ ମୂଳଦୁଆ ପକାଇ ପାରିବା । ତେଣୁ ମୌଳିକ ସ୍କୁଲର ଶିକ୍ଷକକୁ ମଧ୍ୟ ଆପଣାର ମନ ଓ ଦୃଷ୍ଟି ଭିତରେ ଏକ ସ୍ଵାଭାବିକ ଜିଜ୍ଞାସା ଓ ଗ୍ରହଣଶୀଳତାର ବିକାଶ କରାଇବାକୁ ହେବ । ତେବେଯାଇ ସେ ପିଲାମନର ଜିଜ୍ଞାସା ଓ ଗ୍ରହଣଶୀଳତାକୁ ବଢ଼ାଇବାରେ ସହଯୋଗ କରିପାରିବ । ଏହାରି ଦ୍ଵାରା ହିଁ ସେ ମୌଳିକ ଶିକ୍ଷାର ମାଧ୍ୟମରେ ଦେଶର ଓ ଶିକ୍ଷାଜଗତର ପ୍ରଭୁତ ସେବା କରିପାରିବ ।

 

–୬–

 

ବଞ୍ଚି ରହିଥିଲେ ଜଙ୍ଗଲ ସ୍କୁଲକୁ ଆଜି ଏଗାର ବର୍ଷ ପୂରିଥାନ୍ତା । ଏହା ଭିତରେ ଆମର ଦେଶ ଏଗାର ବର୍ଷ ବୁଢ଼ା ହୋଇଗଲାଣି । ସରକାର ତାଙ୍କ ଖାତାରେ ଜଙ୍ଗଲସ୍କୁଲକୁ ଏକ ଉତ୍ତର ମୌଳିକ ବିଦ୍ୟାଳୟ ବୋଲି କହୁଚନ୍ତି । ଆଗରୁ ହାଇସ୍କୁଲର ପାଠ କହିଲେ ଯାହା ବୁଝାଉଥିଲା, ତାହା ସହିତ କେତେଟା ଧନ୍ଦାକୁ ମିଶାଇ ସରକାର ଉତ୍ତର ମୌଳିକ ସ୍କୁଲ ବୋଲି ବୁଝୁଚନ୍ତି । ଏହାଦ୍ୱାରା ଫଳ ଆଉ ଯାହା ହେଉ ବା ନହେଉ, ପ୍ରଚଳିତ ଶିକ୍ଷାର ପୁରୁଣା ଗାଡ଼ିଆରେ ମୌଳିକ ଶିକ୍ଷାର ନୂତନ ଧାରାଟିକୁ ଆଣି ବେଶ୍ କୌଶଳ କୌତୁକର ସହିତ ବିଲୀନ କରି ଦିଆଯାଇ ପାରୁଚି-। ମୌଳିକ ଶିକ୍ଷାକୁ ସରକାରୀ ଶିକ୍ଷାହାକିମମାନେ ଶ୍ରଦ୍ଧା କରନ୍ତି ବୋଲି ଯେ ମୌଳିକ ବା ଉତ୍ତର ମୌଳିକ ସ୍କୁଲମାନ ଚାଲିଚି, ସେ କଥା ଅନୁମାନ କରି ପାରିବାଲାଗି ମୁଁ କୌଣସି କାରଣ ଦେଖୁ ନାହିଁ । ଦେଶରେ କଂଗ୍ରେସ ସରକାର ଚାଲୁଚି ଓ କଂଗ୍ରେସଦଳର ହାକିମମାନେ ଗାନ୍ଧୀଙ୍କୁ ଇଷ୍ଟଦେବତା ବୋଲି ମାନିବାର ପ୍ରୟୋଜନ ଏପର୍ଯ୍ୟନ୍ତ ଅନୁଭବ କରୁଚନ୍ତି ବୋଲି ମୌଳିକ ସ୍କୁଲମାନ ଏପର୍ଯ୍ୟନ୍ତ ବଞ୍ଚି ରହିଚନ୍ତି । ରାଜନୀତିକ ହାକିମମାନଙ୍କର ବୋଲ ମାନି ଅମଲାତନ୍ତ୍ରର ସାନ ହାକିମମାନେ ବାଧ୍ୟ ହୋଇ ମୌଳିକ ଶିକ୍ଷାଯୋଜନାର ସଙ୍କେତ ରୂପେ ଦେଶରେ କେତେଟା ଅବଶେଷ ରଖିବାକୁ ଚେଷ୍ଟା କରୁଚନ୍ତି ମାତ୍ର । ସରକାରଙ୍କ କୋଠାରେ ବସିଥିବା ମୌଳିକ ଶିକ୍ଷାର ଦପ୍ତରଗୁଡ଼ାକ ଦେଖିବାର ଅଭିଳାଷ ନେଇ ରାଜ୍ୟର କୌଣସି ପେଣ୍ଠଠାରୁ ରାଜଧାନୀ ଦିଲ୍ଲୀର ପେଣ୍ଠପର୍ଯ୍ୟନ୍ତ ଗଲେ ମଧ୍ୟ ଆଉ ଯାହାକିଛି ମନେ ହେବ ପଛକେ, ନୂତନ ସମାଜର ପ୍ରବର୍ତ୍ତନ ଲାଗି ମୌଳିକ ଶିକ୍ଷାର ପ୍ରବର୍ତ୍ତନ ହୋଇଚି ବୋଲି ଅନ୍ତତଃ କଦାପି ମନେ ହେବ ନାହିଁ ।

 

ଅଗଷ୍ଟ ଛବିଶି ତାରିଖକୁ ଜଙ୍ଗଲ ସ୍କୁଲରେ ଆମେ ଜନ୍ମଦିନ ବୋଲି ପାଳନ କରୁଥିଲୁ । ପ୍ରତ୍ୟେକ ବର୍ଷର ଅଗଷ୍ଟ ଛବିଶିକୁ ମୁଁ ମୋର ଧ୍ୟାନଭୂମି ଉପରେ ଏପର୍ଯ୍ୟନ୍ତ ପାଳନ କରି ଆସିଛି । ସେଠାରେ ମଧ୍ୟ ହୁଏତ ଏହି ଦିନଟି ଔପଚାରିକ ଭାବରେ ପାଳିତ ହେଉଥିବ । କିନ୍ତୁ ପିଲାଙ୍କର ଦୋଷ କଣ ? ସେମାନେ ତ ଆପେ ବଦଳିବାର ଓ ସଂସାରକୁ ବଦଳାଇବାର ନିର୍ମଳ ଉତ୍ସାହ ନେଇ ସ୍କୁଲକୁ ଆସନ୍ତି । ଯେଉଁଠି ସେହିମାନଙ୍କୁ କେନ୍ଦ୍ର କରି ସ୍କୁଲ ଚାଲେ, ସେଠି ସେମାନଙ୍କର ଜୀବନ ଦୃଷ୍ଟି ଅଧିକରୁ ଅଧିକ ପୁଷ୍ଟ ହେବା ସମ୍ଭବ ହୁଏ, ଜୀବନର ବୃହତ୍ତର କ୍ଷେତ୍ରରେ ଆପଣାକୁ ନିବେଦନ କରି ପାରିବାର ଶ୍ରଦ୍ଧା ନେଇ ସେମାନେ ଘରକୁ ଯାନ୍ତି । ସେମାନେ ଜୀବନକୁ ଭଲ ପାଆନ୍ତି, ମଣିଷକୁ ଭଲ ପାଆନ୍ତି, ମଣିଷର ଅନ୍ତର୍ନିହିତ ଭଲ ଉପରେ ବିଶ୍ଵାସ କରନ୍ତି । ଆପଣାର ଅନ୍ତର୍ନିହିତ ଭଲ ଉପରେ ବିଶ୍ଵାସ ରଖି ସେମାନେ ଜୀବନ-ଦେବତାର ବୋଲ ମାନି ଶିଖନ୍ତି । କିନ୍ତୁ ଯେଉଁଠାରେ ଶିକ୍ଷାବିଭାଗୀୟ ହାକିମୀ ଓ ହାକିମ ବୋଲାଉଥିବା ଯନ୍ତ୍ରମାନଙ୍କର ଯାନ୍ତ୍ରିକତାକୁ କେନ୍ଦ୍ର କରି ଶିକ୍ଷାର ବାଳଲୀଳା ଚାଲେ, ସେଠାରୁ ହାତରେ ସାର୍ଟିଫିକେଟ ଧରି ମଧ୍ୟ ବିଦ୍ୟାର୍ଥୀ ହୃଦୟ ଭିତରେ ପ୍ରଧାନତଃ ଏକ ଗ୍ଳାନି ନେଇ ସଂସାର ଭିତରକୁ ଯାଏ । ସଂସାରଟାଯାକ ତାକୁ କେବଳ ହାକିମ ଭଳି ଦିଶନ୍ତି,–ହାକିମ ବା ଉପରସ୍ଥ ନେତୃତ୍ଵ କହିଲେ ସେମାନେ ଭୋଗ ଖାଇ ତୁଷ୍ଟ ହେବାର ଲୋଭରେ ବସିଥିବା ଦେବତାମାନଙ୍କୁ ହିଁ ବୁଝନ୍ତି । ସେମାନଙ୍କ ଜୀବନରୁ ଶ୍ରଦ୍ଧା ମରିଯାଏ, ନିୟମଟା ହିଁ ଅଧିକ ଟାଣ ଓ ଦୁର୍ଦ୍ଧର୍ଷ ଭାବରେ ସ୍ଵୀକୃତି ପାଏ । ସମାଜରେ ପୁରୁଣା ଯନ୍ତ୍ର ବଦଳି ନୂଆ ଯନ୍ତ୍ର ବସେ, ପୁରୁଣା ନିୟମ ଖାରଜ ହୋଇ ନୂଆ ନିୟମ ଚାଲେ, ହାକିମମାନେ ପରାଧୀନ ଦେଶର ପୁରୁଣା ଭେକ ଛାଡ଼ି ସ୍ଵାଧୀନ ଦେଶର ନା ବେଶ ଓ ନୂଆ ଚତୁରତାମାନ ପିନ୍ଧି ଶିଖନ୍ତି । କିନ୍ତୁ ସମସ୍ତ ଆଡ଼ମ୍ବର ସତ୍ତ୍ୱେ ପୁରୁଣାଟା ହିଁ ଅଧିକ ଜବର ହୋଇ ବସେ । ସମସ୍ତ ଘଣ୍ଟାବାଡ଼ିଆ ଭିତରେ ନୂଆ ଲାଗି ସଜ ହେବାର ଦାୟିତ୍ଵଟା ମଧ୍ୟ ପାସୋରି ଯାଏ ।

 

ଏହି ବହିଟିରେ ମୁଁ ଜଙ୍ଗଲସ୍କୁଲର ଆତ୍ମଜୀବନୀ ଲେଖି ନାହିଁ । ସ୍ଵାଧୀନତା ପରେ ଆମ ଦେଶରେ କେବଳ ଶିକ୍ଷାକ୍ଷେତ୍ରରେ କାହିଁକି, ସାମୂହିକ ଜୀବନର ନାନା କ୍ଷେତ୍ରରେ ଆଜି କେତେକେତେ ପ୍ରୟୋଗ ଚାଲିଛି । ସରକାରୀ ଅନୁଗ୍ରହଖାତାରେ ସେଗୁଡ଼ିକର ନାଆଁ ନ ବାହାରିଲେ ମଧ୍ୟ ସେଗୁଡ଼ିକ ଚାଲିଚି । ଏ ଦେଶରେ ମଧ୍ୟ ଯେ ପରିବର୍ତ୍ତନ ଆସିବ, ଏ ଦେଶରେ ସାମାଜିକ ଅନ୍ଧକାରଗୁଡ଼ାକୁ ଦୂର ହୋଇ ଦିନେ ଯେ ମଣିଷ ମଣିଷପଣିଆର ପ୍ରତିଷ୍ଠା ହେବ, ଏହି ବିଶ୍ୱାସ ନେଇ ଯେଉଁଠି ଯେତେ କାମ ଚାଲିଚି, ଆଗାମୀ ଯୁଗର ହିତଦୃଷ୍ଟିରୁ ସେସବୁ ଅବଶ୍ୟ ବଞ୍ଚିରହିବ ।

 

ଏ ଦେଶର ଦାରିଦ୍ର୍ୟକୁ ବଡ଼ କରି ଦେଖାଇବା ଲାଗି ଆମ ଦେଶରେ ନାନା ସଭାରେ ନାନା ଲୋକ ଅଛନ୍ତି । ଏ ଦେଶରେ କିଛି ହେବ ନାହିଁ, ଏପରି ଉପଦେଶ ଦେବାର ବୁଢ଼ାମନ ଏ ଦେଶର ସବୁ କ୍ଷେତ୍ରରେ ଦେଖିବାକୁ ମିଳିବ । ଶିକ୍ଷାକ୍ଷେତ୍ରରେ ସମ୍ଭବତଃ ଅନ୍ୟାନ୍ୟ କ୍ଷେତ୍ରଠାରୁ ଅଧିକ ମିଳିବ । ଏହି ଦେଶର ମଳିନତାଗୁଡ଼ାକୁ ସ୍ତୋତ୍ରକରି ଗାଇବାର ମଳିନ ମନ ଏ ଦେଶରେ କୌଣସି କ୍ଷେତ୍ରରେ ଅଭାବ ହେବନାହିଁ । ସେପରି ଲୋକେ ‘ଜଙ୍ଗଲ ଚିଠି’ର ବିବରଣୀ ପଢ଼ିଲେ କୌଣସି ସୁଆଦ ପାଇବେ ନାହିଁ ବୋଲି ମୋର ଭୟ ହେଉଚି । ‘ଜଙ୍ଗଲ ଚିଠି’ ସେମାନଙ୍କ ଲାଗି ଲେଖା ହୋଇନାହିଁ । ଜଣେ ଶିକ୍ଷକ ବା ଲେଖକ ହିସାବରେ ସେମାନେ ଚିହ୍ନିଲା ଭଳି କୌଣସି ସାର୍ଟିଫିକେଟ ବା ସନ୍ତକ ମୋ’ପାଖରେ ନାହିଁ । କିନ୍ତୁ ଯେଉଁମାନେ ସକଳ ଦାରିଦ୍ର୍ୟ ସତ୍ତ୍ୱେ ଏହି ଦେଶକୁ ଭଲ ପାଆନ୍ତି, ସକଳ ହତାଶା ସତ୍ତ୍ୱେ ଯେଉଁମାନେ ତଥାପି ମଣିଷ ଉପରେ ଓ ତେଣୁ ଆପଣା ଉପରେ ବିଶ୍ଵାସ ରଖିଚନ୍ତି, ସେହିମାନଙ୍କର ଉଦ୍ଦେଶ୍ୟରେ ‘ଜଙ୍ଗଲ ଚିଠି’ ଲେଖାଯାଇଚି । ଓଡ଼ିଶାରେ ଏପରି ଅନେକ ଶିକ୍ଷକ ଅଛନ୍ତି ଯେଉଁମାନେ ଶିକ୍ଷାଦ୍ଵାରା ଏ ଦେଶରେ ବହୁତ କିଛି ହୋଇ ପାରିବ ବୋଲି ବିଶ୍ଵାସ ରଖିଚନ୍ତି; ଏପରି ଅନେକ ହାକିମ ଅଛନ୍ତି, ଯେଉଁମାନେ ଫିତା, ଫାଇଲ୍, ମୋଟା ବେତନ ଓ ମୋଟା ସମ୍ମାନର ଭିତରେ ରହି ମଧ୍ୟ ତଥାପି ବଡ଼ ଅଶ୍ଵସ୍ତ ଅନୂଭବ କରୁଚନ୍ତି । ଓଡ଼ିଶାରେ ଏପରି ଅନେକ ସାହିତ୍ୟାନୁରାଗୀ ଓ ଧର୍ମନିଷ୍ଠ ବ୍ୟକ୍ତି ମଧ୍ୟ ଅଛନ୍ତି, ଯେଉଁମାନେ ସାହିତ୍ୟ ଓ ଧର୍ମଦ୍ଵାରା ମଣିଷ ଜୀବନର ଯଥାର୍ଥ ପରିବର୍ତ୍ତନ ହୋଇପାରିବ ବୋଲି ଆଜି ମଧ୍ୟ ବିଶ୍ଵାସ ରଖିଚନ୍ତି । ଓଡ଼ିଶାରେ ଏପରି ଅନେକ ଯୁବକ ଅଛନ୍ତି, ଯେଉଁମାନେ ଆପଣାଲାଗି ଉଚ୍ଚଶିକ୍ଷା ବା ଉଚ୍ଚ ଅର୍ଥାଗମପନ୍ଥାର ଯୋଗାଡ଼ ହୋଇଯିବା ମାତ୍ରକେ ଦେଶର ସବୁ ସମସ୍ୟାର ସମାଧାନ ହୋଇଗଲା ବୋଲି ଆଦୌ ଭାବୁ ନାହାନ୍ତି । ଓଡ଼ିଶାର ସ୍କୁଲ ଓ କଲେଜମାନଙ୍କରେ ଶହଶହ ଏପରି ଛାତ୍ରଛାତ୍ରୀ ଆଜି ମଧ୍ୟ ରହିଚନ୍ତି, ଯେଉଁମାନେ ବିଦ୍ୟାଳୟରେ ଓ ଆପଣା ଜୀବନରେ ଖାଲି ପରୀକ୍ଷା ଦେଇ ପାହାଚ ପାରିହେବାଠାରୁ ଆହୁରି ଅଧିକ କିଛି ତଥାପି ଖୋଜି ବୁଲୁଚନ୍ତି । ସେହିମାନଙ୍କର ଲାଗି ମୁଁ ‘ଜଙ୍ଗଲ ଚିଠି’ ଲେଖିଚି । ସେମାନଙ୍କର ଅସନ୍ତୋଷ, କ୍ଷୁଧା ଓ ବିଶ୍ଵାସକୁ ମୁଁ ମହାନ୍ ବୋଲି ସ୍ଵୀକାର କରୁଛି । ଜଙ୍ଗଲସ୍କୁଲର ଜନ୍ମଦିନରେ ମୁଁ ଆଜି ସେହିମାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଉଚି ।

 

ତା ୨୬ । ୮ । ୬୫ ରିଖ

Image